ବିଦ୍ୟାଧର ପଣ୍ଡା ଲେଖକ

Comedy

3  

ବିଦ୍ୟାଧର ପଣ୍ଡା ଲେଖକ

Comedy

ଦିବ୍ୟଜ୍ଞାନ

ଦିବ୍ୟଜ୍ଞାନ

2 mins
119


ସୁସଜ୍ଜିତ ମଞ୍ଚ। ମାଇକ୍ ଲାଗିଥାଏ। ଧ୍ବନିବର୍ଦ୍ଧକ ଯନ୍ତ୍ର ଜରିଆରେ ଶୁଭୁଥାଏ। ଆହା। କି ସୁଲଳିତ ସ୍ୱର। ସୁଧୀଜନେ। ଗୁଣୀ ଜନେ। କାନ ଡ଼େରି ମନମୁନଚଇତନ ଲଗାଇ ଶ୍ରବଣ କରନ୍ତୁ। ମିଛ ମାୟା ଏ ସଂସାର। କାମ, ମୋହକୁ ଦମନ କରିଥିଵା ମଣିଷ ହିଁ ଦେବତା ସମକକ୍ଷ। ଏ କ୍ଷମତା, ଏ ଅର୍ଥବଳ ସବୁ ଦିନେ ହେବ ମୂଲ୍ୟହୀନ। ପ୍ରବଚକ ଭାଷୁଥାନ୍ତି ମଧୁର ବଚନ। ତଲ୍ଲୀନ ହୋଇ ଶୁଣୁଥାନ୍ତି ଶତାଧିକ ମହିଳା ଓ ପୁରୁଷ।

ସେହି ବାଟ ଦେଇ ଚାଲି ଯାଉଥିଲା ରମେଶ। ସିଏ  ନିକଟସ୍ଥ ଏକ ଗାଁର ମୁଖିଆ, ଗ୍ରାମ କମିଟିର ସଭାପତି। ପ୍ରବଚକ ସ୍ୱଭାବସୁଲଭ ଶୈଳୀରେ ଅନର୍ଗଳ ଭାଷି ଚାଲିଥାନ୍ତି। ରମେଶ ତାଙ୍କ ମଧୁର ସ୍ୱରର ଯାଦୁରେ ଟାଣି ହୋଇ ଅଟକି ଗଲା। ବାଇକ୍ ରଖି କିଛି ସମୟ ବି ଶୁଣିଲା।

ସରିଲା ପ୍ରବଚନ। ରମେଶ ଭାବିଲା ଏ ମହାଶୟଙ୍କୁ ଆମ ଗାଁକୁ ଡାକି ନେଲେ ଭଲ ହୁଅନ୍ତା ତ! ହଉ, ଏହା ସମ୍ଭବ ହେବ କି ନାହିଁ ବୁଝିବା। ଭିଡ଼ ଟିକିଏ ଭାଙ୍ଗିଯାଊ।

କିଛି ସମୟ ପରର ଦୃଶ୍ୟ। ପ୍ରବଚକ ବିଶ୍ରାମ ନେବାକୁ ଯାଇଥିବା କକ୍ଷର ପରଦା ଆଡ଼େଇ ଭିତରକୁ ଆଖି ଗଳାଉ ଗଳାଉ ଚମକି ପଡ଼ିଲା ରମେଶ। ଇଏ କ'ଣ?

ଚଉକିରେ ବସିଥିଲେ ବିଶାଳ ବପୁଧାରୀ ମହାଶୟ। ଟେବୁଲ୍ ଉପରେ ଚୀନା ମାଟିର ଚିକ୍କଣ ଥାଳିଆରୁ ଖଣ୍ଡିଏ ଖଣ୍ଡିଏ ଚିକେନ ପକୋଡା ପାଟିକୁ ପକାଇ ଚାଲିଥିଲେ। ପାଖରେ ଥିଲେ ଜଣେ ସୁଦୃଶ୍ୟ ତରୁଣୀ। ଇଏ ପୁଣି କିଏ? ଇଏ ତ ସେତେବେଳେ ମଞ୍ଚରେ ନଥିଲେ। ଇଏ କ'ଣ ପ୍ରବଚକଙ୍କ ପତ୍ନୀ। ନାଇଁ ମ। ସେମିତି ହୋଇଥିଲେ ତ ତାଙ୍କ ମଥାରେ କି ସିନ୍ଥିରେ ସିନ୍ଦୂର ଟିକିଏ ଲାଗିଥାନ୍ତା। ତେବେ ଇଏ ପୁଣି କିଏ?

ନା। ଆଉ ଆଗକୁ ପାଦ ପକାଇବା ମାନେ କୀଳାକୁ ଆମନ୍ତ୍ରଣ କରିବା କଥା! ଥାଉ। ଗ୍ରାମବାସୀଙ୍କ ଆଧ୍ୟାତ୍ମିକ ଉତ୍ତରଣ ପଛେ ନ ହେଉ। 

ରମେଶର ଆଗ୍ରହରେ ଭଟ୍ଟା ପଡ଼ିଯାଇଥିଲା। ଧୀର ପଦକ୍ଷେପରେ ଅତି ସନ୍ତର୍ପଣରେ ସେଠାରୁ ଫେରି ଆସିଲା। ଏବେ ସିଏ ଭାବୁଥିଲା ଏ ସମଗ୍ର ସଂସାରର ସବୁକିଛି ଅଳୀକ ଓ ମୂଲ୍ୟହୀନ କହୁଥିବା ଏ ମହାଶୟଙ୍କ ପ୍ରତିଟି ଶବ୍ଦ ସତରେ କେତେ ମୂଲ୍ୟହୀନ! 

ବିନା ବ୍ୟୟରେ ସାଉଁଟି ଥିବା ସଦ୍ୟପ୍ରାପ୍ତ ଦିବ୍ୟଜ୍ଞାନକୁ ଅନ୍ୟମନସ୍କତାର ଅଳିନ୍ଦରେ ସାଇତି ନିଜ ଗାଁ ଆଡକୁ ସାଇକେଲ ଗଡ଼ାଇବା ପାଇଁ ଉପକ୍ରମ କଲା ରମେଶ।



Rate this content
Log in

More oriya story from ବିଦ୍ୟାଧର ପଣ୍ଡା ଲେଖକ

Similar oriya story from Comedy