Aravinda Das

Inspirational

4.8  

Aravinda Das

Inspirational

ଧର୍ମ

ଧର୍ମ

3 mins
694



ଟ୍ରେନ କଂପାର୍ଟମେଣ୍ଟଟାରେ ଭୀଷଣ ଭିଡ଼ ଥିଲା।ଖଵରକାଗଜ ପଢ଼ୁଥିବା ଗୋଟେ ଲୋକ କହିଲା,"ଆଜିକାଲି ମୁସଲମାନ ରାଷ୍ଟ୍ର ଗୁଡାକରେ ଆତଙ୍କବାଦୀ ସବୁଠୁ ଅଧିକ।ଆଫଗାନିସ୍ଥାନ ହେଉ କି ପାକିସ୍ଥାନ,ସିରିଆ,ଇରାକ ସବୁଠି ଆତଙ୍କବାଦ'ର ଛାୟା।"


  ପାଖରେ ବସି ପାନ ଚୋବାଉଥିବା ଲୋକଟା କହିଲା,"ଖାଲି କଣ ସେତିକି ?ଅନ୍ୟ ସବୁ ଦେଶର ଯୁବକମାନଙ୍କୁ ଉଦଭ୍ରାନ୍ତ କରି ଟ୍ରେନିଙ୍ଗ ବି ଦେଉଛନ୍ତି।ସେଇ ତାଲିବାନ ହେଉ କି ଆଇ.ଏସ.ଆଇ କୁହ କି ଲସ୍କରେ.ଇ.ଥୋଇବା ସବୁ ସେଇ ମୁସଲମାନମାନେ ହିଁ ବଦମାସୀ କାମରେ ମାତିଛନ୍ତି।"


 ମୋବାଇଲରେ ଖେଳୁଥିବା ଅନ୍ୟ ଜଣେ ଟୋକା କହିଲା,"କାଶ୍ମୀରରେ ସେଇମାନଙ୍କ ଯୋଗୁଁ ଅସ୍ଥିରତା।ଯେତେବେଳେ ଦେଖ ସେନା,ପୁଲିସ ସହ ଆତଙ୍କବାଦୀମାନଙ୍କର ଲଢେଇ।ମାଦ୍ରାସାରେ କାଳେ ପାଠ ବଦଳରେ ଛୁଆଙ୍କୁ ଟେରୋରିଷ୍ଟ ଶିକ୍ଷା ଦିଆଯାଉଛି।ଆମ ଓଡ଼ିଶାରେ ଗୋଟାଏ କାହାକୁ ପରା ଆରେଷ୍ଟ କରାଯାଇଛ ?ସେଇ ଧର୍ମ ଲୋକଗୁଡାକ ସତରେ ଭାରି ଅବିଶ୍ବାସୀ।ଆମ ଦେଶରେ ରହିଲେ ବି ମନ ହୃଦୟ ସେମାନଙ୍କର ପାକିସ୍ଥାନରେ।"


  ଉପର ବର୍ଥରେ ବସିଥିବା ଦୁଇଜଣ ବି ଆଲୋଚନାରେ ଭାଗ ନେଇଥିଲେ ଓ ମସଲାମୁଢ଼ି ଖାଉଖାଉ ଆଲୋଚନାରେ ଟିକେ ମସଲା ମିଶେଇଲା ଭଳି କହିଲେ,"ଲଭ ଜିହାଦ ନାଁରେ ଆମ ହିନ୍ଦୁ ଝିଅଙ୍କୁ ବାହାହୋଇ ପଡୁଛନ୍ତି।ବମ୍ବେ ବ୍ଲାଷ୍ଟ କୁହ କି ହାଇଦ୍ରାବାଦ ବ୍ଲାଷ୍ଟ ସବୁଠି ସେଇ ଧର୍ମ ଲୋକ ହିଁ ଜଡ଼ିତ।"


           ଝରକା କଡ଼ରେ ବସି ଯଦିଓ ମୁଁ ବାହାରକୁ ଅନାଇଥିଲି, ତଥାପି ମୋ କାନଟା ଆଲୋଚନା ଉପରେ ହିଁ ଥିଲା।ନିଜକୁ ସମ୍ଭାଳି ନପାରି ସମସ୍ତଙ୍କୁ ଅନାଇ କହିଲି,"ଆପଣମାନେ କେବେ ଆତଂଙ୍କବାଦୀ'ଙ୍କ କବଳରେ ପଡିଛନ୍ତି ?ସେମିତି ଗୋଟେ ଘଟଣା ଆପଣଙ୍କୁ କହୁଛି।"


   ସମସ୍ତେ ଏକଦମ ଚୁପ୍ ହୋଇ କୌତୁହଳତା ର ସହ ମୋ ଆଡ଼କୁ ଅନାଇଲେ।ତେବେ ସମସ୍ତଙ୍କ ମୁହଁରେ ଏକ ଅବିଶ୍ବାସ ଭାଵ ସ୍ପଷ୍ଟ ବାରିହୋଇପଡୁଥିଲା।ମୁଁ ଟାଉଟର କିମ୍ବା ବାହାପିଆ ଵୋଲି ଭାବୁଥିବେ ବୋଧେ।


- ଆପଣ କଣ ସେଇ ବାହାର କେଉଁ ଦେଶରେ କାମ କରୁଥିଲେ କି ?"ଜଣେ ପଚାରିଲା।


   ସଜାଡି ହୋଇ ବସି ,ଏଥର ଆରମ୍ଭ କଲି।ଗତବର୍ଷ ମୁଁ ଏକୁଟିଆ କାଶ୍ମୀର ବୁଲିବାକୁ ଯାଇ ଡାଲ ହ୍ରଦରେ ଗୋଟେ ଶିକାରାରେ ରହିଥିଲି।ଆଗକୁ ଇଦ ଆସୁଥାଏ ବୋଲି ସମସ୍ତେ ରୋଜା ରଖିଥାନ୍ତି।ଦିନସାରା କଠିନ ଓପାସ ପରେ ସନ୍ଧ୍ୟାରେ ଏକାଠି ପୁରା ପରିବାର ମିଶି ଇଫ୍ତାର ଖାଆନ୍ତି।ଆମ ଶିକାରରେ ଅବଶ୍ୟ ଖାଇବା ବ୍ୟବସ୍ଥା ଥିଲା।ସେଦିନ ସନ୍ଧ୍ୟାରେ ଡାଲ ଲେକ ପାଖରେ ଥିବା ଗୋଟେ ହୋଟେଲକୁ ଆମ ଶିକାରା ମାଲିକ ହନିଫ ବୁଢ଼ା ବି ଯାଇଥିଲା ଆମ ବରାଦର ଖାଇବା ଜିନିଷ ପ୍ୟାକ କରି ଆଣିବା ପାଇଁ। ହାଠାତ୍ ଦଳେ ଲୋକ ମୁହଁରେ କଳାକନା ଓ ହାତରେ ଏ କେ ୪୭ ଧରି ସେଇ ହୋଟେଲକୁ ପଶି ଆସି ଗୁଳି ଚଳାଇ ଭିତରେ ଥିବା ଲୋକଙ୍କୁ ବନ୍ଧକ ବନାଇଦେଲେ।"


- ଆଛା,ଏଇ ଘଟଣା ଟିଭିରେ ବି ଦେଖାଉଥିଲା ? ହେ ଭଗବାନ !ଅନେକ ଲୋକଙ୍କୁ ମାରିଦେଇଥିଲେ ପରା ?ହନିଫ୍ ବି ଥିଲା ତାହାହେଲେ ?"


- ହଁ, କେହି କିଛି ବୁଝିବା ଆଗରୁ ସମସ୍ତ ବନ୍ଧକଙ୍କୁ ଗୋଟେ ହଲକୁ ଆଣି ଆଣ୍ଠେଇଦେଲେ ଓ ବଡ଼ ପାଟିରେ କହିଲେ ଯେଉଁମାନେ ପବିତ୍ର କୋରାନ'ର ସୁକ୍ତି ଆବୃତ୍ତି କରିପାରିବେ ସେମାନଙ୍କୁ ଛାଡିଦିଆଯିବ।"


- ଓଃ, ତାଙ୍କ ଧର୍ମ ଲୋକଙ୍କୁ ଛାଡି ଆମ ଧର୍ମ ଲୋକଙ୍କୁ ମାରିବେ ?ମୁଁ କହୁନଥିଲି ? ତା ପରେ କଣ ହେଲା ସାର୍ ?

  ସମସ୍ତେ ମୋତେ ଅନାଇଥିଲେ ଏଥର ବିଶ୍ବାସର ସହ।


- ସବୁ ବନ୍ଧକ ମାନେ ଭୟରେ ଥରୁଥାନ୍ତି।କାରଣ ଗ୍ୟାରେଣ୍ଟି କଣ ଅଛି ଛାଡିବାର ?


ସେମାନେ ତ ଆତଙ୍କବାଦୀ।ବମ୍ବେ ବ୍ଲାଷ୍ଟ ଓ ହାଇଦ୍ରାବାଦ ବ୍ଲାଷ୍ଟରେ ମୁସଲମାନମାନେ ମରିନଥିଲେ ? ତାଜ ହୋଟେଲରେ କସାଵ କଣ ମୁସଲମାନଙ୍କୁ ମାରିନଥିଲା ?ଧାଡିରେ ଥିବା ବନ୍ଧକ ଭିତରୁ ପ୍ରଥମ ପାଞ୍ଚ ଜଣଙ୍କ ଭିତରୁ ଚାରିଜଣ କୋରାନ ପାଠ କରି ବାହାରକୁ ଆସିଲେ ଓ ପଞ୍ଚମ ବିଦେଶୀ ଲୋକଟା କୋରାନ ଆବୃତ୍ତି କରିନପାରିବାରୁ ଗୁଳି ଖାଇ ଟଳି ପଡ଼ିଲା।ଆମ ଶିକାରା ମାଲିକ ହନିଫ ଆଗରେ ଥିବା ଯୁବକ ଷଷ୍ଠ ସ୍ଥାନରେ ଥିଲା ଓ ସାମ୍ନା ଦୃଶ୍ୟ ଦେଖି ଭୟରେ ଥରୁଥିଲା।କାରଣ ତା ମୃତ୍ୟୁ ସୁନିଶ୍ଚିତ ଥିଲା।ତା କାନରେ ହନିଫ୍ କିଛି କହି ନିଜ ମୁଣ୍ଡରୁ ଟୋପିଟା ଦେଇ କହିଲା "ଟୋପି ଟା ପିନ୍ଧି ପକା ଓ ଜମାରୁ ମୁହଁ ଖୋଲିବୁନି।।ଯାହା କହିଛି ସେଇଆ କରିବୁ।"


  ସମସ୍ତେ ମୋତେ ମନ୍ତ୍ର ମୁଗ୍ଧ ଭଳି ଶୁଣୁଥାନ୍ତି।


 "ସେ ଯୁବକ ଆଣ୍ଠେଇ ବସିଲା ପୂର୍ବରୁ ହାଠାତ୍ ହନିଫ ଆଗକୁ ଆସି କାନ୍ଦି କାନ୍ଦି କହିଲା, " ଆପଣମାନେ ୟାକୁ ଦୟାକରି ଛାଡି ଦିଅନ୍ତୁ।ମୋ ପୁଅ ସେ।ସଚ୍ଚା ମୁସଲମାନ ମୋ ଭଳି, ହେଲେ କୋରାନ ଆବୃତ୍ତି କରିପାରିବନି।ବିଚରା ଜନ୍ମରୁ ମୂକ।"କହି ବଡ଼ ପାଟିରେ ନିଜେ ପବିତ୍ର କୋରାନ ଆବୃତ୍ତି କଲା ହନିଫ୍।ଆତଂଙ୍କବାଦୀ ମାନେ ଦୁହିଁଙ୍କୁ ଛାଡିଦେଲେ।ସେ ଯୁବକ'ର ପୁନରଜନ୍ମ ହେଲା ଜାଣ।"


- ସେ ଯୁବକକୁ ହନିଫ କାହିଁକି ବଞ୍ଚାଇଲା ?


-ଯଦିଓ ସେ ଯୁବକ ହନିଫର ଶିକାରାରେ ରହୁଥିଲା, ତଥାପି କେଵଳ ମଣିଷପଣିଆ ଯୋଗୁଁ ବୋଧେ ସେ ଲୋକର ଜୀବନ ବଞ୍ଚାଇଥିଲା।


- ସେ ଲୋକ କିଏ ?ଏସବୁ କଥା କଣ ହନିଫ୍ କହିଥିଲା ଆପଣଙ୍କୁ ?


- ନା, ସେ ଯୁବକ ମୁଁ ହିଁ ଥିଲି।ମୋ ଜୀବନ ବଞ୍ଚାଇଥିଲା ହନିଫ।

 କଂପାର୍ଟମେଣ୍ଟ ଭିତରେ ସମସ୍ତେ ଚୁପଚାପ।କାହା ମୁହଁରେ ଭାଷା ନଥିଲା।ମୋ ଷ୍ଟେସନ ଆସିଯାଇଥିବାରୁ ମୁଁ ଓଳ୍ହାଇବାକୁ ଠିଆ ହେଲି।

 ଭିଡ଼ ଭିତରୁ କିଏ ଜଣେ ପଚାରିଲା, "ଆପଣ କେଉଁ ଧର୍ମର ?

 ସ୍ମିତ ହସଟିଏ ମୁହଁରେ ଖେଳାଇ କହିଲି," ସେଦିନ ପରେ ମୋ ଧର୍ମ ହେଉଛି ମାନବିକତା।"



Rate this content
Log in

Similar oriya story from Inspirational