ଦୃଷ୍ଟି
ଦୃଷ୍ଟି
ରିଙ୍କିର ବାହାଘର ।
ମୋ ଅମୁ ଭାଇ ଝିଅ ରିଙ୍କି । ଆମେ ପିଉସୀ ଝିଆରୀ କମ୍ ବାନ୍ଧବୀ ବେଶୀ ।
ଶାଶୁ ଓ ଶଶୁର ରାଜି ହେଉନଥିଲେ ମୋତେ ଗାଆଁକୁ ଛାଡିବାକୁ ।
ମାଆ ବାପା ବି ସେଇ ଏକା କଥା କହୁଥିଲେ । କୋଳ ଛୁଆଟିକୁ ଆଣି ଏତେ ବାଟ ଆସେ ନାହିଁ । କାଳେ କିଛି ଅସୁବିଧା ହେବ । ପିଲା ବଡ଼ ହୋଇଯାଉ ଆସିବୁ ।
ଏଇ ମାଆ ବାପା ଝିଅ ବାହା ଦେଲା ପରେ ଏତେ ଡରନ୍ତି କାହିଁକି ଯେ ! ସେମାନେ କଣ ଛୁଆ ପାଳି ନାହାନ୍ତି ନା ଏବେ ସେମାନଙ୍କ ଘରେ ଛୁଆ ନାହାନ୍ତି! ମୋ ସାନ ଭାଉଜର ପରା ସାତ ମାସର ଝିଅ!! ନିଜ ଝିଅ ଛୁଆ ପାଇଁ ଏତେ କଣ ଭୟ !
ବାଙ୍ଗାଲୋରରୁ ଏତେ ବାଟ ପଡ଼ି ଉଠି ଛୁଆଟିକୁ ନେଇକି କାଇଁକି ଆସିବୁ ଲୋ ନିକି !
କଣ ଯେ ମାଆ ! ତୁ ବି ମନା କରୁଛୁ ଯିବାକୁ । ସେଇ ବାହା ହୋଇ ଚାରି ବର୍ଷ ହେଲା ଆସିଛି ଯେ ଗାଆଁ, ଘର କି ତୁମମାନଙ୍କ ମୁହଁ ଦେଖିନି । ଫୋନରେ କଣ ତୁମକୁ ଛୁଇଁ ହୁଏ ? ସୁଯୋଗଟିଏ ଜୁଟିଛି ଯିବାକୁ । ତୁମେ ମନା କଲେ ଶାଶୁ ଶଶୁରଙ୍କୁ ମଉକା ମିଳିଯିବ । ସେମାନେ କଣ ମୋତେ ଆଉ ଛାଡିବେ ? ତୁ ମନା କରନା ମାଆ । ମୁଁ ଦି ଦିନ ପାଇଁ ଯିବି ଓ ଆସିବି ।
ମାଆ ! ଆମ ରିଙ୍କି ବାହାଘର ମୁଁ କେମିତି ଯିବିନି କହିଲୁ?ସେ କେତେ ମନ ଦୁଃଖ କରିବ ! ଆଉ ମୁଁ କଣ ତା ବାହା ଘର ମଜା ଅନ୍ୟ ଦିନେ ନେଇ ପାରିବି ? ହୁଁ ହୁଁ ମୁଁ ଯିବି ମାଆ । ତୁ ମୋ ଶାଶୁ ମାଆଙ୍କୁ ବୁଝା ।
ସମସ୍ତଙ୍କ ବାରଣ ସତ୍ତ୍ୱେ ମୋ ମିଷ୍ଟର ଶଶାଙ୍କ ବୁଝାବୁଝି କରିବାରୁ ଆମେ ଦୁହେଁ ଓଡିଶା ଆମ ଗାଆଁକୁ ଆସିଲୁ ।
ମୋ ପୁଅ ପୃଥୀକୁ ଚାରି ମାସ ହୋଇଥାଏ । ତାକୁ ଗାଆଁରେ ସମସ୍ତେ ଦେଖି ଭାରି ଖୁସି । ଲୋକେ କୁହା କୁହି ହେଉଥିଲେ ସ୍ୱାଇଁ ଘର ନିକି ଚାରି ମାସର ପୁଅ ଆଣି ଆସିଛି ଯେମିତି ବର୍ଷକର ଛୁଆ । ଯାହା ହେଲେ ବି ସହର ଛୁଆ ଓ ଗାଆଁ ଛୁଆ ଛାଡିବେ ନା । ନକଳିଆ ଆଈ ଜଣେ କହିଲେ, ହଇଲୋ ନିକି ତୋ ନକନକିଆ କଣି ଚେହେରାକୁ ଏମିତି ଉଦିଆଚାନ୍ଦ ଭଳିଆ ରତ୍ନଟିଏ କେମିତି କଲୁ ବା ।
ଥୁ ଥୁ ଥୁ ତିନି ଲଣ୍ଡା ଛେପ ପକାଇ ମୋ ମାଆ କହିଲା ଝରି ବବୋଉ ତୁମର ଯେଉଁ ଡାହାଣା କଥା ନା । ମୋ ସରଗ ଚାନ୍ଦ ନାତିକୁ ଆଖି ଦେଉଛ?
ଆଲୋ ଅମୁ ମାଆ । ମୁଁ କାଇଁ ଆଖି ଦେବି । ମୋ ଆଖି ଫୁଟି ଯାଉ । କଲ୍ୟାଣ କରୁଛି ଦୀର୍ଘାୟୁ ହୋଇ କୋଟିଏରେ ଗୋଟିଏ ହେଉ ତୋ ନାତି ପୃଥିବୀ ।
ହଇଲୋ ନିକି ଏ ପୃଥିବୀ ଗୋଟେ କି ନାଁ ବା?
ସମସ୍ତେ ଆଈ କଥାରେ ହୋ ହୋ ହୋଇ ହସି ଉଠିଲେ ।
ଆଈ ଫୁସ୍ ଫୁସ୍ କରି କହିଲେ, ବୁଝିଲୁ ନିକି ତୋ ମାଆ ଠିକ୍ କହୁଛି । କିଛି ମଣିଷଙ୍କ ଦୃଷ୍ଟି ଭାରି ଖରାପ । ଡାହାଣୀ ଗୁଡା । କୁଲୁ ବୁଲିଆ ହୋଇଛି ଆମ ପୃଥୀ । ତାକୁ ଦାଣ୍ଡ ମୁଣ୍ଡକୁ ନେବୁ ନାହିଁ । ସେଇ ବଣିଆ ଘର ବନା ମାଆ ରେବଟା କଞ୍ଚା ଡାହାଣୀ । ତା ଦୃଷ୍ଟିଟା ଭାରି ଖରାପ । ଯାହା ଉପରେ "ଦୃଷ୍ଟି" ପକେଇବ ତାକୁ ନାକେଦମ୍ କରିଦେବ । ବଡ଼ ବଡ଼ ଲୋକେ ବା ତା ଦୃଷ୍ଟିରୁ ବାଦ୍ ଯାଉ ନାହାଁନ୍ତି । ନୂଆ ବାହା ହୋଇ ଆସିଥିବା ବୋହୁଗୁଡାଙ୍କୁ ଲାଗୁଛି । ଦିଟା ଦିନ ପାଇଁ ଆସିଛୁ ଟିକେ ହୁସିଆର ଥିବୁ ।
ଧେତ୍ ! ଆଈ ଯୁଗ ଯାଇ କେଉଁଠି ପହଞ୍ଚିଲାଣି । ଏମିତି ଅନ୍ଧ ବିଶ୍ୱାସକୁ ଧରି ବଇଚ ? ଡାହାଣୀ ଫାଆଣି କେବଳ ମନର ଭ୍ରମ ।
ଏଇ ତ ଆଉ । ତୁମେ ପାଠ ଦି ଅକ୍ଷର କଣ ପଡିଛ ବୋଲି ସବୁ କଥାକୁ ଫସ୍ ମଲି କରିଦେବ ।
ରେବଟା ପରା ସୁଦୁ କଞ୍ଚା ଡାହାଣିଟା । ରାତିରେ ଦଣ୍ଡାକୁ ଘୁଅ ଚରିବାକୁ ଯାଏ । ଲଂଗଳା ହୋଇ ଉପରକୁ ଗୋଡ଼ ଟେକି ଘୁଅ ଖାଏ ।
ତୁ ଗଲୁ ଆଈ । ଏ ଗୁଡା ସବୁ ମନ ଗଢଣ କଥା ।
ହେଉ ଲୋ ମାଆ ତୁ ନ ମାନେ । ପାଇବୁ ଯେ ପାନେ କହି ଆଈ ଚାଲିଗଲେ ।
ବାହାଘର ଦିନ । ଚାରି ଆଡ଼େ ଘୋ ଘୋ । ବାଜା ରୋଷଣୀ । ଭୋଜି ଭାତ । ଖୁସିର ମାହୋଲ । ଗାଆଁ ଲୋକେ ଓ ନିମନ୍ତ୍ରିତ ଅତିଥିଙ୍କ ଖିଆ ପିଆ ଚାଲିଛି । ଗାଆଁ ଭୋଜି ସହରିଆଙ୍କ ଭୋଜି ପରି ହିସାବ ନିକାସ କରେନି । ଯିଏ ଯେତେ ଖାଉ, ନେଉ ମନା ନାହିଁ କି ନିଅଣ୍ଟ ହେବାର ପ୍ରଶ୍ନ ନାହିଁ । ଯିଏ ଖାଇ ସାରିଲା ତା ଘର ପାଇଁ ପାର୍ସଲ ବି ନେବାର ବନ୍ଦୋବସ୍ତ ଥାଏ ।
ହଁ ଏବେ ଟିକେ ଖିଆ ସହ ପିଆଟା ଗୋଟେ ଫ୍ୟାଶନ ହୋଇ ଯିବାରୁ ଗାଆଁ ବିବାହ ଭୋଜିର ଆନନ୍ଦରେ ବିଭ୍ରାଟ ସୃଷ୍ଟି ହେଉଛି । ଉପରୁ ପାଇ କିଛି ଲୋକ ଟାଙ୍କି ଲୋଡ଼ ସିନା କରି ଦେଉଛନ୍ତି, ସମ୍ଭାଳିଲେ ତ ହେବ । କିଏ ବାନ୍ତି କରୁଛି ତ କିଏ ଗାଳି ମନ୍ଦ କରି ମରା ମାରି ହୁଅନ୍ତି । କିନ୍ତୁ ଅମୁ ଭାଇ ପୁରା ରାଢ । ରୋକ୍ ଠୋକ୍ ମୋ ସାନ ଦୁଇ ଭାଇଙ୍କୁ ମନା କରି ଦେଇଛନ୍ତି ପିଆ ପିଇ ବ୍ୟବସ୍ଥା ରଖିବ ନାହିଁ । ଏଣୁ ଆମ ଭୋଜିରେ ବିଶୃଙ୍ଖଳା ନାହିଁ ।
ବର ଆସି ଗାଆଁ ମୁଣ୍ଡରେ ହୋଇ ଗଲାଣି । ବାଟ ବରଣୀ କରିବାକୁ ଭାଇ ଓ ମାମୁଁ ସହ ଅନ୍ୟମାନେ ବି ଗଲେ ।
ଥିଲା ଥିଲା ଅଭିର କଣ ହେଲା କେଜାଣି ଖାଲି ରାହା କାନ୍ଦିଲା । ବ୍ୟସ୍ତ ହୋଇ ପଡିଲେ ସମସ୍ତେ । ଯେତେ ଯାହା କଲେ ବି କାନ୍ଦ ବନ୍ଦ ହେଲାଣି ।
ମାଆ ବର୍ଷିଲା ମୋ ଉପରେ । ରାତି ଅଧ । ଗାଆଁଟା । କାହାକୁ ନେଇ ଦେଖେଉବୁ । କଣ ହେଉଛି ଛୁଆଟାର । କାନ୍ଦି କାନ୍ଦି ନାହାରା ହୋଇ ଗଲାଣି । ମନା କରୁଛି ସଜ ବାଜ କରି ବୁଲେଇଲୁ । କାହା ଦୃଷ୍ଟି ନିଶ୍ଚୟ ପଡିଛି । ଶଶାଙ୍କ ବି ଅଭିର ନାହାରା ଅବସ୍ଥା ଦେଖି ବିଚଳିତ ହୋଇ ପଡିଲେ । ଅଭି କେବେ କାନ୍ଦେନି । ସବୁ ବେଳେ ଗୋଡ଼ ହାତ ବାଡେଇ ଖେଳୁଥିବ । ଏବେ ଟିକେ ମୁହଁ ଚାହିଁ ହସିଲାଣି । ହୁଁ ହାଁ କରୁଛି । ତା କାନ୍ଦ ଦେଖି ମୋତେ ବି କାନ୍ଦ ଲାଗିଲା ।
ଝରି ଆଈଙ୍କୁ ଡକା ପଡିଲା । ପିଲାଙ୍କ ଭଲ ମନ୍ଦ ଦେଖି କହିପାରନ୍ତି ସେ । ସଜନା ପତ୍ର ଆଣି ଅଭି ଦେହ ସାରା ବୁଲେଇ ବାହାରେ ପକେଇଲେ ଆଈ । ତଥାପି କାନ୍ଦ ବନ୍ଦ ହେଉ ନଥାଏ । ଶେଷରେ ଶଶାଙ୍କଙ୍କୁ ସାଙ୍ଗରେ ଧରି ଅଜୁ ଭାଇ ଆମ ଗାଆଁ ପାଖ ହସ୍ପିଟାଲ ଡ଼ାକ୍ତରଙ୍କୁ ଆଣିବାକୁ ଗଲେ ।
ତେଣେ ବର ଓ ବରଯାତ୍ରୀ ଆସିବାକୁ ଏଣେ ଅଭିର ଏ ଅବସ୍ଥା । ସମସ୍ତେ ବ୍ୟସ୍ତ ହେଉଥାନ୍ତି । ମୋ ଉପରେ ସଭିଙ୍କ ରାଗ ପଡୁଥାଏ । ଆଈ ଜଣକ କହିଲେ ମୁଁ କଣ କହୁଥିଲି ଦୃଷ୍ଟି ପଡିଛି ନିଶ୍ଚେ । ସେ ରେବ ପରା ଖାଇବାକୁ ଆସିଥିଲା । କେଉଁ ଖଞ୍ଜରେ ଦୃଷ୍ଟି ପକେଇ ଦେଇଯାଇଛି । ମୋ କଥା ତୋ ପଢା ମଗଜରେ ହସରେ ଉଡେଇ ଦେଉଥିଲୁ ପରା । ଏବେ ଦେଖ୍ କଣ ହେଲା ।
ମୁଁ ବେଶୀ ଯୁକ୍ତି କରିବାକୁ ଚାହୁଁ ନଥିଲି । ପିଲାଟି ମୋର ବେଳୁ ବେଳ ନିସ୍ତେଜ ହୋଇ ପଡୁଥାଏ । ମେ ମାସ ଅସହ୍ୟ ଗରମ । ଅଧ ଘଣ୍ଟାଏ ହେଲା କାନ୍ଦୁଛି । ଘରେ କୁଣିଆ ମୈତ୍ର ଭର୍ତ୍ତି । ଚାରିଆଡ଼େ ଆଲୁଅ । ସେଇ ପାଇଁ ଅଭି ସେମିତି ହେଉଛି କି? ଏସି ପୁଣି ଏକା ଚଳିବା ଅଭ୍ୟାସ ତାର । ଏତେ ଆଲୁଅକୁ ଘୋ ଘୋ । ତା ଉପରେ ମାତ୍ରାଧିକ ଗରମ । ଏଣୁ ତାକୁ ଟିକେ ଛାତକୁ ନେଇ ଗଲି । ମାଆ ଖାଲି କାନ୍ଦୁଥାଏ ।
ଏତିକି ବେଳେ ଭାଇ ଡାକ୍ତର ଧରି ଆସି ପହଞ୍ଚିଲେ । ଡାକ୍ତର ଅଭିକୁ ଦେଖି କହିଲେ, ପିଲାଟି ଗରମକୁ ଘୋ ଘା ସହି ପାରୁନାହିଁ । ଦେଖ ତା ଦେହ ସାରା ଗରମରୁ ଘିମିରି କେମିତି ଫଳିଯାଇଛି । ପିଲା ଲୋକ । ଅତି ଅୟସ ପରିବେଶରେ ବଢିଛି । ଏ ପରିବେଶରେ ଖାପ୍ ଖୁଆଇ ପାରୁନାହିଁ । ଗୋଟେ ପାଉଡର ତା ଦେହରେ ସ୍ପ୍ରେ କରିବାକୁ ଦେଲେ । ଦେହ ସାରା ବୋଳି ପିଲାଟିକୁ ଏ ଘୋ ଘାରୁ ଦୁରେଇ ଲାଇଟି ବନ୍ଦ କରି ଆସ୍ତେ ଆସ୍ତେ ଥାପୁଡାଇ ଦିଅନ୍ତୁ ସେ ଶୋଇ ପଡିବ । ମାଆ କ୍ଷୀର ସହ ସିଝା ପାଣି ମଝିରେ ମଝିରେ ଦିଅନ୍ତୁ ।
ବାହାଘର ମଜା ଲୁଟିବା ମୋର ବହୁତ ହୋଇଗଲା । ବଡ଼ ବାପାଙ୍କ ଛାତ ଘରେ ନେଇ ପୃଥୀର ଡ୍ରେସ୍ ବଦଳେଇ ପାଉଡରଟି ସ୍ପ୍ରେ କଲି । ଛାତିରେ ଗୁଞ୍ଜି ଥାପୁଡି ଦେବାରୁ ସତକୁ ସତ ଆରାମରେ ଶୋଇ ପଡ଼ିଲା । ପିଲାମାନଙ୍କର ବିଶେଷ କରି ଏକୁଟିଆ ରହୁଥିବା ପିଲାମାନଙ୍କର ଶବ୍ଦ, ଆଲୁଅ ପ୍ରତି ଏତେ ଆଲର୍ଜି ମୁଁ ପ୍ରଥମ ବାର ଅନୁଭବ କଲି । ପୁଣି ଅତି ଛୁଆ ବେଳେ ପରିବେଶ ଚେଞ୍ଜ କଲେ ବି ପିଲାଙ୍କ ଉପରେ ପ୍ରଭାବ ପକାଏ ! ଏତକ ମୋତେ ଆଶ୍ଚର୍ଯ୍ୟ କଲା । ଆମେ ମାଆ ଯୁଆଡେ ଗଲା ତା ସାଙ୍ଗରେ ଯାଇ କେତେ ମଜା ନେଉଥିଲୁ ।
ହେଲେ ଆଜିକା ପିଲାଙ୍କର କିଛି ସହିବା ଶକ୍ତି ନାହିଁ!!
ଶାଶୁ ଶଶୁର ଓ ମାଆ କାହିଁକି ବାହା ଘରକୁ ଆସିବାକୁ ବାରଣ କରୁଥିଲେ ତା ବି ବୁଝିଗଲି ।
ଅଭିକୁ ବଡ଼ ବୋଉ ଜିମା ଦେଇ ରିଙ୍କି ବିଦା ହେଲା ବେଳକୁ ଗଲି । ଯାହା ଦିନେ ଅଧେ ରହିଥାନ୍ତି ଆଉ ମାଆ ରଖେଇ ଦେଲାନି । ଅଭି ଦେହ ପୁରା ଘିମିରିରେ ନାଲି ପଡି ଯାଇଥିଲା । ତୁ ଶୀଘ୍ର ମୋ ନାତିକୁ ନେଇ ଗଲୁ କହି ଖାଲି ତଡିଲା ।
ବାହାଘର ସରୁ ସରୁ ରିଙ୍କି ପରେ ମୁଁ ବି ବିଦା ହେଲି । ସମସ୍ତେ କାନ୍ଦୁଥିଲେ । ଝରି ଆଈ କାନ୍ଦି କାନ୍ଦି କହିଲେ " ଏ ସୁସ୍ଥିଆ ନାତି ଟୋକାଟା ମୋ ନାତୁଣୀକୁ ଦିନେ ରଖାଇ ଦେଲାନି । ଆସିଲା ଓ ଗଲା ।
ମୁଁ ସମସ୍ତଙ୍କୁ ପ୍ରଣାମ ହୋଇ କହିଲି ହଁ ଆଈ ଅଭି ବଡ଼ ନ ହେବା ଯାଏ ଆଉ ଆସିବି ନାହିଁ । କିନ୍ତୁ ଗୋଟେ କଥା ଆଈ । ଦୃଷ୍ଟି କି ପୃଷ୍ଟି କିଛି ନାହିଁ, ତୁମେ ବୁଝିଲ ତ !!
ହଁ ଲୋ ନିକି ଡାହାଣୀ କି ଦୃଷ୍ଟି ଏସବୁ ଆମ ମନ ଗଢ଼ା କଥା ତୋ ପୁଅ କଥାରୁ ହିଁ ବୁଝିଲି ।
ମୋ ଗାଆଁ, ମାଆ ବାପା ଭାଇ ଭାଉଜ ଲୁଚି ଯାଉଥିଲେ କାର ଦ୍ରୁତ ବେଗ ପଛରେ ।