ଦୁହିତା
ଦୁହିତା
ଝିଅ ମୋର କେତେ ହଇରାଣ ହେଉଛି , ଶୁଣୁ ଶୁଣୁ ଆଖିକୁ ଲୁହ ଆସି ଯାଉଥିଲା l ସବୁବେଳେ ଅଫିସରୁ ଫେରିବା ବେଳକୁ ରାସ୍ତାରେ ଚାଲି ଚାଲି ଯାଉ ଯାଉ ଝିଅ ଫୋନ୍ କରେ, ଆଉ ଦୁଃଖ ସବୁ ସାରିଦିଏ l ଶାଶୁ କେମିତି ସବୁ କଥାରେ ନାକ ଟେକୁଛନ୍ତି l ଟିକେ କିଛି ଏପଟ ସେପଟ ହେଇ ଗଲେ ମୁହଁ ଫୁଲୋଉଛନ୍ତି l ଚାକରାଣୀ କହୁଥିଲା ଯେ, ସିଏ ନ ଥିଲା ବେଳେ ତା ନାଁରେ ନଣନ୍ଦମାନଙ୍କ ସହ ଗପୁଛନ୍ତି l
ଏମିତି ଅନେକ ଅନେକ ଅଭିଯୋଗ l ସେ ଦିନ ବି ବହୁତ କଥା କହୁଥିଲା, ଆଉ କାନ୍ଦୁଥିଲା l ତା କାନ୍ଦ ଶୁଣି ମୁଁ ବି କାନ୍ଦି ପକେଇଲି l ମୋ କାନ୍ଦ ଶୁଣି ଝିଅ ମୋର ଚୁପ୍ ହୋଇଗଲା l ହଠାତ୍ କହିଲା, ମୁଁ କହିଲି ବୋଲି ତୁ ଆଉ ଶାଶୁ କି ନଣନ୍ଦଙ୍କୁ ଖରାପ ଭାବିବୁ ନାହିଁ l ତୁ ଗୋଟିଏ ପଟରୁ ଶୁଣୁଛୁ l ମୋର ବି କିଛି ଭୁଲ ରହୁଛି ଯେ l ମୁଁ ବି ରାଗି କିଛି କଥା କହିଦିଏ l ଏମିତି ଘର ଥିଲେ ମନ ଫଟାଫଟି ହୁଏ ଓ ପୁଣି ଯୋଡି ହୋଇଯାଏ l କହିଲୁ ଦେଖି, ସେମାନଙ୍କର ସହଯୋଗ ନ ଥିଲେ ମୁଁ କଣ ଚାକିରୀ କରିପାରନ୍ତି ? ମୁଁ ଏଥର ଦୁଃଖ କରିବା ପରିବର୍ତ୍ତେ ମୋ ଝିଅକୁ ନେଇ ଗର୍ବ କରୁଥିଲି l