Gangadhar Nanda

Drama Romance abstract

3  

Gangadhar Nanda

Drama Romance abstract

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୨

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୨

5 mins
145


ଏକ ଅପରିଚିତା ପ୍ରେୟସୀର ଚିଠି (୨ୟ)

                       ତା-୧୧-୩-୨୦୨୦

                          କଲେଜ ହଷ୍ଟେଲ

                 ପ୍ରିୟ ମନୁ ଭାଇ ,

   ପ୍ରଣାମ ନେବ । ଏଇଟି ଦ୍ଵିତୀୟ ଚିଠି ହୋଇଥିବାରୁ ବିନା କୌଣସି ଔପଚାରିକତାରେ ଆରମ୍ଭ କରୁଛି ।

         ମିତା ମୋ କାନରେ କଣ କହିଲା ଜାଣିବା ପାଇଁ ତୁମ ମନରେ ଆଗ୍ରହ ଦେଖା ଦେବଣି । ସେ କହିଲା କି ସେ ମନୁ ଭାଇକୁ ଭଲ ପାଏ । କହିସାରି ନିର୍ଲ୍ଲଜୀଙ୍କ ଭଳି ଖେଁ ଖେଁ ହେଇ ହସିଲା । ସେତେବେଳକୁ ମୋ ମୁଣ୍ଡ ବୁଲାଇ ହୋଇ ବାନ୍ତି ଦେଖେଇଲାଣି । ଟିକିଏ ରାସ୍ତା କଡ଼କୁ ଚାଲିଯାଇ ନିରବରେ ବସି ପଡିଲି । ଇଚ୍ଛା ହେଉଥାଏ ନୋଟ ଖାତାରେ ତା ମୁହଁକୁ ଗୋଟାଏ ବାଡି ମାରନ୍ତି କି !

ମୁଣ୍ଡରେ ସାମାନ୍ୟ ପାଣି ବାଡେଇ ଢୋକେ ପାଣି ପିଇସାରି ଭଲ ଲାଗିବାରୁ ରୁମକୁ ଆସିଲି । ବାଟରେ ଖାଲି ତାକୁ ପଦଟେ ପଚାରିଥିଲି , ' ଇନ୍ଦୁ ଏକଥା ଜାଣିଛି '? ଉତ୍ତରରେ ହସର ବେଗ ଆହୁରି ବଢାଇ କହିଲା , 'ହଁ ହଁ , ସେ ସବୁ ଜାଣିଛି । ତୁ ଖାଲି ଯାହା ଜାଣି ନ ଥିଲୁ । ହା ହା ହା , ଏବେ ଜାଣିଗଲୁ ,ହି ହି ହି । ଆଲୋ ହେ ! ଟୋକାଙ୍କୁ ପଟେଇବା ମୋ ବାଁ ହାତର ଖେଳ । ମୁଁ ମିତା , ମଧୂସ୍ମିତା ନୁହଁ । ବୁଝିଲୁ ? ଏମିତି ଜାଲ ବିଛେଇଚି ଯେ , ବେଟା ୟା ପରେ ମୋ ଜାଲରେ ପଡି ଖାଲି ଛଟପଟ ହେବ , ହା ହା ହା ' ।

              ମନେ ମନେ ସିଦ୍ଧାନ୍ତ ନେଲି କି ଇନ୍ଦୁ ମୋତେ ଯାହା ଭାବୁଛି ଭାବୁ ପଛେ , ଏକଥା ତାକୁ ଯେମିତି ହେଲେ ପଚାରିବି । ଟିକିଏ ସୁବିଧା ଦେଖି ଇନ୍ଦୁକୁ ଡାକି ନେଇ ଛାତ ଉପରକୁ ଗଲି । ଟିକିଏ ରହି କହିଲି ,' ଦେଖ ଇନ୍ଦୁ ! ମୁଁ ମାନୁଛି ମୋର ଭୂଲ ହୋଇଛି । ମୋର ସେଦିନ ମନୁ ଭାଇଙ୍କୁ ସେଭଳି ବ୍ୟବହାର ଦେଖାଇବାଟା ଉଚିତ ନଥିଲା 'I

'ହୁଁ , ସେଇଠୁ ? ଆଗକୁ କହ 'I

'ଏବେ ଶୁଣୁଛି ମିତା ମନୁ ଭାଇଙ୍କୁ ଭଲ ପାଉଛି 'I

'ସେଇଠୁ କଣ ହେଲା '?

ଇନ୍ଦୁର ଏଭଳି ଜବାବରେ ମୁଁ ସାମାନ୍ୟ ଡରିଗଲି । ତଥାପି ଶେଷ ଚେଷ୍ଟା କଲି,

'ତୁ ଜାଣୁ ମିତା କିଭଳି ଟାଇପର ଝିଅ । ତା ପରେ ବି ମନୁ ଭାଇ ଭଳି ପିଲା ସାଙ୍ଗରେ . . . . .

' ଏ , ହ୍ୟାଲୋ .ସମ୍ଭାଳିକି । ଭାଇ ମୋର ,ହେଲା ? ତୋର ନୁହଁ '। ଇନ୍ଦୁର ସ୍ଵର କର୍କଶ ଶୁଭୁଥିଲା ।' ତାକୁ କିଏ ଭଲ ପାଇଲା ନ ପାଇଲା ସେକଥା ବୁଝିବାକୁ ମୁଁ ଅଛି । ତୁ ସେ ଚିନ୍ତା କରନା 'I ଇନ୍ଦୁର ଏ ଉତ୍ତର ପରେ ଠିକ କଲି ସତ କହିଦେବି ।

'ମୁଁ ମନୁ ଭାଇଙ୍କୁ ଭଲ ପାଏ ଇନ୍ଦୁ ' । କମ୍ପିତ ସ୍ୱରରେ କହିଲି ।

'କଣ ହେଲା ? ତୁ ଭଲପାଉଚୁ ?ତୋ ମୁହଁ ଦର୍ପଣରେ ଦେଖିଚୁ ? ସହର ହାୱl ବାଜିବାରୁ ଟିକିଏ ସଫା ଦେଖାଯାଉଛୁ ବୋଲି ମୋ ଭାଇକୁ ବାହା ହେଇ ପଡ଼ିବୁ ନା କଣ ? ଯା ଯା , ଆଉ କାହାକୁ ଜାଲ ପକା 'l

'ହେଲା ଏବେ ମୁଁ ନ ହେଲି ନାହିଁ । କିନ୍ତୁ ମିତା ଭଳି ଝିଅ . . . .'

'ମିତା ପାଖରେ କଣ ଖରାପଟା ଅଛି କହିଲୁ ମୁଁ ଶୁଣେ 'I ମୋ ପାଟିରୁ କଥା ଛଡାଇ ନେଇ ଇନ୍ଦୁ କହିଲା , " ସେ ବଡ ଘରର ପିଲା । ତାର ଖାନଦାନୀ ଅଛି . ତା ପାପା ଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ତାକୁ ବାହାହେଲେ ମୋ ଭାଇର ଲାଇଫ଼ ଚେଞ୍ଜ ହେଇଯିବ । କଲେଜ ଲାଇଫ୍ ରେ ଟିକେ କଣ ଦୁଷ୍ଟାମୀ କରିଦେଉଛି ବୋଲି କଣ ତା କ୍ୟାରେକ୍ଟରଟା ପୁରା ଖରାପ ? ତୁ ମୋ ଭାଇଠାରୁ ଦୁରେଇ ରହ ; ସେଥିରେ ସମସ୍ତଙ୍କର ମଙ୍ଗଳ ହେବ ' । ଏତକ କହିସାରି ଇନ୍ଦୁ ଝଡ ଭଳି ସେଠାରୁ ଉଠି ଚାଲିଆସିଲା ।

                     ଇନ୍ଦୁର ସେପରି ଉଠି ଚାଲି ଆସିବାଟା ମୋତେ ଗୋଟେ ଥାପଡ ଖାଇବା ଭଳି ଲାଗିଲା । ନିରବରେ କିଛି ସମୟ ମନଭରି କାନ୍ଦିଲି । ମୋ ଜୀବନରେ ମୋ ବାପା ମା ମୋତେ କେବେ କନ୍ଦାଇ ନଥିଲେ । ଗୋଟିଏ ବହୁକୁଟୁମ୍ବୀ ପରିବାରର ମୁଁ ବଡ ଓ ଏକମାତ୍ର ଝିଅ ଥିଲି । ମୋ ତଳେ ମୋର ଆଉ ଗୋଟିଏ ସାନ ଭାଇ ଓ ଦାଦାଙ୍କର ମୋ ଠାରୁ ସାନ ଦୁଇଟି ପୁଅ ଥିଲେ । ସାଧାରଣ ଚାଷୀ ପରିବାରରେ ଜନ୍ମ ହୋଇଥିଲେ ବି ମୋର କେବେ କିଛି ଅଭାବ ଜନିତ ଅସୁବିଧା ହୋଇନଥିଲା । ମୋର ପ୍ରତ୍ୟେକଟି ଅଳି ପୂର୍ଣ୍ଣ ହେଉଥିଲା । ବାପା ନ ହେଲେ ଦାଦା ଅଥବା ବୋଉ ନ ହେଲେ ଖୁଡି , କିଏ ନା କିଏ ମୋ ଚାହିଁବା ଜିନିଷ ମୋ ପାଇଁ ଯୋଗାଡ କରିଦେଉଥିଲେ । ଅବଶ୍ୟ ଏଥିପାଇଁ ମୁଁ ଅଧିକ ଅଭିମାନୀ ଓ ଜିଦଖୋର ହୋଇଯାଇଥିଲି । କେବେ କାହା ପାଇଁ ମୋତେ କାନ୍ଦିବାକୁ ପଡିବ , ଏ କଥା ସ୍ଵପ୍ନରେ ବି ମୁଁ ଦ୍ଭାବିନଥିଲି ।

              ଆଜି କିନ୍ତୁ ମୁଁ କାନ୍ଦିଲି ମନୁ ଭାଇ , କେବଳ ତୁମକୁ ଭଲ ପାଇଥିବାରୁ ଆଜି ମୋତେ କାନ୍ଦିବାକୁ ପଡିଲା । ଏତକ ଖବର ମୋ ପରିବାରରେ ପହଞ୍ଚିଥିଲେ ପ୍ରଳୟ ଅନିର୍ବାର୍ଯ୍ୟ ଥିଲା । ଆଗକୁ ହୁଏତ କେତେ ଲୁହ ମୋ ଆଖିରୁ ବୋହିବା ଲାଗି ଅପେକ୍ଷା କରିଛି ମୁଁ ଜାଣିନି । କିନ୍ତୁ ବିଡମ୍ବନାର କଥାଟି ହେଉଛି ମୋ ଲୁହକୁ ମୁଁ କାହାକୁ ଦେଖେଇ ପାରିବିନାହିଁ ।

                    ଏ ସମସ୍ତ ଘଟଣା ଚିଠି ଦ୍ବାରା ତୁମକୁ ଜଣାଇବାର ଉଦ୍ଦେଶ୍ୟ ମୂଖ୍ୟତଃ ଦୁଇଟି ଅଛି । ପ୍ରଥମତଃ ମିତା ସଂପର୍କରେ ତୁମକୁ ଜଣାଇବା । ସବୁ ଜାଣିକରି ଯଦି ତୁମେ ତାକୁ ଜୀବନସାଥୀ କରିବାର ନିଷ୍ପତ୍ତି ନିଅ , ତେବେ ମୋର କିଛି ଆପତ୍ତି ନାହିଁ । ମୁଁ ଟିକିଏ ଶାନ୍ତି ପାଇବି କି ପ୍ରେମିକା ଭାବରେ ନ ହେଲେ ନାହିଁ , ଜଣେ ଶୁଭେଚ୍ଛୁ ଭାବରେ ମୁଁ ମୋ କର୍ତ୍ତବ୍ୟ କରିଛି ।

            ଦ୍ଵିତୀୟ ଉଦ୍ଦେଶ୍ୟଟି ହେଲା ,ତମ ପ୍ରତି କରିଥିବା ଗୋଟିଏ ଭୂଲ ପାଇଁ ସାରା ଜୀବନ ପ୍ରାୟଶ୍ଚିତ କରିବାର ସଂକଳ୍ପ ନେବା । ତୁମକୁ ଭଲପାଉଥିବାର ସ୍କୃତିକୁ ନେଇ ଜୀବନ ସାରା ତୁମକୁ ଅପେକ୍ଷା କରିବାର ଶପଥ ବିଷୟରେ ତୁମକୁ ଜଣାଇବା । ବାସ୍ ଏତିକି । ତୁମକୁ ହୁଏତ ଜଣା ନଥିବ ମନୁ ଭାଇ , ନାରୀ ତା ଜୀବନରେ ଅନେକ ପୁରୁଷ ସଂସ୍ପର୍ଶରେ ଆସିଲେ ମଧ୍ଯ ପ୍ରେମ ଜଣକୁ କରିଥାଏ । ସେ ତା ହୃଦୟରେ ଜଣକୁ ସ୍ଥାନ ଦେଇଥାଏ । ସେ ଜାଗାଟିକୁ ସେ କାହା ସଙ୍ଗେ ସେଆର କରିପାରେନି । ପରିବେଶ ବା ପରିସ୍ଥିତିଗତ ଚାପରେ ନାରୀଟିଏ ହୁଏତ ଆଉ କାହାକୁ ବିବାହ କରି ଘର ସଂସାର କରିଥାଇପାରେ । କିନ୍ତୁ ସେ କ୍ଷେତ୍ରରେ ତା ଶରୀରଟି କେବଳ ତା ସ୍ୱାମୀର ହୋଇଥାଏ । ପରିବାର ପ୍ରତି କର୍ତ୍ତବ୍ଯ ଖାତିରରେ ସେ ହୁଏତ ମନ ପ୍ରାଣ ଦେଇ ସେବା କରିପାରେ , କର୍ମ କରିପାରେ ଅଥବା ସମସ୍ତଙ୍କର ଦୁଃଖକୁ ନିଜର କରିପାରେ । ଏହା ହିଁ ନାରୀର ମହନୀୟତା । କିନ୍ତୁ ହୃଦୟ ଭିତରେ ସେ ତା"ର ପ୍ରଥମ ପ୍ରେମଟିକୁ ,ସେ ଭଲପାଇଥିବା ମଣିଷଟିକୁ ସର୍ବଦା ସାଇତି ରଖିଥାଏ । ଯେଉଁ ପୁରୁଷ ଏକଥା ବୁଝିପାରିଛି , ସେ କଦାପି ତାକୁ ଭଲପାଇଥିବା ନାରୀଟିକୁ ଉପେକ୍ଷା କରିପାରେନି ।

              ଦିନେ ଦୁଇଦିନ ଭିତରେ କଲେଜ ଛୁଟି ହେବ । ମୁଁ ମୋ ଗାଁ'କୁ ,ମୋ ପରିବାର ମଧ୍ଯକୁ ଫେରିଯିବି । ତମ ସହ ଆଉ କେବେ ସାକ୍ଷାତ ହେବ , ଏ ଆଶା ଆଉ ମୋର ନାହିଁ । କିନ୍ତୁ ମୋତେ ଏବେ ବହୁତ ଶାନ୍ତି ଲାଗୁଛି । ତୁମକୁ ସବୁକଥା ଜଣାଇପାରିଛି ବୋଲି ଭାବିଦେଲେ ହୃଦୟ ମଧ୍ୟରେ ଏକ ଆଶ୍ୱସ୍ତି ଭାବ ଖେଳିଯାଇଛି । ତୁମକୁ କ୍ଷମା ମାଗିନପାରିବାର ଗ୍ଳାନିବୋଧରୁ ମୁକ୍ତି ମିଳିଗଲା ଭଳି ଲାଗୁଛି ।

          ମୋ ହୃଦୟରେ ତମ ବ୍ୟତୀତ ଆଉ କିଏ ତୁମ ସ୍ଥାନ ନେଇ ପାରିବନାହିଁ । ଥରେ ତୁମକୁ ଭଲପାଇ , ପରେ ଆଉଜଣକୁ ବିବାହ କରି ତା ସହିତ ଆଉ ଗୋଟିଏ ଭଲପାଇବାର ନାଟକ ମୁଁ କରିପାରିବିନି । ଏଣୁ ତୁମରି ଅପେକ୍ଷାରେ ଏ ଜୀବନଟା କଟିବ । ଏଥିରେ ମୋର ଅବଶୋଷ କିଛି ନାହିଁ । ବରଂ ଖୁସି ଲାଗୁଛି ଯେ ମୋ ହୃଦୟରେ ତମ ପାଇଁ ଥିବା ଶାଶ୍ଵତ ପ୍ରେମର ଓ ଏକ ଚିରନ୍ତନ ଭଲପାଇବାର ସାହାରାରେ ମୋତେ ବଞ୍ଚିରହିବା ଲାଗି ସୁଯୋଗ ମିଳିବ । ଏତିକିରେ ଶେଷ କରୁଛି । ଇତି ।   ତୁମର

           ଅପରିଚିତା ପ୍ରେୟସୀ

                 ମଧୂସ୍ମିତା

ଦୟାକରି ଘରେ ରୁହନ୍ତୁ  

          


Rate this content
Log in

Similar oriya story from Drama