ଏକ ବାଲ୍ୟଚେତନାର ସ୍ୱପ୍ନ (ଭାଗ୪)
ଏକ ବାଲ୍ୟଚେତନାର ସ୍ୱପ୍ନ (ଭାଗ୪)
ଆଜି ଦିନଟି ମୋ ଜିଇଁଥିବା ଛୋଟିଆ ଜୀବନଟିର ଅବଧି ଭିତରେ ସର୍ବଶ୍ରେଷ୍ଠ ଦିବସ ଭାବରେ ପରିଗଣିତ ହେବାକୁ ଯାଉଛି । ଜଣେ ଜୀବନ ରକ୍ଷାକାରୀ ସାହସୀ ବାଳକର ଉପାଧିରେ ଭୂଷିତ ହେବା ଲାଗି ଆଉ ମାତ୍ର ୨ ଦଣ୍ଡ ବାକି । ଏଥିଲାଗି ବହୁପୂର୍ବରୁ ପ୍ରସ୍ତୁତି ଆବଶ୍ୟକ । ପୁରୁଣା ଟ୍ରଙ୍କରୁ ସାଇତା ହୋଇ ରହିଥିବା ସବୁଠାରୁ ଭଲ ପ୍ୟାଣ୍ଟ ସାର୍ଟ କାଢିଲି । ସେଥିରୁ ହଳେ ସଂପୂର୍ଣ୍ଣ ଛୋଟ । ଆଉ ହଳେ ଦେହରେ ଗଳାଇ ଦେଖିଲି, କାଖ ଓ କାନ୍ଧ ଭିଡ଼ି ହେଉଛି । ଶେଷ ହଳକର ସାର୍ଟ ବଟମର ରଙ୍ଗ ଭିନ୍ନ ଭିନ୍ନ ଥିଲା । ବୋଧହୁଏ ବୋଉ ତା ବ୍ଲାଉଜ ବଟମରୁ ଦୁଇଟା ଲଗାଇ ଦେଇଥିଲା । ତେବେ ଚଳନୀୟ । ଅନ୍ୟମାନେ ଭଲ ଦିନରେ ପିନ୍ଧୁଥିବା ଡ୍ରେସ ଠାରୁ ସାମାନ୍ୟ ଊଣା ହେଲେ ବି ଅନ୍ୟ ଉପାୟ କିଛି ନଥିଲା ।
କେତେବେଳେ ବୋଉ ମୋ ପଛପଟରୁ ଚୁପଚାପ ଆସି ମୋ କାର୍ଯ୍ୟକଳାପ ଦେଖୁଥିଲା । ଯେତେବେଳେ ଜାଣିଲି ,ବୋଉକୁ କୁଣ୍ଢାଇ ପକାଇଲି । ମାଡଦାଉରୁ ରକ୍ଷା ନିମିତ୍ତ ଏହା ମୋର ଏକ ପାରମ୍ପରିକ କୌଶଳ ଥିଲା। ବୋଉ ଯେତେ ରାଗି ଥିଲେ ବି ତାକୁ କୁଣ୍ଢାଇ ପକାଇଲେ ଆଉ ମାଡ ହୁଏନି । ଦୃଷ୍ଟାମୀର ମାତ୍ରା ଯେତେ ବି ହେଇଥିଲେ ଖାଲି ଗାଳିରେ କାମ ଚଳିଯାଏ । ବୋଉର ଆଜ୍ଞାତସାରରେ ଟ୍ରଙ୍କ ଖୋଲିବା ଏକ ଦଣ୍ଡନୀୟ ଅପରାଧ ଥିଲା ଓ ଏଥିରୁ ରକ୍ଷା ପାଇବାପାଇଁ ସେ ଘର ଭିତରୁ ଖସି ଚାଲିଯିବା ପାଇଁ ବାଟ ନଥିଲା । ଅଗତ୍ୟା ଆତ୍ମସମର୍ପଣ ହିଁ ସେ ସମୟରେ ସର୍ବୋତ୍କୃଷ୍ଟ ଉପାୟ ଥିଲା । କିନ୍ତୁ ମୋ ଆଶଙ୍କାର ବିପରୀତ ଘଟଣା ଘଟିଲା ଅର୍ଥାତ ବୋଉ ମୋତେ କାଖେଇକରି କାନ୍ଦୁଥିଲା । ବୋଉର ଏ ଅଭୂତପୂର୍ବ ପ୍ରତିକ୍ରିୟାରେ ସ୍ତମ୍ଭୀଭୂତ ହୋଇ କିଛି କ୍ଷଣ ନିରବ ରହି କହିଲି, 'ଏବେ ତୁ ପଛେ ମତେ ବାଡ଼ା , କିନ୍ତୁ କାନ୍ଦେନା '। ଏତକ କହିବାର ଉଦ୍ଦେଶ୍ୟ ହେଉଛି , ବୋଉର କାନ୍ଦ ବନ୍ଦ ନ ହେଲେ ମୋର କାନ୍ଦିବାଟା ଅବଶ୍ୟମ୍ଭାବୀ ଥିଲା ।
ଅବଶେଷରେ ସେଇ ବହୁପ୍ରତୀକ୍ଷୀତ ମୂହୁର୍ତ୍ତଟିର ଆଗମନ ଘଟିଲା । ବାପାଙ୍କ ସହାୟତାରେ ମଞ୍ଚ ଉପରେ ମୋ ପାଇଁ ଉଦ୍ଦିଷ୍ଟ ଥିବା ଚଉକିରେ ବସିଲି । ମଞ୍ଚ ତଳେ ଅଳ୍ପ କିଛି ଲୋକ ରୁଣ୍ଡ ହୋଇ ନିଜ ନିଜ ଭିତରେ କଥା ହେଉଥିଲେ । ଗାଁର ସର୍ବାଧୁନିକ ବୋଲାଉଥିବା ଆତ୍ମଘୋଷିତ ରେସ୍ତୋରାଁ ମ୍ୟାନେଜର ପରଶୁ ମଞ୍ଚ ପରିଚାଳନାର ଦାୟିତ୍ଵ ନେଇଥିବାରୁ ଚତୁର୍ଦ୍ଦିଗକୁ ହସ୍ତ ପ୍ରସାରଣ ପୂର୍ବକ ବିଭିନ୍ନ ସାମଗ୍ରୀ ଆୟୋଜନ ପାଇଁ ଆଦେଶ ଦେବାରେ ବ୍ୟସ୍ତ ଥିଲା । ଯଦିଓ ସହରରେ ବଡ ବଡ ଇମାରତକୁ ଇଟା ସିମେଣ୍ଟ ବୋହୁଥିବା ବେଳେ ପରଶୁକୁ କେହି କେହି ଗ୍ରାମବାସୀ ଦେଖିଥିବାର କହନ୍ତି । କିଛି ସମୟ ପରେ ପୂର୍ବନିର୍ଦ୍ଧାରିତ ଯୋଜନା ମୁତାବକ ମଞ୍ଚାସୀନ ଅତିଥିମାନଙ୍କୁ ଗ୍ରାମର କିଛି କିଶୋରୀଗଣ ଫୁଲମାଳ ପିନ୍ଧାଇ ସାରିବା ପରେ ସଭାକାର୍ଯ୍ୟ ଆରମ୍ଭ ହେବାର ସୂଚନାଟି ପରଶୁ ଘୋଷଣା କରିସାରି ମୋ ନିକଟସ୍ଥ ଖାଲି ଥିବା ଚଉକିରେ ଆସି ବସିଲା । ସେତେବେଳକୁ ମୋ ବେକରେ ପଡ଼ିଥିବା ଫୁଲମାଳଟିର ଓଜନ ଓ ଏଥିପାଇଁ ଅନୁଭୂତ ହେଉଥିବା ଗରମ ହେତୁ ବିଚଳିତ ବୋଧ କରୁଥିଲି । କିନ୍ତୁ ଏକ ବହୁତ ବଡ ସମ୍ମାନର ଅଧିକାରୀ ହେବାକୁ ଯାଉଥିବାରୁ ନିରବରେ ସୁନାପିଲାଟି ପରି ବସି ରହିଥିଲି । ମଝିରେ ମଝିରେ ଉପସ୍ଥିତ ଜନତାଙ୍କ ଉପରେ ବିହଙ୍ଗ ଦୃଷ୍ଟି ବୁଲାଇ ଆଣୁଥାଏ । ଦେଖିଲି, ଉପସ୍ଥିତ କିଛି ଗ୍ରାମ୍ୟ ମହିଳାଙ୍କ ଭିତରେ ବୋଉ ବସି ରହି ମୋ ଆଡକୁ ଚାହିଁଛି । ଦୃଷ୍ଟି ବିନିମୟ ହେବାରୁ ଟିକେ ହସିଦେଲା । ଇଚ୍ଛା ହେଉଥିଲା , ମୋତେ ମିଳିବାକୁ ଥିବା ସମ୍ମାନ ବଳରେ ତାର ସମସ୍ତ ଅଭାବ କଷଣକୁ ନିମିଷେକ ମଧ୍ୟରେ ଦୂର କରିସାରି ଏ ସଂସାରର ସମସ୍ତ ବୈଭବକୁ ତା ପାଦ ତଳେ ଅଜାଡି ଦିଅନ୍ତି କି ! କେବେ କେବେ ପର୍ବପର୍ବାଣୀରେ ଲଗାଯାଇଥିବା ଅଳତାର ଧୌତ ଜନିତ ପରବର୍ତ୍ତୀ ଅବସ୍ଥାକୁ ରୂପାନ୍ତରିତ ଫିକା ଗୋଲାପୀ ରଙ୍ଗରେ ରଙ୍ଗିତ ତା ପାଦର ଗୋଇଠି ଧାର ଓ ସମୁଦାୟ ପାଦ ଦୁଇଟିକୁ ମୁଁ ମୋ ଅନ୍ତର୍ଚକ୍ଷୁରେ ଦେଖି ପାରୁଥିଲି । ଆହାଃ ;କେଡେ ସୁନ୍ଦର ପାଦ ଦୁଇଟି ! ସେ ପାଦ ଦୁଇଟିର ସୌନ୍ଦର୍ଯ୍ୟ ଆଗରେ ସଂସାରର ସମସ୍ତ ସୁଖସମ୍ଭୋଗ , ସମସ୍ତ ଧନ ସମ୍ପତ୍ତି ମୋତେ ସେ ମୂହର୍ତ୍ତରେ ତୁଚ୍ଛ ଲାଗିଲା । ସାଆନ୍ତଙ୍କର ପୁରୁଣା ଫିଆଟ କାର , ନଈ କାଣ୍ଡିଆର ଓ ଆଖପାଖର ସମସ୍ତ କଞ୍ଚାସୁଆଦିଆ ଆମ୍ବଗଛ, ସେପଟା ଓ ଚାଉଳିଆ ଗଛ ବ୍ୟାପ୍ତ ଥିବା ରଘୁ ମହାଜନର ପ୍ରସିଦ୍ଧ କାକୁଡି କିଆରୀ ସମେତ ସବୁକିଛି ମୋତେ ମୂଲ୍ୟହୀନ ମନେହେଲା ( ସେ ସମୟରେ ମୂଲ୍ୟବାନ ଚିଜ ବୋଇଲେ ମୋତେ ଏତିକି ଜଣା ଥିଲା ) । ମିଳିବାକୁ ଥିବା ପୁରସ୍କାର ରାଶିର ଉପଯୁକ୍ତ ବିନିଯୋଗ ସଂପର୍କରେ ଭାବୁଥିଲି । ପିନ୍ଧୁଥିବା ରଙ୍ଗହୀନ ନକଲି ଓ ଶସ୍ତା ଗୋଡ଼ ମୁଦି ବଦଳରେ ଦୁଇଟି ରୁପାର ମୁଦି ନିଶ୍ଚିତ କିଣା ହେବ ।
ସଭାକାର୍ଯ୍ୟ ଆରମ୍ଭ ହୋଇସାରିଥିଲା । ଅତିଥିମାନେ ଜଣକ ପରେ ଜଣେ ଭାଷଣ ଦେଉଥିଲେ । ଭାରି ଅତିଷ୍ଠ ବୋଧ ହେଉଥିଲା । ପ୍ରବଳ ଗରମ ହେତୁ କାନ ମୂଳରୁ ଝାଳ ବୋହିବା ସଙ୍ଗେ ସଙ୍ଗେ ସମଗ୍ର ଶରୀରରୁ ଝାଳ ନିର୍ଗତ ହେଉଥିଲା । ସେ ସ୍ଥାନ ଛାଡି ବୋଉ ପାଖକୁ ଯିବା ଲାଗି ଚେଷ୍ଟା କଲି । ପାଖରେ ବସିଥିବା ପରଶୁ ମୋ କାନ୍ଧକୁ ଦାବିଦେଇ କହିଲା , 'କୁଆଡେ ଯାଉଛୁ ? ଚୁପ୍ ହେଇ ବଅ 'I ଅଗତ୍ୟା ନିରବରେ ବସିରହିଲି । ଫୁଲମାଳଟିର ଓଜନ ବେଳକୁ ବେଳ ବୃଦ୍ଧି ହେଲାପରି ମନେ ହେଉଥିଲା । ଏଆଡେ ସେଆଡେ ଚାହିଁ ମନକୁ ଭୁଲାଇବାକୁ ଚେଷ୍ଟା କରୁଥିଲି । ହଠାତ୍ ପଡ଼ିଆର ଶେଷ ଆଡକୁ ଦୃଷ୍ଟି ପଡିଯିବାରୁ ଚମକି ପଡିଲି । ଏ ସମୟରେ ଏଭଳି ଦୃଶ୍ୟଟିଏ ଦୃଷ୍ଟିଗୋଚର ହେବ , ଏହା ମୋ ଚିନ୍ତା ଓ ଚେତନାର ଉର୍ଦ୍ଧ୍ଵରେ ଥିଲା । ମେରୁଦଣ୍ଡ ଦେଇ ଭୟର ଏକ ଗତିଶୀଳ ଶୀତଳ ପ୍ରବାହର ନିମ୍ନଗାମୀ ଅବସ୍ଥା ଅନୁଭବ କଲି । ହୃତପିଣ୍ଡର ସ୍ଵାଭାବିକ ସ୍ପନ୍ଦନ କ୍ରମେ ଅସ୍ଵାଭାବିକ ହେଉଥିଲା ।.. ପଡ଼ିଆର ଶେଷମୁଣ୍ଡଆଡ଼ୁ ମାଗୁର ଦୌଡି ଦୌଡି ଆସୁଥିଲା । ରେସକୋର୍ସରେ ଦୌଡୁଥିବା ଘୋଡାର କ୍ଷୀପ୍ରତା ସ
ାଙ୍ଗରେ ତାଳ ଦେଇ ଦୌଡୁଥିବା ମାଗୁର , ଗୋଟାଏ ବଡ ଅମଙ୍ଗଳ ଘଟଣା ଘଟିଥିବାର ବାର୍ତ୍ତା ବହନକରି ସମଗ୍ର ସଭାଟିର ଉଦ୍ଦେଶ୍ୟ ପଣ୍ଡ କରିବା ଲାଗି ବଦ୍ଧପରିକର ଥିବାଭଳି ମନେହେଉଥିବା ଅବସ୍ଥାରେ ଯଥାଶୀଘ୍ର ସମ୍ଭବ ସଭାସ୍ଥଳୀର ନିକଟତର ହୋଇ ଆସୁଥିଲା ।
ଚେତନାରେ ଗତରାତିରେ ଦେଖିଥିବା ଦୁଃସ୍ଵପ୍ନର ଝଲକ ଦେଖିବାକୁ ଆରମ୍ଭ କରିଥିଲି । ପ୍ରବଳ ଗରମ ସତ୍ତ୍ଵେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯାଇଥିଲା । ମାଗୁର ତାହେଲେ ସବୁ ସତ କଥା କହିଦେବ ବୋଲି ନିର୍ଣ୍ଣୟ ନେଇସାରିଛି ; ଏତେ ଯୋଜନା ସବୁ ପାଣି ଫାଟିଯିବ ? ନାଁ ନାଁ , କିଛି ଗୋଟାଏ ପ୍ରତିକାର କରିବାକୁ ହେବ । ଆଖପାଖକୁ ଆଖି ବୁଲାଇଲି । ଭଙ୍ଗା ଇଟାଟାଏ ଅଥବା ଢେଲାଟିଏର ଘୋର ଅଭାବ ଅନୁଭବ କଲି । ଟେକା ଫିଙ୍ଗିବାରେ ସେତେ ଦକ୍ଷତା ନଥିଲେ ମଧ୍ୟ ଟିକିଏ ପାଖକୁ ଯାଇ ତା ମୁଣ୍ଡଟାକୁ ଫଟେଇ ଦେଇ ହେବ ବୋଲି ମନେ ଆକଳନ କଲି । ଢେଲାର ଅଭାବରେ ଟେବୁଲ ଉପରେ ଥିବା ଫୁଲଦାନୀରେ କାମ ଚଳାଇବାକୁ ହେବ । ମାଗୁର ସଭାସ୍ଥଳରେ ପହଞ୍ଚି ଜଣେ ଦୁଇଜଣ ଗ୍ରାମବାସୀଙ୍କୁ ବଡ ବ୍ୟଗ୍ରତା ସହକାରେ କିଛି କହୁଥିଲା । ମଝିରେ ମଝିରେ ଫୁଙ୍ଗୁଳା କାନ୍ଧରେ ପଡିଥିବା ଗାମୁଛାରେ ନିଜ ମୁଁହ ଓ ଆଖି ପୋଛି ପକାଉଥିଲା । କଣ କହୁଥିଲା କେଜାଣି ? ବୋଧହୁଏ ପୁରସ୍କାରଟା ମୋ ବଦଳରେ ସେ ପାଇବାକୁ ଯୋଗ୍ୟ , ଏହା ହିଁ କହୁଥିଲା । ତାକୁ ବଞ୍ଚାଇବା ପରିବର୍ତ୍ତେ ମୁଁ ଯେ ତା ହାତରୁ ମୋ ହାତ ଛଡାଇଆଣି ଖସି ପଳେଇ ଆସିବାକୁ ଚେଷ୍ଟା କରିଥିଲି, ଏକଥା ସେ କହିସାରିଥିବ । ଆସ୍ତେକରି ଚଉକିରୁ ଓହ୍ଲାଇବାକୁ ଚେଷ୍ଟା କଲି । ମୋ ହାତ ଠାରୁ ଫୁଲଦାନୀର ଦୂରତା ବେଶୀ ନଥିଲା । ଥରେ ଅସ୍ତ୍ରଟା ମିଳିଗଲେ,ମାଗୁରର ସେ ଅଶୁଭ ସତ୍ୟ ଉଚ୍ଚାରଣକାରୀ ମୁହଁଟାକୁ ବନ୍ଦ କରିବାଲାଗି ବେଶୀ ସମୟ ଲାଗନ୍ତାନାହିଁ । ପୁନର୍ବାର ପରଶୁ ହାତର ସେ ହାଡୁଆ ପାପୁଲିର ଓଜନଦାର ଉପସ୍ଥିତିଟାକୁ ମୋ ବାମ ସ୍କନ୍ଧ ଉପରେ ଅନୁଭବ କଲି ।' ଚୁପଚାପ ବସ୍ । ଏଠି ବି ଦୁଷ୍ଟାମୀ ?' ମତେ ଚିହ୍ନିଛୁ "? ପରଶୁର ଏ ଧମକଟା ଆଗ ଅପେକ୍ଷା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ ଓ ପରିଣାମଧର୍ମୀ ମନେହେଲା । ' ହଁ ଚିହ୍ନିଚି ।' ଅଜାଣତରେ ଏ କଥାପଦକ ମୋ ପାଟିରୁ ବାହାରିଗଲା । ସେତେବେଳକୁ ପୂର୍ବରାତ୍ରର ସ୍ୱପ୍ନରେ ଦୃଶ୍ୟମାନ ହୋଇଥିବା ସାଆନ୍ତଙ୍କର କାଳିଆ ଷଣ୍ଢଟି ଦୂର ଦିଗବଳୟରେ ମଝିରେ ମଝିରେ ମାଗୁରର ସ୍ଥାନ ନେଇ ମୋତେ ଦୃଶ୍ୟାୟମାନ ହେଉଥାଏ । 'କଣ କହିଲୁ ? ଚିହ୍ନିଚୁ ! କଣ ଚିହ୍ନିଚୁ ମୋତେ ଟିକେ କହିଲୁ ? ବେଟା , ମୁଁ ଯଦି ଚିହ୍ନାଦେବି .ତୁ ତୋ ବୋପାକୁ ଆଉ ଚିହ୍ନିପାରିବୁନି 'I ଏତକ କହିସାରି ପରଶୁ ନିଜ ନିଶ ଉପରେ ହାତ ବୁଲାଇ ଆଣିଲା । ସମସ୍ତ ହତାଶାବୋଧ ଓ ବିରକ୍ତିଭାବକୁ ପରଶୁର ଏ ତାତ୍ସଲ୍ୟ ବହୁଗୁଣିତ କରିଦେଲା । ଭବିଷ୍ୟତରେ କେବେ ବାପାଙ୍କୁ ଚିହ୍ନିବା ଲାଗି ପରଶୁର ସହାୟତା ବା ଅନୁମତିର ଆବଶ୍ୟକତା ପଡ଼ିପାରେ , ଏ କଥାଟି ମୋ ଛୋଟ ମଗଜଟିରେ ପଶୁ ନଥିଲା । ଅତଏବ ମୁଁ ତାକୁ ଯେଉଁଭଳି ଭାବରେ ଚିହ୍ନିଛି, ସେ କଥା ତାକୁ ଜଣାଇଦେବାଟା ଉଚିତ ହେବ ବୋଲି ମନେ କଲି । 'ତୁମେ ସହରରେ ଇଟା ସିମେଣ୍ଟ ବୋହିବା କାମ କରି ଗାଁରେ ନିଜକୁ ମେନେଜର କହୁଛ ,ଏତିକି ଚିହ୍ନିଛି ।' ପରଶୁକୁ ତାର ପ୍ରକୃତ ପରିଚୟ ପ୍ରଦାନ କରିସାରିବାପରେ ସେଠାରେ ବସିରହି ପୁରସ୍କାରକୁ ଅପେକ୍ଷା କରିବା , ମୋ ପାଇଁ ନିରାପଦ ନ ଥିଲା । ଅତଏବ ବଜରଙ୍ଗବାଲୀଙ୍କ ସ୍ମରଣପୂର୍ବକ ଦେଲି ଦୌଡ । ବୋଉ ପାଖରେ ପହଞ୍ଚିଯିବା ପାଇଁ ଯଥାସାଧ୍ୟ ଚେଷ୍ଟା କଲି । ଥରେ ଦୁଇଥର ମଧ୍ୟ ବିକଳରେ ବୋଉକୁ ଡାକିଲି । କିନ୍ତୁ ଗୋଡ଼ ଦୁଇଟାର କ୍ଷୀପ୍ରତମ ଚାଳନା ସତ୍ତ୍ଵେ ପଥ ଅତିକ୍ରମ କରିପାରୁ ନଥିବାର କାରଣ ଅନୁଧ୍ୟାନ କରି ଯାହା ଜାଣିଲି ,ସେଥିରେ ମୋ ମୁଣ୍ଡ ବୁଲାଇଦେଲା । ମୋ ସାର୍ଟର ପଛ ପାଖରୁ ମେଞ୍ଚାଏ ପରଶୁ ହାତରେ ବନ୍ଦୀ ଥିବା ଅବସ୍ଥାରେ ସେ ମୋତେ ଭିଡ଼ି ଧରିଥିଲା । ବୋଧହୁଏ ମୋର ମଞ୍ଚଉପରୁ ଏ ଆକସ୍ମିକ ପଳାୟନରେ ହତବମ୍ବ ଅତିଥିଗଣଙ୍କର ଇଶାରା ହେତୁ ଅଥବା ମୋତେ ତା ନିଜର ପ୍ରକୃତ ପରିଚୟ ପ୍ରଦାନର ଆବଶ୍ୟକତାଜନିତ ଅନ୍ତଃପ୍ରେରଣାର ପ୍ରଚଣ୍ଡ ଆହ୍ୱାନ ଯୋଗୁଁ ,ପରଶୁ ମୋ ପଛେ ପଛେ ଅନୁସରଣ କରି ମୋତେ ଧରିପକାଇବାରେ ସମର୍ଥ ହୋଇଥିଲା । ଭୟରେ ଠିଆ ହୋଇ ତା ମୁହଁକୁ ଚାହିଁଲି । କ୍ରୋଧରେ ଫୁଲି ଉଠୁଥିବା ନାକପୁଡ଼ା ଦୁଇଟିର ଆକାର ବୃଦ୍ଧି ଘଟୁଥିଲା । କାଳିଆ ଷଣ୍ଢର ନାକପୁଡ଼ା ସହ ସମାନ । ଭୟରେ ପାଟି ଅଠା ହୋଇ ଆସୁଥିଲା ।ଦୃଷ୍ଟି ଅସ୍ପଷ୍ଟ ହୋଇ ଆସୁଥିଲା । ଦିନ ଦ୍ବିପହରରେ ସର୍ବତ୍ର କୁହୁଡି ଦେଖୁଥିଲି । ଦୃଷ୍ଟି ଆଗରେ ସଂପୂର୍ଣ୍ଣ ଅନ୍ଧାର ଘୋଟି ଆସିବା ଆଗରୁ କାହାର ଦୁଇଟି ପରିଚିତ ହାତ ମୋତେ ଉପରକୁ ଉଠାଇ ନେଉଥିଲା । ଆଖି ମକଚି ଚାହିଁଲି । ବୋଉ ମୋତେ କାଖେଇଥିଲା ।
ଧିରେ ଧିରେ ଦୃଷ୍ଟି ପରିସ୍କାର ହୋଇଆସିଲା । ବୋଉ ମୁହଁକୁ ଚାହିଁଲି । ବୋଉର ସାମାନ୍ୟ ବଡ ଆଖି ଦୁଇଟି ଅଧିକ ବିଷ୍ଫାରିତ ହୋଇ ରକ୍ତବର୍ଣ୍ଣ ଧାରଣ କରି ଆସୁଥିଲା । ଆମ ଘରେ ମହିଷାସୁରମର୍ଦ୍ଦିନୀ ମା ଦୁର୍ଗାଙ୍କର ଫଟୋ ପାଖରେ ଦୈନିକ ସଂଧ୍ୟାବେଳେ ବୋଉ ସାଙ୍ଗରେ ବସି ପ୍ରାର୍ଥନା କରେ । ଫଟୋରେ ଥିବା ମା'ଙ୍କର ଚକ୍ଷୁ ଦୁଇଟି ସାଙ୍ଗରେ ବୋଉର ବର୍ତ୍ତମାନ ଦୃଶ୍ୟମାନ ଚକ୍ଷୁ ଦୁଇଟିର ଅଦ୍ଭୂତ ସାମଞ୍ଜସ୍ୟ ଦେଖୁଥିଲି । ପଛକୁ ଚାହିଁ ଦେଖିଲି ପରଶୁ ନିରବରେ ତଳକୁ ମୁହଁ ପୋତି ଛିଡ଼ା ହୋଇଥିଲା । ମହିଷାସୁର ନିଧନ ହେଲା । ଗଭୀର ଆଶ୍ୱସ୍ତିରେ ବୋଉ ଛାତିରେ ମୁହଁ ଗୁଞ୍ଜିଲି । ସବୁ କିଛି ସ୍ଵାଭାବିକ ହୋଇ ଆସୁଥିଲା ।
ପରେ ଜାଣିଲି ଦାମ ବୁଢା ( ମାଗୁରର ଜେଜେ ) ମରିଯାଇଛନ୍ତି । ମାଗୁର ତା ଜେଜେଙ୍କର ମୃତ୍ୟୁ ଖବର ଗ୍ରାମବାସୀଙ୍କୁ ଜଣାଇବାକୁ ସଭାସ୍ଥଳକୁ ଯାଇଥିଲା । ମୋ ପୁରସ୍କାର କେହି ଜଣେ ଆସି ଆମ ଘରେ ଦେଇଗଲା । ଆଗ୍ରହରେ ଖୋଲି ଦେଖିଲି, ଗୋଟିଏ ଗୀତା ବହି, ଗୋଟିଏ ନୂଆ ଖାତା ଓ ଦୁଇଟି ଝର କଲମ ମୋତେ ପୁରସ୍କାର ଦ୍ଭାବରେ ମୋତେ ମିଳିଥିଲା । କ୍ରମଶଃ