ଦେଶରେ ....
ଦେଶରେ ....
ମିଛ କହିବା ଅନେକ ସମୟରେ ଆବଶ୍ୟକ ପଡ଼ିଯାଏ ନିଜ ପାଇଁ ନୁହେଁ ଅନ୍ୟର ସୁରକ୍ଷା ପାଇଁ ।
ସେ କହିଲା , ତୁ କେଟଲି ଦେଖିଛୁ ?''
-- ମୁଁ କହିଲି ନା' ମୁଁ ଚା' ପିଏନା କି ଚା' ଖଟିରେ ବସେନା ।
ସେ ହସିଲା ଆଉ କହିଲା , ତୁ କେଟଲି ଦେଖିଛୁ କି ନା କହ । ଚା' କଥା କିଏ ପଚାରିଲା । ଯଦି ଦେଖିନୁ ତେବେ ଜାଣୁ ତ ତା'ର କାମ ।
ମୁଁ ମୁଣ୍ଡ ଟୁଙ୍ଗାରି ଦେଲି । ସେ ଏବେ ଆହୁରି ଜୋରରେ ହସିଲା । ଆଉ ମୋ ମୁଣ୍ଡରେ ଗୋଟେ ଟପଲି ମାରିଦେଲା ।
ମୁଁ ଚିଡିଗଲି ଟିକେ । ଏମିତି ମୁଣ୍ଡରେ ଟପଲି ମାରିବା ମୋତେ ରାଗ ଲାଗେ । ଲାଗେ ଯେମିତି ମୋର କିଛି ଗୋଟେ ଇଜ୍ଜତ ନାହିଁ । ହୋଟେଲର ଫଟକା ମାରୁଥିବା ଛୋଟୁ ମୁଁ । ଶ' ଯିଏ ଚାହିଁବ ବଜେଇ
ଦେବ ।
ମୁଁ ଦୁରେଇ ଗଲି ତା' ହାତ ଛିଞ୍ଚାଡି । ସେ ଆହୁରି ଜୋରରେ ହସିଲା ଆଉ କହିଲା ,
'' ଫୁଟୁଛୁ ତୁ ଏକଦମ କେଟଲି ଭିତରର ଚା' ଭଳିଆ , ସତରେ ।"
ମୁଁ ମୁହଁ ବୁଲେଇ ଧୂଆଁ ଛାଡ଼ିଲି । ମୁଁ ଫୁଟୁଛି ଟଗମଗ ହେଇକି ଭିତରେ ଭିତରେ କାହିଁ କେତେକାଳୁ ମୁଁ ଜାଣିନି , କିନ୍ତୁ ଇଏ ଜାଣେ । ସେଥିପାଇଁ ଇଏ ମୋ ଗୁରୁ । ମୋତେ ବଡ଼ ବିଜାର ଲାଗିଲା ବାଦେ ବି ମୁଁ ୟାକୁ ଛାଡି ପାରୁନି । ବିଚିତ୍ର ଏକଦମ ବିଚିତ୍ର ଆମ ଯୋଡି ।
ଚନ୍ଦନ ପୋଖରୀ ଖୋଳା ହେବ ,
ଚାପ ଖେଳ ହେବ , ମଦନମୋହନ ମନ୍ଦିର ପ୍ରତିଷ୍ଠା ହେବ , ଭିଡ଼ ଜମିବ , ଭୋଗ ଲାଗିବ , ଗୋଟେ ପୁଣ୍ୟ ଅର୍ଜନ ହେବ । ଏଇଟା ସରଳ , ଈଶ୍ୱର ବିଶ୍ୱାସୀ ମଣିଷର ଗୋଟେ ମୋହ । ଈଶ୍ବରଙ୍କ ପାଇଁ ଟିକେ ବ୍ୟସ୍ତତା । କିନ୍ତୁ ଏଇତକ ହେଇ ପାରୁନି । ହଁ ! ଚନ୍ଦନ ପୋଖରୀ ଜମି ହସ୍ତଗତ ହେଇପାରୁନି । ସେଠି ଅସାମାଜିକ ଲୋକଙ୍କ
ଆଡ୍ଡା ଜମିଛି । ଜମିଦାର ଘର ପୁସ୍ତେନି ଜେଗାବାଡ଼ି ଭୂତ ଖାଉଛି । ଗାଁ ଲୋକେ ଲାଗିଛନ୍ତି । ସରପଂଚଠୁ ନେଇ ଜିଲ୍ଲା ପରିଷଦ ସଭ୍ୟ ଯାଏଁ ସଭିଁକୁ କହୁଛନ୍ତି କିନ୍ତୁ ସେଠି ସଗର୍ବେ ଠିଆ ହେଇଥିବା ମଦଭାଟି ଉଠୁନି । ଯେଉଁଠି ପ୍ରଭୁଙ୍କ ଲାଗି ପୁଷ୍କରିଣୀ ର ସ୍ୱପ୍ନ ସଜଡ଼ା ହେଇଛି ସେଇଠି ବିଷ ବହୁଛି । ଗାଁର ସୁନ୍ଦର ପରିବେଶ ଦୂଷିତ ହେଉଛି , ଝିଅ ବୋହୁଙ୍କ ଉପରେ ନଜର ବିଷାକ୍ତ ହେଉଛି , ଅକାଳରେ ଝଡୁଛି ଯୌବନ , ଭାଙ୍ଗୁଛି ଘରର ସୁଖ ସପନ । ଦାଣ୍ଡ ମଝିରେ ଝିଙ୍କାଝିଙ୍କି ହେଉଛନ୍ତି ନିଶାଟଳମଳ ପାଦ ଗୁଡାକ । ଅତିଷ୍ଠ ହେଉଛନ୍ତି ସରଳ ଗାଁ ଲୋକେ । ହଟୁ ସେଠୁ ପାପର ବଜାର , ଭାଙ୍ଗୁ ସେଠୁ ମୃତ୍ୟୁର ବିପଣି । କେତେ ନେହୁରା ନମସ୍ତ , କେତେ ହାରି ଗୁହାରୀ ବାଦେବି ପ୍ରଶାସନ ଚୁପ । କ'ଣ ନା ପରମିଶନ ଅଛି । ସ୍ବୀକୃତି ପ୍ରାପ୍ତ ମଦ ଭାଟି । ସରକାର ବେଶ ସମ୍ବଳ ଯୋଗାଡୁଛନ୍ତି ଏଇଠୁ । ଉନ୍ନତିର ସବଳ ସ୍ରୋତଟିଏ ବହୁଛି ଏଇଠୁ । ଦେଶ ଗଠନ ହେଉଛି ଏଇ ବିଷର ବେପାର ଯୋଗୁଁ । ମଦ ଦୋକାନ ଆଗରେ ଗାନ୍ଧିବୁଢ଼ା ଡାକରେ ପିକେଟିଂ କରୁଥିବା ଜାତିଟା ଆଜି ସେଇଠି ପୂଜାରୀ ହେଇଛି । ସଂଜବୁଡୁ ଗଡୁଛି ଭକ୍ତଙ୍କ ଟୋଲି ।
ସେ ଭୂରା ଦାସ , ମୋ ଗୁରୁ ଲାଗିଛି ଗୁଣ୍ଡୁଚି ଭଳି , ଏଇ ଅନ୍ୟାଚାର ବିରୁଦ୍ଧରେ ।ଏକଜୁଟ କରିଛି ମା' ଭଉଣୀ ମାନଙ୍କୁ ଏଇ ମଦ ଭାଟି ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ । ଦୋହଲେଇ ପାରିଛି ତଥାକଥିତ ଅର୍ଥଲିପ୍ସୁ ଗୋଷ୍ଠୀଙ୍କ ମେଣ୍ଟକୁ । କିନ୍ତୁ କେବଳ ତୁମ୍ବିତୋଫାନ ହେଇଛି ସିନା ସମାଧାନ ମିଳିନି ।
ରୁନିର ଗଣ ବଳାତ୍କାର ପାରେ ନିଦ ଭାଙ୍ଗିଛି ପ୍ରଶାସନର । ହୁରି ପଡିଛି ଘୁଣଖିଆ ବ୍ୟବସ୍ଥା ବିରୁଦ୍ଧରେ । '' ହଟେଇ ଦିଆ ଯିବ ଏ ମଦ ଭାଟି ଅତି ଶୀଘ୍ର ।" ଘୋଷଣା କରିଛନ୍ତି ଖୋଦ ମନ୍ତ୍ରୀ । ସେଇଠି ରୁନି ମହାନ୍ତି ସ୍ମୃତିରେ ଉତ୍ସର୍ଗ ହେବ ଏକ ମନ୍ଦିର ଆଉ ପୁଷ୍କରିଣୀ । କଥା ଦେଇଛନ୍ତି ଖୋଦ ସରପଞ୍ଚ । ତା' ପରେ ସ୍ୱପ୍ନ ବୁଣା ଚାଲିଛି କିନ୍ତୁ ସାକାର ହେଉନି । ଉଠୁନି ତଥାପି
ମଦଭାଟି ।
ମୁଁ ଭୂରା ଭାଇ ସହ ମିଶି ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରିଛି । କଲେକ୍ଟର ଅଫିସ ଘେରୋଉ କରିଛି । ନାରୀ ମୁକ୍ତି ମଞ୍ଚ ଆନୁକୂଲ୍ୟରେ ଅନେକ ସଚେତନତା ସମାରୋହ ଆୟୋଜନ କରିଛି । ସବୁଠି ଭୂରା ଭାଇଠୁ ଶିଖିଛି କିଛି ନୂଆ , ବୁଝିଛି କିଛି ଗୁଢ଼ ତଥ୍ୟ , ଜାଣିଛି କିଛି ଅଜଣା କଥା , ଅନୁଭବ କରିଛି ତା 'ବ୍ୟସ୍ତତା ।
ସେ ନିଜେ ମାଡ଼ ଖାଇଛି , ଗୁଳି ଆକ୍ରମଣ ସହିଛି , ଘର ଉପରେ ବୋମା ମାଡ଼ ଖାଇଛି କିନ୍ତୁ ହଟିନି ନିଜ ରାସ୍ତାରୁ । କାହା ପାଇଁ ଏଇ ନିଯୋଗ କିନ୍ତୁ କେହି ଜାଣିନି । ଭୂରା ଭାଇ ତତେଇ ଦେଇଛି ମୋ ଭିତରର ଭଲ ଲୋକକୁ । ସେଇ ଜଳୁଛି ମୋ ଭିତରେ , ଟଗମଗ ହେଇ ଫୁଟୁଛି , ଚେତେଇ ଦେଉଛି ମୋତେ ଆଉ ଭରୁଛି ଅଜବ ଉତ୍ତାପ । ମୁଁ ଅହର୍ନିଶି ଧାଉଁଛି , ଅନର୍ଗଳ ଗପୁଛି , ଘରଦ୍ୱାର, ବନ୍ଧୁବାନ୍ଧବ ସବୁ ଛାଡି ଏଇନେ ଅବଧୂତ ହେଇଛି ଖାଲି ଭୂରା ଭାଇ
ଛୁଆଁରେ ।
ତା' କଥାରେ କି ମନ୍ତ୍ର ଅଛି କେଜାଣି ମୁଁ ବଶୀଭୂତ ହେଇଯାଇଛି । ମୋ ଭିତରର ଭଲ ଲୋକଟାକୁ ଉଜାଗର କରିଦେଇଛି ଭୂରା ଭାଇ । ସବୁବେଳେ ସେ ସତକୁ ସାଥି କରିଥାଏ ବୋଲି ସେ ମୋ ଗୁରୁ । ମରିଯିବ ପଛେ ମିଛଖଚ କରିବ ନାହିଁ ସେ ।
ମନେ ପଡୁଛି ମଧୁ ତିଆଡି କଥା , ଭୂରା ଭାଇର ଗୋଟେ ହଁ ରେ ସେ ହେଇଥାନ୍ତା ଗାଁ ସରପଞ୍ଚ । କିନ୍ତୁ ଭୂରା ଭାଇ ସତ ସାଥେ ରହିଲା । ରାଜନୀତି ପଶାପାଲି ଲେଉଟେଇ ଦେଲା । ତାରି ଚେଲା ଚାମୁଣ୍ଡା ନାରଖାର କରିଦେଲେ ତା' ସଂସାର । ନିଆଁ ଲଗେଇ ଦେଲେ ହସୁଥିବା ସଂସାରରେ । ବଡ଼ ବୋଉ ସେଇଥିରେ ପାଉଁଶ ହେଲା ।
ଲୁହ ଲୋହୁର ଖେଳ ହେଇଗଲା କେବଳ ସତ ପାଇଁ । ସେଥିଯୋଗୁଁ ସେ ଏକୁଟିଆ ବାଆଁରା । ନେ ନାହିଁ କି ନେଞ୍ଜେରା ନାହିଁ । ଭାଉଜ ଘର କରିବା କଥା କହିଲେ ହସିଦେଇ କୁହେ ," ଯା ଝିଅ ଗୋଟେ ଖୋଜ , ପଚାର ଏଇ ନାଗା ସହ କିଏ ପଘା ଭିଡିବ ? ଅଦିନେ ଧୋବ ପିନ୍ଧି ହବିଷ କରିବ ?''
କିଏ ଆଉ ରାଜି ହେବ ଏମିତି କଥାରେ କୁହ !.......
ମୁଁ ହତାଶ ହୁଏ ଆଉ ଅଧିକ ଦୁଇ କଳ ଧୂଆଁ ଛାଡେ । ମୋ ଆଖିର ପୁଅରେ ଭୂରା ଦାସର ଛବି ଆହୁରି ଉଜ୍ଜ୍ୱଳ ହେଇଯାଏ ।
*****************
ଆଜି କିନ୍ତୁ ଫୁଟୁଛି ମୁଁ ଭୂରା ଭାଇ ଉପରେ ରାଗରେ । କାହିଁକି ରାଗିଲି ବୋଲି ଭାବିଲେ ରାଗ ଆହୁରି ବଢୁଛି । ଗାଁ ଲୋକକଙ୍କ ଆଗରେ , ସର୍ବ ସମକ୍ଷରେ ଡାହା ମିଛ କହିଛି ଆଜି ସେ । କେମିତି ଜିଭ ତା'ର ଲେଉଟିଲା ଏଡ଼େ ମିଛ ପାଇଁ ??.......
ନୂଆ ମନ୍ତ୍ରୀ ଆମ ଦୁର୍ଗା ଭାଇ । ଏଇ ଗାଁର ଏଇ ମାଟିର । ଆମ ସହ ଡାଳମାଙ୍କୁଡ଼ି ଖେଳିଛି । ପଧାନ ଘର ଆମ୍ବ ଗଛରୁ ଫୋପଡ଼ ମାରି ଆମ୍ବ ଝଡେଇଛି । ବଡ଼ ପୋଖରୀରେ ମାଛ ମାରିଛି । ସେଇ ଏବେ ମଣିମା । କେତେ ଆଶା ନେଇ ଯାଇଥିଲୁ ଆମେ ଦୁହେଁ ତା' ରାଜଧାନୀ । ବିଶ୍ବାସ ଥିଲା ସେ ଉପ୍ରୋଧ ଦେବ । ମନକୁ ବୁଝେଇ ବାଝେଇ ହଁ ମାରିବ । ନାଲିଫିତା ଖୋଲିବ ସରକାରୀ ଫାଇଲରୁ , ସରପଞ୍ଚ ଆଉ ଦେଖେଇବ ନାହିଁ ମୁହଁଝିଞ୍ଚଡା କି ବତେଇବ ନାହିଁ ତେରିମେରି ,ମଦ ଭାଟି ଉଠିବ ତା' ଆଦେଶରେ ।
କିନ୍ତୁ ସିଏ ଦେଖେଇଲା ତା' ନୂଆ ରଙ୍ଗ ।
ବାବୁ ବିଜି , ମିଟିଂ , ଚିଟିଂ କାହିଁ କେତେ !
ସମୟ ନାହିଁ ଭେଟିବାକୁ ଆମକୁ । ବଡ଼ ହୀନିମାନ ଲାଗିଲା ମଣିଷକୁ । କୋଡ଼ି ଦେବାକୁ ମନ ହେଉଥିଲା ମୁଣ୍ଡ । ଆମେ ବିଫଳ ହେଇ ଫେରିଲୁ । ନୀରବରେ କଟିଲା ଯାତ୍ରା । କଥା ପଦୁଏ ହେଲୁନାହିଁ ଦୁଃଖରେ ।
ହେଲେ ଗାଁ ଭାଇଙ୍କ ଆଗରେ ଭୂରା ଭାଇ କହିଲା , " ଶୀଘ୍ର ଉଠିବ ଭାଟି କଥା ଦେଇଛି
ଦୁର୍ଗା । "
ମୁଁ ଭାବୁଛି ଆଜି କାହିଁକି କହିଲା ମିଛ ଭୂରା ଭାଇ ?...........
ତାକୁ ହଜାରେ ଥର ପଚାରିବା ପରେ ବି ସେ ଖାଲି ହସୁଛି । କହୁଛି ଏ ଦେଶରେ ବେଳେବେଳେ ମିଛ ଜରୁରୀ !.......
