STORYMIRROR

Tankadhar Majhi

Tragedy Thriller

4.2  

Tankadhar Majhi

Tragedy Thriller

ଚରିତ୍ରହୀନ

ଚରିତ୍ରହୀନ

4 mins
632


ଚରିତ୍ରହୀନ


ବରିଷ୍ଠ ଅଧିକାରୀ ମି. ରାଜେଶ ଜେଲ ପରିସରକୁ ଇନଭେଷ୍ଟିଗେସନ୍ ରେ ଯିବା ନିମନ୍ତେ ଦିନ ଧାର୍ଯ୍ୟକଲେ । କୌଣସି ସୂତ୍ରରୁ ଆଗମନର ବାର୍ତା ପାଇବା ପରେ ଜେଲ ପରିସରକୁ ସ୍ଵଚ୍ଛ, ନିର୍ମଳ ଓ ରଙ୍ଗବେରଙ୍ଗରେ ସୁସଜ୍ଜିତ କରାଯାଇଥିଲା । 


ସକାଳ ଦଶଟା ବେଳେ ସାଥି କର୍ମଚାରୀ ଓ ହାବିଲଦାର ସହ ଜେଲ ଭିତରକୁ ପ୍ରବେଶ କଲେ । ସମ୍ମୁଖବର୍ତ୍ତୀ କୋଠରୀ ଆଡ଼େ ଦେଖିଲେ, ମୋଟା କଳା ଡେଙ୍ଗା ଲୋକ ଜଣେ ହାତରେ ହାତ କଡି ଓ ଗୋଡକୁ ଶିକୁଳିରେ ଛନ୍ଦିଥିବା ବେଳେ ଅର୍ଧନିଦ୍ରାରେ ଶୋଇଛି । ସେ ଲୋକ ମି.ରାଜେଶ ଆଡ଼କୁ ଭ୍ରୁକୁଞ୍ଚିତ କରି ଚାହିଁଲା ଅଥଚ ପଛରେ ଥିବା ସେ ହାବିଲଦାର ବଡ଼ ବଡ଼ ନିଶକୁ ଦେଖୁଥିଲା । ସେଇଠୁ ଲେଉଟି ଅନ୍ୟ କୋଠରୀ ଆଡକୁ ମି. ରାଜେଶ ଆଙ୍ଗୁଳି ଇଙ୍ଗିତ କଲେ । ସେଇଠି ରାଷ୍ଟ୍ର ଦ୍ରୋହ, ଶାନ୍ତିଭଙ୍ଗ ଅଭିଯୋଗରେ ଜଣେ ଦଣ୍ଡ ଭୋଗୁଛି ବୋଲି ଜେଲ ଅଧିକାରୀ ସୂଚିତ କରିଦେଲେ । ଏମିତି ଅନେକ କୋଠରୀରେ କଏଦୀମାନେ ଶଯ୍ୟାଶାୟୀ କାଳ୍ପନିକ ମୂର୍ତ୍ତିପରି ଦେଖାଯାଉଥିଲେ । କେତେଜଣ ଜେଲ୍ ଜୀବନ କଟାଇ କିମ୍ବଦନ୍ତୀ ପାଳଟି ଯାଉଛନ୍ତି ବୋଲି ଅନୁଭବ ହେଉଥିଲା । ସେମାନଙ୍କ ଶରୀରରୁ ମଶାମାନେ ନିର୍ଭୟରେ ରକ୍ତ ଶୋଷି ଯାଉଥିଲେ । 


ଅନେକାଂଶରେ କଏଦୀମାନେ ବିମୋହିତ କରୁଥିଲେ ମଧ୍ୟ ଜଣେ ଉଜ୍ଜ୍ୱଳ ଯୁବକର ଚିତ୍ର ନୂତନତା ଆଣୁଥିଲା ଯାହାକୁ ନ ଦେଖାଇବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଷଡଯନ୍ତ୍ର ରଚିଥିଲେ ବୋଧେ । ମିଷ୍ଟର ରାଜେଶ ସେ ଯୁବକ ପାଖକୁ ଯିବା ପାଇଁ ଇଛା କଲେ । ହଠାତ୍ ରାସ୍ତା ପରିବର୍ତ୍ତନ କରି ତା ପାଖକୁ ଚାଲିଗଲେ । ଯୁବକ ଜଣକ ନିରୀହ ଦୃଷ୍ଟିରେ ଦେଖୁଥିଲା । ଆଖି ଯୁଗଳ ଲୁହର ବନ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ବି ବଞ୍ଚିବାର ଆଶା ନେଇ ପ୍ରକୋଷ୍ଠ ମଧ୍ୟରେ କାଳ କାଟୁଥିଲା । ତା ଶରୀରରେ ଥିଲା କ୍ଷତବିକ୍ଷତ ଚିହ୍ନ ! 


ତୁମେ କିଏ ? ଜାଲି କବାଟ ବାହାରୁ ମି. ରାଜେଶ ପଚାରିଲେ।

"ତା ନାମ ଥୋମାସ୍ କ୍ରିସ ସାର୍ ।" ଜେଲ କର୍ତ୍ତୃପକ୍ଷ ହଠାତ୍ କହିଦେଲେ ।  

ଚୁପ କରିବାର ନଜରରେ ମି. ରାଜେଶ ଜେଲ କର୍ତ୍ତୃପକ୍ଷ ଆଡକୁ ଅନାଇଲେ । କାହାକୁ ଆଉ କିଛି କହିବାକୁ ପଡିଲା ନାହିଁ ସମସ୍ତେ ଚୁପ୍ ହୋଇଗଲେ । 


ତୁମେ କିଏ... ? 

"ଥୋମାସ୍ କ୍ରିସ ।"

"ମହାନଦୀ କୂଳରେ ମୋର ଘର ସାର ।" ଶଙ୍କିଶଙ୍କି କହିଲା କ୍ରିସ ।  


ଜେଲ୍ କର୍ତ୍ତୃପକ୍ଷ କହିଲେ, "ଇଏ ଜଣେ ନରହନ୍ତା ସାର୍, ତିନିଦିନ ହେଲା ଏମିତି ଜେଲ୍ ସଜା କାଟୁଛି ।" ।


କ୍ରିସ ଅପଳକ ନୟନରେ ଅନାଇଲା ଜେଲ କର୍ତ୍ତୃପକ୍ଷଙ୍କ ଆଡକୁ ପୁଣି ଥୁକ ଢୁକି କହିଲା, "ମୁଁ ଦୋଷୀ ସାର କିନ୍ତୁ.... ମୋ ପ୍ରକୃତ ଘଟଣା ଏଠି କେହି ବୁଝୁବା ଲୋକ ନାହାନ୍ତି । ପ୍ରେମ ପାଇଁ ମୁଁ ପ୍ରେମୀ କଏଦୀଟିଏ । ପ୍ରେମ କରିବା କ'ଣ ଭୁଲଥିଲା ସାର୍ ? 

କ୍ରିସ ହାତକଡି଼ ବନ୍ଧା ଯୋଡା ହସ୍ତରେ ହାତ ଯୋଡ଼ି କାନ୍ଥର ଗୋଟିଏ କୋଣରେ ଆଣ୍ଠେଇଗଲା ଆଉ କିଛି କହି ପାରିଲା ନାହିଁ ଖାଲି ଲୁହ ଗଡେଇଲା । 


ମି. ରାକେଶ କ୍ରିସର ପ୍ରକୃତ ଘଟଣା ବିଷୟରେ ଟିକିନିଖି ଜାଣିବା ପାଇଁ ନିକଟସ୍ଥ ଜେଲକୁ ସ୍ଥାନାନ୍ତରିତ କରି ନେଇଗଲେ । ନିଷ୍କପଟ ଉଦାସ ହୃଦୟର ମଣିଷଟିଏ କ୍ରିସ ଗାଡ଼ିର ପଛ ସିଟରେ ଚୁପଚାପ ବସିଗଲା । ପୋଲିସ୍ ଅଧିକାରୀମାନଙ୍କର ହୃଦୟରେ ବି ଏତେ କୋମଳତା ଥାଏ ବୋଲି କ୍ରିସକୁ ପ୍ରଥମଥର ପାଇଁ ଅନୁଭବ ହେଉଥିଲା ବୋଧେ । 


କ୍ରିସର ଶରୀର ସୁସ୍ଥ ହେବା ଖବର ପାଇଲେ । ଛୁଟିଦିନଟିରେ ସାକ୍ଷାତ ପାଇଁ ହାବିଲଦାରଙ୍କ ସହ ପହଞ୍ଚିଗଲେ କ୍ରିସର ରହିଥିବା ଜେଲକୁ । ଶୂନ୍ୟ କୋଠରୀର ଟେବୁଲ ଦୁଇପଟେ

ଦୁହେଁ ବସିଲେ ଓ ହାବିଲଦାର କବାଟ ବନ୍ଦ କରି ବାହାରେ ଜଗିରହିଲେ । ଟିକିନିଖି କରି ଜୀବନର ଇତିହାସ କ୍ରିସ ବଖାଣିଲା...


"ମୁଁ ସମ୍ଭ୍ରାନ୍ତ ପରିବାରର ବଂଶଜ ନୁହେଁ ସାର । ଅତି ସାଧାରଣ ନିରୀହ ସମାଜଚ୍ୟୁତ ପରିବାରରେ ମୋର ଜନ୍ମ । ମାଆ ଖ୍ରୀଷ୍ଟ ଓ ପିତା ହିନ୍ଦୁ ଧର୍ମର । ଦୁହିଁଙ୍କର ଅଲଗା ଅଲଗା ଧର୍ମ ଥିବାରୁ ମୋର ନାମ ଥୋମାସ୍ କ୍ରିସ ରଖାଗଲା । ମୁଁ ଧିରେ ଧିରେ ବଡ଼ ହେବାରେ ଲାଗିଲି । ବାପା ମାଆ ଚାଲିଗଲେ । କଲେଜ ପଢିଲା ସମୟରେ ଜାଫିରା ସହ ଛୋଟ ଦୁର୍ଘଟଣାରେ ଭେଟ ହୋଇଥିଲା, ତାପରେ ବନ୍ଧୁତା । ଆମ ଦୁହିଁଙ୍କର ଭଲ ସଂପର୍କ ହେତୁ ପ୍ରେମ ହୋଇଗଲା । ଜାଫିରା ସମ୍ଭ୍ରାନ୍ତ ମୁସଲମାନ ସଂପ୍ରଦାୟର ଝିଅ । ସେ ମୋ ବିଷୟରେ ସବୁ ଜାଣିଲା ପରେ ବି...।"


ମି. ରାଜେଶ ବେଳେବେଳେ ଅନ୍ୟମନସ୍କ ହୋଇ ପଡୁଥିଲେ । ହୃଦୟରୁ ଅସମ୍ଭବ ଚିତ୍କାର ଶୁଣିବାକୁ ପାଉଥିଲେ । କିଏ.. ? କିଏ..? ହୃଦୟ ଭିତରେ ସୌନ୍ଦର୍ଯ୍ୟଭରା ମୁହଁଟିଏ କାନ୍ଦୁଛି କାହିଁକି ? ମନେ ମନେ ଚିତ୍କାର କରୁଥିଲେ । ସେ କେହି ନୁହେଁ ମି. ରାଜେଶର ପ୍ରେମିକା ରାଗିଣୀ । ଯାହାକୁ ମନେ ପକାଇବାକୁ ପ୍ରଚୁର୍ଯ୍ୟ ଶକ୍ତିର ଆବଶ୍ୟକତା ପଡୁଥିଲା । ସମ୍ଭବତଃ ମନେ ପଡି ଯାଉଥିଲା ହତଭାଗିନୀ ରାଗିଣୀର ଚିରାଚରିତ୍ର ଚିତ୍ରପଟ୍ଟ ସବୁ । ମି. ରାଜେଶ ବେଶ୍ୟା ଗୃହକୁ ନିତି ଯୋଜନାବଦ୍ଧ ଭାବରେ ଲୁଚି ଲୁଚି ଆସୁଥିଲେ । ରାଗିଣୀ ସହ ପ୍ରତିଦିନ ଭେଟ ହେଉଥିଲା ସେଇ ବଦନାମ ଗଳିର କୌଣସି ଏକ ଅନ୍ଧକାର କୋଠରୀ ଭିତରେ । ଏକାନ୍ତରେ ଦୁହିଁଙ୍କ ମିଳନ ବେଶ ଉପଭୋଗ୍ୟ ହୋଇ ପ୍ରେମ କାହାଣୀର ରୂପ ଦେଇ ସାରିଥିଲା । ରାଗିଣୀକୁ ଅନ୍ଧରୀ କୋଠାରୁ ଆଜାଦ୍ କରି ଆଲୁଅରେ ନୂଆ ଜୀବନ ବଞ୍ଚିବାର କୌଶଳ ଶିଖାଇ ଦେଇଥିଲେ ରାଜେଶ । 


କ୍ରିସ ବାରମ୍ବାର ଆଖିରୁ ଲୁହ ପୋଛି କହିଚାଲିଲା।

"ଯିଏ ଏକତରଫା ଜୋର ଜବରଦସ୍ତି ପ୍ରେମ କରି ଜାଫିରାକୁ ହାସଳ କରିବାକୁ ଚାହୁଁଥିଲା ତାକୁ ମାରି ଦେଇଛି ଆଜ୍ଞା ! ଯେବେ ସେ ମତେ ଜାଫିରାର ପ୍ରେମିକ ବୋଲି ଜାଣିଗଲା । ସେ ଦିନ ଠାରୁ ଆକ୍ରମଣର ଯୋଜନା କରିଥିଲା । ଦିନେ ଜୀବନରୁ ମାରିଦେବାକୁ ଆସିଥିଲା । ଅନେକ ବୁଝାଇଲି ତଥାପି ମତେ ଆକ୍ରମଣ କରିଥିଲା ଯେତେବେଳେ ମୁଁ ଆତ୍ମରକ୍ଷା ପାଇଁ ପାଲଟା ଆକ୍ରମଣ କଲି ମୋ କହୁଣୀ ତା ମୁଣ୍ଡରେ ବାଜିଲା ପରେ ହଠାତ ତଳେ ପଡ଼ିଗଲା । ଦେଖିଲି ସେ ମରି ଯାଇଛି। ଥାନାକୁ ଯାଇ ସବୁକଥା କହିଲି । ରିପୋର୍ଟସ ଲେଖିଲା ସମୟରେ ବାପା ମାଆଙ୍କର ନାମ ଅଲଗା ଅଲଗା ଧର୍ମର ଥିବା ଜାଣି କାରଣ ପଚାରିଲେ । ସବୁ ଶୁଣିଲା ପରେ ସମସ୍ତେ ଚରିତ୍ରହୀନ ବାପାମାଆର ସନ୍ତାନ ଚରିତ୍ରହୀନ ବୋଲି ଉପହାସ କଲେ । ମୋ କଥା ଆଉ ଶୁଣିଲେ ନାହିଁ । ଜେଲ ହାଜତକୁ ପଠାଇ ଦେଲେ । ଏଭଳି କୂଳରେ ଜନ୍ମ ହେବାରେ ମୋର ଭୁଲ କେଉଁଠି ହେଲା ମୁଁ ଜାଣେ ନା ସାର ?" 


ଗେଣ୍ଡୁ ଫୁଲରୁ ଗୋଲାପ ସାଜିଥିବା ରାଗିଣୀ ମଧ୍ୟ ଚରିତ୍ରହୀନ ଥିଲା । ସେ ଭଲ ରାସ୍ତାରେ ପାଦ ଦେଇଥିବାରୁ ରାଜେଶ ଧର୍ମ ପତ୍ନୀ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ତା ରହସ୍ୟମୟ ମୃତ୍ୟୁ ଅନ୍ଧାରରେ ଲମ୍ବିଥିବା ବିପଥଗାମୀ ରାସ୍ତା ପରି ସଂକୀର୍ଣ୍ଣରୁ ସଂକୀର୍ଣ୍ଣତା ଆଡକୁ ଲମ୍ବି ଯାଉଥିଲା । ରାଗିଣୀ ନର୍କ ଜୀବନରୁ ମୁକ୍ତି ତ ପାଇ ଯାଇଥିଲା ହେଲେ ଲୋକଙ୍କ ଆଖିରେ ସବୁଦିନ ପାଇଁ ଚରିତ୍ରହୀନ ହୋଇ ରହିଗଲା । ସେ ମୃତ୍ୟୁର ଗୋଟିଏ ବି କାରଣ ଛାଡ଼ିଲା ନାହିଁ, ଯାହା ଦ୍ଵାରା ଅନ୍ୟମାନେ ଅସୁବିଧାରେ ପଡିବେ ବୋଲି । ରାଗିଣୀର ଶେଷ ଚିଠିରେ ଲେଖାଥିଲା "ରାଜେଶ ମୁଁ ତୁମକୁ ଚରିତ୍ରହୀନ କରି ପାରିବି ନାହିଁ ।"


ଏବେ ଯାଏଁ ରାଗିଣୀର ସ୍ମୃତିରେ ଅବିବାହିତ ଜୀବନ କାଟୁଛନ୍ତି ମି. ରାଜେଶ । ତାଙ୍କ ନଜରରେ ଆସୁଥିବା ଏଭଲି ନିର୍ଦୋଷମାନଙ୍କୁ ମୁକ୍ତି ଦେଉଛନ୍ତି ।


Rate this content
Log in

Similar oriya story from Tragedy