Jyotiranjan Sahu

Inspirational Others

4  

Jyotiranjan Sahu

Inspirational Others

ଦ୍ବନ୍ଦ୍ବ ଯୁଦ୍ଧରେ ଶେଷ ପଯ୍ୟାୟ

ଦ୍ବନ୍ଦ୍ବ ଯୁଦ୍ଧରେ ଶେଷ ପଯ୍ୟାୟ

4 mins
451



ସଂସାର ଆଖଡାରେ ଚାଲିଛି ଦ୍ବନ୍ଦ୍ବ ଯୁଦ୍ଧ । ପରସ୍ପରର ସମ୍ମୁଖରେ ଦୁଇ ଦ୍ବନ୍ଦ୍ବ ଯୋଦ୍ଧା । ଜଣେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବକୁ ପ୍ରତିନିଧିତ୍ବ କରୁଥିବାବେଳେ ଜଣେ ସ୍ନେହ ସମ୍ପର୍କ ଆଉ ବିଶ୍ବାସକୁ ପ୍ରତିନିଧିତ୍ବ କରୁଛି । ଦ୍ବନ୍ଦ୍ବ ଯୁଦ୍ଧରେ ନିର୍ଘଣ୍ଟ ହୋଇଥିବା ସମୟ ଜୀବନରେ ଶ୍ବାସର ପ୍ରଥମ ପ୍ରବେଶରୁ ଜୀବନରୁ ଶ୍ବାସର ଶେଷ ପ୍ରସ୍ଥାନ ପର୍ଯ୍ୟନ୍ତ । ଯୁଦ୍ଧରେ ଦୁଇଟି ପର୍ଯ୍ୟାୟ । କ୍ରନ୍ଦନର ପ୍ରଥମ ଶଂଖନାଦ ସହ ଆରମ୍ଭ ହୁଏ ପ୍ରଥମ ପର୍ଯ୍ୟାୟ । ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ସୁଖ ସମ୍ପତ୍ତି ଓ ପ୍ରଭୁତ୍ବର ଶକ୍ତି ଅନେକ । ଜୀବନ ନିଜର ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ପାଇଁ ସବୁକିଛି ଜଳାଞଳି ଦେବାକୁ ପ୍ରସ୍ତୁତ । ଜୀବନର ଭାରି ଅଭିମାନ ନିଜର ଜ୍ଞାନ ଯୁକ୍ତି ଶକ୍ତି ଆଉ ଦକ୍ଷତାକୁ ନେଇ । ଜୀବନ ପ୍ରସ୍ତୁତ ନୁହେଁ ନିଜ ଭୁଲ୍ ସ୍ବୀକାର କରିବାକୁ ; ପ୍ରସ୍ତୁତ ନୁହେଁ ଅନ୍ୟ ଆଗରେ ନତ ମସ୍ତକ ହେବାକୁ ।ରକ୍ତର ସମ୍ପର୍କ କୁ ମଧ୍ୟ ଆଜି ନିଜର ପ୍ରତିଯୋଗୀ ଭାବିବାକୁ ତିଳେ ହେଁ ଦ୍ବିଧାବୋଧ କରେନାହିଁ ସିଏ । ସମ୍ପତ୍ତି ସୁଖ ଲୋଭରେ ଜୀବନ ଆଜି ନିଜ ସମ୍ପର୍କର ପରିଧିକୁ ସଂକୁଚିତ କରିବାକୁ ବ୍ୟଗ୍ର । ସେ ପ୍ରସ୍ତୁତ ନୁହେଁ ନିଜ ଉପାର୍ଜିତ ଧନସମ୍ପତ୍ତି ମଧ୍ୟରେ ସମ୍ପର୍କ ହେଉ ଅଂଶୀଦାର । କାହିଁକି ହେବ ସିଏ ! ସେ ପରା ନିଜେ ସମ୍ପତ୍ତି ଉପାର୍ଜନ କରିଛି ! ଏ ସମ୍ପତ୍ତି ତାର ସଂମ୍ପୂର୍ଣ୍ଣ ନିଜସ୍ବ । ଏହାରି ପାଇଁ ସମ୍ପର୍କଟା କାକ ସଦୃଶ ତା ଚାରିପାଖେ ଉଡିବୁଲିବାକୁ ବାଧ୍ୟ ! ଯେତେଦିନ ଏ ସମ୍ପତ୍ତି ତା ଅଧୀନରେ ସେତେଦିନ ଏ ସମ୍ପର୍କଟା ତା ଗୋଲାମ ହୋଇରହିବ । ସେ କାହିଁକି ସମ୍ପର୍କ କୁ ନିଜର କରି ତା ଅଂଶୀଦାର କରିବ !! ଏ ସମ୍ପତ୍ତି ହିଁ ତାର ବଳ ତାର ଅଭିମାନ ତାର ପରିଚୟ ତାର ସବୁକିଛି । ତେଣୁ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ଠିକ୍ ଜାଣିଛି ଦ୍ବନ୍ଦ୍ବ ଯୁଦ୍ଧରେ ସେ ଅପରାଜେୟ । ତା ଆଗରେ ସ୍ନେହ ସମ୍ପର୍କ ଆଉ ବିଶ୍ବାସର କୌଣସି ତୁଳନା ମଧ୍ୟ ନାହିଁ । ତେଣୁ ଦ୍ବନ୍ଦ୍ବ ଯୁଦ୍ଧର ପ୍ରଥମ ପର୍ଯ୍ୟାୟରେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବର ପ୍ରଚଣ୍ଡ ପ୍ରହାରରେ ସ୍ନେହ ସମ୍ପର୍କ ଆଉ ବିଶ୍ବାସ ସଂମ୍ପୂର୍ଣ୍ଣ ଧରାଶାୟୀ । ଆଉ ଯୁଦ୍ଧ କରିବାକୁ ସକ୍ଷମ ନୁହେଁ ସ୍ନେହ ସମ୍ପର୍କ ଆଉ ବିଶ୍ବାସ । ବିଜୟ ଅବଶ୍ୟମ୍ଭାବୀ ଜାଣି ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ମୂଖରେ ଫୁଟିଉଠେ ତଚ୍ଛଲ୍ୟର ହସ ସ୍ନେହ ସମ୍ପର୍କ ଓ ବିଶ୍ବାସ ପ୍ରତି । ତାହାହେଲେ କଣ ସ୍ନେହ ସମ୍ପର୍କ ଓ ବିଶ୍ବାସ ନିଜ ପରାଜୟ ସ୍ବୀକାର କରିନେବ !! ବ୍ୟସ୍ତ ହୋଇଉଠିଲା ସ୍ନେହ ସମ୍ପର୍କ ଆଉ ବିଶ୍ବାସ । ଭାବିଚାଲିଲା କଣ କରିବ ସେ ! 'ତାମାନେ କଣ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ହିଁ ଜୀବନ ପାଇଁ ସବୁକିଛି !! ମୋର କଣ କୌଣସି ପ୍ରଯୋଜନ ନାହିଁ ଜୀବନରେ !!ତା ହେଲେ ଏ ସ୍ନେହ ସମ୍ପର୍କ ଆଉ ବିଶ୍ବାସ କୁ କାହିଁକି ସୃଷ୍ଟି କଲ ହେ ବିଶ୍ବ ନିୟନ୍ତା ' ! ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ନିଜ ବିଜୟ ପାଇଁ ସମ୍ପୂର୍ଣ୍ଣ ଆଶ୍ବସ୍ତ । କିନ୍ତୁ ଏଯାଏ ଯୁଦ୍ଧ ସରିନି । ଜୀବନରେ ଶ୍ବାସର ଗୋଟିଏ ପର୍ଯ୍ୟାୟ ସରିଛି । ଆହୁରି ଗୋଟିଏ ପର୍ଯ୍ୟାୟ ବାକିଅଛି । ସମ୍ପର୍କର ବେଦନାର ଶଂଖନାଦରୁ ଆରମ୍ଭ ହେଲା ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟର ଦ୍ବନ୍ଦ୍ବ ଯୁଦ୍ଧ । ଗୋଟିଏ ପଟେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ପ୍ରଥମ ପୟ୍ୟାୟରେ ବିଜୟ ଲାଭ କରି ଆତ୍ମବିଶ୍ବାସର ଚରମ ସୋପାନରେ । ଅନ୍ୟ ପାଖରେ ଧରାଶାୟୀ ସ୍ନେହ ସମ୍ପର୍କ ଆଉ ବିଶ୍ବାସ । ହାତ ଟେକିଦେଲା ଧରାଶାୟୀ ସମ୍ପର୍କ । ସୁଖ ସମ୍ପତ୍ତି ପ୍ରଭୁତ୍ବ ତା ଉପରେ କୁଟିଳ ହସଟେ ହସିଦେଇ କହିଲା "ଏଥର ପରାଜୟ ସ୍ବୀକାର କରୁଛ ତ ! ସ୍ବୀକାର କରୁଛତ ଜୀବନରେ ମୋର ପ୍ରାଧାନ୍ୟ ହିଁ ସବୁକିଛି ବୋଲି " ? ଏଥର କଥାଶୁଣି ସ୍ନେହ ସମ୍ପର୍କ ଆଉ ବିଶ୍ବାସ କଷ୍ଟ ମିଶା ହସଟେ ହସି କହିଲା " କେବେ ବୁଝିବୁ ତୁ ! ଏ ହାତ ତୋ ପାଖରେ ସମର୍ପଣ ପାଇଁ ଉଠିନଥିଲା ! ଏ ହାତ ଉଠିଥିଲା ସେହି ପ୍ରଭୁକଂ ଉଦ୍ଦେଶ୍ୟରେ ଯିଏ ମୋତେ ସୃଷ୍ଟି କରିଛନ୍ତି । ଯଦି ତାଂକ ଇଚ୍ଛା ମୋ ଅସ୍ତିତ୍ବର ବିନାଶ ; ତେବେ ମୋର ଜୀବନରେ ଆଉ ଆବଶ୍ୟକତା କଣ " ! 


        ଆଜି ସଂସାର ଆଖଡାରେ ଆଉ ଗୋଟିଏ ମହାଭାରତ ଲେଖା ଚାଲିଛି । କଣ ଘଟିବ ଏହାର ଅନ୍ତରେ ! କାହା ମସ୍ତକରେ ଲାଗିବ ବିଜୟ ତିଳକ ! ଦ୍ବାପର ମହାଭାରତରେ ସିନା ଧର୍ମର ବିଜୟ ପାଇଁ କୃଷ୍ଣ କଂ ଆବିର୍ଭାବ ଘଟିଥିଲା ! ନିତୀ ନିୟମ ସବୁକିଛି କୁ ଧର୍ମର ବିଜୟ ପାଇଁ ଜଳାଞଳି ଦେଇ ଦେଲେ ମହାପ୍ରଭୂ ! ହେଲେ ଆଜି ଏ କଳିରେ କଣ ମହାପ୍ରଭୂକଂ ଆବିର୍ଭାବ ହେବ ! ସେଦିନ ସିନା ଦୁର୍ଯ୍ୟୋଧନର ଗଦା ପ୍ରହାରରେ ଦ୍ବିତୀୟ ପାଣ୍ଡବ କଂରକ୍ଷା କବଚ ସାଜିଥିଲେ ସିଏ । କିନ୍ତୁ ଆଜି ! ଆଜିତ ସ୍ନେହ ସମ୍ପର୍କ ଆଉ ବିଶ୍ବାସ ସଂସାର ଆଖଡାରେ ପ୍ରତିପକ୍ଷର ପ୍ରହାରରେ ଧରାଶାୟୀ । ଆଜି ତେବେ କଣ ପ୍ରଭୁ ଆସିବେନି !! ଏଭଳି ସମୟରେ ହଠାତ୍ ଶକ୍ତି ହୀନ ମନେକଲା ସୁଖ ସମ୍ପତ୍ତି ପ୍ରଭୁତ୍ବ ନିଜକୁ । ଆଶ୍ଚର୍ଯ୍ୟ ହୋଇପଡିଲା ସିଏ । ଏକଣ ହେଉଛି ! କାହିଁକି ପ୍ରତିପକ୍ଷ ପରି ସେ ମଧ୍ୟ ନିଜକୁ ଶକ୍ତିହୀନ ମନେକରୁଛି ! ଜାଣିଲା ସମୟର ପ୍ରବାହରେ ବାର୍ଦ୍ଧକ୍ୟ ଆସି ଜୀବନରେ ଉପନୀତ । ଯୌବନର ଉଷ୍ମରକ୍ତ ଏହାଭିତରେ ଶୀତଳ ହେବାକୁ ଲାଗିଲାଣି । ଆଉ ପ୍ରଥମ ପର୍ଯ୍ୟାୟର ବଳ ତାପାଖରେ ନାହିଁ । ତାହାହେଲେ କିଏ ଅଛି ଯିଏ ତା ପାଇଁ ଏ ଦ୍ବନ୍ଦ୍ବ ଯୁଦ୍ଧ ଲଢିପାରିବ ! ସମ୍ପତ୍ତିର ଗର୍ବରେ ସମ୍ପର୍କର ପରିଧିଟା ସଂକୁଚିତ ହୋଇଯାଇଛି ତାର । କେହି ପ୍ରସ୍ତୁତ ନୁହେଁ ତା ପାଇଁ ଲଢିବାକୁ । କିନ୍ତୁ ଅନ୍ୟ ପକ୍ଷରେ ସମ୍ପର୍କର ଶତ ବାହୁର ବଳ । ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ପ୍ରତିକ୍ଷଣ ଦୁର୍ବଳ ହୋଇଚାଲିଛି । ସ୍ନେହ ସମ୍ପର୍କ ଆଉ ବିଶ୍ବାସର ବଳ ବଢିଚାଲିଛି । ଏଭଳି ପରିସ୍ଥିତିରେ ସମ୍ପତ୍ତିର ଲୋଭରେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ମଧ୍ୟରେ ବିଶ୍ବାସଘାତର ପ୍ରବେଶ ତାକୁ ଆହୁରି ଶକ୍ତିହୀନ କରିଦେଇଛି । ବିଶ୍ବାସଘାତର ଗୃହଭେଦୀ ପ୍ରହାରରେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ନିଜ ଗୁରୁତ୍ବ ହରାଇବସିଛି । ସେପଟେ ସ୍ନେହ ସମ୍ପର୍କ ଆଉ ବିଶ୍ବାସ ଦ୍ବନ୍ଦ୍ବ ଯୁଦ୍ଧରେ ବିଜୟର ଦ୍ବାରଦେଶରେ ଉପନୀତ । ତାର ପ୍ରଚଣ୍ଡ ପ୍ରହାରରେ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ ଆଜି ଧରାଶାୟୀ । ସମ୍ପତ୍ତି ଆଉ ପ୍ରଭୂତ୍ବ ଏବେ ପ୍ରତିପକ୍ଷର ବଳ ସାଜିବାକୁ ପ୍ରସ୍ତୁତ । ଚିତ୍କାର କରିଉଠିଲା ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ " ଶେଷରେ ମୋତେ ପରାସ୍ତ କରିବାକୁ ତୋତେ ଛଳନାର ଆଶ୍ରୟ ନେବାକୁ ପଡିଲା ! ଧିକ୍ ତୋତେ " । ହଠାତ୍ ଦୂରରୁ ଭାସିଆସିଲା ଗୋଟିଏ ସମ୍ମୋହନକାରୀ ସ୍ବର " ଛଳନା କିଏ କଲା ? ଛଳନା ତୁ ନିଜେ ନିଜକୁ କରୁଥିଲୁ । ତୁ କଣ ଜାଣିନଥିଲୁ ସମୟର ଶକ୍ତି ! ତୁ କଣ ଜାଣିନଥିଲୁ ଯୁଦ୍ଧରେ ଆହୁରି ଗୋଟିଏ ପର୍ଯ୍ୟାୟ ବାକି ଅଛି ! ଜାଣିରଖ ସମୟ ସମ୍ମୁଖରେ ସମସ୍ତେ କ୍ଷମତାଶୂନ୍ୟ । ଯଦି ଆଜି ତୁ ବିଜୟ ଲାଭ କରିଥାନ୍ତୁ ତାହାହେଲେ ସମୟ ପରାସ୍ତ ହୋଇଥାନ୍ତା । ଆଉ ଯଦି ସମୟ ପରାସ୍ତ ହୁଅନ୍ତା ତେବେ ମୋ ଉପରେ ସ୍ନେହ ସମ୍ପର୍କ ଆଉ ବିଶ୍ବାସର ବିଶ୍ବାସରହିନଥାନ୍ତା । ତୋର ନିଜ ଉପରେ ପ୍ରଚଣ୍ଡ ବିଶ୍ବାସ କିନ୍ତୁ ସେ ମୋ ବିଶ୍ବାସରେ ବଳଶାଳୀ । ସେ ମୋର ଶରଣାପନ୍ନ । ନିର୍ଘଣ୍ଟ ସମୟର ଶେଷ ପର୍ଯ୍ୟାୟ ଉପନୀତ ପରା ..." । କିଛି ସମୟର ନିରବତା ପରେ ଶୁଣାଗଲା ମନମୁଗ୍ଧକାରୀ ହସଟିଏ । ଭାସିଆସୁଥିବା ହସ ଦିଗରେ ଦୃଷ୍ଟି ନିକ୍ଷେପ କଲା ଧରାଶାୟୀ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବ । ବୁଜିଯାଉଥିବା ଆଖି ତାର ଝାପସା ଝାପସା ଦେଖୁଥାଏ ଖାଲି ଗୋଟିଏ ଉଜ୍ବଳ ମୟୂର ଚନ୍ଦ୍ରିକା । ଆଉ ଦ୍ବିତୀୟ ପର୍ଯ୍ୟାୟ ସରୁସରୁ ସୁଖ ସମ୍ପତ୍ତି ଆଉ ପ୍ରଭୁତ୍ବର ଶ୍ବାସଟା ଜୀବନକୁ ଛାଡି ଚାଲିଯାଉଥାଏ ସେହି ଅଜଣା ଉଜ୍ବଳ ମୟୂର ଚନ୍ଦ୍ରିକାର ପଛେପଛେ ॥



Rate this content
Log in

Similar oriya story from Inspirational