Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

TapaswiniDash Sarangi

Inspirational


4.4  

TapaswiniDash Sarangi

Inspirational


ଅପୂର୍ଣ୍ଣ ଅଭିଳାଷ

ଅପୂର୍ଣ୍ଣ ଅଭିଳାଷ

5 mins 66 5 mins 66


ତ୍ରିଲୋଚନ ଜୀବନଟା ଯାକ ଅଟୋ ଚଲାଇ ନିଜର ଗୋଟେ ବୋଲି ପୁଅକୁ ବଡ଼ କରିଛନ୍ତି l ପୁଅ ବି ବଡ଼ ଚାକିରୀ କରି ନିଜ ପୁଅ ଆଉ ସ୍ତ୍ରୀ ସହିତ ଚେନ୍ନାଇରେ ରହୁଛି l ଏବେ ବୟସ ଆସିକି ଷାଠିଏ ପାର୍ ହେଲାଣି ଆଖିକୁ ବି ଭଲ ଦିଶୁନି ସେଥିପାଇଁ ଅଟୋ ଚଲେଇବା ଛାଡ଼ି ଏବେ ଘରେ ପୁଅ ପଠାଉଥିବା ଟଙ୍କାରେ ନିଜ ସ୍ତ୍ରୀ ଅନୀତାଙ୍କ ସହ ଗାଁରେ ରହୁଛନ୍ତି l l ତ୍ରିଲୋଚନ ଆଉ ଅନୀତା ଠିକ୍ କଲେ ପୁଅ ପାଖରେ ଯାଇ କିଛି ଦିନ ବୁଲି ଆସନ୍ତେ l ବୟସର ଅପରାହ୍ନରେ ସମସ୍ତେ ଚାହାଁନ୍ତି ନିଜ ନାତି ନାତୁଣୀଙ୍କ ସହ କିଛି ସମୟ ବିତାଇବାକୁ l ପୁଅ ବି ଅନେକ ଥର ଡାକୁଛି l ପୁଅ ବିଭୂତି ବାପା ବୋଉଙ୍କ ଆସିବା କଥା ଶୁଣି ଖୁସି ହୋଇ ଟିକେଟ୍ ବି କାଟିଦେଲା l ଯିବାକୁ ଆଉ ଦଶ ଦିନ ଅଛି ଅନୀତାଙ୍କ ଆଖିରେ ନିଦ ନାହିଁ କଣ କଣ ସବୁ ନେଇକି ଯିବେ l ମୁଢ଼ି,ଚୁଡ଼ା, ଉଖୁଡ଼ା ଏମିତି ଅନେକ ଜିନିଷ ବାନ୍ଧିଲେ ଯାହା ହେଲେ ବି ମା'ର ମନ,ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ପୁଅ ପାଖକୁ ଯାଉଛନ୍ତି l ନାତି ସହିତ କିଛି ସମୟ ବିତେଇବେ l ଗଲା ଚାରି ବର୍ଷ ହେଲାଣି ପୁଅ ବୋହୂ କି ନାତିକୁ ଦେଖି ନାହାନ୍ତି l ପୁଅ ବିଭୂତି ଅଫିସ୍ କାମରେ ଲଣ୍ଡନ୍ ଚାଲି ଯାଇଥିଲା ନିଜ ପରିବାର ସହିତ l ମନରେ ଅନେକ ଆଶା ଆକାଂକ୍ଷା ତ୍ରିଲୋଚନ ଆଉ ଅନୀତାଙ୍କର l କିଛି ନହେଲେ ମାସଟିଏ ରହି ଆସିବେ l 

  ଯିବା ଦିନ ଆସି ପହଞ୍ଚିଲା ଦୁହେଁ ବାହାରିଲେ ବଡ଼ ଖୁସିରେ ଚେନ୍ନାଇ l ଟ୍ରେନ୍ ପହଞ୍ଚିବା ଆଗରୁ ପୁଅ ବିଭୂତି ଆସି ହାଜର ଷ୍ଟେସନ୍ରେ l ଦୁଇଜଣଙ୍କ ଆଖି ଆନନ୍ଦାଶ୍ରୁରେ ଭରିଗଲା ଜୀବନର ସମସ୍ତ ରୋଜଗାରକୁ ପୁଅର ପାଠ ପଢ଼ା ଖର୍ଚ୍ଚରେ ସେ ଲଗେଇ ଦେଇଛନ୍ତି l ଯାହା ହେଉ ଗାଁ ଭଗବତୀଙ୍କ କରୁଣାରୁ ପୁଅ ଆଜି ବଡ଼ ବିଦେଶୀ କମ୍ପାନୀରେ ଇଞ୍ଜିନିୟର୍ l ଚେନ୍ନାଇରେ ନିଜସ୍ଵ ଫ୍ଲାଟ୍ l ବୋହୂ ବି ଚାକିରୀ କରିଛି l ବଡ଼ ଖୁସିରେ ଦୁହେଁ ପୁଅ ସହିତ ତା' ଘରେ ପହଞ୍ଚିଲେ l ଅନୀତା ମନେ ମନେ ଭାବି ଭାବି ଆସିଛନ୍ତି ନାତି ଚିକୁନକୁ କୋଳରେ ବସେଇ ରଜାରାଣୀ ବୁଢ଼ୀ ଅସୁରୁଣୀ ଗପ କହିବେ, ନାତିକୁ ପାଖରେ ଧରି ଶୋଇବେ l ତ୍ରିଲୋଚନ ବି ସେମିତି ନାତିକୁ ପିଠିରେ ବସେଇ ନିଜେ ଘୋଡ଼ା ହୋଇ ଘରେ ବୁଲେଇବେ l ଏମିତି ଅନେକ ସ୍ଵପ୍ନ ଦୁହେଁ ଦେଖିଛନ୍ତି l ଜେଜେ ବାପା ମା'ଙ୍କୁ ଦେଖି ଚିକୁନ୍ ଅଚିହ୍ନା ବାରିଲା ପରେ ନିଜ ପାପାଙ୍କ କଥାରେ ଆସି ପ୍ରଣାମ ବଦଳରେ "ହାଏ ହ୍ୟାଲୋ ସମ୍ବୋଧନ କଲା l ତ୍ରିଲୋଚନ ଭାବିଲେ ଆଜି କାଲିକା ପିଲା ତ ଏମିତି କହୁଛି l ସେ ଯେତେବେଳେ ଡାକିଲେ ଆସେ ବାବା ଚିକୁନ୍ ମୋ ପାଖକୁ ଆସ l ଚିକୁନ୍ କିଛି ନ'ବୁଝିଲା ପରି ରହିଲା l ପାଖରେ ତା' ମାମା ତୃପ୍ତିମାନେ ତ୍ରିଲୋଚନଙ୍କ ବୋହୂ ବଡ଼ ଗର୍ବର ସହିତ ମୁରୁକି ହସି କହୁଥାଏ ବାପା ସେ ଓଡ଼ିଆ ବୁଝି ପାରୁନି କି କହି ପାରୁନି ଖାଲି 

ଇଂଗ୍ଲିସ୍ l  

 

ଏକଥା ଅନୀତାଙ୍କୁ ଅଜବ ଲାଗିଲା ସେ କହିଲେ ଆରେ ମା' ତୃପ୍ତି ତୁମେମାନେ ଘରେ କଣ ଓଡ଼ିଆରେ କଥା ହେଉନ କି?

 

ନାଇଁ ବୋଉ ଏଠି କିଏ ଓଡ଼ିଆ ବୁଝିବ ଯେ ଆମେ ତା'କୁ ଶିଖେଇବୁ?


ଏକଥା ଶୁଣି ଅନୀତାଙ୍କୁ ବଡ଼ ଅଜବ ଲାଗିଲା l କଣ ବା କହିବେ ବୁଝି ପାରିଲେନି l 


ତ୍ରିଲୋଚନ କହିଲେ ଏଠି ସିନା କେହି ବୁଝିବେନି l ହେଲେ ଆମ ଗାଁରେ ହେଲା କି ଆମେମାନେ ତ ଇଂଗିରାଜି ଜାଣିନୁ.... l 


ବାପା ବୋଉ ତୁମେମାନେ ଆଗ ଚାଲ ଟିକେ ଫ୍ରେସ୍ ହୋଇଯାଅ କିଛି ଖାଇ ଟିକେ ରେଷ୍ଟ୍ କର ପରେ ସନ୍ଧ୍ୟାରେ ଗପିବା l ଆଜି ତ ଶନିବା ମୋର ଆଉ ତୃପ୍ତିଙ୍କର ଦୁହିଁଙ୍କର ଛୁଟି ଅଛି l ବିଭୂତି କହିଲା..

ଦୁହେଁ ଯାଇ ଗାଧୁଆ ପାଧୁଆ ସାରି ଆସି ବସିଲେ ଖାଇବାକୁ l ବୋହୂ ଖାଇବା ପରସି ଦେଲା ଡାଇନିଂ ଟେବୁଲ୍ ଉପରେ ପଲଉ, ଚିଲି ପନୀର୍, ନବରତ୍ନ କୁରୁମା,ସାଲାଡ୍ ଆଉ ଏମିତି ଅନେକ କିଛି l ତ୍ରିଲୋଚନ ଆଉ ଅନୀତା ଏତେ ସବୁ ଦେଖି ପଚାରିଲେ ଏତେ ସବୁ କେତେବେଳେ କଲୁ ତୃପ୍ତି l 


ବିଭୂତି କହିଲା ନାଇଁ ବୋଉ କୁକ୍ ଆସୁଛି ସେ ରୋଷେଇ କରି ଯାଉଛି, ଏମିତିରେ ଆମକୁ ସମୟ କେଉଁଠି ମିଳୁଛି l 


ତ୍ରିଲୋଚନ ମନେ ମନେ ଭାବୁଥିଲେ ସେ ରୋଷେୟାର ଜାତି କଣ ? କେମିତି କଣ କରିବେ, ସେ ଯାହା ହେଲେ ବି ଶାସନୀ ବ୍ରାହ୍ମଣ l ଅନୀତା ବୁଝି ପାରୁଥାଆନ୍ତି ସ୍ଵାମୀଙ୍କ ମନ କଥା, ସେ ଠାର ମାରି କହିଲେ ଖାଇ ଦିଅ କିଛି କୁହନି ପୁଅ ବୋହୂ ମନ ଦୁଃଖ କରିବେ l ତ୍ରିଲୋଚନ ବି କିଛି ନ କହି ଖାଇଦେଲେ l 

ତା' ପରଦିନ କିନ୍ତୁ ଅନୀତା କହିଲେ ପୁଅକୁ ଶୁଣୁ ଆମେ ଥିଲା ଯାଏଁ ମୁଁ ରୋଷେଇ କରିକି ତୁମ ମାନଙ୍କୁ ଦେବି ତୁ ଏବେ ରୋଷେୟାକୁ ମନା କରି'ଦେ ମାସକ ପାଇଁ l 

ବିଭୂତି ବି ଖୁସି ଯାହା ହେଉ ଏତେ ଦିନ ପରେ ବୋଉ ହାତ ରନ୍ଧା ଖାଇବାକୁ ମିଳିବ l 


ରବିବାର ଥାଏ ବିଭୂତି ଯାଇ ବଡ଼ ଭାକୁର ମାଛ ଗୋଟେ ନେଇ ଆସିଲା l ତା'କୁ କୁଆଡ଼େ ବେସର ଦିଆ ମାଛ ଭଜା ସହିତ ପଖାଳ ବହୁତ ଭଲ ଲାଗେ l ହେଲେ ଏତେ ବର୍ଷ ହେଲାଣି ତା'କୁ ମିଳିନି ଏସବୁ ଖାଇବାକୁ l ସବୁବେଳେ ତ କୁକ୍ ରୋଷେଇ କଲା ଆଉ ସେ କଣ ଜାଣିଛି ଆମ ଓଡ଼ିଆ ଘର ଖାଇବା l ଆଉ ସ୍ତ୍ରୀ ତୃପ୍ତି ତ ରୋଷେଇର ର ଅକ୍ଷର ବି ଧରନ୍ତିନି, ସେ ତାଙ୍କ ଅଫିସ୍ କାମରେ ବ୍ୟସ୍ତ l 

ଅନୀତା ଆଜି ରୋଷେଇ ଘରେ, ଆଜିର ମେନ୍ୟୁ ପଖାଳ, ବେସର ଦିଆ ମାଛ ଭଜା, ବଡ଼ି ଚୁରା ଆଉ ଶାଗ ଖରଡା l 


ରୋଷେଇ ସରିଲା ପୂର୍ବରୁ ବିଭୂତିକୁ ଭାରି ଭୋକ ,ଏମିତି ଭୋକ ବୋଧେ କେବେ ହୋଇନଥିଲା l 


  ପଖାଳ ପରସା ହେଲା ହେଲେ ଡାଇନିଂ ଟେବୁଲ୍ ଉପରେ ନୁହେଁ ତଳେ ଆସନ ପକେଇ ମା'ଅନୀତା ପରସି ଦେଲେ ଖାଇବା l ସମସ୍ତେ ଆନନ୍ଦରେ ହାତ ଚାଟି ଖାଇଲେ l ତୃପ୍ତି ସ୍ମିତ ହାସ୍ୟ ଦେଇ କହୁଥିଲା ଯାହା ହେଉ କିଛି ଭିନ୍ନ ଖାଇବା ଆଜି ମିଳିଲା, ନିଇତି ସେଇ ଚାଇନିଜ୍, ତନ୍ଦୁର୍ ଆଉ ମୁଗ୍ଲାଇ ଖାଇ ଖାଇ ବୋର୍ ଲାଗୁଥିଲା l ଅନୀତା ଏ ସବୁ ନାଁ ଆଗରୁ ବୋଧେ ଶୁଣି ନଥିଲେ, ସେଥିପାଇଁ ଖାଲି ମୁରୁକି ହସି ଦେଲେ l  


ପଖାଳ ଆଉ ଏ ସବୁ ଆଇଟମ୍ ଦେଖି ଚିକୁନ୍ ଆଶ୍ଚର୍ଯ୍ୟ, ପୁଣି ତଳେ ବସି ଖାଇବା l ତଥାପି ତାକୁ ତୃପ୍ତି ବୁଝେଇ ଦେଲେ ଇଂଗ୍ଲିସରେ ଯେ ଏଇଟା ଆମ ଓଡ଼ି଼ଶାର ଖାଇବା l ତ୍ରିଲୋଚନ ଆଉ ଅନୀତାଙ୍କୁ ଭାରି ଅଡୁଆ ଲାଗୁଛି l ସେ ଇଂଗ୍ରାଜି ବୁଝି ପାରୁନଥିଲେ l ଯଦି ନାତି ତାଙ୍କ ଭାଷା ବୁଝୁଥାଆନ୍ତା ତେବେ ଅନୀତା କୋଳରେ ବସେଇ ତାକୁ ବୁଝେଇ ଖୋଇ ଦେଇଥାଆନ୍ତେ l ନାତି ପାଇଁ ଆସିଲେ ଏତେ ବାଟ ହେଲେ ନାତି ଆରଉନି ତାଙ୍କୁ l  


ତ୍ରିଲୋଚନଙ୍କ ଆଖି ପଡ଼ିଲା ଠାକୁର ଘରର ଫଟୋମାନଙ୍କ ଉପରେ l ଆରେ ପୁଅ ଏ କଣ ଦିଅଁଙ୍କ ଫଟୋ ଉପରେ ଏତେ ଧୂଳି ଆଉ ଜଗନ୍ନାଥଙ୍କ ମୂର୍ତ୍ତି ଉପରେ ଅଳନ୍ଦୁ ଲାଗିଛି l କଣ ପୂଜା କରୁନୁ କି? 


ବାପା ମୋତେ ସମୟ ହେଉନି ଏ ସବୁ କରିବାକୁ l କ୍ଲାୟେଣ୍ଟ୍ ମିଟିଙ୍ଗ୍ ଆଟେଣ୍ଡ୍ କରୁ କରୁ ସମୟ ଯାଉଛି ଆଉ ପୂଜା କରିବାକୁ ମନେ ପଡୁନି l ଏଇ ଛୁଟି ଦିନରେ ଟିକେ ଯାହା..... l 

 ପୁଅର ଉତ୍ତରରେ କଣ ବା କହିବେ ଦୁହେଁ l ସତରେ କଣ ଏହାକୁ ଷ୍ଟାଟସ୍ କୁହାଯାଏ?

 

ପରଦିନ ସକାଳେ ତ୍ରିଲୋଚନ ଠାକୁର ଘର ପରିଷ୍କାର କରି ପୂଜା ପୂଜି ଆରମ୍ଭ କଲେ l ଘଣ୍ଟି ଆଉ ଶଙ୍ଖ ଶବ୍ଦରେ ଘର ପୁରି ଉଠିଲା l ବିଭୂତି କିଛି କହୁନଥିଲା ସିନା ତା'କୁ ମନରେ ଅପାର ଶାନ୍ତି ମିଳୁଥିଲା l ଚିକୁନ୍ କେବେ ଏ ପୂଜା ଦେଖିନି କି ଜାଣିନି ଘରେ ଏମିତି ପୂଜା ହୁଏ ବୋଲି l 


ଆସିବାର ମାତ୍ର ପାଞ୍ଚ ଛଅ ଦିନ ହୋଇଛି ତ୍ରିଲୋଚନ ଆଉ ଅନୀତାଙ୍କୁ ଗୋଟେ ଯୁଗ ପରି ଲାଗିଲାଣି l ଅନେକ ଆଶା ଅଭିଳାଷ ନେଇ ଆସିଥିଲେ ନାତି ସହିତ ଖେଳିବେ ପୁଅ ବୋହୂ ସହିତ ସମୟ ଅତିବାହିତ କରିବେ l ହେଲେ ନାତି ତ ତାଙ୍କ କଥା ବୁଝୁନି କି ସେମାନେ ନାତି କଥା ବୁଝି ପାରୁନାହାନ୍ତି l ଯେତେବେଳେ ଦେଖ ମୋବାଇଲରେ ଖେଳୁଛି ନହେଲେ ଟି.ଭି l ପୁଅ ବୋହୂ ତ ନିଜ ଅଫିସ୍ କାମରେ ବ୍ୟସ୍ତ l ଗାଆଁରେ କିଛି ନହେଲେ ସାହି ପଡ଼ୋଶୀ ଅଛନ୍ତି କଥା ହେବାକୁ l ଏଠି ସେତିକି ବି ନାହିଁ l ଏତେ ବଡ଼ ଆପାର୍ଟମେଣ୍ଟରେ ଯେଝା ଘରେ ଯିଏ l ବୟସ ହୋଇଗଲେ ସମସ୍ତେ ନାତି ନାତୁଣୀଙ୍କ ସହ ସମୟ କଟେଇବାକୁ ଚାହାଁନ୍ତି l ହେଲେ ପୁଅ ବୋହୂ ତ ନିଜେ ଘରେ ତା' ସହିତ ଇଂଗ୍ରାଜୀ ଭାଷାରେ କଥା ହେଉଛନ୍ତି l ଆମ ଭାଷାରେ କଥା ହୋଇଥିଲେ ପିଲାଟି ତ ଶିଖିଥାଆନ୍ତା l କୁମ୍ଭାର ଉପରେ ନିର୍ଭର କରୁଛି ସେ ମାଟିକୁ କେମିତି ଗଢିବ l କିଏ ବୁଝିବ ନିଜ ଭାଷା ସଂସ୍କୃତିକୁ ଭୁଲି ଏ ବିଦେଶୀ ଚାକଚକ୍ୟକୁ ଆଦରିବାକୁ କଣ ଷ୍ଟାଟସ୍ କୁହନ୍ତି l 


ପୁଅ କଥା ଭାବି ବି ଦୁଃଖ କରୁଥିଲେ ଦୁହେଁ ,ଯେଉଁ ପୁଅ ଏ ଅଟୋବାଲାର ଘରେ ଜନ୍ମ ହେଇଛି ଆଉ ଗରିବୀକୁ ବହୁତ ପାଖରୁ ଦେଖିଛି l ସେ ବି ନିଜ ଶିକ୍ଷାକୁ ଭୁଲିଗଲା l କଣ ନା ପୂଜା କରିବାକୁ ସମୟ ନାହିଁ l ଆରେ ସେଇ ଠାକୁରଙ୍କ ସକାଶେ ତ ତୁ ଏତେ ବଡ଼ ଲୋକ l ଏମିତି କଥା ହେଉ ଥାଆନ୍ତି ଦୁଇଜଣ l 

ଅନୀତା କହିଲେ ଚାଲ ଆମ ଗାଁକୁ ଫେରିଯିବା l ଏଠା ଅପେକ୍ଷା ସେଠାରେ ଆମେ ମୁକ୍ତ ବିହଙ୍ଗ l ଆମେ ଯେଉଁ ଆଶା ଅଭିଳାଷ ନେଇ ଆସିଥିଲେ ବୋଧେ ସେ ଆଉ ପୂରଣ ହେବନି l  



Rate this content
Log in

More oriya story from TapaswiniDash Sarangi

Similar oriya story from Inspirational