Sriman Bapu

Tragedy Inspirational Children

3  

Sriman Bapu

Tragedy Inspirational Children

ଦୀପା ର ନିଆରା ହସ

ଦୀପା ର ନିଆରା ହସ

5 mins
318



     ଓଡ଼ିଶା ଆର୍ଦଶ ବିଦ୍ୟାଳୟ , ନେଗିପାଲି , ଜିଲ୍ଲା-ନୂଆପଡ଼ାର ଦୁଇହଜାର ଷୋହଳ ମସିହା , ଏପ୍ରିଲ୍ ମାସରେ ନୂଆକରି ଜନ୍ମ । ସବୁ ଛାତ୍ରଛାତ୍ରୀ , ଶିକ୍ଷକ ଆଉ ଶିକ୍ଷୟିତ୍ରୀ ବି ନୂଆ । ଷଷ୍ଠ , ସପ୍ତମ ଆଉ ଅଷ୍ଟମର ସମୁଦାୟ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ସେତେବେଳେ ଦୁଇଶହ ଚାଳିଶ । ଅଧାରୁ ଟିକେ ଅଧିକ ଛାତ୍ରୀଙ୍କ ସଂଖ୍ୟା ତନ୍ମଧ୍ୟରୁ ଷଷ୍ଠ ଶ୍ରେଣୀରେ ଦୀପା ମାଝୀ ନାମ୍ନୀ ଟିକିଝିଅଟିଏ । 


    ସ୍କୁଲରେ ଯେଉଁ ପିଲା ଭଲ ପଢ଼ନ୍ତି , ବାଳୁଙ୍ଗାମୀ କରନ୍ତି କିମ୍ବା ଆକୃଷ୍ଟ କଲାଭଳି ଲୋକ ଦୃଷ୍ଟିରେ କୈାଣସି ବିଶିଷ୍ଟ ଗୁଣର ଅଧିକାରୀ ସେଇମାନେ ହିଁ ଜଲ୍ଦି ଦୃଷ୍ଟିରେ ପଢ଼ନ୍ତି । ମୋ ସୀମିତ ଦୃଷ୍ଟିରେ ଦୀପା ଏସବୁ ବର୍ଗରେ ଆସେ ନାହିଁ । ନିରିମାଖୀ , ନିଷ୍କପଟ ଆଉ ସରଳ ଝିଅଟିଏ କେବେ କିଛି ପଚାରିଲେ ପ୍ରତିଉତ୍ତରରେ ତା'ର ସେ ଟିକିଟିକି ତୋଫା ଧଳା ଦାନ୍ତକୁ ଦେଖେଇ ହସିଦିଏ । ଏଇ ହସ ହିଁ ତାକୁ ନିଆରା କରି ରଖେ ଅନ୍ଯ ପିଲାମାନଙ୍କ ଠୁଁ ।


      ପ୍ରଥମ ବାର୍ଷିକ ପରୀକ୍ଷା ପରେ ବିଦ୍ୟାଳୟର ପ୍ରଥମ ଖରା ଛୁଟି ସଭିଏଁ ଖୁସ୍ ! 'ମେ' ମାସ ଶେଷରେ କି ଜୁନ୍ ମାସ ଆରମ୍ଭ ଠିକ୍ ଭାବରେ ମନେ ନାହିଁ । ଆମ ଶିକ୍ଷକମାନଙ୍କ ହ୍ଵାଟ୍ସଆପ ଗ୍ରୁପ ରେ କିଛି ଛବି ସହ ଏକ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣାର ଖବର ପ୍ରଚାରିତ ହୋଇଗଲା । 


    ଷଷ୍ଠ ଶ୍ରେଣୀ ଏ ସେକ୍ସନରେ ଥିବା ସେ ଟିକି ଆଦିବାସୀ ଝିଅ ଦୀପା ମାଝୀ ଏବେ କଟକ ବଡ଼ ଡ଼ାକ୍ତରଖାନାରେ ! ଛୁଟିରେ ମାମୁଁଘର ଛାତ ଉପରେ ଖେଳୁଥିବା ବେଳେ ଛାତ ଉପର ଦେଇ ଯାଇଥିବା ଇଲେଭେନ୍ କେ.ଭି. ତାରର ସଂସ୍ପର୍ଶରେ ଆସି ତା'ର ଦୁଇହାତ ସମ୍ପୂର୍ଣ ଜଳିଯାଇଛି !


      ଦୀପାର ସେ ନିଆରା ହସ ମନରେ ପ୍ରଥମେ ବିଜୁଳି ପରି ଝଲସି ଉଠିଲା ! ତା'ପରେ ଭୀଷଣ ରାଗ ଲାଗିଥିଲା , ସେ ରୁଗ୍ଣ ମାନସିକ ଲୋକଟି ପ୍ରତି ( ଏଇଭଳି ଲୋକ ଆଜିର ସମାଜରେ ଭରପୁର ଯେଉଁମାନେ ଏମନ୍ତ ଖବରର ଫଟୋ ଆଉ ଭିଡ଼ିଓକୁ ଖୁବ୍ ଉପୋଭୋଗ କରନ୍ତି । ଏମାନଙ୍କ ପାଇଁ ଏହା କେବଳ ତୁଚ୍ଛା ରୋମାଞ୍ଚକର ସମାଚାର ଆଉ ମନୋରଞ୍ଜନ ) ଯେ ଏଭଳି ହୃଦୟ ବିଦାରକ ଫଟୋ ସବୁ ହ୍ଵାଟ୍ସଆପ ରେ ଭାଇରାଲ୍ କରିଥିଲା । ମେସେଜର ପ୍ରତି ଉତ୍ତରରେ କ'ଣ ଲେଖିଥାନ୍ତି ? ସୋ ସ୍ୟାଡ଼ ! ନା ମିଛ ଲୁହ ଝରାଉଥିବା ଏମୋର୍ଟ ଆଇକନ୍ସ ଯୋଡେ ଚାରିଟା ? ନୀରବତା ହିଁ ଏକମାତ୍ର ବିକଳ୍ପ ଥିଲା । ପ୍ରଥମେ ସୂର୍ଯ୍ୟ ସାର୍ ଆଗେଇ ଆସିଥିଲେ ତା'ପରେ ସବୁ ଶିକ୍ଷକମାନେ  ପରେ ପରେ ସବୁ ପିଲା ନିଜ ସମ୍ବଳ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେଲେ । ସ୍କୁଲ ଖୋଲିବା ପୂର୍ବରୁ ସାହାସ ସଞ୍ଚୟ କରି କଟକ ଯାଇଥିଲିି , ଦୀପାକୁ ଦେଖିବାକୁ ।


      ଦିତୀୟ ଥର ଅସ୍ତ୍ରୋପଚାର ପାଇଁ ଅପେକ୍ଷାରେ ପଡ଼ି ରହିଥାଏ ଦୀପା । ମନା କରିବା ସତ୍ତ୍ୱେ ତା' ବାପା ଦେଖିବା ପାଇଁ ଦୀପା ଦେହରେ ପଡ଼ିଥିବା କନା ଖଣ୍ଡିକ ଉଠେଇ ଦେଲେ । କେତେ ଖଣ୍ଡର ହାଡ଼ ବିଶିଷ୍ଟ ଚଢ଼େଇ ତୁଲ୍ଯ ଦୀପାର ଟିକି ଦେହଟିକୁ ବିଜୁଳି ରାକ୍ଷାସୁଣୀ ଅଧା ଯେମିତି ଝିଙ୍କି ଖାଇଯାଇଥିଲା !


      ସେ ଅବସ୍ଥାରେ ଦୀପାର ହୋସ୍ ଥିଲା ଆଉ ସେ ମୋତେ ଚିହ୍ନି ପାରିଲା । ଅପ୍ରତ୍ୟାଶିତ ଭାବେ ଜଣେ ପରିଚିତ ଶିକ୍ଷକଙ୍କୁ ଭେଟି ଖୁସି ଜାହିର କରିବା ପାଇଁ ଯେଉଁ ମାନସିକ ଶାରୀରିକ ଶକ୍ତି କିମ୍ବା ଛଳନାର ଆବଶ୍ୟକତା ରହିଛି ନିଷ୍କପଟ ଝିଅଟି କାହୁଁ ପାଇଥାନ୍ତା ? ଦୀପା ! ଜଲ୍ଦି ଠିକ୍ ହୋଇ ସ୍କୁଲ ଆସିବାର ଅଛି । ଏଇଭଳି ଏକ ଶୁଖିଲା ଆଶ୍ୱାସନା ଦେବା ଛଡ଼ା ଆଉ ପାଖରେ କିଛି ନଥିଲା । ଅସହାୟ ହୋଇ ତା'ର ବାପାଙ୍କ ହାତରେ ସାମାନ୍ୟ ସହାନୁଭୂତି ଆଉ ସହାୟତା ସ୍ୱରୂପ କିଛିଟା ଟଙ୍କା ଗୁଞ୍ଜି ଦେଇ ଏକମୁହାଁ ହୋଇ ଫେରିଆସିଥିଲି ।


      କଟକ ବଡ଼ ମେଡ଼ିକାଲରୁ କଟକ ରେଳଷ୍ଟେସନ ସେଠୁ ଟ୍ରେନ ଯୋଗେ ନୂଆପଡ଼ା ।  ବାକ୍-ରୋଧ ଶବ୍ଦଟିର ପ୍ରକୃତ ଅର୍ଥ ସେହି ଦିନ ବୋଧହୁଏ ପ୍ରଥମଥର ପାଇଁ ବୁଝିଥିଲି । ସ୍କୁଲ ଭିତରେ‌ ଆଉ ବାହାରେ ତା ବିଷୟରେ ଚର୍ଚ୍ଚା ଚାଲିଥାଏ । ହେଲେ ମୋତେ କେବଳ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଥିଲା କି ଦୀପା ମୁହଁରେ ସେ ହସ କ'ଣ କେବେ ଫେରିଆସି ପାରିବ ?


      ଏ ଦୁର୍ଘଟଣାର ଆଠ କି ନଅମାସ ପରେ ଦିନେ ଦୀପା ସ୍କୁଲକୁ ଆସିଲା । ଆମେ ସମସ୍ତେ ଏକ ନିୟନ୍ତ୍ରିତ ଭାବନାର ସହ ତାକୁ ସ୍ୱାଗତ କଲୁ ଆଉ ତାର ଅଦମ୍ୟ ସାହସକୁ ଅକୁହା ଭାଷାରେ ଉଛ୍ଛ୍ୱସିତ ପ୍ରଶଂସା । ସେଦିନ ସେ ବହୁତ କାନ୍ଦିଲା , ଏତେଦିନ ପରେ ସ୍କୁଲ ଫେରି ଆସିଥିବାର ଖୁସି , ତା'ପ୍ରତି ଘଟିଯାଇଥିବା ସେ ଅକଳ୍ପନୀୟ ଅନ୍ୟାୟ ଆଉ ଅସହ୍ୟ ଯନ୍ତ୍ରଣାର ଅକୁହା ବେଦନା ସବୁ ଫୁଟ୍ ଫୁଟ୍ ହୋଇ ଆଖି ବାଟେ ବାହିରି ଆସିଥିଲା ଲୁହ ହୋଇ । ତାର ପ୍ରିୟ ସାଙ୍ଗସାଥୀ ଆଉ ବିଦ୍ୟାଳୟ ପରିବେଶର ଆନ୍ତରିକ ସ୍ପର୍ଶ ଯୋଗୁଁ ଏହା ସମ୍ଭବପର ହୋଇଥିଲା ।


      ଦୀପା ତା'ପରେ ନିୟମିତ ସ୍କୁଲ ଆସେ । ପ୍ରଥମେ ସେ ବହୁତ ଚେଷ୍ଟା କଲା ତା'ର ଦୁଇ ଦାନ୍ତମାଢି ମଝିରେ କଲମ ଧରି ଲେଖିବାକୁ , ପରେ ତା'ର ଦୁଇ ଅଧାହାତ ସାହାଯ୍ୟରେ ଲେଖା ଅଭ୍ୟାସ କଲା । ନିରନ୍ତର ପ୍ରୟାସ ଫଳରେ ଏବେ ସେ ସ୍ବଛନ୍ଦରେ ସୁସ୍ପଷ୍ଟ ଲେଖିପାରୁଛି । କେବେ ହାର୍ ନ ମାନି ନିରନ୍ତର ପ୍ରୟାସ ଜାରି ରଖିବାର ଏକ ମହାନ ଗୁଣର ଅଧିକାରୀଣୀ ସେ ଏବେ ।


      ଦୀପା ଏବେ ଅଷ୍ଟମ ଶ୍ରେଣୀରେ ପଢୁଛି । ଦୁର୍ଘଟଣା ପରେ ତା'ର ସ୍କୁଲକୁ ଆସିବା ତିନିବର୍ଷ ଉପରେ ହେଇଯିବ । ମଝିରେ ଆମେ ଶିକ୍ଷକମାନେ ଚିନ୍ତା କରୁଥିଲୁ ଦୀପା କେମିତି ବାକି ପିଲାଙ୍କ ସହ ନିଜକୁ ସମ୍ମିଳିତ କରିପାରିବ ? ତା'ର ଖାଇବା ପିଇବା ପୁଣି ଝିଅପିଲାଟା ସୁବିଧା ଅସୁବିଧା ଅଛି । ତାର ଯତ୍ନ ସବୁବେଳେ କିଏ ନେବ ? ଦିବ୍ଯାଙ୍ଙ୍ଗଙ୍କ ପାଇଁ ଉଦ୍ଧିଷ୍ଟ ବିଦ୍ୟାଳୟ ତା'ର ଉନ୍ନତି ପାଇଁ ଠିକ୍ ହେବ । ଯେହେତୁ ତା'ର ପୂ୍ର୍ଣ୍ଣ ଅଧିକାର ଅଛି ବାକି ପିଲାଙ୍କ ଭଳି ଏହି ସ୍କୁଲରେ ପଢ଼ିବାର । ହେଲେ ଆମ ବିଦ୍ୟାଳୟର ବ୍ୟବସ୍ଥା ତା ପାଇଁ କେତେ ସହଯୋଗୀ ?


      ଦୀପାର ଅଦମ୍ୟ ଇଚ୍ଛାଶକ୍ତି ଆଉ ଆମର ଅସହାୟତା ଯୋଗୁଁ ଶେଷରେ ଯାହା ଯେମିତି ଚାଲିଛି ଚାଲିଥାଉ ନୀତି ଆପଣେଇ ନେଲୁ । ସେବେ ଠାରୁ ଆଜି ଯାଏଁ ପ୍ରତିଦିନ ଖାଇବା ଛୁଟିରେ ଦୀପାର ସାଙ୍ଗମାନେ ମିଶି ନିଜେ ଖାଇବା ପୂର୍ବରୁ ତାକୁ ଖୁଆଇ ଦିଅନ୍ତି । ପୂଜା, ନିର୍ମଳା, ମୋହିନୀ ଏଇମିତି ଆଉ କିଛି ଝିଅ କିଛିକିଛି ଦିନ ପାଳିକରି ଏଇ ମହାନ୍ କାର୍ଯ୍ୟଟିକୁ ବଡ଼ ଧୈର୍ଯ୍ଯର ସହ ନିର୍ଦ୍ବନ୍ଦ ଆଉ ନିସର୍ତ୍ତରେ ସଂପାଦନ କରଦିଅନ୍ତି । 

   ଆଜିଯାଏଁ କୈାଣସି ବି ସମସ୍ୟା କେବେ ଦେଖାଦେଇନି । କେବେ କେବେ ହୁଏତ ତାଙ୍କ ମଧ୍ୟରେ ମନମାଳିନ୍ଯ ଘଟିଥାଇପାରେ ହେଲେ କେବେ ବି କିଏ ଦୀପାକୁ ଦୟା ଦେଖାଇବାର ପରିଲକ୍ଷିତ ହେଇନି । ଦୀପା ବି ନିଜର ଅସାମର୍ଥ୍ଯ ଆଉ ଅସହାୟତାକୁ ଏତେ ଛୋଟ ବୟସରେ ଗଭୀର ଭାବେ ଉପଲବ୍ଧି କରିସାରିଛି ଆଉ ତା'ର ଏ ଉପଲବ୍ଧି ତାକୁ ଦୁର୍ବଳ ନ କରି ବଂଚିବା ପାଇଁ ଆବଶ୍ୟକ ଜୀବନ କୈାଶଳଟି ପ୍ରତି ସଚେତନ କରେଇ ଆହୁରି ଦୃଢ଼ କରାଇ ଦେଇଛି ବୋଲି ମୋର ଧାରଣା‌ ।


      ଦୀପା ସହିତ ତା ସାଙ୍ଗମାନଙ୍କର ଏଭଳି ଆଚରଣ ମୋତେ ସ୍ତବ୍ଧ କରେ ! ସତରେ କେବଳ ଝିଅମାନେ ହିଁ ଏଭଳି ଗୁଣର ଅଧିକାରୀଣୀ । ମାତୃତ୍ଵ ପ୍ରେମର ଏ ଜ୍ୱଳନ୍ତ ଉଦାହରଣ ପ୍ରତିଦିନ ଦେଖିବାକୁ ମିଳେ । ଦୀପା ବି ସେଭଳି ପ୍ରତିସ୍ନେହ , ଭଲପାଇବା ଢ଼ାଳି ଦେଉ ନ ଥିଲେ ଏହା କିପରି ସମ୍ଭବ ହୁଅନ୍ତା ? ବାକି ରହିଲା , ଦୀପାର ସେ ନିଆରା ହସ ! ସେ କେବେ କେବେ ନିଜେ ଆସି କୁହେ , ସାର୍ ! ମୁଁ ଆଜି ପ୍ରାର୍ଥନା ସଭାରେ କମାଣ୍ଡିଙ୍ଗ୍ କରିବି , ଶପଥ ପାଠ କରାଇବି ।


      ବହୁବାର ଖବରକାଗଜରେ ତା'ର ଦୁର୍ଘଟଣା ଆଉ ଚିକିତ୍ସା ସମ୍ବନ୍ଧରେ ଖବର ଆସେ ଯେମିତିକି ପ୍ରତିଶୃତି ସତ୍ତ୍ୱେ ଆଜିଯାଏଁ ତାର କୃତ୍ରିମ ହାତ ଲାଗିପାରିଲା ନାହିଁ । ଆର୍ଥିକ ସହାୟତା ଯେତିକି ମିଳିବା କଥା ମିଳିଲା ନାହିଁ‌ । ଏଇମିତି ଅନେକ କଥା । ସରକାର ଆଉ ପ୍ରଶାସନର ଗରିବ ଆଉ ଅସହାୟ ଲୋକଙ୍କ ପ୍ରତି ଅବହେଳାର ଘସରା କାହାଣୀ ।


      ଦୀପା ଏସବୁ ରାଜନୀତିର କଥା ବୁଝେ କି ନାହିଁ ଜଣା ନାହିଁ ହେଲେ ସେ ଖୁସି ହୁଏ ଦେଖି କି ଖବର କାଗଜରେ ତା'ର ଫଟୋ ଆଉ ଖବର ଆସିଛି । ଛୁଟି ହେଲା ପରେ ମୋତେ ଏକାନ୍ତ ପାଇ ହସିହସି ତା'ର ଲରିଆ ମିଶା ଓଡ଼ିଆରେ ପଚାରେ ଆର୍ଟ ସାର୍ ! ' ମୋର୍ ବିଷୟରେ ଆଜି କିଛି ଖବର ଆସିଛି ନା ? ମୋତେ ସେ ପେପର ଟି ଦେବ" ?


   ସମୟ ତା'ପ୍ରତି କରିଥିବା ଘୋର ଅନ୍ୟାୟ ଆଉ ଅବିଚାରକୁ ଭୁକ୍ଷେପ ନ କରି ସେ ଏଇମିତି ଜୀବନ ନଦୀର ବାଲିପଠାରୁ ଛୋଟଛୋଟ ଖୁସି ସାଉଁଟି ନିଏ । ଦୀପା ଭିତରେ ଆଶା ଆଉ ସମ୍ଭାବନାର ଦୀପଟି ଦିନକୁ ଦିନ ଉଜ୍ଜ୍ୱଳ ଦିଶେ । ଭାଷା ନ ପାଇ ନିରୁପାୟ ହୋଇ କାଗଜ ଖଣ୍ଡିକ ତା' ହାତକୁ ବଢ଼ାଇଦେଇ ତା' ମୁଣ୍ଡରେ ହାତରଖି ଶେଷରେ ମୁଁ ହସିଦିଏ । ସେ ହସ ଦୀପାର ନିଆରା ହସକୁ ଅବିକଳ ନକଲ କରିବାର ଏକ ବୃଥାପ୍ରୟାସ ବୋଲି ମୋତେ ଲାଗେ ।




Rate this content
Log in

Similar oriya story from Tragedy