Lipi Sahoo

Tragedy

4.9  

Lipi Sahoo

Tragedy

ଦେବଦୂତ

ଦେବଦୂତ

4 mins
684


ସିନ୍ଦୁରାଫାଟିବା ଆଗରୁ ବିଛଣାରୁ ଉଠି ପ୍ରଥମେ ଝର୍କା ଟାକୁ ଖୋଲି ଦିଅନ୍ତି । ଆହାଃ ! ଦଲକାଏ ସୁବାସିତ ଶୀତଳ ପବନ ଆସି ତାଙ୍କ ଆତ୍ମାକୁ ଛୁଇଁ ଯାଏ।ଏଇଟା ହିଁ ତାଙ୍କ ପାଇଁ ବିଭୁ କୃପା । ସୁବଳବାବୁ ଏହା କାହିଁ କେତେ ବର୍ଷରୁ କରିଆସୁଛନ୍ତି । ଘର କହିଲେ ବୁଢ଼ାବୁଢ଼ୀ ଦୁଇ ପ୍ରାଣୀ । ସେ ଆଉ ଶଶୀକଳା । ଭଲପାଇବା ନଥିଲେ କ'ଣ ମଣିଷ ବଞ୍ଚିପାରେ? ଦୁହେଁ ସମସ୍ତ ଭଲପାଇବା ଦେଇ ସୁନ୍ଦର ବଗିଚା ଟିଏ ତିଆରି କରିଛନ୍ତି । ଯିଏ ଦେଖିବ ଘଡ଼ିଏ ଠିଆ ହେବ । ନୈସର୍ଗିକ ସୌନ୍ଦର୍ଯ୍ୟ ରେ ଭରପୁର । ନିଜର ସନ୍ତାନ ଭଳି ଭଲପାଆନ୍ତି ପ୍ରତିଟି ଗଛକୁ । ଏମିତି ନୁହଁ ଯେ ତାଙ୍କର କେହି ସନ୍ତାନ ସନ୍ତତି ନାହାଁନ୍ତି।

                      ବିଭୁକୃପା ତାଙ୍କ ର ଏକମାତ୍ର ପୁଅ । ଖୁବ୍ ଯତ୍ନରେ ସମସ୍ତ ସଂସ୍କାର ଦେଇ ଲାଳନପାଳନ କରିଥିଲେ । ପୁଅ ବି ଖୁବ୍ ମେଧାବୀ ଓ ଚରିତ୍ରବାନ୍ । ଆଇ.ଆଇ.ଟି ମୁମ୍ବାଇରୁ ବାୟୋଟେକ୍ ରେ ପାସ୍ କରିବା ପରେ ରିସର୍ଚ୍ଚ ଲାଇନ୍ ରେ ଯିବାକୁ ଚାହିଁଲା....ବାପା ମା ତା'ର କୌଣସି ଇଚ୍ଛା ରେ ବାଧା ଦେଇ ନଥିଲେ, ଏଥିରେ ବା ଦେଇଥାନ୍ତେ କିପରି? ସେମାନେ କିନ୍ତୁ ଚାହୁଁ ଥିଲେ ପୁଅ ଭାରତରେ ରହୁ,ହେଲେ ଇଟାଲୀ ର ଏକ ବଡ଼ ମେଡିକାଲ ରିସର୍ଚ୍ଚ ସେଣ୍ଟର ରୁ ଅଫର ଆସିଲା । ସେ ସେଠାକୁ ଯିବାକୁ ଚାହିଁଲା । ପୁଅର ଇଚ୍ଛା କୁ ସମ୍ମାନ ଦେଇ ହଁ ଭରିଲେ । ପୁଅ ଚାଲିଗଲା ବିଦେଶ।

                      ଏବେ ଘରେ ରହିଗଲେ ଦୁଇ ପ୍ରାଣୀ ଓ ପ୍ରାଣକୁ ଶୀତଳତା ପ୍ରଦାନ କରୁଥିବା ଏଇ ବଗିଚା । ନା ନା ବର୍ଣ୍ଣ ର ସୁବାସିତ ଫୁଲରାଜି ସହ ମଧୂପ, ପ୍ରଜାପତି,ଭ୍ରମର ଓ କୁନି କୁନି ଚଢ଼େଇମାନଙ୍କର ନିତି ଏଇଠି ଉଠା ବସା । ବଗିଚା ମଝିରେ ଥିବା ଝୁଲା ଏହାର ସୌନ୍ଦର୍ଯ୍ୟ କୁ ଢେର ବଢେଇଦିଏ । ସାଇ ପଡ଼ିଶାର ଯେତେ,ଏଠି ଆସି ଘଡ଼ିଏ ବସିବାକୁ ଚାହାଁନ୍ତି । ଥଟ୍ଟାରେ କହନ୍ତି ଏଠି ବସିଲେ ଇଶ୍ୱର ଙ୍କ ସହ ଭେଟ ହେଇଯାଏ।ପୁଅ ପ୍ରାୟ ଇଟାଲୀ ରୁ ଫୋନ୍ କରେ। ସବୁ ବାପା ମା'ଙ୍କ ପରି ପୁଅର ବାହାଘର ପାଇଁ ବ୍ୟସ୍ତ ହେଉ ଥିଲେ, ହେଲେ ପୁଅ ସମୟ ଗଡ଼େଇ ଚାଲିଥିଲା ରିସର୍ଚ୍ଚ ରେ ବ୍ୟସ୍ତ ରହି।

            

   ସମୟ ଗଡ଼ି ଚାଲି ଥାଏ ନଜ ତାଳେ ତାଳେ । ହଠାତ୍ ଆସି ପହଞ୍ଚି ଯାଏ ବିଶ୍ଵ ରେ କରୋନା ପରି ବିଷମ ପରିସ୍ଥିତି । ପୁଅର ଫୋନ୍ ହିଁ ଦୁଇ ଜଣଙ୍କୁ ଆଶ୍ବସ୍ତ କରେ ସେ ଠିକ୍ ଠାକ୍ ଅଛି । ଟିଭି ନ୍ୟୁଜ୍ ରେ ବିଶ୍ୱର ପରିସ୍ଥିତି ଦେଖି ଦୁହେଁ ବିଚଳିତ ହୁଅନ୍ତି । ପୁଅ ଶାନ୍ତ୍ବନା ଦିଏ ବାପା ବ୍ୟସ୍ତ ହୁଅନା, ମୁଁ ଦିନ ରାତି ଏକ କରି କରୋନାର ଭ୍ୟାକସିନ୍ ବାହାର କରିବାରେ ଲାଗିପଡିଚି ନିଶ୍ଚିତ ସଫଳ ହେବି । ତା'ର ଦୃଢ଼ ବିଶ୍ୱାସ ଦୁହିଁଙ୍କ ମନରେ ପ୍ରଶାନ୍ତି ଆଣି ଦିଏ । ମନେ ମନେ ପୁଅକୁ ଆଶୀର୍ବାଦ କରନ୍ତି....ତୁ ସଫଳ ହୋ , ୟେ ପ୍ରଳୟରୁ ମାନବ ସମାଜକୁ ଉଦ୍ଧାର କର। 

                କିଛିଦିନ ହେବ ପୁଅର ଫୋନ୍ ନ ଆସିବାରୁ ପୁଅକୁ ଫୋନ୍ ଲଗାଇଲେ,ସେ ଫୋନ୍ ଉଠେଇଲାନି । ଦୁହେଁ ଭାବିଲେ ପୁଅ ରିସର୍ଚ୍ଚ ରେ ବୁଡି ଯାଇଛି । ତାକୁ ଡିଷ୍ଟର୍ବ କରିବା ଠିକ୍ ହେବ ନି,ଏବେ ସାରା ବିଶ୍ଵ କୁ ତା'ର ଆବଶ୍ୟକତା ଆମ ଅପେକ୍ଷା ବେଶୀ ଆଛି । ହଠାତ୍ ଦିନେ ସକାଳେ ଫୋନ୍ ଘଣ୍ଟି ବାଜି ଉଠିଲା... ଦୁହେଁ ପୁଅର ଫୋନ୍ ଭାବି ଦୌଡ଼ି ଆସିଲେ।ସୁବଳବାବୁ ଉଲ୍ଲାସର ସହ ଫୋନ୍ ଉଠେଇଲେ । ସେପଟୁ ଇଂରାଜୀ ରେ ଜଣେ କଥା ହେଲେ, ତା'ର ସାରମର୍ମ ଏପରି ଥିଲା। 

                ମୁଁ ରିସର୍ଚ୍ଚ ସେଣ୍ଟର ର ଡାଇରେକ୍ଟର କହୁଛି । ଦୁଃଖ ର ବିଷୟ ଆପଣଙ୍କ ପୁଅ ଆଉ ଜୀବିତ ନାହିଁ । କିନ୍ତୁ ସାରା ବିଶ୍ୱ ତା ପାଖରେ ଚୀର କୃତଜ୍ଞ ହେବାକୁ ଯାଉଛି । ନିଜ ପ୍ରାଣର ବଳୀ ଦେଇ ୟେ ଧ୍ୱଂସମୁଖୀ ବିଶ୍ଵ କୁ ବଞ୍ଚେଇ ଦେଇ ଯାଇଛି । କରୋନାର ଭ୍ୟାକସିନ୍ ସେ ବାହାର କରି ପାରିଛି । ଅକ୍ଲାନ୍ତ ପରିଶ୍ରମ କରି ସେ ମୃତ୍ୟୁସଂଜିବନୀ ଖୋଜି ଆଣିଛି । ସେ ଦେବଦୂତ ଥିଲା।ହୃଦୟର ଗଭୀରତମ ପ୍ରଦେଶରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଆମେ ମାନେ ନାଚାର ଏ ବିଷମ ପରିସ୍ଥିତି ରେ ମରଶରୀର କୁ ସେଠାକୁ ପଠେଇ ପାରୁନୁ । ଯଥାବିଧି ଏଇ ଠାରେ ଶେଷକୃତ୍ୟ ସଂପନ୍ନ କରିଦେଇଛୁ , ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ ପୂର୍ବକ । ଆମର ସମସ୍ତ ସହାନୁଭୂତି ଆପଣଙ୍କ ସହ ଅଛି । ଫୋନ୍ ଟି କଟିଗଲା । ଓଃ କି ଯନ୍ତ୍ରଣା, କଲିଜା ଫାଟି ବାହାରି ଆସିବ ବୋଧେ । ସୋଫା ଉପରେ ବସିପଡ଼ିଲେ ସୁବଳବାବୁ । ଶଶୀକଳା ସେଇଠାରେ ଜ୍ଞାନ ଶୂନ୍ୟ ହେଇ ପଡିଗଲେ । ବହୁ କଷ୍ଟରେ ସୁବଳବାବୁ ପାଣି ଛାଟି ଶଶୀକଳାଙ୍କୁ ହୋସରେ ଆଣିଲେ । ସେ ଉଠି ଚିତ୍କାର କଲେ "ମୋର ମୋ ପୁଅ ଦରକାର।ମୋ ପୁଅକୁ ମୋତେ ଫେରେଇ ଦିଅ" । ଓଃ କି ବିକଳ ସେ ଆଖିର ଭାଷା।

                ସୁବଳବାବୁ କରୁଣ କଣ୍ଠରେ କହିଲେ ଶୁଣିଲ ନି ସେ କ'ଣ କହିଲେ ? ସେ ୟେ ବିଶ୍ୱର ପୁଅ ଥିଲା,ଆମ ଅପେକ୍ଷା ସାରା ବିଶ୍ୱ କୁ ତା'ର ଆବଶ୍ୟକତା ବେଶୀ ଥିଲା । ତୁମର ପୁଅ ଦରକାର ତ ଚାଲ ମୋ ସାଙ୍ଗରେ... ଧରି ଧରି ତାଙ୍କୁ ବଗିଚାକୁ ନେଇ ଗଲେ । ଦୋଳିରେ ଦୁହେଁ ବସି ପଡିଲେ । ସଂଧ୍ୟା ନଇଁ ଆସୁଥାଏ । କିଃ ବାସ୍ନା, ସବୁ ଫୁଲ ଚଳଚଞ୍ଚଳ ହୋଇ ଉଠି ଥାନ୍ତି । ଦଲକାଏ ପବନରେ ଅନେକ ଗଙ୍ଗଶିଉଳି ଆଉ କାମିନୀ ଫୁଲ ଆସି ଓଜାଡି ହୋଇ ପଡିଲେ ଦୁହିଁଙ୍କ ଉପରେ । ସତେ କି ସେମାନେ ତତ୍ପର ସବୁ ଦୁଃଖ କୁ ଝାଡି ଦେବାକୁ।" ଦେଖୁଛ ଶଶୀକଳ ଏମାନେ କ'ଣ ତୁମ ପୁଅ ନୁହଁନ୍ତି? ଆମର ଏଠି ଆଉ କ'ଣ କାମ ବାକିରହିଲା ଯେ?"ଆମର ଓ ଆମ ପୁଅର ଏ ଜନ୍ମର 

 ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଏବେ ଲେଉଟାଣି ବେଳ ଆସିଯାଇଛି" । ଖୁବ୍ କ୍ଳାନ୍ତ ଶଶୀକଳା,ସୁବଳବାବୁ ଙ୍କ କାନ୍ଧ ରେ ମୁଣ୍ଡ ରଖି ଧୀରେ ଆଖି ବୁଜିଦେଲେ । ଦୁହିଁଙ୍କ ଭିତରେ ଫୁଟି ଉଠିଲା ଏକ ଅନନ୍ତ ନୀରବତା । ହାଟର ସଉଦା ସାରି ,ଘାଟର ମୂଲ ବି ଦେଇସାରିଛନ୍ତି । ଆଉ କ'ଣ ଦରକାର ଯେ.....…...????

         କେତେ ବେଳେ ରାତି ପାହି ସକାଳ ଆସି ଗଲା ଜଣା ନାହିଁ । ଭୋରରୁ ପଡୋଶୀ ଦାସବାବୁ କ୍ଷୀର ଆଣିବାକୁ ଗଲାବେଳେ ତାଙ୍କ ଆଖି ପଡ଼ିଲା ବଗିଚା ରେ । ଦୁହିଁଙ୍କ ଅବସ୍ଥା ଦେଖି କୌତୁହଳ ରେ ଥଟ୍ଟା କରିବା ପାଇଁ ପାଖକୁ ଆସିଲେ ।ହେଲେ ଦୁହେଁ ପ୍ରକୃତିସ୍ଥ ହେଲେ ନାହିଁ । ଟିକେ ଆଶ୍ଚର୍ଯ୍ୟ ହେଇ ଦୁହିଁଙ୍କୁ ଉଠେଇବା ପାଇଁ କହିଲେ, "କି ହୋ ବାବୁ ଏଇ ବୟସରେ ରୋମାନ୍ସ, ହେଲେ ସକାଳ ହେଇଗଲାଣି ପରା ଭିତରକୁ ଯାଅ । ଥଣ୍ଡାରେ ଦେହ ଖରାପ ହେଇଯିବ ଯେ " । ନା ତଥାପି ଅବିଚଳିତ । ଅନ୍ୟ ଉପାୟ ନ ପାଇ ସେ ସୁବଳବାବୁଙ୍କୁ ଟିକେ ହଲେଇ ଦେଲେ। ଦୁହେଁ ସେଇଠି ଟଳି ପଡିଲେ । ହତବାକ୍ ହୋଇ ଠିଆ ହୋଇ ରହି ଗଲେ ଦାସବାବୁ.........  ।             

                


Rate this content
Log in

Similar oriya story from Tragedy