ଧନର ଗରିବତା
ଧନର ଗରିବତା
"ଗରିବ ହେବା ଏକ ଭଲ ବ୍ୟବସାୟ ହୋଇଗଲାଣି ଆଜ୍ଞା । ସହର ବଜାର ସବୁ ଆଡେ, ହାତ ପାତି ବା ନିହାତି ଏକ ଭଲ ବେଉସା ଆଜିକାଲି । ଯେତିକି ଏମାନେ କମଉଛନ୍ତି ସରକାରୀ ଚାକିରୀ କରିଥିବା ଘୁସଖୋର ଲୋକଟିଏ ମଧ୍ୟ କମଉ ନଥିବ," ମୋହନ ବାବୁ କହିଲେ । ହାତପାତି କିଛି ଖାଇବାକୁ ମାଗୁଥିବା ଭିକାରୁଣୀଟିଏ ତାଙ୍କଠାରୁ ବହେ ଗାଳି ଶୁଣି ଚାଲି ଯାଇଥିଲା ତାହାର ଛୋଟ ଛୁଆକୁ ଧରି ଦୂରକୁ । "ମୋର ପଇସା ଦରକାର ନାହିଁ ବାବୁ, ପିଲାଟି ଭୋକରେ ଅଛି, ମୁଁ ଗରିବ ସ୍ତ୍ରୀଟିଏ ଆଜି କାମ ମିଳିଲାନି, କିଛି ଖାଇ ନାହିଁ, ଖାଇବାକୁ କିଛି କିଣିକି ଦିଅ ଯଦି ହବ," ନେହୁରା ହୋଇ କହିଥିଲା ସ୍ତ୍ରୀ ଲୋକଟି । "
"ଆପଣ ସତ କହିଲେ ଆଜ୍ଞା, ଆଜିକାଲି ଆଉ କେହି ଦୟା ଆଉ କ୍ଷମାର ଯୋଗ୍ୟ ହୋଇ ରହିଲେ ନାହିଁ । ଗାଆଁ ଛାଡି ଚାଲି ଆସୁଛନ୍ତି ସହରକୁ ଆଉ ସହର ବାସୀଙ୍କ ଉପରେ ହେଇଯାଉଛନ୍ତି ବୋଝ । ଏଇଟା ମଧ୍ୟ ଏକ ପ୍ରକାର ଶୋଷଣ ଆଜ୍ଞା, ମନୁଷ୍ୟତାର ଶୋଷଣ । ଏମାନେ ହେଲେ ସହରବାସୀଙ୍କ ଉପରେ ପରାଙ୍ଗପୁଷ୍ଟ, ମାନବିକତାକୁ ବ୍ଲାକମେଲ କରି ନିଜର କାମ ଆଦାୟ କରିବା ପନ୍ଥାଟିଏ," ସହମତି ଜଣାଇଲେ ରାକେଶ ବାବୁ ।
"ମୋତେ ଆଜ୍ଞା ଏହି ଗରିବ ଲୋକଙ୍କୁ ଦେଖିଲେ ଭାରି ଚିଢା ଲାଗେ । କାମ ଦାମ କିଛି କରନ୍ତି ନାହିଁ, ଅନ୍ୟ ଉପରେ ନିର୍ଭରଶୀଳ ହୁଅନ୍ତି ନିଜର ଜୀବନକୁ ବଞ୍ଚିବା ପାଇଁ । ମୁଁ ମଧ୍ୟ ଗରିବ ଅମ୍ବାନିଙ୍କ ତୂଳନାରେ, ନୁହଁ କି ଆଜ୍ଞା ?' ମୋହନ ବାବୁ କହିଲେ ।
"ହଁ ଆଜ୍ଞା କହିବାକୁ ଖାଲି ମନ ଗରିବ ଧନ ଗରିବ ଅଛି, କିନ୍ତୁ ବାସ୍ତବ ଦୁନିଆଁରେ ଯାହାର ପକେଟରେ ପଇସା ନାହିଁ ସିଏ ଗରିବ, ମନ ଥାଉ କି ନଥାଉ । ପଇସା ନ ଥାଇ କେବଳ ମନରେ ଧନୀ ଥିଲେ କଣ ଜଣେ ଗୋଡି ପଥର ବାଣ୍ଟିବକି?" ରାକେଶ ବାବୁ କହିଲେ ।
"ମୋର ଆଜ୍ଞା ମନରେ ଧନୀ ହେବା ଦରକାର ନାହିଁ, ମୁଁ ମନରେ ଗରିବ ହିଁ ହେବାକୁ ପସନ୍ଦ କରିବି ଯଦି ମୋତେ ତାହା ଟଙ୍କାରେ ଧନୀ କରେ," ମୋହନ ବାବୁ କହିଲେ ।
ବରମୁଣ୍ଡା ବସ ଷ୍ଟାଣ୍ଡର ଛୋଟ ଚାହା ଦୋକାନ ପାଖରେ ବାର୍ତ୍ତାଳାପ ଚାଲିଥିଲା ରାକେଶ ବାବୁ ଆଉ ମୋହନ ବାବୁଙ୍କ ମଧ୍ୟରେ । ବଦାୟ ଦେବାକୁ ଆସିଥିଲେ ରାକେଶ ବାବୁ, ମୋହନ ବାବୁଙ୍କୁ । ମୋହନ ବାବୁଙ୍କ ସ୍ଥାନାନ୍ତରଣ ହୋଇଛି ସୁଦୂର କୋରାପୁଟର ମଫସଲ ଇଲାକାକୁ । ପ୍ରଥମେ ଦୋଦୋପାଞ୍ଚରେ ଥିଲେ ମଧ୍ୟ ଅବଶେଷରେ ମୋହନ ବାବୁ ବାଧ୍ୟ ହୋଇ ଯାଉଛନ୍ତି ଚାକିରୀରେ ଯୋଗ ଦେବାକୁ ।
"ଆପଣ ଦୁଃଖ ନିଶ୍ଚୟ କରୁଛନ୍ତି," ରାକେଶ ବାବୁ ପୁଣି କହିଲେ ।
"ଭିକାରି ଆଉ ଗରିବଙ୍କ ଇଲାକା ଆଜ୍ଞା କଣ ଆଉ କରିବି? ଯୋଇନ ନ କଲେ ଆଉ ଅନ୍ୟ ଗତି ନାହିଁ, ଚାକିରୀଟିଏ ଯାହା ହେଲେ ମଧ୍ୟ କରିବାକୁ ପଡ଼ିବ। ପରିବାରଟିକୁ ତ ଚଳେଇବାକୁ ହେବ ! ସେଥି ପାଇଁ ଭାବିଲି ଏକା ଚାଲିଯିବି । ମାସକୁ କି ପନ୍ଦର ଦିନକୁ ଥରେ ଆସିବି ଘରକୁ," ମୋହନ ବାବୁ କହିଲେ, " ସେଥିପାଇଁ ଏହି ଗୋଟିଏ ସୁଟକେଶରେ ଚାରି ହଳ ଡ୍ରେସ ଆଉ ଆବଶ୍ୟକ ସାମଗ୍ରୀ ଧରିଛି । ବସା ଘରଟିଏ ଠିକ ହେଲା ପରେ ଅନ୍ୟ ସାମାନ ନେବି ନଚେତ ସେହିଠାରୁ କିଣିବି । ଖିଆ ପିଆ ତ ନିଶ୍ଚୟ ଅଡୁଆ ହେବ କିଛି ଦିନ । ଜୋଇନ କରିକି ଆସେ, ପରେ ନ ହେଲେ ବଦଳି ନେଇକି ପୁଣି ଫେରି ଆସିବି । ଘର ଠାରୁ ଦୂରରେ ରହିବାରେ କୌଣସି ବୁଦ୍ଧିମତ୍ତା ନାହିଁ ," ରାକେଶ ବାବୁ କହିଲେ ।
ବାର୍ତ୍ତାଳାପ ମଧ୍ୟରେ ବସ ଆସିଗଲା । ନିଜର ସୁଟକେଶଟିକୁ ଧରି ଚଢ଼ି ଗଲେ ମୋହନ ବାବୁ ବିଦାୟ ନେଇ । ସାରା ଦିନର ପରିଶ୍ରମରେ କ୍ଳାନ୍ତ ଥିବା ମୋହନ ବାବୁଙ୍କୁ ନିଦ ହେବାକୁ ଡେରି ଲାଗିଲାନି ବସ ଚାଲିବା ଆରମ୍ଭ ହେଲା ପରେ । କେତେ ଥର ବା ରହିଛି, ଯାତ୍ରୀ ଚଢ଼ିଛନ୍ତି ଆଉ ଓହ୍ଲେଇଛନ୍ତି ତାହାର କିଛି ଅନ୍ଦାଜ ନାହିଁ ମୋହନ ବାବୁଙ୍କୁ ।
ବସଟି ହଠାତ ବ୍ରେକ ମାରିବାରୁ ନିଦ ଭାଙ୍ଗିଗଲା ମୋହନ ବାବୁଙ୍କର । ଅଜଣାତରେ ହାତଟି ଚାଲିଗଲା ପକେଟ ପାଖକୁ । ପର୍ସଟି ନଥିଲା । ସବୁ କ୍ରେଡିଟ କାର୍ଡ, ନଗଦ ତାଙ୍କ ଆଉ କିଛି କାଗଜ଼ ସହିତ ପର୍ସ ଏବଂ ସେଲ ଫୋନ ହୋଇ ଯାଇଥିଲା ଉଭାନ ।
ସଙ୍ଗେ ସଙ୍ଗେ ଉଠିକି ଏତଲା କଲେ କଣ୍ଡକ୍ଟରଙ୍କୁ ।
"ବ୍ରହ୍ମପୁର ଏବେ ଏବେ ପାର ହେଇଛି ଆଜ୍ଞା, ଆଗକୁ ଦିଗପହଣ୍ଡିରେ ରହିବ ଗାଡ଼ି ରାତ୍ରି ଭୋଜନ ପାଇଁ । ସେଠି ତଲାସି କରିନେବେ ," କଣ୍ଡକ୍ଟର କହିଲା ।
ଫେରି ଆସିଲେ ନିଜର ବସିବା ସ୍ଥାନକୁ ମୋହନ ବାବୁ ଆଉ ଭାବିବାକୁ ଲାଗିଲେ ଶେଷରେ କେତେବେଳେ ସିଏ ପର୍ସ ଆଉ ଫୋନ ଦେଖିଥିଲେ । ଚାହା ଦୋକାନରେ ରାକେଶ ବାବୁ ପଇସା ଦେଇଥିଲେ । ଦିଗପହଣ୍ଡିରେ ଅନ୍ୟ ଯାତ୍ରୀ ମାନେ ରାତ୍ରି ଭୋଜନ କରି ସାରି ଫେରିବା ପର୍ଯ୍ୟନ୍ତ ନିଜର ଫୋନ ଆଉ ପର୍ସ ଖୋଜି ପକେଇଲେ ମୋହନ ବାବୁ । ଶେଷରେ ହତାଶ ହୋଇ ବସିଗଲେ ନିଜ ସିଟରେ ।
ଭାବିଲେ ପାଖରେ ବସିଥିବା ଭଦ୍ରବ୍ୟକ୍ତିଙ୍କୁ ଫୋନ ମାଗି ରାକେଶ ବାବୁଙ୍କୁ ଫୋନ କରିବେ, କିନ୍ତୁ ଏତେ ରାତିରେ ତାଙ୍କୁ କଷ୍ଟ ଦେବାକୁ ମଧ୍ୟ ମନ ହେଲାନି । ଘରେ କହିଲେ ଘରଣୀ ଓଲଟା ମହାଭାରତ ସୃଷ୍ଟି କରିଦେବେ ତାଙ୍କର ହେଳାକୁ ଆଙ୍ଗୁଠି ଦେଖେଇ ।
ମୋହନ ବାବୁଙ୍କୁ ଦୁନିଆଁଟି କ୍ଷଣକ ଲାଗି ଅନ୍ଧାର ଦେଖା ଗଲା । ରକ୍ଷା ହେଇଛି ବସ ଟିକେଟଟି ଅଲଗା ପକେଟରେ ରଖିଥିଲେ । କିଛି ନ ଭାବି ଶୋଇଗଲେ ବସରେ । ସକାଳେ ଓହ୍ଲେଇଲେ ଯାହା ଭାବିବେ ପରବର୍ତ୍ତୀ ପଦକ୍ଷେପ ବିଷୟରେ । ଅଫିସରେ କାହାକୁ କହିକି ବ୍ୟବସ୍ଥା କରିବେ ଟଙ୍କାର ।
ଅଡୁଆ ଜାଗାରେ ଛାଡ଼ିଦେଇ ଗଲା ବସଟି ତାଙ୍କୁ । ଛକ ଉପରେ ଛାଡି ଦେଇଛି ତାଙ୍କୁ ବସ ଏବଂ ନିର୍ଜନ ଲାଗୁଛି ପୁରା ସଡ଼କଟି । ସବୁ ଆଡେ ଥୁଣ୍ଟା ପାହାଡ଼ । ହାତ ଦେଖେଇ ଅଫିସର ଦିଗଟି କହିଦେଇଥିଲା କଣ୍ଡକ୍ଟର । ଦୁଇ ମାଇଲ ଚାଲିବାକୁ ହେବ । ହାତରେ ସୁଟକେଶ ଧରି ଦେଖିଲେ ଦୂର ଦୂର ଯାଏଁ କାହାର ଦେଖା ନାହିଁ । "ଅଫିସଟି ଏଠାରୁ ଦୁଇ ମାଇଲ ଦୂରରେ । ଚାଲିକି ଯିବାକୁ ପଡ଼ିବ । ଦୈବାତ ଯଦି କେହି ମିଳିଗଲେ ଲିଫ୍ଟ ମାଗିବି, ସେୟାରିଙ୍ଗ ଅଟୋରେ ମଧ୍ୟ ଯିବାର ପ୍ରଶ୍ନ ଉଠୁନାହିଁ,"ମନେ ମନେ ବିଚଳିତ ହେବାକୁ ଲାଗିଲେ ମୋହନ ବାବୁ ।
ଦେଖିଲେ ଛକ ଠାରୁ ଟିକିଏ ଦୂରରେ ଚାହା ଦୋକାନଟିଏ ଅଛି । ଦୋକାନରେ ଦରବୁଢ଼ୀ ଜଣେ ବସିଛି । କିଛି ଭାବି ମାଡି ଗଲେ ଦୋକାନରେ ବସିଥିବା ମହିଳାଙ୍କ ପାଖକୁ । ତାକୁ କହିଗଲେ ନିଜର ବିଗତ ରାତିର ଅଘଟଣ ବିଷୟରେ । କିଛି କହିଲାନି ମହିଳା ଜଣକ , କେବଳ ଧରେଇଦେଲା ଚାହା ଗିଲାସେ ଆଉ କିଛି ଜଳଖିଆ । ଖାଇ ଦେଇ ଟିକିଏ ଆଶ୍ଵସ୍ତ ବୋଧ କଲେ ମୋହନ ବାବୁ ।
" ସକାଳୁ ବୋଧେ କେହି ଆସି ନଥିବେ । ଦଶଟା ନ ହେଲେ ତ କେହି ଆସିବେନି ଅଫିସକୁ । ତାହା ପରେ ତୁମର ପଇସା ଆଣି ଦେଇ ଦେବି," କହିଲେ ମୋହନ ବାବୁ । ସ୍ତ୍ରୀ ଲୋକଟି ହାତରେ ଇଶାରା କଲା ନ ଦେଲେ ଚଳିବ ବୋଲି ।
"ନା ନା ମୁଁ ପଇସା ଦେଇ ଦେବି, ମୋତେ କାହାର ମାଗଣା ଖାଇବା ଭଲ ଲାଗେନି, କାହାର ଦୟାର ପାତ୍ର ହେବାକୁ ଚାହେଁ ନାହିଁ, ମୁଁ, " ରାକେଶ ବାବୁ କହିଲେ । "କେତେ ଟଙ୍କା ହେଲା ତୁମର?" ରାକେଶ ବାବୁ କହିଲେ ।
ପାଖରେ ଚାଲି ଯାଉଥିବା ମୂଲିଆଟିର କାନରେ ପଡିଲା ମୋହନ ବାବୁଙ୍କର ଶେଷ ପଦ ଗୁଡିକ । ଅଟକି ଗଲା ସିଏ ଆଉ ମୋହନ ବାବୁଙ୍କୁ କହିଲା," ଆପଣ ଏଠି ନୂଆ କି ଆଜ୍ଞା? ଇଏ କେବଳ ଶୁଣି ପାରେ ଆଜ୍ଞା, କଥା କହି ପାରେ ନାହିଁ । ଏଠାର ଲୋକ ସବୁ ଜାଣିଛନ୍ତି କୋଉଟା କେତେ ଦର, ବଳେ ବଳେ ପଇସା ଦେଇଦିଅନ୍ତି । ଗରିବ ହେଲେ ବି ନିଜେ ପରିଶ୍ରମ କରି ଚଳୁଛି, ସେଥିପାଇଁ ଏପଟେ ଯିବା ଆସିବା କରିବା ଲୋକ ମାନେ ଏଠିହିଁ ଚା ପିଅନ୍ତି, । ଯାହା ଦେଲେ ବି ନେଇଯାଏ ବେଳେ ବେଳେ, ବହୁତ ବଢିଆ ଲୋକ ଆମର ଶୁକୁଟି ମାଆ।" ମୂଲିଆ ଜଣକ ଚାଲିଗଲା ତାହାର ନିଜର କାର୍ଯ୍ୟରେ । ତାକୁ କିଛି ସାହାଯ୍ୟ ମାଗିବାକୁ ସାହସ କରି ପାରିଲେନି ମୋହନ ବାବୁ । ଶୁକୁଟି ମାଆ ମୋହନ ବାବୁଙ୍କୁ ଚାହିଁ ମୁରୁକି ହସୁଥିଲା । ଶୀତ ସକାଳର ମାନ୍ଦତମନ୍ଦତା ଭିତରେ ତାହାର ହସରେ ଥିବା ଊଷ୍ଣତାଟିକୁ ଆଭାସ କରିବାକୁ ଲାଗିଲେ ମୋହନ ବାବୁ ।
ନିଜକୁ ଅନେକ ଅସହାୟ ମନେ କରି ଅଫିସ ଦିଗରେ ଚାଲିବାକୁ ଲାଗିଲେ ମୋହନ ବାବୁ ଶୁକୁଟି ମାଆକୁ ବିଦାୟ ଜଣେଇ ।
କେମିତି ଅଡୁଆ ସୂର୍ଯ୍ୟୋଦୟଟିଏ ହୋଇଥିଲା ଆଜି ତାଙ୍କର ଜୀବନରେ ସତେ !
ପାଞ୍ଚଶହ କିଲୋମିଟର ଦୂରରେ ରାଜଧାନୀରେ ମଧ୍ୟ ହୋଇ ସାରିଥିଲା ସୂର୍ଯ୍ୟୋଦୟ । ସ୍ନାନରତ ରାକେଶ ବାବୁଙ୍କ କଣ୍ଠଟି ଶୁଣାଗଲା , " ବୁଝିଲ ସୁରଞ୍ଜନା ମୋହନ ବାବୁ ପୁଣି ପର୍ସ ଆଉ ଫୋନ ଗଳେଇ ଦେଇଥିଲେ କାଲି ବସ ଷ୍ଟାଣ୍ଡରେ । ଜଣେ ଭିକାରୁଣୀଟି ଦେଖିକି ମୋତେ ଆଣିକି ଦେଇଦେଲା । ମୁଁ ତାକୁ ଖୁସିରେ କୋଡିଏ ଟଙ୍କା ଦେଇଦେଲି । ତୁମେ ଟିକେ ଦଶଟା ହେଲେ ମୋହନ ବାବୁଙ୍କର ଅଫିସକୁ ଫୋନ କରି ମୋହନ ବାବୁଙ୍କୁ କହିଦେବ ସେ ବ୍ୟସ୍ତ ହେବ ନାହିଁ । ମୁଁ ରାସ୍ତାରେ ଥିବି ସେତେବେଳେ ତେଣୁ ମୋର ଫୋନ ଲାଗିବନି, ଟାୱାର ନାହିଁ ସେ ପାଖରେ । ଟେବୁଲ ଉପରେ ତାଙ୍କର ପର୍ସ ଅଛି ଯଦି କିଛି ଜାଣିବାକୁ ଚାହାନ୍ତି ସିଏ । " ବାଥରୁମରୁ ଶୁଭିଲା ରାକେଶ ବାବୁଙ୍କର ଡାକଟି ତାଙ୍କ ଧର୍ମପତ୍ନିଙ୍କୁ ଏବଂ ରୋଷେଇ ଘର ଭିତରୁ ଶୁଭିଲା ଧର୍ମପତ୍ନୀଙ୍କ ଆକଟ, "ହେଲା ଯେ , କିନ୍ତୁ ତୁମେ କାହିଁକି ଦେଲ କୋଡିଏ ଟଙ୍କା ? ତାଙ୍କର ପର୍ସ ଆଣିକି ଦେଲା ଯଦି , ସେଇଥିରୁ ବାହାର କରିକି ଦେଇ ଦେଲ ନାହିଁ କୋଡିଏ ଟଙ୍କା ତାକୁ ?"