ଦେହ
ଦେହ


ପିଲାଦିନେ କେଉଁଠି କେବେ ଶୁଣିଥିଲି ଦି ଧାଡ଼ି ଗୀତ, "ବହି ଯାଏରେ ଗଙ୍ଗା ଉଡେ ତିରଙ୍ଗା, ଭାତ ମହଙ୍ଗା ଏଠି ରୁଟି ମହଙ୍ଗା !" ହେଲେ ଏହାର ଅର୍ଥ ଜଣାନଥିଲା ସେତେବେଳେ କି ଜାଣିବାର ବିଶେଷ ଇଚ୍ଛା ବି ନଥିଲା। ବେଳେ ବେଳେ ଖିଆଲି ମନଟା ମୋର ବେସୁରା ଗାନ କରେ ଏହି ପଦଟିକୁ। କାଳକ୍ରମେ ଖବରକାଗଜରେ ବିଭିନ୍ନ ସମୟରେ ପ୍ରକାଶିତ ଅନେକ ଚାଞ୍ଚଲ୍ୟକର କାହାଣୀ ଯଥା ଭୋକର ଭୂଗୋଳରେ ଅନାହାର ମୃତ୍ୟୁ ଦାଦନର ଦାରୁଣ ଯନ୍ତ୍ରଣା ବୋଧ, ଗରିବୀର ଅସରନ୍ତି ଦୁଃଖ ଆଦି ଶୀର୍ଷକ ମୋର ଚପଳ ମନରେ ଗଭୀର ରେଖାପାତ କରେ। ପରବର୍ତ୍ତୀ ସମୟରେ ସେସବୁ ଗୁରୁ ଗମ୍ଭୀର ପ୍ରସଙ୍ଗ ମନରୁ ସ୍ଵତଃ ପାଶୋର ହୋଇଯାଏ। ରାଉରକେଲା ଉପକଣ୍ଠର ସେ ନିଃସହାୟ ପିଲାଟିକୁ ନଦେଖିବା ଯାଏଁ ମୋର ହୃଦବୋଧ ହୋଇନଥାଏ ମୁଠାଏ ଭାତର ମୂଲ୍ୟ!
ବ୍ଯାଙ୍କ୍ ଅଡିଟ୍ ପାଇଁ ପହିଲିବାର ମୁଁ ଯାଇଥାଏ ଶିଳ୍ପ ନଗରୀ ରାଉରକେଲା, ବେଶ୍ ସଂଭ୍ରାନ୍ତ ଓ ସମୃଦ୍ଧ ଏହି ସହର। ରାସ୍ତାଘାଟ ଖୁବ୍ ପ୍ରଶସ୍ତ ଓ ସଫାସୁତୁରା। କଳକାରଖାନା ଭରପୁର ଥିଲେ ମଧ୍ୟ ସବୁଜିମାରେ ବି ଉଣା ନାହିଁ ଏହି ସହର। ଦୁଇ ତିନି ଦିନର ରହଣି କାଳରେ ସ୍ଥିର ହେଲା ଥରୁଟିଏ ସହର ଉପକଣ୍ଠରେ ଥିବା ଗୋଟେ ପ୍ରସିଦ୍ଧ ଢାବାରେ ଖାଇବା ପାଇଁ। ସେହି ଥରକ ଖାଇବା ଯେ ମୋ ପାଇଁ ଏକ ଶିକ୍ଷଣୀୟ ଅଥଚ଼ ଅପ୍ରିତିକର ସ୍ମୃତି ହୋଇ ରହିଯିବ ଚିରଦିନ, ମୁଁ ସ୍ଵପ୍ନରେ ସୁଦ୍ଧା କଳ୍ପନା କରି ନଥିଲି!
ମୋର ଠିକ୍ ଭାବେ ମନେଅଛି ସେଦିନ ଥିଲା ଶନିବାର, କାର୍ଯ୍ୟ ସମାପନାନ୍ତେ ଅପରାହ୍ନରେ ଆମେ ଚାଲିଲୁ ଢାବା ଅଭିମୁଖେ ଭୋଜନ ନିମନ୍ତେ। କହିବା ବାହୁଲ୍ୟ ମାତ୍ର ଯେ ଅତ୍ୟନ୍ତ ସୁସ୍ବାଦୁ ଭୋଜନର ବନ୍ଦୋବସ୍ତ ହୋଇଥିଲା ସେ ଅପରାହ୍ନରେ! ଗରିଷ୍ଠ ଭୋଜନ ଉଦରସ୍ଥ ଉପରାନ୍ତେ ମୁଖବାସ ସାମଗ୍ରୀ ସହ ମଧୁର ଆଳାପର ଆସର। ତତକ୍ଷଣାତ ମୁଁ ଲକ୍ଷ୍ଯ କଲି ଗୋଟେ ଦଶ ବାର ବର୍ଷର ପିଲାଟିଏ ଆମ ଟେବୁଲରୁ ଅଇଁଠା ପ୍ଲେଟ୍ ସବୁକୁ ଉଠାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଢ଼ାବା ମାଲିକ ତାକୁ ଅଶ୍ରାବ୍ଯ ଭାଷାରେ ଗାଳି ଗୁଲଜ କରୁଛି। ଘଟଣାର ଅନୁସନ୍ଧାନ କରିବା ପରେ ଜଣାପଡିଲା ଯେ ପିଲାଟି ସେହି ଢାବାରେ କାମ କରେ, ମାତ୍ର ଆଜି ସକାଳୁ କାମକୁ ନ ଆସିଥିବାରୁ ମାଲିକ ରୋଷର ଶିକାର ହେଉଛି। ନିରିଖି ଦେଖିଲି ପିଲାଟିକୁ। ଦେହ ସାରା ତାର ପୋଡା ଦାଗ, ପିନ୍ଧିଥିବା ଲୋଚାକୋଚା ପେଣ୍ଟ୍ ସାର୍ଟ୍ ହଳକ ସେହି ଦାଗ ସବୁକୁ ଲୁଚାଇବାକୁ ବୃଥା ପ୍ରୟାସ ଜାରି ରଖିଥିଲା।
ମୋର ମନେ ପଡିଲା ପିଲାଦିନେ ଗୁଣୁଗୁଣୁ
କରୁଥିବା ସେ ଗୀତଟା "ଭାତ ମହଙ୍ଗା..." ହୁଏତଃ ଏଇ ପିଲାଟିର ବୟସରେ ସେ ଗୀତଟି ମୁଁ ଶୁଣିଥିବି। ହୃଦୟ ମୋର କରୁଣାଶ୍ରୁରେ ସିକ୍ତ ହୋଇଉଠିଲା। କଣ୍ଠ ବାଷ୍ପରୁଦ୍ଧ ହୋଇଗଲା। ସେହି ଅଜଣା ପିଲାଟି ପାଇଁ ମନ ବ୍ୟାକୁଳ ହୋଇଉଠିଲା। ପିଲାଟିକୁ ପଚାରିବାରୁ ସେ କହିଲା ଯେ, ବାପ ତାର ମଦୁଆ କାମଧନ୍ଦା କିଛି ବି କରେନି, ମା ଚାଲିଗଲାଣି ବହୁଦିନରୁ ଆରପାରିକୁ ବାପାର ମାଡ ଗାଳି ନସହିପାରି। ସାନ ଭାଇଟେ ତାର ଅପେକ୍ଷା କରି ବସିଛି କିଛି ଖାଇବାକୁ ନେଇକି ଗଲେ ଖାଇବ ବୋଲି। ଦି ଓଳି ଦୁଇମୁଠା ଖାଇବା ପାଇଁ ଏଇ ଢ଼ାବାରେ ବେଠି ଖଟୁଛି ସେ। କାଲି ରାତିରେ ଖଟଣିର ଥକ୍କା ମାରିବା ପାଇଁ ଟିକେ ମହୂଲି ପିଇ ଶୋଇ ପଡିଥିବାରୁ ଆଜି ଡେରିରେ ଆସିଛି କାମକୁ। ଠିକ୍ ଏତିକି ବେଳେ ନିର୍ଦ୍ଦୟ ଢ଼ାବା ମାଲିକର ପଦାଘାତରେ ଭୂମିରେ ଲୋଟି ପଡିଲା ପିଲାଟି। ଭେଁ ଭେଁ ହୋଇ ବିକଳ ସ୍ଵରରେ କାନ୍ଦି ଉଠିଲା ସେ। ଗ୍ରାହକମାନଙ୍କ ପ୍ରତିବାଦର ପ୍ରତ୍ୟୁତ୍ତରରେ ସ୍ଥାନୀୟ ଅଞ୍ଚଳର ବିଶେଷ ପ୍ରଭାବଶାଳୀ ସେହି ଢାବା ମାଲିକ ଦେଶୀ ବନ୍ଧୁକ ଦେଖାଇ କହିଲା, ତା' ବ୍ଯକ୍ତିଗତ ମାମଲାରେ କଜ୍ଜଳପାତିଆ ଭଦ୍ରଲୋକ ନହୋଇ ବିଲ୍ ପଇଠ କରି ତୁରନ୍ତ ପଳାଇଯିବା ପାଇଁ। ଅଗତ୍ୟା ସଭିଏଁ ଫେରିଗଲେ ନିଜ ନିଜର ଗନ୍ତବ୍ୟ ପଥରେ। ଆମେ ବି ଫେରିଆସିଲୁ ଭୁବନେଶ୍ବର ସେହି ସଂଧ୍ୟାରେ।
ଫେରିବା ବାଟରେ ମୁଁ ଭାବୁଥିଲି ପିଲାଟିର କଥା। ସାରା ଦୁନିଆଁରେ କେହି ବି ସହୃଦୟ ବ୍ଯକ୍ତି ନଥିଲେ ତାର ବେଦନା ଲାଘବ କରିବା ପାଇଁ। ଡିଣ୍ଡିମ ପିଟୁଥିବା ସମାଜସେବୀ ଏବଂ ସୁଦକ୍ଷ ଶାସନତନ୍ତ୍ରର ସମସ୍ତ ଯୋଜନା ବ୍ଯର୍ଥ ତାର ଦୁଃଖ ହରଣ କରିବା ପାଇଁ। ଦେଶର ସବୁ ଆଇନକାନୁନ ତା ପାଇଁ ପୋଲୋଟି ଯାଇଥିଲେ ଅନ୍ଧ! ବିଶ୍ବବ୍ରହ୍ମାଣ୍ଡର ସମସ୍ତ ଇଶ୍ବର ତାପାଇଁ ହୋଇଯାଇଥିଲେ ସମ୍ଭବତଃ ବଧିର! ମନ୍ଦିର ମସଜିଦ୍ ଗୀର୍ଜା ଗୁରୁଦ୍ଵାର ଆଦି ପୁଣ୍ଯସ୍ଥାନ ଗୁଡିକର ଦ୍ଵାର ବନ୍ଦ ତା ପାଇଁ! ମାନବାଧିକାର କଣ ନାହିଁ ସେ ପିଲାଟିର? କଣ ବା ଅପରାଧ ତାର? ଏମିତି ଅସୁମାରି ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିଲା ସେଦିନ ମୋ ମନରେ। ଦେହ ଅଛି ବୋଲି ସିନା ଭୋକ ଶୋଷ ଅଛି! ଭାତ ଯୋଗାଡ଼ କରିବା ପାଇଁ ଦେହକୁ ବଳି ଦେବାର ଅଛି। ତିଳ ତିଳ କରି ଜାଳିବାର ଅଛି ପ୍ରତି କ୍ଷଣ। ସେଇ ଦେହ ପାଇଁ ହିଁ ଏ ଯାବତୀୟ ଜୀବନ ଯନ୍ତ୍ରଣା!
ଏହାପରେ ମୁଁ ଅନେକ ଥର ଯାଇଛି ରାଉରକେଲା, ହେଲେ ସେ ତଥାକଥିତ ପ୍ରସିଦ୍ଧ ଢ଼ାବାକୁ ପୁଣି ଥରେ ଯିବା ପାଇଁ ସାହାସ ଜୁଟାଇ ପାରିନି ଆଜି ଯାଏଁ....।