STORYMIRROR

Chinmoyee Mohanty

Tragedy

5.0  

Chinmoyee Mohanty

Tragedy

" ସେଦିନ"

" ସେଦିନ"

2 mins
3.2K


ରାତି ବାରଟା ବାଜି ଯାଇଥିଲା। ସିନେମା ହଲ୍ ପାଖରେ ସିନେମା ଦେଖି ଫେରୁଥିବା କିଛି ଲୋକଙ୍କ ଗହଳି। ତା'ରି ଭିତରେ ଆମେ ଦୁଇଜଣ, ଆଉ କାନ୍ଧ ଉପରେ ଖୁବ୍ ଗହଳ ନିଦରେ ଶୋଇଯାଇଥିବା ମୋର ତିନି ବର୍ଷର ଝିଅ। ରାସ୍ତାରେ କାଁ ଭାଁ କେଇଟା ରିକ୍ସା। ଘରଟା ଆମର ସିନେମା ହଲଠୁ ବେଶୀ ଦୂର ନୁହେଁ।

ଚାଲି ଚାଲି ଯିବାପାଇଁ ବିଶେଷ କଷ୍ଟ ହବନି। ଇଏ ଟର୍ଚ୍ଚ ଦେଖେଇଲେ। ରାସ୍ତାରେ ବହଳ ଅନ୍ଧାର ଭିତରେ ଆମେ ଚାଲୁଥିଲୁ। ଆକାଶରେ ତାରା ଗୁଡାଏ ବିଛେଇ ହେଇ ଯାଇଥିଲେ। ହଠାତ୍ ଚମକିଲା ଭଳି ନିଦରୁ ଉଠିପଡ଼ି ଝିଅ ମୋର କହି ପକେଇଲା, "ଆକାଶ ରେ ଜହ୍ନ ନାହିଁ ତ, ସେଥିପାଇଁ, ଆଜି ଆକାଶରେ ହସ ନାହିଁ।" ହତବାକ ହେଇ ଯାଇଥିଲୁ ଆମେ ଦୁଇଜଣ। ତିନି ବର୍ଷ ବୟସରେ ଯିଏ ଭଲରେ କଥା କହି ଶିଖିନି,ତା ମୁହଁ ରେ ଏମିତି ଭାଷା ଆସିଲା କେମିତି ? ଖୁସି ହେଇଥିଲି ଯେତିକି,ଡରି ଯାଇଥିଲି ତା'ଠୁ ଅଧିକ। ଘରକୁ ଆସି ସାତଟା ଲଂକାରେ ତା ଦେହ ଝାଡିଦେଇ, ଲଂକା ଗୁଡା ନିଆଁ ରେ ପୋଡିଦେଲି।କାଳେ କୋଉ ଅଶରୀରିର ନଜର ତା ଉପରେ ପଡିଯାଇଥିବ !! ସାରା ରାତି ନ ଶୋଇ ହନୁମାନ ଚାଳିଶା ପଢିଲି। ସିନେମା ଟା କ'ଣ ଥିଲା,ଆଜି ସମୟ ସୁଅରେ ନାଁ ଟା ଭୁଲିଯାଇଛି। ହେଲେ ସେ ସିନେମା ର ଗୀତ ଗୁଡାକ ଅନେକ ଦିନଯାଏ ଖୁବ୍ ଗୁଣୁଗୁଣଉ ଥିଲି ମୁଁ। ୟା ଭିତରେ ନଈରେ କେତେ ପାଣି ବହିଗଲାଣି। ଝିଅ ମୋର ବେଶ୍ ବଡ ହେଇଯାଇଛି। ହେଲେ ତା ମୁହଁରୁ ଆଉ କେବେ ବି କବିତା ଟିଏ ଶୁଣିନି।

ଖୁବ୍ ଲାଗିପଡି ମୁଁ କମ୍ପ୍ୟୁଟର ଶିଖିଯାଇଛି। ସଂସାର ର ଜଂଜାଳ ଭିତରେ ଅନେକ ଦାୟିତ୍ୱ ର ଭାର ବହନ କରି ଅତିଷ୍ଠ ହେଇପଡୁଥିବା ଝିଅ ମୋର,କେତେବେଳେ କେମିତି ମେଲ୍ କରି ଆମ କଥା ପଚାରି ବୁଝେ।ଚିଠି ଲେଖିବାକୁ ତା'ର ବେଳ ବା କାଇଁ..?

ଆଖିର ପାୱାର ଗ୍ଲାସ ତଳେ ତା ମେଲ୍ ବକ୍ସ ଭିତରେ ମୁଁ ଖୋଜେ ତା'ର ଦୁଧ ଅଳତା ଭଳି କଅଁଳ ମୁହଁ ଟି,ଆଉ ତା'ର ମିଠା ମିଠା ଅଝଟ...ଆଉ ସେଦିନ ସେ କହିଥିବା କେଇ ଧାଡି କଥା...କଥା ନୁହେଁ ତ, ସତେ ଯେମିତି ଅଧାଲେଖା କବିତା।

।।ଚିନ୍ମୟୀ ମହାନ୍ତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy