Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pratima Das

Tragedy Thriller

5.0  

Pratima Das

Tragedy Thriller

ଦେବ ଶିଶୁ

ଦେବ ଶିଶୁ

5 mins
582


ମୁଁ ରାୟ ବାହାଦୁରଙ୍କ ଏକ ମାତ୍ର ପୁତ୍ରସନ୍ତାନ।ମୋ ଜନ୍ମ ହେବାରେ ମୋ ପିତାମାତାଙ୍କ ଯୋଗଦାନ ତ ଥିଲା।ହେଲେ ମୋ ସାଆନ୍ତ ମା'ଙ୍କ ଅନୁସାରେ ମୁଁ, ବିଶ୍ବବ୍ରହ୍ମାଣ୍ଡର ଅମୃତଭାଣ୍ଡରୁ ବୁନ୍ଦାଏ। ମୁଁ ପରମାତ୍ମାଙ୍କ ଅଂଶବିଶେଷ।ଏକ ପବିତ୍ର ଆତ୍ମା । ମୁଁଦେବଶିଶୁ।

ମୋ ଜନ୍ମ ହେବା ଖୁସିରେ, ସାଆନ୍ତ ମାଁ ଗାଁ ସାରା ଲୋକଙ୍କୁ ପୁରୀ, ଖିରି, ଲଡୁରେ ଭସାଇ ଦେଇଥିଲା। ମୋ ଏକୋଇଶିଆରେ ସତ୍ୟନାରାୟଣଙ୍କ ପୂଜା, ଅଷ୍ଟପ୍ରହରୀ,ଠିଆପାଲା ଆଦି ଉତ୍ସବପାଳନ ହୋଇଥିଲା ।

ପରମାତ୍ମାଙ୍କ ଅଂଶ ବିଶେଷ ସେ ଶିଶୁ ପାଇଁ ତ ଅନେକ ପୂଜାମହୋତ୍ସବ କରାଗଲା, ହେଲେ ତା ଶରୀରଭିତରର ଅକ୍ଷମତା ଜାଣିବାରେ ଅସଫଳ ଥିଲେ ସମସ୍ତେ । ତିନି ଚାରି କିଲୋର ମା''ଖିର ଖାଉଥିବା ଜନ୍ମିତ ଶିଶୁଟିର ରୋଗ ପ୍ରତିରୋଧକ ଶକ୍ତି ବା କେତେ? ତଥାପି ସେ ସବୁ ଅଣଦେଖା କରି ବହୁତ ଆନୁଷ୍ଠାନିକ ପୂଜାଧଜାରେ ପରିବାର ଲୋକ ବ୍ୟସ୍ତ ରୁହନ୍ତି। ଯାହା ଶିଶୁ ଟିକେ ବଡ଼ ହେବା ପରେ କରିଲେ ଚଳନ୍ତା । ମୁଁ ସାତ ଆଠ ବର୍ଷଦିନୁ ମୋ ଶରୀରଭିତରର ଶୂନ୍ୟତା, ଫମ୍ପା ଚିତ୍କାରକୁ ଶୁଣିପାରୁଥିଲି। ମୁଁ ବଡ଼ ହେବା ସହିତ ସାଂଗସାଥିଙ୍କୁ ଦେଖି ବହୁତକିଛି ଜାଣି ପାରିଲି। ମୋ ଅନୁମାନ ଲଗାଉଥିବା ସତକୁ ଦୁଃସ୍ବପ୍ନ ଦେଖିଲା ବେଳେ ଛୁଆ ଡରିମରି ଆଖି ବୁଜିଦେବାପରି ଅଣଦେଖା କଲି।କେବଳ ଡରରେ।ଏଯଦି ସତ ହୋଇଯାଏ ଆଗକୁ !

କହିବି କାହାକୁ ? ଆମ ସମାଜ ଏହା ଶିଖାଇନି। ଅନେକ ଅଯଥା ଆଡ଼ମ୍ବର ଶିଖାଇଛି ବଂର । ମୋ ଖୋକଲାପଣ, ଶୂନ୍ୟତା ବଢ଼ି ବଢ଼ି ଚାଲିଥିଲା । ସୂର୍ଯ୍ୟଙ୍କ ଟାଣ କିରଣରେ ସାମାନ୍ୟ ଜଳ ଆଉ ଆର୍ଦ୍ରତା ମାଠିଆରୁ ନିଃଶେଷ ହୋଇ ଯେପରି ମାଠିଆକୁ ସମ୍ପୂର୍ଣ୍ଣ ଶୁଷ୍କ କରିଦିଏ, ଠିକ ସେହିପରି ମୋ ଭିତରର ଆଶାବିଶ୍ୱାସ ନିରାଶାରେ ପରିଣତ ହେଉଥିଲା ଧିରେ ଧିରେ । ମୁଁ ନିଜକୁ ପଚାରୁଥିଲି ସାଆନ୍ତ ମା କଥା ଅନୁସାରେ, ମୁଁ ତ ଦେବଶିଶୁ ? ଦେବଶିଶୁ ପାଖରେ ଏ ଅଭାବ ପରିଲକ୍ଷିତ ହେବାକଥା ନୁହେଁ । ହୁଏ କାହିଁକି ? ହେଲା କିପରି?

ମୋତେ ବାରବର୍ଷ ବେଳେ ଏ ଦାରୁଣ ସତ୍ୟତା ସହ ମୋର ସମ୍ପୂର୍ଣ୍ଣ ପରିଚୟ ହେଲା । ତା'ପରେ ମୋ ମା' ଏ ସତ୍ୟତା ସହ ପରିଚିତ ହେଲେ। ତା'ପରେ ମୋ କ୍ରୃର ପିତା ।

ସଙ୍ଗେ ସଙ୍ଗେ ମୋ ପିତା ଏକ ଅସ୍ତିତ୍ବ ନ ଥିବା ପଶୁପରି ମୋତେ ଓ ମୋ ମା'କୁ କହିଲେ,ଏ କଥା କେଉଁଠି ପ୍ରଘଟ ଯେପରି ନ ହୁଏ। ବାଘବୀର୍ଯ୍ୟରୁ ବାଂଝମୂଷିକ ବା ଶହେ ପୁତ୍ର ଜନ୍ମ କରିବା ଭଳି ମୋ ସାମର୍ଥ୍ୟ ପୁରୁଷ ବୀର୍ଯ୍ୟରୁ ଏ ଅଣପୁରୁଷ ପ୍ରସବ ହୋଇ ପାରେନା । 

ସମାଜ ଆମ ଆଭିଜାତ୍ୟର ମଜା ଉଡାଇବାକୁ ଯେପରି କୌଣସି ଆଭାସ ନ ପାଏ । ମୋ ପିତା ମୋତେ କହିଲେ,ତୁ ଏକ ଅଭିଶପ୍ତ ଅଣପୁରୁଷ।ଏହି ଅଭିଶାପ ସହ ତୋ ଜନ୍ମ, ଶେଷ ହେବୁ ମଧ୍ୟ । ଯାହା କରିବା କଥା ମୁଁ କରିବି।

ପୁଅର ଅଣପୁରୁଷିଆ ବିଲକ୍ଷଣ ଓ ରୋଗ ପାଇଁ ଲକ୍ଷେ ପୂଜାପାଠ ହୋଇପାରେ ଆମ ଘରେ । ହେଲେ ମୋର ପ୍ରକୃତ ଚିକିତ୍ସା କରାଗଲା ନାହିଁ । ମୁଁ ଏକ ଗାଈପରି, ବାଧ୍ୟ ଶିଶୁ ପରି ବଞ୍ଚିବାକୁ ଶାସିତ ହେଉଥିଲି । ବଂଶ ବଢାଇବାକୁ ଦାୟାଦ ନ ଦେଇପାରିବା ଏକ ଅଦରକାରୀ ବସ୍ତୁ ରୂପେ ମୁଁ ରହିଲି ।

ଏକ ଆମ୍ବଗଛ ଘର ସାମନାରେ ଖୁବ ବଢିଆ ଘଞ୍ଚ ହୋଇ ବଢିଥିଲା। ବହୁତ ବର୍ଷ ଅପେକ୍ଷା ପରେ ସେ ଫଳିଲାନି।ସେ ଗଛକୁ ବଡ ନିର୍ମମ ହୋଇ ପିତା ଯେବେ କାଟି ଦେଉଥିଲେ, ମୁଁ ଲୁହ ଝରାଇ ଛିଡା ହୋଇ କେବଳ ଦେଖୁଥିଲି।ଦେଖୁଥିଲି ସେ ଗଛରେ ବସା ବାନ୍ଧିଥିବା ପକ୍ଷୀମାନେ କିପରି ବିକଳ ହୋଇ କ୍ରନ୍ଦନ କରୁଥିଲେ। ଗଛର ଛାଇ କିପରି ଉଭେଇ ଗଲା।ଯା ମୂଳରେ ବସି ମୁଁ ଆନନ୍ଦ ପାଉଥିଲି। ମୋତେ ଲାଗିଲା ମୋତେ ପିତା କାଟୁଛନ୍ତି ।

ପିତା ସାପ ମାରି ବାଡି ନ ଭାଙ୍ଗିବା କାମଟି ହୁସିୟାର ହୋଇ କରୁଥିଲେ। ମୋ ମା 'କେବଳ ଲୁଚାଇ ଲୁଚାଇ ଲୋତକ ଗଡାଉଥିଲେ । ମୋ ଭିତରର ଶୂନ୍ୟତା ଚିତ୍କାର କରୁଥିଲା ପୃଥିବୀ ବିଦୀର୍ଣ କରିଦେବା ଭଳି । ମୁଣ୍ତ ଏକ ବିସ୍ପୋରକ ବମରେ ଭାରାକ୍ରାନ୍ତ ଥିଲା।ସେ ବମଟି କେଉଁଠି ଫୋପାଡି ପାରୁ ନ ଥିଲି ।

ମୋ ସାଆନ୍ତ ମା ଏବେବି ବଞ୍ଚି ଥିଲା।ଯେ ମୋ ଅଣପୁରୁଷିଆ, ଶାରୀରିକ ଅସର୍ମଥତା ବିଷୟରେ ଅନଭିଜ୍ଞ ଥିଲା। ଯିଏ ମୋତେ ଦେବଶିଶୁ ଭଳି ଏକ ମିଥ୍ୟା ଉପଢୌକନ ଦେଇଥିଲା।ଯା ଫଳରେ ମୋ ବୁଦ୍ଧି ହେବାଯାଏ ମୁଁ ଏହି ବିଶ୍ବାସରେ ଥିଲି ଯେ ମୁଁ ତ ଦେବଶିଶୁ,ମୁଁ ଅଦରକାରୀ କିପରି ? ମୋତେ ଏପରି ଜନ୍ମ ଦେବାରେ ପରମାତ୍ମାଙ୍କ ଉଦ୍ଦେଶ୍ୟ କ'ଣ ?

ମୋ ସାଆନ୍ତ ମା' କାଳେ ମରିଯିବ ବୋଲି ମୋର ବିବାହ କରି ଦିଆଗଲା। ମୁଁ ନାମକୁ ମାତ୍ର ରାୟ ବାହାଦୁର ପରିବାରର ଚିରାଗ ଥିଲି ।ଯିଏ ପଶୁ ଭଳି ମୂକ ହୋଇ ରହିଥିଲା।ମୂକପଶୁର ଲକ୍ଷେ ବାରଣ ପିତାଙ୍କ କାନରେ ପଡିଲାନି । ପଡିବ ବା କିପରି??

ମୂକ ଭାଷାରେ ଶବ୍ଦ ଧ୍ବନି ନାହିଁ ଯେହେତୁ।ହେଲେ ମୋ ହତାଶ ଭାବର ତରଙ୍ଗ ଗୁଡିକ ତ ମଥା ପିଟୁଥିଲା ତାଙ୍କ ଛାତିରେ । ମୋ ମା' ବୁଝୁଥିଲା, ନ ହେଲେ ମୋ ଦୁଃଖ କିପରି।ତା ଛାତିକୁ ଛୁଉଁଥିଲା ବୋଲି ସିନା ? ପିତାଙ୍କ ହୃଦୟକୁ ତିଳେମାତ୍ର ବିଚଳିତ କଲାନି, ତରଳାଇଲା ନାହିଁ ମୋ ଅସହାୟ ପଣ।ଘରୁ ପଳାୟନ କରିବାର ଅପଚେଷ୍ଟା ମୋର ବିଫଳ ହୋଇଥିଲା ମଧ୍ୟ ।

ମୋତେ ଏକ ସୁନ୍ଦରୀ କନ୍ୟା ସହ ଛନ୍ଦି ଦେଇ, ପ୍ରତି ରାତ୍ରିରେ ଏକ କାଠଗଡ଼ାରେ ଜର୍ଜରିତ ହୋଇ ଛିଡ଼ାହେବାକୁ ଦିଆଗଲା। ଯାହାର ଚାରିପଟେ ଢହଢହ ଜଳନ୍ତା ଅଙ୍ଗାର।ଆଉ ମୁଁ ଭିତରୁ ବରଫ ପାଲଟି ଯାଉଥିବା ଏକ ସୁପ୍ତ ଆଗ୍ନେୟ ଗିରି ।

ମୋ ପୁରୁଷତ୍ବ ପ୍ରତି ରାତ୍ରିରେ ଲହୁଲୁହାଣ ହୋଇ କଡ଼ ଲେଉଟାଇ ଥିଲା।ଖଟପଲଙ୍କ ବାଡାକୁ ଭାଙ୍ଗୁଥିଲି।ମୋତେ ମାତ୍ର କୋଡିଏ ବର୍ଷ। ପାଟିଖୋଲି ଚିତ୍କାର ନ କରି ମଧ୍ୟ ,ମୋ ହୃଦୟର ଚିତ୍କାର ମସ୍ତିଷ୍କର ସମସ୍ତ ତନ୍ନ୍ତ୍ରୀକୁ ଛିଣ୍ଡାଇ ପକାଉଥିଲା।ସମାଜହସିବ,ତୁମକୁ ଅଟ୍ଟହାସ୍ୟ କରି ଆହୁରି ଯନ୍ତ୍ରଣା ଦେବ। ତେଣୁ କାହାକୁ କିଛି କହି ପାରୁ ନ ଥିଲି।ସେ ଷୋହଳ ବୟସୀ ଅନିନ୍ଦ୍ୟ କୁଆଁରୀ କନ୍ୟା ସେପରି ନିଜ ଅଖଣ୍ଡ କୁମାରୀତ୍ବ ସହ ଅଭିସାରିକା ହୋଇ ରହିଥିଲା।

ଏତେ ଛୋଟ ଝିଅଟେ କିଛି ବୁଝା ଅବୁଝା ଭିତରେ କେବଳ ମୋ ସହ ରାତ୍ରିଯାପନ କରୁଥିଲା । ସେ ଝିଅ ନିଜର ଆବେଗ ଆଉ ଯୌନ ଆକାଂକ୍ଷାକୁ ବି ବେଶ କାବୁ କରିବା ଶିଖିଥିଲା, କିମ୍ବା ଅଜ୍ଞ ଥିଲା।ଏସବୁ ଆଉ ସହି ପାରିଲିନି । ଏକ ଅନ୍ଧାର ରାତିରେ ମା'ର ମମତା,କୂଳବଧୂର ଆକୁଳତା, ସାଆନ୍ତ ମା'ର ବର୍ଷ ବର୍ଷ ର ଆଦର କୁ ପାଦରେ ଠେଲି ଘରୁ ବାହାରିଗଲି ପୁଳାଏ ଟଙ୍କା, ମୋ ଭିତରର ଶୂନ୍ୟତା, ହତାଶ ଭାବ, ପିତାଙ୍କ ପ୍ରତି ଅସୁମାରୀ ଘୃଣା ନେଇ।

ପରେ ଜାଣିଲି, ସାଆନ୍ତ ମା ମରିଯିବ..କାଳେ, ଏହା ମୋ ତୁରନ୍ତ ବାହାଘରର କାରଣ ନ ଥିଲା । ମୋ ପିତାଙ୍କ ପୁରୁଷତ୍ବ ଫିକା ପଡିଯିବ ଅବା ତାଙ୍କ ଯୌନକ୍ରିୟା ଶିଥିଳତା ହୋଇଯିବ ସମୟ ସହ ହୁଏତ ଏହି କାରଣ ମୋ ବାରଣ ସତ୍ତ୍ୱେ ବଡ଼ ଥିଲା ।

ଏକ ଗରୀବ ଘରର ସୁନ୍ଦରୀ ଝିଅକୁ ନବବଧୂ ରୂପେ ଚୟନ କରିଥିଲେ ପିତା । ପିତାଙ୍କ ସୁଚିନ୍ତିତ ଷଡ଼ଯନ୍ତ୍ରର ଶିକାର ଆମେ ସବୁ ହୋଇଥିଲୁ।ଗରୀବଘର ଝିଅ ମୋ ମା"ପରି ଚୁପଚାପ୍ର ହିବ,ପାଟି ଫିଟାଇବନି। ଏଥିପାଇଁ ପିତା ସେ ଝିଅକୁ ବୋହୂ କରିଥିଲେ।

ଦୁଇ ବର୍ଷକାଳ ବାହାରେ ରହି, ନିଜର ଚିକିତ୍ସା କରି ସମ୍ପୂର୍ଣ୍ଣ ପୁରୁଷ ସାମର୍ଥ୍ୟ ନେଇ ଘରକୁ ଫେରିଲି । ସେ ଅନିନ୍ଦ୍ୟ ସୁନ୍ଦରୀର ଗଠଣ ରୂପକାନ୍ତି,ମୁନ ଋଷିଙ୍କୁ ବି ତରଳାଇ ଦେବା ପରି ଓଠ, ଜାନୁ, କଟି, ବାହୁ, ମୂଖ ମୋତେ ପାଗଳ କଲା । ଯେଉଁ ଖୁସିର ସେ ହକଦାର ସେ ବଧୂକୁ ମିଳି ନ ଥିଲା ସେ ଖୁସି ତାକୁ ଦେବାପାଇଁ। ନିଜ ସାଂସାରିକ ଜୀବନକୁ ବି ମନଭରି ଉପଭୋଗ କରିବାକୁ।

ମୋ ମା'ର ଆକୁଳ କାନ୍ଦଣା ଆଉ ସାଆନ୍ତ ମା'ର ଶିରାଳ ହାତର ସ୍ନେହ ମୋର ମନେ ପଡ଼ିଲା, ଅଧିର କଲା । ଏଥିପାଇଁ ମୁଁ ଅଧିକ ବ୍ୟାକୁଳ ହୋଇ ଘରମୁହାଁ ହେଲି , ମୁଁ ଏକ ସମ୍ପୂର୍ଣ୍ଣ ପୁରୁଷରେ ପରିଣତ ହୋଇ ଯାଇଥିଲି । ପିତାଙ୍କ କ୍ରୃରତା ଫିକା ପଡିଆସିଥିଲା ମୋ ନିଜ ବଳିଷ୍ଠ ପୁରୁଷ ପଣିଆ ଆଗରେ । ସେହି ଅନ୍ଧକାର ବାଛିଲି ନିଜ ଘରକୁ ଫେରିବାକୁ। ମା' ସ୍ତ୍ରୀକୁ ଏକ ରୋମାଞ୍ଚଭରା ଖୁସି ଦେବାକୁ।

ସାଆନ୍ତ ମା' ୟା' ଭିତରେ ଚାଲି ଯାଇଛି,ସାଆନ୍ତ ମା'ର ସମାଧି ଆଗ ବାଡିପଟେ ଦେଖିଲି।ଟିକେ ଆଗକୁ ବଢିଲି।ଏକ ଛୁଆର କାନ୍ଦଣା ମୋତେ କିଛି ଅଲଗା କଥା ଭାବିବାକୁ ବାଧ୍ୟ କରୁଥିଲା।ତଥାପି ତାକୁ ସାଇଡ କରି ଦେଇ ମା' ଶୋଇବା ଘରକୁ ଚାହିଁଲି ,ମା' ବିଚଳିତ ଅବସ୍ଥାରେ ବିଚରଣ କରୁଥିଲା ତା କୋଠରୀରେ। ମୋ ଶୋଇବାଘର ତା ପରେ ପଡିଲା-। ଏକ ଦୋଳିରେ ଛୁଆଟି ଛଟପଟ ହୋଇ କାନ୍ଦୁଥିଲା । ତାକୁ ଭୋକ ଲାଗୁଥିଲା ବୋଧେ କିମ୍ବା ତା ମା''ର କୋଳ ଉଷୁମ ଖୋଜୁଥିଲା ଶିଶୁଟି।

ଏଡେବଡ ପଥରର କୋଠା ଭିତରେ ସବୁ ସତ୍ୟ ଓ ମିଥ୍ୟା ଯେପରି ପୋତିଦେବା ଖୁବ ସହଜ ଥିଲା। ଫଳତଃ ମୋ ପିଶାଚ ରୂପି ପିତା ଏକ ବଂଶଧରକୁ ଆଣିସାରିବା ପରେବି, କୂଳବଧୂସହ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ଘରର କୂଳବଧୂ ପିଶାଚ ଶଶୁରର ଶିକାର ହୋଇ କୋହଭରା ମନରେ ପଡିରହିଥିଲା ପଲଙ୍କରେ।

ମୁଁ ଶରୀର ସାମର୍ଥ୍ୟ ସହ ମାନସିକ ଦୃଢ଼ତା ମଧ୍ୟ ଏହି ଦୁଇ ବର୍ଷ ଭିତରେ ଜୁଟେଇ ଥିଲି। ମୁଁ ବାଢ଼ି ପଟୁ ଏକ ଚାରିଫୁଟିଆ ଶାବଳ ପାଇଗଲି।

ସେ ନୀରିହ କୂଳବଧୂ ,ବଧୂର ମାନ୍ୟତା ପାଇ ଖୁସିରେ ପିତାର ଦଶାହ ନାଟକରେ ଭାଗ ନେଉଥିଲା।ମା''ସେ ସନ୍ତାନକୁ ନେଇ ବିଶ୍ରାମ ନେଉଥିଲେ।ସେ ବି ଧଳାଶାଢୀରେ ଶାନ୍ତ ଦେବୀ ଟିଏ ପରି ଦେଖାଯାଉଥିଲେ ଆଉ ଖୁସିଥିଲେ ମଧ୍ୟ ଥିଲେ।

ଏତେବଡ ପଥର କୋଠାରେ ଅନେକ କଥା ସମାଧି ନେଇ ଥିଲା । ଆଉ ଏକ ମୃତ୍ୟୁର ରହସ୍ୟ ସମାଧି ନେବାରେ ଅସୁବିଧା ନ ଥିଲା।


Rate this content
Log in

More oriya story from Pratima Das

Similar oriya story from Tragedy