STORYMIRROR

Shiba Charan Mahapatra

Abstract Inspirational

3  

Shiba Charan Mahapatra

Abstract Inspirational

ଏତେ ଡର କାହାକୁ

ଏତେ ଡର କାହାକୁ

2 mins
614

"କେତେଥର କହିଛି ଏ ସାଙ୍ଗ, ସାଥି, ପାର୍ଟି , ବୁଲାବୁଲି ବନ୍ଦ କର୍..ଦେଖୁଛି ଦିନକୁ ଦିନ ତୋର ବଦମାସି ବହୁତ ବଢି ଚାଲିଛି । ଆଉ ଦିନେ ଯଦି ଏମିତି ହୁଏ ସେଇଦିନ ଠାରୁ ତୋର ସବୁକିଛି ବନ୍ଦ ।"

ମା'ଙ୍କର ମେଘ ଗର୍ଜନର ଆତସବାଜିରେ ମୋ କୁନି ଭଉଣୀ ସିପ୍ରା ବିଷାଦର କଳା ବାଦଲ ଘୋଡାଇ ହେଇଯାଇଥିଲା । ମା 'ଙ୍କର କଥାରେ ମୁଁ ବି ସେଦିନ ପାଳିଧରି ଘଟଣାଟିକୁ ଆଉ ଟିକିଏ ନିଆଁରେ ଘିଅ ଢାଳିବା ଅବସ୍ଥା କରି ଦେଲି । ସିପ୍ରା କାନ୍ଦି କାନ୍ଦି ତା ପଢା ରୁମ୍ କୁ ଚାଲିଯାଇ ଭିତରୁ କବାଟ ବନ୍ଦ କରିଦେଲା । ମୁଁ କେବେ ସ୍ୱପ୍ନରେ ଭାବି ନଥିଲି କି ଭାଇ ଭଉଣୀର ମୋ ଥଟ୍ଟାଟା ତାକୁ ଏତେ ଲୁହ ଦେବ । ଜାଣିଥିଲେ ହୁଏତ ସେ ଭୁଲ୍ ମୁଁ ଜୀବନରେ କେବେ କରିନଥାଆନ୍ତି । ରାତିରେ କିଛି ନ ଖାଇ ନ ପିଇ ସେ ଶୋଇଗଲା । ମୁଁ ଭିତରେ ଭିତରେ ଖୁବ୍ ଅନୁତାପ କରୁଥାଏ । ସେଇ କଷ୍ଟରେ ମୁଁ ବି କିଛି ଖାଇ ପାରିଲିନି । ତା ପରଦିନ ଭୋର ସକାଳୁ ସିପ୍ରା ଆସି ମୋ ବେଡରୁମରେ ହାଜର । ତାର ଗୁରୁ ଗମ୍ଭୀର ଶୁଖିଲା ଚେହେରା ଦେଖି ବୁଝିଗଲି ସେ ରାତିରେ ଠିକ୍ ରେ ଶୋଇ ପାରିନି । ମୁଁ ଟିକିଏ ଫୁଲେଇ ହେଇ କହିଲି -"କ'ଣ ବିଲେଇ ଏତେ ସକାଳୁ ..? ଆଜି କାହାର ବାର୍ଥ ଡେ ଅଛି ନା କଣ..?"

ସେ ହାଲକା ହସି କହିଲା-"ନାଇଁ ଭାଇ ,ମୋର ସେ ସୌଭାଗ୍ଯ କାଇଁ ଯେ ମୁଁ ସାଙ୍ଗ ମାନଙ୍କ ସହିତ ବାର୍ଥ ଡେ ସେଲିବ୍ରେଟ୍ କରିବି ..। ତୋର ତ ଭଲ ।" ଏତିକି କହି ସେ ଚୁପ୍ ହେଇଗଲା ।ଆଉ ମୁଁ ବିଜୟର ହସଟିଏ ହସିଦେଇ କହିଲି-"ଆଉ କ'ଣ ତୋ ଭଳିଆ..ଯେତେ ହେଲେ ବି ମୁଁ ବାପା-  ମା ' ଙ୍କର ସୁନା ପୁଅ..ହେଲା ଏବେ.. ସବୁଦିନ ମୋ ଠାରୁ ତଳେ ରହିବୁ ଫୁଟାଣି ମାରିବୁନି ବୁଝିଲୁ..? "

ସେ ପୁଣି କିଛି ସମୟ ଚୁପ୍ ରହି ଆରମ୍ଭ କଲା -"ଭାଇ..ଏତେ ଡର କଣ ପାଇଁ ..? ମୁଁ ଝିଅଟେ ବୋଲି ନା..? ମୁଁ ଝିଅ ହେଲି ବୋଲି କଣ ସାଙ୍ଗ ମାନଙ୍କ ସହିତ ବୁଲି ପାରିବିନି..? ମୋର ସ୍ୱାଧୀନତା ବୋଲି କଣ କିଛି ନାହିଁ.. ? ମୁଁ କ'ଣ ଖାଇବି , କେମିତି ପିନ୍ଧିବି ସବୁକିଛି ଅନ୍ୟ ମାନଙ୍କର ଇଛାରେ । ଯଦି ମୋ ପାଇଁ ଏତେ ନୀୟମ ,କଟକଣା.. ତେବେ ତୋ ପାଇଁ ସେସବୁ କୋହଳ କ'ଣ ପାଇଁ ..?

କ'ଣ ତୁ ପୁଅଟିଏ ବୋଲି..? ସବୁବେଳେ କ'ଣ ଗୋଟିଏ ଝିଅ ହିଁ ଖରାପ ବାଟକୁ ଯାଏ ?କେବେ କ'ଣ କୌଣସି ପୁଅ କିଛି ଭୁଲ୍ କରେନି କି ଭୁଲ ବାଟରେ ଯାଏନି ?

ଯଦି ଏସବୁ ଗୋଟିଏ ପୁଅ ପାଖରେ ବି ଘଟୁଛି ତେବେ କାହା ଭୟରେ ଗୋଟିଏ ଝିଅ ପାଇଁ ଏତେ ସବୁ ନୀୟମ କାନୁନ୍ ?"

ତା ଯୁକ୍ତିରେ ସତ୍ୟତା ଏତେ ଥିଲା ଯେ ମୋ ପାଟି ଖୋଲି ନଥିଲା । କ'ଣ କହିବି ? କି ଉତ୍ତର ଦେଲେ ତା ମନକୁ ପରିତୃପ୍ତି ମିଳିବ ? ତା କଥାର ପ୍ରଶ୍ନବାଣ ମୋ ହୃଦୟକୁ କାଟି ଖିନ୍ ଭିନ୍ କରିଦେଲା । ମୁଁ କିଛି ନକହି ଚୁପ୍ ଚାପ୍ ବାଥରୁମ୍ ଆଡକୁ ଅଗ୍ରସର ହେଲି । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract