ବୋଉ
ବୋଉ
ଆକାଶରେ ଦ୍ୱିତୀୟା ଜହ୍ନ ହସୁଥିଲା। ଏଇ ଦ୍ୱିତୀୟା ଜହ୍ନକୁ ଦେଖି ଯାହା ମନାସିଲେ,ତା' କୁଆଡେ ମିଳେ। ହେଲେ ଏଇ ଜହ୍ନଟା ସେଦିନ ମୋ ବୋଉକୁ ମୋ ପାଖରୁ ଛଡେଇ ନେଇଥିଲା। ମୁଣ୍ଡ ଉପରୁ ମୋର ଛାତଟିଏ ଖସିଗଲା ଭଳି ଲାଗିଥିଲା ମତେ। ମୁକୁଳା ଆକାଶ ତଳଜ ଛିଡା ହେଇଥିବାର ଅସହାୟତା ଯେମିତି ମୋର ସମଗ୍ର ସତ୍ତାକୁ ଜାବୁଡି ଧରିଥିଲା। ବର୍ଷାରେ ଭିଜୁଥିଲେ ବି ଆଉ କେହି ଦଉଡି ଆସି ଭିଡି ନେଇ ,ପଣତ କାନିରେ ଦେହ ମୁଣ୍ଡ ପୋଛି ଦବନି। ଖରା ତାତିରେ ଅବଶ ହେଇ ପଡିଥିବା ବେଳେ, କଷି ଆମ୍ବନସି ଭାଙ୍ଗି ମଜପଖାଳ ,ଆଳୁଚଟଣି ଆଉ ବଡିଚୁରା(ଏ ସବୁ ମୋର ଭାରି ପ୍ରିୟ) ଖୁଆଇ ଦେଇ ପିଠି ସାଉଁଳେଇ ଦବନି। ଶୀତରେ ଥୁରୁ ଥୁରୁ ଥରିଲା ବେଳେ,କାହାର ଉଷୁମ୍ କୋଳରେ ବିଲେଇ ଛୁଆଟି ଭଳି ଜାକିଜୁକି ହେଇ ଗହଳ ନିଦରେ ଶୋଇଯାଇ ହବନି।
ସୁବର୍ଣ୍ଣ ଦୀପ୍ତିରେ ଝଟକୁ ଥିବା ଚଳଚଂଚଳ ମଣିଷଟା କେତୋଟି ମୁହୁର୍ତ୍ତରେ ଜଡତାର ଇସ୍ତାହାର ପାଲଟିଗଲା। ମୋ ବୋଉର ଆବର୍ତ୍ତମାନର ଖବର ରେଡିଓ କି ଟେଲିଭିଜନରେ ପ୍ରଚାରିତ ହେଇନଥିଲା, କିମ୍ବା କୌଣସି ସଂବାଦପତ୍ରର ପୃଷ୍ଠା ମଣ୍ଡନ କରିନଥିଲା। କିନ୍ତୁ ଆମ ଘରକୁ ଛୁଟୁଥିବା ଲୋକଙ୍କ ସୁଅ ଭିତରେ ପୃଷ୍ଠା ପରେ ପୃଷ୍ଠା ଶୋକ ଗୀତିକା ଆପଣା ଛାଏଁ ଲେଖି ହେଇଯାଇଥିଲା ମୋ ମନ ତଳେ।
ମୁଁ ଜାଣିନି, ବୋଉ ମୋର ଆକାଶର ତାରାଟିଏ ହେଇ ଏବେବି ତା'ର ସ୍ନେହ ସୋହାଗର ଆଲୋକରେ ଆମକୁ ସବୁ କଲ୍ୟାଣ କରୁଛି କି କୋଉ ଗଛ ଡାଳରେ ସୁନ୍ଦର ପକ୍ଷୀଟିଏ ହେଇ ତା' ରକ୍ତର ପ୍ରତିମା ମାନଙ୍କ ପାଇଁ ନାନାବାୟା ଗୀତ ଗାଇ ଚାଲିଛି... ବୋଉ ଦିନେ ତା'ର କୋଳପୋଛା ଗେହ୍ଳା ପୁଅ ମିଟୁକୁ କହୁଥିଲା-"ମୁଁ ତମ ମାନଙ୍କୁ ଛାଡି କୁଆଡେ ଯିବିନି।ମରିଗଲା ପରେ ବି ତୁ ଦେଖିବୁ--ତୋ ଝରକା ପାଖ ଆମ୍ବ ଗଛରେ, ସୁନ୍ଦର ପକ୍ଷୀଟିଏ ହେଇ ତମ ମାନଙ୍କ ପାଇଁ ମୁଁ ବସି ଗୀତ ଗାଉଥିବି।"
ଦିନେ ହଠାତ୍ ସୁନ୍ଦର ପକ୍ଷୀଟିଏ କୋଉଠୁ ଉଡି ଆସି, ବାଲକୋନିରେ ପଡିଥିବା ଇଜି ଚେୟାର ଉପରେ ବସି ପଡିଲା। ମୁହଁଟିକୁ ତା'ର ଆଖିପୁରେଇ ଦେଖିବା ଆଗରୁ ଫୁରକିନା ଉଡିଗଲା। ତା' ରଂଗୀନ ଡେଣାରୁ ଝାଡିଦେଇ ଯାଇଥିବା ରଂଗରେ କିଛି ସମୟ ପାଇଁ ରଂଗୀନ କରି ଦେଇଦେଇଥିଲା ଆମ ମନକୁ। ବୋଉ ତାହେଲେ ଆସିଥିଲା !!କଥା ଦେଇ ଯିଏ କଥା ରଖେ,ସେଇତ ବୋଉ । ତା' ପରଠୁ ରାତ୍ରିର ନିଶବ୍ଦ ପ୍ରହରରେ କେତେଥର କାନ ପାତିଛି ସେଇ ପକ୍ଷୀର ସ୍ୱରରେ ଥରେ ହଜିଯିବା ପାଇଁ। ନୀରବରେ ଛପି ଛପି ପତ୍ର ଗହଳରେ ଆଖି ପହଁରେଇ ଆଣିଛି ସୁନ୍ଦର ପକ୍ଷୀଟିକୁ ମନପୁରେଇ ଦେଖିବି ବୋଲି....ହେଲେ ମୋ ଅନ୍ୱେଷାର ଶେଷ ନାହିଁ।ମୁଁ ତାକୁ ଏବେବି ଖୋଜି ଚାଲିଛି।ଏ ମାଟି, ଏ ଆକାଶ, ଏ ପାଣି, ଏ ପବନ ସବୁଠି।।ହସ୍ତୀନାରୁ ଶ୍ରାବସ୍ତି ଯାଏ।
ବେଶୀ ପାଠ ପଢିନଥିଲା ମୋ ବୋଉ।ପାଠ କଥା ପଚାରିଲେ କୁହେ, ' ଫାଷ୍ଟବୁକ୍ ଇଜି' ର 'ହର୍ଷ ଲେଷନ୍' ଯାଏ ପଢିଚି ମୁଁ।
'ଦ ସ୍କାୟ'
'ଏହି ଆକାଶ'
ତା' ପରେ ହସରେ ଫାଟିପଡେ। ଇନ୍ଦ୍ରଧନୁର ରଂଗ ସବୁ ବିଞ୍ଚି ହେଇଯାଏ ସତେ ଯେମିତି।ତା'ର କିନ୍ତୁ ସ୍ୱପ୍ନ ଥିଲା, ଆମେ ସବୁ ପାଠ ପଢି କେମିତି ବଡ ମଣିଷ ହଉ। ସବୁବେଳେ କହୁଥିଲା ---
"ପଢିଲେ ଗୁଣିଲେ ଦୁଧ ଭାତ
ନ ପଢିଲେ ଠେଙ୍ଗା ହାତ।
ପାଠ ପଢା ବଡ ଦୁଃଖ
ହାତ ଗୋଡ ଦୁଇ ଲାଗଇ ନାହିଁ
ପଶ୍ଚାନ୍ତେ ବଡ ସୁଖ।"
ତା' ହାତରେ ଆମକୁ ଦୁଧ ଭାତ ତ ଖୁଆଇ ଦଉଥିଲା,ହେଲେ ହାତରେ ଠେଙ୍ଗା ଧରିବାର କେବେବି ଦେଖିନୁ।
ଯୋଉ ବୋଉ ତା'ର ସବୁ ସୁଖକୁ ଅଜାଡି ଦେଉଥିଲା ଆମରି ପାଇଁ, ତାକୁ ହଜେଇ ଦେବାର ଦୁଃଖକୁ ଆମେ ଭୁଲିଗଲୁ ମାତ୍ର ଏଗାରଟି ଦିନରେ!! ସବୁ ଦୁଃଖକୁ ମଶାଣି ପଡିଆ ଆଉ ଆମ ଗାଁ ମୁଣ୍ଡର ତିନି ଛକି ରେ ଉଜେଇଁ ଦେଇ ଆମେ କୁଆଡେ ସାଉଁଟି ଆଣିଲୁ ସୁଖ।ମାଛ ଭାତ ଖାଇ ଆତ୍ମାର ଅମର ତତ୍ତ୍ୱ କୁ ଆପଣେଇ ନେଲୁ.......
"ବସାଂସି ଜୀର୍ଣାନି ଯଥା ବିହାୟ
ନବାନି ଗୁହ୍ନାତି ନରୋ ପରାଣି
ତଥା ଶରୀରାଣି ବିହାୟ ଜୀର୍ଣା
ନ୍ୟନନ୍ତି ସଂଜାତି ନବାନି ଦେହି।"
ମୋ ବୋଉ ପାଇଁ ମୋ ଭିତରେ ଅମାପ ଶୂନ୍ୟତା। ବୋଉର ଆତ୍ମା କୋଉ ରୂପରେ ରୂପାନ୍ତରିତ ହେଇଛି,କି ପରମାତ୍ମାରେ ଲୀନ ହେଇଯାଇଛି ଏ ଗୂଢ ତତ୍ତ୍ୱକୁ ସହଜରେ ମାନି ନେଇ ପାରୁନି ମୋର ଏଇ ଅବୁଝା ମନଟା। ମୋ ବୋଉର ରୂପା ଦେହରେ ସବୁବେଳେ ଲାଖି ରହିଥିଲା ହସର କବିତା। ସେଇ କବିତାର ଶବ୍ଦ ମାନେ ଥିଲେ,ତା' ହାତଗଢା ସଂସାରର ମଣିଷ ମାନେ ସବୁ। ସମସ୍ତଙ୍କ ଓଠରେ ହସର ଲାଲ୍ ଗୋଲାପ ଫୁଟେଇବା ପାଇଁ, ବୁଲ୍ ବୁଲ୍ ପକ୍ଷୀଟି ଭଳି ତା' ହୃଦୟର ରକ୍ତ ଝରେଇ ଚାଲିଥିଲା ସିଏ। ଅବଶୋଷ ନ ଥିଲା,ନ ଥିଲା ବି କ୍ଳାନ୍ତି।'ବୋଉ' ଏଇ କେତୋଟି ଅକ୍ଷର ଭିତରେ ପୁରି ରହିଥିଲା, ବ୍ରହ୍ମାଣ୍ଡ ଯାକର ସୁଖ...ଆଂଜୁଳା ଆଂଜୁଳା ସ୍ନେହ.... ଆଉ ଅସରନ୍ତି ଆଶ୍ୱାସନା।।
ଏ ପୃଥିବୀରୁ ହଜେଇ ଦେଇଥିଲେ ବି ସ୍ମୃତିର ପାଟ କନାରେ ଗୁଡେଇ ଗାଡେଇ ମୋ ବୋଉକୁ ମୁଁ ସାଇତି ରଖିଚି ଅତି ଯତ୍ନରେ, ମୋ ମନର ଏକ ସୁରକ୍ଷିତ ସ୍ଥାନରେ। ପ୍ରତାରଣାର ଏଇ ଦୁନିଆ। ଯୋଉଠି ଆଖି ଲୁହରେ ମାଟି ଭିଜେ ସିନା, ହେଲେ ମଣିଷର ମନ ଭିଜେନା, ସେଠି କେବଳ ମନେପଡେ ବୋଉ। ଯିଏ କେବଳ ଦେବାରେ ଆନନ୍ଦ ପାଉଥିଲା। ଆଉ ନେବାପାଇଁ କେବେବି କିଛି ଆଶା କରୁ ନଥିଲା।ହସି ହସି ଅନ୍ୟର ଖିଆଲରେ ବଞ୍ଚୁଥିବା ମଣିଷଟିଏ ଥିଲା ସିଏ। ଦରକାର ହେଲେ, ସମସ୍ତଙ୍କ ପାଇଁ ନିଜକୁ ନିଃଶେଷ କରିଦେବା ପାଇଁ ନିଜକୁ ଯେମିତି ସେ ପ୍ରସ୍ତୁତ କରି ରଖିଥିଲା।
ଛାତି ତଳର ରୁଦ୍ଧ ଆବେଗ ସବୁକୁ ,ଇଚ୍ଛା ହୁଏ ବୋଉ ପାଖରେ ଅଜାଡି ଦିଅନ୍ତି କି!! ଲୁହ ସବୁ ଶ୍ରାବଣର ଧାରା ହେଇ ବରଷି ଯାଆନ୍ତା। ମୋ ବୋଉର ସ୍ନେହରେ ଉବୁଟୁବୁ ହେଉ ହେଉ ,ମେଘ ଚାଲିଯାଆନ୍ତା ମେଘର ବାଟରେ। ମୋ ମନର ନଈପଠାରେ ଖିଲି ଖିଲି ହେଇ ହସି ଉଠନ୍ତା କାଶତଣ୍ଡୀ ଫୁଲ। ନିର୍ମଳ ଆକାଶର ତୋଫା ଜହ୍ନକୁ ଦେଖି କେତେବେଳେ ବୋଉ ପାଖରେ ଜହ୍ନ ପାଇଁ ଅଳି କରନ୍ତି ତ, କେତେବେଳେ ଫୁଲ ବଉଳବେଣୀ ଗୀତ ଗାଇ ଗାଇ ପାଲଟି ଯାଆନ୍ତି ଆନମନା କିଶୋରୀ ଟିଏ।ଫେରି ଆସନ୍ତା ହଜିଲା ମୁହୂର୍ତ୍ତ ସବୁ।ଯୋର୍ କରି ଗଳାଫଟେଇ କହିବାକୁ ଇଚ୍ଛା ହୁଏ----ମୁଁ ଅସହାୟ ନୁହେଁ। ଏବେବି କେହି ଜଣେ ମୋର ନିହାତି ଆପଣାର ଅଛି। ସିଏ କେବଳ ବୋଉ....ମୋ ବୋଉ !!