Subhalaxmi Nayak

Inspirational

4  

Subhalaxmi Nayak

Inspirational

ଦିଦି ମାଆ

ଦିଦି ମାଆ

3 mins
715


ସତ କହିବାକୁ ଗଲେ ସ୍ନେହ, ଭଲପାଇବା, ମମତାର ମୂଲ୍ୟ ସଂସାରର କେବେ ବି ଧନଦୌଲତ ସହିତ ତୁଳନା କରାଯାଇ ପାରିବ ନାହିଁ। ଅତୁଳନୀୟ ସେ ଅନୁଭବ। ଉଭୟ ସ୍ନେହ ଦେବା ମଣିଷ ମହାନ ଓ ନିଃସ୍ଵାର୍ଥ ସ୍ନେହ ପାଉଥିବା ମଣିଷ ମଧ୍ୟ ଭାଗ୍ୟବାନ।

      ସରୋଜା ଦେବୀ ପେଶାରେ ଜଣେ ଡାକ୍ତରାଣୀ। ବିବାହର ପନ୍ଦର ବର୍ଷ ବିତିଯାଇଥିଲେ ମଧ୍ୟ ମାଆ ହେବାର ସୌଭାଗ୍ୟ ନ ମିଳିବାର ସେହି ହୃଦୟ ବିଦାରକ ଅନୁଭବଟି ବେଳେବେଳେ ତାଙ୍କୁ ଅବଚେତନା ସ୍ତରରେ ଆଘାତ ଦେଇଥାଏ। ନିଜେ ଜଣେ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ହୋଇ ମଧ୍ୟ ସିଏ ଏହି ପରିପ୍ରେକ୍ଷୀରେ ଚିକିତ୍ସା ବିଜ୍ଞାନ ନୁହେଁ ବରଂ ସେହି ଅଦୃଶ୍ୟ ଭଗବତ୍ ସତ୍ତାଙ୍କର ନିଷ୍ପତ୍ତି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ମନକୁ ବୁଝାନ୍ତି, "ସମୟ ଅନୁସାରେ ଓ ନିଜ କର୍ମ ଅନୁଯାୟୀ ହିଁ ସବୁକିଛି ମଣିଷକୁ ପ୍ରାପ୍ତ ହୋଇଥାଏ। ତେଣୁ ଉଚିତ୍ ସମୟ ଆସିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଭଗବାନଙ୍କ ଉପରେ ବିଶ୍ବାସ ରଖି ମୁଁ ମୋର କର୍ମ କର୍ତ୍ତବ୍ୟ କରି ଚାଲିବି।" ଏକ ବଡ଼ ସହରରେ ସୁପ୍ରତିଷ୍ଠିତ ଚିକିତ୍ସାଳୟର ମାଲିକାଣୀ ହୋଇ ରୋଗୀମାନଙ୍କର ସେବାରେ ବ୍ରତୀ ସରୋଜା ଦେବୀ। ଗରିବ ରୋଗୀଙ୍କ ମାଗଣା ଚିକିତ୍ସା ସହିତ ତାଙ୍କ ଚିକିତ୍ସାଳୟରେ କାହାର ଯଦି ନବଜାତ ଶିଶୁ କନ୍ୟା ହେଲା, ତା'ର ଚିକିତ୍ସା ମାଗଣା ଓ ପାଠପଢ଼ା ଖର୍ଚ୍ଚ ବହନ କରି ସେ ଆଖପାଖ ଅଞ୍ଚଳରେ ସରୋଜା ଦେବୀ ଭାବରେ କମ୍ "ଦିଦି ମାଆ" ଭାବରେ ଅଧିକ ପରିଚିତ। ଏମିତି ଗୋଟିଏ ଘଟଣା ଘଟିଲା ଥରେ, ଯାହା ତାଙ୍କର କର୍ମମୟ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ମଧ୍ୟ ବଦଳାଇ ଦେଇଥିଲା। ଜଣେ କର୍କଟ ରୋଗରେ ପୀଡ଼ିତା ମହିଳା ରୋଗୀ ତାଙ୍କ ଚିକିତ୍ସାଳୟରେ ଚିକିତ୍ସିତ ହେବାକୁ ଆସିଥିଲେ। ଏମିତି ପରିସ୍ଥିତିରେ କେହି ବନ୍ଧୁବାନ୍ଧବ ତାଙ୍କ ସହିତ ନ ଥିଲେ, ଥିଲା ତାଙ୍କର ନିଜ ରକ୍ତ, ଯାହାକୁ ଦଶ ମାସ ଗର୍ଭକଷ୍ଟ ସହି ଏ ଦୁନିଆକୁ ଆଣିଥିଲେ। ତାଙ୍କର ସ୍ୱାମୀ ସେନାରେ କାର୍ଯ୍ୟରତ ଥିଲା ବେଳେ ଦେଶ ପାଇଁ ଶହୀଦ ହୋଇଥିଲେ। ପଛରେ ଛାଡ଼ି ଯାଇଥିଲେ କର୍କଟ ପୀଡ଼ିତା ସ୍ତ୍ରୀ ଓ ଚାରି ବର୍ଷର ଛୋଟ ଝିଅଟିକୁ। ସରୋଜା ଦେବୀଙ୍କ ଚିକିତ୍ସାଳୟ ବିଷୟରେ ବହୁତ କିଛି ଲୋକଙ୍କ ମୁହଁରୁ ଶୁଣି ଥିଲେ ସେ, ତେଣୁ ଯେମିତି ତାଙ୍କୁ ଦେଖୁଥିବା ଚିକିତ୍ସକ ଜବାବ ଦେଇ ସାରିଥିଲେ ତାଙ୍କ ଜୀବନ କାଳ ଆଉ ଦୁଇ ମାସ ଅତି ବେଶୀରେ ବୋଲି, ସିଏ ଝିଅକୁ ଧରି ସରୋଜା ଦେବୀଙ୍କ ଚିକିତ୍ସାଳୟରେ ଭର୍ତ୍ତି ହୋଇଗଲେ, ସେହି ଚିକିତ୍ସକଙ୍କ ପରାମର୍ଶ କ୍ରମେ। ଜବାବ ମିଳିଥିଲା ଦୁଇ ମାସ ସିନା ମହିଳା ଜଣକ ଗୋଟିଏ ମାସରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ଚିକିତ୍ସା କାଳ ମଧ୍ୟରେ ସେଇ ଛୋଟ ଝିଅଟି ପ୍ରତି ସରୋଜା ଦେବୀଙ୍କର ଗୋଟିଏ ନିଆରା ଆତ୍ମୀୟତା ଆସି ସାରିଥିଲା। ଝିଅଟିକୁ ସବୁବେଳେ ନିଜ ଆଖି ଆଗରେ ରଖିବାକୁ ପ୍ରୟାସ କରନ୍ତି। ସତେ ଯେମିତି ତା ସହିତ ଜନ୍ମ ଜନ୍ମର ସମ୍ପର୍କ। ଜନ୍ମ ନ ଦେଇ ମଧ୍ୟ ତାଙ୍କ ମନରେ ତାକୁ ଦେଖି ମମତା ଜାଗି ଉଠେ। ତା'ର ଖାଇବା, ଶୋଇବା, ଖେଳିବା ଉପରେ ତାଙ୍କର ବିଶେଷ ଧ୍ୟାନ ସହିତ ତାଙ୍କର କୋଠରୀରେ ହିଁ ସିଏ ତାକୁ ରଖନ୍ତି, ଚିକିତ୍ସାଳୟରୁ ଘରକୁ ଫେରିବା ବେଳକୁ ତାକୁ ତା'ର ମାଆଙ୍କ ଠାରୁ ଅନୁମତି ନେଇ ତାଙ୍କ ସହିତ ନେଇ ଯାଉଥିଲେ ଘରକୁ। ସେଇ ଦିନ ତାଙ୍କର ଦୁନିଆ ଏପଟସେପଟ ହୋଇଗଲା, ଯେଉଁ ଦିନ ସିଏ ଖୁସିରେ ଆସୁଥିଲେ କହିବାକୁ ତା'ର ମାଆଙ୍କୁ ଯେ, ସେ ଆଇନ ଅନୁସାରେ ଝିଅକୁ ତାଙ୍କର ନିଜ ଝିଅ କରି ନେବେ ବୋଲି। ମେଡ଼ିକାଲ ଆସି ଖବର ପାଇଲେ, ସେ ଛୁଆଟିର ମାଆ ତାକୁ ଏତେ ବଡ଼ ସଂସାରରେ ହେତୁ ହେବା ଆଗରୁ ଏକା କରି ଚାଲିଗଲେ। ବାପା ପରେ ମାଆକୁ ହରେଇ ଛୁଆଟି ବିକଳ ହୋଇ କାନ୍ଦୁଥିଲା। ନିୟମାନୁସାରେ ସରୋଜା ଦେବୀ ସେହି ମହିଳାଙ୍କ ବନ୍ଧୁବାନ୍ଧବଙ୍କୁ ଦୂରଭାଷ ଯୋଗେ ଦୁଃସମ୍ବାଦ ଜଣାଇଦେଲେ। ବନ୍ଧୁ ପରିଜନ ଆସି ମହିଳାଙ୍କ ମୃତ ଶରୀର ସତ୍କାର କରିବା ସହିତ ଛୁଆକୁ ସାଙ୍ଗରେ ନେଇଗଲେ। ସରୋଜା ଦେବୀଙ୍କ ହୃଦୟ ଉପରେ ସତେ ଯେମିତି କିଏ ଗୋଟିଏ ବଡ଼ ପଥର ରଖି ଦେଇ ଗଲା। ସିଏ ଟିକି ଝିଅଟିକୁ ଝୁରି ହେଉ ଥାଆନ୍ତି। ମନସ୍ଥ କରିଥିଲେ ତାକୁ ଆଇନଗତ ବୁଝାମଣା କରି ନିଜ ଝିଅ କରି ନେବେ ବୋଲି। କିନ୍ତୁ ହୋଇପାରିଲା ନାହିଁ। ମନ କଥା ମନରେ ଥାଏ। ସେପଟେ ସେ ଟିକି ଝିଅଟି ସରୋଜା ଦେବୀଙ୍କୁ ମନେମନେ ଝୁରୁ ଥାଏ। ଡଉଲଡାଉଲ ଚେହେରା ତା'ର ଅଳ୍ପ ଦିନରେ ଶୁଖି କଣ୍ଟା ହୋଇଗଲା। ଏପଟେ ସରୋଜା ଦେବୀ ତାଙ୍କର ମନକଥା ଖୋଲି ସେ ଝିଅକୁ ରଖିଥିବା ପରିଜନଙ୍କୁ ଜଣାଇଲେ। ସିଏ ମଧ୍ୟ ରାଜି ହୋଇଗଲେ। କାରଣ ଛୋଟ ଝିଅଟି ଦିନ ରାତି କେବଳ "ଦିଦି ମାଆ", "ଦିଦି ମାଆ" ଡ଼ାକି କାନ୍ଦୁଥିଲା। ପିଲାଟିର ଖୁସିରେ ସମସ୍ତଙ୍କ ଖୁସି ବୋଲି ନିଷ୍ପତ୍ତି ହେଲା। କାଗଜପତ୍ର କାମ ସାରି ସରୋଜା ଦେବୀ ଯେତେବେଳେ ଟିକି ଝିଅଟିକୁ ଆଣିବାକୁ ଗଲେ, ତାଙ୍କର ଗାଡ଼ି ଶବ୍ଦ ଶୁଣି ଝିଅଟି ଘର ଭିତରୁ ଏକା ନିଃଶ୍ୱାସରେ "ଦିଦି ମାଆ" "ଦିଦି ମାଆ" ଡ଼ାକି ଡ଼ାକି ଦୌଡ଼ି ଆସି ନିବିଡ଼ ଆଲିଙ୍ଗନ କରି ଜାବୁଡ଼ି ଧରିଲା ସରୋଜା ଦେବୀଙ୍କୁ। ସରୋଜା ଦେବୀଙ୍କ ଆଖିରେ ଲୁହ ଆଉ ବିଶ୍ଵନିୟନ୍ତାଙ୍କୁ ସ୍ମରଣ କରି ଧନ୍ୟବାଦ ଜ୍ଞାପନ କରୁଥିଲେ ମନେ ମନେ। ଖାଲି ଜନ୍ମ ଦେଲେ କେହି ମାଆ ହୋଇ ଯାଏନି। ସ୍ନେହ ମମତାର ମୂଲ୍ୟ ଯେ ସବୁବେଳେ ଅଧିକ ସେଇଥିପାଇଁ ତ କଳାକାହ୍ନୁ ଯଶୋଦାଙ୍କୁ ବାଛି ଥିଲେ ମାଆ ବୋଲି ସମ୍ମାନ ଦେଇ। ଦୂରରେ ଛିଡ଼ା ହୋଇ ସରୋଜା ଦେବୀଙ୍କ ସ୍ୱାମୀ "ଦିଦି ମାଆ"ଙ୍କୁ ପ୍ରକୃତରେ "ମାଆ" ବନାଇଥିବା ଓ ମାଆକୁ ପାଖରେ ପାଇ ସେଇ ଟିକି ଝିଅଟିର ଖିଲି ଖିଲି ହସରେ ଏକ ନିଆରା ଆତ୍ମୀୟତାକୁ ହୃଦୟଙ୍ଗମ କରୁଥିଲେ।


Rate this content
Log in

Similar oriya story from Inspirational