Parameswar Ojha

Inspirational Others

4  

Parameswar Ojha

Inspirational Others

ଚର୍ଚ୍ଚା

ଚର୍ଚ୍ଚା

2 mins
370



ଖବର କାଗଜ ଦୂରଦର୍ଶନରେ ସବୁଆଡେ ଏବେ ଚର୍ଚ୍ଚା , ସୁବାସ ଅଟୋ ଡ୍ରାଇଭରର ମହାନତା ବିଷୟରେ । ତା ଅଟୋରେ ଅନ୍ୟ କାହାର ଭୁଲ୍ ରେ ଖସି ପଡ଼ିଥିବା ଅଢେଇ ଲକ୍ଷ ଟଙ୍କା ଆଉ କିଛି ଜରୁରୀ କାଗଜ ପତ୍ର ସେ ଥାନାକୁ ହସ୍ତାନ୍ତର କରିଛନ୍ତି । ଥାନା ବାଲାଏଁ ସୁବାସର ଏମିତି ସରଳପଣିଆରେ ପ୍ରିତ ହେବା ସହ ଆଶ୍ଚର୍ଯ୍ୟ ବି ହୋଇଛନ୍ତି । ଏମିତି ବି ଲୋକ ଆଜିକା ସମୟରେ ସତରେ ଅଛନ୍ତି !


ଟିଭି ମେଡିଆ ଡାକି ତା'ର ବଦାନ୍ୟତା ବିଷୟରେ ଚର୍ଚ୍ଚା କରାଗଲା । ତାକୁ ଦୁଇ ପଦ କହିବାକୁ ସୁଯୋଗ ଦିଆଗଲା । ହଜି ଯାଇଥିବା ମହିଳା ତାଙ୍କ ଟଙ୍କା ପାଇ କୃତକୃତ୍ୟ ହେଲେ । ଆଖି ଛଳ ଛଳେଇ ଗଲା ସୁବାସ କୁ ଧନ୍ୟବାଦରେ ପୋତି ପକାଇଲେ । ସେ ଖୁସି ହୋଇ ସୁବାସ କୁ ପାଞ୍ଚ ହଜାର ଟଙ୍କା ଉପହାର ଦେଲେ । ସୁବାସ ମନା କରୁଥିଲା ଅଥଚ ସେ ମହିଳା ଜଣକ ବାଧ୍ୟ କଲାରୁ ସେ ଟଙ୍କା ତକ ନେଲା ।‌ 


ସେଦିନ ଦୂରଦର୍ଶନରେ ଆଉ ତା ପରଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରିଥିଲା ସୁବାସର ସାହାଯ୍ୟ ଆଉ ଉପକାରିତା ବିବରଣୀ ।ଗଣ ମାଧ୍ୟମ ଠାରୁ ପ୍ରିୟଜନ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଯାଏଁ ଢେର୍ ପ୍ରଶଂସା ସାଉଁଟି ଥିଲା ସୁବାସ ।


କିନ୍ତୁ ସେଦିନ ସେ ଟଙ୍କା ବ୍ୟାଗ୍ ଥାନାରେ ଦେଇ ଘରକୁ ଫେରି ଆସି ପତ୍ନୀ ଆଗରେ ସବୁ କଥା ବଖାଣିବା ପରେ । ପତ୍ନୀ ସୁବାସ କୁ ଗୋଟେ ଅଜବ ଚାହାଣୀ ଚାହିଁଲେ । ତାପରେ କହିଲେ -" ଏଇ ଏଡେ ଓଲା ଲୋକ ଟେ ତମେ ? ସେ ଟିଭି ପେପରରୁ ଆମର କଣ ପେଟ ପୁରିବ ? ଅଢେଇ ଲକ୍ଷ ଟଙ୍କା ଟି ! ଅଢେଇ ବର୍ଷ ଆମେ ଖୁସିରେ ଚଳି ଥାନ୍ତେ । ନହେଲେ ଆମ ଅଧା ଘର ଟାକୁ ସେଇ ଟଙ୍କାରେ ପୁରଣ କରି ଦେଇଥାନ୍ତେ । ତମେ ଏମିତି ଦାନୀ ହରିଶ୍ଚନ୍ଦ୍ର କେବେ ଠାରୁ ହେଲଣି ମ କାଇଁ ମୋତେ ତ ଭରଷା ପାଉନି । ସତ କୁହ ତମେ ସେ ବ୍ୟାଗ୍ କାହିଁକି ଜିମା ଦେଲ ଥାନାରେ ? 


ସୁବାସ ପତ୍ନୀ ଙ୍କ ପାଖକୁ ଲାଗି ଆସି କହିଲେ - " ଆରେ ସେ ସ୍ତ୍ରୀ ଲୋକଟି ଏଇ ଆଖ ପାଖ ଅଞ୍ଚଳର ବୋଧେ , ଅନେକ ଥର ତାଙ୍କୁ ମୁଁ ଦେଖିଛି । ବହୁତ ଥର ମୋ ଅଟୋରେ ବି ସେ ଯା ଆସ କରିଛନ୍ତି । ଆଉ ଗୋଟେ କଥା ହେଉଛି ମୋ ଅଟୋରେ ଫୁଲ ସାଜ ସଜା ଅନ୍ୟ ମାନଙ୍କ ଅଟୋ ଠୁଁ ବାରି ହୋଇ ପଡ଼େ । ଯିଏ ମୋ ଅଟୋରେ ଥରେ ବସିଥିବ ସେ ଭୁଲିବାର କଥା ନୁହେଁ । ମୁଁ ଯଦି ବ୍ୟାଗ୍ ଟି ଜିମା ନ ଦେଇ ଥା'ନ୍ତି ସେ ମୋତେ ନପାଇ ଅଟୋ ଆସୋସିଏସନ୍ କୁ ଯାଇଥା'ନ୍ତା ମୋତେ ଖୋଜି ଖୋଜି ତାପରେ ଆମ ଘର ଠିକଣାରେ ଆସି ପହଞ୍ଚି ଯାଇଥା'ନ୍ତା ନିମିଷକରେ । ତାପରେ ମୁଁ ଯଦି ଭଲରେ ଭଲରେ ଦେଇଥାନ୍ତି ଭଲ , ନହେଲେ ପୋଲିସ୍ ଡାକି ମୋତେ ବେଜିତ୍ କରି ଥାଆନ୍ତା ଆଉ ଲୋକ ହସା ହୋଇ ଜୋରିମାନା ଭରି ଥାଆନ୍ତି । କାହିଁକି ଅଯଥା ଧନହାନୀ ପ୍ରାଣ ପିଡା ହୋଇଥାନ୍ତି କୁହତ ? ବରଂ ଏ ଭଲ ହୋଇଛି ପ୍ରଶଂସା କୁ ପ୍ରଶଂସା ଆଉ ଟଙ୍କା ପାଞ୍ଚ ହଜାର ନଗଦରାଶି । ଆରେ କିଛି ନ ପାଇବା ଠାରୁ ଅଳ୍ପ କିଛି ପାଇ ସନ୍ତୁଷ୍ଟ ହେବା ଢେର୍ ଭଲ । ବୁଝିଲ ? " 


ପତ୍ନୀ ଏଥର ସବୁ କିଛି ବୁଝି ସାରିଥିଲେ , ସେ ସ୍ଵାମୀ କୁ ଆଉ କିଛି ପ୍ରଶ୍ନ ନ ପଚାରି ତାଙ୍କ ହାତରୁ ଟଙ୍କା ତକ ନେଇ ଗଣି ପରଖୁଥିଲେ ପାଞ୍ଚ ହଜାର ଟଙ୍କା ଠିକ୍ ଅଛି ନା ନାହିଁ  ।

  



Rate this content
Log in

Similar oriya story from Inspirational