The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Banabihari Mishra

Inspirational

4.3  

Banabihari Mishra

Inspirational

ଏବେ ବି ଭଗିଆ ବଞ୍ଚିଛି

ଏବେ ବି ଭଗିଆ ବଞ୍ଚିଛି

7 mins
23.7K


ସେଇଟା ଗୋଟେ ଅରଣା ମଇଁଷି, ନିହାତି ଜଙ୍ଗଲୀ ପଶୁ ଭଳିଆ ତା'ର ବ୍ୟବହାର। ଯାହା ବୁଝିଥିବ ତ ସେଇଆ। ସେଥିରୁ ତାକୁ କେହି ହଲେଇ ପାରିବେନି। ସାଧାରଣ କାଣ୍ଡ ଜ୍ଞାନ ତା'ର ଆଦୌ ନାହିଁ କହିଲେ ଚଳେ। ଅଠର ଓଲା ଯୋଉଦିନ ମରିଥିଲେ, ସେଇଦିନ ବୋଧେ ସିଏ ଜନ୍ମ ହେଇଥିଲା। 

ଏମିତି ଥିଲା ଭଗିଆର ଚରିତ୍ର। ତଥାପି ଗାଁଟା ଯାକରେ ଭଗିଆର ଖୋଜାଲୋଡା। ଆଜି କାହାର ଭୋଜିଭାତ ବାହା ପୁନିଅଁ ହେଉଛି ତ ସେଇଠି ସବୁ ରକମ ଟେକାରଖା କାମ ପାଇଁ ଭଗିଆର। କାହାର ଗଛ ହଣାହେବ ତ ରସି ଟାଣିବାକୁ ଭଗିଆକୁ ଡାକ। ଯୋଉଠି ବାହା ଖଟିବା କାମ, ସେଇଠି ଭଗିଆର ଲୋଡା। ହେଲେ ମୁଣ୍ଡ ଖଟେଇବା କଥା କହିଲେ ତ କଥା ସରିଲା।

କିଛି କଥା କିନ୍ତୁ ଯଦି ତା'ର ମନକୁ ନ ପାଏ ତେବେ ମୁହେଁ ମୁହେଁ ନବାବ ପୁଅକୁ ଜବାବ ଦେଇଦେବ। ଏଇ ଯେମିତି ସେଦିନ ସନା ମା ବୁଢୀ କହିଲା, "ହଇରେ ଭଗିଆ, ଆସିଲୁ, ଏ ଧାନ ବସ୍ତାଟା ଟିକେ ଆଟୁ ଉପରକୁ ଟେକିଦେଲୁ।" ସେତିକିବେଳକୁ ଭଗିଆର ମନେପଡିଗଲା କୋଉଦିନ ଗୋଟେ ସନା ମା' ବୁଢୀ ତାକୁ ତା' ବାଡିର ପିଜୁଳି ଦେଇନଥିଲା। ଅବଶ୍ୟ ତା' ପରଦିନ ସନା ମା' ବାଡିର ଅନେକ ଗୁଡିଏ ଗଛ ଓପଡା ହେଇ ଫିଙ୍ଗା ଫୋପଡା ହେଇ ଯାଇଥିଲା। ତଥାପି ଏବେ ଧାନବସ୍ତା ଟେକିବାକୁ କହିଲା ବେଳକୁ ତା'ର ଯେ ସେଦିନର କଥା ମନେ ପଡିଯିବ, ସେକଥା ସନା ମା' ବା ଜାଣିବ କେମିତି? ଭଗିଆ ଧାନବସ୍ତାଟା ପିଠିରେ ପକେଇ ଶିଡିରେ ଉଠିଗଲା ସିନା, ସେଇ ଆଟୁ ଉପରୁ ସିଧାସଳଖ ବସ୍ତାଟା ଛାଡିଦେଲା ଯେ ତଳେ ପଡି ବସ୍ତାଟା ଫାଟିଗଲା। ସବୁ ଧାନ ବୁଣିହେଇ ସନା ମାଆର କାମ ବଢେଇଦେଲା। 

ଏଇମିତି ଭଗିଆ ବାଦ ସାଧିବାରେ ଏକରକମ ସିଦ୍ଧହସ୍ତ। କିନ୍ତୁ ଠିକଣା ବେଳକୁ ଖାଲି ତା'ର ମନେପଡିବାର ଅଛି। କିନ୍ତୁ ଏ ସମସ୍ତ ସତ୍ତ୍ୱେ ଟିକେ ସ୍ନେହ ଆଦର ପାଇଲେ ଭଗିଆ ଜୀବନ ଦେବାକୁ ବି ପଛାଏ ନାହିଁ। ନିହାତି ସ୍ନେହ କାଙ୍ଗାଳିଆଟା। ସ୍ନେହରେ ଗରଳ ଦେଲେ ବି ଅମୃତକୁ ଆଡେଇ ଦେଇ ଗରଳକୁ ଢକଢକ କରି ପିଇଯିବ। ଏଇ ଯେମିତି ବାଲ୍ୟବିଧବା ମାଧବୀ ନାନୀର ପଖାଳଭାତ ବାଇଗଣପୋଡା ପାଖରେ ଧନିଆନ୍ନାର ମାଉଁସ ଝୋଳ ତା ପାଇଁ କିଛି ନୁହଁ। କାହିଁକି ନା ମାଧବୀ ନାନୀ କୌଣସି ପ୍ରତ୍ୟାଶା ନ ରଖି ସ୍ନେହରେ ଦିଏ। କିନ୍ତୁ ଧନିଆନ୍ନା ଖାଇବାକୁ ଦେଲା ପୂର୍ବରୁ ତିନିଟା କାମ କରେଇ ନେଇଥିବ। ଆଉ ତା ଉପରେ ଦେଲାବେଳେ ମୁହଁଟାକୁ ଖଟା ଖାଇଲାପରି କରି କଥା କହୁଥିବ ଯାହା ଭଗିଆକୁ ଆଦୌ ପସନ୍ଦ ନୁହେଁ। ଶାରୀରିକ ଗଠନ ଦେଖିଲେ ଭଗିଆ ସହ ସମାନ ହେବାପାଇଁ ଏ ଗାଁ ତ ଛାଡ଼ ଆଖପାଖ ପାଞ୍ଚଖଣ୍ଡ ଗାଁରେ ବି କେହି ନାହିଁ। ବାଇଶି କି ତେଇଶି ବର୍ଷର ଭେଣ୍ଡିଆ, ବଳିଲା ବଳିଲା ବାହା, କବାଟ ପରି ଚଉଡା ଛାତି, ମୁହଁରେ ଅଧାଗଜୁରା ନିଶ, ଓରାରେ ମୁଣ୍ଡ ବାଜିଲା ଭଳି ଡେଙ୍ଗା, ଦେଖିଲେ ଶତ୍ରୁ ଶଙ୍କିଯିବ। 

ଭଗିଆ ଯାହା ପାଇଁ ଯେମିତି ହେଇଥାଉ ପଛେ, ମାଧବୀ ନାନୀର ସିଏ ସୁନାପୁଅ। ସେଇ ଗୋଟିଏ ଲୋକର ସ୍ନେହରେ ଭଗିଆ ଭଳି ଅରଣା ମଇଁଷିଟା ବଶ ହେଇଯାଏ। ଭଗିଆକୁ ଯେତେବେଳେ ମାତ୍ର ଦଶବର୍ଷ, ସେତେବେଳେ ଆଗପଛ ହେଇ ବାପା ମାଆ ଦି'ଜଣଯାକ ସେପାରିକୁ ଚାଲିଗଲେ। ଛୋଟିଆ ଛୁଆ ଭଗିଆଟାର କେହି କୁଆଡ଼େ ସାହା ଭରସା ନାହିଁ। ସାରା ଗାଁଟା ଯେତେବେଳେ ପର କରିଦେଇଥିଲା, ସେତିକିବେଳେ ଏଇ ମାଧବୀ ନାନୀ ଅନାଥ ଭଗିଆକୁ ଆପଣେଇ ନେଇଥିଲା। ଶ୍ରୀ ଅକ୍ଷର ବିବର୍ଜିତ ହେଲେ ବି ମାଧବୀ ନାନୀ ପାଠର ମହତ୍ତ୍ଵ ବୁଝିଥିଲା। ସେଇଥିପାଇଁ ଏ ଭଗିଆକୁ ଗାଁ ସ୍କୁଲକୁ ମଧ୍ୟ ପଠେଇଥିଲା। କିନ୍ତୁ ବିଧିର ବିଧାନ ତ ଆଉ କିଛି ଥିଲା। ଏ ପାଠପଢ଼ାରେ ଭଗିଆର ଆଦୌ ମନ ଲାଗେନା। ବହି ବସ୍ତାନି ଧରି ସ୍କୁଲକୁ ସିନା ଯାଏ, ବାଟରେ ଅମରି ବୁଦାରେ ଛପି ବସେ। ମାଷ୍ଟ୍ରେ ଅଭିଯୋଗ କରନ୍ତି ଭଗିଆ ସ୍କୁଲକୁ ଯାଉନି। ପୁଣି ମାଧବୀ ନାନୀ ଭଗିଆକୁ ବୁଝାଏ। ତା'ପରେ ଭଗିଆ ଦିନେ କି ଦି'ଦିନ ସ୍କୁଲକୁ ଯାଏ। ପୁଣି କାହାର ସିଲଟ ଭାଙ୍ଗେ, କାହାକୁ ମାରେ ନହେଲେ କାହାକୁ ଧରି କଚାଡି ଦିଏ। ଏଥିରେ ଭଗିଆ ରେକର୍ଡ କରିଥାଏ। ଶେଷରେ ମାଷ୍ଟ୍ରେ ଭଗିଆକୁ ବାଡାନ୍ତି। ଏଇଟା ଚିରାଚରିତ ଚକ୍ର ଭଳି ଚାଲେ। ହଁ, ଯୋଉଦିନ ମାଷ୍ଟ୍ରେ ଭଗିଆକୁ ବାଡାନ୍ତି, ସେଦିନ ତାଙ୍କ ସାଇକେଲରେ ପମ୍ପ ରହେନି ନହେଲେ ଚେୟାରରେ କମଳା କି ବେଲକଣ୍ଟା ଏମିତି ଖଞ୍ଜରେ ଖଞ୍ଜି ଦିଆଯାଏ ଯେ ତା'ର ଫଳ ମାଷ୍ଟ୍ରଙ୍କ ପିଚା ଉପରେ ପଡେ। ଅବସ୍ଥା ବଡ ଦୟନୀୟ ହେଇଯାଏ। ଶେଷରେ ଭଗିଆକୁ ହିଁ ପାଠପଢାରେ ଡୋରି ବାନ୍ଧି ସ୍କୁଲ ଛାଡିବାକୁ ପଡିଲା। ଭଗିଆ ରହିଗଲା ସେଇ ଅଶିକ୍ଷିତ ଅରଣା ମଇଁଷିଟିଏ ହେଇ।

 ଆଜି ଏଡୁଟିଏ ହେଲାଣି ଭଗିଆ ନଚେତ୍ ଦେହରେ ହାତୀଟାକର ବଳ। ତଥାପି ସେଇ ହରି ମାଷ୍ଟରଙ୍କ ଧଡଧଡିଆ ସାଇକେଲର କେଁ କଟର ଶବ୍ଦ ଶୁଣିଲେ ଭଗିଆର ଉଦ୍ଦଣ୍ଡତା ରଫ୍ଫୁଚକ୍କର ହେଇଯାଏ। ଜୋକ ମୁହଁରେ ଲୁଣ ଦେଲାପରି ଭଗିଆ ଶାନ୍ତ ପଡ଼ିଯାଏ। ଦୁର୍ବଳ ଚେହେରାର ସେଇ ହରି ମାଷ୍ଟ୍ରଙ୍କ ସାମନାକୁ ଆସିବାକୁ ଭଗିଆ ସହଜରେ ମଙ୍ଗେନି। ହରି ମାଷ୍ଟ୍ରଙ୍କ ଚେହେରା ତ ଏମିତି ଯେ ଭଗିଆ ଫୁଙ୍କିଦେଲେ ଦଶହାତ ଦୂରରେ ପଡିବେ। ବାହା ଛାଟିଦେଲେ ସାହା ଉଡିଯିବ। ଗୋଲେଇ ଚଷମାରେ ହରି ମାଷ୍ଟ୍ରେ ଦଶ ପନ୍ଦରହାତ ଦୂରରୁ ଲୋକ ଚିହ୍ନିପାରନ୍ତିନି। ତଥାପି କାହାକୁ ଡରୁନଥିବା ଭଗିଆଟା ହରି ମାଷ୍ଟ୍ରଙ୍କୁ କାହିଁକି ଏତେ ଡରେ କେଜାଣି? ହୁଏତ ପିଲାଦିନେ ପାଠ ପଢେଇଥିବା ହେତୁ। ଆଉ ମାଧବୀ ନାନୀ କେତେ କରି ଶିଖେଇଚି, ଗୁରୁ କୁଆଡେ ବ୍ରହ୍ମା, ଗୁରୁ କାଳେ ବିଷ୍ଣୁ। ଆଉ ଗୁରୁ ବାପାମାଆଙ୍କଠୁ ବି ବଡ। ଟିକିଏ ବଡ ହେଲାପରେ ଭଗିଆ ଅବଶ୍ୟ ପାଠ ଛାଡି ଦେଇଥିଲା। ତଥାପି ମାଧବୀ ନାନୀ କହିଥିବା କଥାଗୁଡାକ ତାକୁ ଡରାଏ, ପାପପୁଣ୍ୟର ଭୟ ତା ମୁଣ୍ଡରେ ଘର କରିଥାଏ। ସେଇ କାଳ୍ପନିକ ନର୍କକୁଣ୍ଡରେ ତାକୁ ତତଲା ତେଲ କଡେଇରେ ପକେଇ ଯମଦୂତମାନେ କଲବଲ କରି ଲୁହାମୁନାରେ ଖେଞ୍ଚୁଥିବାର ଦୃଶ୍ୟକୁ କଳ୍ପନା କରି କରି ତା ଦେହ ଶିହରି ଉଠେ ଭୟରେ। ପୋକ ସାଲୁବାଲୁ ନର୍କକୁଣ୍ଡର ଘୃଣା ତାକୁ ଗୁରୁଙ୍କୁ ସମ୍ମାନ କରିବାକୁ ବାଧ୍ୟ କରେ। ଦେହରେ ଯେତେ ବଳ ଥିଲେ ବି ଏଇ କଥାଗୁଡାକ ତାକୁ ଦୁର୍ବଳ କରିଦିଏ ସେଇଥିପାଇଁ ଭଗିଆ ହରି ମାଷ୍ଟ୍ରଙ୍କୁ ଭାରି ଡରେ, ଭକ୍ତି କରେ ଆଉ ମାନେ ମଧ୍ୟ।

ହରି ମାଷ୍ଟ୍ରଙ୍କ ବୟସ ସତୁରୀ ଛୁଇଁଲାଣି। ବଡ ସ୍ଵାଧୀନଚେତା ମଣିଷ। କୌଣସି ଦିନ କାହା ଉପରେ ନିର୍ଭର କରିବା ପାଇଁ ସେ ପସନ୍ଦ କରନ୍ତିନି। ଏମିତିକା ମଣିଷଗୁଡା ତାଙ୍କ ଭାଷାରେ କାଳେ ନିର୍ମୂଳି ଲତା। ଏଇ ବୟସରେ ବି ହରି ମାଷ୍ଟ୍ରେ କର୍ମଠ। ସାଇକେଲ ଚଲେଇ କୋଶେ ଦୂର ଯାଇ ପୂଜାପାଠ କରନ୍ତି। ବ୍ରାହ୍ମଣ ଜାତି କି ନା , ସେଇ କୌଳିକ ବୃତ୍ତିକୁ ଶିକ୍ଷକତାରୁ ଅବସର ନେଲାପରେ ଆଦରି ନେଇଥାନ୍ତି। ସେଇଥିରେ ତାଙ୍କର ଗୁଜୁରାଣ ମେଣ୍ଟିଯାଏ। ଏକୁଟିଆ ଲୋକ , ତା ଉପରେ ନିଜର ଆବଶ୍ୟକତାକୁ ମଧ୍ୟ ଅନେକ ସଂକୁଚିତ କରିଦେଇଥାଆନ୍ତି। ହରିମାଷ୍ଟ୍ରଙ୍କ ନୀତିରେ ମଣିଷ ପାଇଁ ସୁଖ ଆଉ ଦୁଃଖ କେବଳ ମାନସିକ ଅବସ୍ଥା ମାତ୍ର । ମଣିଷର ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ ତା'ର ମାନସିକ ଶାନ୍ତି ବା ଅବସାଦ। ଠିକ ଯେମିତି ଅଧାଗ୍ଲାସ ପାଣିକୁ କିଛି ଦେଖନ୍ତି ଅଧା ପାଣି ଥିବା ଗ୍ଲାସ ଭାବରେ, ଆଉ ଥୋକେ ଦେଖନ୍ତି ଅଧା ଖାଲି ହୋଇଯାଇଥିବା ଗ୍ଲାସ ରୂପରେ। ଏଇ ପୂର୍ଣ୍ଣତା, ଅଧା ହେଉ ପଛେ ମଣିଷକୁ ଶାନ୍ତି ଦେଇଥାଏ। ଅପରପକ୍ଷରେ ଅଧା ଖାଲି ବୋଲି ଭାବି ବସିଲେ ଖାଲି ଦୁଃଖ ମିଳିବାଟା ସାର ହୁଏ। 

ସୂର୍ଯ୍ୟ ଉଇଁଲେ ଲୋକେ ଜାଣନ୍ତି ସକାଳ ହେଲା। ଠିକ ସେମିତି ହରିମାଷ୍ଟ୍ରଙ୍କ ଘଣ୍ଟି ନ ଥିବା ଧଡଧଡିଆ ସାଇକେଲର କେଁ କଟର ଶବ୍ଦ ଶୁଣି ଗାଁ ଲୋକେ ଜାଣିଯାଆନ୍ତି ଯେ ଗାଧୁଆ ବେଳ ହୋଇଗଲା। ପିଲାଏ ଜାଣନ୍ତି ସ୍କୁଲ ଯିବା ବେଳ ହୋଇଗଲା। ସବୁ ଗତାନୁଗତିକ ଧାରାରେ ଚାଲିଥାଏ। 

କିନ୍ତୁ ହଠାତ ଦିନେ ସେଇ ଧାରାରେ ପୂର୍ଣ୍ଣଛେଦ ପଡିଗଲା। ହରିମାଷ୍ଟ୍ରଙ୍କ ଧଡଧଡିଆ ସାଇକେଲର ଖଡଖଡ ଶବ୍ଦ ଆଉ ଗାଁ ଦାଣ୍ଡରେ ଶୁଭିଲାନି। ଗାଁର ଗୋଟେ ମୁଣ୍ଡରେ ଥିବା ହରିମାଷ୍ଟ୍ରଙ୍କ ଚାଳଛପର ଘରର କବାଟ ଖୋଲିଲାନି। ଦି'ପହର ହେଲା। ଲୋକେ ଟୁପୁରୁଟାପୁରୁ ହେଲେଣି, ବୁଢାଟା ଆଉ ଜୀବନରେ ନାହିଁ ବୋଧେ। କିଏ କହୁଥିଲା କାଲି ଉପରବେଳା ବୁଢାଟାକୁ ସାଇକେଲରେ ଫେରୁଥିବାର ଦେଖିଛି ବୋଲି। ଆଉ କିଏ କହୁଥିଲା ସଞ୍ଜରେ ବୁଢା ଖାଇବା ବାସନ ମାଜୁଥିବାର ଖଡଖଡ ଶବ୍ଦ ଶୁଣିଛି। କିନ୍ତୁ ସକାଳୁ କବାଟ ଖୋଲିବାର କେହି ଦେଖିନି କି ସାଇକେଲ ଗଡିବାର ଶବ୍ଦ ଶୁଣିନି। ବେଳ ରତରତ ହେଲାରୁ ଭଗିଆ ଆଉ ସମ୍ଭାଳି ପାରିଲାନି। ଦି'ଚାରି ଜଣ ଟୋକାଙ୍କୁ ଧରି ହରିମାଷ୍ଟ୍ରଙ୍କ ଘର କବାଟ ଭାଙ୍ଗି ଭିତରେ ପଶିଲା ଓଃ! କି ବୀଭତ୍ସ ଦୃଶ୍ୟ। ଖଟ ଉପରେ ପଡି ମୁଣ୍ଡଟା ପଛପଟୁ ଫାଟିଯାଇଥାଏ। ରକ୍ତର ଧାର ଲମ୍ବିଯାଇଥାଏ ବେଶ୍ କିଛି ଦୂର ପର୍ଯ୍ୟନ୍ତ। ଘରର ମାଟିଗୋବର ଲିପା ଚଟାଣ ସତେ ଯେମିତି ଶୋଷିଲା ଥିଲା ଏଇ ବୁଢା ହରିମାଷ୍ଟ୍ରଙ୍କ ରକ୍ତ ଟୋପାକ ପାଇଁ। ଅଳ୍ପ ଦୂରରେ ରକ୍ତର ଜଳୀୟ ଅଂଶ ଗୁଡାକ ମାଟି ଶୋଷିନେଇଥିଲା। ଖାଲି ଜମାଟ ବାନ୍ଧିଥିବା ଲାଲ ଥେଲା ଥେଲା କିଛି ମାଟି ଉପରେ ପଡିଥିଲା ଯାହାକୁ ପିମ୍ପୁଡି ଘେରିଯାଇଥିଲେ । ଅସ୍ତବ୍ୟସ୍ତ ଧୋତି ଖଣ୍ଡକ ରକ୍ତରେ ଲାଲ ହୋଇଯାଇଛି। ହରିମାଷ୍ଟ୍ରେ ଚିତ୍ ହୋଇ ସତେ ଯେମିତି ଶୋଇଯାଇଛନ୍ତି। ଦାନ୍ତ ନ ଥିବା ମାଢିରେ ଜିଭଟାକୁ ଖୁବ୍ ଜୋରରେ କାମୁଡି ଦେଇଛନ୍ତି। ପ୍ରାଣ ଛାଡିବା ସମୟରେ ନିଶ୍ଚିତ ଭାବେ ଭୟଙ୍କର ଯନ୍ତ୍ରଣା ହେଉଥିଲା। ଭଗିଆ ଭିତରକୁ ପଶିବା ଦେଖି ଆଉ ଲୋକମାନେ ମଧ୍ୟ ସାହସ କରି ଘର ଭିତରକୁ ପଶି ଦେଖିଲେ ମାଷ୍ଟ୍ରଙ୍କ ମୁହଁରେ ବି ପିମ୍ପୁଡି ଲାଗିଯାଇଛନ୍ତି। ଗାଁର କିଛି ମୁରବୀସ୍ଥାନୀୟ ଲୋକଙ୍କ କଥା ଅନୁସାରେ ପୋଲିସକୁ ଖବର ଦିଆଗଲା। ସେତେବେଳକୁ ଶବଟା କାଠ ହୋଇଗଲାଣି। ଶବ ବ୍ୟବଚ୍ଛେଦ ପରେ ସନ୍ଧ୍ୟାବେଳକୁ ଭଗିଆ ହରିମାଷ୍ଟ୍ରଙ୍କ ଶବ ଆଣି ଗାଁକୁ ଆସିଲା। ସେତେବେଳକୁ ଗାଁରେ ଏକରକମ ହଇଚଇ ହୋଇଯାଇଥାଏ। ଆର ସାହିର ମୁକୁନ୍ଦ ନନ୍ଦ ଆପଣେ ପୋଥି ଖୋଲି ବସିଯାଇଥାଆନ୍ତି। ହରିମାଷ୍ଟ୍ରଙ୍କର ବାସିମଡା, ଛୁଇଁବା ମହାପାପ । ପୁଣି କୋଉ ଜନ୍ମରେ କି ପାତକ କରିଥିଲା କେଜାଣି ମଲାବେଳକୁ ବୁଢାର ମୁହଁରେ ପାଣିଟୋପେ ଦବାକୁ କେହି ନାହିଁ। ନିପାଣିଆ ହେଇ ବୁଢାଟା ମରିଛି। ତା ଆତ୍ମା ଶାନ୍ତି ପାଇବ କି? ପୁଣି ମୁହଁରେ ପିମ୍ପୁଡି ଲାଗିଯାଇଥିଲେ। ପୋକ ଲାଗିବା ସହ ସମାନ। ମହାପାତକ। ମୁକୁନ୍ଦ ନନ୍ଦଙ୍କ କଥାକୁ ଖିଅ ଧରି ପହଲି ମିଶ୍ରେ ଆଉ ପାଦେ ଆଗକୁ ବଢିଯାଇଥିଲେ। ଶବ ସତ୍କାର କରିବାକୁ କେହି ଯିବେନି ବୋଲି ଘୋଷଣା ନୁହେଁ ତ ଏକରକମ ଫତୁଆ ଜାରି କରିଦେଇଥିଲା। ପକ୍କା ଟାଉଟରଟା। ପୁଣି କହୁଥିଲା ଭଗିଆ ହରିମାଷ୍ଟ୍ରଙ୍କ ଶବ ଛୁଇଁଛି, ତାକୁ ବି ପ୍ରାୟଶ୍ଚିତ କରିବାକୁ ପଡିବ। ବ୍ରାହ୍ମଣ ଭୋଜି ଦେବାକୁ ପଡିବ। ଭଗିଆ ଧର୍ମର ଏସବୁ ଗୁଢ଼ତତ୍ତ୍ଵ ବୁଝିପାରେନି। ତା' ମୋଟା ବୁଦ୍ଧିରେ ସିଏ ଯାହା ବୁଝେ ସେତକ ହେଲା ଏତେବଡ଼ ଗାଁଟାରେ ସମସ୍ତେ ଭାଇବନ୍ଧୁ ହୋଇ ଚଳୁଛନ୍ତି। ସେଥିରେ ପୁଣି ହରି ମାଷ୍ଟ୍ରେ ଏ ଗାଆଁ ର କେତେ ପିଲାଙ୍କୁ ମଣିଷ କରିଛନ୍ତି। ତାଙ୍କର ଶବ ପଡି ରହିବ ଗାଁରେ? ଆଉ ଗାଁ ଲକେ ଖିଆପିଆ କରିବେ କି ନା। ଏଇଟା କଣ ମଣିଷପଣିଆ? ତଥାପି ଧର୍ମର ବଡପଣ୍ଡା ସାଜିଥିବା ମୁକୁନ୍ଦ ନନ୍ଦଙ୍କ ଧର୍ମର ବିଶ୍ଳେଷଣ ତା ମୁଣ୍ଡରେ ପଶେନି ।ମାନିବାକୁ ସେ ପ୍ରସ୍ତୁତ ନୁହେଁ। ଯିଏ ଯାହା କହୁ ହରିମାଷ୍ଟ୍ରଙ୍କୁ ସିଏ ଭକ୍ତିକରେ, ଭଲପାଏ, ଭୟକରେ ଆଉ ମାନେ ବି। ସିଏ ମଲାପରେ ତାଙ୍କ ଶବ ଏଇମିତି ପଡିରହିବ? 

ଭଗିଆ ଆଗକୁ ବଢିଲା। ସେଇ ମୁକୁନ୍ଦ ନନ୍ଦଙ୍କୁ ପ୍ରଶ୍ନ କଲା ,"କ'ଣ ଦଦେଇ ଗାଁରେ ଶବ ପଡିଥିବ, ତୁମେ ଠାକୁର ପୂଜା କରିପାରିବ ତ? ଖିଆପିଆ କରିପାରିବ ତ? ମଡାଟା ପଚି ଗନ୍ଧେଇଲେ ତୁମେ ରହିପାରିବ ତ?" ଭଗିଆର ଏ ସରଳ ପ୍ରଶ୍ନର ଉତ୍ତର ମୁକୁନ୍ଦ ନନ୍ଦଙ୍କ ପୋଥିରେ ନ ଥିଲା। ମୁହଁ ବୁଲେଇ ଚାଲିଗଲେ ସେ। ଆହୁରି ଏମିତି କେତେଜଣଙ୍କୁ ଭଗିଆ ଡାକିଲା ଶବସତ୍କାର ପାଇଁ ଯିବାକୁ। କେହି ଆଗେଇଲେନି। ଏକେ ତ ପଇତା ମାରା ହୋଇଯିବ, ଲୁଗାପଟା ଧୋବାଘରେ ଦେବାକୁ ପଡିବ। ତା ଉପରେ ମୁକୁନ୍ଦ ନନ୍ଦଙ୍କ ଭୟ। କିଏ ଯାଏ ଏତେ ଝମେଲାକୁ? ମୁକୁନ୍ଦ ନନ୍ଦ ଏ ଗାଁର ମୁରବୀ ଭଳିଆ ଲୋକ। ପୁରା ଗାଁ ଲୋକ ତାଙ୍କ ପଛରେ ଠିଆହେବେ। ସେତେବେଳେ ଗାଁ ଘଇତାକୁ ମା ଘଇତା ପାରିବ ତ? ସମସ୍ତଙ୍କ ପାଦ ପଛକୁ ଫେରେ। ହେଲେ ଭଗିଆ ନଛୋଡବନ୍ଧା। ଆଗକୁ ବଢିଲା ପାଦ ତା'ର ଫେରେନା। କାନ୍ଧରେ ଉଠେଇଲା ହରିମାଷ୍ଟ୍ରଙ୍କ ମଲା ଦେହଟାକୁ। ଲୁଗାରେ ଗୁଡାଗୁଡି ହୋଇଥିବା ମଲାଦେହଟା ଭଗିଆ କାନ୍ଧରେ ଛୋଟଛୁଆଟେ ଭଳି ଦେଖାଯାଉଥିଲା। 

ମଶାଣିରେ ନିଜେ କାଠ ହାଣି ଜୁଇ ସଜାଡି ମଡାଟାକୁ ଶୁଆଇଦେଲା। ଆଖିରୁ ଦି'ଟୋପା ଲୁହ ଗଡେଇ ମଡାଟାରେ ନିଆଁ ଲଗେଇଦେଇ ଗୋଟେମୁହାଁ ହେଇ ଫେରିଆସିଲା। ଅପେକ୍ଷା କରିପାରିଲାନି ଚଡ଼ଚଡ଼ ଫଡ଼ଫଡ଼ ହେଇ ଫୁରୁକୁଟିଆ ଗନ୍ଧ ସହ ଜଳିଯାଉଥିବା ହରିମାଷ୍ଟ୍ରଙ୍କ ନଶ୍ଵର ଦେହଟା ପୁରା ପୋଡିଲା କି ନା ଦେଖିବାକୁ। 

ହରିମାଷ୍ଟ୍ରଙ୍କ ଶବ ସତ୍କାର କରି ଭଗିଆକୁ ବେଶ୍ ଗୋଟେ ଆତ୍ମିକ ଶାନ୍ତି ମିଳିଥିଲା। କିନ୍ତୁ ଗାଁରେ ତା ପାଇଁ ଅପେକ୍ଷା କରିଥିଲା ଗୋଟେ ଝଡ ଯାହା ମୁକୁନ୍ଦ ନନ୍ଦଙ୍କ ବହିରୁ ବାହାରି ପହଲି ମିଶ୍ରଙ୍କ ଦ୍ଵାରା ପରିବ୍ୟାପ୍ତ ହୋଇ ସାରା ଗାଁଟାକୁ କବଳିତ କରିଦେଇଥିଲା।

ସେଇଦିନଠୁଁ ଭଗିଆ ତା ନିଜ ଗାଁରେ ହେଇଗଲା ଅପାଙ୍କ୍ତେୟ, ବାସନ୍ଦ। ହରିମାଷ୍ଟ୍ରଙ୍କ ସେଇ ଏକଣା ଚାଳଘର ଏବେ ପାଲଟିଯାଇଛି ଭଗିଆର ଠିକଣା। ତାକୁ ଗାଁ ଭିତରକୁ ପଶିବା ମନା। ତଥାପି ମାଧବୀ ନାନୀ ତାକୁ ଛାଡିପାରିନି। ଗାଁ ଲୋକଙ୍କ ଡରରେ ତାକୁ ଘରେ ପୁରାଏନି ସିନା ନିଇତି ଦୁଇବେଳା ତା ଘର ଆଗରେ ପଦୁଁଅ ପତରରେ ଥୋଇଦେଇ ଆସେ ଗଣ୍ଡେ ଭାତ ଆଉ ଯାହାକିଛି ତରକାରୀ, ଅନ୍ତତଃ ମନରେ ଏତିକି ସାନ୍ତନ୍ଵା, "ଭଗିଆଟା ବଞ୍ଚିଛି ତ"।


Rate this content
Log in

More oriya story from Banabihari Mishra

Similar oriya story from Inspirational