Padmalaya Padhy

Inspirational

4.4  

Padmalaya Padhy

Inspirational

ଧର୍ମ ସଙ୍କଟ

ଧର୍ମ ସଙ୍କଟ

9 mins
710



ଜୁଳୁ ଜୁଳୁ କରି ହସ୍ପିଟାଲ ବେଡ଼ରେ ଚାହିଁରହିଥିଲେ ବାପା । ବିଗତ କେତେ ମାସ ଧରି ଶଯ୍ୟାଶାୟୀ ଥିଲେ ଏବଂ ପ୍ରାୟ ପନ୍ଦରଦିନ ହେଲା କଥା ବି ଭଲରୂପେ କହି ପାରୁ ନାହାନ୍ତି । ମାତ୍ର ଦୁଇ ତିନି ଦିନ ଭିତରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ଗୋଟିଏ ପରେ ଗୋଟିଏ ଅଚଳ ହୋଇ ଯାଇଥିଲା । କିଛି ଭାବିବା ପାଇଁ ବି ମୀରା ପାଖରେ ସମୟ ନଥିଲା । ଅର୍ଣ୍ଣବଙ୍କର ସାହାଯ୍ୟ ମିଳି ନଥିଲେ କଣ ଯେ ହୋଇଥାନ୍ତା କେଜାଣି ।


--ପାଣି ପିଇବ କି ବାପା ? କିଛି କହିବ ? ଡକ୍ଟର କହିଛନ୍ତି ବେଶୀ କଥା ହେବ ନାହିଁ । ଦେହ କଣ ଲାଗୁଛି କି ? ଡକ୍ଟରଙ୍କୁ ଡାକିବି ? ଏକମାତ୍ର କନ୍ୟା ମୀରାର ଏତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ଦେବା ପ୍ରସାଦ ବାବୁଙ୍କ ପାଖରେ ସମ୍ଭବ ନଥିଲା । କିଛି କହି ପାରୁ ନଥିଲେ ସେ । ହାତରେ ଠାରି ମନା କଲେ ତାଙ୍କ ପାଇଁ ଏତେ ବ୍ୟସ୍ତ ହେବା ଦରକାର ନାହିଁ ।


--କେମିତି ଚିନ୍ତା କରିବି ନାହିଁକୁହ ତ । ମା ଗଲା ପରେ ତୁମ ଛଡା ମୋର ଆଉ କିଏ ଅଛି ? ମୁଁ ଏମିତି ଏକ ଅଭିଶପ୍ତ ଝିଅ ଯେ ତୁମ ପାଇଁ କିଛି ବି କରି ପାରୁନି ବାପା । ଖାଲି ମୋ ଚିନ୍ତା କରି କରି ତୁମର ଏଇ ଅବସ୍ଥା । ମୁଁ ତୁମର ସକଳ ପ୍ରକାର ଅନିଷ୍ଟର କାରଣ । ମୁଁ ହେଲେ ଚାଲି ଯାଇଥାନ୍ତି….. । ପ୍ରସାଦ ବାବୁଙ୍କ ଲୁହ ଧାର ଗୁଡିକ ତାଙ୍କର ବୋଲ ମାନୁ ନଥିଲା । ବାପ ଝିଅ ଅଜସ୍ର ଅଶ୍ରୁପାତ କଲା ପରେ ଲୁହ ପୋଛି ଦେଇ ମୀରା କହିଲା ,


--ଢ଼େର ହେଲା ବାପା । ଏଥର ଆମେ ଜିଇଁବାକୁ ଚେଷ୍ଟା କରିବା । ଆଜି ଯାଏଁ ନିତି ମରି ଚାଲିଥିଲେ ଏବେ ଆଉ ନାହିଁ । ଏବେ ଆମେ ବଞ୍ଚିବା ଓ ଲଢେଇ କରିବା ।


ନିଜର ଏକମାତ୍ର ଅଲିଅଳି କନ୍ୟା ମୀରାକୁ ନେଇ ସ୍ୱାମୀ ସ୍ତ୍ରୀ ଉଭୟେ ଅନେକ ସ୍ବପ୍ନ ଦେଖିଥିଲେ । ମୀରାକୁ ଭଲ ସ୍କୁଲ ଭଲ କଲେଜରେ ପାଠ ପଢ଼ାଇବେ । ମୀରା ଅନେକ ପାଠ ପଢି ନାମ କମେଇ ଦଶ ଜଣକ ଭିତରେ ଜଣେ ଗଣା ହେବ । ସ୍ବପ୍ନରରାଜକୁମାର ଆସିବ ମୀରାକୁ ବିବାହ କରିବା ପାଇଁ । ଯେତେବେଳେ ସ୍ବପ୍ନରାଇଜରେ ମୀରା ପାଇଁ ତା ପିତା ମାତା ସ୍ବପ୍ନର ସୌଧ ଗଢୁଥିଲେ ସେତେବେଳେ ନିୟତି ଅଦୃଶ୍ୟରେରହି ପରିହାସ କରୁଥିଲା । ଆଗକୁ ଏମିତି କିଛି ହେଲା ଯାହା ପୁରା ପରିବାର ଟିକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦେଇଥିଲା । ତିନୋଟି ମଣିଷର ଏଇ ଛୋଟିଆ ପରିବାରଟି ଛାର ଖାର ହୋଇ ଯାଇଥିଲା ଅଳ୍ପ ଦିନ ଭିତରେ ।


ଅନେକ ପୂର୍ବରୁରହିଥିବା ମୀରାର ପୁରୁଣା ଗାଇନିକ ପ୍ରୋବ୍ଲେମ ବଡ଼ ଆକାର ଧାରଣ କରିଥିଲା ଯାହା ଫଳରେ ଅତି କମ ବୟସରୁ ହିଁ ଗର୍ଭାଶୟଟି କାଢ଼ି ଦିଆ ଯାଇଥିଲା । ତତ ସହିତ ଧରାଶାୟୀ ହୋଇ ଯାଇଥିଲା ତାର ସୁଦୀର୍ଘ ଭବିଷ୍ୟତ ତଥା ତା ବାପା ମାଙ୍କର ବିଶାଳ ସ୍ବପ୍ନର ସୌଧ । ଏବେ ଖାଲି ମୀରା ଓ ବୃଦ୍ଧବସ୍ଥାରେ ମୀରାର ଅନ୍ଧକାରମୟ ଭବିଷ୍ୟତ ଅବଲୋକନ କରୁଥିବା ତାର ବାପା ଓ ମା । ଦିନେ ଅତ୍ୟଧିକ ଚାପର ବଶବର୍ତ୍ତୀ ହୋଇ ମା ଆରପାରିକୁ ଚାଲିଗଲା । ପରିବାରରେ ତିନିରୁ ଦୁଇ ହୋଇଗଲେ ।


--ମୁଁ ତୁମକୁ ଭଲ ପାଏ ମୀରା । ତୁମ ଦେହର କୌଣସି ଅଙ୍ଗ ଯଦି କ୍ଷତିଗ୍ରସ୍ତ ହୁଏ ସେଥିପାଇଁ ମୋ ଭଲ ପାଇବା କମିବ ନାହିଁ । ମୁଁ ତୁମକୁ ବିବାହ କରିବାକୁ ଚାହେଁ । ଆମେ ଅନାଥାଶ୍ରମରୁ ପିଲାଟିଏ ଆଣି ପାଳିବା । ଅର୍ଣ୍ଣବ ଙ୍କ ଠାରୁ ଏଭଳି କଥା ଶୁଣି ମୀରା ତାଙ୍କୁ କିଛି ଦିନ ସମୟ ମାଗିଥିଲା । ମା ଚାଲିଗଲା ପରେ ଚିନ୍ତା କରି କରି ବାପା ଶଯ୍ୟାଶାୟୀ । ଏମିତି ସମୟରେ ବିବାହ ଚିନ୍ତା ? ଅର୍ଣ୍ଣବ ଉଚ୍ଚ ଶିକ୍ଷିତ ଉଚ୍ଚ ପଦସ୍ଥ ଅଫିସର ଗଦାଏ ଦରମା ଏବଂ ମୀରାକୁ ଭଲ ପାଆନ୍ତି । ମାମୁଁ ଝିଅରୋମା ନାନିର ଦିଅର ଲେଖା ହେବେ । ନାନି ବାହାଘର ବେଳେ ଦେଖା ସାକ୍ଷାତ ଚିନ୍ହା ପରିଚୟ ତା ପରେ ଭଲ ପାଇବାର ଅଙ୍କୁରୋଦଗମ ।


ମୀରା ଜାଣିଥିଲା ଅର୍ଣ୍ଣବ ଭଲ ପାଇବା ଯୋଗୁଁ ସବୁ ପ୍ରକାର ପରିସ୍ଥିତି ସହ ସାଲିସ କରିବେ ବୋଲି କହୁଛନ୍ତି । ବାପାଙ୍କୁ ପାଖରେରଖି ସେବା କରିବାକୁ କିନ୍ତୁ ଟିକିଏ ପଛଘୁଞ୍ଚା ଦେଲା ପରି ଲାଗେ । ଯେବେଠାରୁ ବାପା ଅଚଳ ହୋଇଗଲେ ସେଇ ଦିନ ଠାରୁ ଅର୍ଣ୍ଣବ ଙ୍କର ବ୍ୟବହାରରେ ମଧ୍ୟ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କରିଛି ମୀରା । କେମିତି କେମିତି ଗୋଟେ ଖାପ ଛଡା ଭାବ । ବିବାହ ପରେ ଯଦି ଅର୍ଣ୍ଣବ ଙ୍କର ମନ ବଦଳି ଯାଏ ତେବେ ବାପାଙ୍କର କଣ ହେବ ? ନା ସ୍ୱାମୀକୁ ଛାଡିହେବ ନା ବାପା ଙ୍କୁ ।


କେତେଦିନ ହେଲାଣି ବାପା ହସ୍ପିଟାଲ ବେଡ଼ରେ ପଡିଛନ୍ତି । ନାମୀ ଦାମୀ ଡକ୍ଟର ବଡ଼ ହସ୍ପିଟାଲ ହେଲେ ବି ନିଶ୍ୱାସ ପ୍ରଶ୍ୱାସ ଗୁଡିକ ତ ଗୋଟି ଗଣତି ତାହା ପୁଣି ଈଶ୍ୱରଙ୍କ ହାତରେ । ହଠାତ ବାପାଙ୍କ ଡାକରେ ମୀରାର ହୋସ ଆସିଲା


--ତୁ ହାତକୁ ଦି ହାତ ହୋଇଗଲେ ମୁଁ ଶାନ୍ତିରେ ମରିପାରିବି ଲୋ ମା ! ମୋତେ ଖାଲି ତୋ ଚିନ୍ତା । ତୋ ନାଁରେ ସବୁକିଛି ଲେଖିଦେଇଛି ମୁଁ । ଭବିଷ୍ୟତ ତୋର ସୁରକ୍ଷିତ । କେହି ତୋର କୌଣସି କ୍ଷତି କରି ପାରିବେ ନାହିଁ । ଯାହା ନିଷ୍ପତ୍ତି ନେବା କଥା ଶୀଘ୍ର ନେଇ ଯା ମା ! ହଠାତ ମୀରା କାଣ୍ଡଜ୍ଞାନ ହରାଇ ପାଟି କରି ବସିଲା ।


--ଓ ହୋ ବାପା ତୁମେ ଚବିଶ ଘଣ୍ଟା ସେଇ କଥା କହି କହି ମୋ ମୁଣ୍ଡ ଖାଅ ନାହିଁ । ମୋ ନାଁରେ ସବୁ ଲେଖିଦେଲେ କଣ ହେବ

ଯେ ? ତୁମ ଭାଇ ମାନେ ପରା ଜଗି ବସିଛନ୍ତି ଲାଗି ପଡିଛନ୍ତି ମୋ ଜୀବନ ପଛରେ । ମୋତେ ମାରି ସାରିଲେ ଯାଇ ସେମାନେ ଶାନ୍ତିରେ ନିଶ୍ୱାସ ନେବେ ବୋଲି ? ମୋ ଲାଗି ସେମାନେ ତୁମ ଠାରୁ କିଛି ପାଇଲେ ନାହିଁ । ମୋତେ ତୁମଠାରୁ ଦୂରେଇଦେଲେ ସେମାନେ ତୁମ ପାଖକୁ ଆସିଯିବେ । ନହେଲେ ମୋତେ ସେମାନେ ସାରି ଦେବେ । ଆଜିଯାଏଁ ମୋ ଭାଇ ମୋ ଭାଇ କହି ସମସ୍ତଙ୍କୁ ଆବୋରି ବସିଥିଲ ପରା ? ଏବେ ଦେଖ ଝିଅଟିଏ ଓ ବୃଦ୍ଧ ଜଣେ ଜୀବନ ସଂଗ୍ରାମ ଯୁଝୁଛନ୍ତି ଏକା ଏକା । ସାହା ଭରସା କେହି ବୋଲି କେହି ନାହିଁ ଆମର ।


ପ୍ରସାଦ ବାବୁଙ୍କର ଭାଇ ଭଉଣୀ ପୁତୁରା ଝିଆରୀ ସହରରେ ଅନେକ ଅଛନ୍ତି । ହେଲେ ଯେଉଁଦିନ ସେ ତାଙ୍କର ବିରାଟ ଘରଟିକୁ ଝିଅ ମୀରା ନାଁରେ କରିଦେଲେ ସେଇ ଦିନଠାରୁ କୌଣସି ଭାଇ ଭଉଣୀ ତାଙ୍କ ପାଖ ମାଡନ୍ତି ନାହିଁ । ସେଇ ଘରଟିରେ ସମସ୍ତଙ୍କର ଆଶା ଲଟକିରହିଥିଲା । ମୀରା ତ ଏକମାତ୍ର କନ୍ୟା । ସେ ବିବାହ କରି ଚାଲିଗଲା ପରେ ପ୍ରସାଦ ବାବୁ ଏକୁଟିଆ ହୋଇ ଯିବେ । ବୋଲହାକ କରିବାକୁ ନିଶ୍ଚୟ ଲୋକବାକ ଦରକାର ପଡିବ ।


ବୋଲୋହାକ କରୁ କରୁ ସବୁ କିଛି ଚଳୁ କରିନେବା ମତଲବରେ ଥିଲେ ସେମାନେ । ତାଙ୍କର ସମସ୍ତ ସ୍ଥାବର ଆସ୍ଥାବର ସମ୍ପତ୍ତିର ମାଲିକ ହେବାକୁ ଆଶାୟୀ ମାନେ ଧାଡି ବାନ୍ଧିରହି ଥିଲେ । ମୀରା ଭାବେ ବାପାଙ୍କ ପରେ ମୋ ଅବସ୍ଥା କଣ ହେବ ? ବନ୍ଧୁ ବାନ୍ଧବ ତ ଚିର ଶତ୍ରୁ । ଏକୁଟିଆ ପାଇଲେ କଣ ନା କଣ କରି ବସିବେ ? ଯଦି ଅର୍ଣ୍ଣବ ଙ୍କ ସାହାରା ମିଳିଯାଇ ଥାଆନ୍ତା ….ତେବେ ଅଲଗା କଥା ।


କିନ୍ତୁ ବାପା ଥାଉ ଥାଉ ଅର୍ଣ୍ଣବ ଯଦି ମୋ ଜୀବନରେ ଆସିବେ ଓ ବାପାଙ୍କୁ ଅଣଦେଖା କରିବେ ତେବେ ସହି ହେବ ନାହିଁ । ଯଦି ବାପା ଚାଲିଗଲା ପରେ ବିବାହ କରିବି ତେବେ ଅର୍ଣ୍ଣବ କଣ ସେ ପର୍ଯ୍ୟନ୍ତ ଅବିବାହିତରହିଥିବେ ? ବାପା ଙ୍କ ଅବସ୍ଥା ତ ଏବେ ଧୀରେ ଧୀରେ ସୁଧୁରି ଆସିଲାଣି । ଛି !! ଏମିତି କଣ ଭାବୁଛି ମୁଁ ? ଅର୍ଣ୍ଣବ ଙ୍କ ପ୍ରେମରେ ମଣିଷ ପଣିଆ ବି ଚାଲି ଯିବାକୁ ବସିଲାଣି । ଏମିତି ଅନେକ କଥା ଭାବି ଭାବି ମୀରା ନିଜକୁ ବାରମ୍ବାର ଦୋଷ ଦେଉଥାଏ ।


ଏବେ ବି ମନେ ଅଛି । ଅଲେଖ ମଉସା ଙ୍କ ଦେହାନ୍ତ ବେଳର କଥା । ମଉସା ବି ବାପାଙ୍କ ପରି ଶଯ୍ୟାଶାୟୀ ଥିଲେ କେତେ ମାସ । ସେଦିନରାତିରେ କ୍ଷୀର ପିଇ ଶୋଇଥିଲେ ତା ପର ଦିନ କଣ ହେଲା ନା ସକାଳୁ ଆଉ ଉଠିଲେ ନାହିଁ । ସବୁ ସରିଗଲା । କିନ୍ତୁ ଶେଷ ସମୟରେ ବହୁତ ଘାଣ୍ଟି ହୋଇଥିଲେ । ଅଲେଖ ମଉସାଙ୍କ ପୁଅ କଥା ହେବାର ମୀରା ଶୁଣିଛି । ସେ କହେ ବାପା ଙ୍କର ଯାହା ହେବାର ଶୀଘ୍ର ହୋଇ ଯାଆନ୍ତା ହେଲେ । ଆଉ କେତେଦିନ ଏମିତି ଘାଣ୍ଟି ହେଉ ଥିବେ ଓ ଆମକୁ ଘାଣ୍ଟୁ ଥିବେ । ସେତେବେଳେ ଅଲେଖ ମଉସାଙ୍କ ପୁଅ ମୀରାକୁ ଗୋଟିଏ ଭିଲେଇନ ପରି ଦିଶୁଥିଲା । ମଉସାଙ୍କୁ ନବେ ହେଲାଣି ସତ ସେଇଠୁ କଣ ହେଲା ? କିନ୍ତୁ ପୁଅ ହୋଇ…?


ଏବେ ମୀରା ତ ଘୁରି ବୁଲି ପୁଣି ଠିକ ସେଇ ମୋଡ଼ରେ ପହଞ୍ଚିଛି । ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖି ମୀରା ଚିନ୍ତାରେ ପଡି ଯାଇନାହିଁ ତ ? ଅର୍ଣ୍ଣବ ଙ୍କୁ ବିବାହ କରିବା ପାଇଁ ସେ ହୁଏତ ଚାହୁଁଛି ବାପା ଚାଲିଯାଆନ୍ତୁ । ମୁକ୍ତି ମିଳିଯାଉ । ହୁଏତ ବାପାଙ୍କ ପରେ ତାର ବିପଦ ସଂକୁଳ ଭବିଷ୍ୟତ କଥା ଭାବି ଜୀବନ ବିକଳରେ ଚାହୁଁଛି କାହାର ଗୋଟେ ସାହାରା । ଗୋଟିଏ ବୋଲି ଝିଅ ବାପା ମାର ନୟନ ପିତୁଳା ଥିଲା । ଅଥଚ ଆଜି ନିଜ ସ୍ଵାର୍ଥ ପାଇଁ… । ମୀରା ନିଜକୁ ନିଜେ ପଚାରୁଥିଲା । ସେ କାହିଁକି ଆଜି ବାପାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବା ଦେଖି ବେଶୀ ଖୁସି ହୋଇ ପାରୁନି ?


--ବାପା ଶୁଣ ଟିକେ ମୋ କଥା । ମୁଁ ଆଜି ମୋ ପାପ ସ୍ୱୀକାର କରୁଛି । ପାପ ସ୍ୱୀକାର କରିଦେଲେ ପୁଣି ଅଧର୍ମ ହୁଏନାହିଁ ନା ତୁମେ କହୁଥିଲ ?


--ପାପ ସ୍ୱୀକାର ନୁହେଁରେ ମା ! ଦ୍ଵିତୀୟ ଥର ନ କରିବାର ଶପଥ ସେଥି ସହିତ ପୁଣି ପ୍ରାୟଶ୍ଚିତ ବି କରିବାକୁ ପଡେ । ତେବେ ଯାଇ ପାପରୁ ମୁକ୍ତି ମିଳିଥାଏ । ମାଛିକୁ ମ ବୋଲି କହୁ ନଥିବା ଝିଅ ମୋର ଆଜି କି ପାପ ଗୁଡାକ କରି ପକାଇଛି କି ?


--ହଁ ବାପା ମୁଁ ତୁମର କୃତଘ୍ନ ଝିଅ । ମୋ ସୁଖର ଲାଳସା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ତୁମେ ନୁହଁ । ଗୋଟେ ନିରାପଦ ଭବିଷ୍ୟତ ଆଶାରେ ମୁଁ ମୋ ଅତୀତକୁ ଭୁଲି ଯାଇଛି । ତୁମେ ଭଲ ହେବାରେ ଲାଗିଛ ଦିନକୁ ଦିନ ତୁମ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଛି କିନ୍ତୁ ମୁଁ କାହିଁକି ବାପା ତାହା ଦେଖି ଖୁସି ହୋଇ ପାରୁନି ? କଣ ଅଛି ମୋ ମନ ଭିତରେ ଯାହା ମୁଁ ବି ଜାଣେ ନାହିଁ ।


--ତୁ ଦ୍ୱନ୍ଦ୍ୱରେ ପଡି ଯାଇଛୁ ମା । ତେଣୁ ତୋ ମନର ଅନ୍ତର୍ଦ୍ୱନ୍ଦ୍ୱ ହିଁ ତୋ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଯଦ୍ୱାରା ସୁଖ ଦୁଃଖ କୌଣସି ଟି ଆଜି ତୁ ଦେଖି ପାରୁନାହୁଁ । ତୋ ମନରେ ମୋ ପରେ ଏକୁଟିଆରହିବାକୁ ନେଇ ଭୟ ତତ ସହିତ ମୋତେ ଓ ଅର୍ଣ୍ଣବକୁ ପ୍ରଗାଢ଼ ଭଲ ପାଇବା ହିଁ ତୋତେ ଏପରି ବିଷର୍ଣ୍ଣ କରୁଛି । ଏହି ଦ୍ଵିଧା ଭିତରେ ସୁଖର କ୍ଷୀଣ ଆଲୋକଟି ତୋତେ ଦେଖା ଯାଉନାହିଁ ।


-- ମୁଁ ସୁଖରେ ଘର ସଂସାର କରେ ବୋଲି ତୁମେ ହିଁ ଚାହୁଁଥିଲ ନା ବାପା ? ତୁମେ ବି କହିଥିଲ ଅର୍ଣ୍ଣବ ଙ୍କ ଠାରୁ ଭଲ ଜୀବନସାଥୀ ମୋତେ ଆଉ ମିଳିବେ ନାହିଁ ବୋଲି । କୋଉଥିରେ ବି ତାଙ୍କୁ ପୁଣି ଖୁଣି ଦେବାକୁ କିଛି ନାହିଁ ।


--ଏବେ ବି ସେଇ କଥା ହିଁ କହୁଛି । ସର୍ବ ଗୁଣ ସମ୍ପର୍ଣ୍ଣ ପିଲାଟିଏ ଅର୍ଣ୍ଣବ । ତା ଭିତରେ ମୁଁ ପୁଅଟିଏ ଖୋଜି ପାଇଛି । ଭଗବାନ ମୋତେ ଝିଅଟିଏ ଦେଇଥିଲେ ଏବେ ପୁଅ ବି ମିଳିଗଲା ।


--କିନ୍ତୁ ତୁମର କଣ ହେବ ବାପା ? ମୁଁ ଚାଲିଗଲା ପରେ ତୁମ ଅବସ୍ଥା କଣ ହେବ ?


--ମୋର ଆଉ କେତେଦିନ ? ସେତେ ଦିନ ଯାଏଁ କଣ ମୋ ପୁଅର ଆଖି ପାଉ ନଥିବା ବଙ୍ଗଳାରେ ମୋ ପାଇଁ ଚାଖଣ୍ଡେ ଜାଗା ମିଳିବ ନାହିଁ କି ?


ଆହା ବାପା ମୋର ! କେତେ ଆଶାରଖିଛନ୍ତି ଜୋଇଁର ସେବା ପାଇବେ ବୋଲି । କିନ୍ତୁ ଅର୍ଣ୍ଣବ କଣ….? ଅର୍ଣ୍ଣବ ଙ୍କ ପଦବୀ ପ୍ରତିପତ୍ତି ଯେମିତି ତାଙ୍କର ଗର୍ବ ଅହଂକାର ବି ସେମିତି । ମୀରା ତାଙ୍କୁ ଏତେ ଭଲ ପାଇଲେ ବି ବେଳେ ବେଳେ ତାଙ୍କର କଟୁ ବାକ୍ୟ ଗୁଡିକ ସହି ପାରେନାହିଁ ବାପା କେମିତି ସହିବେ କେଜାଣି ? ନିଜ ପୁଅ ଅବହେଳା କଲେ ଚଳିଯିବ ହେଲେ ଜୋଇଁ ? ଶେଷ ବୟସରେ ଏମିତି ଅବସ୍ଥା ହେବ ବାପାଙ୍କର ?


ଅର୍ଣ୍ଣବ କ୍ଷଣକୋପି । ଟିକେ ଟିକେ ଯୁକ୍ତି ତର୍କ ଛୋଟ ଛୋଟ କଥାରେ ସେ ମୀରାକୁ ଅନଲାଇନରେ ବ୍ଲକ କରି ଦିଅନ୍ତି । ପୁଣି କେତେ ନେହୁରା ହେଲେ ଯାଇ ଅନବ୍ଲକ ହୁଏ । ବର୍ଷ ସାରା ଏଇ ବ୍ଲକ ଅନବ୍ଲକର ଡ୍ରାମା ଚାଲିଥାଏ । ବେଳେ ବେଳେ ମୀରାକୁ ଏଇ ଭଲ ପାଇବା ଟି ଏକ ତରଫା ଲାଗେ । ମୀରା ସିନା ଅନ୍ଧ ଭଳି ଭଲ ପାଉଛି ହେଲେ ସେ ପାଖରେ ବୋଧେ କିଛି ହେଲେ ନାହିଁ ।


ବାପା ଯେତେ ଶାନ୍ତ ଶିଷ୍ଟ ହେଲେବି ଓଷଦ ଖାଇଲା ବେଳେ ବାରମ୍ବାର ବାନ୍ତି ଉଠାଏ ବୋଲି ଓଷଦ ଖାଇବା ତାଙ୍କ ପାଇଁ ଯମ ଯନ୍ତ୍ରଣା । ବାପାଙ୍କୁ ଓଷଦ ଖୁଆଇବା ପାଇଁ ବହୁତ ସହନ ଶକ୍ତିର ଆବଶ୍ୟକତାରହିଛି । ବିବାହ ପରେ ବାପାଙ୍କ ପାଇଁ ମୀରା ସେତିକି ସମୟ ଦେଇ ପାରିବ ତ ? ସେଦିନ ଅର୍ଣ୍ଣବ ଆସିଥିଲେ ବୋଧେ ଟାଇମ ପାସ କରିବା ପାଇଁ ।ରାଉଣ୍ଡ ମାରି ଫେରିଲା ବେଳେ କହିଲେ


--ଆମ ବାହାଘର ବିଷୟରେ କଣ ନିଷ୍ପତ୍ତି ନେଲ ମୀରା ?


--ମୋତେ ଅଳ୍ପ କିଛି ଦିନ ସମୟ ଦିଅ । ବାପାଙ୍କ ସାଙ୍ଗେ କଥା ହୋଇସାରି… । ମୀରା କିଛି କହିବା ପୂର୍ବରୁ ଅର୍ଣ୍ଣବ କହି ଉଠିଲେ


--ଆରେ ମୀରା ତୁମେ କିଛି ଖରାପ ଭାବିବ ନାହିଁ । ବାପାଙ୍କ ଭଳି ଜଣେ ସତୁରି ବର୍ଷର ଶଯ୍ୟାଶାୟୀ ଙ୍କ ପରାମର୍ଶକୁ ଅପେକ୍ଷା କରି ତୁମେ ନିଜ ଭବିଷ୍ୟତ ପରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରୁଛ ? ମୀରାକୁ ଛୋଟିଆ ଧକ୍କାଟିଏ ଲାଗିଥିଲା । ସେଇଟି ସମ୍ଭାଳୁ ସମ୍ଭାଳୁ ପୁଣି


--ହେଇ ଦେଖ ମୋ ପାଖରେ ମୋଟେ ସମୟ ନାହିଁ । ଏଇ ବର୍ଷଟା ପୂରିବାକୁ ଆଉ ପ୍ରାୟ ମାସେରହିଲା । ଯଦି ହୁଏ ଏ ବର୍ଷ ଆମର ବିବାହ ହେବ ନହେଲେ ଆସନ୍ତା ବର୍ଷ କିଛି ଠିକ ଠିକଣା ନାହିଁ ।


--କାହିଁକି ମହାଶୟ ? ଆସନ୍ତା ବର୍ଷକୁ ଆପଣଙ୍କର ପତ୍ନୀ ହେବାର ସୌଭାଗ୍ୟ ନେଇ ଆଉ କେହି ଆସିବାକୁ ଅଛନ୍ତି କି ? ମୀରା ମଜା କରି ପରିବେଶକୁ ହାଲକା କରିବାକୁ ଚେଷ୍ଟା କରୁଥିଲା ।


--ଶୁଣ ମଜା କରିବା ମୁଡ଼ରେ ମୁଁ ନାହିଁ । ତୁମ ବାପାଙ୍କର ଯେପରି ଅବସ୍ଥା ଆସନ୍ତା ବର୍ଷ ଯଦି କିଛି ହୋଇଯାଏ ତେବେ ଶୁଭ କାର୍ଯ୍ୟ ତ ବର୍ଷେ ପର୍ଯ୍ୟନ୍ତ ବନ୍ଦ ହୋଇଯିବ ନା ? ମୀରାକୁ ଏହି ବାକ୍ୟଟି ଯଥେଷ୍ଟ ଥିଲା ଶେଷ ନିଷ୍ପତ୍ତି ନେବା ପାଇଁ । ଯାହାତ କହିଲେ କହିଲେ ପୁଣି ବାପାଙ୍କ ସାମ୍ନାରେ ? ଥରେ ମାତ୍ର ବାପାଙ୍କ ମୁହଁକୁ ଚାହିଁଥିଲା ମୀରା । ତାଙ୍କର ସେଇ ନିରୀହ ଆଖି ଦୁଇଟି ମାତ୍ର ଗୋଟିଏ ସେକେଣ୍ଡ ପାଇଁ ଟିକେ ଓଦା ହୋଇ ଯାଇଥିଲା ସିନା କିନ୍ତୁ ମୀରା ଆଖିରୁ ତାହା ବାଦ ଯାଇ ନଥିଲା ।


--ମୁଁ ଆପଣଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନୁହେଁ ଅଫିସର ବାବୁ ! ଆପଣ ଏବେ ଆସି ପାରନ୍ତି ।


--ଏ କଣ କହୁଛ ମୀରା ? ବୁଝି ପାରୁଛ ତୁମେ କଣ କହୁଛ ?


--ଆଜି ଯାଏଁ ବୁଝି ପାରି ନଥିଲି ହେଲେ ଏବେ ବୁଝୁଛି । ଯାହା କହିଲି ତାହା ମୋର ଚୂଡାନ୍ତ ନିଷ୍ପତ୍ତି ଅଟେ । ହଁ ଆଉ ଗୋଟିଏ ମାଗଣା ଉପଦେଶ ଶୁଣି ଦେଇ ଯାଆନ୍ତୁ । ଆପଣ କେବଳ ଅଫିସର ହୋଇ ପାରିଲେ କିନ୍ତୁ ଭଲ ବନ୍ଧୁ କିମ୍ବା ପ୍ରେମିକଟିଏ ହୋଇ ପାରିଲେ ନାହିଁ । କାହାକୁ ଭଲ ପାଇବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଅଫିସର ବାବୁ । ଏ ପୃଥିବୀରେ ସଫଳ ବ୍ୟକ୍ତି ତ ବହୁତ ମିଳିଯିବେ କିନ୍ତୁ ସ୍ନେହ ଓ ପ୍ରେମ ସହଜରେ ମିଳିବ ନାହିଁ ।


--ସ୍ନେହ ବଦଳରେ ସ୍ନେହ ହିଁ ଦେବାକୁ ପଡିଥାଏ । ସ୍ନେହ ବଦଳରେ ଟଙ୍କା ପଇସା ଘର ସଂସାର ପଦ ପଦବୀର ଆବଶ୍ୟକତା ନାହିଁ । ଏକମୁହାଁ ହୋଇ ଅର୍ଣ୍ଣବ ଚାଲି ଯାଇଥିଲେ । ବାପାଙ୍କ ଆଡକୁ ବୁଲି ମୀରା କହିଥିଲା


--ମାଇଁ ଡ଼ିଅର ବାପା ! ତୁମେ ମୋ ବାପା ନୁହଁ ବରଂ ମୁଁ ତୁମର ମା । ତେଣୁ ମୋ ଆଗରେ କିଛି ଲୁଚାଇବାକୁ ଚେଷ୍ଟା କଲେ ଧରା ପଡିବା ହିଁ ସାର ହେବ । ତୁମ ଆଖିର ଲୁହ ମୁଁ ଦେଖି ପାରିଛି । ମୁଁ ଯାହା କରିଛି ଠିକ କରିଛି ସୁତରାଂ କୌଣସି ଯୁକ୍ତି ତର୍କ ନକରି ସୁନା ପିଲା ପରି ଶୋଇଯାଅ । ଯେଉଁ ଲୋକ ମୋ ବାପାଙ୍କୁ ନିଜ ବାପା ପରି ଭାବିବ ଭବିଷ୍ୟତରେ ସେ ହିଁ ମୋ ଜୀବନସାଥୀ ହେବ । ଆଜି ମୁଁ ପ୍ରତିଜ୍ଞା କରୁଛି ନହେଲେ ସାରା ଜୀବନ ମୁଁ ଅବିବାହିତା ହୋଇରହିବି ।


Rate this content
Log in

Similar oriya story from Inspirational