ଦେବୀ
ଦେବୀ
ଦୁର୍ଗାପୂଜା ପାଇଁ ଗାଁ ସାରା ରଙ୍ଗବେରଙ୍ଗ ଆଲୁଅରେ ଝଲମଲ ଦିଶୁଅଛି ।ସମସ୍ତଙ୍କ ମନରେ ଆନନ୍ଦ।ବରଷକୁ ଥରେ ଏମିତି ଝଲମଲ ହୋଇଉଠେ ପାଟପୁର ଗାଁ ।ପିଲାରୁ ବୁଢା ପର୍ଯ୍ୟନ୍ତ,ଧନୀରୁ ଗରିବ ପର୍ଯ୍ୟନ୍ତ,ବ୍ରାହ୍ମଣରୁ ହାଡି ପର୍ଯ୍ୟନ୍ତ ସମସ୍ତେ ମସଗୁଲ ହୁଅନ୍ତି ।ପୁରୁଷ ପୁରୁଷ ଧରି ଏ ଦୁର୍ଗାପୂଜା ଏ ଗାଁ ର ମୁଖ୍ୟ ପର୍ବ ।ଘରେ ଘରେ ଭିଡ଼ ଲାଗେ ବନ୍ଧୁବାନ୍ଧବ ମାନଙ୍କର । ଦଶଦିନ ଦଶ ଘଣ୍ଟା ଭଳି ଲାଗେ ।ଘରେ ଘରେ ପିଠାପଣା ,ମିଠା,ନାନା ଜାତି ଖାଦ୍ୟ ।ଗାଁ ରେ ଆଇସିକ୍ରିମ,ଗୁପଚୁପ ,ଚାଟ ସାଙ୍ଗକୁ ବେଲୁନ ଆଉ ଖେଳଣା ପସରା ।
କର୍ମମୟ ଜୀବନରୁ ଅବସର ପାଇ ଏହି ଗ୍ରାମବାସୀ ପୂଜାରେ ମଜ୍ଜିଯାଆନ୍ତି ।ସନ୍ଧ୍ୟାବେଳେ ଭୋଜିଭାତ ହୁଏ ।ଆଉ ରାତ୍ରିରେ ପାଲା,ଦାସକାଠିଆ,ସଂକୀର୍ତ୍ତନ,ରାମାୟଣ ମହାଭାରତ ଗୀତିନାଟ୍ୟ ଏବଂ ଭଜନ ସନ୍ଧ୍ୟାର ମଜା ନିଅନ୍ତି ସମସ୍ତେ ।ସମସ୍ତେ ନୂଆ ନୂଆ ପୋଷାକରେ ଝଲମଲ ଦିଶନ୍ତି ।ବିଶେଷ କରି ଝିଅମାନେ ଝଲସି ଉଠନ୍ତି ରଙ୍ଗବେରଙ୍ଗର ଶାଢ଼ୀରେ ।ମୁଣ୍ଡରେ ଗଜରା,ପାଦରେ ଅଳତା,ହାତରେ ରଙ୍ଗବେରଙ୍ଗ ଚୁଡ଼ି ।ଦେବୀ ପୂଜାରେ ଦେବୀ ରୂପେ ଝଲମଲ ହୋଇଉଠନ୍ତି କୁଆଁରୀମାନେ ।
ଦେବୀକା ସେ ତ ନାଁ ରେ ଯେମିତି ଦେବୀ ।ରୂପ ସୌନ୍ଦର୍ଯ୍ୟରେ ମଧ୍ୟ ଦେବୀ ।ଦେବୀକା ବସିରହିଥିଲା ସିଂହ ଉପରେ ମାଆ ଦୁର୍ଗା ବସିବା ପରି ।ଦେବୀକା ଆଜି ଝଲମଲ ହୋଇଉଠୁଥିଲା ମୁକ୍ତ କେଶରେ ।ହାତରେ କଟୁରୀ ପିନ୍ଧା ପୋଷାକ ଅସ୍ତବ୍ୟସ୍ତ ।ତା ଆଖିରୁ ବାହାରି ଆସୁଥିଲା ଭିନ୍ନ ଆଲୋକ । ତାକୁ ଦେଖି ସାବୀ ମାଉସୀ ଚକିତ ହୋଇଉଠୁଥିଲା ।ଦେବୀକା ଦେହରେ ଏକ ଉଜ୍ଜ୍ୱଳ ଆଲୋକ ସେ ଦେଖିପାରୁଥିଲା । ଝଲମଲ ହୋଇଉଠୁଥିଲା ତାହାର କୁଡ଼ିଆ । ତଳେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା ଦାନବର ଶରୀର । ମୋ ଘରେ ଦେବୀ ଉଭା ହୋଇଛନ୍ତି ,ଦେବୀ ଉଭା ହୋଇଛନ୍ତି କହି ବେହୋସ ହୋଇଯାଇଥିଲା ସାବୀ ମାଉସୀ । ତା ପାଟି ଶୁଣି ରୁଣ୍ଡ ହୋଇସାରିଥିଲେ ସାହି ପଡିଶାର ଲୋକ ।
ସାବୀ ମାଉସୀ ଗରିବ ବିଧବା ନାରୀଟିଏ ।ଦେବୀକା ତାହାର ଏକମାତ୍ର ଝିଅ ।ଝିଅକୁ ତିନିବର୍ଷ ହୋଇଛି ସ୍ୱାମୀ ଚାଲିଗଲେ ଆରପାରି ।ସାହାରା ବୋଲି ତ କେହି ନଥିଲେ ।ଏ ଚାଳକୁଡ଼ିଆ ବ୍ୟତୀତ ସମ୍ବଳ ବି କିଛି ନଥିଲା ।ସାବୀ ମାଉସୀ ପରଘରେ ବାସନ ମାଜେ ,ବୋଲହାକ କରେ ,ମୂଲିଆ ପାତି କରି ଦେବୀକାକୁ ବଡ଼ କରିଛି ।ଦେବୀକା ତ ଗୋଟିଏ ଚାଉଳରେ ଗଢା ।ଦେଖିଦେଲେ ଦେବୀଟିଏ ପରି ମନେ ହେବ ।ସମସ୍ତଙ୍କର ପ୍ରିୟ ସେ ।ସମସ୍ତେ ଦେବୀକାକୁ ଦେବୀ ଦେବୀ ବୋଲି ଡାକନ୍ତି ।ଦେବୀ ଆଜି ଦଶଭୁଜା ନ ହେଲେ ବି ଦେବୀତ୍ୱ ପ୍ରାପ୍ତି ହୋଇଛି ।ବିନାଶ କରିଛି ପାପୀକୁ ।
ଗୀତିନାଟ୍ୟ ଦେଖିଯିବା ପାଇଁ ସାବୀ ମାଉସୀ ତାକୁ ଡାକୁଥିଲା ।ବିଚାରୀ ଏ ଯାତ୍ରାନାଟ ନ ଦେଖି ଘରେ ଶୋଇଗଲା ।ସେ କଣ ଜାଣିଥିଲା ଦାନବ ଆସିବ ।।ସାବୀ ମାଉସୀ ଘରକୁ ତିନି ଘର ଛାଡ଼ି ମଙ୍ଗଳୁ ଦାଦାର ଘର । ଗାଁ ଭିତରେ କି ସୁସମ୍ପର୍କ ।ସମସ୍ତେ ମିଳିମିଶି ଚଳନ୍ତି ।ସାବି ମାଉସୀ ଓ ଦେବୀକାକୁ ସମସ୍ତେ ଭଲ ପାଆନ୍ତି ।ମଙ୍ଗଳୁ ଦାଦା ଘରକୁ ଆସିଥିଲା ତାଙ୍କ ଶଳାର ପୁଅ ।ଦେବୀକାକୁ ଦେଖି ଅବଶ୍ୟ କେମିତି ଗୋଟେ ଚାହୁଁଥିଲା । ଦେବୀକା ଏସବୁ ଦେଖି ଧ୍ୟାନ ଦେଇନଥିଲା । ଦେବୀକା ଯୌବନଆଛନ୍ନା ।ରୂପରେ ସତେ ଯେମିତି ସରଗପରୀ । ଯେ କେହି ବି ଦେଖିଲେ ନିଜର ସଂଯତ ହରାଇବସିବା ସ୍ୱାଭାବିକ । ଦେବୀକା ତେଣୁ ଏ ସବୁକୁ ଧ୍ୟାନ ଦେଇନଥିଲା । କିନ୍ତୁ ଦାନବର କୁତ୍ସିତ ମନ ଖୋଜି ହେଉଥିଲା ସୁଯୋଗ ।କାମନା ଆସକ୍ତ ଶରୀର ତାହାର ଜଳି ଉଠୁଥିଲା । କେମିତି କେଜାଣି ସୁଯୋଗ ଉଣ୍ଡି ଛକି ରହିଥିଲା । କବାଟ ଭାଙ୍ଗି କେତେବେଳେ ଯେ ପଶିସାରିଥିଲା ଦେବୀକାର କୁଡ଼ିଆରେ । ଶୟନରତ ଦେବୀକା । କାହାର ଉଷ୍ଣ ସ୍ପର୍ଶରେ ନିଦ୍ରାଭଙ୍ଗ କରି ଚାହିଁଲା । ଘରସାରା ଅନ୍ଧାର । ବାହାରେ କିନ୍ତୁ ସାରା ଗାଁ ଆଲୋକମାଳାରେ ଝଲମଲ ।ମାଡି ବସିଲା ଦାନବ । ଦେବୀକା ଚେଷ୍ଟା କରୁଥାଏ ନିଜକୁ ବଞ୍ଚାଇବା ପାଇଁ ।ତାହାର ଚିତ୍କାର ପହଞ୍ଚିପାରୁନଥିଲା କାହା ପାଖରେ ।କାରଣ ସେ ଦାନବ ତାହାର ଶକ୍ତ ପାପୁଲିରେ ତାହାର ପାଟିକୁ ବନ୍ଦ କରିଦେଇଥିଲା । ଦେବୀକା ଛଟପଟ ହେଉଥିଲା କିନ୍ତୁ ନିଜକୁ ମୁକ୍ତ କରିପାରୁନଥିଲା । ଅର୍ଦ୍ଧଉଲଗ୍ନ ଶରୀରଟା ସାଜିଥିଲା ଦାନବର ଭୋଜି । ଖୁବ ଆନନ୍ଦରେ ଭକ୍ଷଣ କରିଥିଲା ସେ । ଦେବୀକା ନିରୁପାୟ ,ଅସହାୟ,ଶକ୍ତିହୀନା ।ତଥାପି ସଙ୍ଘର୍ଷ ଛାଡିନାହିଁ ।ଦାନବ ନିଜର କାମନା ଚରିତାର୍ଥ କରି ଦୁର୍ବଳ ହେବା ବେଳକୁ ଦେବୀକା କୌଶଳରେ ଖସି ଯାଇ କଟୁରୀଟି ଉଠାଇ ଆଣିଲା ।ଅନ୍ଧାର ଭିତରେ ଚୋଟ ପରେ ଚୋଟ ମାରିଚାଲିଲା ତା ଉପରେ ବସି ।ଦାନବ ଛଟପଟ ହୋଇ ସ୍ଥିର ହୋଇଗଲା ,ସ୍ଥିର ହୋଇଗଲା ଦେବୀକାର ହାତ ।ସେମିତି କାଠ ପରି ବସି ରହିଥିଲା ଅର୍ଦ୍ଧ ଉଲଗ୍ନ ହୋଇ ।
ମାଆ ଦୁର୍ଗା ଦିନେ ସଂସାରର ହିତ ପାଇଁ ଧରିଥିଲେ ଉଗ୍ରରୂପ ।ନାଶ କରିଥିଲେ ମହିଷଙ୍କୁ ।ହଟିଯାଇଥିଲା ଦୁର୍ଗତି ।ସଂସାରରେ ଜଳ ,ସ୍ଥଳ ,ପବନରେ ଖେଳିଯାଇଥିଲା ସୁଖଶାନ୍ତି । ଦୁର୍ଗତିନାଶିନୀ ,ମହିଷମର୍ଦ୍ଦିନୀ ଅବତାର ହୋଇଥିଲା ପୂଜିତ ।ଦେବୀ କଣ ଏ ଯୁଗରେ ନିଜର ରକ୍ଷା ପାଇଁ କରିପାରିବ ନାହିଁ ? ନାଶିପାରିବ ନାହିଁ ଦୁର୍ଗତି ? ସେ କଣ ଧରିପାରିବ ନାହିଁ ଅସ୍ତ୍ର ? କାହିଁକି ନୁହେଁ ? ଦେବୀ ଶକ୍ତି ସ୍ୱରୂପିଣୀ,ଅସ୍ତ୍ରଶସ୍ତ୍ର ଖଚିତ ମାଂସ ରକ୍ତ ଧାରୀ ମୂର୍ତ୍ତୀଟିଏ।ସେ ଆଜି ପାପୀକୁ ବିନାଶ କରିଛି ।ସେ ପ୍ରମାଣିତ କରିଛି ଯେ ସେ ଦେବୀଙ୍କ ସ୍ୱରୂପ ।
ଦିନର ଆଲୋକରେ ଝଲମଲ ହୋଇଉଠିଲା କୁଡ଼ିଆ ସାରା । ସାବୀ ମାଉସୀ ଦେଖିପାରୁଥିଲା ତା ଘର ଝଲମଲ ଭିନ୍ନ ଏକ ଆଲୋକରେ । ଚେତା ଫେରିଲା ବେଳକୁ ଦେବୀକା ହାତରେ ହାତକଡି । ଗାଁ ସାରା ଲୋକ ରୁଣ୍ଡ ହୋଇଛନ୍ତି । ସମସ୍ତେ ଦେବୀକାର ଏ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଉଠୁଛନ୍ତି । ପୋଲିସ ବାବୁ ନେଇଯାଉଥିଲେ ଦେବୀକାକୁ ଜିପ ଭିତରକୁ । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ ରକ୍ତ ଜୁଡୁବୁଡୁ ଦାନବ ଶରୀରକୁ । ଜବତ ହୋଇସାରିଥିଲା କଟୁରୀ । ଦିନର ଆଲୋକରେ ଝଲମଲ ହୋଇଉଠୁଥିଲା କୁଡ଼ିଆ ସାରା । ଜିପ୍ ଚାଲୁଥିଲା ଆଗକୁ ଆଗକୁ । ସାବୀ ମାଉସୀ ପଛରେ ଦଉଡି ଯାଉଥିଲା ଚିତ୍କାର କରି ।ଦେବୀ.....ଦେବୀ.........ଦେବୀ ........... ।
