ଡାଇରୀର ଶେଷ ପୃଷ୍ଠା
ଡାଇରୀର ଶେଷ ପୃଷ୍ଠା
ଆଜି ଡିସେମ୍ବର 31, 2020 ।
ଜୀବନର ପ୍ରତିକ୍ଷଣ, ସମସ୍ତ ଘଟଣା ଓ ଦୁର୍ଘଟଣା, ସମୟର ବଦଳୁଥିବା ରୂପ, ଚାରିପାଖର ଅବସ୍ଥା ଓ ବ୍ୟବସ୍ଥାର ପରିବର୍ତ୍ତନ, ସାମାଜିକ ଦୃଷ୍ଟି ଭଙ୍ଗୀ, ସ୍ନେହ ପ୍ରେମର ସାପଶିଡି ଖେଳ, ଲିଙ୍ଗଗତ ପାର୍ଥକ୍ୟ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୃଶ୍ୟ ।
ମୋର ବୟସ କେତେ ହୋଇଥିଲା ମନେ ନାହିଁ । କିନ୍ତୁ ମନେ ଅଛି କିଛି କଥା । ବେଳେବେଳେ ସେ କଥା ବ୍ୟଥା ବଢାଏ ତ କେବେ ମିଠା ମିଠା ଯନ୍ତ୍ରଣା ଦିଏ । ମୋ ଭାଇ, ଦେଈ ଗୋଟେ ଶ୍ରେଣୀରୁ ଆଉ ଗୋଟେ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ; ସେମାନଙ୍କର ତଳ ଶ୍ରେଣୀର ସବୁ ବହି ମୋ ସାଙ୍ଗ ହୋଇଯାଆନ୍ତି । ସରିଲା ଖାତା, କଲମ, ଭଙ୍ଗା ଯନ୍ତ୍ରବାକ୍ସ, ଚିରା ଛିଣ୍ଡା ଯେତେ କାଗଜ ଓ ବହିର ମୁଁ ଏକ ଚାଟିଆ ରାଜା ହୋଇଯାଏ । ପଣ୍ଡିତଙ୍କ ପରି ସେମାନଙ୍କୁ ଲକ୍ଷ୍ୟ କରି ଚେକା ମାଡି ବସେ । ନଇଁପଡି ବହିରେ ମୁହଁ ମାଡି ସତେ କି ସବୁ ପଢି ପକାଏ । ଅ.. ଅ ଉ..ଊ ହୁଏ । କିନ୍ତୁ ସତସତିକା ଯେତେବେଳେ ବହି ପଢି ଶିଖିଲି, ବୁଝିଲି ସେତେବେଳେ ମୋ ବଡ଼ ଭଉଣୀ ସାହିତ୍ୟ ବହିର ଗୋଟେ ଗପ ମୋତେ ବେଶୀ ପ୍ରଭାବିତ କରିଥିଲା । ଅୟୁତ ବିସ୍ମୟ ନେଇ ସେ ଗପଟି ଓହ୍ଲାଇଥିଲା ମୋ କଅଁଳ ମନରେ ।
ସେଇଟି ଥିଲା 'ରେବତୀ' ଗପର "ଲୋ ରେବ, ଲୋ ନିଆଁ, ଲୋ ଚୁଲି " ବାକ୍ୟଟି ଆଜି ଯାଏ ଯାହା ମୋ ହୃଦୟ କାନ୍ଥରେ ନେସି ହୋଇ ରହିଛି । ଆଉ ଘଟଣାଟା ଥିଲା ବାଡ଼ି ବା ହଇଜା । ଏଇଟା କି ରୋଗ ଯେ ସମସ୍ତଙ୍କୁ ମାରି ଦେଉଥିଲା ଅପ୍ରକାଶ୍ୟ ପ୍ରଶ୍ନଟି ମୋତେ ବହୁତ କଲବଲ କରିଥିଲେ ସେତେବେଳେ!!
ଆଉ ଆଜି ଖାଲି ବିସ୍ମୟ କି କଲବଲ ନୁହଁ, ବିବଶ ହେଉଛି କରୋନା ଭୂତାଣୁ ଆଗେ ବିଶ୍ୱ । ଥରି ଯାଉଛି ହୃଦୟ । କାଳର କି କରାଳ ରୂପ ! କେତେ ଅସହାୟ ସମଗ୍ର ବସୁଧା, ବିଜ୍ଞାନର ଜ୍ଞାନ ଓ ମଣିଷ !! ବିକଳ୍ପ ନାହିଁ ଏ ରୋଗର ! ନେଲାଣି ଲକ୍ଷ ଲକ୍ଷ ମୁଣ୍ଡ । ସଂକ୍ରମିତଙ୍କ ସଂଖ୍ୟା ତତୋଧିକ । ଗୃହ ବନ୍ଦୀ, ମାସ୍କ ପିନ୍ଧା, ସାମାଜିକତା ଦୂରତା ବଜାଇ ସଂଘରୋଧ, ସାନିଟାଇଜରରେ ଯେତେ ହାତ ଗୋଡ଼ ସଫା କଲେ ବି ଦିନୁ ଦିନୁ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଛି । ବିଷମ ପରିସ୍ଥିତି, ଭୟାନକ ସମୟ । ଗୋଟେ ଅନିଶ୍ଚିତ ବ୍ୟସ୍ତ ଭିତରେ ଆର୍ଥିକ ସ୍ଥିତି ନିମ୍ନ ମୁଖୀ ଯାହା ଘୋର ଚିନ୍ତା ଜନକ । ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ; ଛାତ୍ରଛାତ୍ରୀ ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ । ନିଃଶ୍ଵାସ ନେବାକୁ ଡର; ବାହାରକୁ ବାହାରିଲେ ଡର । ଅଦୃଶ୍ୟ ଭୂତାଣୁ 'ଦୃଶ୍ୟ'ରେ ଆତଙ୍କିତ ପୃଥୀ ।
ସବୁ ବନ୍ଦ । ହାଟ, ବଜାର, ଅଫିସ୍, ଧର୍ମନୁଷ୍ଠାନ, କଳକାରଖାନା ବିବାହ, ବ୍ରତ ଖୁସିବାସିଆ ଭୋଜି ବି ବନ୍ଦ । କୌଣସି ଗଣ ପର୍ବ କି ଜାତୀୟ ପର୍ବ ବି ପାଳିତ ହେଲା ନାହିଁ । ଜାତୀୟ, ଆର୍ନ୍ତଜାତୀୟ ବିମାନ ଉଡାଣ, ରେଳ ଯାତ୍ରା, ଗମନାଗମନ ସବୁ ବନ୍ଦ ହୋଇଗଲା ଅନେକ ଦିନ ଧରି ।
ବେଶୀ ଦୁର୍ଦ୍ଦଶା ଭୋଗୁଛନ୍ତି ଖଟିଖିଆ, ରାସ୍ତା କଡ଼ ବୁଲା ବେପାରୀ, ଅଟୋ, ରିକ୍ସା ଚାଳକ । ଘରେ ଚୁଲି ଅଜଳା । ପେଟ ପାଇଁ ଗାଆଁ
ଛାଡି ଯାଇଥିବା ଦାଦନ ଗାଆଁ ଫେରନ୍ତା ମନ ଆଉଟି ହେଲା ବିନା ଖାଦ୍ୟରେ । ଗାଆଁକୁ ଫେରିବା ରାସ୍ତା ବନ୍ଦ । ଶହଶହ କୋଷରୁ ଚାଲି ଚାଲି, ଗର୍ଭବତୀ ସ୍ତ୍ରୀକୁ ଓ ପାଞ୍ଚ ବର୍ଷର ଛୁଆକୁ ନେଇ କେହି ଫେରୁଥିଲା ଗାଆଁ, ମାଆ ମାଟିର ସ୍ୱର୍ଗକୁ । କେଉଁ ଝିଅ ଶ୍ରବଣ କୁମାର ପରି ବୃଦ୍ଧ ବାପାକୁ ସାଇକେଲ୍ ଚଳାଇ ଆଣୁଥିଲା ସୁଦୂର ରାଜ୍ୟରୁ ନିଜ ଭିଟାମାଟିକୁ । କେଉଁ ଅବୋଧ ବାଳକ ଷ୍ଟେସନରେ ମଲା ମାଆକୁ ଡାକୁଥିଲେ ଚଦର ଘୋଷାରି ଉଠ୍ ମାଆ ଏତେବେଳ ଯାଏ ଶୋଇଛୁ କଣ ! ମୋତେ ବା ଭୋକ ହେଲାଣି ।
ଓଃ ଅତି କରୁଣ ' ଦୃଶ୍ୟ', କଠିନ ପରିସ୍ଥିତି ଓ ବିଭତ୍ସ ଦିନ ଦେଖାଇଲା କରୋନା । ସଂକ୍ରମିତ ରୋକିବା ନେଇ, ରାଷ୍ଟ୍ରର ସୁରକ୍ଷା ପାଇଁ ମାର୍ଚ୍ଚ ସତର ଚାରିଖରୁ ହୋଇଚାଲୁଥିଲା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପର୍ଯ୍ୟାୟ କ୍ରମେ ବାରମ୍ବାର । ଦୋହଲିଲା ଛାତି, ଦୋହଲିଲା ଜଗତ, ଜୀବନ ଓ ଜୀଇଁବା ।
ଆଜି ଏ କାଳର କରାଳ ମସିହାର ଶେଷ ପୃଷ୍ଠା ମୋ ଡାଇରୀର ।
ହିସାବ କରୁ ନାହିଁ କଣ କଣ ହଜେଇଛି । ଭାବୁଛି କଣ କଣ କରିବି । ପ୍ରଥମେ ନିଜେ ବଦଳିବି ସମୟ ସହ ଖାପ ଖୁଆଇ । ଭାଇରସ ଭୟରେ କୁଙ୍କୁଡ଼ି କାଙ୍କୁଡ଼ି ହୋଇ ଆଶଙ୍କାରେ ଭରିବି ନାହିଁ ମୋ ଜୀବନ ଚର୍ଚ୍ଚା ।
ପ୍ରତିକୂଳ ପରିସ୍ଥିତିରେ ଆଖି ଖୋଲା ଓ ପବନ ଥିବା ପର୍ଯ୍ୟନ୍ତ ମୁଁ ବୁଝିବି ମୋ ଚାରିପାଖ । ବିଚଳିତ ନୁହେଁ ବିଶ୍ୱାସ ଓ ଆସ୍ଥା ରଖିବି ଭିତରେ । ବଞ୍ଚିବା ପୂର୍ବରୁ ଆଦୌ ମରିବି ନାହିଁ ।
ଅନେକ ସାରସ୍ୱତ ସ୍ରଷ୍ଟାଙ୍କୁ ବନ୍ଧୁ ରୂପେ ଭେଟି ଦେଇଛି ଏ ବର୍ଷ ମୋତେ । ସେମାନେ ମୋ ମନ ବେଦୀ ପରେ ବସି ମୋତେ ମେଞ୍ଚାଏ ଆନନ୍ଦର ଅନୁଭବ ଦେଉଥାନ୍ତୁ ଆଜୀବନ ।
ସବୁ ଦିନ ପାଇଁ ହଜେଇଛି ମୋ ଜୀବନର ସର୍ବ ଶ୍ରେଷ୍ଠ ଭଲ ପାଇବା ଶବ୍ଦ 'ବାପା' । ମୋ ଜନ୍ମିତ ବାପା ଝିଅ ବୟସରୁ ମୋତେ ଛାଡ଼ି ଆକାଶର ତାରା । ଶଶୁରଙ୍କୁ ପାଇଁ ଆତ୍ମହରା ହେଉଥିଲି । ମାତ୍ର ଏ 2020 ଜାନୁଆରୀ 16 ରେ ସେଇ ପିତୃ ପ୍ରତିମ ପ୍ରିୟତମ ମଣିଷ ଶଶୁର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତଃ ଶୁକଦେଵ ସ୍ୱାଇଁଙ୍କୁ ମୁଁ ହରେଇଛି ଚିରଦିନ । ପୁଣି କରୋନା ଜବରଦସ୍ତ ଛଡେଇ ନେଇଛି କେତେ କେତେ ଚିହ୍ନା ମୁହଁ ।
ଖୁବ୍ ପଢ଼ିଛି ଏ ବର୍ଷ ସମସ୍ତ ସୃଜକ ମଗ୍ନ ମଣିଷଙ୍କର ସୃଷ୍ଟିକୁ । ଅଭିଭୂତ ହୋଇଛି ଚିନ୍ତା ଚେତନା ମୋର ସୃଜକଙ୍କ ସୃଜନୀ କଳା ପାଖେ । ଆଶା ରଖୁଛି ସଭିଙ୍କୁ ପଢୁଥିବି ନିଜକୁ ହଜାଇ ଉଲ୍ଲସିତ ହେଉଥିବି ସେମାନଙ୍କ ସୃଷ୍ଟି ଭିତରେ ଆଖି ମୋର ସାଥ୍ ଦେଉଥିବା ପର୍ଯ୍ୟନ୍ତ ।
ଆଖି ଏଇଥି ପାଇଁ ଯେ ବିନା ଚଷମାରେ କଳା ପଟା ଅକ୍ଷର ପଢି ନ ପାରୁଥିବା ଅସହାୟ ମଣିଷଟିଏ ଯେଣୁ । ଡାଇରୀ ପୃଷ୍ଠା ଏ ବର୍ଷ ଖୁବ୍ ପିଇଛି ଲୁହ ଓ କୋହ ।
ସମୟ ଦେଖେଇଛି ଅଦ୍ଭୁତ ରୂପ, ଶିଖେଇଛି ଅଶ୍ରୁତ କଥା ।
ହେ ସମୟ !ତୋତେ ମୋର ଚିର ସମ୍ମାନ ସହ 2020 ଶେଷ ପୃଷ୍ଠା ଅନେକ ସକାରାତ୍ମକ ସକାଳ ଓ ଅଧିକ ଆସ୍ଥା ତଥା ବିଶ୍ୱାସ ଅପେକ୍ଷାରେ ଶେଷ କରୁଛି ।