STORYMIRROR

Padmalaya Padhy

Inspirational

3  

Padmalaya Padhy

Inspirational

ଧନ୍ଦା

ଧନ୍ଦା

6 mins
199

--କିଏ ତୁମେ ? ଆଗରୁ ଦେଖିଲା ପରି ଲାଗୁନାହିଁ ?


--ନମସ୍ତେ ମାଡାମ l ଆପଣ କାମବାଲୀ ପାଇଁ କହିଥିଲେ ପରା ? ଏଜେନସି ପଠାଇଛି ମୋତେ l ମୋ ନାଁ ସୁନେଲି l ଆପଣ ମାଳିନୀ ମାଡାମ ନା ? 


--ହଁ ମୋତେ ଗୋଟେ କାମବାଲୀ ଦରକାର ଥିଲା l ଦେଖ କାମ ବେଶୀ କିଛି ନାହିଁ l ଆଜିଠୁ ରହିଯା l ମୁଁ ଓ ମୋ ସ୍ୱାମୀ ଆମେ ଦୁଇ ଜଣ ରହୁଛୁ l ଅଧିକାଂଶ ସମୟ ଆମର ବାହାରେ କଟେ ତ ଏଠି ଖାଲି ଘର ଜଗିବା କଥା l ରୋଷେଇବାସ କରି ଆମକୁ ଦେବୁ ଓ ନିଜେ ଖାଇବୁ l କୋଉଠି ରହୁଚୁ ଆଗରୁ କାହା ଘରେ ଥିଲୁ କଣ ଅଭିଜ୍ଞତା ଅଛି ତୋର କିଛି କହ l


--ଏ ହେଲା ଏଜେନ୍ସିର ଲେଟର ଆପଣଙ୍କ ପାଇଁ l ଏଥିରେ ସବୁ ଲେଖା ହୋଇଛି l


--ଘର ଠିକଣା….. କଳିକା ନଗର….. l ମାନେ ତୁ କଳିକା ନଗରର ବାସିନ୍ଦା ?


--ହଁ ମାଡାମ ମୁଁ ସେଇଠି ରହେ ଏବଂ ମୋ ମାଆ ବି ସେଇଠି ହିଁ ରହୁଥିଲା l କିନ୍ତୁ ମୁଁ ସେଭଳି କିଛି କାମ କରେ ନାହିଁ….l


--ହଉ ମୋ ସ୍ୱାମୀ ଆସିଲେ କଥା ହୋଇ ତୋତେ ଫୋନ କରିବି l ତା ପରେ ଯାଇ ତୁ ଆସିବୁ ହେଲା ? ଏବେ ଯା l


--କଣ ହେଲା ମାଡାମ ପ୍ଲିଜ ମୋତେ ରଖନ୍ତୁ ନା l ମୋର ବହୁତ ଅସୁବିଧା ଅଛି l ବାପା ନାହିଁ ମାଆ ମୋର କ୍ୟାନ୍ସର ପେସେଣ୍ଟ l ସାନ ଭଉଣୀଟି ସ୍କୁଲରେ ପଢୁଛି l ମୋତେ ଟଙ୍କା ବହୁତ ଆବଶ୍ୟକ ମାଡାମ l କାହଁକି ମାଡାମ ହଁ କହିସାରି ନାହିଁ କରୁଛନ୍ତି ? ମୁଁ ସେମିତି ନୁହେଁ ମାଡାମ ବିଶ୍ୱାସ କରନ୍ତୁ l ପ୍ଲିଜ ପ୍ଲିଜ ପ୍ଲିଜ l


--ଆରେ ଏ ତ ରୀତିମତ ଜବରଦସ୍ତି ? ମୁଁ ଥରେ କହିଲି ନା ପରେ ଜଣାଇବି ବୋଲି ?


--ମାଡାମ ପ୍ଲିଜ ମୋ କଥା ଟିକିଏ ଶୁଣନ୍ତୁ ଖାଲି l କଳିକା ନଗରରେ ରହି ମଧ୍ୟ ମୁଁ ସେସବୁ କାମ କରେ ନାହିଁ l ସେଠିକାର ସବୁ ଲୋକ ଖରାପ ନୁହନ୍ତି l ପ୍ଲିଜ ମୋତେ ରଖନ୍ତୁ l


--ତୁ ଏଠୁ ଭଲରେ ଯିବୁନା ପୋଲିସ ଡାକିବି ?


--ଆରେ ତୁ କଣ ପୋଲିସ ଡାକିବୁ ବେ ? ମୁଁ ହିଁ ଚାଲି ଯାଉଛି ଏଠୁ l ଚାକିରୀ ନଦେଲେ ନାହିଁ କିନ୍ତୁ ମୋ ଆଗରେ ଏମିତି ଉତୁପାତିଆ କଥା କହିବୁନି ହେଲା ?


--ଅସିଗଲୁ ନା ଏଥର ନିଜର ଅସଲି ରୂପକୁ ? ଏଇଟା ହେଲା ତୁମମାନଙ୍କର ପ୍ରକୃତ ରୂପ l ବୁଝିଲୁ କଳିକା ନଗରର ମଉଳା କଢ଼ ?


--ହଁ ହଁ ଲୋ ମୁଁ ହେଉଛି ମଉଳା ଫୁଲ ଯିଏ କି ପେଟ ପାଇଁ ପରିବାର ପାଇଁ ଦିହ ବିକୁଛି l ଅନେକ ଚେଷ୍ଟା କରୁଛି ସେଇ ପଙ୍କିଳ ଦୁନିଆରୁ ବାହାରି ଆସିବା ପାଇଁ ହେଲେ ତୁମ ସମାଜରେ ସମସ୍ତେ ଖାଣ୍ଟି ଭଦ୍ର ଲୋକ ଗୁଡାକ ଅଛ ତ ତେଣୁ ଏହି ଜାଗାରେ ମୋର ସ୍ଥାନ ନାହିଁ l ଦଳ ଭିତରେ ବୁଡି ଯାଉ ଯାଉ ମୁଣ୍ଡ ଟେକି ଉଠିଲା ବେଳକୁ ତୁମେ ମାନେ ପୁଣି ସେଇ ମୁଣ୍ଡଟାକୁ ପାଦରେ ଚପାଇ ଦେଉଛ l ବାହାରିବାକୁ ଦେଲେ ସିନା ? ଆଉ ତୁ ଟା ଗୋଟେ କଣ କିଲୋ ? ଏମିତି କଥା କହୁଛୁ ଯେମିତି ତୁ ଗୋଟେ ସତୀ ସାବିତ୍ରୀ ? ମୋତେ ରଖିଲେ ପୁଣି ତୋର ମାନ ମର୍ଯ୍ୟାଦା ହାନି ହୋଇଯିବ l


--ହେ ବଜ୍ଜାତ ମାଇକିନା l କଣ ଭାବିଲୁ କି ମୋତେ ? କାହାକୁ କଣ କହି ଯାଉଛୁ l ଜାଣିଛୁ କର୍ପୋରେଟ ଦୁନିଆର ସବୁଠାରୁ ସକ୍ସେସଫୁଲ ଲେଡି ସାଙ୍ଗେ କଥା ହେଉଛୁ l ଦି ପଇସାର ମୁଣ୍ଡ ନାହିଁ ତୋର ମୋତେ ପୁଣି କହିବୁ… l


--ଜାଣିଛି ଲୋ ଜାଣିଛି ତୋତେ l ମୋର ଦି ପଇସାର ମୁଣ୍ଡ ତ ତୋର ଶହେ ଟଙ୍କାର ମୁଣ୍ଡ l କଣ ହେଇଗଲା ସେଠୁ ? ଧନ୍ଦା ତ ଆମେ ଦୁହେଁ ଗୋଟେ ପ୍ରକାର ହିଁ କରୁଛୁ ! ନୁହେଁ କି ? ଫାଇଭ ଷ୍ଟାର ହୋଟେଲର ରୁମ ଭିତରେ ଯୋଉଟା ହାଇ ଫାଇ ଆମୋଦ ପ୍ରମୋଦ ନାମହୀନ ଅନ୍ଧାରୁଆ ଗଳିରେ ସେଇଟା ବେଶ୍ୟାଗିରି l ବୁଝିଲୁ ?


--ତୁ ଯିବୁ ନା ଧକ୍କା ମାରି ବାହାର କରିବି ?


--ନାରୀର ଶତ୍ରୁ ନାରୀ ବୋଲି କହନ୍ତି ହେଲେ ମୁଁ କହିବି ଗୋଟେ ଧନ୍ଦାବାଲିର ଶତ୍ରୁ ଆଉ ଗୋଟିଏ ଧନ୍ଦାବାଲି ହିଁ ହେବ l ଗୋଟିଏ ଧନ୍ଦାବାଲି ଆଉ ଗୋଟିଏ ଧନ୍ଦାବାଲିକୁ ନାକ ଟେକୁଛି ? ଭାବିଥିଲି କମସେ କମ ତୁ ହେଲେ ବୁଝିବୁ ମୋର ପୀଡା କାହିଁକି ନା ତୁ ବି ଭୁକ୍ତଭୋଗୀ l ହେଲେ ନା….ମୋ ପାଇଁ ତୋର ପ୍ରେଷ୍ଟିଜରେ ଆଞ୍ଚ ଆସିଯିବ ଯେ l


--ହଁ ଆଉ ଗୋଟିଏ କଥା ମାଳିନୀ ମାଡାମ l ଆମେ କରୁଛୁ ମଜବୁରିରେ ଆଉ ତୁମେ କରୁଛ ସଫଳତାର ଶିଡିରେ ଉପର ପାହାଚକୁ ଉଠିବା ପାଇଁ l ତୁମେ ଚାହିଁଲେ ଛାଡି ପାରିବ ହେଲେ ଚାହୁଁନାହଁ l ଆମେ ଚାହୁଁଛୁ କିନ୍ତୁ ଛାଡି ପାରୁନାହୁଁ l ହଉ ଚାଲିଲି ନମସ୍ତେ l


--ଶୁଣ ସୁନେଲି l ରହି ଯାଆ l ମୁଁ ବି ଗୋଟିଏ ମଣିଷ l ମୁଁ ଚାହେଁନା ମୋତେ କିଏ ଆଙ୍ଗୁଠି ଦେଖାଉ ବୋଲି l ଆମେ ଅନ୍ୟକୁ ତ ଦର୍ପଣ ଦେଖାଇ ପାରିବା ହେଲେ ନିଜେ କଣ ତାହା ଦେଖିବାକୁ ଭଲ ଲାଗେନା l ତୋର ସାହସ ଅଛି କିନ୍ତୁ ମୋର ନାହିଁ l ଯାଇଥିଲି ନିଜ ଇଚ୍ଛାରେ ଏବେ ଆଉ ବାହାରି ପାରିବି ନାହିଁ l ବହୁତ ଦୂର ଚାଲି ଆସିଲିଣି ଏ ରାସ୍ତାରେ l


--ତୁମେ ତ ମାଡାମ ଏତେ ଟଙ୍କା କମେଇଲଣି l ଏଥର ଏ ଧନ୍ଦା ଛାଡି ଦେଶ ବାହାରକୁ ଚାଲିଯାଅ l ତୁମେ ଭଲ ଘରର ଝିଅ ସୁଖ ଶାନ୍ତିରେ ଜୀବନଯାପନ କର l କିନ୍ତୁ ତୁମେ ଏ ମଜା ଛାଡି ପାରିବନି ମୁଁ ଜାଣେ l ତୁମର ସଉକ ଅଛି ମାଡାମ l ସେଥିପାଇଁ ତୁମେ ଏସବୁ କରୁଛ l ନହେଲେ ଛାଡି ଦେଇଥାନ୍ତ l


--ସଉକ କେବେ ଥିଲା ଏବେ ନାହିଁ l ସହରର ସବୁଠୁ ବଡ଼ ବ୍ୟବସାୟିଙ୍କର କନ୍ୟା ସଉକରେ ମଜା ଚାଖିବାକୁ ଯାଉଥିଲା l କେତେ ରାତି ହଷ୍ଟେଲରୁ ବାହାରି ଚୋରଙ୍କ ପରି ଯାଇ ଅଜଣା ଅଶୁଣା ଲୋକଙ୍କ ଗାଡ଼ିରେ ଅଜଣା ରାସ୍ତାରେ ଅଜଣା ଗନ୍ତବ୍ୟ ପଥରେ ଆଗେଇ ଯାଉଥିଲା l ସଉକ ଧୀରେ ଧୀରେ ଅଭ୍ୟାସରେ ପରିଣତ ହେଲା ଆଉ ଅଭ୍ୟାସ ମଜବୁରି ହୋଇଛି ଏବେ l


--ତୁମର ବି ମଜବୁରି ଅଛି ? ଏକଥା କାଇଁ ବିଶ୍ୱାସ ହେଉନାହିଁ l ଆରେ ତୁମେ ମାନେ ତ ହେଲ ପଇସାବାଲା, ବଡ଼ବଡିଆ ଲୋକ ଯାହା ବି କର ସଉକ ଲାଗି କରିଥାଅ l ଆମ ପରି ଗୋଟିଏ ଗୋଟିଏ ଦାନା ପାଇଁ ତୁମକୁ ସଂଘର୍ଷ କରିବାକୁ ପଡ଼େନା l ତେଣୁ ସେଇସବୁ ତୁମ ପାଇଁ ମଉଜ ମଜଲିସ l


--ନାହିଁ ଲୋ ! ଲୋକ ସେମିତି ଭାବନ୍ତି l ତୁମେ ମାନେ ଛୋଟିଆ ନର୍ଦ୍ଦମାର କୀଟ ହେଲେ ଆମେ ହେଲୁ ବଡ଼ ନର୍ଦ୍ଦମାର କୀଟ l ନା ତୁମେ ମାନେ ଶାନ୍ତିରେ ବଞ୍ଚି ପାରୁଛ ନା ଆମେ ବଞ୍ଚି ପାରୁଛୁ l ଆମେ ଜୀଇଁବା ପାଇଁ ଯାହା କରୁଛୁ ତଦ୍ୱାରା ପ୍ରତି ମୁହୂର୍ତ୍ତରେ ମରୁଛୁ ସିନା ବଞ୍ଚି ପାରୁନାହୁଁ l ସବୁଠୁ ସୁଖୀ ହେଉଛନ୍ତି ମଧ୍ୟବିତ୍ତ ପରିବାରଗୁଡିକ ଯୋଉଠି ଗୋଟେ ନାରୀର ମାନ ମର୍ଯ୍ୟାଦା ଅଛି ସମାଜରେ ଇଜ୍ଜତ ଅଛି ଯାହାର ଚାରି ପାଖରେ ବେଢ଼ି ରହନ୍ତି ତାର ପରିବାର ବୃନ୍ଦ l କିଛି ଲୁଚାଇବାକୁ ନାହିଁ କି କୋଉଠି ଧରା ପଡିଯିବାର ଭୟ ମଧ୍ୟ ନାହିଁ l


--ତୁମେ ସେଇଠି ଭୁଲ କଲ ମାଡାମ l ସେଇଠି ହିଁ ଭୁଲ କରିଦେଲ ତୁମେ l ଆମ ପରି ସଢା ଜିନିଷରୁ କଣ ସମସ୍ତଙ୍କୁ ଆନନ୍ଦ ମିଳେ କି ? କେତେ ଜଣଙ୍କର ଖାଣ୍ଟି ସଜ ଜିନିଷ ଉପରେ ଆଖି l ଖୋଜି ଖୋଜି ଶେଷରେ….l ପ୍ରତିଦିନ କେତେ ଧର୍ଷଣ କେତେ ବଳାତ୍କାର ହେଉଛି ନ୍ୟୁଜ ଦେଖୁନାହଁ କି ? ସେଥି ମଧ୍ୟରୁ କେତେଜଣ ବା ନ୍ୟାୟ ମାଗିବା ପାଇଁ ଆଗେଇ ଆସି ପାରୁଛନ୍ତି ? ଯୋଉ ପରିବାର ଗହଣରେ ସେମାନେ ଅଛନ୍ତି ସେଇ ପରିବାରର ଲୋକ ହିଁ ଘଟଣା ବିରୋଧରେ ସ୍ୱର ଉତ୍ତୋଳନ ନକରିବା ପାଇଁ ଚାପ ପକାନ୍ତି l ସେତେବେଳେ କୁଆଡେ ଯାଏ ସେମାନଙ୍କର ସାହାସ ?


--ଆରେ ମାଡାମ ତୁମେ ତ ପଇସା ଫୋପାଡ଼ିଲେ କାମ ହାସଲ କରିପାରୁଛ ଆଉ ଆମକୁ ଲାଜ ସରମ କିଛି ନାହିଁ ଚାହିଁଲେ ରାସ୍ତାରେ ବି ଡେଇଁ ପାରିବୁ l ହେଲେ ସେଇ ମଧ୍ୟବିତ୍ତ ଘରର ଝିଅଟିଏ ନା ପଇସାର ଖେଳ ଦେଖାଇ ପାରେ ନା ଆମ ପରି ଲାଜ ସରମ ଛାଡି ଅନ୍ୟାୟ ଆଗରେ ମୁଣ୍ଡ ଉଠାଇ ସ୍ୱର ଉତ୍ତୋଳନ କରିପାରେ l ଦୁର୍ଭାଗ୍ୟବଶତଃ ଯଦି ବର୍ତ୍ତି ଯାଏ ସାରା ଜୀବନ ଖାଲି ଦୁଃସ୍ୱପ୍ନ ଦେଖି ଦେଖି ରାତି ଉଜାଗର ରହି ଥାଏ ସିନା ଆଉ କିଛି କରି ପାରେ ନାହିଁ l


--ହେଲା ଲୋ ସୁନେଲି ତୁ ଯାହା କହୁଛୁ ଧରାଯାଉ ଠିକ l ହେଲେ ସେଇ ଘରର ଝିଅମାନଙ୍କ ପରିବାର ଅଛି କିନ୍ତୁ ଆମର ନାହିଁ l ତୋ ବାପା କିଏ ତୁ ଜାଣିନାହୁଁ l ତୋ ମାଆର ରାସ୍ତାରେ ତୁ ଚାଲିଲୁ l ମୋ ବାପା ମାଆ ଦିନରେ ପଇସାକୁ ଚିହ୍ନନ୍ତି ଏବଂ ରାତି ହେଲେ ନିଶାରେ ଚୁର l ମୋତେ କଣ କେବେ ନିରେଖି ଦେଖିଛନ୍ତି ସେମାନେ ? ମୋର ବି କେହି ନାହିଁ ଲୋ l ଆମେ ଦୁନିଆରେ ସମସ୍ତଙ୍କୁ ଡରି ରହିବାକୁ ବାଧ୍ୟ l


--କି ପରିବାର କି ମୂଲ୍ୟବୋଧ କଥା କହୁଛ ମାଡାମ ? କେତେ ପରିବାର ଭିତରେ କେତେ କଣ ଘଟୁଛି l କାହାର ଛପି ଯାଉଛି ତ କାହାର ଛାପି ଯାଉଛି l ମୋ ଗୁରୁମାଆଙ୍କ ମାଉସୀର ଝିଅ ଛ ବର୍ଷର ହୋଇଥିଲା ତାକୁ ଜଣେ ଦୂର ସମ୍ପର୍କୀୟ ମାମୁଁ ହେବେ ….ଛି… l ପରିବାରର ଇଜ୍ଜତ ଦୃଷ୍ଟିରୁ ସେ ଝିଅର ବାପା ମାଆ ଚୁପ ରହିବାକୁ ବାଧ୍ୟ ହୋଇଥିଲେ l ଡର କାହାର ନାହିଁ କହିଲ ମାଡାମ ? କିଏ ଶିକାର କରି ଡରୁଛି ତ କିଏ ଶିକାର ହୋଇ ଡ଼ରୁଛି l


--ଝିଅ ଜନ୍ମଟା ତ ସେମିତି ଲୋ ସୁନେଲି l କପାଳ ଲିଖନକୁ କାହାର ବଳ ଅଛି କହ l


-- ଆମେ ତୁମ ସହ ସମାନ ନୁହଁ ମାଡାମ l ତୁମର ସ୍ୱାମୀ ଅଛନ୍ତି l ଆମର କିଏ ଅଛି ସାହସ ଦେବାପାଇଁ ? ଆମେ ହିଁ ଆମର

ସାହସ ଓ ଭରସା - ସବୁ କିଛି l


--ସେ ମୋ ସ୍ୱାମୀ ନୁହେଁ l ସେ ଗୋଟିଏ ରାକ୍ଷସ l ମୁଁ ତାହାର ପତ୍ନୀ କମ୍ ବରଂ ଗୋଟିଏ ସୁନା ଅଣ୍ଡା ଦେଉଥିବା ପକ୍ଷୀ l ନା ସେ ମୋତେ ଛାଡି ପାରିବ ନା ମୁଁ ତା କବଳରୁ ଖସି ଯାଇପାରିବି l ମୋର ଏଇ ଆକର୍ଷଣୀୟ ଶରୀର ତା ପାଇଁ ରୋଜଗାରର ଗୋଟିଏ ମାଧ୍ୟମ l ମୋତେ ଦେଖି ଭାବୁଛୁ କି ମୁଁ ସବୁଠୁ ସୁଖୀ ବୋଲି ? ଯାହା ଦାଉ ଦାଉ ଜଳେ ସବୁ ସୁନା ନୁହେଁଲୋ l


--ମୁଁ ଆଜି ପ୍ରତିଜ୍ଞା କରୁଛି ମାଳିନୀ ମାଡାମ l ତୁମକୁ ଯେମିତି ହେଲେ ଏଇ ନର୍କରୁ ଖସାଇ ନେଇଯିବି l ଆଉ ସେଇ ରାକ୍ଷସ ତାର ଉଚିତ ଦଣ୍ଡ ପାଇବ l ଜଣେ ନାରୀ ହୋଇ ଆଉଜଣେ ନାରୀର ଯନ୍ତ୍ରଣା ଦେଖି ଚୁପ ରହିବି ଯଦି ଧିକ ମୋର ନାରୀତ୍ୱ l ଯଦି ମୁଁ ତୁମ ପାଇଁ ଏତିକି କରି ନପାରିବି ମୁଁ ନାରୀ ହେବାକୁ ଅଯୋଗ୍ୟ l ହଉ ମୁଁ ପୁଣି ଆସିବି ଯେ l ନମସ୍ତେ l



Rate this content
Log in

Similar oriya story from Inspirational