The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangadhar Nanda

Abstract Drama Romance

2  

Gangadhar Nanda

Abstract Drama Romance

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୧

ଏକ ଅପରିଚିତା ପ୍ରେୟସୀର ଚିଠି ଭାଗ୧

5 mins
112


ଏକ ଅପରିଚିତା ପ୍ରେୟସୀର ଚିଠି (୧ମ)

                       ତା-୧୦-୩-୨୦୨୦

                        କଲେଜ ହଷ୍ଟେଲ

               ପ୍ରିୟ ମନୁ ଭାଇ

      ସାଦର ପ୍ରଣାମ । ପରିବାରରେ ଥିବା ସମସ୍ତ ଗୁରୁଜନମାନଙ୍କୁ ଭୂମିଷ୍ଠ ପ୍ରଣାମ , କନିଷ୍ଠମାନଙ୍କୁ ଶୁଭାଶୀର୍ବାଦ ଓ ସମବୟଷ୍କମାନଙ୍କୁ ଆନ୍ତରିକ ଶୁଭେଚ୍ଛା । ଜଗତର ନାଥ ପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରେ କି ତୁମେ ଓ ତୁମ ପରିବାରର ସର୍ବକୁଶଳ ଲାଗି ପ୍ରଭୂ ଶ୍ରୀ ନୀଳାଚଳ ନାଥ ସର୍ବଦା ବିଦ୍ୟମାନ ରୁହନ୍ତୁ ।

      ଏ ଚିଠିଟି ପାଇ ସାରିବା ପରେ ତୁମେ ଭାବୁଥିବ କି ଏ ମୋବାଇଲ ଯୁଗରେ ପୁରୁଣା ଯୁଗକୁ ଫେରିଯାଇ ଚିଠିଟିଏ ଲେଖିବାର ପ୍ରୟୋଜନ କେଉଁଠି ରହିଲା ; ପ୍ରୟୋଜନ ଅଛି ମନୁଭାଇ : ଅନ୍ତତଃ ମୋ ଭଳି ଗୋଟିଏ ଝିଅ ପାଖରେ ଏ ଚିଠିଟି ଲେଖିବାର ପ୍ରୟୋଜନ ଯଥେଷ୍ଟ ଅଧିକ ରହିଛି । ମୋବାଇଲ ଅପେକ୍ଷା ଚିଠିରେ ଗୋଟିଏ ବଡ ସୁବିଧା ହେଉଛି , ଚିଠିକୁ ତୁମେ ଅଧାପଢି କୌଣସି ପ୍ରତ୍ୟୁତ୍ତର ଦେବାର ସୁଯୋଗ ନାହିଁ । ଅର୍ଥାତ ମୋର ତୁମକୁ ବୁଝାଇବାକୁ ଲେଖିଥିବା ସମସ୍ତ ତଥ୍ୟକୁ ପଢିସାରିବାପରେ ହିଁ ତୁମେ କୌଣସି ନିଷ୍ପତ୍ତିରେ ପହଞ୍ଚିିପାରିବ । ମୋବାଇଲ ଭଳି ଅଳ୍ପ ଶୁଣି ଗୋଟାଏ ଅବାଞ୍ଛିତ ସିଦ୍ଧାନ୍ତ ନେଇ , ସେ ସିଦ୍ଧାନ୍ତଟିକୁ ଜୋର କରି ଅନ୍ୟ ଉପରେ ଲଦି ଦେବାର ଅବକାଶ ଚିଠିରେ ମିଳିବ ନାହିଁ ।

                  ପ୍ରଥମେ ମୁଁ ମୋର ଅନିଚ୍ଛାରେ କରିଥିବା ଭୁଲଟିଏ ପାଇଁ କ୍ଷମା ମାଗି ନେଉଛି ।ସେ ଭୁଲଟି ବୋଧହୁଏ ଆପଣଙ୍କର ମନେନଥିବ । ମୋର କିନ୍ତୁ ମନେ ଅଛି ଓ ସେଥିପାଇଁ ଆପଣଙ୍କ ସମ୍ମୁଖରେ ଠିଆହୋଇ କ୍ଷମା ମାଗିଦେବାର ସତ୍ ସାହସ କେବେ ଜୁଟାଇପାରିନାହିଁ । ଭୁଲଟି ହେଲା ପ୍ରଥମ ଦେଖାରେ ଆପଣଙ୍କୁ ଅପମାନିତ କରିବା । ୩ ଫାଷ୍ଟ ଇୟର ଆଡମିଶନ ପରେ ପରେ ହଷ୍ଟେଲରେ ଆମେ ଚାରିଜଣ ଝିଅ ସାଙ୍ଗହୋଇ ଗୋଟିଏ ରୁମରେ ରହିଲୁ । ନୂଆ ନୂଆ ମିଶୁଥିବାରୁ କେହି କାହାର ଘର ଓ ପରିବାର ବିଷୟରେ ବିଶେଷ କିଛି ଜାଣିନଥିଲୁ । ସମସ୍ତେ ଗୋଟିଏ ଷ୍ଟ୍ରିମରେ ଥିଲେ ମଧ୍ଯ ସବଜେକ୍ଟ ଅଲଗା ଥିଲା । ସେଦିନ ମୁଁ ରୁମକୁ ଆସିଲା ବେଳକୁ ଦେଖିଲି କି ମୋ ବେଡ଼ ଉପରେ ଗୋଟେ ପୁଅ ପିଲାଟେ ବସିରହି ଇନ୍ଦୁ ସଙ୍ଗେ ଗପୁଛି । ଭାବିଲି ଇନ୍ଦୁର ବୟଫ୍ରେଣ୍ଡ ହବ କି କ'ଣ । ନିଆଁଲଗା ପାପ ଚିନ୍ତାଟା ସବୁବେଳେ ଆଗ ମୋ ମନକୁ ଆସେ । ତା'ପରେ ଯେତେବେଳେ ଦେଖିଦେଲି କି ସେ ପିଲାଟା ମୋଜା ପିନ୍ଧିକି ମୋ ସଫା ସୁତୁରା ବେଡ‌ସିଟ ଉପରେ ତା ପାଦରୁ ଗୋଟେ ଥୋଇଦେଇ ବସିଛି,ମୋ ମୁଣ୍ଡକୁ ପିତ୍ତ ଉଠିଗଲା । କିଛି ନ ବୁଝି ନ ଶୁଣି ତାକୁ 'ବଦମାସ ,ଲୋଫର , ଛତରା , ବଜାରୀ ଇତ୍ୟାଦି ଯାହା ମନକୁ ଆସିଲା ଶୋଧିଦେଇଗଲି । ସାଙ୍ଗମାନଙ୍କ ଚେଷ୍ଟାରେ ଶାନ୍ତ ପଡି ସବୁ କଥା ଜାଣିଲା ବେଳକୁ ସେ ପିଲାଟା ଆଉ ସେଠାରେ ନଥିଲା ।

         ସେଦିନର ସେ ପିଲାଟି ତୁମେ ଥିଲ । ମୋତେ ବିଶ୍ୱାସକର, ତୁମେ ଇନ୍ଦୁର ବଡଭାଇ ବୋଲି ମୁଁ ସେପର୍ଯ୍ୟନ୍ତ ଜାଣିନଥିଲି । ଏହାପରେ ଇନ୍ଦୁ ମୋତେ କିଛିଦିନ ଭଲରେ କଥାବାର୍ତ୍ତା କଲାନି ।ମୁଁ କିନ୍ତୁ ତୁମକୁ ଥରୁଟେ ଦେଖା ହୋଇ ନିଜ ଭୂଲ ସ୍ଵୀକାର କରିନେବା ଲାଗି ବହୁତ ବ୍ୟଗ୍ର ଥିଲି । କିନ୍ତୁ ସୁଯୋଗ ମିଳୁନଥିଲା । ତୁମେ ପ୍ରାୟତଃ ହଷ୍ଟେଲ ଗେଟ ପାଖରୁ ଭଉଣୀ ସଙ୍ଗେ କଥା ହୋଇ ଫେରିଯାଉଥିଲ । ଯଦି ବି ଆଚାନକ କେବେ ଆମେ ଦୁହେଁ ଭେଟ ହୋଇଯାଉଥିଲେ , ସେତେବେଳେ ତୁମେ ମୁହଁ ଫେରାଇ ନେଇ ବାଟଭାଙ୍ଗି ଚାଲିଯାଉଥିଲ । ହୁଏତ କେବେ କେବେ ମୋର ବି ସାହାସ ହେଉ ନଥିଲା ।ତୁମର ମୋ ପ୍ରତି ଏ ଆଭଏଡନେସ ବ୍ଯବହାରଟା ମୋତେ ବହୁତ ବାଧୁଥିଲା ।ନିଜକୁ ବହୁତ ଲଜ୍ଜିତ ଓ ଅସହାୟ ମନେକରୁଥିଲି ।

            ଶେଷକୁ ଇନ୍ଦୁକୁ ଅନୁରୋଧ କଲି । ସେ ମୋ ସହିତ ଭଲରେ କଥାବାର୍ତ୍ତା କରୁଥିଲେ ମଧ୍ୟ ତୁମ ସହିତ ଥରୁଟେ ସାକ୍ଷାତ କରାଇଦେବାର ପ୍ରସ୍ତାବଟିକୁ ରୋକ୍ ଠୋକ୍ ମନା କରିଦେଲା । ଓଲଟି ମୋତେ ଉପଦେଶ ଦେଲା କି ଭାଇ ଠାରୁ ଦୂରରେ ରହିବା ମୋ ପାଇଁ ମଙ୍ଗଳକର ହେବ । ଜାଣିଲି , ସେଦିନର କଥା ତା ମନରୁ ଯାଇନି ।

               ଏହାପରେ ଶେଷ ଆଶା ଥିଲା ମିତା ,( ଆମର ଆଉଜଣେ ସାଙ୍ଗ ଓ ରୁମମେଟ ) ଯେ କି ଇନ୍ଦୁ ସଙ୍ଗରେ ଅଧିକ ମିଶୁଥିଲା । ମିତା ମୋତେ ଆଦୌ ଲାଇକ କରେନି ,ମୋତେ ଏ କଥା ଜଣାଥିଲା । କାରଣ ତାର ଯେ କୌଣସି ପୁଅଙ୍କ ସାଙ୍ଗରେ ହେଁ ହେଁ ଫେଁ ଫେଁ ହେବାଟା ମୋର ଆଦୌ ପସନ୍ଦ ନଥିଲା । ତେଣୁ ତାକୁ ଏ ବିଷୟରେ ଥରେ ଅଧେ କହିବାରୁ ମୋ ଉପରେ ରାଗି କି ଯେଚ୍ଛା ତା' କହିଲା । ଏପରିକି ମୁଁ ତାକୁ ସହି ପାରୁନି ଓ ତାର ପୁଅମାନଙ୍କ ଭିତରେ ଥିବା କ୍ର୍ରେଜ଼ ପାଇଁ ମୁଁ ତାକୁ ହିଁସା କରୁଛି ବୋଲି ମଧ୍ୟ ଶୁଣିବାକୁ ପଡିଲା ।

            ଏଭଳି ପରିସ୍ଥିତିରେ ତାକୁ ସାହାଯ୍ୟ ନ ମାଗି ଆଉ ଚାରା ନ ଥିଲା । ମୋର କେବଳ ଆବଶ୍ୟକ ଥିଲା ତୁମର ମୋବାଇଲ ନମ୍ବର ଅଥବା ତମେ ରହୁଥିବା ଆଡ୍ରେସ୍‌ । ତାକୁ ବହୁତ ନେହୁରା ହେବା ପରେ ସାହାଯ୍ୟ କରିବା ପାଇଁ ରାଜି ହେଲା । ମିତା କୌଶଳରେ ଇନ୍ଦୁ ଠାରୁ ତମ ଆଡ୍ରେସ ଓ ନମ୍ବର ଆଣି ମୋତେ କେବଳ ତୁମ ଠିକଣାଟିକୁ ଦେଲା । ପରେ ଶୁଣିବାକୁ ପାଇଲି ମିତା ତୁମ ସାଙ୍ଗରେ ଅଧିକ ସମୟ ଫୋନରେ କଥା ହେଉଛି । ତାକୁ ସାହାଯ୍ୟ ମାଗିଥିବାରୁ ଗୁଡ଼ାଏ ପସ୍ତେଇଲି ।

                ଏହାପରେ ତୁମ ବିଷୟରେ ଗୁଡାଏ ଖବର ମିତାଠାରୁ ଶୁଣିବାକୁ ପାଇଲି । ମିତା ତମ ସହିତ କଥା ହେବାଟା ଶୁଣିଲା ବେଳେ ମୋ ଛାତି ଭିତରେ କଣ ଗୋଟାଏ ଛୁଞ୍ଚି ଫୋଡିଲା ଭଳି ଫୋଡିହୁଏ । ତଥାପି ମଧ୍ୟ ତମ ବିଷୟରେ ସବୁକଥା ଜାଣିବାକୁ ପ୍ରବଳ ଆଗ୍ରହ ଥାଏ । ତମର ପସନ୍ଦ ଅପସନ୍ଦ , ପ୍ରିୟ ଖାଦ୍ୟପେୟ , ପ୍ରିୟ ପୋଷାକ ଠାରୁ ଆରମ୍ଭ କରି ପ୍ରିୟ ରଙ୍ଗ , ବୁଲିବାକୁ ଭଲ ପାଉଥିବା ପ୍ରିୟ ସ୍ଥାନ ପର୍ଯ୍ୟନ୍ତ , ଏସବୁକିଛି ଶୁଣିବାକୁ ତା ପାଖରେ ମୁଁ ବହୁତ ନେହୁରା ହେଇଛି ।

               ଦିନେ ସନ୍ଧ୍ୟାବେଳେ ପଢିବାକୁ ମନ ନଲାଗିବାରୁ ହଷ୍ଟେଲ ଛାତ ଉପରକୁ ଯାଇ ଏକୁଟିଆ ବସିଲି । ବାରମ୍ଵାର ତମ କଥା ମନ ଭିତରକୁ ପଶି ଆସୁଥାଏ । ଗଭୀର ଭାବରେ ଚିନ୍ତା କଲି । ଅଠରଟି ବସନ୍ତ ଅତିକ୍ରମ କରିବା ଭିତରେ କେବେ କୌଣସି ପୁଅ କଥା ଏତେ ଭାବିନି । ତେବେ ତମ କଥା ଏତେ କଣ ପାଇଁ ଭାବୁଛି ? ଗୋଟିଏ ଛୋଟିଆ ଭୁଲ ପାଇଁ ପ୍ରାୟଶ୍ଚିତ କରିବାକୁ ନା ଆଉ କିଛି ? ସେପର୍ଯ୍ୟନ୍ତ ପଢିଥିବା ସମସ୍ତ ପ୍ରେମ କାହାଣୀ ଓ ଉପନ୍ୟାସର କଥାବସ୍ତୁ ସାଙ୍ଗରେ ମୋ ନିଜ ମନର ସମସ୍ତ ଭାବନାକୁ ଯୋଡି ଦେଖିବାକୁ ଚେଷ୍ଟା କରୁଥିଲି ।ଖାଲି ସେତିକି ନୁହେଁ ; ଦେଖିଥିବା ସମସ୍ତ ହିନ୍ଦି ଓ ଓଡ଼ିଆ ସିନେମା ତଥା ଧାରାବାହିକର ପ୍ରେମ କାହାଣୀ ସାଙ୍ଗରେ ମୋ ମନକୁ ତୁଳନା କରୁଥିଲି । ପ୍ରବଳ ଭୟ ଓ ଆଶଙ୍କାରେ ଧିରେ ଧିରେ ଗୋଟାଏ ସିଦ୍ଧାନ୍ତରେ ଉପନୀତ ହେଉଥିଲି । ସିଦ୍ଧାନ୍ତ ମୋର ଯେତେ ପକ୍କା ହେଉଥିଲା , ମନ ମଧ୍ୟରେ ଏକ ଅଦୃଶ୍ୟ ଭୟ ଓ ମଧୂର ଆନନ୍ଦର ମିଶ୍ରିତ ଅନୁଭୂତିରେ ଦେହ ଶିତେଇ ଆସୁଥିଲା । ମୁଁ ପ୍ରେମରେ ପଡିଯାଇଥିଲି .. l

.                    ହଁ ମନୁ ଭାଇ ! ମୁଁ ତୁମକୁ ମୋ ଅଜାଣତରେ ଭଲପାଇ ବସିଥିଲି । ତୁମକୁ ଦେଖା କରିବାକୁ ବାରମ୍ଵାର ଚେଷ୍ଟା କରିବାର ଚେଷ୍ଟାରେ , ତୁମ କଥା ଭାବି ଭାବି ଶେଷରେ ତୁମରି ସତ୍ତାରେ କେତେବେଳେ ମୁଁ ପୁରାପୁରି ଲୀନ ହୋଇଯାଇଥିଲି, ମୋତେ ଜଣା ବି ପଡ଼ିନଥିଲା । ମୁଁ ଗୋଟେ ପୁଆକୁ ଭଲପାଉଛି , ଏକଥା ଭାବିଲା ବେଳକୁ ଲାଜ ଲାଗୁଥିଲା । ମଝିରେ ମଝିରେ କାନ ଭିତରୁ ଭୁଁ ଭୁଁ ଭଳି ବିଚିତ୍ର ଶବ୍ଦ ଶୁଭୁଥିଲା । ନିଜକୁ ସାମାନ୍ୟ ପ୍ରକୃତିସ୍ଥ କରି ଆକାଶକୁ ଚାହିଁଲି । ସବୁଦିନ ଅପେକ୍ଷା ଆଜି ମୋତେ ଆକାଶର ରଙ୍ଗ ସାମାନ୍ୟ ଭିନ୍ନ ମନେହେଲା ।

                 ସିଡ଼ିରେ ଓହ୍ଲାଇ ଧିରେ ଧିରେ ତଳକୁ ଆସିଲି । ରୁମରେ ପଶି ମୋ ବେଡ଼ ଉପରେ ଚୁପଚାପ ବସିଲି । ମନ ହାଲକା ଲାଗୁଥିଲା । କାହିଁକି କେଜାଣି , ତୁମକୁ କ୍ଷମା ମାଗିପାରିନଥିବାର ଗ୍ଳାନିବୋଧ ପୂର୍ବାପେକ୍ଷା କମ ଲାଗୁଥିଲା । ତା"ପରଦିନ ମିତା ମୋତେ କହିଲା ,' ତୋତେ ଗୋଟେ ସର୍ପ୍ରାଇଜ ଦେବି 'I

ତା ମୁହଁରୁ ଏବେ ଆଉ କୌଣସି କଥା ମୁଁ ଶୁଣିବାକୁ ଚାହୁଁନଥିଲି । ମୋତେ ତମ ଆଡ୍ରେସ ମିଳି ସାରିଥିଲା । ନିଜ ମନର ଭାବନା ଜାଣି ସାରିବା ପରେ ତା" ଠାରୁ ଆଉ କୌଣସି ଖବର ଆଶା କରୁ ନ ଥିଲି । ସେ କିନ୍ତୁ ଜିଦ କରିି ମୋତେ ଶୁଣାଇବାକୁ ଚାହୁଁଥିଲା । ତା'ର ଜିଦ ଦେଖି ମୁଁ ମନେ ମନେ ପ୍ରମାଦ ଗଣୁଥିଲି । କାରଣ ସଂସାରର ସବୁତକ କୁଟନୀତି ଓ ମିଛତକ ମିତା ପାଖରେ ଥିଲା । ଆମ ଝିଅ ପିଲାଙ୍କ ଭାଷାରେ ମିତାଟା ଥିଲା ଗୋଟେ ବଡ ପୋଚ଼ରୀ । ତିଳକୁ ତାଳ କରି ଦେଖେଇଦବ ।

                   ସେ ଯାହା ହେଉ ତା' କଥା ଶୁଣିବାକୁ ପଡିବ । ନ ଶୁଣିଲେ ତ୍ରାହି ନାହିଁ । ମୁଁ କହିଲି ,' ଦେ ହଉ କହ , କ'ଣ ସେ ସର୍ପ୍ରାଇଜ୍‌ଟା ; ମିତା ମୋ କାନ ପାଖକୁ ମୁହଁଟା ଆଣି ଯାହା କହିଲା , ଶୁଣିସାରି ମୋ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା ।

  ମନୁ ଭାଇ ! ଏ ଚିଠିଟି ଅଧିକ ଲମ୍ବା ହେଉଯାଉଥିବାରୁ ଏତିକିରେ ଶେଷ କରୁଛି । ପର ଚିଠିରେ ବାକି ସବୁ ଲେଖିବି ।ରହୁଛି । ଇତି ।

                     ତୁମର ଅପରିଚିତା

                      ମଧୂସ୍ମିତା

    ବାକି ଆର ଚିଠିରେ

ଦୟାକରି ଘରେ ରୁହନ୍ତୁ            

          


Rate this content
Log in

More oriya story from Gangadhar Nanda

Similar oriya story from Abstract