KRUTIBAS NAYAK

Tragedy Classics Inspirational

4.3  

KRUTIBAS NAYAK

Tragedy Classics Inspirational

ଦୁଇପଟ ରୂପାଚୁଡ଼ି

ଦୁଇପଟ ରୂପାଚୁଡ଼ି

9 mins
324



ପେଟର ଦାଉ ସମ୍ଭାଳି ନ ପାରି ସୁକୁଟିବୋଉ ଘରୁ ପୁଣି ଗୋଡ଼ କାଢିଲା । ଆଜି ସେ କାହା ଦୁଆରକୁ ଯିବ, କ'ଣ କହି ଖାଇବାକୁ ମୁଠେ ମାଗିବ ? ସେକଥା ଆଗରୁ କିଛି ସ୍ଥିରକରି ନ ଥିଲା । ଯଦି ଆଜି ତାକୁ କିଛି ଖାଇବାକୁ ନ ମିଳେ, ସେ କରିବ କ'ଣ ? ଅତ୍ୟଧିକ ଭୋକରେ ତା' ମୁଣ୍ଡଟା ବୁଲେଇ ଦେବାରୁ ସେ ଗୁହାଳ କାନ୍ଥକୁ ଡେରିହେଇ ରହିଲା । ତା'ପରେ ଘର କବାଟକୁ ଆଉଜେଇ ଆଣି ପୁଣି କିଛି ସମୟ ଠିଆହେଇ କେତେକ'ଣ ଭାବିଲା । ଗତକାଲିର ଘଟଣାଟା ତା' ଆଖି ଆଗରେ ସିନେମା ଭଳି ନାଚି ଉଠିଲା । କେତେ କାକୁତି ମିନତିହେଇ ସେ ପ୍ରଧାନଘର ଅପାକୁ କହୁଥିଲା -"ଅପା ! ପହରଦିନ ପଖାଳ ମୁଠାଏ ଖାଇଥିଲି, କାଲିଠାରୁ ମୋ ପେଟକୁ ଦାନାଟିଏ ବି ଯାଇନାହିଁ । ମୁହଁ ମହତ ହରେଇକି ତମ ଦୁଆରକୁ ଆସି ହାତ ପତେଇଛି, ଯାହା ମୁଠାଏ ଅଛି ଦିଅ । ଭୋକରେ ମୋର ପେଟ ଭିତରେ ମୂଷା ଦୌଡୁଛି । ଆଉ ସମ୍ଭାଳି ପାରୁନାହିଁ ଅପା ! ମନା କରିବ ନାହିଁ । ପେଜମୁନ୍ଦେ ଥିଲେ ବି ଚଳିଯିବ । ଘରେ କିଛି କାମଥିଲେ, କୁହ ମୁଁ କରିଦେବି" ।


ପ୍ରଧାନଘର ଅପା ତା' ମୁହଁକୁ ଚାହିଁ ରହିଥିଲେ । ସେ ଘର ଭିତରକୁ ଯାଇ ଆଞ୍ଜୁଳାଏ ମୁଢି ଆଣି ସୁକୁଟି ବୋଉ କାନିରେ ଢ଼ାଳିଦେଇ ମୁହଁ ଛିଞ୍ଚାଡ଼ି କହିଲେ- "ତୋର ଯାହା ଅବସ୍ଥା, ସେଥିରେ ତୁ ପୁଣି ମୋର କି କାମ କରିବୁ ? ଆଜି ଏତିକି ନେଇକି ଯା'- । ଆଜିଠାରୁ ତୁ ଏ'ଦୁଆରକୁ କେବେ ଆସିବୁ ନାହିଁ । ତତେ କ'ଣ ଜଣାନାହିଁ, ମୋ ଘରର ଅବସ୍ଥା ? ଆମଘରେ ଆଉ କ'ଣ ଅଛି ? କଂସା-ବାସନ, ଗହଣା-ପତ୍ର ସବୁ ଧୀରେ ଧୀରେ ବିକ୍ରି ହେଇଗଲା । ଚଗଲାର ବାପା ବେମାର ପଡ଼ିଥିବା ବେଳେ ତ ସବୁ ଜମିବାଡ଼ି ବନ୍ଧକ ପଡ଼ିଯାଇଛି । ତିନିଟା ପିଲାଙ୍କ ତୁଣ୍ଡରେ ମୁଠାଏ ଦାନା ଦେବାକୁ ମୋର ବଳନାହିଁ । ଘର ଓଳି ଲିପାପୋଛା କି ଗାଈଗୋରୁ କାମ ତ ଆଉ କେହି କରାଉ ନାହାନ୍ତି । କାହା ପାଖରେ ଆଉ କ'ଣ ଅଛି ଯେ ତତେ ଦେଇଦେବେ । ଥରକୁ ଥର ଆସି ମତେ ଆଉ ହଇରାଣ କରନା ।" ଏତିକି କହି ସେ ଦାଣ୍ଡ କବାଟଟାକୁ ଧଡ଼କରି ବନ୍ଦ କରିଦେଇ ଚାଲିଗଲେ ।

   ସୁକୁଟିବୋଉକୁ ଲାଗିଲା କବାଟଟା ଚଉକାଠରେ ପିଟି ହେଇଗଲା ନାହିଁ ଯେ, ତା' ପିଠିରେ ଜୋରରେ ପିଟି ହେଇଗଲା । ତଥାପି ସେ କଷ୍ଟ ତାକୁ ବାଧିଲା ନାହିଁ କାରଣ ପେଟର କଷ୍ଟଟା ପିଠି କଷ୍ଟଠାରୁ ଢେର ଅଧିକ ଥିଲା । ମୁଢ଼ିକୁ କାନିରେ ଗଣ୍ଠି ପକେଇ ସେ ସିଧା ଘରକୁ ଫେରିଗଲା । ବେଶ, ସେଇ ଆଞ୍ଜୁଳାଏ ମୁଢ଼ିକୁ ସେ କାଲିଠାରୁ ଖାଇ ପେଟେ ପାଣି ପିଇ ରହିଥିଲା । ଆଜି ପୁଣି ଭୋକ ।

   ତା'ର ମନେପଡ଼ି ଯାଉଥିଲା-"ଏଇ ପ୍ରଧାନଘର ଅପା କେଡ଼େ ଥିଲାବାଲା ଘରଝିଅ ଥିଲେ । ପ୍ରଧାନଘରକୁ ବୋହୂହେଇ ଆସି ତାଙ୍କ ଘରର ସୁଖ ସୌଭାଗ୍ୟକୁ ବଢ଼ାଇଦେଇ ପାରିଥିଲେ । ସେ ଅତୀତରେ ସେ ସୁକୁଟି ବାପାକୁ କେତେ କ'ଣ ଦେଇଛନ୍ତି । ଉଡ଼ିଗଲା ଚଢେଇର ପେଟକଥାକୁ ସେ ଜାଣିପାରନ୍ତି ବୋଲି ଲୋକେ କୁହାକୁହି ହୁଅନ୍ତି । ଅଭାବ କି ଦୁଃଖ କ'ଣ ସେ ଜାଣି ନ ଥିଲେ । ପ୍ରଧାନବୁଢା ଚାଲିଗଲା ପରେ ତାଙ୍କର ଅବସ୍ଥା ପୁଣି ଏମିତି ହେଇଯିବ, ସେକଥା କିଏ ଜାଣିଥିଲା ? ଭୋକ ପାଖରେ ତ ରାଗ ଅଭିମାନ ଦୁଃଖ-କଷ୍ଟ ସବୁ ହାର ମାନିଥାଏ ।" ସୁକୁଟିବୋଉ ସେତିକିବେଳେ ଏକଥାକୁ ହାଡ଼େହାଡ଼େ ଅନୁଭବ କରିଥିଲା । 

ଏମିତି ଭାବୁଭାବୁ ସେ କେତେବେଳେ ଚାଲିଆସି ପ୍ରଧାନଘର ଅପା ଦୁଆରେ ପହଞ୍ଚି ଗଲାଣି, ସେକଥା ନିଜେ ବି ସେ ଜାଣିପାରି ନ ଥିଲା । ଦେହଟା ତା'ର ଥରି ଉଠିଲା । ମୁଣ୍ଡଟା ପୁଣି ବୁଲେଇ ଦେଲା, ପ୍ରଧାନଘର ଅପାଙ୍କ କବାଟରେ ହାତ ମାରିବାକୁ ତାକୁ ଡର ଲାଗୁଥିଲା । ଠିଆହେବାକୁ ବଳ ପାଇଲା ନାହିଁ । ସେ ଲଥକରି ତଳେ ଗଡ଼ି ପଡ଼ିଲା । ପ୍ରଧାନଘର ଅପାର ପୁଅ ଚଗଲା ତାକୁ ଦେଖିଦେଇ ଘରେ ଖବର ଦେଇଦେଲା ।


ସୁକୁଟିବୋଉ କିଛିଭାବି ପାରୁ ନ ଥିଲା, ଏବେ କ'ଣ ହେବ ? ଅପା ନିଶ୍ଚୟ ରାଗିକରି ତାକୁ କଟୁଭାଷାରେ ଗାଳିଦେଇ ଦାଣ୍ଡ ଦୁଆରୁ ଚାଲିଯିବାକୁ କହିବେ । ମୁଁ ତାଙ୍କୁ ଆଜି ପୁଣି କ'ଣ କହି ଖାଇବାକୁ ମାଗିବି ? ନା' କିଛି ମାଗିବି ନାହିଁ । କେବଳ କହିବି-"ଅପା ! ମୋତେ ଟିକେ ବିଷ ଦେଇପାରିବ ? ଏ' ପେଟର ଭୋକଦାଉକୁ ମୁଁ ଆଉ ସମ୍ଭାଳି ପାରୁନାହିଁ ।"

ଅପାଙ୍କର ଆସିବା ବିଳମ୍ବ ହେଉଥାଏ, ସୁକୁଟିବାପା କେମିତି ବାସ୍ତରି ମସିହା ବାତ୍ୟାଦିନ କାନ୍ଥତଳେ ରହିଯାଇ ମରିଯାଇଥିଲା । ସୁକୁଟି ପାଇଁ ସେ ନିଜେ ଟିକେ ଔଷଧ ଦେଇପାରି ନ ଥିଲା । ଜରରେ ପଡ଼ିପଡ଼ି ସୁକୁଟି ବି ମରିଗଲା । ଭଗବାନ ଏଇ ଦୁଃଖୀଟାକୁ କାହିଁକି ବଞ୍ଚେଇ ରଖିଛନ୍ତି-ଏତେ କଷ୍ଟ ସହିବାକୁ ? ଆଜି ବୈତରଣୀ ନଈ ବଢିଛି । ସେଇ ନଈରେ ବୁଡ଼ିଗଲେ ତ ସବୁକଷ୍ଟ ଏକାଥରେ ଚାଲିଯାଆନ୍ତା ।

ଏମିତି ଭାବୁଭାବୁ ସେ ମୁଣ୍ଡ ଉଠେଇ ଦେଖିଲା, ଅପା ଆସି ତା' ଆଗରେ ଠିଆ ହେଇଛନ୍ତି । ହାତରେ ଗୋଟାଏ ଗିନା ଧରିଛନ୍ତି । ତାଙ୍କୁ ଦେଖି ସୁକୁଟିବୋଉର ପାଟିରୁ କଥା ବାହାରିଲା ନାହିଁ ।

ଅପା ପଚାରିଲେ କିଲୋ- "ସୁକୁଟିବୋଉ ! ଏଠି କାହିଁକି ବସିଛୁ ? ଆଜି ଆମଘରେ ତ ଚାଉଳ ନ ଥିଲା । ଖୁଦମାଣେ ଫୁଟେଇ ପେଜକରି ସେଥିରେ ଆମ୍ବୁଲ ଦି'ଫଡା ପକେଇ ପେଜ ଆଉଟା କରିଥିଲି । ପିଲାମାନେ ସେଥିରୁ ଗିନାଏ ଲେଖା ପିଇଛନ୍ତି । ସେଇଥିରୁ ଗିନାଏ ଆଣିଛି ନେ, ଧର ଆଗ ପିଇ ଦେ' ।

      ସୁକୁଟିବୋଉ ଆଗପଛ ବିଚାର ନକରି, ଅପାଙ୍କ ହାତରୁ ଗିନାଟାକୁ ଏକପ୍ରକାର ଛଡ଼େଇ ନେଇ ଢକଢକ କରି ପିଇଦେଲା । ଓଠକୁ ଚାଟିଚୁଟି ପକେଇ କହିଲା -"ଅପା ମୋ ଜୀବନଟା ରହିଗଲା । ମୋତେ ଦେଖିଲେ-ଲୋକେ ତ ଦୂରଦୂର କରି ଗୋଡ଼େଇ ଆସୁଛନ୍ତି । କାମ କରିବାକୁ କହିଲେ, ସମସ୍ତେ ମନା କରୁଛନ୍ତି । କାହାର ବା କ'ଣ ଅଛି ଯେ, ମୋତେ ଖାଇବାକୁ ଦେବ ? ବନ୍ୟା, ବାତ୍ୟା ସାଙ୍ଗକୁ ମରୁଡ଼ି ତ ସମସ୍ତଙ୍କୁ କାଙ୍ଗାଳ କରିଦେଇଛି । ମୋତେ ଏ' ଜୀବନଟା ଭାରିପିତା ଲାଗିଲାଣି । ଏମିତି କେତେ ହାତ ପାତିପାତି ବୁଲିବି ? ଖାଇବା ବିନା ଦେହରୁ ବଳ ଚାଲିଗଲାଣି । 

   ମୁଠାଏ ଖାଇଲେ ସିନା କିଛିକାମ ପାଇଟି କରି ପାରନ୍ତି । ଘରେ ତ କିଛି ବୋଲି କିଛି ଜିନିଷ ନାହିଁ । ବନ୍ଧା ପକେଇ କେଉଁଠୁ ସେରେ ଦି' ସେରେ ଖୁଦ କିଣି ଫୁଟେଇ ଖାଆନ୍ତି । ମୋତେ କେହି ଆଉ ଖାଲି ହାତରେ ଧାର କି କରଜ ଦେଉନାହାନ୍ତି । ତମେ ହିଁ ମୋର ଏକା ସାହା ଭରସା ଥିଲ । ଏବେ ତମର ଅବସ୍ଥା ଯାହା, ସେଥିରେ ଆଉ କ'ଣ ମାଗିବି ? ମହନୀବୁଢା଼ କହୁଛି-"କିଛି ଗୋଟାଏ ଜିନିଷ ବନ୍ଧା ରଖିଲେ, ଦଶ-ପନ୍ଦର ଟଙ୍କା କରଜ ଦେବ ।"

   -'ଅପା ! ତମଘରେ ଯଦି କିଛି ଜିନିଷ ଅଛି, ମୋତେ ଦିଅ । ମୁଁ ତାକୁ ବନ୍ଧା ପକେଇ ମହନୀ ବୁଢ଼ାଠୁ କିଛି ଟଙ୍କା ଆଣିଥିବି । ଦେହରେ ଟିକେ ବଳ ହେଇଗଲେ, ଚାନ୍ଦବାଲି ବଜାରକୁ ଯାଇ ସେଇଠି କାହାର କିଛି କାମକରି ସେ ଜିନିଷକୁ ମୁକୁଳେଇ ଆଣି ତମହାତରେ ଦେଇଦେବି । ତମର ଜିନିଷକୁ ନେଇ ମୁଁ କୁଆଡ଼େ ପଳେଇବି ନାହିଁ କି ୠଣୀହେଇ ମରିଯିବି ନାହିଁ ଅପା ! ମୋ ଜୀବନଟାକୁ ବଞ୍ଚେଇ ଦିଅ ।"

ସୁକୁଟିବୋଉର ବିକଳ କଥା ଅପାଙ୍କ ମରମକୁ ଛୁଇଁଲା, ତାଙ୍କ ହୃଦୟଟା ତରଳି ଗଲା । ସେ ନିଜଘର ଭିତରେ ଥିବା ଜିନିଷ କଥା ମନେ ପକାଉଥିଲେ । ଚଗଲା ବାପା ମରିଗଲା ପରେ ତାଙ୍କର ସବୁ ଆସବାବ ପତ୍ର ତ ବିକ୍ରି ହେଇସାରିଛି । କେବଳ ସନ୍ତକ ହିସାବରେ ରୂପାଚୁଡ଼ି ଦୁଇପଟ ଭଙ୍ଗା ସିନ୍ଦୁକରେ କନାରେ ଗୁଡ଼ାହେଇ ରହିଛି । ଯେତେ ଅଭାବରେ ଥିଲେ ବି ସେଇ ଦୁଇପଟକୁ ମୁଁ ବିକ୍ରି କରିନାହିଁ କି କେବେ ବିକ୍ରି କରିବି ନାହିଁ । ସେଇଟା ହେଉଛି-ଚଗଲା ବାପାର ସନ୍ତକ । ସୁକୁଟିବୋଉ ତ ତାକୁ ବିକ୍ରିକରି ଦେଉନାହିଁ । ବରଂ ବନ୍ଧାଦେଇ ଟଙ୍କା ଆଣିବ । ଏ' ଘରେ ରହିବା ଯାହା ,ମହନୀବୁଢ଼ା ଘରେ ରହିବା ସେଇୟା । ସେଇ ଦୁଇପଟ ଚୁଡ଼ିକୁ ନେଇ ବିଚାରି ଆଗ ବଞ୍ଚିଯାଉ ।

ଏଇମିତି ଭବୁଭାବୁ ସେ ଯାଇ ସିନ୍ଦୁକ ପାଖରେ ପହଞ୍ଚିଗଲେ । କନାର ଗଣ୍ଠି ଖୋଲି ସେ ଦୁଇପଟ ଚୁଡ଼ିକୁ ଖୋଲି ଭଲକରି ଦେଖିଲେ । ଦାଣ୍ଡ ଦୁଆରକୁ ଆସି କହିଲେ-"ଦେଖ, ସୁକୁଟିବୋଉ ! ଏଇଟା ହେଉଛି-ଚଗଲା ବାପାର ଏକମାତ୍ର ସନ୍ତକ । ଜୀବନ ଭଳି ତାକୁ ମୁଁ ସାଇତି ରଖିଛି । ଆଠଦିନ ଭିତରେ ଯେମିତି ହେଲେ, ମୁକୁଳେଇ ଆଣି ମୋତେ ଫେରେଇବୁ ।"

ରୁପାଚୁଡ଼ି ଦୁଇପଟ ପାଇବାରୁ ସୁକୁଟିବୋଉକୁ କୋଟିନିଧି ପାଇଲା ପରି ଲାଗିଲା । ଦୁଇହାତକୁ ଯୋଡ଼ି କୃତଜ୍ଞତା ଜଣାଇ କହିଲା-"ଅପା ! ତମେ ହେଉଛ, ମୋର ଅସଲ ମାଆ । ତମର ଏଇ ଋଣକୁ ମୁଁ ସାତ ଜନମରେ ବି ଶୁଝିପାରିବି ନାହିଁ । ତମପୁଅ ଚଗଲାକୁ ଭଗବାନ କୋଟି ପରମାୟୁ ଦେଇଥା'ନ୍ତୁ । ଅପା ! ତମକଥାକୁ ମୁଁ ନିଶ୍ଚୟ ରକ୍ଷା କରିବି ।"

ଥରଥର ହାତରେ ଛୁଡ଼ି ଦୁଇପଟକୁ ଧରି କାନିରେ ଗଣ୍ଠି ପକେଇ ସୁକୁଟିବୋଉ ସିଧା ଚାଲିଲା ମହନୀବୁଢା ଘରକୁ ।

ମହନୀବୁଢ଼ା ସେ ରୂପାଚୁଡ଼ିକୁ ଦେଖି ସନ୍ଦେହ କଲା । ପଚାରିଲା-"ଏ' ଜିନିଷକୁ ତୁ କୋଉଠୁ ପାଇଲୁ ? କାହାଘରୁ ଚୋରିକରି ଆଣି ନାହୁଁ ତ ?"

ସୁକୁଟିବୋଉ ଯେତେ ପ୍ରକାର ସଫେଇ ଦେଲେ ବି ସେ ଜିନିଷକୁ ତା'ଠାରୁ ସେ ରଖିଲା ନାହିଁ କି ଟଙ୍କାଟିଏ ବି ଦେଲାନାହିଁ । ଆହୁରି କେତେ ଘର,ସାହୁକାର ଘର ବୁଲିବୁଲି ଶେଷରେ ନିରାଶ ହେଇ ସେ ପାଖ ଗାଁ'ର ଧାନକଳ ମାଲିକ ମହାକୁଡ଼ ଘରେ ପହଞ୍ଚିଲା । କୋଡ଼ିଏ ଟଙ୍କାରେ ଚୁଡ଼ିକୁ ବନ୍ଧା ପକେଇ ଦୋକାନରୁ ଚାଉଳ, ଲୁଣ, କିରୋସିନ କିଣି ଘରକୁ ଫେରିଲା ସିନା ଦଶ ପନ୍ଦରଦିନ ପର୍ଯ୍ୟନ୍ତ ସୁକୁଟିବୋଉର ଆଉ ଦେଖାନାହିଁ । ସେ ଏବେ କେମିତି ଅଛି, କାମ କରିବାକୁ କୁଆଡ଼େ ଗଲାଣି କି ନାହିଁ, ସେକଥା ଜାଣିବାକୁ ଅପା ତାଙ୍କପୁଅ ଚଗଲାକୁ ସୁକୁଟିବୋଉ ଘରକୁ ପଠାଇଲେ । ଚଗଲା ତା'ଘରକୁ ଯାଇ ଖବର ଆଣି କହିଲା-"ଲୋକେ କହୁଛନ୍ତି-ସୁକୁଟିବୋଉ ଆଜି ସକାଳୁ ଯାଇ ନଈକୂଳରେ ବସି କାନ୍ଦୁଛି, ଯିଏ ଯେତେ କହିଲେ ବି ସେ ଘରକୁ ଆସୁନାହିଁ କି ଘାଟ ପାରିହେଇ ଚାନ୍ଦବାଲି ପାରିକୁ ଯାଉନାହିଁ ।"

ଏଥର ଅପାଙ୍କର ରାଗ ବଢିଗଲା । ସେ ସୁକୁଟିବୋଉକୁ ଗାଳିଦେଇ କହିଲେ-"ଅଲକ୍ଷଣୀଟା ମୋ ଚୁଡ଼ି ଦୁଇପଟଦେଇ ସାରିକି ସେ ଯାହା କରୁଛି କରୁଥାଉ ।"

ତା'ପରଦିନ ଖବର ମିଳିଲା-ସୁକୁଟିବୋଉ ବୈତରଣୀ ନଈକୁ ଡେଇଁପଡ଼ି ବୁଡି ମରିଛି । 

ପ୍ରଧାନଅପାଙ୍କୁ ଆଉ କିଏ ସମ୍ଭାଳେ ?

ସେ ସେଇଦିନ ସଞ୍ଜବେଳକୁ ମହନୀବୁଢ଼ା ଘରକୁ ଚଗଲାକୁ ପଠେଇଲେ, ସୁକୁଟିବୋଉ ଠୁଁ ସେ ଚୁଡ଼ି ଦି'ପଟ ବନ୍ଧା ରଖିଛି କି ନାହିଁ ପଚାରି ବୁଝିବାକୁ । ମହନୀବୁଢ଼ା ସିଧା ମନା କରିଦେଲା-"ମୁଁ ସୁକୁଟିବୋଉର କିଛି ଜିନିଷ ରଖିନାହିଁ । କୋଉଠୁ କ'ଣ ଚୋରୀ କରି ଆଣିଥିବ, ସେ ଝମେଲାରେ କିଏ ପଶିବ ?"

ତା'ପରଦିନ ସକାଳୁ ସକାଳୁ ଅପା ଆସି ମହନୀବୁଢ଼ା ଦୁଆରେ ହାଜର । କେତେ ଅନୁନୟ ବିନୟହେଇ ସେ ଚୁଡ଼ିକୁ ଫେରାଇ ଦେବାକୁ କହିଲେ । ସେ ଭାବୁଥିଲେ-ମହନୀବୁଢ଼ା ନିଶ୍ଚୟ ମିଛ କହୁଛି । ରୂପାଚୁଡ଼ିକୁ ଦେଖି ତା'ର ଲୋଭ ହେଇଯାଇଛି ବୋଲି ଜୋରକରି କହୁଥିଲେ । କେତେ ରାଣ ନିୟମ, ଯୁକ୍ତି-ତର୍କ, ଝଗଡା ପରେ ଅପା କାନ୍ଦିକାନ୍ଦି ଖାଲି ହାତରେ ସେଦିନ ଘରକୁ ଫେରିଲେ ।ଏହାଭିତରେ ଦୁଇମାସ ବିତିଗଲାଣି । ଅପା ପ୍ରତିଦିନ ସେ ରୂପାଚୁଡ଼ିକୁ ଝୁରି ହେଉଥା'ନ୍ତି । ମହନୀବୁଢାର ବଡରୋଗ ହେଉ, ସେ ରୂପାଚୁଡ଼ି ଦୁଇପଟ ତାକୁ ଭୋଗ ନହେଉ ବୋଲି ସବୁଦିନ ଗାଳି ଦେଉଥା'ନ୍ତି ।


ଦିନେ ଚଗଲାକୁ ଚିହ୍ନିପାରି ଚାଉଳ କଳମାଲିକ ମହାକୁଡ଼ ବୁଢା କହିଲେ- "ତୋ' ବୋଉର ରୂପାଚୁଡ଼ିକୁ ସୁକୁଟିବୋଉ ମୋ ପାଖରେ ବନ୍ଧା ପକେଇକି କୋଡ଼ିଏ ଟଙ୍କା ନେଇଛି । ସୁଧ ମୂଳମିଶି ଚାଳିଶଟଙ୍କା ହେଲାଣି । ବୋଉକୁ କହିଦେବୁ, ସେ ଶୀଘ୍ର ମୁକୁଳେଇ ନେଇଯିବ, ନ ହେଲେ ମୁଁ ତାକୁ ବିକିଦେବି ।"

ଏ'ଖବର ପାଇ ଅପାଙ୍କ ଆଖି ଖୋସିହେଇ ପଡ଼ିଲା । ସେ ଚଗଲାକୁ ସାଙ୍ଗରେ ଧରି ଧାଇଁଲେ ଚାଉଳକଳ ମାଲିକ ପାଖକୁ । ମହାକୁଡ଼ ବୁଢାକୁ ସେ କହିଲେ-"ଏବେ ତ ଆମର ଅବସ୍ଥା ବହୁତ ଖରାପ, ମୁଁ ସୁଧ-ମୂଳ ଚାଳିଶ ଟଙ୍କାଦେଇ ଏବେ ନେଇ ପାରୁନାହିଁ । ସେ ଚୁଡ଼ିକୁ ଯେମିତି ହେଲେ ମୁଁ ମୁକୁଳେଇକି ନେବି, ତମେ ଦୟାକରି ତାକୁ କେବେ ବିକ୍ରି କରିଦେବ ନାହିଁ ସେଇଟା ହେଉଛି ଚଗଲା ବାପାର ଏକମାତ୍ର ସନ୍ତକ ।"


ସେଦିନ ଏତିକି କହିଦେଇ ଅପା ଘରକୁ ଫେରିଲେ । ବାଟରେ ମହନୀବୁଢ଼ାର ଘରକୁ ଯାଇ ନିଜର ଭୁଲପାଇଁ ତାକୁ କ୍ଷମା ମାଗି ଆସିଲେ ସିନା ରାତିରେ ଅପାଙ୍କୁ ନିଦନାହିଁ, ବିଛଣାରେ ପଡ଼ି କେତେ କ'ଣ ଭାବୁଥା'ନ୍ତି । ଏଣେ ସୁଧ ବଢିବଢି ଯାଉଛି, କୋଉଠୁ ଏତେ ଟଙ୍କା ମିଳିବ ଯେ, ରୂପାଚୁଡ଼ିକୁ ମୁକୁଳେଇବେ । ସୁଧଖୋର ମହାଜନକୁ ତ ପଇସା ଦରକାର । ସୁଧ-ମୂଳ ଉଠେଇବାକୁ ସେ ଚୁଡ଼ିକୁ ବିକ୍ରିକରି ଦେଇପାରେ, ସେ କ'ଣ ବୁଝି ପାରିବ-ଜଣେ ସ୍ତ୍ରୀ ପାଇଁ ତା' ସ୍ୱାମୀ ସନ୍ତକର କେତେ ମୂଲ୍ୟ ? ସେମାନଙ୍କ ହୃଦୟ ତ ପଥରରେ ଗଢ଼ା । ସାରା ରାତି ସେ କେତେ କ'ଣ ଭାବି ଚାଲିଲେ ।

ସକାଳ ହେଲା, ଅପା ପୁଣି ଚଗଲାକୁ ସାଙ୍ଗରେ ନେଇ ମହାକୁଡ଼ଙ୍କ ଘରେ ପହଞ୍ଚିଗଲେ । ସେ ନିଜ ଶାଢ଼ୀକାନିରୁ ମହାପ୍ରସାଦ ପୁଡ଼ିଆ ଖୋଲି ବଢ଼େଇଦେଲେ, ମହାକୁଡ଼ ବୁଢା ହାତକୁ । କାନ୍ଦକାନ୍ଦ ହେଇ କହିଲେ-"ଏଇ ମହାପ୍ରସାଦ ଦେଇ ମୁଁ ଆଜି ତମକୁ ମୋର ଧର୍ମଭାଇ କଲି । ଏବେ ତମର ଇଚ୍ଛା, ତମର ଦୟା, ମୋର ସେ ଦୁଇପଟ ଚୁଡ଼ି ତମକୁ ଲାଗିଲା । ତାକୁ କେବେ ବିକ୍ରି କରିବ ନାହିଁ । ଏତିକି ମୋର ଅନୁରୋଧ । ମୁଁ ତାକୁ ନିଶ୍ଚୟ ମୁକୁଳେଇ ନେବି, ଯେତେ ଯାହା ହେଲେ ବି ସୁଧ-ମୂଳଦେଇ ନେବି । ତାକୁ ତମେ ଟିକେ ସମ୍ଭାଳି ରଖିଥିବ, ବିକ୍ରି କରିଦେବ ନାହିଁ । ଏତିକି ମୋ ଧର୍ମ ଭାଇ ପାଖରେ ଅନୁରୋଧ । ଏଇ ମହାପ୍ରସାଦ ତାକୁ ସାକ୍ଷୀ ରହିଲା ।"

ମହାକୁଡ଼ ବୁଢା ମହାପ୍ରସାଦ ପୁଡ଼ିଆ ଖୋଲି ମୁଣ୍ଡରେ ଲଗାଇ ସମସ୍ତଙ୍କୁ ଟିକେ ଟିକେ ପାଇବାକୁ ଦେଲେ । ଅପାକୁ ତାଙ୍କ ପରିବାର ଲୋକେ ସେଦିନ ସସମ୍ମାନେ ବିଦାୟ ଦେଇଥିଲେ ।

ଅପା ଏବେ ଆଶ୍ୱସ୍ତ ହେଇ ମନେ ମନେ ଭାବିଲେ- "ଧର୍ମଭାଇ ହେଇ ଯଦି ସେ ଭିଣୋଇର ସନ୍ତକକୁ ବିକ୍ରି କରିଦିଅନ୍ତି, ଏବେ ସବୁଦୋଷ ତାଙ୍କର ହେବ, ସବୁପାପ ତାଙ୍କୁ ହିଁ ଲାଗିବ ।"

ମହାବାତ୍ୟା ପରେ ପରେ ଏଣେ ଗାଆଁଟାଯାକ ଲୋକେ ଖାଇବା ଅଭାବରେ ବିକଳ ହେଉଥା'ନ୍ତି । ଲୋକଙ୍କର ଅବସ୍ଥା ଦିନକୁ ଦିନ ଖରାପହେଇ ଚାଲିଥାଏ । ଚଗଲା ପେଟ ବିକଳରେ କାହାଘରେ କାମ କରିବାକୁ ଜଣେ ଚିହ୍ନାଲୋକ ସାଙ୍ଗରେ ପାରାଦୀପ ଚାଲିଗଲା । ଅପାଙ୍କର ଖାଇବା ପିଇବାର ଠିକଣା ନାହିଁ । ଦିନରାତି ଆଖିରୁ ତାଙ୍କର ଲୁହ ବହି ଚାଲିଥାଏ । ଦିନେ ଖରାବେଳେ ସେ ବାଡ଼ି ଦୁଆରେ ବସି ଭାବୁଥିଲେ -"ଏତେ ଅଭାବ କଷ୍ଟ ଆଉ ସହି ହେବନାହିଁ । ସୁକୁଟିବୋଉ ପରି ସେଇ ବୈତରଣୀ ନଈକୁ ଡେଇଁ ପଡ଼ିଲେ ଠିକହେବ । ସତରେ ସେଦିନ ସୁକୁଟିବୋଉ ଏଇମିତି ଭୋକ ଯନ୍ତ୍ରଣାକୁ ସହି ପାରୁ ନ ଥିଲା । ଏତେ କଷ୍ଟ ? ଏବେ ମୁଁ ବୁଝିପାରୁଛି ଭୋକର ଦାଉ କେତେ ଯନ୍ତ୍ରଣା ଦାୟକ । ଏଇ ଭୋକ ତ ମାନ-ଇଜ୍ଜତ, ସ୍ୱାଭିମାନ ସବୁକିଛି ନେଇ ଯାଇପାରେ ।"

ଠିକ ସେତିକିବେଳେ ଦାଣ୍ଡ କବାଟରେ କେହି ଜଣେ ଶବ୍ଦକଲା । ଅପା ଆସି ଦେଖନ୍ତି ତ ମହାକୁଡ଼ ଭାଇ ଆସିଛନ୍ତି । ନିଜ କାନିରେ ଆଖିର ଲୁହ ପୋଛୁ ପୋଛୁ ଅପା କହିଲେ-"ଭାଇ ! ତମକୁ ମୋ ରାଣ ରହିଲା, ତମେ କେବେ ବି ସେ ଚୁଡ଼ି ଦୁଇପଟକୁ ବିକ୍ରି କରିଦେବ ନାହିଁ । ତାକୁ ନିଜ ପାଖରେ ରଖିଥିବ । ମୁଁ ଏ' ଦୁନିଆରେ ଥାଏ ବା ନ ଥାଏ- ଚଗଲା ମଣିଷ ହେଲେ, ପଇସା ରୋଜଗାର କରି ତାକୁ ନିଶ୍ଚୟ ମୁକୁଳେଇ ନେବ । ସୁଧ ମୂଳ ସବୁ ହିସାବକରି ଦେଇଦେବ । ଯଦି ସେ ମୁକୁଳେଇ ନ ପାରେ ତେବେ ତମରି ଘରେ ହିଁ ତାକୁ ରଖିଥିବ । ଆର ଜନମକୁ ମୁଁ ପୁଣି ଥରେ ତମଘରେ ତମର ନାତୁଣୀ ହେଇ ଜନ୍ମନେବି ସେଇ ଚୁଡ଼ିକୁ ଦେଖିବା ପାଇଁ । ଏତିକି ମୋର କଥା ରଖିବ ଭାଇ !"

ମହାକୁଡ଼ ଭାଇ ତାଙ୍କ ଅଣ୍ଟାରୁ ସେଇ ଦୁଇପଟ ଚୁଡ଼ି ବାହାରକରି କହିଲେ- "ମୁଁ ତମର ସେଇ ଦି'ପଟ ରୂପାଚୁଡ଼ିକୁ ଏବେ ଫେରେଇ ଦେବାକୁ ଆସିଛି । ଏଥିପାଇଁ ତମକୁ ସୁଧ କି ମୂଳ କିଛି ଦେବାକୁ ପଡ଼ିବ ନାହିଁ । ଏତକ ତମ ଧର୍ମଭାଇର ଉପହାର ବୋଲି ଧରିନେବ । ମୋତେ ଯଦି ସତରେ ତମର ଭାଇ ବୋଲି ଭାବିଥାଅ, ତେବେ ଆଜିଠାରୁ ତମେ ଆମଘରେ ରହି ପାରିବ । ତମ ଭାଉଜ କହିଛି- "ଆଜିଠାରୁ ତମର ଭଲମନ୍ଦ ଦାୟିତ୍ୱ ସବୁ ଆମର । ଆଉ ଭବିଷ୍ୟତରେ ତମକୁ ଆମଘରେ ନାତୁଣୀହେଇ ଜନ୍ମ ନେବାକୁ ପଡ଼ିବ ନାହିଁ । ମୋର ସାନ ଭଉଣୀ ହେଇ ଆଜି ଆମ ଘରକୁ ଚାଲ । ଏକୁଟିଆ ଏ' ଖାଲିଘରେ ତମେ ଏମିତି ଭୋକ ଉପାସରେ ଦୁଃଖରେ ରହିଲେ ମୋତେ ଭାରି ବାଧିବ । 

ମହାକୁଡ଼ ଭାଇଙ୍କ ହାତରୁ ରୂପାଚୁଡ଼ି ଦୁଇପଟ ଧରି ପ୍ରଧାନଘର ଅପା ନଇଁ ପଡ଼ି ମହାକୁଡ଼ ଭାଇଙ୍କ ପାଦତଳେ ଲୋଟି ପଡ଼ିଲେ । ହାତଯୋଡ଼ି ସେ ଉପରକୁ ଚାହିଁ କହିପକାଇଲେ-"ହେ ପ୍ରଭୁ !ଦୁଃଖୀଜନ ବନ୍ଧୁ, ବିପଦର ବନ୍ଧୁ-ଜଗତର ବନ୍ଧୁ ଜଗନ୍ନାଥ ! ତମ ମହାପ୍ରସାଦ ଟିକକର ଏତେ କରାମତି ? ତମେ ନିଜେ ନ ଆସି ମୋତେ ବିପଦ ବେଳେ ସହାୟ ହେବାକୁ ମହାକୁଡ଼ ଭାଇକୁ ତମେ ହିଁ ପଠେଇଛ । ତମ ଇଚ୍ଛା ପୂରଣ ହେଉ । ଏଇମିତି ତମେ ଟିକେ ସୁକୁଟିବୋଉ କଥାକୁ ସେଦିନ ଶୁଣିଥିଲେ ହେଇ ନ ଥା'ନ୍ତା ?"

ମହାକୁଡ଼ ଭାଇ ଅବାକହେଇ ଅପାଙ୍କ ମୁହଁକୁ ଚାହିଁ ତାଙ୍କକଥାକୁ ଶୁଣୁଥିଲେ । ମନାକୁ ମନ କହୁଥିଲେ-"ବିପଦବେଳେ ଯିଏ ଜଗନ୍ନାଥଙ୍କୁ ଡାକେ, ତା' କଥାକୁ ସିନା ସେ ଶୁଣନ୍ତି । ସୁକୁଟିବୋଉ ତାଙ୍କୁ କେବେ ଡ଼ାକିଥିଲା କି ? ସେ ପରା ଅନ୍ତର୍ଜୟାମୀ, ମଣିଷ ମନକୁ ବୁଝି ସେ ଫଳ ଦେଇଥା'ନ୍ତି ।"



Rate this content
Log in

Similar oriya story from Tragedy