Binodini Dash

Classics

4.5  

Binodini Dash

Classics

ଡାକ ମୁନସୀ

ଡାକ ମୁନସୀ

5 mins
415



     "ଆରେ ଚକରା ବୋଉ, କୁଆଡ଼େ ଗଲ ? ମିଠା ଖାଇବ ଆସ । ଆମ ଚକରା ପରା ଆଜି ପୋଷ୍ଟମାଷ୍ଟର ଭାବେ ପଦୋନ୍ନତି ପାଇଛି । ଚକରା ପିଅନରୁ ଚକ୍ରଧର ବାବୁ ବନିଯାଇଛି । ପରିବାରଯାକ ସମସ୍ତେ ଖାଇ ସାରିଲେଣି, ତୁମେ ଏକା ବାକି ଅଛ ।" ଏଇତ ତା'ର ସ୍ବାମୀ ମାଧବ ଶୋଇ ଯାଇଛନ୍ତି ଚିର ନିଦ୍ରାରେ । ପୁଣି ତାକୁ କିଏ ଡାକୁଛି ?


     ହଜିଲା ଅତୀତକୁ ଖୋଜୁଖୋଜୁ ଭାବନା ରାଜ୍ୟରୁ ଫେରି ଆସିଲା ଲବଣୀ । କୋହ ଫଟା ଲୁହ ଝରିଝରି ଯେମିତି ଶୁଖି ଯାଇଛି । ସେ ନୀରବ ନିସ୍ପନ୍ଦ ଭାବରେ ସ୍ବାମୀଙ୍କ ପାଦ ପାଖରେ ବସି ରହିଛି । ପୁଅ ଚକରାକୁ ଅପେକ୍ଷା । ସେ ଆସିଲେ ଗାଁ ଜାତିଭାଇ ଶବ ସତ୍କାର କରିବେ । ଗୋଟିଏ ବୋଲି ପୁଅ, ଆଉ କିଏ ମୁଖାଗ୍ନି ଦେବ ? 


     ସେ ବି ମୁହଁ ଫିଟାଇ ପାରୁନି । ମା' ମନ ତ, ବାପର ମଲା ଖବରରେ କୋଉ ପୁଅ କ'ଣ ନଆସି ରହିପାରିବ ? ହେଲେ ସେ ଆସିବ କି ନଆସିବ ସେହି ଲୀଳାମୟ ହିଁ ଜାଣନ୍ତି । ମନ କଥା ମନରେ ରଖି ଲବଣୀ ପୁଣି ହଜିଗଲା ସେହି ବେଦନାସିକ୍ତ ହଜିଲା ଦିନକୁ ।


      ଚାରି ଦିଅର ଓ ଦୁଇ ନଣନ୍ଦ ତା'ର । ବଡ଼ ବୋହୂ ହିସାବରେ ସେ ତା'ର ଦାୟିତ୍ବରୁ କେବେ ଓହରି ଯାଇନି । ଏମାନେ ଛୋଟଛୋଟ ହୋଇଥିଲେ ସେ ବୋହୂ ହୋଇ ଆସିଥିଲା ଏ ଘରକୁ । ସେତେବେଳକୁ ଶାଶୁ ଶ୍ବଶୁରଙ୍କ ଦେହାନ୍ତ ହୋଇସାରିଥିଲା । ମାଧବ ଚିଠି ନେଇ ଗାଁକୁ ଗଲାବେଳେ ତା' ସହ ପରିଚିତ, ଭଲ ପାଇବା ଓ ବିବାହ । ବିବାହ ପୂର୍ବରୁ ମାଧବ ତାକୁ ପଚାରିଥିଲେ- " ଲବଣୀ ଆମ ଘରକୁ ଗଲେ ତୁମକୁ ଅନେକ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ । ତୁମେ ତ ଜାଣ କୁଳୀନ ବ୍ରହ୍ମଣ ଗୃହରେ ନିଇତି କେତେ କାମ । ତା' ସହିତ ମୋ ଭାଇଭଉଣୀଙ୍କ ଜଞ୍ଜାଳ । ତୁମେ ପାରିବ ତ ?" ସେଦିନ ହସହସ ମୁହଁରେ ସେ ଉତ୍ତର ଦେଇଥିଲା - "ତୁମେ ଯେତେବେଳେ ମୋ ସାଥିରେ ଅଛ ଅସୁବିଧା କେଉଁଠି ?" । 


     ଭୂସମ୍ପତ୍ତି ବିହୀନ ଗୋଟିଏ ଡାକ ପିଅନ ଦରମାରେ ଏତେ ବଡ଼ ସଂସାରକୁ ଚଳାଇବା, ସମସ୍ତଙ୍କୁ ପାଠ ପଢ଼ାଇ ମଣିଷ କରାଇବା, ବିବାହବ୍ରତ କରାଇବା ବନ୍ଧୁବାସ ଆଦି କାମରେ ତାକୁ କେତେ ଯେ କଷ୍ଟ ସହିବାକୁ ପଡ଼ିଛି ଏକା ସେ ହିଁ ଜାଣିଛି । ଦରମା ଗଣ୍ଡାକ ଆଣି ସ୍ବାମୀ ତା' ହାତରେ ଧରାଇଦେଇ କହନ୍ତି- ତତେ ମାସଟାଯାକ ଖର୍ଚ୍ଚ ଲାଗିଲା । ମତେ ଆଉ କହିବୁ ନାହିଁ ।" ଦିଅର ନଣନ୍ଦଙ୍କୁ ପୁଅଝିଅ ପରି ପାଳିବା ଭିତରେ ସେ ବି କେବଳ ଚକରା ଛଡ଼ା ଅଧିକ ସଂସାର ବଢ଼ାଇବାକୁ ଚାହିଁଲା ନାହିଁ । ଯଦିଓ ମାଧବ ତା'ର ଏ ନିଷ୍ପତ୍ତିରେ ସନ୍ତୁଷ୍ଟ ନଥିଲେ । ତଥାପି ତାକୁ ମନେମନେ ପ୍ରଶଂସା କରିଥିଲେ । ମାଧବଙ୍କ ସମ୍ପର୍କୀୟ ଜେଜେବାପା ଆଉ ଜେଜେ ମା' କେହି କେହି କହନ୍ତି - "ମାଧବ, ଲବଣୀ ପରି ହୀରା ଖଣ୍ଡେ ବାଛି ଆଣିଛୁ ରେ । ନହେଲେ ତୋ ସଂସାର ଉଜୁଡ଼ି ଯାଇଥାନ୍ତା । ବାପଛେଉଣ୍ଡ ପିଲାଙ୍କର ଆଉ କିଏ ଏମିତି ଯତ୍ନ ନେଇପାରିନଥାନ୍ତା । ଖୁଡ଼ୀଶାଶୁ କହନ୍ତି- "ଭାଗ୍ୟରେ ଥିଲେ ଏମିତି ସ୍ତ୍ରୀ ମିଳେ ରେ ମାଧବ । ତୋ ଭାଇ ଯଦି ଲବଣୀ ପରି ସ୍ତ୍ରୀଟିଏ ଯୋଗାଡ଼ କରିପାରିଥାନ୍ତା ଆମର ଆଉ ଦୁଃଖ ନଥାନ୍ତା ।" ଏପରି ଉତ୍ସାହପ୍ରଦ କଥା କେଇପଦ ମନରେ ଭରିଦିଏ ଅଫୁରନ୍ତ ଖୁସି । ଆଉ ଆଗକୁ ବଢ଼ିବାକୁ ସାହସ । 


     ନଣନ୍ଦ ଦୁହେଁ ଶାଶୁଘର ଚାଲିଗଲେ । ଦିଅରମାନେ ବି ଚାକିରୀ କରି ବିବାହ ପରେ ନିଜ ନିଜ ଘର ତୋଳାଇ ଅଲଗା ରହିଲେ । ହେଲେ ଦିଅରମନେ ବଡ଼ ଭାଉଜକୁ ମା' ପରି ମାନନ୍ତି ଆଉ ଯାଆମାନେ ବି ବହୁତ ଭଲ । ସେମାନେ ଘରେ ଥିଲାବେଳେ ଲବଣୀକୁ କୁଟାଖଣ୍ଡକ ବି ଦି'ଖଣ୍ଡ କରିବାକୁ ଦିଅନ୍ତି ନାହିଁ । କହନ୍ତି- "ତୁମେ ଅନେକ ଖଟିଲଣି ନାନୀ, ଏଥର ଆମର ପାଳି । ତୁମେ ଖାଲି ବତାଇଦିଅ କେଉଁ କାମ କିପରି ହେବ । ଆମେ ଶୁଣିବା ମାତ୍ରେ ଗିରି ଲଙ୍ଘିଯିବୁ ।" 


       ସେମାନଙ୍କ ପିଲାଏ ବଡ଼ ହୋଇଗଲେ । ପାଠ ପଢ଼ା ବୟସ ହୋଇଗଲା । ସେମାନେ ତ ଆଉ ଚକରା ପରି ଗାଁ ସ୍କୁଲକୁ ଆପଣେଇ ନଥାନ୍ତେ । ତେଣୁ ସହରରେ ଚାକିରୀ ସ୍ଥାନରେ ରହି ପିଲାଙ୍କୁ ଇଂରାଜୀ ସ୍କୁଲରେ ପଢ଼ାଇଲେ । କେବଳ ପର୍ବପର୍ବାଣି ଆଉ ଶାଶୁ ଶ୍ବଶୁରଙ୍କ ଶ୍ରାଦ୍ଧରେ ଗାଁ ମାଟିରେ ପାଦ ପଡ଼ୁଛି । ହେଲେ ସେମାନଙ୍କ ପ୍ରତି ଶ୍ରଦ୍ଧା କମିଯାଇନି ଲବଣୀର । ମାତ୍ର କୌଣସି ଅଭାବ ଅସୁବିଧାରେ ପତିପତ୍ନୀ ଦୁହେଁ ଭାଇମାନଙ୍କ ପାଖରେ ହାତ ପତାଇ ନାହାନ୍ତି । 

      ଚକରା ଭଲ ପଢ଼ୁଥିଲା । ମାତ୍ର ଅର୍ଥାଭାବରୁ ଅଧିକ ନପଢ଼ି ବାପ ପରି ପୋଷ୍ଟ ପିଅନ ହେଲା । ଅଳ୍ପଦିନ ଭିତରେ ପୁଣି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏକାଥରେ ପୋଷ୍ଟମାଷ୍ଟର । ସେ ବି ନିଜ ଇଚ୍ଛାରେ ସୁରମାକୁ ବିବାହ କଲା । ଛୋଟ ଜାତି ଝିଅ ବୋଲି ଆମେ ଦୁହେଁ କେବେ ବି ଘୃଣା କରିନଥିଲୁ । ବରଂ ବାଣ ରୋଷଣୀରେ ବୋହୂ ସଜାଇ ଘରକୁ ନେଇ ଆସିଥିଲୁ । କିଛି ଦିନ ବୋହୂ ସଙ୍ଗେ ଖୁସିରେ କଟିଗଲା । ମାତ୍ର ଚକରାର ଯେଉଁ ଦିନଠୁ ସହରକୁ ବଦଳି ହୋଇଗଲା କଥା ସରିଲା । ସହରୀ ଛାପରେ ଦୁହିଁଙ୍କର ପୂରା ପରିବର୍ତ୍ତନ । ଏହା ଭିତରେ ଦୁଇଟି ନାତି ନାତୁଣୀ ହେଲେଣି । ନାତୁଣୀକୁ ତ ଦୁହେଁ ଏପର୍ଯ୍ୟନ୍ତ ଦେଖିନାହନ୍ତି । ନାତିର ଏକୋଇଶାକୁ ଯାହା ଯାଇଥିଲେ । ସେମାଙ୍କର ଗାଉଁଲି ବେଶପୋଷାକ ଦେଖି ଚକରାର ଶାଶୁ ଆକ୍ଷେପ କରି ଅନେକ କଥା ଶୁଣାଇଲେ । ପୁଣି ଚକରାର ସାଙ୍ଗସାଥୀଙ୍କୁ ଦୁହିଁଙ୍କୁ ଚାକର ଚାକରାଣୀ ବୋଲି ପରିଚୟ ଦେଇଥିଲେ । ଏଥିରେ ଚକରା କି ସୁରମା କେହି ପାଟି ଖୋଲିନଥିଲେ । ଯଥେକଷ୍ଟେ ବିନା ଜଳ ଆହାରରେ ରାତି କଟାଇ ଭୋରୁ ଦୁହେଁ ଗାଁକୁ ଚାଲି ଆସିଥିଲେ ବସ୍ ଧରି । ପୁଅ କି ବୋହୂ କେହି ବି ସେମାନଙ୍କ ଖାଇବା କଥା ପଚାରିନଥିଲେ । ପୁଅ, ସ୍ତ୍ରୀ ଆଉ ଶାଶୁ ବୁଦ୍ଧିରେ ପରିଚାଳିତ । "ଅଜାଗା ଘା ଦେଖି ହୁଏନି କି ଦେଖାଇ ବି ହୁଏନି।" ସାହିପଡ଼ିଶା ଯିଏ ପଚାରନ୍ତି ପୁଅ ବୋହୂଙ୍କୁ ପ୍ରଶଂସା କରି କହିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ ଉପାୟ ନଥାଏ । ଜନ୍ମ ଦେଇଛନ୍ତି ଯେତେବେଳେ କେମିତି ଅନ୍ୟ ପାଖରେ ଛୋଟ କରିପାରିବେ ! 

      ଝିଅ ଜନ୍ମ ପରେ କେବଳ ଛୁତିକିଆ ପାଳିବାକୁ ଜଣାଇବା ପାଇଁ ପୁଅ ଗାଁକୁ ଆସିଥିଲା । କାମ ଅଛି କହି ସଙ୍ଗେ ସଙ୍ଗେ ଚାଲିଗଲା । ପୁଅକୁ ଦଶ ବର୍ଷ ଆଉ ଝିଅକୁ ପାଞ୍ଚ ବର୍ଷ ହେଲାଣି, ସେହି ଦିନଠୁ ଚକରାର ପାଦ ପଡ଼ିନି ଗାଁରେ । ପୁଅ ଶାଶୁ ଏବେ ଚକରାର ମାଲିକିଆଣୀ । ଉଠ କହିଲେ ଉଠୁଛି ଆଉ ବସ କହିଲେ ବସୁଛି । ପୁଅକୁ ଝୁରିଝୁରି ସ୍ବାମୀ ବାଛଣାଲଗା ହେଲେ । ପୁଅ ଖବର ପାଇଥିଲେ ବି ଦିନେହେଲେ ଦେଖିବାକୁ ଆସିଲାନି । "ସତ କେବେ ଲୁଚି ରହେନା ।" ଧୀରେଧୀରେ ଗାଁ ଲୋକ ସବୁକଥା ଜାଣିଗଲେ । ଚକରାକୁ ଛି ଛାକର କଲେ । ସଭିଙ୍କ ମୁହଁରେ ଗୋଟିଏ କଥା- "ଚକରା ହେଉଛି ଫକୀରମୋହନଙ୍କ "ଡାକ ମୁନସୀ"ର ଗୋପାଳ । ବୋଧହୁଏ ସେ ହିଁ ଆସି ମାଧବ କୋଳରେ ଜନ୍ମ ନେଇଛି । ଧନ୍ୟ କହିବା ଲବଣୀ ଓ ମାଧବର ଧୈର୍ଯ୍ୟକୁ । ଦିନେ ହେଲେ ବି ତୁଣ୍ଡ ଖୋଲି କହି ନାହାନ୍ତି ନିଜର ଦୁଃଖ ।" 

   

    ଏଇ ସକାଳୁ ସକାଳୁ ମାଧବ ଆଖି ବୁଜିଛନ୍ତି । ସାହିପଡ଼ିଶା ରୁଣ୍ଡ ହୋଇ ଆହା ! ପଦ ବୋଲି ମାଧବଙ୍କର ଗୁଣଗାନ କରୁଥାନ୍ତି । କେହି କେହି କହୁଥାନ୍ତି, ଏପରି ଅଯୋଗ୍ୟ ପୁଅ ବାପକୁ ମୁଖାଗ୍ନି ଦେଲେ ବରଂ ତାଙ୍କ ଆତ୍ମା ଶାନ୍ତି ପାଇବ ନାହିଁ । ଚାଲରେ ଶବ ଉଠାଇ ନେବା । ସକାଳୁ ଫୋନ ହେଲାଣି, ଆସି ଦିନ ଦ୍ବିପ୍ରହର ଗଡ଼ିବାକୁ ବସିଲାଣି, ଚକରାର ଦେଖାଦର୍ଶନ ନାହିଁ । ଆଉ ଅପେକ୍ଷା କରି ହେବନି । ଝିଅ ମାନୀର ପୁଅ ରମେଶ ଉପସ୍ଥିତ ଅଛି, ସେ ମୁଖାଗ୍ନି ଦେଇଦେବ । କଥାରେ ଅଛି ପରା- "ଝିଅର ପୁଅ ନାତି, ସରଗେ ଜାଳିବ ବତୀ ।" ଏପଟେ ହରି ନାମ ସତ୍ୟ ହେ, ରାମ ନାମ ସତ୍ୟ ହେର ଧ୍ବନି ମଶାଣି ଆଡ଼କୁ, ସେପଟୁ ମଟରର ଘରଘର ଶବ୍ଦ ---------।



Rate this content
Log in

Similar oriya story from Classics