STORYMIRROR

Sudeshna Misra

Inspirational

3  

Sudeshna Misra

Inspirational

ଡଙ୍ଗାରୁ ଜାହାଜ

ଡଙ୍ଗାରୁ ଜାହାଜ

9 mins
478

 ଉପରେ ଶରତର ନିର୍ମଳ ଆକାଶ, ତଳେ ନୀଳ ସବୁଜ ଜଳରାଶି । ବାଳ ସୂର୍ଯ୍ୟଙ୍କ ସୁନେଲି କିରଣ ପାଣି ଉପରେ ଚିକ୍ ଚିକ୍ କରୁଛି । ଜାହାଜର ଡେକ୍ ଉପରେ ଠିଆହେଇ ଚାରିଆଡକୁ ଚାହୁଁ ଥିଲା ଅବିନାଶ୍ । ଶାନ୍ତ ସମୁଦ୍ର ଭିତରେ ଜାହାଜଟା ପାଣି କାଟି କାଟି ଚାଲିଛି । ଏଇ ସମୟରେ ସମୁଦ୍ର ଟାକୁ ମନଭରି ଦେଖିବାକୁ ଚାହୁଁଥିଲା ସେ । ସମୁଦ୍ର କୂଳରେ ଆସୁଥିବା ଲହଡିପରି, ସମୁଦ୍ର ଭିତରେ ଏତେ ଲହଡ଼ି ନଥାଏ । ପାଣିପାଗ ଠିକ୍ ଥିଲେ ଅପେକ୍ଷାକୃତ ଶାନ୍ତ ଥାଆନ୍ତି ରତ୍ନାକର । ନୂଆ ଚାକିରି, ଏଇ ଜାହାଜରେ ତାର ପ୍ରଥମ ପୋଷ୍ଟିଂ ହୋଇଛି । ମେରାଇନ୍ ଇଞ୍ଜିନିୟରିଂ ପଢିବା ପରେ ତାଲିମ ଓ ତାପରେ ଚିର ଇପ୍ସିତ ଏ ଚାକିରି ।  


ମନେପଡୁଥିଲା ପିଲାଦିନ କଥା । ସେ ଖରାଛୁଟିରେ ଯାଏ ତାଙ୍କ ଗାଆଁକୁ । ସେଠି ତା ଜେଜେବାପା ଜେଜେମାଆ ରହୁଥିଲେ । କକେଇ ଓ ପିଉସୀ ନାନୀ ବି ଥିଲେ । ଜମିରେ ଚାଷ ହୁଏ, ପୋଖରୀ ବି ଥିଲା । ମାଛ ଚାଷ ସହିତ ତାଳ ନଡ଼ିଆ ଗଛ ମାଳ ମାଳ । ପିଜୁଳି ଆମ୍ବ ଜାମୁକୋଳି ଗଛରୁ ଫଳ ତୋଳି ଖାଇବାର ଗୋଟେ ଅଲଗା ମଜା । ଏସବୁ କାମରେ କିଛି ହଳିଆ ଓ ମୂଲିଆ ଲାଗିଥିଲେ । ଆଉ ଜଣେ ଖାସ୍ ସାହାଯ୍ୟକାରୀ ଥିଲା ଘନ, ଯେ କି ସବୁ ପ୍ରକାରର କାମ କରେ ଓ ଅନ୍ୟମାନଙ୍କ କାମ ତଦାରଖ କରେ । ଘନ ଓ ତା ତାଙ୍କ ଗାଆଁ ଘରର ପାଚିରି ଭିତରେ ପଛ ପଟେ ଗୋଟେ ଟିଣ ଓ ଚାଳଘରେ ପରିବାର ସହ ରହୁଥିଲେ । 

ଅବିନାଶ୍ ଗାଆଁକୁ ଗଲେ ଘନ ଝିଅ ସୁମି ସହିତ ଖେଳେ । ସୁମି ତାଠୁ ଟିକେ ବଡ ଥିଲା । କିନ୍ତୁ ସେ ସେଇ ଏକା ଶ୍ରେଣୀରେ ଗାଆଁ ସ୍କୁଲରେ ପଢୁଥିଲା । ଅବିନାଶ୍ ବାପାଙ୍କ ସହ ସହରରେ ରହୁଥିବାରୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିଲା । ସୁମି ଅଭିର ଗାଆଁରେ ଏକରକମ ଗାଇଡ୍ ଥିଲା କହିଲେ ଚଳେ । ଗଛରେ ଚଢି ପିଜୁଳି ପାରିବା, ଜାମୁକୋଳି ତୋଳିବା, ବାଡି ପୋଖରୀରେ ବନସୀ ପକେଇ ମାଛ ମାରିବା ଇତ୍ୟାଦି ଶିଖେଇବା କାମ ଥିଲା ସୁମିର । ଏସବୁ କାମରେ ଭାରି ଆଗ୍ରହ ଅଭିର । ସେଥିପାଇଁ ସେ ଗାଆଁକୁ ଆସିବାକୁ ଭାରି ଭଲପାଏ । ସୁମି ସାଙ୍ଗେ ନ ମିଶିବାକୁ ତାଗିଦ୍ ଥାଏ ଘରୁ । କିନ୍ତୁ ଏଠି ତ ସ୍କୁଲ ନାହିଁ କି କେହି ସାଙ୍ଗ ବି ନାହିଁ, କରିବ କଣ । ଅବଶ୍ୟ ଜେଜେ ତାକୁ ବେଳେ ବେଳେ ଧାନ କ୍ଷେତ ପାଖକୁ ବୁଲେଇ ନିଅନ୍ତି।

ସୁମି ଅବିନାଶକୁ "ପିଲା ବାବୁ" ବୋଲି ଡାକେ । ଯେତେବେଳେ ସେ ବହୁତ ସାନ ଥିଲା । ସେତେବେଳେ ତାକୁ ଏ ଡାକଟା ଭଲ ଲାଗୁଥିଲେ ବି ପରେ ଏ ଡାକଟା ଅଡ଼ୁଆ ଲାଗିଲା । ସାଙ୍ଗକୁ ଏପରି ଡାକିବାଟା ଅନୁଚିତ୍ । ସୁମିକୁ ଯେତେ ମନା କଲେ ବି ସେ ସେହି ଡାକରେ ହିଁ ଡାକେ । ତା ଛଡା ଜେଜେ ମଧ୍ୟ ପିଲାବାବୁ ଛଡ଼ା ଆଉ କିଛି ଡାକିଲେ ବିରକ୍ତ ହେବା ପରି ଲାଗେ । ଅଗତ୍ୟା ତାକୁ ସେଇ ଡାକଟାକୁ ଗ୍ରହଣ କରିବାକୁ ପଡିଲା।

ସେଦିନ ହଠାତ୍ କଳାମେଘ ଉଠେଇ ବର୍ଷା ହେଇଗଲା ଗାଆଁରେ । ତେଣୁ ତାଙ୍କ ଘର ଉଞ୍ଚ ପିଣ୍ଡାରେ ବସି ବା଼ହାରକୁ ଚାହିଁବା ଛଡ଼ା ଅନ୍ୟ କିଛି ବାଟ ନାହିଁ । ଏଇ ସମୟରେ ସେ ଦେଖିଲା ସୁମି ଗୋଟେ କାଗଜ ଡଙ୍ଗାଟିଏ ନେଇ ବାଡିରେ ପରିବା ବଗିଚାରେ ପାଣି ମଡେଇବା ନାଳରେ ଭସେଇ ଦେଇଛି । ଛୋଟ ଡଙ୍ଗାଟି ହଲି ଦୋହଲି, ନାଳ କଡ଼ରେ ବାଜି ଅଟକି ପୁଣି ଭାସି ଚାଲିଛି । ପାଣିନାଳଟି ତାଙ୍କ ମୁଖ୍ୟ ଘରର କଡଦେଇ ଦାଣ୍ଡକୁ ଯାଇଛି । ଗାଆଁ ଦାଣ୍ଡ ବର୍ଷାରେ କାଦୁଅ ହେଇଯାଇଛି । ଡଙ୍ଗାଟି ଯାଇ ସେଇଠି ଅଟକିଗଲା । ଭାରି ମଜା ଲାଗୁଥାଏ ଅଭିକୁ । ତାକୁ ବି ଇଚ୍ଛା ହେଉଥାଏ ଗୋଟେ ଡଙ୍ଗା ଭସେଇବାକୁ । କିନ୍ତୁ ଡଙ୍ଗା କୋଉଠୁ ଆଣିବ । ତାକୁ ତ ଡଙ୍ଗା କରି ଆସେନି । ଯାଇକି ତା ମମିଙ୍କୁ କହିଲା ଡଙ୍ଗା କରିଦେବାକୁ ।ମମି କାମରେ ବ୍ୟସ୍ତ ଥିଲେ।

ତେଣୁ ଝରକା ବାଟେ ହାତ ଠାରି ଡାକିଲା ସୁମିକୁ । ସେତେବେଳକୁ ବର୍ଷା ଝିପି ଝିପି ହେଉଥାଏ । ସୁମି ଦୌଡ଼ି ଦୌଡ଼ି ଆସି ଦାଣ୍ଡପଟେ ଠିଆହେଲା । ଅଭି ତାକୁ ଗୋଟେ ଡଙ୍ଗା କରିଦେବାକୁ କହିଲା । ସୁମି ତାକୁ କାଗଜ ଆଣିବାକୁ କହି ଡଙ୍ଗା କେମିତି ହୁଏ ଶିଖେଇଦେଲା । ଦୁଇ ଚାରିଟା କରିବାପରେ ଅଭି ଶିଖିଗଲା । ତାକୁ ବହୁତ ଗର୍ବ ଲାଗୁଥାଏ ଶିଖିଗଲା ପରେ । ସେବି ଡଙ୍ଗାଟିଏ କରି ପାଣିରେ ଭସେଇଦେଲା । ସାଦା ଡଙ୍ଗା, ପକେଟ୍ ଡଙ୍ଗା ଇତ୍ୟାଦି ଦୁଇ ତିନି ପ୍ରକାରର ଡଙ୍ଗା ତିଆରି କରିବା କୌଶଳ ସେ ଜାଣିଗଲା । ସୁମି ତାକୁ ସତସତିକା ଡଙ୍ଗା ବିଷୟରେ ବି କହେ । କାରଣ ତା ଜେଜେ ଡଙ୍ଗା ତିଆରି କରୁଥିବାଟା ସେ ବହୁତ ପିଲାବେଳେ ଦେଖିଛି । ତାଙ୍କ ଗାଆଁ ପାଖେ ଦେବୀ ନଈ, ତେଣୁ ନଈ ପାରି ପାଇଁ ନୌକା ଏକମାତ୍ର ଅବଲମ୍ବନ । ଯେତେବେଳେ ନଈରେ ପୋଲ ହେଇଗଲା ତାଙ୍କ ଗାଆଁ ପାଇଁ ନୌକାର ଆବଶ୍ୟକତା ନରହିବା ଯୋଗୁଁ ଘନ ଆଉ ସେ ବିଦ୍ୟା ନଶିଖି ମୂଲକାମ କଲା ଓ ଆସି ଏଇଠି ରହିଛି। ଘନ ପରି ଆଉ କିଛି ଲୋକ ନିଜ କୌଳିକ ବୃତ୍ତି ହରେଇ ନିଜ ଗାଆଁ ଛାଡି ଚାଲି ଯାଇଥିଲେ।

  ଅଭିର ବାପା ସବୁ ବର୍ଷ, କିଛି ଦିନ ଗାଆଁରେ ରହି ସହର ଫେରିଆସନ୍ତି । ଗାଆଁ ଛାଡି ଆସିଲାବେଳେ ଅବିନାଶ୍, ବେଶ୍ ଦୁଃଖି ହେଇଯାଏ । ପିଲାଦିନେ ତ ସେ କାନ୍ଦୁଥିଲା, ଟିକେ ବଡ ହେଲା ପରେ ସ ଆଉ ନକାନ୍ଦି କାରର ଝରକା କାଚ ବାଟେ ଜେଜେ ଜେଜୀଙ୍କୁ ସେ ସଜଳ ଆଖିରେ ଚାହିଁ ରହିଥାଏ । ଅବିନାଶର ସ୍କୁଲ ପାଠ ସରିବା ପର୍ଯ୍ୟନ୍ତ ଏଇ ଭଳି ଗାଆଁକୁ ଆସିବା ଚାଲୁଥିଲା । ଅବିନାଶ୍ କଲେଜ୍ ଗଲାପରେ ସେମାନଙ୍କ ଗାଆଁକୁ ଯିବା କମିଗଲା । ତା ଉପରେ ପାଠର ଚାପ ଥିଲା, ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତିରେ ସେ ଲାଗିଥାଏ । ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ସେ ଚାଲିଗଲା ପଢିବାକୁ ଇଞ୍ଜିନିୟରିଂ ବିଟସ୍ ପିଲାନି।

ଆଉ ରହିଲାନି ଗାଆଁ ସହ ସମ୍ପର୍କ । 

"ସାର୍ ଆପକେ ଲିୟେ ବ୍ରେକ ଫାଷ୍ଟ ଲଗାଉଁ " ଭାବନାରେ ପୂର୍ଣ୍ଣଛେଦ।

"ହାଁ ଲଗାଦୋ "

ଜାହାଜର ଡାଇନିଂ ହଲକୁ ଯାଇ ଦେଖିଲା, ଅନେକ ଲୋକ ଆସିଗଲେଣି । ଅବିନାଶ୍ ଚୁପଚାପ୍ ଯାଇ ଖାଇବସିଲା ଗୋଟେ ଟେବୁଲ୍ ପାଖରେ । ଅଳ୍ପ ଦିନ ହେଲା ଜଏନ୍ କରିଥିବାରୁ ଏଇ ଜାହାଜରେ ସମସ୍ତଙ୍କ ସହ ଭଲକି ଚିହ୍ନା ହେଇନି ତାର । ବ୍ୟକ୍ତିଗତ ପରିଚାରକ ରାମାନୁଜ ଛଡ଼ା ଆଉ ଦୁଇ ତିନି ଜଣଙ୍କୁ ହିଁ ସେ ଭଲକି ଜାଣିଛି।ଏଇଟା ଗୋଟେ କାର୍ଗୋ ସିପ୍ । ଭାରତୀୟ କମ୍ପାନୀ, ଆଉ ବିଦେଶକୁ କୋଇଲା ରପ୍ତାନି ହୁଏ ଏହାରି ଜରିଆରେ । ଦିନସାରା ବୃତ୍ତିଗତ କାର୍ଯ୍ୟରେ ଲାଗିରହୁଥିଲା ସେ । ଆଗ ଜାହାଜଟାକୁ ଭଲକି ତନଖି ନେବାକୁ ଅଛି । ଜାହାଜର ଇଞ୍ଜିନ୍, ଆଙ୍କର, ସୁରକ୍ଷା ବ୍ୟବସ୍ଥା, ରହିବା ସ୍ଥାନ, କ୍ୟାବିନ୍ ଇତ୍ୟାଦି । କେଉଁଠି କ'ଣ ଯନ୍ତ୍ର ଲାଗିଛି ସବୁ ଦେଖୁଥିଲା । କ୍ୟାପଟେନ ସମେତ ସବୁ କର୍ମଚାରୀଙ୍କ ସହ ପରିଚୟ ହେବା ଇତ୍ୟାଦି,  ଲାଗିଗଲା ବେଶ୍ କିଛିଦିନ।


ପାଣି ଜାହାଜ ପାଇଁ ତା ଆଗ୍ରହ ଆରମ୍ଭ ହେଇଥିଲା ତାଙ୍କ ଗାଆଁରୁ । ସୁମିଠୁ ଡଙ୍ଗା ବିଷୟରେ ଶୁଣି ତାର ପାଣିରେ ଡଙ୍ଗା କିପରି ଚାଲେ ସେ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ହୁଏ । ତାଙ୍କ ଗାଆଁ ଟା ସମୁଦ୍ର ପାଖାପାଖି ଥିଲା ଆଉ ପାରାଦୀପ ବନ୍ଦରଠୁ ବେଶୀ ଦୂର ନୁହେଁ । ଅନେକଥର ସେ ଯାଇଛି ସେଠିକି ଓ ବିଭିନ୍ନ ପାଣି ଜାହାଜ ଦେଖିଛି ସେଠି । ସମୁଦ୍ରରେ ଜାହାଜର ଦୃଶ୍ୟ ତା ମନରେ ଗୋଟେ ଛାପ ସୃଷ୍ଟି ରହିଥିଲା । ଆଉ ଆଜି ଜାହାଜରେ ଏଇ ଚାକିରି, ୟା ଭିତରେ କିଛି ମାସ ବିତିଗଲାଣି । ପ୍ରାକ୍ଟିକାଲି ଜାହାଜର ପ୍ରାୟ ଅନେକ ବିଷୟରେ ସେ ଜାଣିଗଲାଣି । ପଢିଥିବା ପାଠର ସଦବ୍ଯବହାର କରି କିଛି ଯାନ୍ତ୍ରିକ ଅସୁବିଧା ମଧ୍ୟ ଦୂର କରି ସାରିଲାଣି । ଜାହାଜରେ ବୁଲି ସାରିଲାଣି ଦୁଇତିନିଟି ଦେଶ।

ଏବେ ଘର କଥା ମନେପଡିଲା ଅବିନାଶର । ଛଅ ମାସ ଜାହାଜରେ ରହିଲା ପରେ ସ୍ଥଳଭାଗରେ ଥିବା କମ୍ପାନୀ ଅଫିସରେ କାର୍ୟ୍ୟ କରିବା କଥା । ସେ ଫେରିବ ଆଉ ଦୁଇ ସପ୍ତାହ ପରେ।

ଏଥର ଛୁଟିରେ ଫେରିଲେ ମମି ପାପାଙ୍କୁ ଦେଖାକରି ସାରି ସେ ଗାଆଁକୁ ଯିବ ବୋଲି ଭାବିଛି । ଜେଜେବାପା ଓ ଜେଜେମାଆଙ୍କୁ ଆଉ କକେଇ ଓ ପିଉସୀଙ୍କୁ ଯେମିତି ହେଉ ଦେଖାକରିବ । ପ୍ରାୟ ଛଅ ସାତ ବର୍ଷ ହେବ ଗାଆଁକୁ ଯାଇନି । କକେଇଙ୍କ ବାହାଘର ବେଳେ ଭୁବନେଶ୍ଵରରେ ଖାଲି ବରଯାତ୍ରୀରେ ଯାହା ଯାଇଥିଲା । ଗାଆଁ ଭୋଜିକୁ ଯାଇ ପାରିଲାନି, କାରଣ ତାକୁ ଶୀଘ୍ର ଫେରିବାକୁ ଥିଲା ପିଲାନି । ସମୟ ପାଖେଇ ଆସୁଥିଲା ଘରକୁ ଫେରିବାର । ମନ ଚଞ୍ଚଳ ଥିଲା ଅବିନାଶର।


ଘରେ ପହଞ୍ଚିବାର ଗୋଟେ ସପ୍ତାହ ହେଇଗଲାଣି । ଭୁବନେଶ୍ଵରରେ ପହଞ୍ଚି କଣ କଣ କରିବ ସବୁ ଭାବିଥିଲା ଅବିନାଶ । ବାପା ମମି ଓ ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କୁ ଭେଟୁ ଭେଟୁ ଚାଲିଯାଉଛି ସମୟ।

 "ମମି କାଲି ମୁଁ ଗାଆଁକୁ ଯିବି" 

 "ଯିବା ଆଗରୁ ଗାଆଁ ରେ ମୁହଁ ମାରିଦେଇଗଲେ ହେବନି" 

 "ନା.. ନା... ମୋର କାମ ଅଛି" 

 ବାପାଙ୍କ ଗାଡ଼ି ନିଜେ ଚଲେଇକି ଗାଆଁକୁ ଯିବାର ନିଷ୍ପତ୍ତି ନେଇ ବାପାଙ୍କୁ ପଚାରି ସକାଳୁ ସକାଳୁ ବାହାରିଗଲା ସେ । ପରିଚିତ ରାସ୍ତା, କିନ୍ତୁ କୋଠାବାଡ଼ି ଅନେକ ହେଇଗଲାଣି । ଦୋକାନ ବଜାର ବି ବଢ଼ିଛି । ତେଣୁ ଟିକେ ଦୋ ଦୋ ଚିହ୍ନା ହେଉଥାଏ । ଏଥର ସେ ଗାଆଁରେ କାହାକୁ ଖବର ଦେଇନି। ସର୍ପ୍ରାଇଜ୍ ଦେବ । ହଠାତ୍ ଅବିନାଶକୁ ଦେଖି ଜେଜେବାପା ଓ ଜେଜେମାଆ ଯେତିକି ଆଶ୍ଚର୍ଯ୍ୟ ହେଇଗଲେ, ସେତିକି ଖୁସୀ ବି ହେଲେ । ସମସ୍ତଙ୍କୁ ପ୍ରଣାମ କରି ପଚାରିଗଲା ସବୁ କଥା । ଜେଜେମାଆ ଜେଜେ ଓ କକା ବି ତା ଦେହପା ଓ ଚାକିରି ବିଷୟରେ ଅନେକ କଥା ପଚାରୁଥାଆନ୍ତି।

ଏଥର ସେ ଘର ବାଡ଼ି ବୁଲି ବାହାରିଲା । ଜେଜେ ଓ ଜେଜୀ ବେଶ୍ ବୁଢ଼ା ଦେଖାଯାଉଥିଲେ ବି ଘରର ବାହାରଟା ବେଶି କିଛି ପରିବର୍ତ୍ତନ ହେଇନାହିଁ । ସେ ଚାଲିଗଲା ବାଡ଼ି ପଟକୁ । ବାଡିରେ ଖାଲି ଜାମୁ ଓ ପିଜୁଳି ଗଛ ଛଡ଼ା ଆଉ କିଛି ପନିପରିବା ଗଛ ନାହିଁ । ଯେଉଁ ଘରେ ଘନ ତାର ପରିବାର ସହ ରହୁଥିଲେ, ସେଟା ଭାଙ୍ଗିରୁଜି ଯାଇଛି । ସେ ଛୋଟିଆ ଟିଣ ଓ ଚାଳ ଛପର ଘରଟା ବେଶ୍ ପରିପୂର୍ଣ୍ଣ ଲାଗେ। ସେତେବେଳେ ଲାଉ କଖାରୁ ଗଛ ମାଡ଼ିଥୁଲା ସେ ଟିଣ ଛାତ ଉପରେ । ଏବେ ସେଟା ଖାଲି ଖାଲି ଲାଗୁଛି। ପିଲାଦିନ ଖେଳ, ପିଜୁଳିପାରିବା ଓ ସାଙ୍ଗ ସୁମିକଥା ତାର ମନେପଡିଲା । 

ଘନ ବିଷୟରେ ପଚାରିଲା ପରେ ଜେଜେମାଆ କହିଲେ ଘନ ପ୍ରାୟ ତିନିବର୍ଷ ହେବ ଆମ ଘର ଛାଡି ଚାଲିଗଲାଣି ତା ନିଜ ଗାଆଁକୁ । ତା ଝିଅ ଵାହାଘର ପରେ କିଛି ଦିନ ରହିଲା ଧାର ସୁଝିବାକୁ । ତାପରେ ଚାଲିଗଲା।


"ଝିଅ ଵାହାଘର"? ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ଅବିନାଶ।

"ହଁ ସୁମି ବାହାହେବା ପ୍ରାୟ ୫ ବର୍ଷ ପାଖେଇବ । ତାର ଦଶମ ପରୀକ୍ଷା ପରେ ପରେ ଏଇ ପ୍ରସ୍ତାବ ଆସିଲା ଓ ତାର "ବା"ସେଥିରେ ରାଜି ହେଇ ବାହାଘର କାମ ସାରିଦେଲା।"

"ତୁମେ ସବୁ ମନାକଲନି କାହିଁକି ଜେଜୀ" ହଠାତ୍ କହିପକେଇଲା ଅବିନାଶ୍।

ଆରେ ଆମେ କ'ଣ ମନା କରିବୁ, ତା ବାପ କହିଲା ଆଉ ଭଲ ପ୍ରସ୍ତାବ ଆସିବ କି ନାହିଁ । ତେଣୁ ଏଇଠି ଏସନ ସାରିଦେବି । ତେଣୁ ସୁମିର ଦଶମ ପରୀକ୍ଷା ସରୁ ସରୁ ବାହାଘର ହେଇଗଲା।

"ଏବେ ସେ କୋଉଠି ରହୁଛି ? ତା ଠିକଣା ଜାଣିଛ କି?" 

"ଏଇ ପାଖ ଗାଆଁରେ କୋଉଠି ତା ଶାଶୁଘର, ସେ ସେଇଠି ରହୁଛି।ତୋ କକା ଜାଣିଥିବ ତା ଠିକଣା । "

ସୁମିର ପିଲାଦିନର କଥା ତା କାନରେ ଦୋହରଉଥିଲା । "ପିଲାବାବୁ, ଏଇ ଛୋଟ ଡଙ୍ଗାରେ କଣ ଖୁସୀ ହେଉଛ । ତୁମେ ବଡ ହେଲେ ବଡ଼ ଜାହାଜ ତିଆରି କରିବ । ଆଉ ମତେ ବି ଟିକେ ସେ ଜାହାଜରେ ବସେଇବ ଯେ" । ଏହିପରି ଭାବେ ମେରାଇନ୍ ଇଂଜିନିୟରିଂ ପଢ଼ିବା ଲକ୍ଷ୍ୟର ମୂଳଦୁଆ ପଡିଥିଲା ତାର।


କକେଇ ଆସିବାକୁ ଅପେକ୍ଷା କରୁଥିଲା ଅଭି । ମଧ୍ୟାହ୍ନ ଭୋଜନ ପରେ ତାଙ୍କଠୁ ସେ ଠିକଣା ନେଇ ଖୋଜି ଖୋଜି ଯାଇ ଖଣ୍ଡେ ଦୂରରେ ଥିବା ସୁମି ଶାଶୁଘର ଗାଆଁରେ ପହଞ୍ଚିଲା । ପଚାରି ପଚାରି ସୁମିର ଘର ପାଇଲା । ନୂଆଣିଆ ଚାଳଘରେ ଦାଣ୍ଡରେ ମାଟି ପିଣ୍ଡା । ଯୌବନ ପାରି ହେଇଯାଇଥିବା ବ୍ୟକ୍ତି ଜଣେ ବସିଛନ୍ତି ସେ ପିଣ୍ଡାରେ ଆଉ ଖୁଁ ଖୁଁ କାଶୁଚନ୍ତି । ଅବିନାଶକୁ ଦେଖି ପଚାରିଲେ "କାହାକୁ ଖୋଜୁଚନ୍ତି ଆଜ୍ଞା।" 

ଏଟା କଣ ସୁମିତ୍ରାର ଘର, ସେ ଅଛି? ଅବିନାଶକୁ ଦେଖି ସେ ଟିକେ ଥତମତ ହେଇଗଲେ ଓ କହିଲେ ହଁ । ତାପରେ ଡାକ ପକେଇଲେ ସୁମିଲୋ ଏ ସୁମି, କିଏ ତତେ ଖୋଜୁଛନ୍ତି।

ଅଳ୍ପ ସମୟ ମଧ୍ୟରେ ଧୀର ପାଦକ୍ଷେପରେ ତରୁଣୀଟିଏ ଆସି ଠିଆହେଲା ସେଠି । ଶୈଶବରୁ ରୂପାନ୍ତରିତ ଚେହେରାଟି ଚିହ୍ନି ହେଉଥିଲେ ବି ଅନେକ କିଛି ପରିବର୍ତ୍ତନ ହେଇଯାଇଛି ସୁମିର । ସାଦାକରି ସାଢୀଟିଏ ପିନ୍ଧିଛି । ଜଣେ ବିବାହିତା ମହିଳାର ପୋଷାକ । କିନ୍ତୁ ଶୁଷ୍କ ମୁଖରେ ଆଖି ଦିଟା ସେମିତି ଚିକ୍ ଚିକ୍ କରୁଛି ଆଗ ପରି । 

ଆରେ ପିଲା ବାବୁ ତମେ!!! ସୁମି ପାଟିରୁ ବାହାରି ପଡ଼ିଲା । ଅବିନାଶକୁ ଏଇ ଡାକଟା ଅଡ଼ୁଆ ଲାଗିଲେ ବି ଖରାପ ଲାଗୁନଥିଲା । ଏଇ ଡାକଟି ହେଉଛି ସେମାନଙ୍କ ସମ୍ପର୍କର ଏକ ଚିହ୍ନ ବା ପରିଚୟ । ତାପରେ ବସିଥିବା ବ୍ୟକ୍ତିଙ୍କୁ କହିଲା ଇଏ ଅବିନାଶ ବାବୁ । ସେଇ ପିଲାବାବୁ, ଯାହା ବିଷୟରେ ମୁଁ କହୁନଥିଲି । ବ୍ୟକ୍ତିଜଣଙ୍କ ଉଠିପଡ଼ି ନଇଁକି ନମସ୍କାର କଲେ।

"ଇଏ ମୋ ବାବୁ" ସେ ବ୍ୟକ୍ତିଙ୍କୁ ଦେଖେଇ ଚିହ୍ନେଇଦେଲା ସୁମି।

 "ହଁ ବୁଝିଲି" କହିଲା ଅବିନାଶ।

ତମେ କଣ ବେଶ୍ ଡେଙ୍ଗା ହେଇଯାଇଛ ନିଃସଙ୍କୋଚରେ କହିଲା ସୁମି । ଅବିନାଶ ଫେଁ କରି ହସିଦେଇ କହିଲା " ଆଉ କଣ ସେଇ ଚାରିଫୁଟିଆ ହେଇ ବାମନ ପରି ରହିଥାଆନ୍ତି" ଦିଜଣ ଯାକ ହସି ଉଠିଲେ।

ୟା ଭିତରେ ସୁମିର ସ୍ୱାମୀ ଉଠିଯାଇ ପଡିଶାଘରୁ ଗୋଟେ ପ୍ଲାଷ୍ଟିକ ଚେୟାର ନେଇ ଆସି ବସିବାକୁ କହିଲେ ଅବିନାଶଙ୍କୁ । ତାପରେ ସୁମିକୁ କହିଲେ ତୁ ଥା ମୁଁ ଯାଉଛି ଥଣ୍ଡାଟେ ନେଇ ଆସେ । ସୁମିର ସ୍ୱାମୀ ସୁଦାମ ଗଲାପରେ ସୁମି ଠିକେ ଠିକେ ସବୁକଥା କହିଗଲା । 

ପିଆପିଇ କରି ସୁଦାମ ଦେହ ଭଲ ରହୁନି, ଆଉ କାମକୁ ଅଧିକାଂଶ ସମୟରେ ଯାଉନି ସେଥିପାଇଁ ତା'ର ବ୍ୟସ୍ତତା ଜଣେଇଲା । "ନିଜର ପାଠରେ ଡୋରି ବନ୍ଧା ହେଲା ସିନା, କିନ୍ତୁ ମୋ ଦି ଛୁଆଙ୍କୁ ନିଶ୍ଚୟ ପାଠ ପଢେଇବି"। ଅବିନାଶ ଏ କଥା ଶୁଣି ଭାବୁଥାଏ, ସୁମି ସବୁ ଦିନ ବୁଦ୍ଧିମତୀ ଓ ସାହସୀ । କିନ୍ତୁ ତାକୁ କାହିଁକି ଏତେ ପିଲାଦିନୁ ଦୁଃଖ ପଡିଲା କେଜାଣି ।ଏବେ ତାର ପାଠ, ଖେଳ ଓ ବୁଲାବୁଲି କରିବ ସମୟ। କିନ୍ତୁ ଏବେ ଦୁଇଟା ଛୁଆର ମାଆ ହେଇସାରିଲାଣି ସେ । ତା ଉପରେ ସୁଦାମର ଚିନ୍ତା ଆଉ ଘର ଚଳାଇବା ପାଇଁ ସମ୍ବଳ ଯୋଗାଡ଼ କରିବା । ଏସବୁ ଭିତରେ ପେଷି ହେଇଯାଉଥିବ ସେ । ଏସବୁ ଶୁଣି ମନଟା ଟିକେ ବିଷର୍ଣ୍ଣ ହେଇଗଲା ଅବିନାଶର ।

ପିଲାଦିନେ ଅବିନାଶକୁ ପୋଖରୀକୁ ଠେଲି ପହଁରା ଶିଖାଇବାଠୁ ଆରମ୍ଭ କରି ଗଛଚଢା ପର୍ଯ୍ୟନ୍ତ ସବୁ ଶିଖେଇଥିଲା ସୁମି । ବାଉଁଶ ଭେଳା କରି ସେଥିରେ ବସିବାର ଭୟକୁ ମନରୁ ଛଡେଇ ଆତ୍ମବଳ ବଢେଇବାର ପ୍ରଥମ ଗୁରୁ ଥିଲା ସେ । ଏତେ ଗୁଣର ଅଧିକାରୀ ସୁମିର ଏ ଅବସ୍ଥା ଦେଖି ମନଟା ଟିକେ ଖଟା ହେଇଗଲା ଅବିନାଶର । ମନେ ମନେ ସ୍ଥିର କଲା ଯେମିତି ହେଉ ଏ ଅବସ୍ଥାରୁ ସୁମିକୁ ଓ ତା ପରିବାର କୁ ଉଦ୍ଧାର କରିବ ସେ।

ନିଜ ଫୋନ୍ ନମ୍ବର ଦେଇ କହିଲା, "ଦେଖ୍ ସୁମି ତୁ କ'ଣ କଲେ ଟିକେ ଭଲରେ ରହିପାରିବୁ ମତେ କହ । ମୁଁ ଚେଷ୍ଟା କରିବି ଏହାର ପରିବର୍ତ୍ତନ ପାଇଁ" ।ଫୋନ୍ ଓ ଠିକଣା  ଦେଇ ଚୌକିରୁ ଉଠିଲା ଅବିନାଶ । ସୁମି କହିଲା "ମୋ ଭାଗ୍ୟରେ ଯାହା ଅଛି, ତାକୁ କିଏ ବଦଳେଇ ପାରିବ । ତୁମେ ଯାଅ ପିଲାବାବୁ ଜାହାଜରେ ଭାସିଲାବେଳେ ମୋ କଥା ମନେ ପକେଇବ ଆଉ ମୋ ପିଲାଦିଟାଙ୍କୁ ଆଶୀର୍ବାଦ କରିଵ।" ନା ତତେ କହିବାକୁ ପଡିବ, ଯଦି ନକ଼ହିବୁ, ତେବେ ମୁଁ ଏତିକି କହିବି ତୋ ପୁଅ ଓ ଝିଅର ପାଠପଢ଼ା ଓ ଉଚ୍ଚଶିକ୍ଷାର ଦାୟିତ୍ୱ ମୋର । ତୋର ଯେତେବେଳେ ଯାହା ଦରକାର ମୋତେ ଜଣେଇବୁ ନିଶ୍ଚୟ । ସୁଦାମ ଥଣ୍ଡା ନେଇ ଆସିଲା ବେଳକୁ ଅଭି ଉଠୁଥିଲା ଯିବାକୁ । ସୁମି ଓଠରେ ଆଶାର ହସ ଟିକକ ଦେଖି ସନ୍ତୋଷ ଭାବରେ ଗାଡ଼ି ଷ୍ଟାର୍ଟ କଲା ଅବିନାଶ । ଏଣେ ସୁମିର ଆଖି ଦିଟା ପୁଣି ଚମକି ଉଠିଲା କିଛି ନୂଆ ସ୍ୱପ୍ନ ନେଇ।



Rate this content
Log in

Similar oriya story from Inspirational