Prafulla Chandra Mishra

Others

3  

Prafulla Chandra Mishra

Others

ସେଇ ଛୋଟ ଜୀବଟି

ସେଇ ଛୋଟ ଜୀବଟି

2 mins
156


ତ୍ରେତୟା ଯୁଗର କଥା । ଅଯୋଧ୍ୟାର ରାଜା ଦଶରଥଙ୍କର ପୁତ୍ର ରାମଚନ୍ଦ୍ର । ବିବାହ କରିଥିଲେ ମିଥିଳାର ରାଜା ଜନକଙ୍କର କନ୍ୟା ସୀତାଙ୍କୁ । ବିଭାଘର ପରେ ଆନନ୍ଦରେ ଅଯୋଧ୍ୟାରେ ରହି ରାମ ସୀତା ବୈବାହିକ ଜୀବନ କାଟୁଥିବା ବେଳେ ରାଜା ଦଶରଥ ରାମଙ୍କୁ ରାଜା କରି ବାନପ୍ରସ୍ଥ ପାଇଁ ରାମଙ୍କର ରାଜ୍ୟାଭିଷେକର ବନ୍ଦୋବସ୍ତ କଲେ । କିନ୍ତୁ କୁଟଚକ୍ରାନ୍ତର ଶିକାର ହୋଇ ରାଜା ହେବା ପରିବର୍ତ୍ତେ ୧୪ ବର୍ଷ ପାଇଁ ବନବାସରେ ରାଜ ଉଆସ ଛାଡି ଚାଲିଗଲେ, ତାଙ୍କ ସହ ଅନୁଜ ଲକ୍ଷ୍ମଣ ଏବଂ ସୀତା ବି ଗଲେ ।

   ବନବାସ ସମୟରେ ଅନେକ ଘଟଣା ଦୁର୍ଘଟଣା ଭିତରେ ସମୟ ଅତିବାହିତ କଲାବେଳେ ଦୈବ ଲିଖିତ ଅଘଟଣରେ ସୀତାଙ୍କୁ ଲଙ୍କାର ରାଜା ରାବଣ ଚୋରୀ କରି ନେଇଯାଇଥିଲା ।

   ସୀତାଙ୍କ ବିଚ୍ଛେଦ ଦୁଃଖରେ ମ୍ରିୟମାଣ ହୋଇ ରାମ ଲକ୍ଷ୍ମଣ ଜଙ୍ଗଲରେ ବୁଲୁଥିବା ବେଳେ ହନୁମାନଙ୍କ ସହ ଭେଟ ହୋଇଥିଲା ଓ ସୁଗ୍ରୀବ ସହ ମଇତ୍ର ବସି ବାଳିକୁ ମାରିଥିଲେ । 

   ସୁଗ୍ରୀବ ରାମଚନ୍ଦ୍ରଙ୍କ ପାଖରେ ପ୍ରତିବଦ୍ଧତା ଥିଲା କି ସେ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ସାହାଯ୍ୟ କରିବେ ।

   ସେହି ମତ୍ତେ ହନୁମାନ ସୀତାଙ୍କୁ ଲଙ୍କାରେ ଠାବ କରି ଖବର ଜଣାଇଲା କି ମାତା ସୀତା ଲଙ୍କା ଗଡର ଅଶୋକ ବନରେ ବନ୍ଦିନୀ ରୂପେ ଅହରହ ରାମନାମକୁ ଭଜନ, ମନନ ଓ ସ୍ମରଣ କରି ବହୁତ ଦୁଃଖରେ ଅଛନ୍ତି । ଏ କଥା ଶୁଣି ରାମଚନ୍ଦ୍ର ଲଙ୍କା ଗଡକୁ ଧ୍ଵଂସ କରି ସୀତାଙ୍କୁ ଉଦ୍ଧାର କରିବାର ପ୍ରୟାସ ଆରମ୍ଭ କଲେ ।

  ସୁଗ୍ରୀବଙ୍କର ବିଶାଳ ବାନର ସେନାମାନଙ୍କୁ ନେଇ ସମୁଦ୍ର କୂଳେ ଉପସ୍ଥିତ ରହି କେମିତି ଏ ସମୁଦ୍ର ପାର ହେବେ ଚିନ୍ତାରେ ମଗ୍ନ ଥିବା ସମୟରେ ହନୁମାନ, ନଳ, ନୀଳ, ଜାମ୍ଵବାନ ପ୍ରଭୃତି ପରାମର୍ଶ କ୍ରମେ ସମୁଦ୍ରରେ ବନ୍ଧ ନିର୍ମାଣର ଯୋଜନା କରାଗଲା ।।

  ବାନର ସେନା ସାହାଯ୍ୟରେ ସେତୁ ବନ୍ଧ ତିଆରି ଚାଲିଥାଏ । ବହୁତ ବଡ ବଡ ପଥର ଖଣ୍ଡ ନଳ ନୀଳଙ୍କ ହାତ ବାଜି ସମୁଦ୍ରରେ ଭାଷିଲେ ଓ ଧୀରେ ଧୀରେ ବନ୍ଧ କାମ ଆଗକୁ ଆଗକୁ ବଢିଚାଲିଲା ।

   ବନ୍ଧ ତିଆରି ଚାଲିଥାଏ ରାମ ଓ ଲକ୍ଷ୍ମଣ ତାର ନିରୀକ୍ଷଣ କରୁଥାନ୍ତି । ଦିନେ ରାମ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ କି ଗୋଟିଏ ଛୋଟ ଜୀବ ସମୁଦ୍ର ଜଳରେ ଓଦା ହୋଇ ବାଲିରେ ଗଡି ଯାଉଛି ଓ ସେଠାରୁ ଆସି ବନ୍ଧ ଉପରେ ଝାଡି ହୋଇ ବାଲି ପକାଇ ଚାଲିଛି । ସାରା ଦିନ ସେ ଜୀବଟି ଏହିଭଳି କରିଚାଲିଛି । 

  ଦିନେ ଦୁଇଦିନ ଏହିଭଳି ପ୍ରାୟ ବନ୍ଧ ତିଆରି ହେଉଥିବା ସମୟରେ ସଦା ବେଳେ ଏ ଦୃଶ୍ୟ ଦେଖି ସେଦିନ ସ୍ଵଂୟ ରାମ ତା ପାଖକୁ ଯାଇ ପଚାରିଲେ ତୁମେ ଏମିତି କାହିଁକି କରୁଛ ।

  ଛୋଟ ଜୀବଟି ଉତ୍ତର ଦେଲା ମୁଁ ତ ଛୋଟ ଜୀବଟିଏ । ଏତେ ବଳବାନ ସେନା ଆପଣଙ୍କର କାମ କରୁଛନ୍ତି l ମୋର ତାଙ୍କ ଭଳି ଶିଳା ଖଣ୍ଡ ବୋହିପାରିବାର ସାମର୍ଥ୍ୟ ନାହିଁ କଣ ଆଉ ଆପଣଙ୍କ ପାଇଁ କରିପାରି ଥା’ନ୍ତି । ତେଣୁ ପlଣିରେ ବୁଡି ବାଲିରେ ଗଡି ମୋ ଦେହରେ ଯେତିକି ବାଲି ଲାଗୁଛି ତାହା ବନ୍ଧ ଉପରେ ଝାଡି ପକାଇ ଦେଉଛି ।

  ଜୀବଟିର ଏକଥା ଶୁଣି ଖୁସି ହୋଇଗଲେ ସ୍ଵଂୟ ଭଗବାନ ରାମଚନ୍ଦ୍ର ଓ ତା ପିଠିକୁ ଧୀରେ ଧୀରେ ଆଉସିଁ ଦେଲେ । ସେବେଠାରୁ ସେ ଜୀବ ପିଠିରେ ରାମଚନ୍ଦ୍ରଙ୍କର ତିନୋଟି ଆଙ୍ଗୁଳିର ଚିହ୍ନ ଚିହ୍ନିତ ହୋଇ ରହିଗଲା । ସେ ଜୀବର ନାଁ ଗୁଣ୍ଡୁଚି ।

  ତେଣୁ ଆମ ସମାଜରେ କଥିତ ଅଛି ଗୁଣ୍ଡୁଚି ମୂଷାର ସାହାଯ୍ୟ ବି ବହୁତ ବଡ ସାହାଯ୍ୟ । 

  ଏବେବି ସେ ଗୁଣ୍ଡୁଚି ପିଠିରେ ତିନୋଟି ଗାର ଦେଖିବାକୁ ମିଳେ । ସେଇ ଯୁଗରୁ ଗୁଣ୍ଡୁଚି ପିଠିରେ ଥିବା ତିନୋଟି ଗାର ରାମଚନ୍ଦ୍ରଙ୍କର ଅଙ୍ଗୁଳି ଦାଗ ବୋଲି କୁହାଯାଏ ।



Rate this content
Log in