Soumya Shubhadarshinee

Tragedy

3  

Soumya Shubhadarshinee

Tragedy

ଡାହାଣୀ

ଡାହାଣୀ

7 mins
403


ମଣିଷ ସବୁବେଳେ କଣ ଦେଖିପାରେ ସତ ନିଜ ଆଖିରେ , ନା' ଆଖିବି ବେଳେବେଳେ ଧୋଖା ଖାଏ ?

★★★★★★

--'' ତୁ ଯାଆନା ମିଟୁ , ସେ ଜମା ଭଲ ନୁହେଁ । ଦେଖୁନୁ ସଭିଏଁ କେମିତି କହୁଛନ୍ତି ତା' ନାଁରେ ।''

--'' ହଁ , ମୋର ଯିବାକୁ ଜମା ଇଚ୍ଛା ନାହିଁରେ ସାଙ୍ଗ , ରାଣ ଅଛି । ହେଲେ କ'ଣ କରିବି କହ ବାପା ପା' ବିଦା କରୁଛି !''

--'' ତୁ ମନା କରିଦେ । କହିଦେ ମୋଟେ ଯିବୁନି ଆମକୁ ଛାଡି ଏଇ ଗାଁକୁ ଛାଡି ।''

--" ନାଁରେ ବାପାକୁ ତୁ ଜାଣିନୁ ସେ ଶୁଣିବ ନାହିଁ । କହିଛି ମାନେ ମୋତେ ଯିବାକୁ ହେବ। ତମେ ସବୁ ଭାରି ମନେ ପଡିବରେ !''

************

ମିଟୁ ସହରର ଚିକ୍ ମିକ୍ ଦୁନିଆ ଭଲ ପାଏ , କିନ୍ତୁ କେବଳ ବୁଲିବା ପାଇଁ ରହିବା ପାଇଁ ନୁହେଁ। ଯେବେ ବୋଉ , ବାପା , ଝୁନି ଆଉ ସିଏ ବୁଲିବାକୁ , ମେଳା ଦେଖିବାକୁ , ସିନେମା ଦେଖିବାକୁ ଯାଆନ୍ତି ସେତେବେଳେ ସହର ଭାରି ଭଲ ଲାଗେ , କିନ୍ତୁ ଭିଡ଼ ଭିତରେ ଭୟବି ଲାଗେ । ହେଲେ ବାପା ହାତ ଧରି ନେଲେ ସବୁ ଭୟ ହଜିଯାଏ । ସେ ଖୁସି ଖୁସି ବୁଲେ , ଦ୍ରୁତ ଗାଡି ମଟରକୁ ହାତ ହଲେଇ ଟାଇ ଟାଇ କରେ , ହଉ ଯାଉ ଲୋକ ଭିଡକୁ ଖାତିର ନକରି ଛାତି ଫୁଲେଇ ଚାଲେ । କିନ୍ତୁ ସେଇଠି ସବୁଦିନ ରହିବା କଥା ହଜମ ହୁଏନି ।

ଏଥର କିନ୍ତୁ ସେ ସତରେ ଯାଉଛି ସେଇ ଭିଡ଼ ଭିତରକୁ , ସେଇ ଭୟଙ୍କର ସହରକୁ ଯେଉଁଠି ମଣିଷ ଆଉ ମେସିନ୍ ଏକାକାର ।

ସେଇଠି ତା' କକେଇ ଘରେ ରହିବାର ଏବେ ବନ୍ଦୋବସ୍ତ କରିଛି ବାପା । ସେଇଠି କକେଇ ଆଉ ନିଶି ଖୁଡି ।

ଓଃ ଖୁଡୀ ! କି ବିଚିତ୍ର ।

ସେ କେବେ ଘରକୁ ଆସେନି ତେଣୁ ତା' ବିଷୟରେ ସେ ଜାଣିନି ଭଲକି । ଖାଲି ଯାହା ଶୁଣିବା କଥା !.....

ସଭିଏଁ କୁହନ୍ତି ସେ କୁଆଡେ କେବେ କଥା ହୁଏନି , ଛୋଟ ଛୁଆ ଦେଖିଲେ କୋଳେଇ ନିଏନି ଆହୁରି ବିରକ୍ତ ହୁଏ । କକେଇ ଘରକୁ ଗଲେ ଖୁଡୀ ମୁହଁ ଫୁଲାଏ । ପାଣି ଗିଲାସେ ସୁଦ୍ଧା ଦିଏନି । ଲୋକେ ଶୁଖିଲାରେ ବସି କଥା ପଦେ ହେଇ ଫେରନ୍ତି । ସୁବ୍ରତ କକେଇ କିନ୍ତୁ ସେମାନଙ୍କୁ ନେଇ ବଡ଼ ହୋଟେଲରେ ଖୋଇ ପେଇ ଛାଡ଼ନ୍ତି । କକେଇ ଭାରି ଭଲ , ଖାଲି ତାଙ୍କରି ପାଇଁ ଯିବା କଥା । ନହେଲେ ସେ ଖୁଡୀ ମୁହଁକୁ ଚାହିଁବାକୁ ଇଚ୍ଛା ହୁଅନ୍ତା ନାହିଁ କାହାରି । ଖାସ ସେଇଥିପାଇଁ ତା' ବାପା କେବେ ସେମାନଙ୍କୁ ନେଇ ଖୁଡି ଘରକୁ ଯାଏନି । ସେ କେବେ ଖୁଡୀକୁ ଦେଖିନି ଖାଲି ଯାହା ଶୁଣିବା କଥା ।

ସେଇ ଖୁଡୀ ପାଖକୁ ବାପା ଏବେ ତାକୁ ପଠେଇ ଦେଉଛି । କାହିଁକି ଏମିତି କରୁଚି କିଛି ବୁଝା ପଡୁନି ତାକୁ । ଯେତେ ପଚାରିଲେ କିଛି କହୁନି , ଖାଲି କହୁଛି ତା' ଭଲ ପାଇଁ କୁଆଡେ ସେ ଯିବା ଜରୁରୀ । ଏମିତି ଡାହାଣୀ ଖୁଡୀ ପାଖରେ କି ଭଲ ହବ ତା'ର ?.......

ହଁ ଜେଜୀ କୁହେ ସେଇଟା ଡାହାଣୀ , କକେଇକୁ ବଶକରି ରଖିଚି ।

ସାନୁ ମାଉସୀ କୁହେ ସେ ବେମାର ମଉସାଙ୍କୁ ନେଇକି ଯେବେ ଖୁଡି ଘରକୁ ଯାଇଥିଲା , ଖୁଡି ତାକୁ ଗାଳି କରି ନଥିଲା , ବଡ଼ ଡାକ୍ତରଙ୍କୁ ଦେଖେଇବାର ବନ୍ଦୋବସ୍ତ କରିଥିଲା । ସେଇଠି ମାଉସୀ ଦେଖିଚି ଖୁଡି ସବୁ ରାତିରେ କଞ୍ଚା ମଣିଷ ରକ୍ତ ପିଏ ।ଖାସ ସେଇଥିପାଇଁ ଡରିଗଲା ମାଉସୀ ଆଉ ମଉସାଙ୍କୁ ନେଇ ପଳେଇ ଆସିଲା ।

ସତରେ ଡାହାଣୀଟା , ନହେଲେ ରକ୍ତ କିଏ ପିଏ?.......

****************

--'' ଆସ ମିଟୁ ବ୍ରେଡ଼ ଜାମ ଖାଇଦିଅ ।''

--'' ମୋତେ ରୁଟି ଚା' ଭଲ ଲାଗେ ମୁଁ ଖାଇବିନି। "

-'' ଦେଖ ଜିଦ କରନା , ଦିଦି ଜାଣିଲେ ବହୁତ ମାଡ଼ ଦେବେ ।''

--'' ହେ କାଳୁ ତୋତେ କ'ଣ ଖୁଡୀ ମାରେ ?''

--'' ନାଇଁ ତୁମକୁ କିନ୍ତୁ ମାରିବେ ! ''

--''କାହିଁକି ?''

--'' ହଁ ସେ ବାବୁଙ୍କ ସହ କଥା ହେଉଥିଲେ , ତୁମେ ବେମାର ନଖାଇଲେ ବହୁତ ଅସୁବିଧା , ତେଣୁ ଚୁପ ଚାପ ଖାଇ ଦିଅ । ନହେଲେ ମାଡ଼ । ''

--'' ହେ କାଳୁ ମିଛୁଆ ମୁଁ ବେମାର ନୁହେଁ ହେଲା , କହିଦେବୁ ଖୁଡୀକୁ । ''

ମିଟୁ ଖୁଡୀ ଘରେ କେବଳ କାଳୁ ସହ କଥା ହୁଏ । ତା' ପାଇଁ ଖୁଡି କାଳୁକୁ ରଖିଛି , ଘର କାମ କରିବ , ମିଟୁର ଦେହ ଭଲ କରିବ ଆଉ ମିଟୁ ସହ ଖେଳିବ ।

ଖୁଡୀକୁ ମିଟୁ ଡ଼ରେ , ହଁ ସେ ବହୁତ ଶକ୍ତ । ଠିକ ସମୟରେ ଖାଦ୍ୟ ଆଉ ଓଷଧ ନଖାଇଲେ ବିଗିଡେ । ସବୁଦିନ ଅନାର ଜୁସ୍ ନିଜେ ପିଏ ଆଉ ତାକୁ ପିଇବାକୁ କୁହେ । ସତରେ ସେଗୁଡା ରକ୍ତ ଭଳି ଦିଶେ । ସାନୁ ମାଉସୀ ଏଇଆକୁ ଦେଖି ଡରି ଥିବ !

ସିଝା ପରିବା ଖୁଆଏ , କୁହେ 'ସୁପ୍ ' ଛି ବାନ୍ତି ଲାଗେ । ଆଉ ଟିକିଏବି ମସାଲେଦାର ତରକାରୀ ପତ୍ର କରେନି , ପଖାଳ କଂସା ପାଖ ମଡେଇ ଦିଏନି , ଖଟା କି ଆମ୍ବୁଲବି ଖାଇବାକୁ ଦିଏନି ।

କକେଇଙ୍କ ଉପରେ ବି ତେଲ ମସଲା କମ ଖାଇବାକୁ ନେଇ ଝଗଡା କରେ । କକେଇ କିଛି କୁହନ୍ତି ନାହିଁ ଚୁପ ଚାପ ବାହାରକୁ ଚାଲି ଯାଆନ୍ତି । କାଳୁକୁ ସବୁବେଳେ ତାଗିଦ କରେ , ''ଦେଖ ମିଟୁକୁ ୟାଡୁ ସାଡୁ ଖାଇବାକୁ ଦେବୁନି । ତା' ଦେହ ବେଶି ବିଗିଡି

ଯିବ ।" ସେଥିପାଇଁ ମିଟୁ ଚୁପ ଚାପ ଖୁଡୀ କଥା ମାନେ ଆଉ କିଛି ଅନ୍ୟ ଚାରା ନଥାଏ ।

ସେ ବୋଧେ ସତରେ ବେମାର । ବେଳେବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ହେଇ ସବୁ ଅନ୍ଧାର ଦିଶେ ତାକୁ । ଏମିତି ହେଲେ ବୋଉ ଗ୍ୟାସ ହେଇଚି ବୋଲି କହି ହାଜମୋଲା ଦେଉଥିଲା , କିନ୍ତୁ ଖୁଡୀ ଏମିତି ହେଲେ ବଡ଼ ବୋତଲ ଓଷଧରୁ ଦି ଠିପି ପେଇ ଦିଏ ଆଉ ଡାକ୍ତରକୁ ଫୋନ୍ ଘୁରାଏ । ଡାକ୍ତର ଆସି ଇଂଜେକସନ ଫୋଡି ଦେଇ ଯାଏ । ଭାରି କାଟେ କିନ୍ତୁ ପ୍ରତିରୋଧ କରି ହୁଏନା , ବଳ ପାଏନା ।

ମିଟୁ ସେଇ ଜେଲ ଭଳିଆ ଘରେ ବଡ଼ ଏକୁଟିଆ ହେଇଯାଏ । ବେଳେବେଳେ କାଳୁ ସହ ଟିକେ ଥଟା ମଜା ହେଇ ନିଜକୁ ସମ୍ଭାଳି ନିଏ । ସେ ମାଲିକ ଆଉ କାଳୁ ଚାକର । ଏକଥା ଭାବିଲେ ତାକୁ ବଢିଆ ଲାଗେ । କକେଇ ଆଉ ଖୁଡୀ ଗଲା ପରେ ସେ କକେଇଙ୍କ କୋର୍ଟ ପିନ୍ଧି ଠିକ ତାଙ୍କ ପରି ଆରାମ ଚୌକି ଉପରେ ବସେ । ଖବର କାଗଜ ଭିତରେ ମୁହଁକୁ ମାଡି ଚା' ମାଗେ । ଜୋରରେ ଡାକେ , '' ଏ କାଳୁ ଆରେ ଟିକେ ଗରମ ଚା' ଦେ , ଦେଖିଲୁ କେତେ ଶୀତ । ହେ କାଳୁ କାଲା !"

କାଳୁ ଡାକ ଶୁଣି ଧାଇଁ ଆସେ ଆଉ ତାକୁ ଦେଖି ବହେ ହସେ ନିଜ ମସିଆ ଦାନ୍ତ ଦେଖେଇ । ସେ ଦୁହେଁ ମ୍ୟୁଜିକ୍ ଲଗେଇ ବହେ ଭେରେସା ନାଚ ନାଚନ୍ତି । କାଳୁ ଖୁଡୀର ନାଲି ଚୁନୁରୀ ମୁଣ୍ଡରେ ପକେଇ ଝୁଅ ସାଜେ ଆଉ ଡୁଏଟ୍ ନାଚ କରନ୍ତି ଦୁହେଁ। କିନ୍ତୁ ବେଶି ନାଚିଲେ ଛାତି ଭାରି କାଟେ । ନିଶ୍ୱାସ ଘର ଧରେନି ।

ଆଉ ଗୋଟେ କାମ କରନ୍ତି ସେମାନେ । କକେଇଙ୍କ ଶୋଇବା ଘର ବଡ଼ ଆଲମିରା ଦରାଣ୍ଡି କେତେ ଅସନା ସିଡ଼ି ଦେଖନ୍ତି । ସେଗୁଡା ଚଲେଇକି ଦେଖିବାକୁ ଇଚ୍ଛା ହୁଏ ହେଲେ ମେସିନ୍ ମାନେ ସିଡ଼ି ପ୍ଲେୟାର ମିଳେନି । ପୁଣି ସେମିତି ସଜାଡି ରଖି ଦିଅନ୍ତି ଆଲମାରୀ ଥାକରେ । କାଳୁ ସେଗୁଡ଼ାକ ଦେଖିକି ଭାରି ଖୁସି ହୁଏ , କିନ୍ତୁ ମିଟୁ ବିଗିଡେ ସିଡ଼ି ପ୍ଲେୟାର ନଥିବାରୁ ।

ଏସବୁ ସିକ୍ରେଟ୍ କୁହେନି କେହି କାହାକୁ କିନ୍ତୁ ଚାଲେ ।

ମିଟୁକୁ କି ବେମରି ସେକଥା ବୁଝା ପଡେନି । ସେ ବେଶ ସୁସ୍ଥ ସବଳ ଦିଶେ । ତେଣୁ କାଳୁ ବି ଭାବେ ଖୁଡୀଟା ମିଛେଇ , ଡାହାଣୀ । ଭଲ ଛୁଆକୁ ବେମାର କହୁଛି । ଦୁହେଁ ମିଶି ଖୁଡୀକି ଗାଳି କରନ୍ତି । ଗାଁ ଦେବତୀଙ୍କୁ କୁକୁଡ଼ା ଯାଚି କାଳୁ , ଖୁଡୀକୁ ମୋଡି ଖାଇବାକୁ ମାନସିକ କରେ । ଖୁଡୀଟା ଖତମ ହେଇଗଲେ ଭାରି ଭଲ ହେବ ଆଉ କେହି ଗାଳି ମନ୍ଦ କରିବେ ନାହିଁ , କେହି ଡ଼ରେଇବେ ନାହିଁ , ମିଟୁକୁ ବେମାର କହିବେ ନାହିଁ , ବବୁଙ୍କ ଉପରେ ଗର୍ଜିବେ ନାହିଁ । ଭାରି ଭଲ ହେବ ।

ମିଟୁ କିନ୍ତୁ ରାଗେ ଏଇ କଥାରେ । ଆରେ ଖୁଡୀ ମରିବ କିଆଁ । ଥାଉ କକେଇଙ୍କ ଖବର ବୁଝୁଛି । ଟିକେ ଗାଳି ମନ୍ଦ ବୋଉବି କରୁଥିଲା ଘରେ । ତା' ବୋଲି କ'ଣ ବୋଉବି , ଧେତ୍ ବେକାର !...

**************

ନିଶିଗନ୍ଧା ଖୁବ୍ କାନ୍ଦେ ନିଶବ୍ଦ ରାତିରେ ଗୁମୁରି ଗୁମୁରି । ନିଦ୍ରିତ ମିଟୁ ପାଖେ ବସେ , ତା' ଶିଥିଳ ହାତକୁ ନିଜ ହାତରେ ଧରି ସ୍ନେହର ପରଶ ଦିଏ । ଖୋଜେ ତନ୍ନ ତନ୍ନ କରି ସୁନ୍ଦର ଛୁଆ ଭିତରେ ଅସୁସ୍ଥତାର ଅଦୃଶ୍ୟ ବୀଜ । ଚୁପି ଚୁପି କୁହେ ,

'' ମିଟୁ , ମୋ ପୁଅ , ତୁ ଭଲ ହେଇଯିବୁ ନିଶ୍ଚିତ , ମୋ ମନ କହୁଛି । ''........

ମାଆଟେ ହେଇ ପାରୁନାହିଁ ବୋଲି ସେ ଅଲକ୍ଷଣୀ , ଡାହାଣୀ । ସେମିତି ନିର୍ଦ୍ଧିଷ୍ଟ ଶାରୀରିକ ଅସୁସ୍ଥତା ନାହିଁ କିନ୍ତୁ ତଥାପି ସେ ମା' ଟିଏ ହେଇପାରୁନି । ତା' ଅପୂର୍ଣ୍ଣତା ଲାଗି ଅଗଣିତ କଟୁ କଥା ଶୁଣି ସହିବାର ଶକ୍ତି ନାହିଁ ବୋଲି ଯାଏନି ସେ ଗାଁକୁ । ଯେବେ କେହି ଆସନ୍ତି ଗାଁ ଲୋକ , ସେମିତି ତୀବ୍ର ମନ୍ତବ୍ୟ ଦେଇ ଶରବିଦ୍ଧ କରନ୍ତି ତାକୁ । ସେଥିପାଇଁ ସେ ବିରକ୍ତ ହୁଏ , ଅଵମାନନା କରେ।

ସୃଷ୍ଟି ମଣିଷର ଅଧିନ ନୁହେଁ । ଏତକ ବୁଝନ୍ତି ନାହିଁ କେହି ! ସୃଷ୍ଟି ସମ୍ଭାବନାରୁ ବଞ୍ଚିତ ନାରୀଟିଏ କେବେ ଡାହାଣୀ ନୁହେଁ , ସେ କେବଳ ହତଭାଗିନୀଟିଏ !.......

ଏବେ ବଡ଼ ଦେଢଶୁର ନିଜ ଏଇ ଅସୁସ୍ଥ ପୁଅକୁ ତା' ପାଖକୁ ପଠେଇଛନ୍ତି ଚିକିତ୍ସା ଲାଗି । ସେ ସୁସ୍ଥ ହେବା ନିହାତି ଜରୁରୀ ନହେଲେ ସେ ସତରେ ଡାହାଣୀ ବୋଲି ଅଭିହିତ ହେଇଯିବ ।

ଆଉ ମିଟୁ ଯଦି ସୁସ୍ଥ ହେଇଯିବ ତେବେ ସେ ଡାହାଣୀରୁ ମା' ଟିଏ ହେଇଯିବ । ହଁ ଛାଡିବନି ସେ ମିଟୁକୁ ଆଉ ରଖିନେବ ନିଜ ପାଖରେ । ତା'ର ଚିକିତ୍ସା ବାହାନା କରି , ଭଲ ଡାକ୍ତର , ଭଲ ଔଷଧ ବାହାନା କରି ।

ନିଶି ଆନମନା ହେଇ ସ୍ୱପ୍ନ ବୁଣେ , ମିଟୁର ଗୋଟେ ସୁନ୍ଦର ସମୃଦ୍ଧ ସଂସାରର । ସୁନ୍ଦରୀ ବୋହୁ , କୁନି ପୁଅ ଝିଅ ସବୁ କଳ୍ପନା କରିନିଏ ,ଆଉ କାନ୍ଦେ । ମିଟୁ ଖୁବ୍ ଅସୁସ୍ଥ ବୋଲି , ଯେବେ ଡାକ୍ତର କୁହେ , ବିଶ୍ୱାସ ହୁଏନି । ସୁସ୍ଥ ଦିଶୁଛି ପିଲାଟା ଯେ !...

ଡାକ୍ତର କୁହନ୍ତି ଏଇ ରୋଗ ମଣିଷକୁ ଧୀରେ ଧୀରେ କବଳିତ କରି ଅଦୃଶ୍ୟ ମୃତ୍ୟୁ ଜାଲରେ ଛନ୍ଦି ନିଏ । କିନ୍ତୁ ମିଟୁ ପାଇଁ ସମ୍ଭାବନା ସାରି ନାହିଁ । ଯଦିଚ ତାର ସୁସ୍ଥତା ପାଇଁ ଗୋଟେ ଜଟିଳ ହାର୍ଟ ଅପରେସନ ଲୋଡ଼ା ତଥାପି ଆଶା ଅଛି । ଈଶ୍ୱର ଚାହିଁଲେ ତା' ହାର୍ଟର ଅପରେସନ ନିଶ୍ଚିତ ସଫଳ ହେବ !

ତଥାପି ନିଶିଗନ୍ଧା କାନ୍ଦେ ଆଉ କେବଳ କାନ୍ଦେ । ମିଟୁ ଶୀଘ୍ର ସୁସ୍ଥ ହେଉ ଏଇ ମୋହରେ ବ୍ୟତିବ୍ୟସ୍ତ ହୁଏ । ଆଉ ଅଜଣା ଆଶଙ୍କା ତାକୁ କବଳିତ କରି ନିଏ । ଗୋଟେ ଜଟିଳ ଅସ୍ତ୍ରୋପଚାର ସଫଳ ହେବ ତ ?.........

*****************

ଆଜି ଗୋଟେ ବିଶେଷ ଦିନ ହେବାକୁ ଯାଉଛି । ମିଟୁ ସୁସ୍ଥ ହେବାର ସମସ୍ତ ବନ୍ଦୋବସ୍ତ ସରିଛି । ଅପରେସନ ଥିଏଟର ବାହାରେ ବିଚଳିତ ନିଶି ଆଉ ସୁବ୍ରତ ।

ମିଟୁ ଠିକ ହେଇଯାଉ , ତାଙ୍କ ପୁଅ ହେଇଯାଉ , ନିଶି ମା' ହେଇଯାଉ । ଏମିତି ଅଗଣିତ ଚିନ୍ତା ଭିତରେ ବୁଡି ରହିଛନ୍ତି ।

ବହୁ ପ୍ରତୀକ୍ଷା ପରେ ସୃଷ୍ଟିର ସବୁଠୁ ଦୁଃଖଦ ସମାଚାର ମିଳିଲା ଡାକ୍ତରଙ୍କ ଠାରୁ । ସେମାନେ ସଫଳ ହେଲେନାହିଁ । ଏଇତକ ସମ୍ବାଦ ନିଶି ପାଦ ତଳୁ ମାଟି ଧସେଇ ଦେଲା । ସେ ପାଗଳୀ ପ୍ରାୟ ଚିତ୍କାର କଲା , '' ମୁଁ ଡାହାଣୀ , ହଁ ହଁ ଛୁଆ ଖାଇ , ଡାହାଣୀ ...

ନିଶି ପ୍ରବଳ ମାନସିକ ଚାପ ଭିତରେ ଜ୍ଞାନ ଶୁନ୍ୟ ହେଇ ଟଳି ପଡିଲା । ସୁବ୍ରତଙ୍କ ସ୍ଥିତି ମଧ୍ୟ ଥିଲା ଭୟଙ୍କର ଭାବେ ବ୍ୟତିବ୍ୟସ୍ତ । ହୃଦୟଟା ଶତଧା ବିଦୀର୍ଣ୍ଣ ହେଇ ଯାଉଥିଲା । ଗୋଟିଏ ପଟେ ସୁଖଦ ଭବିଷ୍ୟତ ଚିରକାଳ ପାଇଁ ନୀରବ ହେଇଯାଇଥିଲା ଆଉ ବିକଳ ବର୍ତ୍ତମାନ ଦୁଃଖରେ ଅତଳ ସାଗରରେ ହଜି ଯାଇଥିଲା । ଈଶ୍ୱର ସତରେ କେତେ ନିଷ୍ଠୁର ହେଇଗଲେ ଓଃ !

ନିଶିକୁ ସଙ୍ଗେ ସଙ୍ଗେ ଚିକିତ୍ସା କରିବାକୁ ହେଲା । ଖୁବ୍ ଅସୁସ୍ଥ ହେଇଗଲା ସେ । ଦୁର୍ଭାଗ୍ୟ ସତରେ ଯେବେ ଆସେ ସାଥିରେ ବନ୍ଧୁ ବାନ୍ଧବ ନେଇ ଆସେ । ଗୋଟେ ପଟେ ମିଟୁର ନିଷ୍ପ୍ରାଣ ଶରୀର ଆଉ ଅନ୍ୟ ପଟେ ନିଶିର ଅସୁସ୍ଥତା , ଏହା ଭିତରେ ଅଣନିଶ୍ଵାସୀ ସୁବ୍ରତ ।

************

ଡାକ୍ତର ଦାସ କିନ୍ତୁ ଖୋଜି ପାଇଲେ ଗୋଟେ ଭିନ୍ନ ସୁ ସମ୍ବାଦ । ନିଶି ଭିତରେ ନୂତନ ପ୍ରାଣର ସଞ୍ଚାର । ହଁ ନିଶି ମା' ହେବାକୁ ଯାଉଛି । ଏଖବର ସତରେ ଅବର୍ଣ୍ଣନୀୟ ଆନନ୍ଦର ଠିକଣା ଥିଲା । ନିଶି ଆଖିର ଲୁହର ବନ୍ୟା ଭିତରେ ଗୋଟେ ଆଶାର କିରଣ ଦୃଶ୍ୟ ହେଉଥିଲା । ଲାଗୁଥିଲା ମିଟୁ ପୁଣି ଥରେ ନୂଆ ପରିଚୟ ନେଇ ଆସୁଛି ।

ସୁବ୍ରତଙ୍କ ହାତ ଧରି ନିଶି ଧୀରେ କହିଲା , '' ମିଟୁ ଆସୁଛି , ବଡ଼ ନନାଙ୍କ ପୁଅ , କହିଦିଅ ସେ ଆସି ନେଇଯିବେ ଠିକ ନଅ ମାସ ପରେ । ଆଉ ଜାଣ ମୁଁ ଡାହାଣୀ ନୁହେଁ !''..........


Rate this content
Log in

Similar oriya story from Tragedy