Banabihari Mishra

Inspirational

3  

Banabihari Mishra

Inspirational

ଢାଲ - ୧

ଢାଲ - ୧

5 mins
388


ଡିସେମ୍ବର ମାସର ଅନ୍ଧାର ରାତି । ଅଫିସ କାମରେ ରାଞ୍ଚି ଯାଇ ଫେରୁଥିଲି ତପସ୍ବିନୀ ଏକ୍ସପ୍ରେସରେ । ରାତି ପ୍ରାୟ ଦୁଇଟା ବେଳକୁ ଟ୍ରେନ ଷ୍ଟେସନରେ ପହଞ୍ଚିଲା । ହାତରେ ବେଶୀ ଲଗେଜ୍ ନଥିଲେ ବି ଷ୍ଟେସନରୁ ମୋ କ୍ବାଟର ପ୍ରାୟ ସାଢ଼େ ତିନି କିଲୋମିଟର ହେଇଥିବା ଯୋଗୁଁ ଏତେ ରାତିରେ ଚାଲି ଚାଲି ଯିବାକୁ ସାହସ କଳେଇଲାନି । କ୍ଳାନ୍ତିକର ଲମ୍ବା ଯାତ୍ରା ମୋତେ ଆହୁରି ଵ୍ୟସ୍ତ କରୁଥିଲା । ତା'ଛଡ଼ା ପରଦିନ ଅଫିସରେ ଯୋଗଦେଇ କାମର ଅଗ୍ରଗତିର ସମସ୍ତ ବିବରଣୀ ଦେବାକୁହେବ । ସେଥିପାଇଁ ଅନ୍ତତଃ ଘଣ୍ଟାଏ ବା ଦୁଇଘଣ୍ଟାର ବିଶ୍ରାମ ନିହାତି ଆବଶ୍ୟକ ଥିଲା । ତେଣୁ ବାଧ୍ୟ ହୋଇ ଟେମ୍ପୋ ଧରିଲି । ଅବଶ୍ୟ ଷ୍ଟେସନରୁ ଟେମ୍ପୋରେ ଅତିବେଶିରେ ଅଧଘଣ୍ଟେ ଲାଗିବ ।  

-- ଟେମ୍ପୋ, ଏ ଟେମ୍ପୋ, ଜଗନ୍ନାଥ କଲୋନୀ ଯିବ?

--ହଁ ଆଜ୍ଞା, ହେଲେ ଜଗନ୍ନାଥ କଲୋନୀ ପାଇଁ ଆପଣଙ୍କୁ ଟେମ୍ପୋ ଭଡା କରିବାକୁ ପଡ଼ିବ । ତିନିଶହ ଟଙ୍କା । ବସନ୍ତୁ ।

ମୁଁ ଆଶ୍ଚର୍ଯ୍ୟ ହେଇଯାଇଥିଲି । ଟେମ୍ପୋ ଭିତରୁ ଝିଅଟିଏ ଜବାବ ଦେଉଥିଲା । ଷ୍ଟେସନ ବାହରର ଝାପ୍ସା ଆଲୁଅରେ ଟେମ୍ପୋ ଭିତରକୁ ନିରିଖେଇ ଚାହିଁଲି । ସତରେ ତ, ଝିଅଟିଏ । ମୋ ଜାଣିବା ଭିତରେ ରେଳବାଇର ଏ ଅଖ୍ୟାତ ଷ୍ଟେସନରେ ଝିଅଟିଏ ଟେମ୍ପୋ ଚଲାଉଥିବା ମୁଁ ପ୍ରଥମ ଦେଖୁଥିଲି । ତେଣୁ କୌତୁହଳ ହେବା ସ୍ବାଭାବିକ । ଝିଅଟି କହୁଥିଲା, "ସେ ଆଡ଼କୁ ଆଉ ଜଣେ ଦି'ଜଣ ପାସେଞ୍ଜର ହେଇ ଯାଆନ୍ତୁ ଆଜ୍ଞା, ଆପଣଙ୍କୁ ବି ଟିକେ କମ ପଡିବ । " ମୁଁ କିନ୍ତୁ ଅନ୍ୟ ପ୍ରକାରର ଭାବୁଥିଲି । ଝିଅଟି ବୋଧହୁଏ ନିଜର ନିରାପତ୍ତା ଦୃଷ୍ଟିରୁ ଏକଥା କହୁଥିବ । କିନ୍ତୁ ମୋ ପରି ବାପ ବୟସର ବୟସ୍କ ଲୋକକୁ ଝିଅଟା ଡରୁଛି କାହିଁକି? ହେଇଥିବ ଜୀବନର କଷଟି ପଥରରେ ନିଜକୁ ଘୋଷାରି ଘୋଷାରି ଯନ୍ତ୍ରଣା ଭାଟିର ନିଆଁରେ ନିଜକୁ ଜଳେଇ ଜଳେଇ ସବୁକିଛି ପରଖି ନେବାର ଅଭ୍ୟାସ କରିନେଇଛି । ଅଗତ୍ୟା ଅପେକ୍ଷା କରିବାକୁ ବାଧ୍ୟ ହେଲି । ଟେମ୍ପୋ ଭିତରେ ନିଜର ଲଗେଜ ରଖିଦେଇ ଏକରକମ ଆରାମ ମୁଦ୍ରାରେ ଅର୍ଦ୍ଧଶାୟିତ ଅବସ୍ଥାରେ ବସିଲି । ଆଉ ଚୁପଚାପ ବସିବି କ'ଣ, ଭାବିଲି ଝିଅଟା ସହ କିଛି କଥାବାର୍ତ୍ତା ହେଲେ ଝିଅଟା ବୋଧହୁଏ ସହଜ ହେଇଯିବ । ସେଇ ଉଦ୍ଦେଶ୍ୟ ନେଇ ପଚାରିଲି, "ଝିଅ, ତୋ ନାଁ କ'ଣ? ଘର କୋଉଠି?" ଖୁବ୍ ସଂକ୍ଷିପ୍ତ ଉତ୍ତର, "ମିନୁ, ଘର ଆଜ୍ଞା ଢିପସାହି, ଗୋବର୍ଦ୍ଧନପୁର" । ମୁଁ ଜାଣିଲି, ମୋ କଲୋନୀ ଠାରୁ ଅଳ୍ପ ଦୂରରେ ଗୋବର୍ଦ୍ଧନପୁର ଗାଁ । ବୋଧହୁଏ ରାତିର ଏ ସମୟରେ ନିଜ ଘର ଆଡକୁ ଭଡା ମିଳି ଯାଇଥିବାରୁ ଝିଅଟି ଭଡା ଯିବ ବୋଲି ସହଜରେ ରାଜି ହୋଇଗଲା । ନହେଲେ ତ ଅନ୍ୟ ଆଡକୁ ଭଡା ମିଳିଥିଲେ ଘରକୁ ଫେରିବା ପାଇଁ ତାକୁ ତେଲ ପୋଡି ଯିବାକୁ ପଡିଥାନ୍ତା । ଏକା ସାଙ୍ଗରେ ହାଟଦେଖା କଦଳୀବିକା ହେଇଗଲା ।

ଆଉ ବେଶି ସମୟ ଅପେକ୍ଷା କରିବା ପାଇଁ ପଡିଲା ନାହିଁ । ମୋ କଲୋନୀ ବାଟରେ ପଡୁଥିବା ଆଉ ଗୋଟିଏ କଲୋନୀ ଯିବା ପାଇଁ ଜଣେ ଭଦ୍ରଲୋକ ନିଜ ସ୍ତ୍ରୀଙ୍କ ସହ ଉଠିଲେ । ମିନୁ ଆଉ ଅପେକ୍ଷା ନ କରି ଟେମ୍ପୋ ଷ୍ଟାର୍ଟ କଲା ।  

ଟେମ୍ପୋ ଭିତରଟାର ଅନ୍ଧାରର ନିରବିଚ୍ଛିନ୍ନତା ମଝିରେ ମଝିରେ ସାମନାରୁ ଆସୁଥିବା ଗାଡିର ଆଲୋକରେ କ୍ଷଣିକ ପାଇଁ ଖଣ୍ଡିତ ହେଉଥିଲା । ଟେମ୍ପୋ ବଡ ଦୃତବେଗରେ ଯାଉଥିଲା । ଆଶ୍ଚର୍ଯ୍ୟ ହେଉଥିଲି, ଝିଅପିଲାଟେ, ଏତେ ଦକ୍ଷତାର ସହ ଏତେ ଦୃତବେଗରେ ଗାଡି ଚଲାଉଥିବା ଦେଖି । ଟେମ୍ପୋର ଶବ୍ଦ ମଝିରେ ମଝିରେ ବୁଲା କୁକୁରଙ୍କ ବିକଟ ଚିତ୍କାରରେ ହଜି ଯାଉଥିଲା । ଦୃତ ବେଗର ମଧ୍ୟ ଅବିଚ୍ଛିନ୍ନତା ବଜାୟ ରହୁ ନଥିଲା ରାସ୍ତାରେ ଶୋଇଥିବା ବୁଲା ଷଣ୍ଢ ଓ ଗାଈମାନଙ୍କ ଯୋଗୁଁ ।  

ଅଧାବାଟରେ ମୋର ସହଯାତ୍ରୀ ଜଣକ ସହଧର୍ମିଣୀଙ୍କ ସହ ଓହ୍ଲାଇ ଗଲେ । ଏବେ ଗାଡିଟା ଭିତରେ ମିନୁ ଆଉ ମୁଁ । ପାଞ୍ଚ ସାତ ମିନିଟ ପରେ ମୋ କଲୋନୀ ଆସିଗଲା । ତାକୁ ଖାଲି କ୍ବାଟର ନମ୍ବର କହିଦେଲି । ଏଇଠି ପାଖ ଗାଁର ଝିଅଟା । ଏ କଲୋନୀ ସହ ଭଲ ଭାବରେ ପରିଚିତ । ସିଧା ନେଇ ମୋ କ୍ବାଟର ଆଗରେ ଟେମ୍ପୋ ଠିଆ କରିଦେଲା । ସେତେବେଳକୁ ଟେମ୍ପୋ ଆସିବାର ଶବ୍ଦରେ ମୋ ସ୍ତ୍ରୀ କବାଟ ଖୋଲି ସାରିଥିଲେ । ଗାଡିରୁ ଓହ୍ଲାଇ ମୁଁ ମିନୁକୁ କହିଲି, "ଝିଅ, ଆ, ଘର ଭିତରେ ଟିକେ ବସିପଡିବୁ । ବାହାରେ ଖୁବ୍ ଥଣ୍ଡା । ଟିକେ ଚା' ପିଇଦେଇ ଯିବୁ । ଘରୁ ତୋତେ ଖୁଚୁରା ଦେବି । " କ'ଣ ଭାବିଲା କେଜାଣି, ଟେମ୍ପୋରୁ ଚାବିକାଠି ବାହାର କରି ହାତଦୁଇଟାକୁ ମଳି ମଳି ଘର ଭିତରକୁ ଆସିଲା । ମୋ ସ୍ତ୍ରୀ ଜାଣନ୍ତି, ବାହାରୁ ଆସିଲେ ମୋର କପେ ଚାହା ନିହାତି ଆବଶ୍ୟକ । ଆମେ ଦି'ଜଣ ଘର ଭିତରେ ବସିବାର ଅଳ୍ପ କିଛି ସମୟ ମଧ୍ୟରେ ତିନି କପ୍ ଚା' ଆସିଗଲା । ମୋ ସ୍ତ୍ରୀ ମଧ୍ୟ ବସିଲେ ଆଉ କୌତୁହଳ ବଶତଃ ଝିଅଟିକୁ ପଚାରିଲେ, "ଝିଅ, ଆଜିର ସମାଜରେ ଏଇ ବୃତ୍ତିଟା ପୁଅପିଲା ମାନଙ୍କର ଏକଚାଟିଆ ହେଇ ରହିଥିବା ବେଳେ ୟା ଭିତରକୁ ତୋପରି ଝିଅପିଲାଟେ କେମିତି ପଶି ଆସିଲା?" ମିନୁ ଆରମ୍ଭ କଲା ତା କାହାଣୀ, କେମିତି ସେ ଏ ବୃତ୍ତିକୁ ଆପଣେଇଲା ।

"ପରିବାର ପ୍ରତିପୋଷଣ ପାଇଁ ବାପା ସୁରଟ ଯାଇଥିଲା । ସେଇଠୁ ଭୟଙ୍କର ଏଡ୍ସରେ ଆକ୍ରାନ୍ତ ହୋଇ ଫେରିଲା ।  ଗାଁରେ ଏକଥା ପ୍ରଘଟ ହେଇଗଲା । ଉପଯୁକ୍ତ ଚିକିତ୍ସା ଅଭାବରୁ ବାପା ଦି'ଟା ବର୍ଷରେ ସେପାରିକୁ ଚାଲିଗଲା । ତା'ପରେ ମା ଆଉ ମୁଁ ବଞ୍ଚିବା ପାଇଁ ସଂଘର୍ଷ କରିଚାଲିଲୁ । ସୁରଟରୁ ଫେରି ବାପା ଗୋଟେ ସେକେଣ୍ଡ ହ୍ୟାଣ୍ଡ ଟେମ୍ପୋ କିଣିଥିଲା । ମୋତେ ମଧ୍ଯ ଚଲେଇବା ଶିଖେଇ ଦେଇଥିଲା । ବାପା ଏଡ୍ସରେ ମରିଯିବା ପରେ ଗାଁରେ ଆମକୁ ଏକରକମ ବାସନ୍ଦ କରିଦେଲେ । ସମସ୍ତେ ଦୂର୍ ଦୂର୍ କଲେ । ସାଙ୍ଗରେ ବସିବା ଉଠିବା ତ ଦୂର, କଥାବାର୍ତ୍ତା ହେବାକୁ ମଧ୍ୟ କୁଣ୍ଠାବୋଧ କରୁଥିଲେ । ଏଡ୍ସ ନିରାକରଣ ପାଇଁ ସର୍ଭେ କରିବାକୁ ଆସିଥିବା ଗୋଟେ ଏନ.ଜି.ଓ ସଂସ୍ଥା ସହ ପ୍ରତୀକ ଭାଇ ଆସିଥିଲା । ତା'ରି ପ୍ରଚେଷ୍ଟାରେ ଲାଇସେନ୍ସ ନେଇ ଟେମ୍ପୋ ଚଲେଇବା ଆରମ୍ଭ କରିଦେଲି । ଯାହା କିଛି ରୋଜଗାର ହେଇଯାଏ, ସେଇଥିରେ ମାଆ ଝିଅ ଖୁସିରେ ଚଳିଯାଉ । ଆଗରୁ ମୁଁ ରାତି ଗାଡି ପାଇଁ ଷ୍ଟାଣ୍ଡରେ ଟେମ୍ପୋ ରଖୁ ନଥିଲି । ଏଇ ମଣିଷଖିଆ ମଣିଷଗୁଡାଙ୍କ ପ୍ରତି ଭାରି ଭୟ ଲାଗୁଥିଲା ।  

ସେଦିନ ଟ୍ରେନ ଗୁଡାଏ ଡେରିରେ ଆସିଲା । ମୋର ବି ସେ ପର୍ଯ୍ୟନ୍ତ ଗୋଟେ ହେଲେ ଭଡା ହେଇ ନଥାଏ । ଅନ୍ତତଃ ଗୋଟେ ଭଡା ହେଲେ ତେଲପାଣି ଖର୍ଚ୍ଚଟା ଉଠି ଯାଆନ୍ତା । ସେତିକିବେଳେ ଦି'ଟା ଟୋକା ଭଡା ଯିବାପାଇଁ ଆସିଲେ । ଯୋଉ ଗାଁକୁ ଯିବା କଥା କହିଲେ, ସେ ଗାଁଟା ଖୁବ୍ ଗୋଟେ ବଦନାମ ଗାଁ । କୁଆଡେ ଭାରି ଗଣ୍ଡଗୋଳିଆ । ଭଡାରେ ଗଲେ ପଇସା ତ ମିଳେନି, ମାଡ ମାରନ୍ତି, ଗାଡି ଭଙ୍ଗାରୁଜା କରନ୍ତି । ସେଥିପାଇଁ ସେ ଗାଁକୁ ମୁଁ କେବେବି ଭଡା ନେଇ ଯାଏନି । ହେଲେ ସେଦିନ କେମିତି କେଜାଣି, ଭଡା ଟିକେ ଅଧିକ କରି କହିବା ପରେ ମଧ୍ୟ ଟୋକା ଦି'ଟା ରାଜି ହେଇଗଲେ । ଲୋଭ ସମ୍ଭାଳି ପାରିଲିନି, ଗାଡି ଷ୍ଟାର୍ଟ କଲି ।  

ଅଳ୍ପ କିଛି ବାଟ ଯିବାପରେ ସେମାନେ ଅଭଦ୍ରାମି ଆରମ୍ଭ କରିଦେଲେ । ଠିକ ମୋ ପଛରେ ବସିଥିବା ପିଲାଟା ମୋ କାନ୍ଧରେ ହାତ ରଖିଦେଲା । ମୁଁ ପ୍ରତିବାଦ କରିବାରୁ ଅଭଦ୍ର ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେଲା । ସେତିକିବେଳେ ଆର ପିଲାଟା କହିଲା, "ଆବେ ତା ସାଙ୍ଗରେ ଲାଗନି ବେ, ୟା ବାପଟା ଏଡ୍ସରେ ମରିଛି । ଏଟାକୁ ବି ଏଡ୍ସ ହେଇଥିବ । " ବାସ୍, ତା ପରଠୁ ଯେମିତି ନିଆଁରେ ପାଣି ପଡିଗଲା, ଦି'ଟାଯାକ ଟୋକା ଶାନ୍ତ ହେଇଗଲେ ।

ସେଇଠୁ ମୁଁ ସେଇ ଏଡ୍ସ ବେମାରୀଟାକୁ ମୋର ଢାଲ କରିନେଲି । ଯଦିଓ ମୁଁ ଏଡ୍ସରେ ଆକ୍ରାନ୍ତ ନୁହେଁ, ତଥାପି ବାପା ମଲା ବେଳକୁ ଅନ୍ତତଃ ଏଇଟାକୁ ମୋ ରକ୍ଷା କବଚ ଭାବେ ଦେଇଯାଇଛି ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଜଣାଇଲି । ଏତିକି କହି ମିନୁ ତା ହ୍ୟାଣ୍ଡବ୍ୟାଗରୁ ଗୋଟେ ପ୍ଲାକକାର୍ଡ଼ ବାହାର କଲା । ସେଥିରେ ଇଂରାଜୀ, ହିନ୍ଦୀ ଆଉ ଓଡିଆ, ତିନୋଟି ଭାଷାରେ ଲେଖିଥିଲା, "ମୁଁ ଜଣେ ଏଡ୍ସ ରୋଗୀ" ।

ସେତେବେଳକୁ ଚା' ପିଆ ସରିଯାଇଥିଲା । ମିନୁ ଯିବାପାଇଁ ଉଠିଲା । ମନେ ମନେ ଝିଅଟିର ବୁଦ୍ଧିକୁ ତାରିଫ କରୁଥିଲି । ସବୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆଶାବାଦୀ ରହିବାର ଯେଉଁ ଦୃଢତା ମୁଁ ତାଠାରେ ଦେଖୁଥିଲି ସେଥିପାଇଁ ଝିଅଟା ପ୍ରତି ମୋର ସ୍ନେହ ବଢିଯାଇଥିଲା । ଭବିଷ୍ୟତରେ କେବେ ଟେମ୍ପୋ ଆବଶ୍ୟକ ପଡିଲେ ତାକୁ ହିଁ ଡାକିବାକୁ ଭାବି ତା ମୋବାଇଲ ନମ୍ବର ମାଗିନେଲି ।


Rate this content
Log in

Similar oriya story from Inspirational