Rabinarayan Senapati

Tragedy Crime Others

3  

Rabinarayan Senapati

Tragedy Crime Others

ଦଙ୍ଗା

ଦଙ୍ଗା

3 mins
187



ପୁଅ ଡାକୁଥିଲା ବୁଦ୍ଧିଜୀବୀ ବାପାଙ୍କୁ, ଆସ ଚେସ୍ ଖେଳିବା।


 କି ରେ, ଅନଲାଇନ ଖେଳୁନୁ?

 

ବାପା, ସରକାର ଇଣ୍ଟରନେଟ ବନ୍ଦ କରିଦେଇଛନ୍ତି, ଇନ୍ଦୁପୁରରେ ଦଙ୍ଗା ହେଉଛି ପରା। 


ହଁ ହଁ ମୁଁ ଭୁଲିଯାଇଥିଲି।


ବାପା, ଦଙ୍ଗା କଣ? ଇନ୍ଦୁପୁରରେ କି ଦଙ୍ଗା ହେଉଛି?


ଧର୍ମର ସୁରକ୍ଷା ପାଇଁ ଓ ଦେଶର ଭଲପାଇଁ ଧର୍ମଯୋଦ୍ଧାମାନେ ଆତ୍ମବଳିଦାନ ଦେଇ ବିଧର୍ମୀ ମାନଙ୍କୁ ଉଚିତ ଶିକ୍ଷା ଦେଉଛନ୍ତି।


ବାପା ଏମିତି କହିଦେଲେ ସିନା ବଡ ଅସ୍ବସ୍ତି ଅନୁଭବ କଲେ। ସାମାଜିକ ଗଣମାଧ୍ୟମରେ ଉତ୍ତେଜକ ଅନେକଥା ଲେଖି ଲୋକଙ୍କୁ ଉସୁକେଇବା ଅଲଗା କଥା, କିନ୍ତୁ ଆପଣାର ବାଳୁତ ପିଲାକୁ ଏସବୁ କଥା କୁହାଯାଇ ନପାରେ। ହେଲେ, ବାରମ୍ବାର ଏମିତି ସବୁ ଲେଖିଲେଖି ତାଙ୍କ ଅଭ୍ୟାସ ହୋଇଗଲାଣି। ଭାଗ୍ୟ ଭଲ ପୁଅ ତାଙ୍କର ଏସବୁ କଥା ବୁଝିପାରୁନାହିଁ।


ପୁଅ ଏବେ କହିଲା, -ବାପା, ଏ ଶିକ୍ଷା ସେମାନେ ସ୍କୁଲରେ ଦେଉଛନ୍ତି ନା କଲେଜରେ? ମୁଁ ଏହି ଶିକ୍ଷା ନିଅନ୍ତି।


ନା ବାବା ତୋର ସେ ଶିକ୍ଷା ଦରକାର ନାହିଁ, ତୁ ପରମ ଧର୍ମର ଅଂଶବିଶେଷ। ବିଧର୍ମୀ ନୋହୁଁ।


ନାଇଁ ବାପା ମୁଁ ବିଧର୍ମୀ ହୋଇଥିବି, ଦେଖୁନ କେମିତି ନିଇତି ରାତିରେ ବିଛଣାରେ ମୁତି ଦେଉଛି।


ଏପର୍ଯ୍ୟନ୍ତ ଶୁଣୁଥିବା ବଡ ଭଉଣୀ ହେଁ ହେଁ ହସି କହିଲା, -ତୁ ଗୋଟେ ବୋକା, ଦଙ୍ଗା ମାନେ ଧରମ ନାମରେ ଝଗଡା। ମୋ ସାଙ୍ଗ କେ ଓ ତୋ ସାଙ୍ଗ ଏଲ, ଡରେ ଆଜି ଆମଘରକୁ ଆସିଲେ ନାହିଁ ଦେଖୁନୁ। ଦଙ୍ଗା ଅର୍ଥ ସେମାନଙ୍କ ସହ ଆମର ଝଗଡା। ଦଙ୍ଗା ସବୁ ଠେଙ୍ଗା ଖଣ୍ଡା ଧରି ହଣାକଟାର କଥା। ଆହୁରି କେତେ କଣ, ତୁ ବଡହେଲେ ବୁଝିବୁ।


କିନ୍ତୁ ଇନ୍ଦୁପୁରରେ ଧର୍ମଯୁଦ୍ଧ ଚାଲିଛି। ବିଧର୍ମୀଙ୍କୁ ଶିକ୍ଷା ଦିଆଯାଉଛି ଯେ? ମୁଁ ବାଡିଖେଳ ଭଲକି ଶିଖିଲିଣି, ମୋର କିଏ କଣ କରିବ। ବାପା ବାପା ମୁଁ ଯିବି, କେମିତି ଶିକ୍ଷା ଦିଆଯାଏ ଦେଖିବି।


ବୋକା ଟୋକା, ତୁ କଣ କେ ଓ ଏଲକୁ ପିଟି ପାରିବୁ। ତୁ ପିଟିଲେ, ସେମାନେ ସିନା ବାଡି ବୁଲେଇ ଶିଖି ନାହାଁନ୍ତି ହେଲେ ଜାଣିଛୁ ତ ଏଲ୍'ର ଲକ୍ଷ କେମିତି ସିଧା, ଯେଉଁ ନେନ୍ଥାକୁ ଢେଲା ଫିଙ୍ଗେ ସେ ଆମ୍ବ ନିଶ୍ଚିତ ତଳକୁ ଖସେ। ଯଦି ତୋ ମୁଣ୍ଡକୁ ଢେଲା ଫିଙ୍ଗିଲା।


ସେମାନେ ସବୁ ଆମ ସାଙ୍ଗ, ତାଙ୍କ ସାଙ୍ଗରେ ଝଗଡାକୁ ଦଙ୍ଗା କୁହାଯାଏନି ନାନୀ, ତୁ ନିଜେ ହୁଣ୍ଡି, କିଛି ଜାଣିନୁ। ହଁ ନା ବାପା? କିନ୍ତୁ ସତରେ ଯଦି ଏଲ୍ ସହ ଝଗଡା ହୁଏ, ସେ ଯେତେ ଢେଲା ଫିଙ୍ଗିଲେ ବି ମୋ ଦେହରେ ବଜାଇ ପାରିବ ନାହିଁ, ମୁଁ ବାଡି ଖେଳୁଥିଲେ। ହଁ ନା ବାପା?


ବାପା ଏବେ ବଡ ଅକଳିଆରେ ପଡିଲେ। ଏମିତି କହିବା ଉଚିତ ନୁହେଁ ବୋଲି ସେ ଭାବି ହେଉଥିଲେ। ହଁ ହଁ କହିଲେ ବାପା। ବୁଝାପଡିଲା ନାହିଁ କେଉଁ ପ୍ରଶ୍ନର ଉତ୍ତରରେ ସେ ହଁ ହଁ କହିଲେ। ସେମାନେ ସାଙ୍ଗ, ତାଙ୍କ ସହ ଝଗଡା ନାହିଁ, ଏହାକୁ ହଁ କହିଲେ କିମ୍ବା ତାଙ୍କ ପୁଅ ହାତରେ ବାଡିଥିଲେ ସେ ଅଜେୟ ବୋଲି ହଁ କହିଲେ। ଅଗତ୍ୟା ବାପା କହିଲେ -ଆଣ ଆଣ ଡବା ଚେସ ଖେଳିବା। କୁଆଡେ ଯିବା ଦରକାର ନାହିଁ କବାଟ କିଳି ଘରେ ରୁହ।


ବାପା ଜାଣିଥିଲେ ବୁଦ୍ଧିଜୀବୀ ମାନେ ସମ୍ମୁଖ ଦଙ୍ଗାକୁ ଯିବାର ଆବଶ୍ୟକତା ନାହିଁ। ସେମାନେ ଘରେବସି ଦଙ୍ଗା ପରିଚାଳନା କରିପାରିବେ। ଗରିବ, ଅଶିକ୍ଷିତ ଓ ବୋଲକରା ଲୋକଙ୍କ ଅଭାବ ନାହିଁ ସେମାନଙ୍କୁ ଧର୍ମନିଶାରେ ମତୁଆଲା କରି କାର୍ଯ୍ୟ ହାସଲ କରାଯାଇପାରେ। ସେ ବା ତାଙ୍କ ପୁଅ ଘରେ ସୁରକ୍ଷିତ ରହିବା ସ୍ଥିର। ପୋକମାଛି ମାନେ ମଲେ ମରନ୍ତୁ। ଉତ୍ତେଜିତ ମସ୍ତିଷ୍କକୁ ନାନାଦି ଭାବନା ଆସୁଥିଲା ତାଙ୍କର। ସେ ପୁଣି ଲେଖିବେ, ନିଜର ଲେଖା ବଳରେ ସେ ଧର୍ମର ସୁରକ୍ଷା କରିବେ। ତାଙ୍କ ପାଇଁ ବଳିଦାନ ଦେବେ ଅନେକ ପୋକମାଛି। ସେ ବୁଦ୍ଧିଜୀବୀ ଯେ!


ଏମିତି ବିଚଳିତ ମନରେ ସେ କି ଚେସ୍ ଖେଳିବେ ଯେ? ସହସା ପୁଅ ଦେଲା ଚେକମେଟ। ଏହି ସମୟରେ କବାଟ ଖଡଖଡ ହେଲା। କେ ଓ ଏଲ ସମେତ ତାଙ୍କ ସାରା ପରିବାର ହାଜର ହୋଇଯାଇଥିଲେ। ନେଟ ବନ୍ଦ ହେଲେ କଣ ହେବ, କାନକୁ କାନ ଗୁଜବ ପ୍ରଚାରିତ ହୋଇସାରିଥିଲା ଦଙ୍ଗାଇ ମାନେ ଏଠାକୁ ବି ଆସିବେ। ସେମାନେ ଭୟରେ ଚାଲିଆସିଥିଲେ ଶରଣାପନ୍ନ ହୋଇ। 


ମାଆ କହୁଥିଲେ, କିଛି ଡରିବାର ନାହିଁ ଆଜି ଏଇଠି ରହିଯାଅ, ଭୋଜି କରିବା। ବାପା କେ ବାପାଙ୍କୁ ଆଲିଙ୍ଗନ କରୁଥିଲେ। ପଚାଶ ବର୍ଷର ଆଜନ୍ମ ବନ୍ଧୁତା, ଏଡେ ସହଜରେ ଦୋହଲିଯିବ। ବନ୍ଧୁ ପୁଣି ଆଜି ଶରଣାପନ୍ନ। ବ୍ୟକ୍ତିଗତ ଧର୍ମ ଓ ସାମୁହିକ ସାମ୍ପ୍ରଦାୟିକତା ଦ୍ବନ୍ଦ୍ବରେ ବାପା ହୋଇଥିଲେ ବିଜୟୀ। ପୁଅ କହୁଥିଲା, କେ ଦିଦି, କେଦି, କେଦି ଚାଲ ଚେସ୍ ଖେଳିବା ଏ ନାନୀ କି ବାପା ଖେଳି ଜାଣୁନାହାନ୍ତି। 


Rate this content
Log in

Similar oriya story from Tragedy