Rabinarayan Senapati

Tragedy Action

4.3  

Rabinarayan Senapati

Tragedy Action

ଦଣ୍ଡ

ଦଣ୍ଡ

11 mins
307



ଏକ, ଦୁଇ, ତିନି,ଚାରି, ପାଞ୍ଚ, ଛଅ, ସାତ, ଆଠ, ନଅ, ଦଶ, ଏଗାର, ବାର, ତେର, ଚଉଦ, ପନ୍ଦର; ଗଣା ସରିଲା । ମିଲୁ କିରି ଟାଙ୍ଗିଆଟିକୁ ପଥରରେ ଘଷୁଥିଲା, ଅଜାଣତରେ ଗଣିଗଲା ମା କୁକୁଡା ଚାରିକଡେ ନସର ପସର ହେଉଥିବା ଚିଅଁ ମାନଙ୍କୁ । ସେମାନଙ୍କୁ ଅନେକ ସମୟ ନିରୀକ୍ଷଣ କରି ଚାଲିଲା । ମା ଅଳିଆ ମାଟିକୁ ଗୋଡରେ ଖେଳାଇ ଦେଉଛି, ଚିଅଁମାନେ ଟକ ଟାକ ଗିଳି ପକାଉଛନ୍ତି ପୋକ ଜୋକ ଯେତେ ଆହାର । ମାଆଟି ନିଜେ କିଛି ଖାଉନି । ସତରେ କଣ ସେ ଖାଉନି? ଅବଶ୍ୟ ମାଆଟି ଖାଉ ନଥିଲା । ସେ କଣ ତାହେଲେ ମରିଯିବ? ଦୁଇମାସର ଚିଅଁ ଗୁଡିକୁ କେତେବେଳେ ସେ ଏମିତି ଖୁଆଏ ପୁଣି କେତେବେଳେ ଡେଣାତଳେ ଘୋଡାଇ ଉଷୁମ ରଖେ । କିରି ଜାତିର ଅପାଠୁଆ ମିଲୁ କିନ୍ତୁ ପ୍ରତି କଥାକୁ ସେ ଟିକେ ଭାବନା ଦେଇ ଦେଖେ । ମାଆ ସତରେ ତାହେଲେ ଜୀବନକୁ ବାଜି ଲଗାଇ ଛୁଆକୁ ପାଳିଥାଏ ନା! ହୋଇଥିବ! ଦୀର୍ଘଶ୍ୱାସ ବାହାରି ଆସିଲା । ମିଲୁ ଟାଙ୍ଗିଆକୁ କାନ୍ଧରେ ପକାଇ ଜଙ୍ଗଲ ଆଡେ ଚାଲିଲା । ଭାବନା କିନ୍ତୁ ସରିଲା ନାହିଁ । 

କେଡେ ଭାଗ୍ୟବାନ ଏ ଚିଅଁ ଗୁଡିକ । ବାଇଶି ବର୍ଷର ମିଲୁ ତା ଆହତ ଭାଗ୍ୟକୁ ତୋଉଲୁଥିଲା ଏ ଚିଅଁ ମାନଙ୍କ ସହ । ମଣିଷ ଗୁଡା ହୀନ ଜୀବ, ସଂଘର୍ଷମୟ ଜୀବନର ଅଙ୍କ କଷି ମିଲୁର ଏ ଧାରଣା ପଛରେ ରହିଛି ଖୁବ ବଳିଷ୍ଠ ଯୁକ୍ତି । ଯେଡେ ଚିକନ ଚାକନ ଜଣେ ଯେଉଁ ଅସଲି ସ୍ୱରରେ ରାବଦେଲେ ବି ଏ ଚିଅଁ ମାନଙ୍କ ଠାରୁ ମା କୁକୁଡାକୁ ଅଲଗା କରି ପାରିବ! ମିଲୁ ଭାବୁଥିଲା । କିନ୍ତୁ ମଣିଷ କି ଜଘନ୍ୟ । ମିଲୁ ମଣିଷକୁ ଘୃଣା କରୁଥିଲା; ସବୁ ମଣିଷଙ୍କୁ । ତା ଅତୀତ ଛବି ଭଳି ତା ଆଖି ସାମ୍ନାରେ ଚଳ ପ୍ରଚଳ ହେଲା ଆଗକୁ ଓ କେବେ ପଛକୁ । 

ସେ ବହୁତ କଥା । ବିଗତ ଶତାବ୍ଦୀର ଶେଷ ଭାଗର କଥା ।

ସବୁ କଥା ତାହାର ମନେ ନାହିଁ, ତିନି ବର୍ଷର ହୋଇଥାଏ ସେ । ଯେତିକି ମନେ ନାହିଁ ସେତିକି ସେ ଅନୁମାନ କରି ନେଇଛି ତା ବୟସର କ୍ରମବୃଦ୍ଧି ଅନୁସାରେ । ତେଣୁ ତା ଭାବନାରେ ଆଉ ସେ ପରଦା ନାହିଁ । ଖୋଲା ମେଲା । ବାସ୍ତବତାକୁ ଘୋଡାଇ ପକାଇ ତା କଷ୍ଟିଆ ଜୀବନଟିକୁ ଚଳନୀୟ କରିଥିଲା ପରଦା । କି ଅବସ୍ଥାରେ ସେମାନଙ୍କ ବାଳୁତ କାଳ କଟିଥିବ ଆଈଘରେ! ଭାଇ ଭଉଣୀ ତିନିଜଣ; ସେ, ମଲ୍ଲୀ ଅପା ଓ ଛୋଟ ଝି ମିନୁ । ତାଙ୍କ ଘରପାଖେ ଗାଆଁଟା ସାରା ରୁଣ୍ଡ ହୋଇଥାନ୍ତି । ଆହା ଏ ତିନିଟା କେମିତି ବଞ୍ଚିବେ ଦୁଧଖିଆ କଅଁଳ ଛୁଆକୁ ଛାଡି ଚାଲିଗଲା! ଛିଃ ଛିଃ, ମଣିଷ ପୁଣି ଏମିତି କରେ? କେତେ କଟୁବାକ୍ୟ କହୁଥାନ୍ତି ସମସ୍ତେ ତାହା ବୁଝି ପାରିନଥିଲା ମିଲୁ । ସେସବୁ ଶ୍ଳୀଳ ନୁହେଁ । ସବୁ କିଛ ଝାପ୍ସା ଝାପ୍ସା ମନେପଡୁଛି ମିଲୁ କିରିର । 

ମାଳିପଡାର ଲଖନ ମାଳି ନିତି ପ୍ରତିଦିନ ଆସୁଥିଲା ତାଙ୍କ ଘରକୁ । ମିଲୁକୁ କେତେ ଚକୋଲେଟ, ବିସ୍କୁଟ୍ ଦିଏ । ଆଈକୁ ଚାଉଳ, ପରିବା, ଗୁଡାଖୁ, ଦୋକତା ଇତ୍ୟାଦି ଆଣିଦିଏ । ସେ ଆସେ ତା ବାପା ଟିମା କିରି କାମକୁ ଚାଲିଗଲା ପରେ । ମିଲୁୁ ତା ଅଜା ଆଈ ପାଖେ ଖେଳେ । ମଲ୍ଲୀ ଅପା ସ୍କୁଲ ଯାଇଥାଏ । ମିନୁ ଥାଏ ମାଆ କୋଳରେ ।

ବାପା ଫେରିଲେ ମାଆ ସହ ଝଗଡା କରେ । ଲଖନ କାହିଁକି ଆସୁଛି ବୋଲି ଗାଳିଦିଏ । ତା ଅଜା ଓ ଆଈ ମା ପଟ ହୋଇ ଟିମାକୁ ବିରକ୍ତ ହୁଅନ୍ତି ।

କିନ୍ତୁ ଯେଉଁଦିନ ମାଆ ଉଭାନ ହୋଇଗଲା ଗାଁ ଲୋକେ ଛି ଛା କରୁଥାନ୍ତି । ମିଲୁ ଓ ତା ଅପା ବାପାକୁ ଜାବୁଡି ଧରି କିଛି ବୁଝି ନପାରି କାନ୍ଦୁଥାନ୍ତି । ମିଲୁର ଭାରି ରାଗ ହେଉଥାଏ ମାଆ ଉପରେ । ମଲ୍ଲୀ ବଡହେଲେ ବି ସମସ୍ତେ ତା ମାଆକୁ ଡାକନ୍ତି ମିଲୁ ମା, ସେଇଟା ତା ପାଇଁ ଅଧିକ ଦୁଃଖ । ମିଲୁ ମା, ଏମିତି କଲା କି ସେମିତି କଲା ଶୁଣିଲେ ତାକୁ ଲାଗେ ଯେମିତି ସବୁ ଅପବାଦ ତା ମୁଣ୍ଡରେ ଢାଳି ହୋଇଯାଉଛି । 

ଆରମ୍ଭ ହୋଇଗଲା, ମଲ୍ଲୀ, ମିଲୁ ଓ ମିନୁର ଦୁର୍ଦ୍ଦିନ । ଟିମା ଘରଜ୍ୱାଇଁଆ ପଳାତକ ଝିଅ ଘରେ ଜ୍ୱାଇଁର କି ସ୍ଥାନ? ଜନ୍ମକଲା ଝିଅକୁ ଝୁଣି ଖାଇବା ଅଜା ଆଈ ସେମାନେ ପର ପୁଅ କଥା ଭାବି ପାରିବା ଥିଲା ଅସମ୍ଭବ । ଟିମା ଯାହା ରୋଜଗାର କଲା ସବୁ ଝାମ୍ପି ନେଲେ । ତା ଛୁଆଙ୍କୁ ପଚାରୁଛି କିଏ ? ମଲ୍ଲୀକୁ ପାଠ ବନ୍ଦ କରି ଗଉଁତିଆ ଘରେ କାମରେ ଲଗାଇ ଦେଲେ । ମିଲୁ ପିଠିରେ ବୋହି ବୋହି ବୁଲିଲା ମିନୁକୁ । ମିଲୁ କିରି ସାକ୍ଷ୍ୟ ଦେଇ ପାରିବ, ପେଜ ପିଇକି ବି ମଣିଷ ଛୁଆ ବଞ୍ଚି‌ପାରେ । ଯେମିତି ମିନୁ । ଟିମା ଆଉ ସହି ପାରିଲା ନାହିଁ । ଛୁଆ ମାନଙ୍କୁ ଧରି ସ୍ୱଗୃହ ଚାଲିଲା । ଭାଇମାନେ ଦୂର୍ ଦୂର୍ କଲେ । ପିଲାମାନଙ୍କୁ ପୁଣି ଆଣି ଅଜା ଆଈଙ୍କ ପାଖେ ସଅଁପି ଦେଲା । ପରଦିନ ସେ ବି ପବନରେ ମିଳାଇଗଲା । ନିଷ୍ଠୁରତାର ଆଉ ଏକ ବୋଝ ଲଦି ହୋଇଗଲା ପିଲା ତିନିଙ୍କ ମୁଣ୍ଡରେ ।

ଆଜି ଭେଣ୍ଡିଆ ମିଲୁର ଆଖିରୁ ଦୁଇଧାର ତତଲା ଲୁହ ଗଡି ଆସିଲା । ପଥର ଉପରେ ଲଥକିନା ବସି ପଡି ଭୋ ଭୋ କାନ୍ଦିଲା । ମନେ ପଡିଲା ମଲ୍ଲୀ ଅପା କେମିତ ଗଉଁତିଆ ଘରୁ ମାଗି ଆଣୁଥିଲା ଭାତ, କେବେ କେବେ ଚୋରେଇ ଆଣୁଥିଲା ମଧ୍ୟ । ସେମାନଙ୍କୁୁ ଲୁଚାଇ ଲୁଚାଇ ଖୋଉଥିଲା । କେତେ ଥର ଧରାପଡି ଗାଳିମାଡ ଖାଇଛି । ଭୋକ ବିକଳରେ କଣ ସବୁ ନଖାଇଛନ୍ତି ସେମାନେ!

ବର୍ଷପରେ ବର୍ଷ କଟିଗଲା ନା ଫେରିଲା ମାଆ ନା ବାପା ।

ମିଲୁ କିରି ମୁଠା ଟାଣ କଲା, ଟାଙ୍ଗିଆକୁ ଜାବୁଡି ଧରିଲା ଏକା ନିଶ୍ୱାସକେ ଗାଦୁ ଗାଦୁ କାଟି ପକାଇଲା ଶୁଖିଲା ଗଛଟିଏ । ଗଛକୁ ନୁହେଁ ଯେମିତି ବାପା କି ମାଆରୁ ପଟେ ଗଡ ଗଡ କାଟି ଶୁଆଇ ଦେଲା । ଏହି ଜଙ୍ଗଲରୁ ଟିମା ଆଉ ଫେରି ନଥିଲା ଜଙ୍ଗଲ ଉପରେ ତାହାର ରାଗ। ବାପା ଉପରେ ରାଗ ଜଙ୍ଗଲ ଉପରେ ସୁଝାଉଥିଲା ।  

ମିଲୁ ମାଆ ତା ନିଜ ମଣିଷଟାକୁ ପର କରି ତିନି ତିନିଟା ଶିଶୁଙ୍କୁ, ବାପା ମାଆଙ୍କୁ ଓ ନିଜ ଘରକୁ ତ୍ୟାଗକରି ଲଖନ ମାଳି ସହ ଫେରାର ହୋଇଗଲା! ତିନି ଛୁଆର ମାଆ ସିନା ବୟସ ମାତ୍ର ତେଇଶି । ବୟସର ଜୁଆରରେ ଭାସିଗଲା ସାମାଜିକ ସାଣ୍ଠଣା ଶିଖିଥାନ୍ତା କେଉଁଠୁ । ଛୋଟ ବୟସରେ ବାପା ମରିଗଲା । ପନ୍ଦର ଦିନ ପୁରିନି ମାଆ ନୂଆ ମଣିଷ ପାଇଗଲା ପିଲାଏ ଯାହାଙ୍କୁ ଅଜା ବିଚାରୁଥିଲେ ସେ ତା ସାବତ ବାପା । ବାପା ମାଆ ରୋଗିଣା । ଟିମାକୁ ଘରଜ୍ୱାଇଁ କଲେ ଉଦ୍ଦେଶ୍ୟ ରୋଜଗାର । ଅର୍ଥ ଅଣ୍ଟେନି । ମିଲୁ ମାଆ ବି ରୋଜଗାର କରିବା ଦରକାର । କରେ । ସବୁ ନୀତି ମଧ୍ୟରେ ନୁହେଁ । 

ଲଖନ ମାଳି ମାତ୍ର ଅଠର ବର୍ଷର ଜୁଆନ । ଖୋଜିଲା ଏକଚାଟିଆ ଅଧିକାର । ପଳେଇଗଲେ? 

ହୁଏତ ମିଲୁ ମାଆ ଭାବୁଥିଲା କିନ୍ତୁ ଏ ପିଲାମାନଙ୍କ କଣ ହେବ? ଯାହା ହେବାକଥା ହେବ । ଯାହା ବି ହୋଇଯାଉ । ଦୁଷ୍ଟବୁଦ୍ଧି ଆଦିମ ପ୍ରବୃତ୍ତି ମିଲୁ ମାଆକୁ ପରାସ୍ତ କରିଦେଲା । ନିଜ ମଣିଷଟାକୁ..... ।

ସେମାନେ ଦୂର ସହର କୁସୁମପୁରକୁ ଚାଲିଗଲେ । ଦୁଇ ଅକ୍ଷର ପାଠ ପଢିଥିବା ଲଖନକୁ ମାରୁଆଡି ଦୋକାନରେ ଚାକିରି ମିଳିଗଲା । ସହରରେ କେତେ କାମ, ସହରରେ ବାସନ ମାଜିଲେ କେହି ଦେଖୁନାହିଁ, ଚିହ୍ନାଲୋକ ନଦେଖିଲେ କେଉଁ ଅବା କାମଟି ଅକାମ । ଦୁହେଁ ରୋଜଗାର କଲେ ମିଲୁ ମା’ର ହାତ କମ୍ପିଉଠେ କଣ କିଛି ସୁଆଦିଆ ଜିନିଷଟେ ପାଟିକୁ ନେଲେ । ତିନି ଠାକୁର ଦିଶି ଯାଆନ୍ତି ତାକୁ ଭୋକିଲା ସେମାନେ । କେତେ ତଳକୁ ସେ ଖସିଗଲା ପୁଣି ମନକୁ ବୁଝାଇ ନିଏ କେଉଁଦିନ ଅବା ସେ ଠିକ୍ ଥିଲା ଯେ! 

ସମୟ ବଦଳି ଯାଏ, ଗଛରେ କଢି ଆସେ, ଫୁଲଫୁଟେ, ଫଳ ହେଲା ବେଳକୁ ଲଖନ ମାଳିମାନଙ୍କ ହୋସ ଉଡିଯାଏ । ଲଖନ ଜିଦିକଲା ସେ ଫୁଲକୁ ବୃନ୍ତଚ୍ୟୁତ କରିବାକୁ ଓ ସେମିତି ହିଁ ହେଲା । ତାପରେ ଲଖନ ଫେରାର ହୋଇଗଲା । ପୁଣି କେଉଁ ଭିନ୍ନ ସହର, ଗାଁଆକୁ ଫେରିବାର ଉପାୟ ନାହିଁ । 

ମିଲୁ ମା! 

ଯାହା ହୁଏ ଅସହାୟତାରୁ ତାହା ଘଟି ଚାଲିଲା ତା ଜୀବନରେ । ବୟସ ଏତେ ସହଳ ବଦଳି ଯାଏ? ବୟସ ସବୁଠି ବଦଳୁଥାଏ । ମଲ୍ଲୀ, ମିଲୁ ଓ ମିନୁ ଜୁଆନ ହୁଅନ୍ତି ଅର୍ଦ୍ଧାହାର ଅପପୁଷ୍ଟି ସତ୍ତ୍ୱେ । ମିଲୁ ମା ଅଲୋଡା ହୁଏ, ରୋଗ ମାଡିବସେ, ଭିକ୍ଷା କରିବା ଏଣିକି ଶେଷ ଆଶା । 

ଅଜା ଆଈ ସେପାରିକୁ ଯାଆନ୍ତି । ମୂଲ ମଜୁରି କରୁ କରୁ ଅଜୁ ଡ୍ରାଇଭରବାବୁର ପ୍ରେମରେ ପଡିଯାଏ ମଲ୍ଲୀ ସେ ସତକୁ ତାକୁ ରାଣୀକରି ନେଇଯାଏ । ସେଇଠି ତା ଶାଶୁଘର ଯେଉଁଠି ତା ମାଆ ଭିକ୍ଷାକରି ଚଳେ; କୁସୁମପୁର । ଦିନେ ମନ୍ଦିର ସାମ୍ନାରେ ମାଆକୁ ଦେଖି ଚିହ୍ନିପାରେ ହେଲେ ସେ ତ ନାମ କହୁଛି ଭିନ୍ନ ମଲ୍ଲୀକୁ ଚିହ୍ନି ପାରୁନି । କେମିତ ବା ଚିହ୍ନିବ ମଲ୍ଲୀ ଆଜି ଫୁଟିଛି, ବାସ ଚହଟୁଛି, ମନରେ ଅଫୁରନ୍ତ ଆନନ୍ଦ, ସେ ଘରୁଆ ମଣିଷଟିଏ ପାଲଟିଛି, କଢିବେଳୁ ଛାଡି ଆସିଥିବା ତା ମାଆ କେମିତି ଚିହ୍ନିବ ତାକୁ ! ଅସହାୟ, ରୋଗୀଣି, ଅପରିଛନ୍ନ କିନ୍ତୁ ସେ ମାଅ; ମଲ୍ଲୀ ଠିକ୍ ଚିହ୍ନେ । ଏଣିକି ତା ଅସହାୟତା ଦେଖିବା ପାଇଁ ନିତିଦିନ ମନ୍ଦିରକୁ ଯାଏ । କାହାର ଅସହାୟତାକୁ ଆଉଜଣେ କେତେଦିନ ଅବା ଉପଭୋଗ କରିପାରେ । ନିଇତି ଦେଖିବା, କଥା ହେବା, ଅଭ୍ୟାସରେ ପଡିଯାଏ, ତହିଁରୁ ଜାତ ହୁଏ ରକ୍ତର ବିଦ୍ରୋହ, ସନ୍ତାନର କ୍ଷୋଭ, ଶ୍ରଦ୍ଧାର ଆର୍ତ୍ତନାଦ; ଏଣିକି କର୍ତ୍ତବ୍ୟ । ମା’କୁ ସେ ଘରକୁ ନେଇ ଆସେ ତା ସ୍ୱାମୀକୁ ମନେଇ- ତୁମେ ତ ସବୁବେଳେ ବାହାରେ ଶାଶୁ ଶଶୁର ଯଦି ଥାଆନ୍ତେ କଥା ଅଲଗା କେତେ ଅବା ଏକୁଟିଆ ରହିବି ।

ମିଲୁ ମାଆ ବୁଝିପାରେନି ତା ପାପ ଭାର ବୋହିବାକୁ ଈଶ୍ୱର ଏତେ ଦୟାଳୁ କାହିଁକି? ଦିନ ପରେ ଦିନ ବିତିଯାଏ ମାଆ ଛୁଆର ସ୍ନେହପାଏ ପରିଚୟ ପାଏନି । ଆଦର, ଯତ୍ନ ଓ ଚିକିତ୍ସାରେ ମାଆ ଭଲ ହୋଇଯାଏ । ମଲ୍ଲୀ ପାଖକୁ ତା ଭାଇ ଭଉଣୀ ବୁଲିଆସି ଫେରି ଯାଆନ୍ତି କେହି ଚିହ୍ନି ପାରନ୍ତି ନାହିଁ ମାଆକୁ । ମଲ୍ଲୀ ବି ସେମାନଙ୍କୁ ଚିହ୍ନାଇବା ଠିକ ହେବ କି ଭୁଲ୍ ବୁଝିନପାରି ତହିଁରୁ କ୍ଷାନ୍ତ ହୁଏ । ସେମାନଙ୍କୁ ନାମରେ ନଡାକି, ପୁଅ ଓ ଝିଅ ବୋଲି ଡାକେ ମଲ୍ଲୀ, ଚିହ୍ନା ନପକେଇବାକୁ । ସମୟ ଗଡିଚାଲେ ସେ ନିଜେ ହୁଏ ମାଆ । ଝିଅଟିଏ, ସେମାନେ ନାମ ଦିଅନ୍ତି ମୋତି । ତା ଛୁଆକୁ ଆଈମା ଅଜଣାତରେ ସବୁ ସେନେହ ଅଜାଡି ପକାଏ ଝିଅ ଓ ନାତୁଣୀର ସେବା ଯତ୍ନରେ ଆନନ୍ଦ ପାଏ । ଦାନର ପ୍ରତିଦାନ ଚାଲିଥାଏ ।

xxxxxxx

  ମିଲୁ କାଠ ଭାର ସଜାଡିଲା ଘରକୁ ଫେରିବ । ସେ ଖୁବ୍ ବେଶି ବୋହିପାରେ ତା କାଠ ଭାରକୁ ଭଲ ଦାମ ମିଳେ । ଆଜି ପୋଲିସ ବାବୁ ନିଜେ ତାକୁ କାଠ ଭାରଟେ ପକାଇବାକୁ ତାଗିଦ କରିଥିଲେ । ସେ ସିଧା ସିଧା ଚାଲିଲା ଥାନାକୁ । ଥାନାବାବୁ ଭଲ କାଠ ଜାଳିବେ ପୁଣି କେମିତି କହିବେ ଜଙ୍ଗଲରୁ କାଠ କାଟନି ବୋଲି! ଚଢା ଦାମ୍ ବି ଦିଅନ୍ତି । ଅବଶ୍ୟ ଶୁଖିଲା କାଠ କାଟିବାକୁ ବାବୁ କହନ୍ତି ।

ଆଜି ଥାନାବାବୁ କୁଆଡେ ନଯାଇ ଘରେ ଥିଲେ । ମିଲୁକୁ ଦେଖି ହସିଲେ ମନଖୋଲା । ମିଲୁ କାଠ ଭାର ପକାଇଲା ବାବୁଙ୍କ ପାଖେ ଠିଆ ହେଲା, ସେ କେବେ ମାଗିନାହିଁ, ନମାଗିଲେ ମିଳୁଛି ଯଦି ମାଗିବ କାହିଁକି? ଆଜି ସେ ଟଙ୍କା ଦେବା କଥା ଚିନ୍ତା ନକରି କେବଳ ହସୁଛନ୍ତି! କଣ ଏହାର ରହସ୍ୟ । 

-ଯା ଗାଧୋଇ ପାଧୋଇ ଆ ପେଟେ ଖାଇକି ଆସିବୁ । ଦୂର ସହରକୁ ଯିବା କାମ ଅଛି । ମିଲୁ ଡରିଗଲା ଜଙ୍ଗଲ ବିଭାଗ ତା ନାମରେ କେଶ୍ କରିଛନ୍ତି କି? 

ଥାନାବାବୁ ଏଥର କହିଲେ- ମିଲୁରେ ତୋ ବାପା ଟିମାର ସନ୍ଧାନ ମିଳିଛି । ତୁ ଆସେ ଆମେ ଯିବା । 

- ମୋତେ ଖାଲି ଠିକଣା ଦିଅନ୍ତୁ ବାବୁ ମୋର ଅନେକ ହିସାବ ବାକି ଅଛି । ମୁଁ ଲୁଚିବି ନାହିଁ ମୋ କାମ ସାରି ହଜୁର୍‌ଙ୍କ ପାଖେ ହାଜର ହେବି ଯାହା ଦଣ୍ଡ ଦେବେ ମଥା ପାତି ସହିନେବି ଟାଙ୍ଗିଆକୁ ନିଜର ମୁଠାରେ ଦୃଢଭାବେ ଜାବୁଡି ଧରି ଏକଥା କହିଲା, ମିଲୁ ।

-ଛି ସେମିତି କହନ୍ତି ତୋ ବାପା ପରା ପାଗଳ ହୋଇ ବୁଲୁଥିଲା । କେହି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନର ପ୍ରଚେଷ୍ଟାରେ ସେ ଏବେ ଅରୋଗ୍ୟ ଲାଭ କରିଛି । ନିଜ ନାମ ଓ ଠିକଣା କହି ପାରୁଛି । ପାଗଳଖାନାରୁ ତାକୁ ଛାଡିଦେଲେଣି କେଉଁଠିକୁ ଯିବ ସେ ପୁଅ ପାଖକୁ ନଆସି । ସେ କଣ କରିବ ତାର ମସ୍ତିଷ୍କ ବିକୃତି ଘଟିଥିଲା ଏହା ତାହାର ଦୋଷ ନୁହେଁ । ମିଲୁର ତାକତ ତକ ଲୁହହୋଇ ବୋହିଗଲା ସେ ବାବୁଙ୍କ ଗୋଡଧରି ଭୋ ଭୋ କାନ୍ଦି ଉଠିଲା । ଗାଁ ହୁଲସ୍ତୁଲ ହୋଇଗଲା । କେତେ ଲୋକ ବାହାରୁଥିଲେ ହେଲେ ଥାନାବାବୁ କେବଳ ମିଲୁ ଓ ମିନୁଙ୍କୁ ଧରି ଚାଲିଲେ ସରକାରୀ ଜିପ୍‌ଗାଡିରେ । ପୁଅ ଝିଅ ବାପାକୁ ଚିହ୍ନି ପାରୁନାହନ୍ତି ବାପା ବି ସେମାନଙ୍କୁ ଚିହ୍ନିବା ସମ୍ଭବ ନୁହେଁ । ଅଥଚ, ଏ ଅଚିହ୍ନା ପଣ ଟିକେ ବି ଉଣା କଲାନାହିଁ ସେମାନଙ୍କ ମିଳନ ପର୍ବକୁ । ଥାନାବାବୁ ତାଙ୍କ ଚାକିରିକୁ ଶତ ଧନ୍ୟବାଦ ଦେଉଥିଲେ ।

ସେମାନେ ଘରେ ପହଞ୍ଚିିଲେ ଘର ତାଙ୍କ ଲୋକାରଣ୍ୟ । ଟିମା ଗହଳି ମଧ୍ୟରେ ଖୋଜୁଥିଲା ମିଲୁ ମାଆକୁ ଓ ମଲ୍ଲୀକୁ । ପାଇଲା ନାହିଁ । ଚିହ୍ନିଲା ତା ସମୟର ଗ୍ରାମବାସୀଙ୍କୁ । ତା ଭାବନାଗୁଡା କେମିତି ଗୋଳମାଳ ହୋଇଯାଉଥାଏ । ସମୟ କେମିତି ଗଲା ପିଲାଏ କେମିତି ଏତେବଡ ହେଲେ,ସେ ନିଜେ କେମିତି ବୁଢା ହୋଇଗଲା, ସବୁ କିଛି ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା । ମଝି ସମୟ, ଦୁଃଖର ସମୟ, ମିଲୁ ମା ପଳାଇଯିବା କଥା କିଛି ସ୍ମରଣକୁ ଆସୁନଥିଲା ଟିମାର । ବରଂ ଭଲ ।

ପରଦିନ ମିଲୁ ଖବର ଦେବାକୁ ପହ‌ଞ୍ଚିଲା ମଲ୍ଲୀ ଘରେ । 

ମଲ୍ଲୀ ମନରେ ମଲ୍ଲୀ ଭଳି ବାସ ଚହଟିଗଲା । କାଳିଆ ଠାକୁରକୁ ତା ମନର ସୁଖପସରାକୁ ବାଢିଦେଲାପରେ ହଠାତ୍ ତାହାର ମନେପଡିଗଲା ମାଆ କଥା । ଏବେ ଆଉ ଲୁଚାଇ ହେବନି । ପିଲା ମାନଙ୍କୁ ସିନା ଚିହ୍ନିପାରୁନି ହେଲେ ବାପାକୁ ତ ଚିହ୍ନି ପାରିବ ବାପା ମଧ୍ୟ ତାକୁ ଚିହ୍ନିବ । 

ଦେଖାଯାଉ ସବୁ ସେହି କାଳିଆର ଇଛା । ମଲ୍ଲୀର ଦୀର୍ଘଶ୍ୱାସ ମିଲୁକୁ ଆଶ୍ଚର୍ଯ୍ୟ କଲା । ମଲ୍ଲୀ ନିଜେ ବାହରି ପଡିଲା ଭାଇ ସହ । ବାପା ତାକୁ ବି ଚିହ୍ନିପାରିଲା ନାହିଁ ସିନା ସେ ନିଜେ କିନ୍ତୁ ତା ମାଆକୁ ଚିହ୍ନିଲା ପରି ବାପାକୁ ବି ଚହ୍ନିପାରିଲା ।

ନାତୁଣୀ ମୋତିକୁ କୋଳରେ ଧରି ଟିମାର ଖୁସି କହିଲେ ନସରେ । 

ମଲ୍ଲୀ ଏବେ ତା ବାପା ଫେରି ଆସିବା କଥା ଅଜୁକୁ କହିଲା । ଅଜୁ ଖୁସି ନହେବ କେମିତି, ବାପାମାଆ, ଶାଶୁ ଓ ଶଶୁର ନଥିବା ଅଜୁକୁ ଜଣେ ହେଲେ କେହି ମିଳିଯିବା କେଡେ ଆନନ୍ଦର କଥା ।

ଟିମା କେତେ ଅବା ବସିବ ଘରେ ଛୋଟ ମୋଟ ପାଇଟି କଲା । ମିଲୁ ବାରଣ କଲେ ମାନେ ନାହିଁ । ଯାହା କିଛି ରୋଜଗାର ସାଇତି ରଖେ ମିନୁ ଓ ମିଲୁର ବାହାଘର କରିବ । ସମୟ ସହ ସେ ସଳଖ ହୋଇ ପାରେନା, ଏହା ମଧ୍ୟରେ ବଢିଥିବା ଦର ଦାମ ବାବଦରେ ସେ ଯଦି କିଛି ଭାବି ପାରୁଥାନ୍ତା ତାହେଲେ ବୁଝନ୍ତା ତା ସାରା ଜୀବନ ସାଇତିଲେ ମଧ୍ୟ ଛୁଆଙ୍କ ବାହାଘର ଖର୍ଚ୍ଚ ଗୋଟାଇ ପାରିବ ନାହିଁ ।

 ଗରୀବ ଲୋକର କାମ ଅଟକେ ନାହିଁ ତାଙ୍କରି ଭଳି ଲୋକ ତାଙ୍କୁ ଖୋଜି ଆସନ୍ତି । ଅଜୁ ପିଲାଟିଏ ଦେଖିଛି ସେ ପିଲା ମିନୁକୁ ଲୁଚି ଲୁଚି ଦେଖି ପସନ୍ଦ କରିଛି । ତା ବାପା ମାଆ ଦେଖିବାକୁ ଚାହୁଁଛନ୍ତି । ମଲ୍ଲୀଘରେ ଆୟୋଜନ ହେଲା ଦେଖାଦେଖି ପର୍ବ ।

ମଲ୍ଲୀ ଏବେ ବଡ ଧର୍ମ ସଙ୍କଟରେ ପଡିଲା । ଏବେ ତା ବାପା ମାଆ ପରସ୍ପର ଭେଟ ହେବେ, କଣ ଘଟିବ!

ଆଗଦିନ, ଟିମା ତା ପୁଅ ଝିଅଙ୍କୁ ଧରି ବଡଝିଅ ଘରକୁ ଆସିଲା କେତେ କେତେ କିସମର ମିଠାଇ ଓ ଲୁଗାପଟା ଧରି ସେ ବି ତ ଝିଅ ସରୁ ଯଦି ସରିବ ତା ସଞ୍ଚୟ । ପୁଣି ଖଟିବ ସାଙ୍ଗ ସାଥୀମାନେ ଚାନ୍ଦାଭେଦା ଦେବେ ମିନୁ ବାହାଘର ଅଟକିବ ନାହିଁ । ସେ ତା ବାପାମନରେ ଭାବି ନିଏ । ଅନେକ ଦିନ ବିରତି ପରେ ସେ ବାପା ପଦାକୁ ଫେରିଛି ଭାବନା ଅଧିକ ହେଉଛି ।

  ମଲ୍ଲୀ କୌଣସି ଉପାୟ ପାଇନି ଶେଷରେ ଈଶ୍ୱରଙ୍କ ଉପରେ ଛାଡି ଦେଇଛି । ତା ବିଗତ ଜୀବନ ତା ଭାଇ ଭଉଣୀଙ୍କ ଲାଳନ ପାଳନ, ସେମାନେ ସବୁ ବଡହେବା ଅଜୁ ଭଳି ନିଶାପାଣି ନଥିବା ସୁନ୍ଦର ମଣିଷଟେ ପାଇବା, ତା ମାଆକୁ ନର୍କରୁ ଉଦ୍ଧାର କରିବା, ବାପା ଫେରି ଆସିବା ଓ ପୁଣି ଏବେ ମିନୁ କୁଳ ଠିକଣା ପାଇବାକୁ ଯାଉଥିବା; ଏତେସବୁ ଯଦି ହେଉଛି ସେ କାହିଁକି ଭୟ କରିବ । ଯାହା ହେବାର ଥିବ ହେବ । ସେ ତା ମାଆକୁ ଚିହ୍ନିଥିବା କଥା ଚିରଦିନ ତା ମଧ୍ୟରେ ଲୁଚାଇ ଦେବାକୁ ମନ ସ୍ଥିର କଲା । ମାଇକିନା ଝିଅ ତା ପଣତ ତଳେ ସାତ ସମୁଦ୍ର ଲୁଚାଇ ଦେଇପାରେ ଏ ବା କି କଥା । ତା ମନ ମଧ୍ୟର କୁନି ବୁଦ୍ଧି ରୂପକ ଭଗବାନ ଏକଥା ତାକୁ ସ୍ପଷ୍ଟ ଜଣାଇଦେଲେ । 

ସେ ବେଶ୍ ସହଜ ହୋଇଗଲା ।

ଟିମା ପହଞ୍ଚିଲା ।

ସେତେବେଳେ ମୋତିକୁ କାଖେଇ ମିଲୁ ମାଆ ଦାଣ୍ଡ ଦୁଆରେ ଥାଏ । ସ୍ତବ୍ଧ ହୋଇଗଲେ ଉଭୟେ । ଗୋଟାପଣେ ଦେହରୁ ଝାଳ ବୋହିଗଲା ମିଲୁ ମାଆର ଛୁଆଟିକୁ ସେଇଠି ଛାଡିଦେଇ ଘର ଭିତରକୁ ଚାଲିଗଲା । ଏଡିକି ଟିକିଏ ଘର ଲୁଚିବ କେଉଁଠି । ଏତେ ସେନେହ ଛାଡି ପୁଣି ରାସ୍ତାକୁ ପଳାଇବାର ନିଷ୍ପତ୍ତି ନେବାପାଇଁ କିଛି ସମୟ ଦରକାର ନିଶ୍ଚୟ । ସରମ ଅଛି କିନ୍ତୁ ସମୟ କାହିଁ? 

ଟିମା କହିବାର ଶୁଣାଗଲା କିରେ ତୁମେ ମାନେ ମାଆକୁ ଏଇଠି ଲୁଚାଇ ରଖିଛ!

ମାଆ !

ଏକ ସ୍ୱରରେ କହି ଉଠିଲେ ମିନୁ, ମିଲୁ, ଅଜୁ । ତା ସହ ଅଗତ୍ୟା ପାଳି ଧରିଲା ମଲ୍ଲୀ ।

ଟିମା ବିନାଦ୍ୱିଧାରେ ଘର ଭିତରକୁ ପଶିଗଲା ମିଲୁ ମା ଦିଗରେ । ତାକୁ ଈଶ୍ୱର ସଦୟ କିଛି ତାହାର ମନେ ନାହିଁ ସେହି ଅଘଟଣ ସବୁ । ସେ ତା ତିନିଛୁଆଙ୍କ ମାଆକୁ ଯେମିତି ସାତ ତାଳ ପାଣି ଚଉଦତାଳ ପଙ୍କ ତଳର ଉଆସ ମଧ୍ୟରେ ବେଶ୍ ଏକ ସୁନ୍ଦର ସିନ୍ଦୁକରେ ଥିବା ସୁନା ଫରୁଆ ମଧ୍ୟରେ ଆବିଷ୍କାର କରିଛି । 

ମିଲୁର ଟକମକ୍ ଗରମ ରକ୍ତ ତା ବାପାର ଆନନ୍ଦ ପ୍ରଭାବରେ ଆଶ୍ଚର୍ଯ୍ୟଜନକ ଭାବେ ଥଣ୍ଡା ପଡିଗଲା । ମିନୁ ସେ ବା କଣ ଭାବି ପାରିବ ସେ ଥିଲା ଖୁବ୍ ଛୋଟ କିଛି ବି ସ୍ମରଣରେ ନାହିଁ। ଏମିତି ବି ବଡ ଭଉଣୀ ଓ ଭାଇଙ୍କ ହେପାଜତରେ ସେ କେବେ ଦୁଃଖ କଣ ଅନୁଭବ କରିନି । ସବୁଥିରେ ତା ଭାଗଟି ଆଗ । ସେ ତା ବାପା ଭଳି ଖୁସିରେ ଗଦ ଗଦ ହୋଇ ଉଠିଲା । ମଲ୍ଲୀ କେବଳ ଯାହା ଅଭିନୟ କରୁଥିଲା ଯେ ସେ ଆଶ୍ଚର୍ଯ୍ୟ ଏତେ ଦିନ ଯାହାକୁ ଆଣି ଘରେ ଆଶ୍ରୟ ଦେଇଥିଲା ସେ ଆଉ କେହି ନୁହେଁ ତା ନିଜ ଜନ୍ମକଲା ମାଆ!

ଅଜୁ କହିବାର ଶୁଣାଗଲା, ଈଶ୍ୱର ଖୁବ୍ ମହାନ, ତୁମେ ମାନେ ଥାଇ ଛେଉଣ୍ଡ ଥିଲ, ମୁଁ ନଥାଇ ଛେଉଣ୍ଡ ଥିଲି ଆମର କେଡେ ସୌଭାଗ୍ୟ!

କିନ୍ତୁ ମିଲୁ ମା ସେ ସବୁ ପାଇବା ଭିତରେ ନିଜକୁ ନିଜେ ଚିହ୍ନୁଥିଲା କେଡେ ଅଭିଶପ୍ତ ସେ । ସେ ନିଜକୁ କ୍ଷମା କେବେ କରି ପାରିବ ନାହିଁ । ତାକୁ ପୁଣି ସେଇଠିକୁ ଫେରିବାକୁ ପଡିବ ଯେଉଁଟା ତା ନିଜଘର । ନିଜଘର ପୁଣି ଏତେ ଦୂର ହୋଇପାରେ । ତା କଳଙ୍କିତ ଜୀବନରେ ସେ ଦଣ୍ଡ ପାଇବାର ହକଦାର ନପାଇବ କେମିତି । ସ୍ୱାମୀର ଆଦର, ପିଲାମାନଙ୍କ ଯତ୍ନ, ଗାଁ ପରିବେଶର ଜଳବାୟୁ ଏ ସମସ୍ତେ ତା ପାଇଁ ଦଣ୍ଡ ତା ସମଗ୍ର ଅବଶିଷ୍ଟ ଜୀବନ ।

ତେବେ ତାପାଇଁ ଏତିକି ସାନ୍ତ୍ୱନା ତା କର୍ମମାନ ତା ସ୍ୱାମୀର ସ୍ମରଣରେ ନାହିଁ । ସେ ଦୁଃଖ ପାଇବ ନାହିଁ । 

ଅବଶ୍ୟ ସମୟ ଗଡିଚାଲିଲା ସୁରୁଖୁରୁରେ ମିନୁ ବାହାଘର ହେଲା ତା ପରେ ମିଲୁବି ଘରକୁ ଆଣିଲା ଲକ୍ଷ୍ମୀ । କାଳେ ପୁଣି ଟିମା ପାଗଳ ହୋଇଯିବ ଏ ଭୟରେ କେହି ତା ମନରେ ଦୁଃଖ ଦେବା ପାଇଁ ଅତୀତ ଘଟଣା ବର୍ଣ୍ଣନା କରିବା ଦେଖାଗଲାନି । ସମୟ ସବୁକିଛିର ସମାଧାନ କରିଦେଲା । ମିଲୁ ମନରେ ନା ବାପା ନା ମାଆ କାହା ପ୍ରତି ନଥିଲା ସାମାନ୍ୟ ବିରକ୍ତ ଭାବ । 

ଆଉ ମଲ୍ଲୀ, ସତକୁ ସତ ଚିରଦିନ ଲୁଚାଇ ଦେଲା ସାତ ସମୁଦ୍ରର ସମସ୍ତ ଗୋପନୀୟ ତଥ୍ୟ । ବାଃ ।



Rate this content
Log in

Similar oriya story from Tragedy