ହଁ ବ୍ରହ୍ମ ଅଛି
ହଁ ବ୍ରହ୍ମ ଅଛି
ମନ ଏମିତି ଏକ ଅଲଭ୍ୟ ଅନୁଭବ ଯେ ଆକାଶ ଠାରୁ ପ୍ରସସ୍ଥ,ସାଗର ଠାରୁ ମଧ୍ୟ ଗଭିର । ଏ ମନକୁ ଲଗାମ ଦେବା ସହଜ ନୁହେଁ । ଅମାପ ମନର ବ୍ୟାପକତା ।
ଦିନେ ପଣ୍ଡିତ ଗଣପତି ଭଟଙ୍କୁ ତାଙ୍କ ମନ ଏମିତି ଅସ୍ଥିର କଲା ଯେ ସେ ଅସହ୍ୟ ହୋଇ ଉଠିଲେ । ମନରେ ଉଦ୍ରେକ ହେଲା ସେ ବ୍ରହ୍ମ କୁ ଦର୍ଶନ କରିବେ । ହେଲେ ଶାସ୍ତ୍ରରେ କୁହା ଯାଇଛି ବ୍ରହ୍ମ ଅଦୃଶ୍ୟ ଓ ନିରାକାର ହେଲେ ସେ ଦେଖିବେ କେମିତି ? ପୁଣି ଚିନ୍ତାକଲେ ବ୍ରହ୍ମ ଶଦ୍ଦ ଅଛି ମାନେ ବ୍ରହ୍ମ ନିଶ୍ଚୟ ଅଛି । ହେଲେ ତାଙ୍କୁ ପାଇବି କେମିତି ଦର୍ଶନ କରିବି କେମିତି, ଏହି ଚିନ୍ତାରେ ତାଙ୍କ ମନ ଉଦ୍ବେଳ ହୋଇ ଉଠିଲା । ମନ ଯେତେବେଳେ ଜଳେ ତାକୁ ନିରାକରଣ କରିବା ସହଜ ନୁହେଁ । ଯେ ପର୍ଯ୍ୟନ୍ତ ଅଭିଷ୍ପା ପୂର୍ଣ୍ଣ ନହୋଇଛି ସେ ପର୍ଯ୍ୟନ୍ତ ସେ ଜ୍ଵଳନ ପ୍ରଶମିତ ହୋଇ ନଥାଏ ।
ବ୍ରହ୍ମ ଦର୍ଶନ ଆଶାରେ ସେ ବାରମ୍ଵାର ଅନେକ ଶାସ୍ତ୍ର , ବେଦ,ଉପନିଷଦ, ତଥା ବିଭିନ୍ନ ଗ୍ରନ୍ଥ କୁ ଘାଣ୍ଟି ଚାଲିଲେ ହେଲେ କୌଣସି ସୁତ୍ର ପାଇଲେ ନାହିଁ ।
ଏହି ଚିନ୍ତାରେ ସେଦିନ ରାତିରେ ଶୟନାଭିଭୂତ ଅବସ୍ଥାରେ ଏକ ଅଦ୍ଭୁତ ସ୍ଵପ୍ନ ଦେଖିଲେ ଊତ୍ତର ପୂର୍ବ ଦିଗସ୍ଥ ଶ୍ରୀକ୍ଷେତ୍ର ନାମକ ଏକ ସ୍ଥାନ ରେ ନୀଳଗିରି ପର୍ବତ ଶିଖର ରେ ବ୍ରହ୍ମ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ଆଉ ପଣ୍ଡିତେ କୋଉ ଧୌର୍ଯ୍ୟ ରଖି ପାରୁଛନ୍ତି । ପଦବ୍ରଜ ରେ ଅନେକ ପାହାଡ ପର୍ବତ ନଦୀ ନାଳ ଡେଇଁ ଅନେକ ଦିନ ପରେ ଆସି ସେ ପରମ ପାବନ ଧାମ ନୀଳାଚଳ ରେ ପହଞ୍ଚିଗଲେ ।
ଜ୍ୟେଷ୍ଠ ପୂର୍ଣ୍ଣମା ଦେବସ୍ନାନ ପୂର୍ଣ୍ଣମା ଦିନ ସ୍ଵଂୟ ପରଂବ୍ରହ୍ମ ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ବେଦୀ ରେ ଆସିନ । ଆଜି ପରଂବ୍ରହ୍ମ ଙ୍କର ସର୍ବାଙ୍ଗ ସ୍ନାନ । ଲକ୍ଷଲକ୍ଷ ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଲସର ପସର ହୋଇ ଶ୍ରୀମନ୍ଦିର ଅଭିମୁଖେ ଯାଉଥାନ୍ତି । ତହା ଦେଖି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ରେ ପହଞ୍ଚିଥିବା ପଣ୍ଡିତେ ବୁଝିଗଲେ ଯେ ଏମାନେ ପରଂବ୍ରହ୍ମ ଙ୍କ ଦର୍ଶନ ପାଇଁ ଯାଉଛନ୍ତି । ଏହା ଏକ ସୁବର୍ଣ୍ଣ ସୁଯୋଗ ଭାବି ପଣ୍ଡିତେ ଚାଲିଲେ ମନ୍ଦିର ଅଭିମୁଖେ । ସେଠାରେ ସ୍ଵଂୟ ଜଗନ୍ନାଥ ଙ୍କୁ ଦର୍ଶନ କରି ମନେ ମନେ ଭାବିଲେ ଏତ ମୋର ଇଷ୍ଟ ଗଜାନନ ନୁହଁନ୍ତି ତେବେ ୟେ କିପରି ବ୍ରହ୍ମ ହୋଇପାରନ୍ତି ? ଏହି ପ୍ରଶ୍ନ ମନରେ ଉଦ୍ରେକ ହେବା ଭିତରେ ଅନେକ ସମୟ ବିତି ଗଲାଣି । ସେତେବେଳକୁ ପ୍ରଭୁ ହାତୀ ବେଶ(ଗଣପତି) ସୁସଜ୍ଜିତ ହୋଇ ସ୍ନାନ ବେଦୀରେ ଆସିନ । ପଣ୍ଡିତେ ହଠାତ୍ ୟେ ରୂପ ଦେଖି ଭାବ ବିହ୍ଵଳ କଣ୍ଠରେ କି ଅପରାଧ କଲି ବୋଲି ଅନୁତପ୍ତ ହୋଇ କ୍ଷମା ମାଗି ପାଗଳ ଭଳି କହି ଉଠିଲେ ହଁ ହଁ ମୁଁ ମୋର ଇଷ୍ପିତ ବ୍ରହ୍ମଙ୍କୁ ଦର୍ଶନ କରିଲି ।
ଏହା ପରେ ପଣ୍ଡିତେ ମନେମନେ ଭାବିଲେ ହେ ପ୍ରଭୁ ୟେ ଜୀବାତ୍ମା ଯେତେବେଳେ ପରମାତ୍ମା ଙ୍କୁ ସ୍ଵଚକ୍ଷୁରେ ଦର୍ଶନ କରେ ତାର ଆତ୍ମାତ ବ୍ରହ୍ମ ସହ ଲୀନ ହୋଇ ଯାଏ । ହେ ମୋର ଇଷ୍ଟ ଦେବ ମୋର ୟେ ପ୍ରାର୍ଥନା ଗ୍ରହଣ କରି ମୋକ୍ଷ ପ୍ରଦାନ କର ।
ହଠାତ୍ ଦେଖାଗଲା କେହିଜଣେ ବିଦେଶି ଭକ୍ତ ଜଗନ୍ନାଥ ଙ୍କ ଗଜାନନ ରୂପ ଦର୍ଶନ କରି ଇହଧାମ ତ୍ୟାଗ କରିଛନ୍ତି ଓ ତାଙ୍କ ଆଖପାଖରେ ଥିବା ଲୋକଙ୍କ ଠାରୁ ଶୁଣା ଗଲା କି ୟେ ବିଦେଶି ଭକ୍ତ ଙ୍କ ମୃତ୍ୟୁ ପୂର୍ବରୁ ସେ ବାରମ୍ଵାର ଉଚାରଣ କରୁଥିଲେ ହଁ ବ୍ରହ୍ମ ଅଛନ୍ତି । ହଁ ବ୍ରହ୍ମ ଅଛନ୍ତି । ଏ ହିଁ ବ୍ରହ୍ମ । ଏ ହିଁ ବ୍ରହ୍ମ ।
ଜୟ ଜଗନ୍ନାଥ ।
