Pradipta Sundar Rath

Inspirational

3  

Pradipta Sundar Rath

Inspirational

ଦେଶପ୍ରେମ ଅଛି କି ତୁମପାଶେ ?

ଦେଶପ୍ରେମ ଅଛି କି ତୁମପାଶେ ?

2 mins
216


ଭାବୁଛି ବସି କଣ କାହାଣୀ ଲେଖିବି ? ଏକ ଲେଖକ ହିସାବରେ କ'ଣ ବାର୍ତ୍ତା ଦେବି ମୋର ଦେଶ ବାସୀଙ୍କୁ । କିନ୍ତୁ ଏବେ ନା ଅତୀତ କୁ ମନେପକାଇବାର ଅଛି , ନା କିଛି ଉପଦେଶ ଦେବାର ଅଛି , ନା କିଛି ବାର୍ତ୍ତା ସମାଜ ପାଖରେ ଏକ ଲେଖକ ହିସାବରେ ପହଞ୍ଚାଇବାର ଅଛି , କାହିଁକି କେଜାଣି ଆଜି ଏକ ଅଭାବ ର ଅନୁଭବ ହେଉଛି ।  ଲେଖକ ନୁହେଁ ଏକ ଭିକାରୀ ବି କହିପାର , ବାସ୍ ଆଜି ମୁ ମୋର ଭାରତମାଆ ପାଇଁ ଆପଣମାନଙ୍କଠୁ କିଛି ମାଗିବାକୁ ଆସିଛି , କିଛିନୁହେଁ ବାସ୍ ଟିକେ ଭଲପାଇବା ଆଉ ପ୍ରେମ ।

 କାହିଁକି ନା ଦିନେ ଯେଉଁ ଭାରତ ଭଲପାଇବାର ପରିଚୟରେ ପରିଚିତ ହେଉଥିଲା , ଆଜି ସେଠାରେ ନିଜର ପରିଚୟ ଦେବା ପାଇଁ ଘୃଣାର ସାହାରା କାହିଁକି ନିଆଯାଏ ,ତାହା ମୁ ବୁଝିପାରୁନି ।

 ସରକାର କୁ ନିଜର ପରିଚୟ ଦେବା ପାଇଁ ବିପକ୍ଷଙ୍କୁ ଗାଳି କରିବାକୁ ପଡୁଛି , ଯେପରି ବିପକ୍ଷଙ୍କୁ ଘୃଣା କରିବା ବିନା ସରକାରରେ ରହିପାରିବନି । ଆଉ ବିପକ୍ଷ ଙ୍କୁ ମଧ୍ଯ ନିଜର ପରିଚୟ ଦେବା ପାଇଁ ସରକାରଙ୍କୁ ଘୃଣା କରିବାକୁ ପଡୁଛି । ଆଜି ଟିଭି ଚ୍ଯାନେଲ୍ ଙ୍କୁ ନିଜର ଟିଆରପି ପାଇଁ ଘୃଣାର ନ୍ଯୁଜ୍ ଚଲାଇବାକୁ ପଡୁଛି , ସମ୍ବାଦଦାତାଙ୍କୁ ମଧ୍ଯ ନିଜର ଶ୍ରେଷ୍ଠତା ପାଇଁ କାହାକୁ ନା କାହାକୁ ଗାଳି ଦେବାକୁ ପଡୁଛି । ନିଜକୁ ଏଠାରେ ଏକ ଧର୍ମ ର ପରିଚୟ ଦେବା ପାଇଁ , ସେହି ଧର୍ମର ଗୁଣଗାନ ଅପେକ୍ଷା ଅନ୍ଯ ଧର୍ମକୁ ଘୃଣା କରିବାକୁ ପଡିଥାଏ । ଯେଉଁ ଧର୍ମ ଭଲପାଇବାର ମନ୍ତ୍ର ଶିଖାଇବା କଥା ତାହା ଆଜି ଘୃଣା କିପରି କରାଯ୍ଏ ତାହା ଶିଖାଉଛି । 

  ସବୁଠୁ ବଡ କଥା ହେଉଛି ନିଜର ଦେଶପ୍ରେମର ପରିଚୟ ପାଇଁ ଆମକୁ ପାକିସ୍ତାନ ଆଉ ଚୀନ୍ କୁ ଗାଳିକରିବାକୁ ପଡିଥାଏ । 

  ଆମେ ଘୃଣାର ଏତେ ତଳକୁ ଖସିଯାଇଛେ ଯେ ଆମକୁ ଆମ ଈତିହାସରେ, ଆମର ଦେଶର ବୀର ସ୍ମୃତିରେ ବି ଘୃଣା ଖୋଜିବାକୁ ପଡୁଛି । ନେତାଜୀ ସୁଭାଷ ବୋଷ ଙ୍କ ସମ୍ମାନ ପାଇଁ ଆମେ ମହାତ୍ମା ଗାନ୍ଧୀଜୀଙ୍କୁ ଗାଳି କରିଥାଉ , ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଆମେ ଘୃଣା କରୁଛେ । 

 ବାସ୍ ଆଉ ନୁହେଁ , ଆଜିଠୁ ଆମେ ଶପଥ ନେବା ଆମର ପରିଚୟ ଆଜି ଠୁ ଆମର ଭଲପାଇବା ହିଁ ଦେବ ,ଯେପରି ପୂରା ଦୁନିଆ ପୁଣି କହିବ ଭାରତ ର ପରିଚୟ ତାର ଦେଶବାସୀଙ୍କ ହୃଦୟ ।

  ବାସ୍ ଏହି ସାଧାରଣତନ୍ତ୍ର ଦିବସରେ ଆମର ଐକ୍ଯ ର ପ୍ରତୀକ ତ୍ରିରଙ୍ଗାର ତଳେ ଆସନ୍ତୁ ଶପଥ ନେବା - ଯେ ଆଜି ଠୁ ଆଉ ଆମେ କାହାରିକୁ ଘୃଣା କରିବା ନାହିଁ , କାହାରିକୁ ଗାଳି କରିବା ନାହିଁ । ଠିକ୍ ସେହିପରି ଯେପରି ଆମର ଧର୍ମ ଆମକୁ ଶିଖାଇଥାଏ- ଚୋରିକୁ ଘୃଣା କର କିନ୍ତୁ ଚୋର କୁ ନୁହେଁ । ଆମେ ଚୋରକୁ ଦେଉଥିବା ଶାସ୍ତି ଯେପରି ଆମର ଘୃଣା ଯୋଗୁଁ ନୁହେଁ , ବରଂ କଠୋରରୁ କଠୋର ଶାସ୍ତି ଦେବା ଭଲପାଇବାରେ , ଯେପରି ସେହି ଦଣ୍ଡ ପରେ ସେ କିମ୍ବା ତାକୁ ଦେଖି ଆଉ କିଏ ଭବିଷ୍ୟତ ରେ ଏପରି କାର୍ଯ୍ଯ ନକରେ। 


Rate this content
Log in

Similar oriya story from Inspirational