ବୋଉ
ବୋଉ
"ବୋଉ" ନୁହେଁ ମାତ୍ର ଦୁଇଟି ଅକ୍ଷର, ତାହା ସୀମାହୀନ ସାଗର । ସେ ସନ୍ତାନ ପାଇଁ ମମତାର ମନ୍ଦିର । ଗର୍ଭ ଯନ୍ତ୍ରଣା, ପ୍ରସବ ଯନ୍ତ୍ରଣାଠାରୁ ଆରମ୍ଭ କରି ମମତାର ଜଳ ଢାଳି କୋଳେଇ କାଖେଇ ପାଳିପୋଷି ବଡ଼ ମଣିଷ କରିବାରେ ତା'ର ଦାନ ଅତୁଳନୀୟ । ତା' କ୍ଷୀରର ଋଣ କୌଣସି ସନ୍ତାନ ବି ଜୀବନ ସାରା ସୁଝି ପାରେନା । ହେଲେ ଆଜିର ସନ୍ତାନ ଏହାକୁ କେତେଦୂର ଉପଲବ୍ଧି କରି ପାରିଛନ୍ତି ତାହା କାହାକୁ ବି ଅଜଣା ନାହିଁ । ତେଣୁ ସେହି "ବୋଉ"କୁ ନେଇ ଆଜିର ଏକ କ୍ଷୁଦ୍ର ଗଳ୍ପର ଅବତାରଣା ।
ରମେଶ ଓ ସୁରେଶ ଦୁଇଜଣ ବହୁତ ଭଲ ସାଙ୍ଗ । ଦୁହେଁ ପାଠପଢ଼ା ସମାପ୍ତି କରି ଇଞ୍ଜିନିୟର ଭାବେ ଅବସ୍ଥାପିତ ହୋଇଥାନ୍ତି ବିଦେଶରେ (ଆମେରିକାରେ) । ରମେଶ ପିଲାଦିନରୁ ମାତୃହରା । ମାତ୍ର ସାଙ୍ଗ ସୁରେଶର ମା' ଅନସୂୟା ଦେବୀ ତାକୁ ଏତେ ସ୍ନେହ ଆଦର ଦେଇଥାନ୍ତି ଯେ ସେ କେବେ ବି ମାଆ ନଥିବା ଅନୁଭବ କରିପାରିନି । ତେଣୁ ଚାକିରି କ୍ଷେତ୍ରରେ ପହଞ୍ଚିଲା ପରେ ମାଆଙ୍କ ଅନୁପସ୍ଥିତି ତା' ପାଇଁ ବହୁତ କଷ୍ଟଦାୟକ ହୋଇପଡ଼ିଛି । ସେ ଅନସୂୟା ଦେବୀଙ୍କୁ ସବୁବେଳେ ପ୍ରାୟ ଝୁରି ହେଉଛି । ମାତ୍ର ସୁରେଶ ଖୁବ୍ ଖୁସି ମନରେ ସମୟ ବିତାଇ ଚାଲିଛି । ମାଆ କି ବାପା କାହା କଥା କେବେ ବି ମନକୁ ଆଣେ ନାହିଁ । ବର୍ତ୍ତମାନ ପୁଣି ଏକ ଆମେରିକୀୟ ଝିଅ ପ୍ରେମରେ ପାଗଳ ସେ ।
ଘର ଛାଡ଼ି ଆସିବାର ଏକ ବର୍ଷ ପାଖାପାଖି ହୋଇଗଲାଣି । ରମେଶର ମନ ଅଥୟ ହେଲାଣି ଘରକୁ ଯିବା ପାଇଁ । ତେଣୁ ସେ ସୁରେଶକୁ କହିଲା, " ସୁରେଶ ମୁଁ ଆମ ଦୁହିଁଙ୍କର ପ୍ଲେନ ଟିକେଟ କରିଦେଉଛି, ଟିକେ ଯାଇ ଘର ଆଡ଼େ ବୁଲି ଆସିବା । ବୋଉ କଥା ଭାରି ମନେ ପଡ଼ୁଛି ।" ଏକଥା ଶୁଣି ସୁରେଶ କହିଲା, "ନା ନା ଦୁଇଟା ନୁହେଁ ତିନିଟା ଟିକେଟ୍ କାଟି ଦେ । ସୋଫିଆ ବି ଆମ ସଙ୍ଗେ ଯିବ ।" ତେଣୁ ରମେଶ ଟିକେଟ୍ କାଟି ସେ ଆସୁଥିବା କଥା ତା' ବାପାଙ୍କୁ ଜଣାଇଦେଲା । ରମେଶର ବାପା ରଜନୀକାନ୍ତବାବୁ ବି ପିଲାମାନେ ଆସୁଥିବା କଥା ଫୋନରେ କଥା ହେଉହେଉ କହି ପକାଇଲେ ଅଧସୂୟା ଦେବୀଙ୍କୁ ।
"ହଇଓ ଶୁଣୁଛ, ଆମ ପିଲା ଦୁହେଁ କାଲି ଆସି ପହଞ୍ଚୁଛନ୍ତି । ଏବେ ରମେଶର ବାପା ଫୋନ କରିଥିଲେ ।" କହି ପକାଇଲେ ସ୍ବାମୀଙ୍କୁ ଅନସୂୟା ଦେବୀ । ସଦାଶିବବାବୁ କହିଲେ, "କାହିଁ ତୁମ ପୁଅ ସୁରେଶ ତ ଆସିବା କଥା ଜଣାଇନି । "ପାଗଳାଟା, ଆମକୁ ସରପ୍ରାଇଜ ଦେବ ବୋଲି ଭାବି କହି ନଥିବ । ରମେଶଟା ମାଛ ଖାଇବାକୁ ଭାରି ଭଲପାଏ । କାଲି ସକାଳୁ ବଜାରକୁ ଯାଇ ମାଛ ଟିକେ ନେଇ ଆସିବ ତ ।" ଅନସୂୟା ଦେବୀ କହି ଉଠିଲେ ।
ଆଜି ଅନସୂୟା ଦେବୀଙ୍କ ଗୋଡ଼ ତଳେ ଲାଗୁନି । ପିଲା ଦୁହିଁଙ୍କ ବିନା କେତେ କଷ୍ଟରେ ଦିନ ବିତାଇଛନ୍ତି କେବଳ ଜଣେ ମାଆର ହୃଦୟ ହିଁ ବୁଝିପାରିବ । ଦୁହିଁଙ୍କ ମନ ପସନ୍ଦର ଖାଇବା ବନାଇବାରେ ସେ ଏତେ ବ୍ୟସ୍ତ ଯେ ନିଜ ସକାଳ ଜଳଖିଆ ଖାଇବା ବି ଭୁଲି ଯାଇଛନ୍ତି । ସଦାଶିବବାବୁ ଦୁଇଦୁଇ ଥର ତାଗିଦ କଲେଣି, "ନିଜେ ଖାଇଲଣି ନା, ଖାଲି ରୋଷେଇରେ ମାତିଛ । ନଖାଇ ଖାଲି ପେଟରେ ରହିଲେ ମୁଣ୍ଡ ବିନ୍ଧା ରୋଗ ବାହାରିବ । ମୋତେ ପୁଣି ହଇରାଣ କରିବ । " ହଁ ହଁ ଏଇଟା ସାରିଦିଏ ଖାଇବି, ସେଇଟା ସାରିଦିଏ ଖାଇବି ଶବ୍ଦସବୁ ଯାହା ରୋଷେଇଶାଳରୁ ଶୁଣି ପାରନ୍ତି ସଦାଶିବବାବୁ ।
ଦିନ ଏଗାର ବାଜିଲା, ରୋଷେଇ ସାରି ଦାଣ୍ଡରୁ ଘର ହେଉଥାନ୍ତି ଅନସୂୟା ଦେବୀ । ଦୁଇ ବନ୍ଧୁ ସଦାଶିବ ଓ ରଜନୀକାନ୍ତ ଡ୍ରଇଂ ରୁମରେ ବସି ଆଳାପଆଲୋଚନାରେ ମଗ୍ନ ଥାଆନ୍ତି । ଠିକ୍ ୧୧-୩୦ ମିନିଟ୍ ସମୟରେ ଏକ କାର୍ ଆସି ଲାଗିଲା ସଦାଶିବବାବୁଙ୍କ ଗେଟ୍ ସାମନାରେ । ସେଥିରୁ ଓହ୍ଲାଇ ଆସିଲା ରମେଶ । ସେ ସଦାଶିବ, ଅନସୂୟା ଦେବୀ ଓ ତା'ର ବାପାଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇଲା । ତାକୁ ଏକୁଟିଆ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଭାବରେ ପ୍ରଶ୍ନବାଚୀ ଚାହାଁଣୀରେ ଅନାଇ ରହିବା ଦେଖି ରମେଶ କହିଲା, "ସୁରେଶର ଆସିବା ଟିକେ ଡେରି ହେବ । ସେ କଅଣ କାମ ସାରି ପଛରେ ଆସିବ ବୋଲି କହିଛି ।"
ରମେଶ ଅନସୂୟା ଦେବୀଙ୍କୁ ବୋଉ ବୋଲି ଡାକେ । "ବୋଉ ମୋତେ ବହୁତ ଭୋକ, କେତେ ଦିନରୁ ତୋ ହାତ ପରଷା ଖାଇନି, ଚାଲିଲୁ ଟିକେ କଅଣ ଖାଇବାକୁ ଦେବୁ ।" ରମେଶ ଅନସୂୟା ଦେବୀଙ୍କ କାନି ଧରି ଅଳି କଲା ଛୋଟ ପିଲାଙ୍କ ପରି । ସେଇଠୁ ବୋଉ ଖୁସିର ହସ ହସି ରମେଶକୁ ବାତ୍ସଲ୍ୟ ମମତାରେ ଗେଲ କରି କହିଲେ, ପାଗଳାଟା, ଏଯାଏ ପିଲାଳିଆମି ଛାଡ଼ି ପାରିନି । ହେଉ ତୁ ଧୁଆଧୋଇ ସାରି ଆସ, ମୁଁ ଖାଇବା ବାଢ଼ି ଦେଉଛି ।" ରମେଶ ଗାଧୁଆ ଘରକୁ ଯାଉଯାଉ କହୁଥାଏ, "ଦୁଇ ବାପାଙ୍କ ସହ ତୋର ବି ବାଢ଼ିବୁ ।" ରମେଶ ଆସି ଦେଖେ ତ ଡାଇନିଂ ଉପରେ ତିନି ଜଣଙ୍କ ଖାଦ୍ୟ ବଢ଼ା ଯାଇଛି । ସେଇଠୁ ସିଧା ଚାଲିଲା ରୋଷେଇଘରକୁ । ବୋଉ ପାଇଁ ନିଜେ ଆଉ ଗୋଟାଏ ବାଢ଼ି ଆଣିଲା । ଜୋର କରି ବୋଉକୁ ବସାଇଲା ଖାଇବା ପାଖରେ । ହେଲେ ସୁରେଶ ଏପର୍ଯ୍ୟନ୍ତ ଆସି ପହଞ୍ଚିନି । ମାଆ ମନ ତ ଖାଦ୍ଯ କେଉଁଠୁ ରୁଚୁଛି । ରମେଶ ବୋଉର ମନ କଥା ବେଶ ପଢ଼ି ପାରିଥାଏ । ତେଣୁ କହିଲା, ଆଜି ମୋ ପ୍ରିୟ ଖାଇବାସବୁ ବନାଇଛୁ ବୋଉ, ଭାରି ବାସୁଛି । ମୋ ପାଟିରୁ ଲାଳ ଗଡ଼ିଲାଣି ଭାରି ବି ଭୋକ ହେଲାଣି । ତୁ ଆଗ ଖାଇଲେ ମୁଁ ଯାଇ ଖାଇବି । ନଚେତ ମୁଁ ବି ଅପେକ୍ଷା କରି ବସି ରହିବି ସେମିତି ଭୋକରେ ।" ଏହା ଶୁଣି ଅନସୂୟା ଦେବୀଙ୍କ ମାତୃତ୍ଵ ବିଳପି ଉଠିଲା । ସେ କହିଲେ, " ମୁଁ ତୋତେ ଆଜି ଆଗ ଖୁଆଇବି ତା'ପରେ ଯାଇ ଖାଇବି ପରା ।" ଆଁ କର କହି ରମେଶକୁ ଖୁଆଇବାରେ ଲାଗିଗଲେ । ରମେଶ ବି କେଉଁ ଛାଡ଼ିବାର ପିଲା । ସେ ବି ବୋଉକୁ ଜୋର କରି ଖୁଆଇବାରେ ଲାଗିଲା ।
ରଜନୀକାନ୍ତବାବୁଙ୍କର ମା' ଛେଉଣ୍ଡ ପିଲାଟାର ଏ ଖୁସିରେ ଟିକେ ଆନନ୍ଦାଶ୍ରୁ ଗଡ଼ି ଆସିଲା । ଯାହାକୁ କି ଅନ୍ୟମାନଙ୍କ ଅଲକ୍ଷ୍ୟରେ ସେ ପୋଛି ପକାଇଲେ । ଖାଇବା ସରିଗଲା । ରମେଶ ବୋଉ ସହିତ ବାସନ ମଜାରେ ସହଯୋଗ କରିଦେଇ ବସି ଖୁସି ଗପରେ ଲାଗିଗଲେ ସୁରେଶକୁ ଅପେକ୍ଷା କରି । ଦୁଇ ବାପା ବି ଶୟନ କକ୍ଷକୁ ଚାଲିଗଲେ ।
ହଠାତ୍ ଅନସୂୟା ଦେବୀ କହି ଉଠିଲେ, "ଏଇଥିପାଇଁ ମୋତେ ଆଗତୁରା ପେଟଭରି ଖୁଆଇଦେଲୁ ରେ ଧନ । ପିଲାମାନେ ଯେତେ ଭୁଲ କଲେ ବି ମାଆ କଅଣ ସେସବୁ କୁ ଧରେ । ସଂପଦ ହେଉ ବା ବିପଦ, ସୁଖ ହେଉ ବା ଦୁଃଖ ସବୁ ସମୟରେ ମାଆ ତା'ର ପିଲାମାନଙ୍କ ପାଖରେ ହିଁ ରହିଥାଏ ।"
ପ୍ରାୟ ଅପରାହ୍ଣ ୩ ଟା ସମୟରେ କାର୍ ଅଟକିବାର ଶବ୍ଦ ଶୁଣାଗଲା ଗେଟ୍ ନିକଟରେ । ସମସ୍ତେ ଉତ୍ସାହୀ ହୋଇ ଧାଇଁଗଲେ । ଦେଖିଲେ କାର଼ ଭିତରୁ ସୁରେଶ ସହିତ ଧୋବ ଫରଫର ଝିଅଟିଏ ବି ଓହ୍ଲାଇ ଆସୁଛି । ଉଭୟଙ୍କ ବେକରେ ଫୁଲମାଳ । ତେଣୁ ସୁରେଣ ଯେ ବିବାହ କରି ବୋହୂକୁ ସାଥିରେ ଧରି ଫେରିଛି ଏକଥା ବାପା ମାଆଙ୍କୁ ଆଉ ଅଛପା ରହିଲା ନାହିଁ । ଅନସୂୟା ଦେବୀ ତ ରମେଶଠାରୁ ଆଗରୁ ସବୁକଥା ଶୁଣି ସାରିଥିଲେ । ତେଣୁ ଠାକୁର ଘରେ ସଜ୍ଜିତ ରଖିଥିବା ବନ୍ଦାଣ ଥାଳିଟି ଆଣି ପୁଅବୋହୂଙ୍କୁ ବନ୍ଦାପନା କରି ଘର ଭିତରକୁ ପାଛୋଟି ନେଲେ ଅକୁହା ଯନ୍ତ୍ରଣାକୁ ନିଜ ଭିତରେ ଚାପି ଧରି । ମାତ୍ର ସଦାଶିବବାବୁ ହଠାତ୍ ନିଜ ଶୋଇବା ଘରକୁ ପ୍ରବେଶ କରି ଭିତର ପଟରୁ କବାଟ କିଳିଦେଲେ । ରଜନୀକାନ୍ତବାବୁ ଦ୍ବାର ନିକଟରେ ଠିଆ ହୋଇଥାନ୍ତି ଚଳତ୍ ଶକ୍ତିହୀନ ପରି ।
ସୁରେଶ, ସୋଫିଆ ରଜନୀକାନ୍ତବାବୁଙ୍କୁ ଓ ଅନସୂୟା ଦେବୀଙ୍କୁ ପ୍ରଣାମ କଲେ । ତାପରେ ସୁରେଶ ବାପାଙ୍କ କୋଠରୀ ଆଡ଼େ ମୁହାଁଇଲା । ପଛେପଛେ ସୋଫିଆ ସହ ବୋଉ, ରମେଶ ବି । ସୁରେଶ କବାଟ ବାଡ଼େଇ ଡାକୁଥାଏ, "ବାପା, ମୁଁ ଭୁଲ କରିଛି ମୋତେ କ୍ଷମା କରିଦିଅ । କବାଟ ଖୋଲ ଆମକୁ ଆଶୀର୍ବାଦ ଦିଅ । ଆପଣଙ୍କ ବିନା ଆଶୀର୍ବାଦରେ ଆମେ ସୁଖୀ ସଂସାର କିପରି ଗଢ଼ି ପାରିବୁ ? ବାପା !ଇତ୍ୟାଦି ଇତ୍ଯାଦି----? ।" "ବୋଉ", ସେତ ସର୍ବଂସହା, ଧୈର୍ଯ୍ୟଶୀଳା । ତାହା ସଙ୍ଗେ କେହି ସମକକ୍ଷ ନୁହେଁ । ସେ ବି ଡାକୁଥାଏ କାକୁତିବିନତି ହୋଇ ନାନା କଥା ବୁଝାଇ । "ହଇଓ ଶୁଣୁଛ, ତୁମକୁ ଶୁଭୁଛିନା ନାହିଁ । କବାଟଟା ଖୋଲିଦିଅ । ତୁମକୁ ମୋ ରାଣ । ଆମେ ପରା ବାପାମାଆ, ପିଲାମାନଙ୍କର ଭୁଲ ଦୋଷକୁ କ୍ଷମିବା ଆମର କର୍ତ୍ତବ୍ୟ । ହେଲା, ସୁରେଶଟା ମନ୍ଦିରରେ ବାହା ହୋଇ ଚାଲି ଆସିଲା ଆମକୁ ନଜଣାଇ । ଦେଖିଲ, କେଡ଼େ ସୁନ୍ଦର ଗୁଲୁଗୁଲିଆ ବୋହୂଟିଏ ଆଣିଛି ସେ । ସାକ୍ଷାତ୍ ଲକ୍ଷ୍ମୀ ଠାକୁରାଣୀ ପରି ଦିଶୁଛି । ସୋଫିଆ ପରା ଆମ ଭରତୀୟ ବଂଶୋଦ୍ଭବ । ସେ ଖ୍ରୀଷ୍ଟିଆନ ନୁହେଁ ଯେ ଜାତି ଅଶୁଦ୍ଧ ହୋଇଯିବ । ଆମ ସନାତନ ଧର୍ମରେ ଆଗରୁ କ'ଣ ଜାତି ଥିଲା କି ? ସେ ତା"ର ସଂସାର ଧରି ହସଖୁସିରେ ରହିଲେ ଆମର ଖୁସି । ତୁମେ ଆଉ ରାଗିଲେ କ'ଣ ହେବ ? ନେଡ଼ିଗୁଡ଼ ତ ବୋହି ଯାଇଛି । ଏଥର ମନକୁ ଟିକେ ବୁଝାଅ । ମୋ କଥା ଶୁଣି ପାରୁଛ ନା ନାହିଁ ?" ରଜନୀକାନ୍ତବାବୁ ବି ବନ୍ଧୁଙ୍କୁ ବୁଝାଇବାର ପ୍ରଚେଷ୍ଟା ଜାରି ରଖିଥାନ୍ତି । ଏହିପରି ପ୍ରାୟ ଅଧ ଘଣ୍ଟାଏ ଦ୍ବାର ନିକଟରେ ଚାଲିଗଲା । ସଦାଶିବବାବୁ କବାଟ ଖୋଲିଲେ ଆଉ ଅଶ୍ରୁ ନେତ୍ରରେ ପୁଅବୋହୂଙ୍କ ମଥା ଉପରେ ହାତ ରଖି ଆଶୀର୍ବାଦ ଦେଲେ । ହେଲେ ତୁଣ୍ଡରୁ ବଚନ ପଦିଏ ବି ବାରାରିଲା ନାହିଁ ।
ତା' ପରେ ବୋହୂଙ୍କ ଖାଇବା କଥା ବୁଝି ସୋଫିଆକୁ ସୁରେଶର କକ୍ଷରେ ବିଶ୍ରାମ ପାଇଁ ଛାଡ଼ି ଆସିଲେ ଅନସୂୟା ଦେବୀ । ଦୁଇ ବନ୍ଧୁ ବି ବିଶ୍ରାମ କକ୍ଷକୁ ଚାଲିଗଲେ । କେବଳ ରମେଶ ଓ ଅନସୂୟା ଦେବୀ ଡ୍ରଇଂ ରୁମରେ ରହିଗଲେ । "ଦେଖିଲ ବନ୍ଧୁ ଅନସୂୟା ଦେବୀ ଆଉ ତୁମ ଭିତରେ ଫରକଟା କଅଣ ? ନାରୀଟିଏ ବୋଉ ପାଲଟିଗଲେ ଅସୀମ ଧୈର୍ଯ୍ୟର ଅଧିକାରିଣୀ ହୋଇଯାଏ । ସେ କିପରି ଖୁବ୍ ସହଜରେ ପରିସ୍ଥିତିର ସାମନା କରିପାରିଲେ । ସେ ପରା ବୋଉ, ଗର୍ଭଧାରିଣୀ । ସନ୍ତାନକୁ ଜନ୍ମଦେଇ ତା'ର ସବୁ ଅଳି ଅଝଟ ସହିବା ତାଙ୍କର ଲକ୍ଷଣ । ତାଙ୍କର ରକ୍ତ ମାଂସର ଟୁକୁଡ଼ାକୁ କିପରି ଅଲଗା କରିପାରିଥାନ୍ତେ ନିଜଠାରୁ । ଦେଖିଲ, କେତେ ସାହସରେ ସେ କେତେ ଜ୍ଞାନର ବାଣୀ ଶୁଣାଇ ତୁମର ମନ ବି ପରିବର୍ତ୍ତନ କରିଦେଲେ । ରମେଶକୁ ଜନ୍ମ ନଦେଇ ମଧ୍ୟ ତାକୁ ମାଆର ମମତାରୁ କେବେ ବି ଊଣା କରି ନାହାନ୍ତି । ତା'ର ମାଆ ନଥିବା କେବେ ବି ଅନୁଭବ କରିବାକୁ ଦେଇନାହାନ୍ତି ସେ । ଜଣେ ମାଆ ହିଁ କେବଳ ତା'ର ମାତୃତ୍ଵ ପଣିଆର ବିଚାର କରିପାରେ । ରମେଶ ଆଗ ଘରକୁ ନଯାଇ ଛୁଟି ଆସିଛି ଏଠିକି । ତା'ର ବୋଉର ମମତାର ପଣତ ପାଖକୁ । ଧନ୍ୟ ତୁମେ ବୋଉ, ଧନ୍ୟ ତୁମର ଧର୍ମ, କର୍ମ, ବିଚାରବୋଧ, ଧନ୍ୟ ତୁମର ମହିମା । ସମାଜରେ ଯଦି ସବୁ ବୋଉ ଅନସୂୟା ଦେବୀ ସାଜି ପାରନ୍ତେ, ତେବେ ସମାଜ ନିଶ୍ଚୟ ଶୃଙ୍ଖଳାବଦ୍ଧ ଭାବରେ ନୀତି ସଂସ୍କାରକୁ ଆବୋରି ଜଗତର ଅଶେଷ ହିତ ସାଧିପାରନ୍ତା ।" ରଜନୀକାନ୍ତବାବୁ ଏମିତିସବୁ ଅନସୂୟାଙ୍କ ସମ୍ପର୍କରେ ସଦାଶିବବାବୁଙ୍କୁ କହୁଥିବାର ସ୍ବର ଡ୍ରଇଂ ରୁମ୍ ପର୍ଯ୍ୟନ୍ତ ପ୍ରତିଧ୍ବନିତ ହେଉଥିଲା ।
