Chinmoyee Mohanty

Abstract Inspirational

3  

Chinmoyee Mohanty

Abstract Inspirational

ଏବେବି ବଞ୍ଚିଛି

ଏବେବି ବଞ୍ଚିଛି

4 mins
15K


କଲେଜ୍ ଯିବା ବାଟରେ ସବୁଦିନ ଭେଟ ହେଇଯାଏ ସେମାନଙ୍କ ସାଙ୍ଗରେ।ପେଜୁଆ ପେଜୁଆ ଆଖି ଭିତରୁ ବାରି ହେଇଯାଏ ଅସହାୟ ଦୁଇଟି ଜୀବନର ପ୍ରତିଛବି।ଵୟସର ଭାରରେ ଭାରାକ୍ରାନ୍ତ ଦୁଇଟି ପ୍ରାଣ।ତଥାପି ବଞ୍ଚିବା ପାଇଁ ପ୍ରଚେଷ୍ଟା।ସମାନ ଭାବରେ ଦୁଇଟି ଶୀରାଳ,ହାଡୁଆ ହାତ ଲମ୍ବି ଆସେ ରାସ୍ତା କଡର ଛାମୁଡିଆ ଭିତରୁ,କିଛି ପାଇବା ଆଶାରେ।ଗୋଟିଏ ନାରୀର,ଅନ୍ୟଟି ପୁରୁଷର। ଗାଡି ମଟରର ପେଁ ପାଁ ଶବ୍ଦରେ ଅସ୍ପଷ୍ଟ ହେଇଯାଏ ସେମାନଙ୍କ ଆକୁଳ ଅନୁନୟ। କଦବା କେମିତି କିଏ ଅଟକି ଯାଇ ଯାହାକିଛି ଧରେଇଦେଲେ ,ଲୋଚାକୋଚା ମୁହଁରୁ ନିଗିଡି ପଡେ ତୃପ୍ତିର କାଣିଚାଏ ହସ । କଲେଜ୍ ରେ କ୍ଲାସ ଟାଇମ୍ ଡେରି ଥିଲେ,ସେମାନଙ୍କ ପାଖରେ ଘଡିଏ ଅଟକି ଯାଏ ତମିସ୍ରା।ସାଙ୍ଗରେ ଆଣିଥିବା ଟିଫିନ ଡବା ଖୋଲି ସେମାନଙ୍କ ପାଖରେ ଥିବା ରସ କଂସାରେ ରଖିଦିଏ ଖାଇବା।ଆଉ ତା'ସାଙ୍ଗରେ ଦୁଇ ତିନି ଟଙ୍କାର କିଛି ରେଜା ପଇସା।ସାଙ୍ଗେ ସାଙ୍ଗେ ତା'ମୁଣ୍ଡ ଉପରେ ବୁଲି ଆସେ ଚମ ଟିକିଏ ଲାଗି ରହିଥିବା ହାଡୁଆ ହାତଟିଏ। ବର୍ଷିଯାଏ ଆଶୀର୍ବାଦର ମୌସୁମୀ।ଗଭୀର କୃତଜ୍ଞତାରେ ଜକେଇ ଆସେ ଆଉ ଦୁଇଟି ନୀରିହ ଆଖି। ବେଳେ ବେଳେ ସେ ଦୁଇ ଜଣଙ୍କୁ ଦେଖି ଖୁବ୍ ଭାବପ୍ରବଣ ହେଇଉଠେ ତମିସ୍ରା।କ'ଣ ସଂପର୍କ ସେମାନଙ୍କ ସାଙ୍ଗରେ ତା'ର !!ହାତ ପତେଇ ଏମିତି କେହି କିଛି ମାଗିଲେ, ଭୀଷଣ ବିରକ୍ତ ହେଇଯାଏ ସେ। କାମ ନକରି ଏମିତି ମାଗଣାରେ ରୋଜଗାର ପନ୍ଥାକୁ ଆପଣେଇ ନେଇଥିବା ଲୋକମାନଙ୍କୁ ଜମା ସହି ପାରେନି ତମିସ୍ରା। ହେଲେ ଏ ଦୁଇଜଣଙ୍କ ପାଖରେ ସେ କେମିତି ଦୁର୍ବଳ ହେଇଯାଏ। ସେ ଦୁଇ ଜଣଙ୍କୁ ଦେଖିଲେ ମନେହୁଏ,ସେମାନଙ୍କର ବି ନିଶ୍ଚୟ ଗୋଟିଏ ସୁନ୍ଦର ଅତୀତ ଥିବ। ସ୍ତ୍ରୀ ଲୋକଟି ଦିନେ ପ୍ରଜାପତିର ରଙ୍ଗୀନ ମନନେଇ ଅତୀତରେ ସେଇ ବଳିଷ୍ଠ ସୁନ୍ଦର ଯୁବକଟିର ହାତ ଧରି ବୈକୁଣ୍ଠ ସମାନ ଘରଟିଏ ଗଢିବାର ଶପଥ ନେଇଥିବ। ତାହାଲେ ଏଇ ନଡିଆ ବାହୁଙ୍ଗାରେ ଡେରା ହେଇଥିବା ଦଦରା ଛାମୁଡିଆ ତଳେ କାହିଁକି ଶୋଇ ଯାଇଛି ସେମାନଙ୍କର ସ୍ଵପ୍ନର ରାଜଉଆସ ?? କି ପ୍ରକାର ସୁନାମି କି ମହାବାତ୍ୟା ତାଙ୍କ ସ୍ଵପ୍ନର ମହଲକୁ ଏମିତି ଉଜାଡି ଦେଇଛି ?? ଅନେକ ଭାବନାର ଭଉଁରୀ ଭିତରେ ଉଠ ପଡ ହେଉଥିବା ତମିସ୍ରାକୁ ହଲେଇ ଦେଇ,ସ୍ଥିତାବସ୍ଥାକୁ ଫେରେଇ ଆଣନ୍ତି ସ୍ଵାମୀ ସ୍ଵୟମ୍।

" ଆଜି କ'ଣ ଏଇଠି କ୍ଲାସ କରିବା?"ବାଧ୍ୟ ଛାତ୍ରୀଟିଏ ଭଳି ଉଠେ ତମିସ୍ରା। ସେଦିନ ଜିଦ୍ କଲା ତମିସ୍ରା।"ପ୍ଲିଜ ସ୍ଵୟମ୍,ମତେ ଆଜି ଏଇଠି ଏମାନଙ୍କ ପାଖରେ ଛାଡିଦେଇ ଯାଅ। ତମେ ଫେରିଲା ବେଳେ ମତେ ପିକ୍ଅପ୍ କରିବ।ମୁଁ ଆଜି କ୍ଲାସ କରିବିନି। ମୋ ଛୁଟି ଆପ୍ଲିକେସନଟା ରଖ, ଦେଇ ଦବ।" ସତେ ଯେମିତି ଘରୁ ପ୍ରସ୍ତୁତ ହେଇ ଆସିଥିଲା ସେ। କ'ଣ ହେଇଛି ତମିସ୍ରାର !! ବେଳେ ବେଳେ ତା'ର ଏମିତି ଅଜବ ଖିଆଲ ସବୁ ଆସେ। ତାକୁ ବୁଝି ମଧ୍ୟ ବୁଝିପାରନ୍ତି ନି ସ୍ଵୟମ୍। ଶେଷରେ ତା'ରି କଥା ରୁହେ। ସେଇଠି ସେମାନଙ୍କ ପାଖରେ ସେ ଅଟକି ଯାଏ।ଯେମିତି ହେଲେ ଆଜି ସେ ସବୁକଥା ସେମାନଙ୍କ ପାଖରୁ ପଚାରି ବୁଝିବ। ସ୍ତ୍ରୀ ଲୋକଟିର ନା କଇଁ ।ଏବେ ବୟସର ସଂଜ ନଇଁ ଆସିଥିଲେ ବି,କଇଁ ଫୁଲର ହସ ଫୁଟିଉଠୁଥିଲା ତା'ର ଲୋଚାକୋଚା ହେଇ ଯାଇଥିବା ନିଷ୍ପାପ ମୁହଁ ଟିରେ। ତାରି ତଳେ ତମିସ୍ରା ଦେଖିପାରୁଥିଲା ,ଯୁବତୀ କଇଁର ଢଳ ଢଳ ମୁଁହଟି। ଆଉ ପୁରୁଷ ଲୋକଟି ଚନ୍ଦ୍ର।ତା' ଭିତରେ ଦେଖାଯାଉଥିଲା ବେଶ୍ ଗୋଟିଏ ସୁନ୍ଦର ସୁଠାମ ବଳିଷ୍ଠ ଯୁବକର ଅତୀତ। ଅଥଚ ଆଜି ରାସ୍ତା କଡରେ ଏମିତି ଅସହାୟ ଜୀବନ ଜୀଉଁଚନ୍ତି କଇଁ ଆଉ ଚନ୍ଦ୍ର !!

କଇଁ କହି ବସିଲା ତା' ଜୀବନ କାହାଣୀ। କୋଉ କବି କି ଲେଖକ ପାଇଁ ସୁନ୍ଦର ଉପାଦାନ ସେମାନଙ୍କ ଜୀବନର ଚିତ୍ରଲିପି। ବେଶ୍ ଥିଲାବାଲା ଘର ଚନ୍ଦ୍ରର। ରାଜରାଣୀ କରି ରଖିଥିଲା କଇଁକୁ ସେ। ତାଙ୍କ ଅଗଣାରେ ହସର ଫୁଲ ଫୁଟେଇ ଆସିଥିଲା ତାଙ୍କର କୁଳପ୍ରଦୀପ ପୁଅଟିଏ। ବାଛି ବାଛି ନା ଦେଇଥିଲେ "କୁଳଦୀପ"। ପୁଅକୁ ନେଇ କେତେ ସ୍ଵପ୍ନ ଦେଖିଥିଲେ ସେମାନେ। ଚନ୍ଦ୍ର ଭାବେ, ସିଏ ବେଶୀ ପାଠ ସିନା ପଢିପାରିଲାନି,ହେଲେ ତା କୁଳଦୀପକୁ ଖୁବ୍ ପଢେଇବ। ହାକିମ କରିବ। କୁଳଦୀପ ଯେତେ ଯେତେ ବଡ ହେଉଥିଲା, ତାକୁ ହାକିମ କରିବାର ନିଶା,ଚନ୍ଦ୍ରର ସେତିକି ମଉଳି ମଉଳି ଯାଉଥିଲା। ଚନ୍ଦ୍ର ଆଉ କଇଁଙ୍କର ବୟସର ଆୟୁଷ ଯେତିକି ବଢୁଥାଏ,ପୁଅର ଅତ୍ୟାଚାର ସେତିକି ବଢିବଢି ଚାଲିଥାଏ। ବିକି ଭାଙ୍ଗି ଖାଇ ଜମିବାଡି ବି ସରି ସରି ଆସିଲା। ପାଲିଟିଏ ପାଇଁ ଦେଖିଥିବା ସବୁ ସ୍ଵପ୍ନ ଶେଷରେ ରାହୁଗ୍ରସ୍ତ ହେଇଗଲା। ଶେଷରେ, ପୁଅଠୁ ଗଳା ଧକ୍କା ଖାଇ ଘର ଛାଡି,ଏମିତି ଏକ ଜୀବନ ଜୀଉଁଚନ୍ତି ସେମାନେ। ଛିଣ୍ଡା ଲୁଗା କାନିରେ ଆଖି ପୋଛିଲା କଇଁ। ଵାହାଘରର ଅନେକ ଦିନ ପର୍ଯ୍ୟନ୍ତ ମା' ହେଇ ନ ପାରିବାର ଅଭାବ ବୋଧ ଧିରେ ଧିରେ ଉଭେଇ ଯାଇଥିଲା ତମିସ୍ରାର। ସବୁଦିନ କଲେଜ ଯିବା ବାଟରେ ତମିସ୍ରା ସେମାନଙ୍କ ପାଖରେ ଟିକିଏ ଅଟକି ଯାଏ। ତାଙ୍କ ଆଖିରୁ ଲୁହ ପୋଛି ,ହସେଇବାକୁ ଚେଷ୍ଟା କରେ। କଲେଜ୍ ର ଟାଇମ୍ ଟେବୁଲ୍ ସାଙ୍ଗେ ଏ ବି ତା' ପାଇଁ ସବୁଦିନର ଧରାବନ୍ଧା ରୁଟିନ୍ ପାଲଟି ଯାଇଥିଲା। ସେମାନେ ଖୁସିହଉଥିଲେ,ଆଉ ତମିସ୍ରା ବି। ଦଶହରା ଛୁଟି ଭିତରେ ଆଉ ସେମାନଙ୍କ ସହିତ ଦେଖାହେଇପାରିନି। ତମିସ୍ରାକୁ ଭାରି ବ୍ୟସ୍ତ ଲାଗୁଥିଲା। ଛୁଟି ସରିଲା। କଲେଜ ଯିବାପାଇଁ ରେଡି ହବା ସାଙ୍ଗେ ସାଙ୍ଗେ, ସେମାନଙ୍କ ପାଇଁ ସଜାଡି ବସିଲା ,ମିଠା,ଚନ୍ଦ୍ର ପାଇଁ ଧୋତି,ଗାମୁଛା, କଇଁ ପାଇଁ ଶାଢ଼ୀ, ଚୁଡି,ଏମିତି କେତେ କ'ଣ। ସେମାନଙ୍କର ଦଶହରା ଭେଟି। ଛାମୁଡିଆ ପାଖରେ ଅଟକି ଯାଇ ଦେଖିଲା,ଦୁଇଟି ହାତ ବଦଳରେ ଲଂବି ଆସିଲା ଗୋଟିଏ ହାତ। ତମିସ୍ରା ବ୍ୟସ୍ତ ହେଇ ପଡିଲା। ଚନ୍ଦ୍ରର ଦେହ ଭଲ ନାହିଁ ନା କ'ଣ !! ହଠାତ୍ ଆଖି ପଡିଗଲା କଇଁର ଫୁଙ୍ଗୁଳା ହାତ ଉପରେ।ଛାତିଭିତରଟା ଥରି ଉଠିଲା ତମିସ୍ରାର। ଚନ୍ଦ୍ର ତାହେଲେ..... ହେଲେ କଇଁ ବଂଚିବ କେମିତି? ଆଣିଥିବା ପ୍ୟାକେଟ୍ ଟା ଖସି ପଡିଲା ତମିସ୍ରାର ହାତରୁ। ତା ଭିତରୁ ଚୁଡି ମୁଠାକ ଟୁକୁରା ଟୁକୁରା ହେଇ ଛିଟିକି ପଡିଥିଲା କଇଁ ମୁହଁକୁ।କଇଁ କଇଁ ହେଇ କାନ୍ଦିଉଠି ତମିସ୍ରାର ହାତକୁ ଜାବୁଡି ଧରିଥିଲା କଇଁ।" ମୋର ସବୁକିଛି ଉଜୁଡି ଗଲା ପରେ ,ଏବେବି ମୁଁ ବଞ୍ଚିଛି ମା"।ତମିସ୍ରାର ଆଖିର ଲୁହ ଗୁଡା ଟପ୍ ଟପ୍ ଝରି ପଡୁଥିଲେ କଇଁର ହାଡୁଆ ହାତ ଉପରେ।ଏଥର ନିଜକୁ ସମ୍ଭାଳିଲା ତମିସ୍ରା। ନା...କଲେଜ୍ ନୁହେଁ, ଗାଡି ବୁଲାଅ ସ୍ଵୟମ୍। କଇଁକୁ ନେଇ ଗାଡି ତାଙ୍କର ଆସିଲା ଜରା ନିବାସ। କଇଁ ପାଇଁ ପେଡ୍ ରୁମ୍ ଟିଏ ବୁକ୍ କରି ତା'ର ରହିବାର ସବୁ ବ୍ୟବସ୍ଥା କରି ଫେରିଲେ ସେମାନେ।ଆଜିଠୁ କଇଁର ସବୁ ଦାୟିତ୍ୱ ତମିସ୍ରାର। କଇଁ ଚାହିଁ ଥିଲା ଅଶ୍ରୁଭିଜା ଆଖିରେ। ହାତ ଦୁଇଟି ତା'ର ଯୋଡି ହେଇଯାଇଥିଲା ଈଶ୍ଵରଙ୍କ ଉଦ୍ଦେଶ୍ୟରେ।"ଭଗବାନ୍ ତୋର ମଙ୍ଗଳ କରନ୍ତୁ ମା"....

-ଚିନ୍ମୟୀ ମହାନ୍ତି


Rate this content
Log in

Similar oriya story from Abstract