Pramod Kumar Jena

Inspirational

2.6  

Pramod Kumar Jena

Inspirational

ଦୀପଶିଖା

ଦୀପଶିଖା

4 mins
14.7K


ଦୀପାବଳିକୁ ମୋ ନାତୁଣୀ କାନେ କାନେ କହିଥିଲା, ଅଜା ! ଦୀପାବଳିକୁ ଯେମିତି ହେଲେ ଆସିବ l କିନ୍ତୁ ଆମ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ତା’ର ପୂର୍ବ ଦିନ l ତେଣୁ ଝିଅ ଘରକୁ ଯିବା ସମ୍ଭବ ହେଲା ଭଳି ଲାଗୁ ନ ଥାଏ l କାଲି ରାତିରେ ମଧ୍ୟ ତା’ ଆଇକୁ ଫୋନ୍ କରି ଭୁଲି ନ ଯିବାକୁ ରିମାଇଣ୍ଡ୍ କରିଦେଇଛି l ଛୋଟ ପିଲା ଏଲି l କ’ଣ ବା ଜାଣେ ? ଅଜା ଆସିବେ l ଆଇ

ଆସିବେ l ଦୀପାବଳିରେ ଫୁଲଝରି, ଲକ୍ଷ୍ମୀବାଣ, ଚକ୍ରୀ..... କେତେ କ’ଣ ଆଣିଥିବେ l କେତେ ମଜା ହେବ l ଅନେକ ଦିନରୁ ମନରେ ବସା ବାନ୍ଧି ବସିଛି l ଏ ପଟେ ସାହିତ୍ୟ ସଂସଦ l ସକାଳୁ ସକାଳୁ ବାଲକୋନିରେ ବସି ଚାହା ପିଉଥାଏ l ହଠାତ୍ ଫୋନ୍ ଆସିଲା l ପଚାରିଲି ଶ୍ରୀମତିଙ୍କୁ, ଦେଖିଲ କାହାର ଫୋନ୍?

    ଟିକିଏ ହସି ଶ୍ରୀମତି କହିଲେ, ଆଉ କିଏ ? ଏଲି....... ରାତିରେ କ’ଣ ତା’କୁ ନିଦ ହେଉଛି ନା କ’ଣ ? ଏତିକି କହି କଲଟିକୁ ରିସିଭ୍ କରି ମୋ ହାତକୁ ବଢେଇ ଦେଲେ l

       : ହାଲୋ...... ଅଜା.....

       : ଆରେ ମା’ ଏଲି..........

       : କୁଆଡେ ଯାଇଥିଲ ?? କାଲିଠୁ ଫୋନ୍ କରୁଛି l ତମେ ଧରୁନ l ଆଇ ଧରୁଛନ୍ତି l

       : ମୁଁ କ’ଣ ଗୋଟେ ଲେଖାଲେଖି କରୁଥିବି l

       : କାଲି ଆସୁଛ ନା ନାହିଁ ?

: ଆରେ ମା’......

: କ’ଣ ଆରେ ମା’? ଆସୁଛ ନା ନାହିଁ ?

: ହଁ...... ଯେ.....

: କ’ଣ ହଁ ଯେ ? ତମେ ତ ପ୍ରମିସ୍ କରିଥିଲ l

: ଓ.କେ. ବାବା l ମୁଁ ଦୀପାବଳି ପୂର୍ବରୁ ନିଶ୍ଚିତ ପହଞ୍ଚିବି l ଟିକିଏ କାମ ଅଛି l କାମ ସାରି ସିଧା ତୋ’ ପାଖରେ ପହଞ୍ଚିଯିବି l

: ତମେ ତ ବହୁତ ଆସ୍ତେ ଆସ୍ତେ ଗାଡି ଚଲୋଉଛ l ଡେରି ହେଲେ କେତେବେଳେ ପହଞ୍ଚିବ ?

: ତୁ ଚିନ୍ତା କରନା l ମୁଁ ତୋ’ ପାଖରେ ପହଞ୍ଚିଯିବି l

: ଏବେ କ’ଣ କରୁଛ ?

: ବସିଛି l

: କିଛି ଷ୍ଟୋରୀ ଲେଖୁନ ?

: ନାଁ.... ରେ କିଛି ମନେ ପଡୁନି l

: ତା’ ହେଲେ କ’ଣ କରିବା ?

: ତୁ ଗୋଟେ ଷ୍ଟୋରୀ କହୁନୁ l ସେଇଟା ମୁଁ ଲେଖିଦେବି l

: ଆରେ ନାଁ........ ସେମିତି ଜମ୍ମା ହୁଏନି l

: କାହିଁକି ହୁଏନି ?

: ସେଇଟା ଚିଟିଙ୍ଗ୍ l ସେମିତି କଲେ ଠିକ୍ ନୁହେଁ l

: ଆଚ୍ଛା......

: ହଁ......... ନିଜେ ଲେଖିବାକୁ ହୁଏ l ନିଜେ ଭାବି ଭାବି ଲେଖିବାକୁ ହୁଏ l କାହାଠୁ ଚିଟିଙ୍ଗ୍ କଲେ ଭଲ ନୁହେଁ l ସେଥିରେ ଜମ୍ମା ପ୍ରାଇଜ୍ ମିଳିବନି l

ମୋ ମୁଣ୍ଡ ଚକ୍କର୍ ଖାଇଗଲା l

: ଆଚ୍ଛା.... ଆଚ୍ଛା.... ଠିକ୍ ଅଛି l

ହଠାତ୍ ମାନିର ସ୍ୱର ଶୁଣାଗଲା l

: ଦେ.... ଦେ.... ମୋତେ ଦେ.... ଅଜାଙ୍କ ସାଥିରେ କ’ଣ ଗପି ଚାଲିଛୁ ?

: ହେଲୋ....... ମାନି.........

: ହଁ ବାବା ! ଏଲି କ’ଣ କହୁଥିଲା ?

: ଆରେ ବାବା...... ମୋ ମୁଣ୍ଡ କାମ କରୁନି l

: କ’ଣ ହେଲା ?

: ଏଡିକି ବକଟେ ପିଲା l କ୍ଲାସ୍ ୱାନରେ ପଢୁଛି l ଏତେ ବଡ କଥା କହିଦେଲା l

ଫୋନରେ ମାନିକୁ ଏଲିର ସବୁ କଥା କହିଲି l ମୋ କଥା ଶୁଣି ମାନି ଖୁବ୍ ଜୋରରେ ହସି ଉଠିଲା l

: ଆରେ ହସିଲୁ କାହିଁକି ?

: କଥା କ’ଣ କି ବାବା ! ଏଲି ସ୍କୁଲରେ ଗୋଟେ କମ୍ପିଟିସନ୍ ହୋଇଥିଲା ଦଶହରା

ଉପରେ l ସମସ୍ତେ ଘରୁ ସେ ପ୍ରୋଜେକ୍ଟ୍ ୱାର୍କଟି କରି ଆଣିବାକୁ କୁହା ଯାଇଥିଲା l କିନ୍ତୁ ସେତେବେଳେ ତା’ ବାବା ଟୁରରେ ଥିଲେ l ମୋତେ ବି ଫୁରୁସତ୍ ନ ଥିଲା ଘର କାମରୁ l ତା’ ଛଡା ମୋକ ଡ୍ରଇଙ୍ଗରେ ଦକ୍ଷତା ଜିରୋ l ତେଣୁ ମନ ଦୁଃଖରେ କାନ୍ଦି କାନ୍ଦି ନିଜେ କଲା l ବହୁତ ମନ ଦୁଃଖରେ ଆମ ଦୁଇଜଣଙ୍କୁ ବ୍ୟାଡ୍ ପାରେଣ୍ଟସ୍ କହି ସ୍କୁଲକୁ ଗଲା l ଟିଚର୍ ସମସ୍ତଙ୍କର ପ୍ରୋଜେକ୍ଟ୍ ୱାର୍କ୍ ଦେଖିଲେ l ଆଉ ପଚାରିଲେ ଏଗୁଡାକ କିଏ କରିଛି  ? ଛୋଟ ପିଲାମାନେ ତ ମିଛ କହି ଜାଣନ୍ତିନି l କିଏ କହିଲା ମମ୍ମି କରିଛନ୍ତି l କିଏ କହିଲା ଡାଡି କରିଛନ୍ତି l ପୁଣି କିଏ କହିଲା ଡ୍ୟାଡି ମମ୍ମି ଦୁଇ ଜଣ ମିଶିକରି କରିଛନ୍ତି l ଯେତେବେଳେ ଏଲିକୁ ପଚାରିଲେ, ସେ କହିଲା, ମୁଁ ନିଜେ କରିଛି l ଆଉ ସବୁଠାରୁ ମଜା କଥା ହେଲା, ଏଲିର ପ୍ରୋଜେକ୍ଟ୍ ୱାର୍କକୁ ଫାଷ୍ଟ୍ ପ୍ରାଇଜା ମିଳିଲା l ତାଙ୍କ ଟିଚର୍ ଯାହା କହିଥିଲେ, ସେଇ କଥା ସେ ତମକୁ ଶୁଣେଇଦେଲା l

ଏତିକି କହି ଜୋରରେ ହସିବାକୁ ଲାଗିଲା ମାନି l କିଛି ସମୟ କଥା ହେବା ପରେ ସେ ଫୋନ୍ ରଖି ଦେଲା l ହେଲେ ମୋ କାନରେ ଏଲିର ସେଇ କଥାପଦିକ ବାରମ୍ବାର ଶୁଣା ଯାଉଥିଲା – ଚିଟିଙ୍ଗ୍ କଲେ କ’ଣ ପ୍ରାଇଜ୍ ମିଳେ ? ନିଜେ ଭାବି ଭାବି ଲେଖିବାକୁ ପଡେ l ଏଡେ ବକଟେ ଛୁଆ l ପ୍ରଥମ ଶ୍ରେଣୀରେ ପଢୁଛି l ଅଥଚ ତାଙ୍କ ସ୍କୁଲ୍ ଟିଚରଙ୍କ ଉପଦେଶ ତା’ ମନରେ ଛାପି ହୋଇ ଯାଇଛି l ଭାବିଲି, ଆମେ ପଢୁଛୁ, ଶୁଣୁଛୁ, ଦେଖୁଛୁ l ତଥାପି ଶିଖିପାରୁନୁ l

କିଏ ପୁରୁଣା ସିନେମା ଦେଖି ଗପ ରୂପ ଦେଲାଣି ତ କିଏ ଅନ୍ୟ ଭାଷାରୁ ଉଧାର ଆଣି ଲେଖିଲାଣି l ପୁଣି କିଏ ଅନ୍ୟର ଲେଖାକୁ ଏପଟ ସେପଟ କରି ନିଜ ନାଁରେ ଛାପିଲାଣି l ଏ ଗୋଲକ ଧନ୍ଦା ଏତେ ଜୋରଦାର ଚାଲିଛି ଯେ କାହା ମନରେ କ୍ଷୋଭ ନାହିଁ, ଅନୁତାପର ଛାୟା ନାହିଁ l ସେହି ମିଥ୍ୟା ଖ୍ୟାତି ପାଇଁ ଅନ୍ଧକାରରେ ଏପଟ ସେପଟ ହେଉଛନ୍ତି l ଏ ବକଟେ ଛୁଆର ଦୁଇ ପଦ କଥା ନୁହେଁ, ଲାଗିଲା ଏ ଯେମିତି ଆସନ୍ତା ଦୀପାବଳିର ପ୍ରଥମ ଦୀପଶିଖା l


Rate this content
Log in

Similar oriya story from Inspirational