ଦିଲ୍ଲୀ
ଦିଲ୍ଲୀ
ଦିଲ୍ଲୀ ! ହେତୁ ପାଇବା ଦିନରୁ ମୋର ଦିଲ୍ଲୀ ମହାନଗରୀ ପ୍ରତି ଅହେତୁକ ଆକର୍ଷଣ ! ସହସ୍ର ସହସ୍ର ବର୍ଷ ଧରି ମହାଭାରତୀୟ ସ୍ରୋତର ପ୍ରାଣ କେନ୍ଦ୍ର ରହି ଆସିଛି ଏଇ ଦିଲ୍ଲୀ । ଶାସନ ଓ ସଂସ୍କୃତିର ନାଭିକ୍ଷେତ୍ର । ପୁରାଣ ଓ ଇତିହାସ ପୃଷ୍ଠାର କାଳଜୟୀ କାହାଣୀମାନଙ୍କ ବିଷୟବସ୍ତୁର ଅନୁସରଣରେ ମୁଁ ବାରମ୍ବାର ଆବିଷ୍କାର କରେ ମୋତେ, ମୋ ନିଜକୁ, ନିଜର ବିଲୁପ୍ତ ପ୍ରାୟ ସତ୍ତାକୁ ଏହି ମହାନଗରୀର ରହସ୍ୟମୟ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ଧ୍ଵସ୍ତ ବିଧ୍ୱସ୍ତ ସ୍ଥାପତ୍ୟରେ । ପ୍ରାରବ୍ଧ, ପୂର୍ବଜନ୍ମ, ପରଜନ୍ମ, ପୁନର୍ଜନ୍ମ ଆଦିରେ ଆମେ ତ ସଭିଏଁ ବିଶ୍ୱାସ କରୁ । ମୁଁ ବା ଏଥିରୁ ବାଦ୍ ପଡିଥାନ୍ତି କେମିତି??
ଏଇ ଇତିହାସର ଅନେକ କାହାଣୀରୁ ଗୋଟିଏ କହାଣୀ ମୋର ବି ଏମିତି । ମୋର କଳ୍ପନା ବିଳାସ ବି ଏଥି ପାଇଁ ଅନେକ ମାତ୍ରାରେ ଦାୟୀ । ଇତିହାସ ପ୍ରତି ଥିବା ମୋର ଅଗାଢ ଶ୍ରଦ୍ଧା ଅବା ଦୁର୍ବଳତା ମଧ୍ୟ ଏହି ଦାୟିତ୍ୱବୋଧରୁ ମୁକ୍ତ ନୁହଁନ୍ତି । କେଜାଣି କାହିଁକି ମୋତେ ପୁଣି ଥରେ ଘଟିଯାଇଥିବା ଘଟଣାବଳୀକୁ ଆଉ ଥରେ ଜୀବନ୍ୟାସ ଦେଇ ମନଭରି ଜୀଇଁବାକୁ ଇଚ୍ଛା ହୁଏ । ପୁନଃପୁନଃ ଚିନ୍ତନରେ ମଗ୍ନ ରହେ ଏଇ ଖିଆଲି ଲୋକଟାର ଜାଗତିକ ସତ୍ତା । ଏଇ ଖିଆଲ ହିଁ ମୋ ପାଇଁ ଜୀବନ ଜୀଇଁବାର ଏକ ଉତ୍ତମ ମାଧ୍ୟମ, ସନ୍ମାର୍ଗ ।
କହୁ କହୁ ଦିଲ୍ଲୀରୁ ପଥ ହୁଡି ଦୂରକୁ ଚାଲି ଆସିଛି । ହଁ, ଏଇ ଦିଲ୍ଲୀ, ମୋ ପାଇଁ ଗୋଟିଏ ସହର କି ନଗର ନୁହେଁ । ଜଡ଼ ନିଷ୍ପ୍ରାଣ ଭୂମିର ଟୁକୁଡ଼ା ନୁହେଁ । ପଥର ପାଚେରୀ ଘେରା ଗଡ଼ କିମ୍ବା ଜନପଦଟିଏ ନୁହେଁ, ବରଂ ପ୍ରାଣବନ୍ତ କାବ୍ୟ ନାୟିକାଟିଏ । ମୋର ପ୍ରେୟସୀ, ବାଗଦତ୍ତା, ଅଭିସାରିକା !! ଆଉ ମୁଁ ଦିଲ୍ଲୀ ଦରବାରର ଏକାଙ୍ଗ ଚକ୍ରବର୍ତ୍ତୀ ନିରଙ୍କୁଶ ସମ୍ରାଟ ଭାବେ ନିଜକୁ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରେ, ଅବଶ୍ୟ କଳ୍ପିତ କାହାଣୀରେ । ମୋ ପାଇଁ ଓ ମୋର ଜାଗତିକ ସତ୍ତାରେ ଦିଲ୍ଲୀର ସ୍ଥାନ ଅନନ୍ୟ ଚିରକାଳ!
ଆଜି ମଧ୍ୟ ମୋର ପ୍ରତିଟି ଦିନର ଦୈନନ୍ଦିନ ଜୀବନଚର୍ଯ୍ୟା ମୋର ଆରମ୍ଭ ହୁଏ ଦିଲ୍ଲୀ ସଂପର୍କିତ ସୂଚନାକୁ ଆଧାର କରି ଏବଂ ଦିବସର କୋଳାହଳ ଥମି ଯିବା ପରେ ପୁଣି ଦିଲ୍ଲୀ ମୋ ମନ ମସ୍ତିଷ୍କରେ ତାର ପ୍ରଭାବ ବିସ୍ତାର କରେ । ଏଇ ମୋର ନିଚ୍ଛକ ନିରୁତା ଅନାବିଳ ଭଲପାଇବା ଦିଲ୍ଲୀ ପ୍ରତି ନୁହେଁ ତ ଆଉ କଣ? ପିଲାଦିନେ ବେଳେ ବେଳେ ମୋର ଖିଆଲି ମନରେ ପଦେ କଥା ଧସେଇ ପଶେ "ଦିଲ୍ଲୀ ଏବେ ବହୁତ ଦୂର, ଚାଲ ଆଗେ ଭୁବନେଶ୍ୱର!" ମୋର ଅବଚେତନ ମନରେ ଉଦବେଳନ ସୃଷ୍ଟି ହୁଏ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ "ଦିଲ୍ଲୀ ଚଲୋ" ସ୍ଲୋଗାନର ଏଇ ପ୍ରତିକ୍ରିୟା ନୁହେଁ ତ?? ହୋଇବି ପାରେ ଏମିତି । ଯେପରି ବିବାଦୀୟ ଏବଂ ବିତର୍କିତ ପରିସ୍ଥିତିରେ ନେତାଜୀ ଅନ୍ତର୍ଦ୍ଧାନ ହୋଇଗଲେ ଆଉ ଦିଲ୍ଲୀ ଦୂରରେ ହିଁ ରହିଗଲା ମୋ ସହିତ ସେହିପରି ହିଁ ସଂଘଟିତ ହୋଇଛି ଘଟଣା।
ଦୀର୍ଘ ଏକ ଦଶନ୍ଧି ପୂର୍ବେ ପ୍ରହେଳିକାର କୁହୁଡି ପହଁରି ପହଁରି କର୍ମ ସଂସ୍ଥାନର ଅନ୍ବେଷଣ ମୋତେ ଡାକି ନେଇଥିଲା ଦିଲ୍ଲୀ । ଏକ ଅନନ୍ୟ ଅସାଧାରଣ ସମ୍ମୋହନୀ ମାୟାବିନୀ ଆକର୍ଷଣ ଦିଲ୍ଲୀର ମୋ ପ୍ରତି । ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପକୁ ଖାତିର୍ ନ କରି ଏମିତି ଦିନେ ମୁଁ ଆସି
ହାଜର ଦିଲ୍ଲୀରେ । ଆମ ପରି ଅଭାବୀ ଲୋକଙ୍କ ଗୁଜୁରାଣ ମେଣ୍ଟାଇବାର ଆଶା ଏମିତି ମହାନଗରୀରେ ପୂର୍ଣ୍ଣ ହୁଏ ବୋଲି ଶୁଣିଥିଲି । କେଉଁଠି ନା କେଉଁଠି କିଛି ନା କିଛି କାମ ମିଳିଯାଏ ବଞ୍ଚିବା ପାଇଁ । କିନ୍ତୁ ଏଠି ଯେ, କେହି ବି କାହାର ନୁହଁନ୍ତି ତାହା ଜାଣି ନଥିଲି । ଦିଲ୍ଲୀ କାଳେ ଦିଲବାଲାଙ୍କ ସହର!!
ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରର ନଭଶ୍ଚୁମ୍ବୀ ଅଟ୍ଟାଳିକା, ସୁରମ୍ୟ ବିପଣୀ, ଅସମ୍ଭାଳ ଜନଗହଳି ମୋ ପରି ମଫସଲିଆ ମଣିଷକୁ ଆକ୍ତାମାକ୍ତା କରିବା ପାଇଁ ଯଥେଷ୍ଟ ଥିଲା । ଅଣନିଃଶ୍ୱାସୀ ହୋଇ ପଡୁଥିଲା ମୋର ଶରୀର ଏବଂ ଅନ୍ତରାତ୍ମା ଏଠିକାର ପ୍ରଦୂଷଣରେ । ରାଜସ୍ଥାନରୁ ବହି ଆସୁଥିବା ତତଲା ପବନରେ ଦୁର୍ବିସହ ଲାଗୁଥିଲା ଜୀବନ । ମନେ ପଡୁଥିଲା ପଛରେ ଛାଡି ଆସିଥିବା ମୋ ଗାଆଁର ଶାଗୁଆ ଧାନ କ୍ଷେତ, ନଈ ନାଳ, ବଣ ପାହାଡ଼, ଆଉ ପଖାଳ କଂସା! ! ଏଠି ବହି ଯାଉଥିବା ଯମୁନା ନଦୀ ମୋ ଗାଁର ଦେବୀ ନଦୀ ପରି ଆପଣାର ନଥିଲା । ତଥାପି ମୋ ସ୍ୱପ୍ନର ରାଣୀ ଦିଲ୍ଲୀ ମହାନଗରୀର ମାୟାରେ ମୋର ମନ ପ୍ରାଣ ଆବିଷ୍ଟ ଥିଲା । ଏହାକୁ ସମ୍ଭବତଃ ମୋହ କୁହନ୍ତି ଲୋକେ!
ଅନେକ ଦିନ ଧରି ଏଇ ମହାନଗରୀର ରାଜପଥରେ ସଂଘର୍ଷ କରିଛି ନିଜର ଯତ୍ କିଞ୍ଚିତ ଶିକ୍ଷା ଦୀକ୍ଷାକୁ ଉପଯୋଗ କରି ଜୀବନ ଧାରଣର ମାଧ୍ୟମର ଅନ୍ୱେଷଣରେ । ଧୂ ଧୂ ଖରାରେ ଜଳି ପୋଡି ପାଉଁଶ ହୋଇଯାଇଛି ମୋର କଅଁଳିଆ ସ୍ଵପ୍ନର କଢି଼ ସବୁ । ଆଚରଣ ଆଉ ଉଚ୍ଚାରଣର ପାର୍ଥକ୍ୟକୁ ନେଇ ମୋର ପ୍ରାଣ ବ୍ୟଥିତ । ଉପରକୁ ଦିଲଦାରିଆ କୁହାଯାଉଥିବା ଏଠିକାର ଲୋକ ବି ଅନ୍ୟମାନଙ୍କ ପରି ସାଧାରଣ ସହରବାସୀ । ଏମାନଙ୍କଠାରୁ ବିଶେଷ କୌଣସି ସୁଗୁଣ ଆଶା କରିବା ବୃଥା । ସେହି ଚିରାଚରିତ କାହାଣୀ ଦିଲ୍ଲୀବାସୀଙ୍କର ମଧ୍ୟ।
ମୋର ଦୁର୍ବଳ ସ୍ୱାସ୍ଥ୍ୟ ଦିଲ୍ଲୀରେ ରହିବା ପାଇଁ ବାଧକ ସାଜିଥିଲା । ବହୁ ସଂଘର୍ଷ ପରେ ପ୍ରାପ୍ତ ଟିକକ ସୁଖକୁ ସବୁ ମୋହ ମାୟା ତୁଟାଇ ଅଗତ୍ୟା ବାହୁଡ଼ିବାକୁ ପଡିଲା ଭିଟାମାଟିକୁ । ମୋର ଅଭାବୀ ଅଥଚ ଚିର ସବୁଜ ସୁନ୍ଦର ସଂସାରକୁ । ଦିଲ୍ଲୀର ଉଗ୍ରାଧୁନିକ ଚାକଚକ୍ୟ ଆଭିଜାତ୍ୟପୂର୍ଣ୍ଣ ପରିବେଶ ସମ୍ଭବତଃ ମୋ ପରି ମଳିମୁଣ୍ଡିଆ ଖଟିଖିଆ ମଜୁରିଆଟେ ପାଇଁ ଉପଯୁକ୍ତ ନଥିଲା । କାହାରିକୁ କିଛି ଦୋଷାରୋପ କରିବାର ନାହିଁ । ନିଜେ ନିଜକୁ ସନ୍ମାର୍ଗରେ ପରିଚାଳିତ କରାଇବା ହିଁ ସୁସ୍ଥ ଜୀବନ ଯାପନ କରିବାର ମୂଳମନ୍ତ୍ର ! ଏହା ହିଁ ଶିକ୍ଷା ଦେଇଛି ମୋର ପ୍ରେୟସୀ ଦିଲ୍ଲୀ!
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୋର କଳ୍ପନା ବିଳାସ ନେଇଛି ଏଇ ଯମୁନାର ପ୍ରଦୂଷିତ ବକ୍ଷରେ ଜଳ ସମାଧି । ଜନ୍ମ ନେଇଛି ବାସ୍ତବତାର ବୃକ୍ଷଟିଏ । ମାତ୍ର ଗୋଟିଏ ଥରର ପରିଭ୍ରମଣରେ ପରାଜିତ ସୈନିକ କିମ୍ବା ପ୍ରତାରିତ ପ୍ରେମିକ ଭାବେ ନୁହେଁ ବରଂ ବାସ୍ତବବାଦୀ ଦରଦୀ ମଣିଷଟିଏ ମୋତେ ସଜାଇ ଦେଇଛି ଏହି ଦିଲ୍ଲୀ ! କେବଳ ପ୍ରାପ୍ତିରେ ତ ହିଁ ନଥାଏ ଜୀବନର ସାର୍ଥକତା କେବେ କେବେ ତ୍ୟାଗରେ ବି ଥାଏ ଜୀବନର ମହନୀୟତା! ! ଆମର ଗୋଟିଏ ରାସ୍ତା ବନ୍ଦ ହୋଇଗଲା ପରେ ଅନେକ ରାସ୍ତା ଆପେ ଆପେ ଖୋଲିଯାଏ, ଏହା ହିଁ ଜୀବନର ଅଲୌକିକ ବରଦାନ।
"ଯେତେ ଆଶା ଆକାଂକ୍ଷା ରହିଛି ଅପୂର୍ଣ୍ଣ ଅସମ୍ପୂର୍ଣ୍ଣ,
ନୂତନତ୍ୱର ସେସବୁକୁ ଶତ ଶତ ସଶ୍ରଦ୍ଧ ନମନ!"