ଦେବଦୂତ ବନ୍ଧୁ
ଦେବଦୂତ ବନ୍ଧୁ
ସ୍ୱପ୍ନ ର ସହର ମୁମ୍ବାଇ। ଏଠି ସବୁ ରଙ୍ଗୀନ। ରଙ୍ଗୀନ୍ ଶାଢୀ ଆଉ ମୁମ୍ବାଇ ଭିତରେ ଅନେକ ସାମଞ୍ଜସ୍ୟ ଅଛି, ଏଇ ଯେମିତି ଦୁହେଁ ଅନେକ ରଙ୍ଗ ରେ ରଙ୍ଗାୟିତ। ଏହି ସହରରେ ସ୍ୱପ୍ନ ଠୁ ଆରମ୍ଭ କରି ସଂପର୍କ ସବୁ ଅନେକ ରଙ୍ଗରେ ଲଟପଟ।
ଆଜି ଯେଉଁଠି ରୂପା ଗୋଟିଏ ନାମୀଦାମୀ ମଡେଲ୍ ଭାବେ ବେଶ୍ ପରିଚିତା। ସମୟ ର ଅଭାବ କୁ ଦର୍ଶାଇ ନିଜ ଜନ୍ମ ମାଟି ପୁରୀ କୁ ଯାଇପାରୁନି।ପଇସା ପଠେଇ ଦିଏ ବାପାଙ୍କ ଏକାଉଣ୍ଟ ରେ। ଭାଇ ଡାକ୍ତରୀ ପଢୁଛି ତା'ର ପାଖରେ ରହି। ବାପାମାଆ ବେଳେବେଳେ ଆସନ୍ତି। ଜୀବନ ର ବ୍ୟସ୍ତତା ଭିତରେ ମା' ସହ କଥା ହେବାକୁ ସେ କେବେ ବି ଭୁଲେନି।ମା' ଙ୍କ ଏକାଜିଦ୍ ଏଥରକ ରଥ ଯାତ୍ରା ବେଳକୁ ତୁ ଯେମିତି ହେଲେ ପୁରୀ ଆସେ। ମାମୁଁ, ମାଉସୀ ସମସ୍ତେ ଆସିବେ। କେତେ ମଜା ହେବ। ତୁ ୫ ବର୍ଷ ହେଲା ଗଲୁଣି ୨ ଥର ହିଁ ପୁରୀ ଆସିଛୁ।ତା' ପୁଣି ରଥରେ ବି ନୁହେଁ। ତୋତେ ସମସ୍ତେ ମନେ ପକଉଛନ୍ତି,ତୋ କଥା ସମସ୍ତେ ପଚାରୁଛନ୍ତି।
ସେ କହିଲା ମା' ହାତ ରେ ଅନେକ ଗୁଡ଼ିଏ ପ୍ରୋଜେକ୍ଟ। ଯଦି ସେ ସବୁକୁ ଛାଡି ଦେବି ତେବେ ଆଉ ନୂଆ ପ୍ରୋଜେକ୍ଟ ପାଇବା ଅନେକ କଷ୍ଟ। ଏଠି କାମ କରିବା ଲୋକ ଙ୍କ ର ଅଭାବ ନାହିଁ। ନୂଆ ନୂଆ ପ୍ରତିଭାର ଜନ୍ମ ଏଠି ପୁରୁଣା ପ୍ରତିଭାର ଅସ୍ଥିତ୍ଵ ଉପରେ ,ନିଜ ସଫଳତା ର ସୌଧ ଗଢିବାର ଆଶା ରେ ସଂଘର୍ଷରତ ମଣିଷ ମାନେ। ଇଚ୍ଛା ତ ସବୁବେଳେ ନିଜ ଭିଟାମାଟି ରେ ରହିବା ପାଇଁ, ମନ ତ ସବୁବେଳେ ଚାହେଁ କି ମା' ପଣତ ର ସୁରକ୍ଷା କବଚରେ ସାରା ଜୀବନ ରହିବା ପାଇଁ। ହେଲେ ସେ ଭାଗ୍ଯ ନେଇ ସେ ବୋଧହୁଏ ଜନ୍ମ ହେଇନି। ହଉ ସମୟ ବାହାର କରି ଯିବାକୁ ଚେ଼ଷ୍ଟା କରିବି ମା'। ବ୍ୟସ୍ତ ହେବୁନି ମା' ଆମ ଦୁଇ ଭାଇ, ଭଉଣୀ ଙ୍କ ପାଇଁ। ବାପାଙ୍କ ର ଯତ୍ନ ନେବୁ। ଏହା କହି ରୂପା ଫୋନ୍ ରଖିଲା।
ଆଜି କାହିଁକି ରୂପା ର ପୁରୁଣା କଥାସବୁ ବହୁତ ମନେ ପଡୁଥିଲା। ୨୧ ବର୍ଷ ର ହେଇଥିଲା ସେ ଯେତେବେଳେ ଏକୁଟିଆ ଏହି ଅପରିଚିତ ସହରକୁ ନିଜ ପରିସ୍ଥିତି ର ବାଧ୍ଯତା ନେଇ ଆସିଥିଲା। ବାପାଙ୍କ ର ହଠାତ୍ ଚାକିରି ଚାଲିଗଲା। ସେତେବେଳେ ସେ ଭୁବନେଶ୍ୱର ରେ ଛୋଟ ମୋଟ ମଡେଲିଂ କରୁଥାଏ। ପିଲାଦିନରୁ ତା'ର ଆଶା ଚଳଚ୍ଚିତ୍ର ଜଗତରେ ନାମୀଦାମୀ ନାୟିକା ଭାବେ ନାଁ କମାଇବା ପାଇଁ। ତା'ର ଜଣେ ସାଙ୍ଗ କହିଲା ମୁମ୍ବାଇ ଚାଲିଯା। ସେଠି ତୁ ତୋ ସ୍ୱପ୍ନ ର ଡେଣା ରେ ରଙ୍ଗ ଭରିପାରିବୁ।ଭୁବନେଶ୍ୱର ରେ ଏତେ ସୁବିଧା ତୋତେ ମିଳିବନି। କ'ଣ କରିବ?
ଟ୍ରେନ ରେ ବସି ଚାଲି ତ ଆସିଲା। ପାଖରେ ମାତ୍ର ୧୦୦୦ ଟଙ୍କା ଥାଏ। ଘର ପରିସ୍ଥିତି ଭଲ ନାହିଁ। ମା' କୁ କହିଲା ବ୍ୟସ୍ତ ହେବୁନି। ପହଁଞ୍ଚିବା ପରେ ଫୋନ କରିବି।
ମୁମ୍ବାଇ ରେ ପହଞ୍ଚିଲା ପରେ ତାକୁ ଡର ଲାଗୁଥାଏ ଭାରି। କାହିଁ ପୁରୀ ଆଉ କାହିଁ ମୁମ୍ବାଇ? ସେଠି ସବୁ ଚିହ୍ନା ଆଉ ମୁମ୍ବାଇ ଏକଦମ୍ ଅପରିଚିତ ସହର ତା ପାଇଁ।ତାକୁ ଯେମିତି ଲାଗୁଛି ସେ ଅଣନିଶ୍ୱାସୀ ହୋଇ ପଡୁଛି। ବହୁତ ଭୋକ ଲାଗୁଛି ତାକୁ। ଶୋଷ ରେ ବି ତଣ୍ଟି ଶୁଖି ଅଠା ହେଇଯାଊଛି। ସେ ଯେତିକି ପଚାରି ବୁଝିଲା, ଏଠି ସବୁ ମହଙ୍ଗା। ଏତିକି ଟଙ୍କା ରେ ଖାଇବ କ'ଣ? ଚଳିବ କେମିତି? କାହାକୁ ଅବା ବିଶ୍ବାସ କରିବ? ଜଗନ୍ନାଥ ଙ୍କ ଉପରେ ବିଶ୍ବାସ ରଖି ଯେତେବେଳେ ଏତେ ଦୂର ଆସିଛି ମାନେ ନିଜକୁ କେବେ ହାରିବାକୁ ଦେବନି।ନୂଆ ସ୍ଥାନ, ମନୋବଳ ଶକ୍ତ କରିବାକୁ ପଡିବ। ଏଠି ଲୋକସବୁ ଯାନବାହାନ ଭଳି ସବୁବେଳେ ଚଳଚଞ୍ଚଳ। ଲୋକ ସବୁ ଧକ୍କା ହେଇଯିବେ ଯେମିତି? ସାମାନ୍ୟ ଅସାବଧାନତା ରେ। ଏତିକି ବେଳେ ହିନ୍ଦୀ ରେ ହୋର୍ଡିଂ ରେ ମଡେଲ୍ ର ଅଡିସନ୍ ର ଆର୍ଡଭଟାଇଜମେଣ୍ଟ ଦେଖି ଟିକିଏ ଆଶ୍ୱସ୍ତ ହେଲା। ସେଦିନ ରାତି ଟା ଏଇ ମୁମ୍ବାଇ ର ରେଳଷ୍ଟେସନ ରେ କଟିଥିଲା।
ତା' ପରଦିନ ସକାଳୁ ଷ୍ଟେସନ ର ଶୌଚାଳୟ ରୁ ରେଡି ହୋଇ ଅଡିସନ୍ ପାଇଁ ଯାଇଥିଲା। ଭଗବାନଙ୍କ ଦୟାରୁ ସେଠି ସେ ସିଲେକ୍ଟ ହେଲା। ହେଲେ ରହିବା ପାଇଁ ଯାଗା ନାହିଁ, ପ୍ରୋଜେକ୍ଟ ଆରମ୍ଭ ହେବାକୁ ୧୫ ଦିନ ଅଛି। ଏତିକି ବେଳେ ତା'ର ରୋହିତ ସହ ଦେଖା ହେଇଥିଲା। ରୋହିତ ତାକୁ ଦେଖି ପଚାରିଲା ମୁମ୍ବାଇ ରେ ନୂଆ ବୋଧେ। ରୂପା କହିଲା ହଁ କାଲି ଆସି ପହଞ୍ଚିଲି। ରୋହିତ କହିଲା ରହୁଛ କୋଉଠି? ରୂପା ଭାବିଲା କହିବି ନା କହିବିନି? ଏଇ ପିଲାଟା ତ ଏହି ଅଡିସନ୍ ରେ ସିଲେକ୍ଟ ବି ହେଇଛି। ଆଗକୁ ଯାଇ ଆ ସହ କାମ କରିବାକୁ ବି ପଡିପାରେ, ତେଣୁ ତାକୁ କହିଲେ କିଛି ଅସୁବିଧା ନାହିଁ। ତେଣୁ ଡରି ଡରି କହିଲା ଏଠି ତ ସବୁ ମହଙ୍ଗା। ଏବେତକ କେଉଁଠି ରହିନି।ଯାଗା ଖୋଜୁଚି ରହିବାକୁ। ସେ କହିଲା ଗୋଟିଏ କଥା କହିବି ମୁଁ ରହିବା ପାଖ ରୁମ୍ ଖାଲି ଅଛି ରହିବ। ରୂପା କହିଲା କେତେ ଭଡ଼ା? ମୋ ପାଖେ ସେତିକି ହେବକି ନାହିଁ। ରୋହିତ କହିଲା ପ୍ରୋଜେକ୍ଟ ଆରମ୍ଭ ହୋଇଗଲେ ପଇସା ମିଳିଲେ ମୋତେ ଦେଇଦେବ।ମୁଁ ତୁମ ପାଇଁ ଏବେ ଦେଇ ଦେଇଥିବି।ତା' ଉପରେ ବିଶ୍ବାସ କରିବା ଛଡା ଆଉ କିଛି ବାଟ ନଥିଲା। ହେଲେ ମନେ ମନେ କିନ୍ତୁ ଭାବୁଥିଲା ଇଏ ମୋ ପାଇଁ ଏତେ ଦରଦ ଦେଖଉଛି କାହିଁକି? ତା' ପରେ କିନ୍ତୁ ଗଲା ରୋହିତ ସହ।
ରୋହିତ ସେଦିନ ବାସ୍ତବିକ ଭାବେ ଏକ ଅପରିଚିତ ସହରର ଦେବଦୂତ ସାଜିଥିଲା ରୂପା ପାଇଁ। ଧୀରେ ଧୀରେ ବନ୍ଧୁତାରୁ ପାରିବାରିକ ସଂପର୍କ ଦୁଇ ଜଣଙ୍କ ର ମଜବୁତ ହେଲା। ଦୁଇ ଜଣ ଯାକ ବହୁତ ପରିଶ୍ରମ କରି ମଡେଲିଂ ଦୁନିଆର ସୁପର୍ ମଡେଲ୍ ଦୁହେଁ। ଏମାନଙ୍କର ବନ୍ଧୁତା ସବୁର ଉପରେ। ରୋହିତ ଯେତେବେଳେ ମୁମ୍ବାଇ ପ୍ରଥମ କରି ଆସିଥିଲା ଦୀର୍ଘ ୩୦ ଦିନ ଷ୍ଟେସନ ରେ କଟେଇବା ପାଇଁ ପଡିଥିଲା ତାକୁ। ବହୁ ସଂଘର୍ଷ ପରେ ତାକୁ କାମ ମିଳିଥିଲା। ସେବେଠାରୁ ସେ ମୁମ୍ବାଇ ରେ ରହିବାର କଷ୍ଟ ଅନୁଭବ କରିଛି। ରୂପାର ଆଖି ରୁ ଡର କୁ ଉପଲବ୍ଧ କରି ଆଗେଇ ଆସିଥିଲା ସାହାଯ୍ୟ କରିବାକୁ ରୂପାକୁ।ଏସବୁ ପାଇଁ ରୂପା ତାକୁ ବହୁତ ମାନେ। ରୋହିତ ର ମା' ଦିନେ କଥା ଛଳରେ କହିଥିଲେ ରୂପା ଠୁ ଭଲ ଝିଅ ଆଉ ରୋହିତ କୁ ମିଳିବନି। ଦୁହେଁ କେବଳ ଭଲ ବନ୍ଧୁ, ଆଉ ସବୁ ବନ୍ଧୁ ବିବାହ ବନ୍ଧନ ରେ ଆବଦ୍ଧ ହେବାର ଆବଶ୍ଯକତା ନାହିଁ ବୋଲି ଦୁହେଁ ସଫା ଶୁଣାଇ ଦେଇଥିଲେ। ତା' ପରେ ସେମାନଙ୍କୁ ଆଉ କେହି କିଛି ବି କୁହନ୍ତି ନାହିଁ। ଅନେକ ଏମାନଙ୍କ ର ବନ୍ଧୁତା ଆଉ ସଫଳତା ରେ ଜଳନ୍ତି। ହେଲେ ସେ ସବୁ ପାଇଁ ଏମାନଙ୍କ ପାଖେ ସମୟ ନାହିଁ।
ଅପରିଚିତ ସହର ମୁମ୍ବାଇ ଆଜି ଏକଦମ୍ ପରିଚିତ ରୂପାର। ରୂପା ର ଏଠି ଅନେକ ନାଁ। ବାକି ଯାହା ତା'ର ଦୁଖ ବାପାମାଆଙ୍କ ଠୁ ଦୂର ହେବା। ଏତେ ସବୁ ଭାବିଲା ବେଳେ ହଠାତ୍ କଲିଂ ବେଲ୍ ର ଆୱାଜ୍ ରେ ତା'ର ଅତୀତ ଫର୍ଦ୍ଦ ସବୁ ବନ୍ଦ ହେଇଗଲା। ଡୋର୍ ଖୋଲି ଦେଖିଲା ରୋହିତ ଖାଇବା ନେଇ ଆସିଛି। ରୂପା କହିଲା ତୁ ଫୋନ କରିଦେଲୁନି ମୁଁ ଯାଇ ସେଇଠି ଖାଇ ନେଇଥାନ୍ତି। ରୋହିତ କହିଲା ତୋ ଫୋନ୍ ତୁ ଉଠେଇଲୁନି ବୋଲି ମୁଁ ଆସିଲି। ରୂପା କହିଲା ଆରେ ମା' ସହ କଥା ହେଇ ସାଇଲେଣ୍ଟ ରୁ କାଢିବା ପାଇଁ ଭୁଲିଯାଇଛି।ରୋହିତ କହିଲା ହଉ ଆ ଖାଇ ନେବା ପୁଣି ରାତି ଇଭେଣ୍ଟ ରେ ଯିବାର ଅଛି। କିଏ ଜାଣେ କେତେବେଳେ ସରିବ ଆଉ ଆମେ ଖାଇବା ପାଇଁ ସମୟ ପାଇବା କି ନାହିଁ। ରୂପା କହିଲା ହଁ ଚାଲେ ଖାଇ ନେବା।
ରୂପା ଭାବୁଥିଲା ଅପରିଚିତ ସହରରେ ଅଜଣା ଦେବଦୂତ ସାଜିଥିବା ତାର ବନ୍ଧୁ କୁ ଦୁନିଆର ସବୁ ସୁଖ ପ୍ରାପ୍ତ ହେଉ। ରୋହିତ ଭଳିଆ ବନ୍ଧୁ ସମସ୍ତଙ୍କୁ ମିଳୁ।
