puspanjali das

Abstract

3  

puspanjali das

Abstract

ଧୂମକେତୁ

ଧୂମକେତୁ

4 mins
207



     ଜୀବନ ର ସାୟାହ୍ନ ରେ 

          ଇଛାମାନେ ଆଉ ଉଡନ୍ତିନି

               ମୋ ମନ ଆକାଶ ରେ

    ନିସ୍ତେଜ,ନିଶ୍ଚୁପ ହୋଇ 

         ସତେକି ଶୋଇ ଯାଆନ୍ତି

              ମୋ ଛାତି ଭିତରେ...


      କବିତା ଟି ଅଧା ଲେଖୁ ଲେଖୁ ,ହଠାତ୍ ଫୋନ ରେ ମେସେଜ ଟିଏ ଆସିବାର ଶବ୍ଦ ରେ,ଫୋନ ଟିକୁ ଉଠାଇଆଣି,ଅନିଛା ସତ୍ତ୍ୱେ ଅନିଷା ଦେଖି ଦେଇଥିଲା । କିଛିଦିନ ତଳେ ହ୍ଵାଟ୍ସଆପ ର ଦୁଇଟି ନୂଆ ଗ୍ରୁପ ରେ ଜଏନ କରିଥିବାରୁ,ଅନେକ ମେସେଜ ଆସୁଥିଲା,ଯଦିଓ ସେସବୁ ପ୍ରତି ତା'ର ଏତେ ଆଗ୍ରହ ନ ଥିଲା,ହେଲେ ସ୍କୁଲ ଓ କଲେଜ ର ପୁରୁଣା ବନ୍ଧୁ ମାନଙ୍କ ର ମେସେଜ କୁ ଇଗ୍ନୋର ମଧ୍ୟ କରିପାରୁନଥିଲା । ଦୀର୍ଘ ଚାରିଟି ଦଶନ୍ଧି ପରେ,ଅନେକ ପୁରୁଣା ସାଙ୍ଗମାନଙ୍କ ର ସାଙ୍ଗରେ କିଛି ଟା ସମୟ କଟାଇବା ଅବଶ୍ୟ ଖରାପ ଲାଗୁନଥିଲା,ତଥାପି ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ଟା ସମୟ ବ୍ୟର୍ଥ ହୋଇଗଲା ପରି ବେଳେ ବେଳେ ଲାଗୁଥିଲା । ତଥାପି କେମିତି କେଜାଣି, କିଛି ଅନ୍ତରଙ୍ଗ ସାଙ୍ଗ ମାନଙ୍କ ର ଏକ ଅହେତୁକ ଆକର୍ଷଣ ରହିଯାଉଥିଲା । ସବୁବେଳେ ସମସ୍ତ ଙ୍କୁ ମନେପକାଇ ହେଉନଥିଲା,କି ଫୋନ ରେ କଥା ମଧ୍ୟ କରି ହେଉନଥିଲା,ତେଣୁ କିଛି ଟା ମେସେଜ କୁ ଦେଖି ଦେଲେ ସମସ୍ତଙ୍କ ର କୁଶଳତା କିଛି ଜାଣିପାରି ଆଶ୍ୱସ୍ତ ହୋଇଯାଉଥିଲା । ପିଲା ମାନଙ୍କ ର ମେସେଜ କୁ ମଧ୍ୟ ନିୟମିତ ଦେଖି ,ସେସବୁ ର ଉତ୍ତର ଦେବାକୁ ପଡୁଥିଲା, ସେଥିପାଇଁ ଏକପ୍ରକାର -'ଦିଅଁ ଦେଖା ଓ କଦଳୀ ବିକା' ହୋଇଯାଉଥିଲା ।


    ସେଦିନ କିନ୍ତୁ ହଠାତ୍ ଗୋଟିଏ ଅଜଣା ଡି ପି ନଥିବା ନମ୍ବର ରୁ ମେସେଜ ଟିଏ ଦେଖିଦେଇ ହାତ ତା'ର ଅଟକି ଯାଇଥିଲା-କାରଣ ,ସେଇଟି ଟିକେ ଭିନ୍ନ ସ୍ୱାଦ ର ଥିଲା-"ପ୍ଲିଜ଼, ଡୋଣ୍ଟ ଟେକ ଇଟ ଅଦର ୱ।ଇସ , ୟୁ ଅର ଲୁକିଙ୍ଗ ୟଙ୍ଗର ଦାନ ୟୁର ଡିପି । "ଏ ପରିଣତ ବୟସରେ ଏମିତି ମେସେଜ,ପୁଣି ଅଚିହ୍ନା ଲୋକ ଠାରୁ,କୌତୁହଳ ତ ଲାଗିଥିଲା, ହେଲେ ବିରକ୍ତି ଟା ମଧ୍ୟ ତା'ସଙ୍ଗରେ ରହିଥିଲା । ତ ଥାପି,କୌତୁହଳ ଟା ଅଧିକା ହୋଇଯିବାରୁ,ନମ୍ବର ଟିକୁ ସ୍କୁଲ ଓ କଲେଜ ଗ୍ରୁପ ରୁ ଖୋଜି ପକାଇଥିଲା । କଲେଜ ଗ୍ରୁପ ର ଗୋଟିଏ ନମ୍ବର ହୋଇଥିବାରୁ,ସାମାନ୍ୟ ଆଶ୍ୱସ୍ତ ହୋଇଥିଲା । ହେଲେ ଯେତେବେଳେ ପରେ ଲାଗ ଲାଗ କିଛି ଦିନ ସେଇ ନମ୍ବର ରୁ ମେସେଜ ଆସିବାକୁ ଲାଗିଥିଲା, ଔପଚାରିକତା ରକ୍ଷା କରିବାକୁ ଯାଇ ଅନିଚ୍ଛା ସତ୍ତ୍ୱେ,ଉତ୍ତର ଦେବାକୁ ଲାଗିଥିଲା,ଯଦିଓ ଯଥାସାଧ୍ୟ ଚେଷ୍ଟା କରୁଥିଲା ନିଜର ମେସେଜ ଗୁଡିକୁ ସଂକ୍ଷିପ୍ତ କରିବାକୁ । ପରେ ଅବଶ୍ୟ ସେ ଭଦ୍ରବ୍ୟକ୍ତି ଜଣଙ୍କ ବିଷୟ ରେ ନିଜ ଲୋକ ଙ୍କ ଠାରୁ କିଛି ଭଲ ମନ୍ତବ୍ୟ ଶୁଣିବାକୁ ପାଇ ଥିଲା,ଯୋଉଥି ପାଇଁ ମେସେଜ ଆଦାନପ୍ରଦାନ ରେ ସାମାନ୍ୟ ସହଜ ହୋଇ ଯାଇଥିଲା ।


          ଦିନ ପରେ ଦିନ ଗଡି ଚାଲିଥିଲା,ଆଉ ବନ୍ଧୁତ୍ୱ ର ଡୋର ଟି ମଜଭୁତ ହେବାକୁ ଲାଗିଥିଲା । ନିଜକୁ ,ବିବେକ ର ଦ୍ୱାହି ଦେଇ ,ନିଜ ଆଦର୍ଶ ଭିତରେ ବାନ୍ଧି ରଖିବା, ଜୀବନ ପ୍ରତି ବହୁଦିନରୁ ଉଦାସୀନ ରହୁଥିବା ଅନିଷା ,ସତେ ଯେମିତି ନିଜ ଭିତରେ ନିଜକୁ ଖୋଜିବାକୁ ଲାଗିଥିଲା,ଆଉ ନିଜକୁ ବଞ୍ଚାଇବା କୁ ଚେଷ୍ଟା କରିବା ଆରମ୍ଭ କରିଦେଇଥିଲା । ବଞ୍ଚିବାର ସ୍ପନ୍ଦନ ସତେ ଯେମିତି ହଜି ଯାଇଥିଲା, ନିଜ କୁ ନିଜେ ପ୍ରଶ୍ନ କରି କରି ଥକି ପଡୁଥିଲା...ନିଜକୁ ସତେ ଯେମିତି ଆବିଷ୍କାର କରୁଥିଲା...।


        ହଠାତ୍ ଦିନେ ମେସେଜ ସାଙ୍ଗରେ ଫୋନ ରେ କଥା ହେବାର ଅନୁରୋଧ ଦେଖି ,ଦ୍ବନ୍ଦ୍ୱ ରେ ପଡିଯାଇଥିଲା । ରକ୍ଷଣଶୀଳ ପରିବାର ରେ ଜନ୍ମହୋଇ ବଡ଼ ହୋଇଥିଲା, ଓ ଆଉ ଗୋଟିଏ ରକ୍ଷ ଣ ଶୀଳ ପରିବାର ର ବୋହୁ ହୋଇ ଥିବାରୁ,କୌଣସି ପୁରୁଷ ବନ୍ଧୁ କି ଜୀବନ ସାଥୀ ଙ୍କ ର ବନ୍ଧୁ ମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବାରେ ସଂକୋଚ ଅନୁଭବ କରି, କେବେହେଲେ ସହଜ ହୋଇ ପାରୁନଥିଲା । ପାରିବାରିକ ଜଞ୍ଜାଳ ଭିତରେ,ସେସବୁ ର ଆବଶ୍ୟକତା ମଧ୍ୟ କେବେ ପଡିନଥିଲା ।


         ପ୍ରାୟ ଦୁଇବର୍ଷ ତଳେ,ନୂଆ ନୂଆ WA ରେ ଯୋଗ ଦେଇଥିବାରୁ,ଜଣେ ପୁରୁଣା କଲେଜ ସହପାଠୀ ସାଙ୍ଗରେ ଚାଟ କରି କିଛି ମାସ ବେଶ ଭଲବନ୍ଧୁତା ହୋଇଯାଇଥିବା ବେଳେ,କିଛି ପୁରୁଣା କଲେଜବାନ୍ଧବୀ ମାନଙ୍କ ସାଙ୍ଗରେ ଭୁଲ ବୁଝାମଣା ହୋଇ ମନ ମାଳିନ୍ୟ କୁ ଏଡାଇ ପାରି ନ ଥିଲା,ଆଉ ସେଇ ଦିନଠାରୁ ନିଜ ପାଖରେ ନିଜେ ଯେମିତି ଶପଥ କରିନେଇଥିଲା,ଆଉ କେବେ ହେଲେ କୌଣସି ସହପାଠୀ ସାଙ୍ଗରେ ବନ୍ଧୁତା କରିବାକୁ ଚିନ୍ତା ବି କରିବ ନାହିଁ । କାହା ସାଙ୍ଗରେ କଥା ହେବା କୁ ଯଦିଓ ସେ ପସନ୍ଦ କରୁ ନ ଥିଲା,ହେଲେ ,ତା'ପର ଠାରୁ କାହା ସାଙ୍ଗରେ ଚାଟ କରିବାର ସ୍ପୃହା ଟା ମଧ୍ୟ ପୁରା ମରି ଯାଇଥିଲା ।


       ପିଲାଟି ବେଳୁ ଲେଖାଲେଖି କରିବାକୁ ପସନ୍ଦ କରୁଥିବା ଅନିଷା,ନିଜର ଭାବନା କୁ ନିଜ କଲମ ରେ ଯେମିତି ଫୁଟାଇ ପାରୁଥିଲା, ସେସବୁ ହୁଏତ କଥାରେ ପ୍ରକାଶ କରିବା ତା'ପକ୍ଷେ ସମ୍ଭବ ହୋଇ ପାରୁନଥିଲା,ସେଇଥି ପାଇଁ ବେଳେ ବେଳେ କାହା ସାଙ୍ଗରେ ଦୁଇପଦ ଚାଟ କରିଦେଇ ନିଜକୁ ଟିକିଏ ହାଲ୍କା ଅନୁଭବ କରିପାରୁଥିଲା,ହେଲେ ସେ ବାଟ ଟି ମଧ୍ୟ ଯେମିତି ନିଜେ ବନ୍ଦ କରିଦେଇଥିଲା ।


       ସେଦିନ କିନ୍ତୁ ନିଜ କୁ ନିଜେ ପ୍ରଶ୍ନ କରି କରି ଥକି ପଡିଥିଲା, ଶେଷ କୁ ଏ ପରିଣତ ବୟସରେ ସେତିକି ସାହସ ସଞ୍ଚୟ କରି,ଦୁଇପଦ କଥା ହେବାକୁ ସମ୍ମତି ଦେଇଥିଲା । ପ୍ରଥମେ ପ୍ରଥମେ ଭାରି ଅଡ଼ୁଆ ଲାଗୁଥିଲେ ମଧ୍ୟ ଅଜଣା ବନ୍ଧୁ ଟିର ମନ ର ଭାବନା ପଢିବାକୁ ଟି କିଏ ସହଜ ଲାଗିଥିଲା । ଲେଖିବା ଓ କହିବା ଭିତରେ ଯେ ଅନେକ ପାର୍ଥକ୍ୟ ଥିଲା,ସେକଥା ସିଏ ଧୀରେ ଧୀରେ ଅନୁଭବ କରି ପାରିଥିଲା । ଅଜଣା ମଣିଷ ଟି ଯେ କେତେବେଳେ ଏତେ ଜଣାଶୁଣା ହୋଇଯାଇଥିଲା,ଜାଣିପାରିନଥିଲା । ନିଜକୁ ବ୍ୟାଡ ମ୍ୟାନ କହୁଥିବା ଲୋକଟିର ଛୋଟିଆ ଛୋଟିଆ ଭଲ ଗୁଣ ଗୁଡିକ ଅନିଷା ଅନୁଭବ କରିପାରିଥିଲା,ଅବଶ୍ୟ ସଂଶୟ ର ଚକ୍ରବ୍ୟୁହ ରେ ସବୁବେଳେ ଅଟକି ଯାଉଥିଲା । ଯଦିଓ ଅନିଷା ର ଟଣା ହୋଇଥିବା ଲକ୍ଷ୍ମଣ ରେଖା କୁ ପାର କରିଲା ଭଳି ସାହସ କରିଦେଉଥିବା ମଣିଷ ଟିକୁ ମଧ୍ୟ,ସେ ଅଜାଣତରେ କ୍ଷମା କରିଦେଉଥିଲା,କିନ୍ତୁ ସେସବୁ କୁ ଯେ ସହଜ ରେ ଗ୍ରହଣ କରିପାରୁନଥିଲା । ତଥାପି,ସେ ସମ୍ବନ୍ଧ ର କ୍ଷୀଣ ଡୋର ଟିକୁ ଛିଣ୍ଡାଇ ପାରୁନଥିଲା ।


       ଅନେକ ମାନ ଅଭିମାନ ଭିତରେ ବି କଥା ହେବାର ସମୟ ସୀମା ଯେମିତି ଧୀରେ ଧୀରେ ବଢିବାକୁ ଲାଗିଥିଲା । ଦୁନିଆ ଆଖିରେ ଆଦର୍ଶ ର ପ୍ରତୀକ,ମଜଭୁତ ନାରୀ ଟି ଯେ ହୃଦୟ ରେ ଦୁର୍ବଳ ଥିଲା,ସେକଥା ଯେମିତି ନିଜେ ବି ମାନିବାକୁ ପ୍ରସ୍ତୁତ ନ ଥିଲା । ପାପ ପୁଣ୍ୟ ଓ ଭୁଲ ଠିକ ର ଭଉଁରୀ ଭିତରେ ସତେ ଯେମିତି ଛନ୍ଦି ହୋଇ ପଡୁଥିଲା । ଅନେକ ବର୍ଷ ରୁ ଛାତି ତଳେ ଲୁଚି ରହିଥିବା ନିଆଁ ତକ ଯେମିତି ବାହାରକୁ ବାହାରି ଆସିବା କୁ ବାଟ ଖୋଜୁଥିଲା । ନିଜ ମନକୁ ବୁଝାଇ ଶୁଆଇ ଦେଇଥିବା ଇଛା ସବୁ ଯେମିତି ଚେଇଁ ଉଠୁଥିଲେ । ଅଜଣା ବନ୍ଧୁ ଟି ଭିତରେ ଯେମିତି ନିଜ ଇପ୍ସିତ ମଣିଷ ଟିର ସତ୍ତା କୁ ଅନୁଭବ କରିପାରିଥିଲା । ଵୀର୍ଘ ବର୍ଷ ପୂର୍ବରୁ ସଂସାର ଆଗରେ ସ୍ଵୀକୃତି ପାଇଥିବାମଣିଷ ଟିକୁ ଜୀବନ ର ଚଲାପଥରେ ସାଥୀ କରିନେଇଥିଲେ ବି କେମିତି କେଜାଣି,ପାଖରେ ଥାଇ ବି ଅନେକ ଦୂରତ୍ୱ ହୋଇଯାଇଥିବା ମଣିଷ ଟି ସତେ ଯେମିତି ପୁଣି ଫେରି ଆସୁଥିଲା । ସବୁବେଳେ ଉପେକ୍ଷିତ,ହୋଇଆସୁଥିବା ଅନିଷା, ନିଜକୁ ସମ୍ପୂର୍ଣ୍ଣ ନାରୀ ଟିଏ ବୋଲି ଭୁଲିଯାଇଥିବା ଟା ଯେମିତି ପୁଣି ମନେ ପଡିଯାଉଥିଲା ।


           ନିଜକୁ ଅନିଷା ର ଜୀବନରେ ଥଟ୍ଟା ରେ 'ଧୂମକେତୁ' କହୁଥିବା ମଣିଷ ଟି ଯେ କେତେବେଳେ "ଧ୍ରୁବତାରା' ଟିଏ ହୋଇଯାଇଥିଲା,ସେକଥା ହୁଏତ ସିଏ ନିଜେ ବି ଜାଣିପାରିନଥିଲା । ଆଉ ସେ 'ଧ୍ରୁବତାରା'ଟି ଯେ ଅନିଷା କୁ ନିଜକୁ ଭଲ ପାଇବା ଶିଖାଇ ଦେଇଥିଲା,ସେକଥା ହୁଏତ ଉଭୟ ଙ୍କୁ ଅଜଣା ରହିଯାଇଥିଲା... । ।


         


Rate this content
Log in

Similar oriya story from Abstract