ଏକ ବାଲ୍ୟଚେତନାର ସ୍ଵପ୍ନ-ଭାଗ ୬
ଏକ ବାଲ୍ୟଚେତନାର ସ୍ଵପ୍ନ-ଭାଗ ୬
କାହାର ଗୁଣୁଗୁଣୁ କଥାବାର୍ତ୍ତା ଶବ୍ଦରେ ନିଦ ଭାଙ୍ଗିଗଲା । ଶେଯରେ ପଡ଼ିରହିଥିବା ଅବସ୍ଥାରେ ଗୋଟିଏ ଆଖି ଅଳ୍ପ ଖୋଲି ଚାହିଁଲି । ଲଣ୍ଠନର ଆଲୋକ ସାମାନ୍ୟ ଅଧିକ ଥିଲା । ବୋଧହୁଏ ବଳିତା ଟିକିଏ ଅଧିକ ତେଜା ହୋଇଥିଲା । ବାପା ବୋଉ କଥା ହେଉଥିଲେ । ବାପା କାନ୍ଥକୁ ଆଉଜି ବସିଥିଲେ । ବୋଉ ମୋ ପାଖରେ ବସି ବିଞ୍ଚଣା ବୁଲାଇ ମୋତେ ପଙ୍ଖା କରିବା ଅବସରରେ ବାପାଙ୍କ ସଙ୍ଗେ କଥା ହେଉଥିଲା ।
ମୁଁ ମନ ଦେଇ ଶୁଣିବାକୁ ଚେଷ୍ଟା କଲି । ଆଜିର ସଭାସ୍ଥଳୀରେ ଘଟିଥିବା ସମସ୍ତ ଘଟଣା ବିଷୟରେ ଆଲୋଚନା ଚାଲିଥିଲା ।ଅଲୋଚନା ଅର୍ଥ ବୋଉ କେବଳ କହୁଥିଲା ଓ ବାପା ହଁ ମାରିବା ଅବସରରେ ମଝିରେ ମଝିରେ ସଂକ୍ଷେପରେ ନିଜ ମତ ରଖୁଥିଲେ । ବାପା ବିଶେଷ କଥା କୁହନ୍ତିନି । ସେ ସବୁବେଳେ ଚୁପଚାପ ନିଜ କାମ ଅଥବା ଘରକାମ କରୁଥିବାର ମୁଁ ଦେଖେ । ପେଟ ପୋଷିବା ପାଇଁ ତାଙ୍କୁ ସାଆନ୍ତଙ୍କ ଘରେ ମୂଲ ଲାଗିବାକୁ ପଡ଼ୁଥିଲା ।ନିଜେ କାମ କରିବା ସହ ଅନ୍ୟ ମୁଲିଆମାନଙ୍କ କାମ ତଦାରଖ କରିବା ମଧ୍ୟ ତାଙ୍କ ଦାୟିତ୍ଵ ଥିଲା । ଏକପ୍ରକାରର କ୍ଷେତବାଡି ସଂପର୍କିତ ଗୁମାସ୍ତାଗିରି ।
ମୁଁ ଅନ୍ୟମନସ୍କ ଭାବରେ ସେମାନଙ୍କ କଥା ଶୁଣିବା ଭିତରେ ନିଜଭାବନାରେ ମଜ୍ଜି ରହିଥିଲି । କଥାବାର୍ତ୍ତା ମଝିରେ ବୋଉର ଗୋଟିଏ ବାକ୍ୟ ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକାଇଲା । ବୋଉ କହୁଥିଲା , 'ମୋ ଦେହ ଭଲ ରହୁନି । ଦିନକୁ ଦିନ ଅଧିକ ଦୁର୍ବଳ ଲାଗୁଛି । ଏ ରୋଗ ମୋତେ ନ ମାରି ଛାଡିବନି ' ।
'ତୁ ଆଦୌ ବ୍ୟସ୍ତ ହ'ନା । ସାଆନ୍ତଙ୍କୁ ଆଜି ପୁଣି କିଛି ଟଙ୍କା ମାଗିଛି । ଦିନେ ଦୁଇ ଦିନ ଭିତରେ ପଇସା ସୁବିଧା ହୋଇଗଲେ ଆମେ ସହରକୁ ଯାଇ ବଡ ଡାକ୍ତରଙ୍କୁ ଦେଖାଇବା । ତୁ ସେଇଠି ଭଲ ହୋଇଯିବୁ 'Iବାପା କହିସାରି ଦୀର୍ଘ ନିଶ୍ଵାସ ଛାଡିଲେ ।
'ନାଇଁ ନାଇଁ । ମୋ କଥା ଶୁଣ । ମୋତେ ଗୋଟେ କଥା ଦିଅ ।'
'କୁହ ସୋନୀ ,କଣ ହେଇଛି ' ? ବାପା ବୋଉର ହାତକୁ ଧରି ପଚାରିଲେ ।
'ମୋର ଯଦି କିଛି ହେଇଗଲା , ତା ହେଲେ ତମେ ମୋ ପୁଅକୁ ମାତୃହରା ଅନାଥ ହବାକୁ ଦେବନି ' ।
'ନାଇଁ ସୋନୀ । ତମେ ସେମିତି କାହିଁକି ଭାବୁଛ ? ମୁଁ କଥା ଦେଉଛି " ।
ଏହାର ଅଳ୍ପ କିଛିଦିନ ଅନ୍ତେ ମୁଁ କିନ୍ତୁ ଅନାଥ ହୋଇଗଲି । ବୋଉ ସପ୍ତାହେ କାଳ ଡାକ୍ତରଖାନାରେ ପଡିବା ପରେ ଆରପାରିକୁ ଚାଲିଗଲା । ବଡ଼ ହେବାପରେ ଜାଣିଲି ,ଏକ ଦୁରାରୋଗ୍ଯ ବ୍ୟାଧିରେ ବୋଉ କଷ୍ଟ ପାଉଥିଲା । ଗର୍ଭାଶୟ କର୍କଟ ରୋଗ । ରୋଗରୁ ନିସ୍ତାର ମିଳିଲା ନାହିଁ । ଚଳିବାରେ ଅସୁବିଧା ହେବାରୁ ବାପା ଆଉ ଗୋଟିଏ ବାହା ହେଲେ । ନୂଆ ବୋଉ ପାଇଁ ମୁଁ ଗୋଟିଏ ଅପଦାର୍ଥ ଓ ଅଲୋଡା ପ୍ରାଣୀଟିଏ ଭାବରେ ଗଣା ହେଲି ।
ଏବେ ମୁଁ ମାଗୁର ସଙ୍ଗରେ ମିଶି ଗାଈ ଚରାଉଛି । ଟିକେ ଶାନ୍ତିରେ ଅଛି । ଅନ୍ତତଃ ଅଯଥା ମାଡ ଗାଳିରୁ ରକ୍ଷା ମିଳିଯାଉଛି । ଏକୁଟିଆ ଥିଲାବେଳେ ଜହ୍ନ ଆଲୁଅ ଭିତରେ , ତାରାମାନଙ୍କ ମେଳରେ ଅଥବା ନୀଳ ଆକାଶର ସୀମାହୀନ ନିଳୀମା ମଧ୍ୟରେ ବୋଉକୁ ଖୋଜୁଛି ।