ଏକ ସାମାଜିକ ସ୍ଖଳନ
ଏକ ସାମାଜିକ ସ୍ଖଳନ
କାର୍ତ୍ତିକ ମାସ ସକାଳର କଅଁଳ ଖରା ବିଛେଇ ହୋଇ ଗଲାଣି ଚାରିଆଡେ |ଅଳ୍ପ ଅଳ୍ପ ଶୀତ ବି ପଡ଼ିଲାଣି |କାକର ଛାଡ଼ିନାହିଁ ଭଲଭାବେ |ଗୋପାଳବାବୁ ପ୍ରାତଃ ଭ୍ରମଣରୁ ଫେରି ଗାଆଁ ମୁଣ୍ଡ ଛକରେ ଥିବା ଚା ଦୋକାନରେ ପଡ଼ିଥିବା ସିମେଣ୍ଟ ତିଆରି ବେଞ୍ଚ ଉପରେ ବସିଗଲେ ଟିକେ |ନିତିଦିନିଆ ଅଭ୍ୟାସ ଏଇଟା ତାଙ୍କର |ଶିକ୍ଷକ ଚାକିରୀରୁ ଅବସର ନେଲା ପରେ ସକାଳୁ ସକାଳୁ ଟିକେ ବୁଲାବୁଲି କରିବା ତାଙ୍କର କାର୍ଯ୍ୟ ହୋଇଯାଇଛି |ଭ୍ରମଣରୁ ଫେରିବା ପରେ ଏଇ ଚା ଦୋକାନରେ ଘଡିଏ ବସନ୍ତି, ବିଶ୍ରାମ ଟିକେ ମିଳିଯାଏ, ଚା ଟିକେ ବି ପିଆହୁଏ |
ଆଜି ଚା ଦୋକାନରେ ବେଶି ଭିଡ଼ ନଥିଲେବି ପାଞ୍ଚ ସାତଜଣ ବସି ଚା ପିଉଥିଲେ, ଗୁଲିଖଟି ବି ଚାଲିଥିଲା |ଗୋପାଳବାବୁ ବସି ଚା ପିଉ ପିଉ ସବୁ ଶୁଣୁଥିଲେ, ତାଙ୍କର ଆଲୋଚନାର ବିଷୟ ଥିଲା ଆଜିକାଲିକା ପ୍ରେମ |ଆଜିକାଲି ପୁଅ ଝିଅ ମାନେ ଜାତି ଅଜାତି, ବୟସ କିଛି ନମାନି ପ୍ରେମ କରିଚାଲିଛନ୍ତି, ଏଵଂ ଘରଛାଡି ରାତିଅଧିଆ ଯୋଡିହୋଇ ଉଭାନ ହୋଇଯାଉଛନ୍ତି |ବାପା ମାଆ ତାଙ୍କୁ ଜନ୍ମ ଦେଇଛନ୍ତି, କଣ ବାହାଘର କରେଇବେ ନାହିଁ, ସେକଥା ବିଚାର କରିବା ସେମାନଙ୍କ ମୁଣ୍ଡରେ ପଶୁନି, ବାପାମାଆଙ୍କ ମୁହଁରେ କଳାବୋଳି ନିନ୍ଦାଭୟକୁ ଖାତିର ନକରି ଚାଲିଯାଉଛନ୍ତି |ଆଜିକାଲି ଏଇ ଯେଉଁ ମୋବାଇଲ ଫୋନ ବାହାରିଲା, ସେଇଥିରେ କଥାବାର୍ତ୍ତା, ସେଇଥିରେ ପ୍ରେମ, ସେଇଥିରେ ଯୋଜନା, ତା ପରେ ଛୁ |ମାସେ ଦିମାସ ବାହାରେ ରହି, ନେଇଥବା ପଇସା ସରିବା ପରେ ପୁଣି ଘରବାହୁଡା଼ ହେଉଛି |ବାପାମାଆ ମାନେ ବିଚରା ନାଚାର, ବାଧ୍ୟହୋଇ ଘରେ ପୁରଉଛନ୍ତି |ଇଏ ତ ଅଭିଆଡ଼ି ମାନଙ୍କ କଥା |ବାହାଘର ପରେବି ଛୁଆପିଲା କମେଇ ସାରିବା ପରେ ଏମିତି କିଛି ଅଛନ୍ତି, ପରକୀୟା ପ୍ରେମରେ ପଡ଼ି ଘରଛାଡି ଚାଲିଯାଉଛନ୍ତି, ନିଜ ପିଲାଛୁଆଙ୍କ କଥା ଭାବୁନାହାଁନ୍ତି ଟିକେ |ଏମିତି ଉଦାହରଣ ତ ଅନେକ ଘଟୁଛି ଆଜିକାଲି |ଏମିତି ସବୁ ଘଟଣା ବହୁଳ ଭାବରେ ବଢ଼ି ଚାଲିଛି ଆମ ସମାଜରେ, ଗାଁ ଠାରୁ ସହର ଯାଏ, ଅଶିକ୍ଷିତଙ୍କ ଠାରୁ ଶିକ୍ଷିତଙ୍କ ପର୍ଯ୍ୟନ୍ତ, ସବୁ ସ୍ତରରେ, ଯେମିତି ଏକ ଆଧୁନିକ ସଂସ୍କାର !
ଗୋପାଳବାବୁ ସବୁ ନୀରବରେ ବସି ଶୁଣୁଥିଲେ |ମନେ ମନେ ଭାବୁଥିଲେ, ଆଜିକାଲି ଘଟୁଥିବା ଏଇସବୁ ଘଟଣା ସମାଜପାଇଁ ଏକ ଚିନ୍ତାର ବିଷୟ, ଏକ ସାମାଜିକ ସ୍ଖଳନ ନିଶ୍ଚୟ |
ଏକ ସୁସ୍ଥ ସମାଜର ରୀତିନୀତି ଉଲଂଘନ ଫଳରେ ସମାଜ ଯେ କଳୁଷିତ ହୋଇଯିବ, ଏହା ନିଃସନ୍ଦେହ |ପୁଣିଥରେ ଆମକୁ ଆଦିମ ସଭ୍ୟତାର ରୂପ ସମାଜରେ ଦେଖିବାକୁ ପଡିବ |ଗୋପାଳବାବୁ ଅନୁଭବ କରୁଥିଲେ, ମଣିଷମାନେ ଯେମିତି ଧିରେ ଧିରେ ପଶୁ ପାଲଟି ଯାଉଛନ୍ତି |
ଅନେକବେଳୁ ଚା ପିଇ ସାରିଥିଲେ ଗୋପାଳବାବୁ |ଉଠି ଛିଡାହେଲେ ଘରକୁ ଫେରିବାକୁ |
