ଗାଈର ଝିଅ ହୋଇଛି
ଗାଈର ଝିଅ ହୋଇଛି
ଅଫିସରେ ଜବ ବା ଚାକିରୀ କରିବାରେ ସନ୍ତୁଷ୍ଟି କାମକୁ ନେଇ ଯାହା ଯାହା ବେଶି ସହକର୍ମୀମାନଙ୍କୁ ନେଇ ମିଳିଥାଏ. ଅର୍ଥାତ କାମ ସାଙ୍ଗକୁ ସହକର୍ମୀମାନଙ୍କ ଗପସପ, ନିଜର ପରି ଭାବନା ସହିତ ଆପଣାପଣର ଆନ୍ତରିକତା ଭାରି ସନ୍ତୁଷ୍ଟି ଦିଏ. କାମରେ ମନ ଲାଗେ. ଅଫିସକୁ ଠିକ ସମୟରେ ପହଞ୍ଚିବାର ଉଚିତ ଅନୁଚିତ ପ୍ରଶ୍ନ ଏଡାଇ କେମିତି ନୂଆସକାଳ ହେଲେ ଅଫିସରେ ଠିକ ସମୟରେ ପହଞ୍ଚିବି, କାମ ସାରି ଟେବୁଲର ସବୁ ଫାଇଲ କାମ ଆଜି କାମ ଆଜି କରି ସାରି ଟିଫିନ ବେଳାରେ ସମସ୍ତଙ୍କ ଟିଫିନ ଏକତ୍ରିତ କରି ମିଶିମାଶି ଖାଇବା ସହ ଗପ ସପ ହେବା ଭିତରେ ଦେଶ, ରାଜ୍ୟ ର ରୋଚକ କଥା ସହ କେତେ କୁଆଡେ ଘଟୁଥିବା କଥା, ଖେଳ ଖବର, ଯୁଦ୍ଧ, ସନ୍ତ୍ରାସ ଆତଙ୍କ,ଭାଇରସ, ଭୁତାଣୁ କଥା ସହ ନିଜ ବ୍ୟକ୍ତିଗତ କଥା ମଧ୍ୟ ବାଣ୍ଟି ହୋଇଯାଏ ପରସ୍ପର ଭିତରେ.ଯେମିତି ଗୋଟେ ପରିବାରର ସଦସ୍ୟ ସମସ୍ତେ. ଏହି ଗପସପ ଆନ୍ତରିକତା ଭିତରେ ସେଦିନ ଚା ନେଇ ଆସୁଥିବା ଗୋପାଳ ଆସୁନଥିଲା. କାହାର ମଧ୍ୟ ଆଜି ଚା ପିଇବାରେ ଆଗ୍ରହ ନଥିଲା. ଗୋପାଳ ଉପରେ ବହି ଯାଇଥିବା ଝଡ଼, ସମସ୍ତଙ୍କ ଉପରେ ଏମିତି ପ୍ରଭାବ ବିସ୍ତାର କରିଥିଲା ଯେ ଭାଷା ନଥିଲା ଆଜି ଗପସପ ପାଇଁ.ଗୋପାଳ ଅଫିସର କେହି ନୁଁହଁ ସତ ହେଲେ ଚା ଦିଏ ସମସ୍ତଙ୍କୁ. ମନ ଓ ସମୟ ଜାଣି ପଚାରି ବୁଝେ ଦୁଃଖ ସୁଖ. ମାଆଟିଏ ପରି ମନ ଦୁଃଖ କଲେ ଯେମିତି ଆଗୁଆ ବୁଝିପାରେ ସେମିତି ଗରମ ଗରମ ଚା ପରଷି ହାଲୁକା କରିଦେଇଥାଏ ମନ. ହେଲେ ଦେଢ଼ ବର୍ଷର ନାତୁଣୀଟା ରୁବି ଯୋଉଦିନ ସେ ରଖିଥିବା ଚା ପାଇଁ ଗରମ କ୍ଷୀର ଡେ଼କଚିରେ ପଡିଲା ତ ଉଠାଇଲା ବେଳକୁ ଜୀଵନ ନଥିଲା ସେଇଦିନୁ ସେ ପାଗଳ ପରି ପ୍ରଳାପ କଲା. ଭଲରେ ଭଲରେ ଭଲ କଥାରେ ରାଗ ପ୍ରକାଶ କରୁଥିବା ଗୋପାଳକୁ ସେବେ ସମସ୍ତେ ବଦମିଜାଜ କହୁଥିଲେ. କାରଣ ସେ ତା ବୋଉକୁ ବାସନମାଜିବା ଦେଖିଲେ ରାଗୁଥିଲା, ବାପା ସାଇକେଲରେ କ୍ଷୀର ନେଇ ବଜାରକୁ ବିକ୍ରୀ କରିବାକୁ ଗଲେ ସେ ରାଗୁଥିଲା, ସ୍ତ୍ରୀର କଞ୍ଜୁସୀ ପଣିଆ ଦେଖିଲେ, ପୁଅର ଅନବରତ କ୍ରିକେଟ ଖେଳ ଦେଖି ଭାରତ ଜିତିଲେ ପାଟି କରିବାରେ, ଝିଅକୁ ରଙ୍ଗୋଲି ଝୋଟି ଚିତା ପକେଇବା ଦେଖିଲେ ବି ସେ ରାଗୁଥିଲା. ସମସ୍ତେ ତାକୁ ବଦରାଗୀ ନହେବାକୁ କହୁଥିଲେ.
ଏବେ ପୁଅ ଚାକିରି ପାଇ ଦୂର ବିଦେଶରେ ରହିବା ପରେ ଆଉ ଘରକୁ ଆସୁନଥିଲା. ଝିଅଟି ଏକମାତ୍ର ସାହା ଭରସା ହୋଇ ଶାଶୁଘରେ ପନ୍ଦଦିନ ରହିଲେ ବାପା ଗୋପାଳଙ୍କ ସଂସାର କହିଲେ ଜେଜେ, ଜେଜେମାଆ, ବୋଉ ସମସ୍ତେ ସ୍ବର୍ଗବାସୀ ହୋଇଯାଇଥିଲା ବେଳେ କେତେଟା ଗାଈ, ବାଛୁରୀ ଙ୍କୁ ନେଇ ଗୋପାଳଙ୍କ ସଂସାର ଚଳେଇ ଦେବାକୁ ଝିଅ ନାତୁଣୀ ସହ ଆସେ. ଶେଷକୁ ନାତୁଣୀ ଗରମ କ୍ଷୀର ଭିତରେ ପଶି ଚାଲିଯିବ ଏକଥାରେ ହୃଦୟ ଫାଟି ପଡୁଥିଲା ଗୋପାଳର. ପାଗଳ ପ୍ରାୟ ହୋଇ ଚା ଦୋକାନ ବନ୍ଦ କରିବା ସହ ଝିଅକୁ ଆଉ ନଆସିବାକୁ କଡା ତାଗିଦ କରିଥିଲା. ଝିଅ ନିଜ ଝିଅର ମୃତ୍ୟୁ ଦୁଃଖରେ ଭାଙ୍ଗି ପଡ଼ୁ ପଡ଼ୁ ବାପା ଗୋପାଳ ଙ୍କୁ ନେଇଯାଇଥିଲା ତା ପାଖକୁ. ଝିଅର ଗାଁ ଠାରୁ ଗୁପ୍ତେଶ୍ୱର ମହାଦେଙ୍କ ମନ୍ଦିର ନିକଟ ଥିଲା. ନିଜ ଝିଅର ଏମିତି ଗରମ କ୍ଷୀର ଭିତରେ ପଶି ମୃତ୍ୟୁ ବରଣ ସାଙ୍ଗକୁ ବାପାଙ୍କ ପାଗଳ ପଣ ଯୋଗୁଁ ଶିବ ଶଙ୍କର ଦେବ ଦେବ ମହାଦେବଙ୍କ ଦର୍ଶନ କରାଇବାକୁ ଝିଅ ବାପା ଗୋପାଳଙ୍କୁ ନେଇଯିବା ଦିନ ଆକାଶ ନିର୍ମଳ ଥିଲା. ଗାଡିରେ ବସବା ଯାଏଁ ମେଘ ନଥିବା ଆକାଶ ଭାରି ଉଜ୍ଜ୍ୱଳ ଥିଲା କିନ୍ତୁ ଯେମିତି ଦର୍ଶନ ପାଇଁ ଓଲ୍ହେଇଛନ୍ତି ଗୋପାଳ ଓ ଝିଅ ଜୋଇଁ ବର୍ଷା ଅଜାଡୁଥିଲା. ଏକ ରକମ କାଚଡୁଥିଲା ଓ ଛାଡିବାର ନାଁ ନେଉନଥିଲା ତ ଗୋପାଳ ହଠାତ ରାଗି ଯାଇଥିଲେ. ଏତେଦିନ ପରେ ତାଙ୍କ ବଦରାଗି ଗୁଣର ପରିପ୍ରକାଶ ଡାକ୍ତର କହିବା ଅନୁସାରେ ତାଙ୍କ ଭଲ ହୋଇଯିବା ଲକ୍ଷଣ ବୋଲି ଝିଅ ଜୋଇଁ ବୁଝିଯିବା ବେଳକୁ ବାପା ଗୋପାଳ ବର୍ଷାକୁ ଖୁବ ଶୋଧୁଥିଲେ. ଅଟୋ ଗାଡିରେ ବସିଲା ବେଳକୁ ତ ବର୍ଷୁନୁ. ଠାକୁର ଦେଖିବାକୁ ଓ ତାଙ୍କ ପାଖରେ ଥିବା ପାହାଡ଼ ଚଢିଲାବେଳକୁ ଏମିତି ମାତାଲ ହେଉଛୁ କାହିଁକି କହି ବର୍ଷା ଉପରେ ଗାଳି କଲାବେଳେ ସତେ ଅବା ଗୁପ୍ତେଶ୍ୱର ଠାକୁର ତାଳି ମାରୁଥିଲେ.ଦର୍ଶନ ସାରି ଆସିବା ପରେ ପରେ ଝିଅ ଅନ୍ତସତ୍ଵା ଥିବା ଜାଣି ଓ ଶୁଣି ଗୋପାଳ ଖୁବ ଖୁସି ହୋଇଥିଲେ. ଟିକି ନାତୁଣୀ ରୁବି ପୁଣି ଫେରୁଛି ତେବେ କହି ଗାଳିଦେଉଥିଲେ ନାତୁଣୀକୁ ଯେ ଏତେ ଦିନ ଯାଏଁ ମୁଁହଁ ଲୁଚେଇ ରହିଛୁ ଯେ ଏ ବୁଢ଼ା ଅଜା କେମିତି ବଞ୍ଚିବ କହିଲୁ ମୋ ମାଆ ରୁବି!ବୋଲି କହି ଲୁହ ପୋଛୁଥିଲେ.
ଗୋପାଳ ବିଷୟରେ ଅଫିସର ସାଙ୍ଗମାନଙ୍କ ସହ ଏତେ କଥା ଗପସପ ଭିତରେ ଦେଖାଗଲା ଗୋପାଳ ଚା କେଟିଲ ହାତରେ ଧରି ଆସୁଛି ଓ ଗରମ ଗରମ ଅଦା ଚା ପରଷି ଯାଉଛି ଓ ଲାଜ ଲାଜ ହୋଇ କହୁଥିଲା ନାତୁଣୀ ହେଇଛି. କେବେ? ମାଆ ଛୁଆ ଭଲ ଅଛନ୍ତି ତ ଗୋପାଳ ଭାଇନା. ହଁ ବାବୁ ଚାନ୍ଦ ଭଲ ଅଛି. ତା ଝିଅ ସାବେରୀ ମୁଣ୍ଡରେ ମଧ୍ୟ ଚାନ୍ଦ ଅଛି ବୋଲି ଖୁସିରେ ଚା ଆଣିଛି. ତେବେ ତୁମ ଝିଅର କଣଟିଏ ହେଲା!ପ୍ରଭୁ ଗୁପ୍ତେଶ୍ୱର ନିଶ୍ଚୟ ମୋ ରୁବିକୁ ଫେରେଇ ଦେବେ ବାବୁ.ସେଦିନ ଚା ନୁଁହଁ ଏ ବୁଢ଼ା ଅଜା ଖାଲି ମିଠା ବାଣ୍ଟିବ ବାବୁ ଖାଲି ମିଠା. ସାବେରୀ ଆସିବା ଖୁସି ଖବର ଦେଇ ସେଦିନ କାହାରିଠୁ ଚା ପଇସା ନନେଇ ଚାଲିଗଲା ଗୋପାଳ ଭାଇ. ଆଜି ତା ଗାଈ ଚାନ୍ଦର ଝିଅ ହୋଇଛି ସାବେରୀ. ଏଣିକି ଗୋପାଳ ଭାଇ ଦୋକାନ ଖୋଲା ରଖିବ. ସବୁଦିନ ଅଦା ଗୋଲମରିଚ ପକା ଚା ମିଳିବ ଭାବୁ ଭାବୁ ସେଦିନ ଚା ଦେଲାବେଳେ ଗୋପାଳ ରାଗୁଥିଲା ଖୋଦ ଇଶ୍ୱରଙ୍କ ଉପରେ. କହିକି ଯେ ଏତେ ବର୍ଷାରେ ଦର୍ଶନ କଲି ଗୁପ୍ତେଶ୍ୱର ଠାକୁର ତୁମଙ୍କୁ. ବର୍ଷାରେ ଦର୍ଶନ କଲି ବୋଲି ସମସ୍ତେ କହିଲେ ଭାରି ଶୁଭ ହେବ. ଭାବିଥିଲି ରୁବି ଫେରିଆସିବ ହେଲେ ରୁବି ବଦଳରେ ରୁବା ଆସିଛି. ମାନେ ତୁମର ନାତି ହୋଇଛି ଗୋପାଳ ଭାଇ! ମିଠା କାଁହି ତେବେ ଗୋପାଳ!ରୁବି ଆସିଥିଲେ ମିଠା ଦେଇଥାଆନ୍ତି. ରୁବି ତ ଆଗରୁ ଆସିସାରିଛି. ଗୋପାଳ ସ୍ତବ୍ଧ ହୋଇ ଚାହିଁଲା ଗପସପ କରୁଥିବା ସାଙ୍ଗ ସହକର୍ମସବୁଙ୍କୁ. ତାଙ୍କ ଭିତରୁ ଚନ୍ଦ୍ରା କହିଲା ତୁମ ଚାନ୍ଦ ଗାଈ କୋଳକୁ ରୁବି ପରା ସାବେରୀ ହୋଇ ଆସିସାରିଛି ଗୋପାଳ ଭାଇ. କିଛି ସମୟ ସ୍ଥାଣୁ ପାଲଟି ଠିଆ ହେବା ପରେ ଗୋପାଳ ଦୌଡୁଥିଲା ମିଠା ଆଣିବା ପାଇଁ.
