ଦୁଇ ବିବlଦେ ତୃତୀୟ ର ଲାଭ
ଦୁଇ ବିବlଦେ ତୃତୀୟ ର ଲାଭ
ସୋହନ ଓ ମୋହନ ଦୀର୍ଘ ବର୍ଷପରେ ଗାଆଁକୁ ଆସିଥିଲେ।ବଡଭାଇ କରନ୍ ତାଙ୍କର ନାତିର ବାହାଘର କରୁଥିଲେ।ନିମନ୍ତ୍ରଣ ପାଇ ନିଜ ଗାଁର ଗୋଟି ଗୋଟି କଥା ମନେ ପଡିଲା।ଗାଆଁର ସେଇ ମାଟିଘର । ତିନିବଖରା ଭିତରେ ସେମାନେ ସାତ ଭାଇ ଭଉଣୀ ମିଶି ବାପା ମାଆ ଆଈ ଅଜାଙ୍କ ସହ କେତେ ଖୁସିରେ ରହୁଥିଲେ।ଘର ସିନା ଛୋଟ ଥିଲା ହେଲେ ହୃଦୟ ବଡ ଥିଲା।ଯାହା ମିଳୁଥି୍ଲା ଭାଗକରି ଖାଉଥିଲେ |ଗୋଟିଏ ଖୁରିରେ ଦୁଇ ତିନି ଭାଇ ଭଉଣୀ ଏକାଠି ପଖାଳ ଖାଇ ନେଉଥିଲେ ।ଗୋଟିଏ ଖଟରେ ଦୁଇଜଣ କରି ଶୋଇ ଯାଉଥିଲେ।ରାତିରେ ଜଣେ ଜଣକ ଦେହରେ ଗୋଡ ଲଦି ଶୋଇଥିବେ ସକାଳକୁ।ରେଜେଇକୁ ଜଣେ ଅଧିକା ଟାଣି ନେଇଗଲେ ଆଉ ଜଣେ ପୁଙ୍ଗୁଳା ହୋଇ ଥଣ୍ଡାରେ ଥରୁଥିବ ।
ଶୀତ ଦିନ ଚୁଲ୍ଲୀ ପାଖରେ ବା ଅଁତ୍ରାଜଳାଇ ଚରିଆଡେ ସବୁ ସଦସ୍ୟ ବସି ସୁଖ ଦୁଃଖ ହେଉଥିଲେ।ଗାଁରେ ବିବାହ ବା କିଛି ଉତ୍ସବ ହେଲେ ସଭିଏଁ ଲାଗି କାମକୁ ସମ୍ଭାଳୁଥିଲେ।କବାଡି ,ଗୁଡୁ,ହୁମ,ସାତଗାତି,ଡେଗ ଡେଗାନି, ଛିଲୋଲାଇ ଏମିତି କେତେ ପ୍ରକାର ଖେଳ ହେଉଥିଲା ଗାଆଁ ଛୁଆଙ୍କ ଭିତରେ।ନଈ ବନ୍ଧରେ ଉଧୁମେଇ ଗାଧୋଇବା ମଜା ନିଆରା ଥିଲା।ବର୍ଷାଦିନ ଚୁରିଆ କୁନ୍ଦେଲ ,ଧଏର୍ ମାନଙ୍କରେ ଝୁରି ମରା ହେଉଥିଲା।
ଗାଆଁଟା ସେତେବେଳେ ମାଛ ମାଛ ବାସୁଥିଲା।
ଭାଇଭଉଣୀ ସଭିଏଁ ବହୁତ ଭଲ ପାଉଥିଲେ ପରସ୍ପରକୁ।ଜଣେ ଅନ୍ୟ ଜଣେ ପାଇଁ କିଛି ବି ତ୍ୟାଗ କରିବାକୁ ପଛାଉନଥିଲା ।
ଧିରେ ଧିରେ ଭାଇ ଭଉଣୀ ବଡ ହେବାକୁ ଲାଗିଲେ।ପ୍ରଥମେ ଭଉଣୀ ମାନେ ବିବାହ କରି ଅନ୍ୟଘରକୁ ଚାଲିଗଲେ।ବଡଭାଇ କରନ୍ ତ ବହୁ ଆଗରୁ ବାହା ହୋଇ ସାରିଥିଲେ।
ସୋହନ ଓ ମୋହନ ସବୁଠୁ ଛୋଟ ଥିଲେ।ସେମାନେ ଦୁଇଜଣ ଭଲ ପାଠ ପଢିଲେ।ଦୁଇଜଣ ସହରରେ ଭଲ ଚାକିରି କଲେ।ଗାଆଁରେ ତାଙ୍କ ଭାଗ ଜମି ଯାହା ଥିଲା ଭାଗଚାଷ ପାଇଁ ଅନ୍ୟକୁ ଦେଇ ଦେଲେ।କେବଳ ଘରଟା ରହିଲା ଭାଗ ପାଇଁ।ପୁରୁଣା ଘରେ ଦୁଇଜଣ ରହିବା ଛୋଟ ପଡୁଥିଲା।ବଡଭାଇ ଘରକୁ ଲାଗି ଆନ୍ୟଏକ ଜାଗାରେ ଘରଟେ କରି ନିଜ ପରିବାର ନେଇ ରହୁଥିଲେ।
ସୋହନ ବେଶି ଗାଆଁ ପ୍ରିୟ ଥିଲା।ମଝିମଝିରେ ଛୁଟିରେ ଆସି ଗାଆଁ ଘରର ମରାମତି କରୁଥିଲା ଓ ସଫା ସୁତୁରା ରଖୁଥିଲା।ମୋହନ ବିବାହ ହେଲାପରେ ସେ ଘର ଭାଗ ମାଗିଲା।ଗାଆଁରେ ଆଉ ଏକ ଡିହ ଥିଲା ଯୋଉଠି ଘରଟେ ଆରାମରେ ହେଇପାରିଥାନ୍ତା।ତାଙ୍କ ବାପା କହିଥିଲେ ଛୋଟ ଦୁଇ ଭାଇରୁ ଜଣେ ସେ ଜାଗାରେ ଘର ତୋଳି ରହିବ ।ଜଣେ ପୁରୁଣା ଘରେ ରହିବ।ଏବେ କିନ୍ତୁ ବାପା ଆଉ ନଥିଲେ ସମାଧାନ କରିବାକୁ।ଛୋଟ ମୋହନ ସେ ଡିହରେ ନିଜ ଘର ତୋଳିବା ପାଇଁ ନାହି ପକେଇ ଦେଲା।ସେଠି ଅଧାରେ କାମ ରଖି ପୁରୁଣା ଘରବି ସୋହନକୁ ଛାଡିଲା ନାହିଁ।ପ୍ରଥମେ ଯୋଉ ଭାଇମାନେ କିଛି ବି ତ୍ୟାଗ କରିଦେଉଥିଲେ ଅନ୍ୟଜଣେ ପାଇଁ ବିବାହ ପରେ ସ୍ତ୍ରୀଙ୍କ କଥାରେ ପଡି ଏବେ ଦୁଇବଖରା ଘର ଛାଡୁନଥିଲେ।ଦୁହିଙ୍କ ଭିତରେ ଏମିତି ମନୋମାଲିନ୍ୟ ହେଲାଯେ ଶେଷରେ କେହି କାହାର ମୁହଁ ଦେଖିବା ଚାହିଁଲେନି।ଗାଆଁକୁ କେହି ଆସିଲେନି ସହରରେ ଘର ତୋଳି ରହିଲେ।
ଏବେ ଗାଆଁପୁରୁଣା ଘରକୁ କେହି ଆଉ ଡୁଙ୍ଗି ବି ଦେଖିଲେନି।ସେ ଘର ଯତ୍ନ ଅଭାବରୁ ଭାଙ୍ଗିବାକୁ ବସିଲା।ଶେଷରେ ବଡଭାଇ ଧିରେ ଧିରେ ସେ ଘରକୁ ନିଜ କବ୍ଜାରେ ନେବାକୁ ବସିଲେ।ଘରକୁ ସଜାଡି ନିଜ ବ୍ୟବହାରରେ ଲଗାଇଲେ।
ଏବେ ସଂପୂର୍ଣ ଘର ତାଙ୍କର ଏକଛତ୍ର ଅଧିକାର ହୋଇ ଯାଇଥିଲା।ନିଜ ପିଲାମାନେ ସେଠି ନିଜର ବଳକା ଜିନିଷ ଆଣି ରଖୁଥିଲେ।ଷ୍ଟୋର ରୁମ୍ ଭାବେ ତାଙ୍କ କାମରେ ଆସୁଥିଲା।ସୋହନ ଙ୍କ ଗାଆଁରେ ରହିବାର ବଡ ସଉକ ଥିଲା।ହେଲେ ଭାଇର ଝଗଡା ପରେ ମନ ମରିଗଲା।ସ୍ନେହ ଭାଙ୍ଗିଗଲାପରେ ସେ ଘର କେବଳ ଇଟା ସିମେଣ୍ଟର ଚାରିକାନ୍ଥ ହୋଇ ରହିଯାଇଥିଲା।ହେଲେ ସେ ଗାଆଁକୁ ବଡ ଝୁରୁଥିଲେ ମନେମନେ।ପିଲାଦିନ କଥା ବହୁତ ମନେ ପଡୁଥିଲା।
ଏବେ ଅନେକ ଦିନ ପରେ ଆସି ଯେବେ ଦେଖିଲେ ଘରକୁ ଅନ୍ୟକେହି ନିଜ ଅକ୍ତିଆରରେ ନେଇ ସାରିଛି ଦୁହେଁ ଦୁହିଁକୁ ପ୍ରଶ୍ନିଳ ଦୃଷ୍ଟିରେ ଅନାଉଁଥିଲେ।ଯେମିତି କହୁଥିଲେ ଦୁଇ ବିବାଦରେ ତୃତୀୟର ଲାଭ।