STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଧାର୍ମିକ ଭାବନାରେ କାର୍ତ୍ତିକ ତତ୍ଵ

ଧାର୍ମିକ ଭାବନାରେ କାର୍ତ୍ତିକ ତତ୍ଵ

4 mins
292


 ଶରତ ଋତୁ ଶେଷ ଦିବସ କୁମାର ପୂର୍ଣ୍ଣମା । ଏହି କୁମାର ପୂର୍ଣ୍ଣିମାକୁ ଓଡିଶାର ସମସ୍ତ ପୁର ପଲ୍ଲୀ ରେ ଅତି ଆଡମ୍ଵର ସହକାରେ ପାଳନ କରାଯାଏ । ଗଜଲକ୍ଷ୍ମୀ ପୂଜା ସହିତ କୁମାରୀ‌ମାନେ ସେମାନଙ୍କର ଅଭିଳଷିତ ଅଭିଷ୍ପା ପୂର୍ଣ୍ଣ ପାଇଁ ଚାନ୍ଦ ପୂଜା ମଧ୍ୟ କରିଥା’ନ୍ତି । ଠିକ୍ ତା ପରଦିନ ହେମନ୍ତ ଋତୁ ପ୍ରବେଶ ଓ କାର୍ତ୍ତିକ ମାସ ଆରମ୍ଭ । ଏହି ମାସକୁ ମହା କାର୍ତ୍ତିକ ତଥା ଧର୍ମ ମାସ ବୋଲି କୁହାଯାଇଥାଏ । 

    ରାଈ ଦାମୋଦର ବ୍ରତ କରି ତାଙ୍କର ଆରଧନା ତଥା ପୂଜା ରେ ଏ ମାସଟି କୁ ବ୍ରତୁକୀ ମାନେ ନିଷ୍ଠାର ସହିତ ପାଳନ କରି ବିଷ୍ଣୁ ଲୋକ ପ୍ରାପ୍ତିପାଇଁ ଅଭିଳାଶ କରିଥାନ୍ତି । ବୃନ୍ଦାବତୀ ମୂଳରେ ସଂକଳ୍ପ କରି ସମ୍ପୁର୍ଣ୍ଣ ଏକମାସ କାଳ ହବିଷ କରିଥାନ୍ତି ଓ ଏହି ବ୍ରତ ପାଳନ ପାଇଁ ଅତି କଠିନ ନୀୟମ ମାନ ଅଛି । ସେଗୁଡିକ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନାଦି ନିତ୍ୟକର୍ମ ସାରିବାକୁ ପଡିଥାଏ । ବ୍ରତ ଧାରୀ ମାନେ ନଦୀ କିମ୍ଵା ପୁଷ୍କରିଣୀ ରେ ବୁଡ ପକାଇ ବାଲୁଙ୍କା ସ୍ଥାପନକରି ପୂଜା କରିଥାନ୍ତି ଓ ସେଠାରୁ ଆସି ବୃନ୍ଦାବତୀ ମୂଳରେ ରଙ୍ଗ ବେରଙ୍ଗର ମୁରୁଜ ଦ୍ଵାରା(ପଞ୍ଚ ମୁରୁଜ) ଜଗନ୍ନାଥ, ଡଳଭଦ୍ର, ସୁଭଦ୍ରା ଓ ଅନ୍ୟାନ୍ୟ ମୁର୍ତ୍ତି ଚିତ୍ର କରିଥା’ନ୍ତି । ତାପରେ ଧୂପ ଦୀପ ପ୍ରଦାନ ପୂର୍ବକ ଫଳମୂଳର ଭୋଗ ପ୍ରଦାନ କରି ଥା’ନ୍ତି । 

      ବ୍ରତ ଧାରୀ ମାନେ ରାଈ ଦାମୋଦର ବ୍ରତକଥା ମଧ୍ୟ ପାଠ କରିଥାନ୍ତି । ପୁରାଣ ପଣ୍ଡା ମୁଖରୁ କାର୍ତ୍ତିକ ମହାତ୍ମ୍ୟ ମଧ୍ୟ ଶୁଣିଥାନ୍ତି । ହବିଷ୍ୟାନ୍ନ ରେ ଅରୁଆ ଚାଉଳର ଅନ୍ନ ଓ ବିଶେଷ ଭାବରେ ବ୍ୟଞ୍ଜନ ରେ ମୁଗଡାଲି ଓ ସାରୁ,କନ୍ଦମୂଳ,କଞ୍ଚାକଦଳୀ,

ମାଟି ଆଳୁ,ଅଗସ୍ତି ଓ ଜୟନ୍ତୀ ଶାଗ,ଓଉ,କଞ୍ଚା କଇଁଆ,କାନ୍ଧିଆ(କମଳା)ଦହି,କ୍ଷୀର ଓ ଘିଅ ବ୍ୟବହାର କରି ପ୍ରସ୍ତୁତ କରନ୍ତି । ସନ୍ଧ୍ୟା ପୂର୍ବରୁ ଏହି ଅନ୍ନ ବ୍ୟଞ୍ଜନ କୁ ନାରାୟଣ ଙ୍କ ପାଖରେ ସମର୍ପଣ କରି ସୂର୍ଯ୍ୟାସ୍ତ ପୂର୍ବରୁ ଥରେମାତ୍ର ଦିନରେ ହବିଷ୍ୟାନ୍ନ(ସତ୍ତ୍ଵିକ ଆହାର) ଭୋଜନ କରି ଥାନ୍ତି । ସଂନ୍ଧ୍ୟା ରେ ବୃନ୍ଦାବତୀ ମୂଳରେ ଦୀପ ଦାନ ପୂର୍ବକ ଆକାଶ ଦୀପ ପ୍ରଜ୍ଜ୍ୟୋଳିତ କରି ଏହି ମହା କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି ।

   ଏତେ ଗୁଡାଏ କଥା କାର୍ତ୍ତିକ ବ୍ରତ ସମ୍ଵନ୍ଧୀୟ ସତ, କିନ୍ତୁ ଧାର୍ମିକ ଭାବନାରେ ଏ ମାସର ତାତ୍ପର୍ଯ୍ୟତା କ’ଣ ?

 ଏ ସମ୍ଵନ୍ଧ ରେ ମହାଦେବ ଦାସ ତାଙ୍କ ରଚିତ କାର୍ତ୍ତିକ ମହାତ୍ମ୍ୟ ରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି । ଏହି ପବିତ୍ର ପୁସ୍ତିକା ର ପ୍ରଥମ ଅଧ୍ୟାୟ ଓ ଦ୍ଵିତୀୟ ଅଧ୍ୟାୟ ବର୍ଣ୍ଣିତ ବିଷୟ ବସ୍ତୁକୁ ଅନୁଧ୍ୟାନ କରିବା । ଏହା ଅନୁଧ୍ୟାନ କଲେ ଏକ ଗପ କହିବାକୁ ପଡିବ । 

   ଗପଟି ହେଲା, ଥରେ ସତ୍ୟଭାମା ଙ୍କ ସହିତ ବିଷ୍ଣୁ ଗରୁଡ ଆରୋହି ଚଊଦ ବ୍ରହ୍ମାଣ୍ଡ ବୁଲି ଆସିବା ପରେ ସତ୍ୟଭାମା ପଚାରିଲେ ପ୍ରଭୁ ମୁଁ ପୂର୍ବ ଜନ୍ମରେ କେଉଁ କୁଳରେ ଜନ୍ଯ ନେଇ କି କି କର୍ମ କେଉଁ ତୀର୍ଥ ଦର୍ଶନ କେଉଁ ତପ ଓ କେଉଁ ଦେବତା ପୁଜା କରି ଏ ଜନ୍ମରେ ଆପଣଙ୍କ ଚରଣ ରେ ପରିଚାରୀ ହେବାର ସୌଭାଗ୍ୟ ଲାଭ କଲି ଏ ବିଷୟରେ ମୋତେ କୁହନ୍ତୂ ।

    ଦ୍ଵାରକା ଉପବନେ କଳ୍ପ ଦ୍ରୁମ, ଯେଉଁ ଦ୍ରୁମ‌ ଶାଖା ପ୍ରଶାଖାରୁ ନିରତ ସୁଧା ରସ ପ୍ଳାବିତ ହୁଏ, ଅନେକ‌ ସୁଗନ୍ଧ ପୁଷ୍ପ ରେ ସୁଶୋଭିତ, ମୟୂର କୋକିଳା ଦି ପକ୍ଷୀ ମାନଙ୍କର କଳରବ ରେ ଧ୍ଵନିତ ଉପବନରେ ସ୍ଥିତ ମର୍କତ ବେଦୀ ଉପରେ ବସି ସତ୍ୟଭାମାଙ୍କୁ କହୁଛନ୍ତି । ସତ୍ୟ ଯୁଗର ଶେଷ ପ୍ରାନ୍ତରେ ହିମାଳୟ ର ଉତ୍ତର ଭାଗରେ ମାୟାପୁର ନାମକ ଏକ ଗ୍ରାମରେ ଆତ୍ରେୟ ବଂଶ ର ଜଣେ କୁଳିନ ବ୍ରାହ୍ମଣ ଯାହାଙ୍କର ନାମ ଦେବଶର୍ମା । ତାଙ୍କର କନ୍ୟା ଗୁଣବତୀ , ସେ ଯେହେତୁ ପିଲା ଦିନରୁ ମାତୃ ହୀନ ଥିଲେ ପିତା ତାହାର ତାକୁ ଅତି ଅଲିଅଳୀ କରି ଲାଳନ ପାଳନ କରୁଥାନ୍ତି । ଗୁଣବତୀ କୁ ଭଲ ବର ହାତରେ ପ୍ରଦାନ କରିବା ର ମନସ୍ତ କରି ଚନ୍ଦ୍ରହୋତ୍ର ନାମକ ଅନ୍ୟଜଣେ ବ୍ରାହ୍ମଣ ପିଲାକୁ ବ୍ରତ କରି ନାନା ବିଦ୍ୟା ପ୍ରଦାନ କରି ଶେଷରେ ତା ହାତରେ ଗୁଣବତୀ କୁ ପ୍ରଦାନ କଲେ । 

   ଝିଅ ଜ୍ଵାଇଁ ଙ୍କ ସହ ଆନନ୍ଦରେ କାଳାତିପାତ କରୁଥାନ୍ତି । ଯଜ୍ଞ ପାଇଁ ସମିଧ କାଷ୍ଠ ସଂଗ୍ରହ ନିମନ୍ତେ ବିନ୍ଧ୍ୟାଚଳ ପାଦଦେଶ ଜଙ୍ଗଲ ରେ ଝିଅ ଜ୍ଵାଇଁ ଙ୍କ ସହ ବୁଲୁଥିବା ବେଳେ ଏକ ରାକ୍ଷସ ଆସି ସେ ବ୍ରାହ୍ମଣ ଦ୍ଵୟ ଙ୍କୁ ଭକ୍ଷଣ କଲା । ଅଦୂରରେ‌ ଦେଖୁଥିବା ନିଶାଦ ମାନେ ଏ ଦୃଶ୍ୟ ଦେଖି ଚନ୍ଦ୍ର ହୋତ୍ର ର ଘରଣୀ ଗୁଣବତୀ ଆଗରେ କହିଲେ । ଏହାଶୁଣି ଏକାକିନୀ ହୋଇଯାଇଥିବା ଜାଣି ଅନେକ ବିଳାପ କଲା ଓ ଶେଷରେ ପିତୃ କୁଳ ଓ ସ୍ଵାମୀ କୁଳ ତଥା ପ୍ରେତ ଉଦ୍ଧାର ନିମନ୍ତେ କ୍ରିୟାକର୍ମାଦି ସମାପନ କଲା । ପରିଶେଷରେ ବାପାଙ୍କ ଥିବା ଧନ ସମ୍ପତି ଘଟଣା ଚକ୍ରରେ ଅନ୍ୟମାନେ ନେଇଗଲେ । କୌଣସି ଉପାୟ ନପାଇ ସେ କନ୍ୟା ଲକ୍ଷ୍ମୀ ନାରାୟଣଙ୍କ ଶରଣାପନ୍ନ ହୋଇ ପାଖ ଜଙ୍ଗଲରେ ଏକ ଆଶ୍ରମ କରି ସନ୍ୟାସିନୀ ପ୍ରାୟ ସମୟ ବିତାଇଲା ।

       ଠିକ୍ ସେତେବେଳେ କାର୍ତ୍ତିକ ମାସ ହେମନ୍ତ ରୁତୁର ପ୍ରାରମ୍ଭ ରେ ସେ ରାଇ ଦାମୋଦର ବ୍ରତ କଲା । ସତ୍ୟ ନିଷ୍ଠ ଭାବରେ ଓ ନିଷ୍ଠାର ସହ ବ୍ରତ ପାଳନ କଲା । ମାସ ସାରା ପ୍ରାତଃ କାଳରେ ସ୍ନାନାଦି କର୍ମ ସମାପନ କରି ବୃନ୍ଧାବତୀ ମୂଳରେ ପଞ୍ଚ ମୁରୁଜର ଝୋଟି ପକାଇ ହବିଷ୍ୟାର୍ଣ୍ଣ ଅର୍ପଣ ଓ ଭୋଜନ ସହ

ସଂନ୍ଧ୍ୟାରେ ଆକାଶ ଦୀପ ପ୍ରଦାନ ପୂର୍ବକ ଲକ୍ଷ୍ମୀ ନାରାୟଣ ପାଦପଦ୍ମରେ ଚିତ ନିବେଶ କଲା ।

       ପ୍ରତ୍ୟହ ପ୍ରାତଃ ସ୍ନାନ ଯୋଗୁ ଗୁଣବତୀ ସନ୍ନିପାତ ରୋଗରେ ପିଡିତ ହୋଇ ମୃତ୍ୟୁ ବରଣ କଲା । ଯେହେତୁ ସେ ଲକ୍ଷ୍ମୀ ନାରାୟଣ ଙ୍କ ପାଦପଦ୍ମରେ ନିଜର ମନ ସନ୍ନିବେସିତ କରି ମୃତ୍ୟୁ ବରଣ କଲା ଯମ ଦେବ ତାର ଆତ୍ମାକୁ ବିଷ୍ଣୁ ଲୋକ କୁ ପ୍ରରିତ କଲେ । ଗୁଣବତୀ ବିଷ୍ଣୁ ଲୋକରେ ସ୍ଵଂୟ ଲକ୍ଷ୍ମୀ ନାରାୟଣଙ୍କ ଦର୍ଶନ କରି ଲକ୍ଷ୍ମୀ ଙ୍କର ସହଚରୀ ଭାବରେ କାଳାତିପାତ କଲା ।

       ତାପରେ ଯାହା ହେଲା ହେ ସତ୍ୟଭାମା ଶୁଣ । ଦ୍ଵାପର ରେ ଭଗବାନ ମହାବିଷ୍ଣୁ କୃଷ୍ନ ରୂପେ ଜନ୍ମ ଗ୍ରହଣ କରିଲେ ଓ ଗୁଣବତୀ ସତ୍ୟଭାମା ରୂପେ ଜନ୍ମ ଗ୍ରହଣ କଲା ଓ ସ୍ଵଂୟ ମା ଲକ୍ଷ୍ମୀ ରୁକ୍ମିଣୀ ରୂପେ ଜନ୍ମ ଗ୍ରହଣ କଲେ ।

       ପୂର୍ବର ପୂଣ୍ୟ ବଳରେ ଆଜି ତୁମେ ଲକ୍ଷ୍ମୀ ଙ୍କର ସପତଣୀ ହେବାର ସୌଭାଗ୍ୟ ପ୍ରାପ୍ତ ହେଲା ।

           ଆମର ଧାର୍ମିକ ଭାବନା ରେ କାର୍ତ୍ତିକ ବ୍ରତର ମହତ୍ଵ କୁ ଏହିଭଳି ଭାବରେ ପଦତ୍ତ କରାଯାଇଅଛି । ଯେ କେହି ଏହି ବ୍ରତ ନିଷ୍ଠାର ସହ ପାଳନ କରେ ସେ ବିଷ୍ଣୁଲୋକ କୁ ଗମନ କରିବା ଓ ପରଜନ୍ମ ରେ ଲକ୍ଷ୍ମୀ ନାରାୟଣଙ୍କର ନିକଟତର ହୋଇ ଶେଷରେ ମୋକ୍ଷ ଲାଭକରି ଦେବତ୍ଵ ପ୍ରାପ୍ତ ହୋଇପାରି ଥାଏ । ଏହା ହିଁ ପ୍ରକୃତରେ ମହାକାର୍ତ୍ତିକ ର ମହତ୍ଵ ।



Rate this content
Log in

Similar oriya story from Thriller