ବିଦ୍ୟାଧର ପଣ୍ଡା ଲେଖକ

Inspirational

3.7  

ବିଦ୍ୟାଧର ପଣ୍ଡା ଲେଖକ

Inspirational

ଅନୁଭବ

ଅନୁଭବ

2 mins
437


ନୂଆ ନୂଆ ରୋହିତର ବାହାଘର ହୋଇଥାଏ। ମନରେ ଲାଗି ଯାଇଥାଏ ଡେଣା। ସମୟ ଲାଗୁଥାଏ ସତରେ ଖୁବ୍ ନିଆରା ନିଆରା। ଅନୁଭବ ହେଉଥାଏ ଯେମିତିକି କେହି ଏକ ଭିନ୍ନ ଦୁନିଆରେ ଏବେ ସେ। ଦେଖୁ ଦେଖୁ ଛୁଟିର ହାତଗଣତି ଦିନଗୁଡିକ ପାଣି ଭଳିଆ ବୋହିଯାଉଛି! 

ଆଗରୁ ତ ଏମିତି କେବେ ହୁଏନାହିଁ। ହେଲେ ଏବେ ଏମିତି ହେଉଛି କେମିତି? ସମୟର ସୁଅରେ ବନ୍ଧ ପକାଇ ତାକୁ ଅଟକାଇ ରଖିବାର କିଛି କଳକୈାଶଳ ବାହାରନ୍ତାନି? ଏବେ ଦିନଗୁଡିକ କି ହସଖୁସିରେ ବିତି ନ ଯାଉଛି! ଆଗରୁ ଏକାନ୍ତ ଶୂନ୍ୟ ଶୂନ୍ୟ ଲାଗୁଥିବା ଏଇ ସମାନ ଜୀବନଟା ଏବେ କେତେ ଆନନ୍ଦଦାୟକ ନ ଲାଗୁଛି! ଘରେ ବନ୍ଧୁବାନ୍ଧବ କହିଲେ ଆଉ ସେମିତି କେହି ଘରେ ନଥାନ୍ତି। ଘରଟା ଫାଙ୍କା ଫାଙ୍କା ଲାଗିବା କଥା। ହେଲେ କାଇଁ ସେମିତି ତ ଲାଗୁନି ବରଂ ପୂରିଲା ପୂରିଲା ଭଳି ଲାଗୁଛି। 

ରୋମି ଯେଉଁ ଦିନଠାରୁ ଏ ଘରକୁ ଆସିଲା, ରୋହିତ ଜୀବନରେ ମେଞ୍ଚାଏ ନୂତନ ରଙ୍ଗ କିଏ ଯେମିତି ମାଖି ଦେଇଗଲା। କିଏ ଯେମିତି ଘୋର ଶୀତରାତିରେ ମଝି ମଝିରେ ଚାଲି ଆସୁଛି ଆଉ ପୁଳାଏ ଉଷ୍ମତା ଭରା ଅର୍ଖନୂଆ ମଖମଲି ଉଲ୍ ଚାଦରଟିଏ ଢାଙ୍କି ଦେଇ ଚାଲି ଯାଉଛି। ବିଚିତ୍ର ମଧୁର ଅନୁଭବଟିଏ ପରଷି ଦେଇ ଚାଲି ଯାଉଛି। ମାସକର ଛୁଟି ସରି ସରି ଆସିଲା। ଅଫିସ୍ ରୁ ଡକରା ଆସିଲାଣି। ଛୁଟିର ନିର୍ଦ୍ଧାରିତ ସମୟସୀମା ବଢାଇବାର ଆଉ କିଛି ବାଟ ନାହିଁ। ରୋହିତର ମୁଣ୍ଡ ଭିତରଟା ଗରମ ହୋଇ ଯାଉଥିଲା।

ରୋମି ଠିକ୍ ସେଇ ସମୟରେ ବାହାରକୁ ବାହାରି ଆସିଲା। ହାତରେ ରୋହିତର ମୋବାଇଲ୍। ଆରେ, ତମେ କେତେବେଳୁ ଆସି ଏଇଠି ବସିଯାଇଛ, ଆଉ ମୁଁ ତମକୁ ଖୋଜି ଚାଲିଛି। କହିନ ବି। କୁଆଡ଼େ ଚାଲି ଯାଇଥିଲେ ବାବା ଏତେ ସକାଳୁ ସକାଳୁ? 

ଅବିରାମ ଶବ୍ବଗୋଳା ବର୍ଷଣ କରି ସାରିବା ପରେ ଟିକିଏ ଥମିଗଲା ରୋମି। ବଦଳିଗଲା ସ୍ବର। 

- ଏଇ ମେସେଜ୍‌ଟା ଦେଖିଲ। ଖୁସି ଖବର ତମ ପାଇଁ। ରୋହିତ ଆଖି ସାମ୍ନାରେ ମୋବାଇଲ ପରଦାକୁ ତୋଳି ଧରିଲା ରୋମି।

ମେସେଜ ପଢୁପଢୁ ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା ରୋହିତ୍ ର। 

-ଆଃ। ଖୁସିର ଅଦିନିଆ ଜୁଆରଟିଏ ତାକୁ ଛୁଇଁ ଛୁଇଁ ଗଲା ଯେମିତି। 

ଆନନ୍ଦରେ ରୋମିକୁ କୁଣ୍ଢେଇ ପକାଇଲେ ରୋହିତ। ଏଇ ବାର୍ତ୍ତାଟିକୁ ମୁଁ ଦୁଇ ବର୍ଷ ହେଲା ଅପେକ୍ଷା କରି ରହିଥିଲି। ହେଲେ ତମେ ଆସିବା ପରେ ଯାଇ ସେ ଆସିଲା। ଦୀର୍ଘ ଇପ୍ସିତ ପଦୋନ୍ନତି। 

ଘରୋଇ କମ୍ପାନୀରେ କାର୍ଯ୍ୟରତ ରୋହିତ କେବେଠାରୁ ପଦୋନ୍ନତି ପାଇଁ ଆଶାୟୀ ହୋଇ ରହିଥିଲା। ଘରୋଇ ସଂସ୍ଥାରେ ଚାକିରି ମାନେ କାମ ହିଁ କାମ। ଉପରିସ୍ଥ ଅଧିକାରୀଙ୍କୁ ନାନା ବାଗରେ ଖୁସି କରିବା ପାଇଁ ପଡ଼େ। ସିଏ ଲେଖିଲେ ତଳିଆ କର୍ମଚାରୀଙ୍କ ଦରମା ବଢିବାର ବାଟ ଫିଟିବ। ହେଲେ କିଛି ବି ଘଟୁ ନଥିଲା। 

ରୋହିତ ଏବେ ଭିନ୍ନ ଦିଗରେ ଭାବିଲା। ଆରେ ସିଏ ତ ପୁଣି ବିରକ୍ତ ହୋଇ କହିଥିଲା - ଆଉ ବାହାଘର କଥା କେହି କହିବନି। ହେଲେ ହେଲା ତ! ରୋମି ଆସିଲା ଆଉ ତା ସହ ପଦୋନ୍ନତି ବି।

ଦୁଃଖ ଯେମିତି ହାତ ଧରାଧରି ହୋଇ ଆସନ୍ତି ସୁଖାନୁଭବ ବି ସେମିତି। ସଂପର୍କର ସ୍ବାଦ ଏଇଠି ଯେମିତି ଛପି ରହିଛି । ନିଜର ନୂଆ ଭାବନାରେ ରୋହିତ ପୁଲକିତ ହୋଇ ଉଠିଲା।



Rate this content
Log in

More oriya story from ବିଦ୍ୟାଧର ପଣ୍ଡା ଲେଖକ

Similar oriya story from Inspirational