ଡାକ
ଡାକ
ଦେଶକେ ବାଙ୍କ.. ନଈକେ ଫାଙ୍କ କଥାଟା ଶୁଣିଲେ ମନକୁ ଆସେ ଭାଷା, ପୋଷାକ ଓ ଖାଦ୍ୟର ଭିର୍ନ୍ନତା କଥା କୁହାଯାଇଛି କିନ୍ତୁ ଏକରେ ଅନେକ ଓ ଅନେକରେ ଏକ ହୋଇ ଯୋଉ ସ୍ଥାନର ମଣିଷ ହେଉ, ତାର ସଂସ୍କୃତି ଓ ପରମ୍ପରା ସହିତ ମଣିଷ ପଣିଆ ସମାନ ଯେମିତି ଶିଶୁ ଓଠର ଦାରୋଟି ହସ ସହିତ ପ୍ରଥମ କରି କଥା ଆରମ୍ଭ କରୁଥିବା ଶିଶୁ ଯାହା କହେ ସେଥିରେ ନା ଥାଏ କିଛି ଅର୍ଥ ନା ବୁଝାପଡେ ଅନ୍ୟକୁ କଣ କହୁଛି ସେ!ଯେମିତି ନାତିଟି କହୁଥିଲା ବାବାଇ, ବାବାଇ ତ ମୋ ବୋଉ କହେ ତା ଅଣନାତି ବାବାକୁ କୋଉ ଗ୍ରହରୁ ଆସିଛୁରେ ନାତିଆ? କୋଉ ଗ୍ରହ ଭାଷା କହୁଛୁ?ମୋ ବୋଉ ସିନା ଭୁଲିଯାଉଛି ବେଳକୁ ବେଳ ବୟସ ଓ ସମୟର ଲୁଚକାଳି ଖେଳ ଭିତରେ ହେଲେ ମୋର ମନେ ଅଛି.ମୋ ପୁଅ ଝିଅ ଓ ଭାଇଭଉଣୀମାନଙ୍କ ପିଲାବେଳର ପ୍ରଥମ କଥା ସବୁ. ଆମେ ସିନା ବୁଝି ପାରୁନା ହେଲେ ସେମାନେ ଠିକ ବୁଝିଥାନ୍ତି ତା ଅର୍ଥ. ଏବେ ଏବେ ବୋଉର ଦେହ ଜମା ଭଲ ରହୁନି ବେଳେ ବେଳେ କାହାକୁ ଚିହ୍ନି ନପାରି ଆଉ କିଏ ବୋଲି ଭାବି ତା ସହିତ କଥା ହେଉଛି. ସତରେ ଛୋଟ ପିଲା ଯାହା ବୁଢା ବୁଢ଼ୀ ସେୟା. ସେଥିରେ ପୁଣି ଅର୍ଦ୍ଧନିଦ୍ରିତ ଅବସ୍ଥାରେ ଏଣୁ ତେଣୁ ଗପୁଥାଏ କାହା ସହ ବୋଉ ଯେ ମୁଁ ତାକୁ ପଚାରିଲେ ଉତ୍ତର ଦିଏ ଅନ୍ୟଗ୍ରହରୁ ଡାକରା ଆସିଲାଣି ଲୋ ଝିଅ. କେତେବେଳେ ତୋ ଅଜା ତ କେତେବେଳେ ତୋ ଆଈ ପୁଣି କେତେବେଳେ ତୋ ମାମୁଁ ଆସି ଏବେ କଥା ହୁଅନ୍ତି ମୋ ସହ. ପୁଣି କେତେବେଳେ ତୋ ବାପା. ବୋଉ ଏମିତି କହୁ କହୁ ଚାଲିଗଲା ସେପୁରକୁ.କାନ୍ଦୁ କାନ୍ଦୁ କାନ୍ଦିବା ବନ୍ଦ ହୋଇଗଲା. ଏଇ ଏଇ ଘଟିଥିବା ଘଟଣା ସବୁ ସ୍ମୃତି ହୋଇଗଲା ବେଳକୁ ସେଦିନ ଗୋଟେ ଅଜଣା ନମ୍ବରରୁ ଫୋନ ଆସିଲା. ହାଲୋ ହାଲୋ କହୁ କହୁ କଟିଗଲା.
କିଛି ଦିନ ଅନ୍ତରରେ ସେହି ନମ୍ବରରୁ ପୁଣି ଫୋନ. ଏଥର ସେପଟୁ କେହି କହୁଥିଲେ ମତେ ଚିହ୍ନି ପାରୁନୁ କି ଝିଅ?ବୋଉ ବାପା ତୋର ଚାଲିଗଲେ. ଏବେ ଆମେ ମଉସା ମାଉସୀ ଦିଇଟା ସେଇ ପଥର ଯାତ୍ରୀ. ଆଜି କାହିଁକି ମନେ ପଡ଼ିଲ ତୁମେ ସବୁ ତଥା ଅତୀତର ସେଇ ସବୁ ପୁରୁଣା କଥା. ତ ସେଦିନ ଫୋନ କରିବା ପରେ ତୁ କାଳେ ଚିହ୍ନି ପାରିବୁ କି ନାହିଁ ବୋଲି କାଟିଦେଇଥିଲି ସିନା ହେଲେ ଆଜି ପୁଣି ଫୋନ କଲି.ମାଉସୀ କହିଲା ପଚାର ଝିଅକୁ କେମିତି ଅଛି?ଟିକେ ଆସନ୍ତାନି, ପରସ୍ପରକୁ ଦେଖନ୍ତେ ଓ ପରସ୍ପରଙ୍କ କଥା ଜାଣନ୍ତେ.ତଥାପି ମୁଁ ଜାଣିପାରୁନଥାଏ କୋଉ ମଉସା ଇଏ. ମଉସା କହି ଚାଲିଥାନ୍ତି ତାଙ୍କ ପୁଅ ଝିଅ କଥା ଓ ପଚାରି ବୁଝୁଥାନ୍ତି ମୋ ସ୍ୱାମୀ ପୁଅ ଝିଅଙ୍କ କଥା ତ ସେତେବେଳକୁ ମୁଁ ଜାଣିସାରିଥାଏ ଇଏ ସେହି ମଉସା,ଯିଏ ବାପାଙ୍କ ସହକର୍ମୀ. ଆମ ପାଖ କ୍ୱାଟରରେ ରହୁଥାଆନ୍ତି ବାଣପୁର କଲୋନୀରେ . ମୋ ବାହାଘରକୁ ମତେ ସୁନାରମୁଣ୍ଡଫୁଲ ଉପହାର ଦେଇଥିଲେ ପୁଣି ମୋ ପୁଅର ଏକୋଇଶିଆକୁ ମୋ ଶାଶୁଘର ଗାଁକୁ ଆସିଥିଲେ. ଏତେ ସହୃଦୟତା ଥିବା ମଣିଷମାନଙ୍କୁ ଭୁଲିଯିବା ସତରେ ମୋର ଏକ ଗୁରୁତର ଭୁଲ କହିଲେ ଅତ୍ୟୁକ୍ତି ହେବନାହିଁ. ମୋ କଥା ଶୁଣି ପୁଅ କହିଲା ଚାଲ ଯିବା ତାଙ୍କ ଘରକୁ କାରଣ ସେ ଫୋନରେ ମତେ ଦେଖିବେ ଟିକେ ଓ କେମିତି ଦେଖନ୍ତି ଟିକେ ବୋଲି ବାରମ୍ବାର କହୁଥିବା ପୁଅ ଶୁଣିଥିଲା.ଭିଡିଓ କଲ କରିପାରୁନଥିବେ ବୁଢା ବୁଢ଼ୀ ଲୋକ କହି ପୁଅ ସମ୍ପର୍କ ଡୋରକୁ ମଜଭୂତ କରିବାକୁ ଅଣ୍ଟା ଭିଡ଼ିଲା.
ଖୋର୍ଦ୍ଧାର ପଲାରେ ତାଙ୍କ ଘର ବୋଲି ଜାଣିଥିଲି. ପଚାରି ପଚାରି ଆମେ ସ୍ୱାମୀ ସ୍ତ୍ରୀ, ପୁଅ, ବୋହୂ, ଝିଅ, ଜୋଇଁ ଓ ନାତୁଣୀ, ନାତି ପହଂଚିଗଲୁ.ପରିଚୟ ପାଇବା ପରେ ନଜଣେଇ ଆସିଥିବାରୁ ବ୍ୟସ୍ତ ହୋଇପଡିଲେ ମଉସା ଓ ମାଉସୀ . ଦେଖିକି ଭାରି ଖୁସି ହେଲେ. ମୁଁ କାନ୍ଦୁଥିଲି ପୁରୁଣା କଥା ମନେପକାଇ ଓ ବାପା ବୋଉଙ୍କୁ ହରାଇ ସାରିଥିବା ଦୁଃଖରେ. ବାକି ଜୀଵନ ସାରା ଏମିତି ଝିଅ ହୋଇ ଟିକେ ଆସୁଥା ଯାଉଥା ଏ ମଉସା ମାଉସୀଙ୍କ ପାଖକୁ ବୋଲି ତାଙ୍କ ଅନୁରୋଧରେ ମୁଁ କାନ୍ଦୁଥିଲି ଖୁବ. ଝିଅର ଝିଅ ନାତୁଣୀ କହୁଥିଲା ମତେ ନେଲପଲିସ ଦେବ? ତ ପୁଅର ପୁଅ ନାତି କହୁଥିଲା ବାବାଇ ବାବାଇ. ମଉସା କହୁଥିଲେ ତୁମେ ଦିଟା କୋଉ ଗ୍ରହର ଅଧିବାସୀ କିରେ? ତ ମୋ ବୋଉ ମଧ୍ୟ ଏମିତି କହୁଥିଲା କହି ମୋ ଆଖିରୁ ଲୁହ ଗଡି ଆସୁଥିଲା ବେଳେ ମଉସା କହୁଥିଲେ ସେ ତ ଜଣେ ଦେବୀ ଥିଲେ. ସ୍ନେହ ସମ୍ପର୍କର ଡୋର ଏମିତି ଛନ୍ଦି ଦେଇଥିଲେ ଯେ ଆଜିଯାଏଁ ତାଙ୍କପାଇଁ ତୁମେସବୁ ମନେପଡ଼. ଆଜିକାଲି ସେମିତି ସମ୍ପର୍କ ତିଆରି କରିବା ଲୋକ ହାତଗଣତି. ହଁ ମଉସା ସେ ଏବେ ଦୂର ଗ୍ରହର ଡାକରା ପାଇ ଚାଲିଗଲା. ଆରେ ଝିଅ ସମସ୍ତେ ଯିବା ହେଲେ ଦୂର ଗ୍ରହର ଡାକରା ପାଇ ଯିବା ପୂର୍ବରୁ ଆମ ନିଜ ଗ୍ରହରେ କିଛି ଛାପ ଛାଡିଯିବା ତୋ ବୋଉ ଭଳି. ତାହା ସ୍ନେହ ସମ୍ପର୍କର ଡୋରଟିଏ. ନଶ୍ଵର ଦେହ ଇଶ୍ଵର ନେଲେ ମଧ୍ୟ ପରାପିଢ଼ି ଝୁରୁଥିବ. ଆମେ ଫେରିଆସିଲା ବେଳେ ମାଉସୀ କହୁଥିଲେ ଦୁଃଖ କରନି ଝିଅ ସମସ୍ତଙ୍କୁ ଦିନେ ଦୂର ଗ୍ରହରୁ ଡାକରା ଆସେ. ଖାଲି କାଳିଆ ସାଆନ୍ତ ଠିକ ସମୟ ଓ ବୟସ ଦେଖି ସେ ଡାକ ପଠାନ୍ତୁ. ମଉସା କହୁଥିଲେ ସର୍ବେ ଭବନ୍ତୁ ସୁଖିନଃ.ବର୍ଷା ହେଉଥିଲା ଖୁବ କିନ୍ତୁ ଖଲି ବାହାର ନୁହେଁ ଭିତର ମଧ୍ୟ ଶୀତଳତାର ସ୍ପର୍ଶରେ ଭରି ଯାଇଥିଲା ଆନନ୍ଦ ହିଁ ଆନନ୍ଦ ।
