Aravinda Das

Inspirational

3  

Aravinda Das

Inspirational

ଏୟାରକଣ୍ଡିସନ

ଏୟାରକଣ୍ଡିସନ

3 mins
16.1K


ଆଜ୍ଞା ,ଏସିଟା କେଉଁ ରୁମ୍ ରେ ଲାଗିବ ?

ବିରଞ୍ଚି ବାବୁ ମେକାନିକକୁ ରୁମ ଦେଖାଇ ଦେଇ ଭାବନାରେ ମଜିଗଲେ।

ବୋହୂ ନେହା'ର ପ୍ରଥମ ଡିମାଣ୍ଡ ଥିଲା, ଗାଁ ଘରେ ଏସି ନଲାଗିଲେ ଛୁଆକୁ ଧରି ସେ ଆସିବ ନାହିଁ।

ସନ୍ଦୀପର ବାହାଘରକୁ ସାତ ବର୍ଷ ହୋଇଗଲାଣି।

ପୁଅ ବୋହୁ ଦୁଇଥର ଗାଁକୁ ଆସିଛନ୍ତି ଏଇ ସାତ ବର୍ଷ ଭିତରେ।

ଅଷ୍ଟମଙ୍ଗୁଳା ପରେ ଦୁହେଁ ଆସିଥିଲେ,ଓ ତା ପରେ ମଞ୍ଜୁଳାଙ୍କ ଅନ୍ତେଷ୍ଟି କ୍ରିୟା ବେଳକୁ । ତଥାପି କେବେ ଅଭିଯୋଗ କରିନାହାନ୍ତି ବିରଞ୍ଚି ବାବୁ।

ବରଂ ନିଜେ ଯାଇ ପୁଅ,ବୋହୂଙ୍କ ପାଖରେ ରହି ଆସନ୍ତି କିଛି ମାସ । ଜମିବାଡ଼ି ,ଘର ମୋହ ଯୋଗୁଁ କିଛି ମାସ ଗାଁରେ ରୁହନ୍ତି।

ହେଲେ ଏଥର ସେ ନିଜେ ସନ୍ଦିପକୁ ଡ଼କାଇଛନ୍ତି ଗାଁକୁ; ନାତି ପିଣ୍ଟୁର ଜନ୍ମ ଖୁସିରେ ଗାଁ ବାଲାଙ୍କୁ ଗୋଟେ ଭୋଜି ଦେବା ପାଇଁ।

"ବାପା, ପିଣ୍ଟୁ ପରା ବିନା ଏସିରେ ଶୋଉନି । ଗାଁରେ ପୁଣି ମନଇଚ୍ଛା ପାୱାର କଟ୍ । ଏଇ ଭୋଜିଟା କଣ ନିହାତି ଜରୁରୀ।"

ପୁଅ କଥା ଶୁଣି ବିରଞ୍ଚି କହିଥିଲେ, "ତୋର ଯେମିତି ଇଛା ;ତେବେ ଭୋଜି ଦେବାକୁ ତୋ ବୋଉର ଇଛାଥିଲା । ମୁଁ ଆଉ କେତେ ଦିନ ବଞ୍ଚିବି କିଏ ଜାଣେ ? ସନ୍ଦୀପ ଏସି , ଇନଭରଟର ଓ ଗୋଟେ ଛୋଟ ଜେନେରେଟର କିଣି ପଠାଇଥିଲା ଗାଁ ଘର ପାଇଁ।

ନାତିକୁ ପାଖରେ ପାଇ ଖୁସିରେ ବିରଞ୍ଚିଙ୍କ ଗୋଡ଼ ତଳେ ଲାଗୁନଥିଲା । କାଖ କରି ପିଣ୍ଟୁକୁ ଗାଁ ସାରା ବୁଲାଉଥିଲେ ବିରଞ୍ଚି ବାବୁ ଓ କାନ୍ଧ ,କୋଳରେ ପକାଇ ଗୀତ ବୋଲି ଶୁଆଉଥିଲେ;ଠିକ୍ ଯେମିତି ପିଲାବେଳେ ସନ୍ଦୀପ ପାଇଁ କରୁଥିଲେ।

ବୋହୂ ହସି ଦେଇ କହୁଥିଲା, "ବାପା, ଆପଣଙ୍କ ଗୀତ ଶୁଣି ପିଣ୍ଟୁର ନିଦ ଭାଙ୍ଗି ଯାଉଛି। ବଡ଼ ବଡ଼ ଆଖି କରି ଅନେଇଛି ପରା।"

ସନ୍ଦୀ ପାଖରେ ବସି କହୁଥିଲା, "ବାପା,ପିଲା ବେଳେ ବି ଆପଣଙ୍କ ଘଗଡା ସ୍ବର ଶୁଣି ମୁଁ ଚମକି ପଡୁଥିଲି ବୋଲି ବୋଉ କହୁଥିଲା । ଆଉଜିବି ଆପଣଙ୍କ ସ୍ବର ସେମିତି ଅଛି।"

ହସିଦେଇ ଗୋଟେ ବିଞ୍ଚଣାରେ ନାତିକୁ ବିଞ୍ଚୁଥିଲେ ବିରଞ୍ଚି ବାବୁ।

"ବାପା, ଆପଣ ଆମ ସହ ଏସି ରୁମ୍ ରେ ଶୁଅନ୍ତୁ । ଗରମରେ ସେ ଆର ରୁମ୍ ରେ କାହିଁକି ଶୋଉଛନ୍ତି?"

ମୃଦୁ ହସି ବିରଞ୍ଚି ବାବୁ କହିଲେ, "ଗାଁର ଏଇ ପ୍ରାକୃତିକ ପରିବେଶ, ପାଣି ପବନରେ ବଢିଥିବା ମୋ ଭଳି ଲୋକ ଦେହରେ ,ଏଇ ଏସି,ମେସି ଯିବିନି । କୃତ୍ରିମତାକୁ ଆମେ ଆଦରି ନେଇ ,ତାକୁ ଜୀବନର ସବୁକିଛି ବୋଲି ଭାବୁଛେ । ତୋ ଫ୍ଲାଟରେ ପରା ମୁଁ ଏସି ବନ୍ଦ କରିଦିଏ । ବାହାର ଗରମ ସହ ନିଜକୁ ଖାପ ନଖୁଆଇ, ଘର ଭିତରେ ଏସି ଲଗାଇ କମ୍ବଳ,ରେଜେଇ ଘୋଡେଇ ଶୋଇବାର ଫେସନ ହୋଇଗଲାଣି ।ସେଇଥିପାଇଁ ଥଣ୍ଡା,କାଶ,ଇସନ ଫୁଲିଆ,ବ୍ଲଡ଼ ପ୍ରେସର ଭଳି ବେମାରୀ ବ୍ୟାପୁଛି । ମୋତେ ଦେଖ, ସମ୍ପୂର୍ଣ୍ଣ ନିରୋଗ।"

ସନ୍ଦୀପ ବଡ଼ ପାଟିରେ କହିଉଠିଲା, "ପିଣ୍ଟୁ କେତେ ଆରାମରେ ଶୋଇ ପଡ଼ିଲା ବାପାଙ୍କ କୋଡ଼ରେ?ବିନା ଏସିରେ ?ମୋତେ କିନ୍ତୁ ନାକରେ ପାଣି ପିଆଇ ଦିଏ ଟୋକା । ମୋବାଇଲରେ ଖେଳି ଖେଳି ଶୁଏ।"

" ପିଲାଙ୍କ ପାଇଁ ଜେଜେ, ଜେଜେମା, ଅଜା, ଆଇଙ୍କର ହାତ ଓ କୋଳ ଶୀତ ଦିନେ ଚୁଲି ଠାରୁ ଅଧିକ ଉଷୁମ ଓ ଖରା ଦିନେ ବରଫ ଠାରୁ ଅଧିକ ଥଣ୍ଡା।"କହିଲେ ବିରଞ୍ଚି ବାବୁ।

ସମସ୍ତେ ଖାଇସାରି ଶୋଇବାକୁ ଉଠିଲେ । ଆସନ୍ତା କାଲି ଭୋଜି ପାଇଁ ଅନେକ କାମ । ରୁମ ଭିତରେ ନଶୋଇ ବିରଞ୍ଚି ବାବୁ ଫିତା ଖଟିଆଟା ପିଣ୍ଡାରେ ପକାଇ ଶୋଇଲେ ଟେବୁଲ ଫ୍ୟାନ ଲଗାଇ।

ରାତିରେ ହାଠାତ୍ କିଛି ଶବ୍ଦରେ ନିଦ ଭାଙ୍ଗିଗଲା ବିରଞ୍ଚିଙ୍କର । ସନ୍ଦୀପ ନଶୋଇ ବାରଣ୍ଡାରେ ବସିଥିଲା ଆକାଶକୁ ଅନାଇ।

" ଭୋଲ୍ଟେଜ୍ କମିଗଲା କିରେ? ଏସି ଚାଲୁନି କି ସନ୍ଦୀପ ? ନଶୋଇ କ’ଣ ଭାବୁଛୁ ?ଗାଁ ଘରେ ଆଖାଡୁଆ ଲାଗୁଛି ବୋଲି ନିଦ ଆସୁନି କିରେ ବାପା "?

ଏକ ଶୁଖିଲା ହସ ମୁହଁରେ ଖେଳାଇ ସନ୍ଦୀପ କହିଲା, "କାମ ପ୍ରେସର ଓ ଟେନ୍ସନ ଯୋଗୁଁ ଛମାସ ହେଲା ଭଲ କରି ନିଦ ହେଉନି । ଅନେକ ସମୟରେ ସ୍ଲିପିଂ ପିଲ୍ ନେବାକୁ ହେଉଛି । ଏସିରେ ବି ନିଦ ଆସୁନି।"

ଚମକି ପଡିଲେ ବିରଞ୍ଚି। ତାଙ୍କର ମନେ ପଡୁଥିଲା ପୁରୁଣା କଥା । ସନ୍ଦୀପ ଛୋଟ ଥିଲା ବେଳେ ତାଙ୍କରି କାନ୍ଧରେ ଘଣ୍ଟାଏ ଲେଖା ପଡ଼ିରହୁଥିଲା । ଶୋଇବାରେ ବଡ଼ ହଇରାଣ କରୁଥିଲା । ନିଦ ମାଉସୀ,ଟୁଉକୁ ମୂଷି,ବାଇଚଢେଇ ଗୀତ ଯଦିଓ ମଞ୍ଜୁଳା ବୋଳୁଥିଲେ, ତଥାପି ସନ୍ଦୀପ ଖୋଜୁଥିଲା ବାପାଙ୍କ କୋଳ ଓ କାନ୍ଧ । କପାଳକୁ ଆଉଁଷି ଦେଇ ବିଞ୍ଚଣାରେ କିମ୍ବା ଖବରକାଗଜରେ ଘଣ୍ଟା ଘଣ୍ଟା ଧରି ବିଞ୍ଚୁଥିଲେ ବିରଞ୍ଚି।

ଆଜି କାହିଁକି କେଜାଣି ଭାବପ୍ରବଣ ହୋଇପଡୁଥିଲେ ସେ । କି ଯୁଗ ହେଲା !!ଚାକିରୀରେ ସ୍ଥିରତା ନାହିଁ,ଆସନ୍ତା କାଲିର ଭରସା ନାହିଁ । କାମ ନାଁରେ ପିଲାଗୁଡାକ ମେସିନ ପାଲଟି ଗଲେଣି।

"ଆ,ମୋ ପାଖକୁ ଆସ । ପିଲା ବେଳ ପରି ମୋ ଉପରେ ଗୋଡ଼ ପକାଇ ଶୋ । ଦେଖିବୁ ନିଦ ହୋଇଯିବ ବିନା ଚିନ୍ତାରେ । ଛୁଆ ବେଳେ ଯେମିତି ଶୋଉଥିଲୁ।"

"ମୁଁ କ’ଣ ଛୋଟ ହୋଇଛି ପିଣ୍ଟୁ ଭଳି? ଖଟରେ ଜାଗା ହେବ ?"

"ବାପା ପାଇଁ ପିଲା ମାନେ ସବୁବେଳେ ଛୁଆ । ପିଣ୍ଟୁ ଓ ତୋ ଭିତରେ କିଛି ଫରକ ମୋତେ ଲାଗେନା । ତୁ ବି ଏବେ ପରା ବାପା ହେଲୁଣୁ।"

ଆଉ ମନା କରିପାରିଲାନି ସନ୍ଦୀପ;ବାଧ୍ୟ ହୋଇ ଆସିଲା । ସେଇ ଫିତା ଖଟ ଉପରେ ବାପାଙ୍କ ପାଖରେ ଗୁଞ୍ଜି ହୋଇ ଶୋଇଲା । ହାଠାତ୍ ଲାଇନ ଚାଲିଗଲା । ମୁଣ୍ଡ ପାଖରେ ଥିବା ବିଞ୍ଚଣାରେ ସଂଦୀପକୁ ବିଞ୍ଚି ଦେଉଦେଉ ଗୁଣୁଗୁଣୁ ହୋଇ ଅସ୍ପଷ୍ଟ ସ୍ୱରରେ କିଛି ବୋଳୁଥିଲେ ବିରଁଞ୍ଚି ବାବୁ । ବାଁ ହାତରେ ପୁଅ ଦେହ ମୁଣ୍ଡରେ ହାତ ବୁଲାଇ ଆଣୁଥିଲେ।

ଏତେ ବର୍ଷ ପରେ ବାପାଙ୍କ ହାତର ସ୍ପର୍ଶ ଏକ ଅଦ୍ଭୁତ ଅନୁଭୂତି ଥିଲା ସନ୍ଦୀପ ପାଇଁ । କେଉଁ ଗୀତ ବୋଲୁଥିଲେ ବାପା ?ସେ ଘାଗଡା ସ୍ବର ବଂଶୀ ଶ୍ବନ ଭଳି ସମ୍ମୋହିତ କରୁଥିଲା। ଆଉ ସେ ବିଞ୍ଚଣାରେ କି ଯାଦୁ ଥିଲା କେଜାଣି ?କି ସୁନ୍ଦର ପବନ ?ମମତାର ଶୀତଳତା, ଏସି ପବନରେ କୁଆଡୁ ଆସିବ !

କରେଣ୍ଟ ଆସିଯାଇଥିଲା।

"ଯା, ଘରେ ଶୋଇ ପଡ଼ିବୁ, ଏସିରେ।"

ବାପାଙ୍କ କଥା ଶୁଣି ସନ୍ଦୀପ କହିଲା, "ଏ ବିଞ୍ଚଣା ପବନ ଏସି ଠୁ ବି ଅଧିକ ଥଣ୍ଡା । ମୁଁ ତୁମ ପାଖରେ ଏଇଠି ଶୋଇବି।"

"ବାଇଆଟା।"କହି ପୁଅକୁ ସାଉଁଳୋଉଥିଲେ ବିରଞ୍ଚି ବାବୁ।

ଛୋଟ ପିଲାଙ୍କ ଭଳି ବାପାଙ୍କୁ କୁଣ୍ଢାଇ ଆରାମରେ ଶୋଇପଡ଼ିଲା ସନ୍ଦୀପ।

ଅନେକ ଦିନ ପରେ ବିନା ଚିନ୍ତାଦକରେ ନିଶ୍ଚିନ୍ତ ଭାବେ ଶୋଇଥିଲା ସନ୍ଦୀପ ,ବିନା ଏୟାରକଣ୍ଡିସନରେ ।

ଅରବିନ୍ଦ ଦାସ


Rate this content
Log in

Similar oriya story from Inspirational